Unknown

 

 

 

 

 

 

 

 

 

 

 

ସିଂହକଟି

ଡକ୍ଟର କୃଷ୍ଣପ୍ରସାଦ ମିଶ୍ର

 

 

 

 

 

 

 

 

 

 

 

 

ଡକ୍ତର ଶ୍ରୀ ହରେକୃଷ୍ଣ ମହତାବ

ପୂଜାସ୍ପଦେଷୁ

 

ଦୁଇପଦ

 

‘ମୃଗତୃଷ୍ଣା’ ମୋର ପ୍ରଥମ ଉପନ୍ୟାସ । ‘ସିଂହକଟି’ ଦ୍ୱିତୀୟ । ତା’ର ଉଚ୍ଚ ଆଦର୍ଶବାଦ ଯୋଗୁଁ ଜଣେ ମାସିକ ପତ୍ରିକାର ସମ୍ପାଦକଙ୍କ ଦ୍ଵାରା ମୌଖିକ ସମାଲୋଚିତ ହୋଇଥିଲା । ଶେଷରେ ସମ୍ପାଦକ ଆଶା ପ୍ରକାଶ କରିଥିଲେ, “ଅନୁଭୂତି ତରୁଣ ଔପନ୍ୟାସିକଙ୍କୁ ବାସ୍ତବଧର୍ମୀ କରାଇଦେବ । ଅନ୍ୟ ସବୁ ଦୃଷ୍ଟିରୁ ମୃଗତୃଷ୍ଣା ଭଲ ।”

 

ଆଦର୍ଶବାଦ ଓ ଯଥାର୍ଥବାଦର ଦ୍ଵନ୍ଦ୍ୱରେ କୌଣସି ଲେଖା ନ ପଡ଼ିବା ଶ୍ରେୟ । ଉଭୟେ, ସୃଷ୍ଟି ଓ ସ୍ରଷ୍ଟା ଦୃଷ୍ଟିରୁ ଅର୍ଥଶୂନ୍ୟ । ଚରିତ୍ର ଚିତ୍ରଣବେଳେ, ଘଟଣା ସଂଘଟନ କଲାବେଳେ କେହି ସାହାଯ୍ୟପ୍ରଦ ନୁହନ୍ତି ।

 

ତେଣୁ ସିଂହକଟି ଉଭୟ ‘ବାଦ’ ଦୃଷ୍ଟିକୋଣରୁ ଅବିଚାର୍ଯ୍ୟ । ସିଂହକଟି ଏକ ମୌଳିକ ସାମାଜିକ ଉପନ୍ୟାସ । ଯୁଗ ଯୁଗ ଧରି ମାନବ ଆତ୍ମାର ସଞ୍ଚିତ ଆଶା, ଅଭିମାନ, ଅନ୍ତଦ୍ୱର୍ନ୍ଦ୍ଵ ଓ ଅଭିଯୋଗକୁ ଏଥିରେ ରୂପାୟିତ କରାଯାଇଛି ।

 

ପୁଞ୍ଜିବାଦକୁ ଔପନ୍ୟାସିକ ନିନ୍ଦା କରିଛି, ଏକ ଆର୍ଥିକ ଓ ସାମାଜିକ ବ୍ୟବସ୍ଥା ଭାବେ ନୁହେଁ, ବୈୟକ୍ତିକ ଦୃଷ୍ଟିରୁ ଏହା ଏକ ଦୂଷିତ ମନୋବୃତ୍ତି ବୋଲି, ଧର୍ମ ଏହାକୁ ଅସ୍ଵୀକାର କରିଥିବା ଯୋଗୁଁ । ସେହିପରି ଧର୍ମର ଉନ୍ନତ୍ତ ବିକାଶକୁ–ଯେତେବେଳେ ତାହା ଧର୍ମ–ନୀତି–ସଞ୍ଚିତ ସୁଖକୁ ବର୍ଜନକରି ଭିକ୍ଷାବୃତ୍ତି ଗ୍ରହଣ କରିବାକୁ ପ୍ରଚୋଦନା ଦିଏ–ଏହି ଔପନ୍ୟାସିକ ତାତ୍ସଲ୍ୟ କରିଛି ।

 

ଔପନ୍ୟାସିକ ପାଇଁ ଜଣେ ଆଦର୍ଶ–ସୁଦ୍ଧ ମାନବ । ଯାହା ଭାଗରେ ସୁଖ ପଡ଼େ, ଦୁଃଖ ମଧ୍ୟ; ଦୁଃଖବେଳେ ଅନାଗତ ସୁଖକୁ କଳ୍ପନା କରି ସେ ବଞ୍ଚିରହେ । ସେ ଲୋକମାନଙ୍କଦ୍ଵାରା ପ୍ରତାରିତ ହୁଏ; ତଥାପି ସେ ଈଶ୍ୱରଙ୍କ ଅସ୍ତିତ୍ଵ, କର୍ମଫଳ ଓ ମାନବିକ ସାଧୁତା ଉପରେ ଆସ୍ଥା ହରାଏନି ।

 

ସେହି ମାନବ । ଚିରବନ୍ଦ୍ୟ ।

 

ସିଂହକଟି ଉପନ୍ୟାସ । ତେଣୁ କୌଣସି ବ୍ୟକ୍ତି, ସ୍ଥାନ, ସଂସ୍ଥା ପ୍ରତି ଏହାର ସମ୍ବନ୍ଧ ନାହିଁ-

 

କୃଷ୍ଣପ୍ରସାଦ ମିଶ୍ର

★★★

 

ତୃତୀୟ ସଂସ୍କରଣ : ଭୂମିକା

 

ଗତ ଚାରିବର୍ଷ ହେଲା ‘ସିଂହକଟୀ’ ଉପନ୍ୟାସର ଦ୍ଵିତୀୟ ସଂସ୍କରଣ ସରିଯାଇ ଓଡ଼ିଆ ପାଠକମାନଙ୍କ ପାଇଁ ତାହା ଦୁର୍ଲ୍ଲଭ ହୋଇଯାଇଥିଲେ ମଧ୍ୟ, ଅଧ୍ୟାପକ ଶ୍ରୀ ଶଙ୍କରଲାଲ ପୁରୋହିତଙ୍କ ଦ୍ଵାରା ଅନୂଦିତ ହୋଇ ବହିଟି ହିନ୍ଦୀ ପାଠକପାଠିକାମାନଙ୍କ ପାଖକୁ ଚାଲିଯାଇ ପାରିଥିଲା । ହିନ୍ଦୀରେ ‘ସିଂହକଟୀ’ ‘ଅନ୍ଦାମନ୍’ ନାମରେ ଦିଲ୍ଲୀର ‘ଶସ୍ତା ସାହିତ୍ୟ ମଣ୍ଡଳ’ ଦ୍ଵାରା ପ୍ରକାଶିତ ହେବାପରେ (୧୯୭୮) ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ଆଲୋଚନା ଚିତ୍ରଟିଏରେ ହିନ୍ଦୀର ଶ୍ରୀ ଯଶପାଳ ଜୈନ, ଡଃ ସତ୍ୟପାଳ ଚୁଘ, ଶ୍ରୀ ଜଗଦୀଶ କୁମାର, ଶ୍ରୀମତୀ ଅରୁଣା ସୀତେଶ ପ୍ରମୁଖ ପ୍ରସିଦ୍ଧ ଆଲୋଚନା ବହିଟିର ପ୍ରଶଂସା କରିଥିଲେ । ୧୯୮୦ରେ ବହିଟି କେରଳର ପ୍ରସିଦ୍ଧ ସାପ୍ତାହିକୀ ‘ଦେଶାଭିମାନୀ’ରେ ମାଲୟାଲାମ ଭାଷାରେ ଜାନୁୟାରୀ ଓ ଫେବୃୟାରୀ ମାସ ଧରି ଧାରାବାହିକ ରୂପେ ପ୍ରକାଶିତ ହୋଇ ଆଦୃତ ହୋଇଛି । ହିନ୍ଦୀରୁ ମାଲୟାଲାମକୁ ଭାଷାନ୍ତର କରିଛନ୍ତି କେରଳର ଜଣେ ସ୍କୁଲ ଶିକ୍ଷକ ପାୟାନୁର କୁହ୍ନୀରମଣ ।

 

‘ସିଂହକଟୀ’ କିନ୍ତୁ ଓଡ଼ିଶାର ବିଜ୍ଞସମାଲୋଚକମାନଙ୍କ ଦୃଷ୍ଟିପଥକୁ ଏ ଯାବତ୍ ଆସିନାହିଁ-। ଅଧ୍ୟାପକ ପଠାଣି ପଟ୍ଟନାୟକଙ୍କ ସମ୍ପାଦିତ ‘ଓଡ଼ିଆ ଉପନ୍ୟାସ’ରେ ଶ୍ରୀ ପର୍ଶୁରାମ ଖଣ୍ଡୁଆଳ ‘ଔପନ୍ୟାସିକ କୃଷ୍ଣପ୍ରସାଦ’ ବୋଲି ପ୍ରବନ୍ଧଟିଏରେ ‘ସିଂହକଟୀ’ର ଯାହା ସଂକ୍ଷିପ୍ତ ଆଲୋଚନା କରିଥିଲେ । ଶ୍ରୀ ଖଣ୍ଡୁଆଳଙ୍କ ଏହି ପ୍ରବନ୍ଧଟିକୁ ପରେ ଶ୍ରୀ ଲକ୍ଷ୍ମୀନାରାୟଣ ମହାପାତ୍ର ତାଙ୍କ ସମ୍ପାଦିତ ‘କଥାକାର କୃଷ୍ଣପ୍ରସାଦ’ ବହିରେ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି; କିନ୍ତୁ ଏହି ପ୍ରବନ୍ଧରେ ଦିଆଯାଇଥିବା ମତ ଓ ବିଚାର ‘ସିଂହକଟୀ କେବଳ ନୁହେଁ, ମୋର ଅନ୍ୟ ଦୁଇଟି ଉପନ୍ୟାସର ମଧ୍ୟ ଯଥାର୍ଥ ମୂଲ୍ୟାୟନ କରିନାହିଁ ବୋଲି ମୋର ମତ ।

 

କୋଡ଼ିଏ ବର୍ଷ ତଳେ ଲିଖିତ ‘ସିଂହକଟୀ’ ଉପନ୍ୟାସ ଭାରତର ଏଡ଼େ ବିଶାଳ ପାଠକ ପରିସରକୁ ସ୍ପର୍ଶ କରିବ, ସେମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ମୁଁ କଳ୍ପନା କରି ନ ଥିଲି ।

 

ଦୋଳ ପୂର୍ଣ୍ଣମୀ

କୃଷ୍ଣପ୍ରସାଦ ମିଶ୍ର

ମାର୍ଚ୍ଚ, ୧୯୮୦

 

★★★

 

“ଓଁ ଚାମୁଣ୍ଡେ ଜୟ ଜୟ ସ୍ତମ୍ଭୟ ସ୍ତମ୍ଭୟ ମୋହୟ ମୋହୟ ସର୍ବଂ ମାଂ ତ୍ଵଂ ଦମଦମ ସ୍ୱାହା ।”

 

ନିର୍ଧୁମ ଖରାରେ ମୁଣ୍ଡ ଫାଟି ପଡ଼ୁଛି । କୋଡ଼ିଏ ହାତ ଆକ୍ରାନ୍ତରେ ଗଛପତ୍ର ନାହିଁ । ତା’ପରେ ଛୋଟ ଛୋଟ ଗୁଳ୍ମଲତା, ବାଉଁଶକୋଳି ଗଛ, ଢିମା ଢିମା ପଥର, ଆବୁଡ଼ା ଖାବୁଡ଼ା ଜମି ଓ ଆମ୍ବତୋଟା । ବାଉଁଶ ନଈ ସମ୍ପୂର୍ଣ୍ଣ ଜଳଶୂନ୍ୟ, ବହୁଦୂରରେ ସୋଲରୀ ପର୍ବତ ଖରାଯୋଗୁ ଝାପ୍‍ସା ଝାପ୍‍ସା ଦିଶୁଛି । ସାନ୍ତରାପୁର ଶାସନ ପାଏ ବାଟଠୁ ମଧ୍ୟ କମ୍ ହେବ । ବାଉଁଶନଦୀର ଶଯ୍ୟାରେ ଗଛପତ୍ରଡ଼ାଳ କେତୋଟି, ତାହା ଉପରେ ତାଳଚଟେଇ ପକାଇ ଷୋହଳ ସତର ବର୍ଷର କିଶୋରଟିଏ ପଦ୍ମାସନରେ ବସି ନାସିକାଗ୍ରକୁ ଚାହିଁ ଅସୁସ୍ଥ ହୋଇ ଉଚ୍ଚାରଣ କରୁଥିଲା–

 

“ଓଁ ଚାମୁଣ୍ଡେ ଜୟ ଜୟ ସ୍ତମ୍ଭୟ ସ୍ତମ୍ଭୟ....

 

ମନ୍ତ୍ରର ପ୍ରଥମାଂଶ ଗମ୍ଭୀର ଭାବେ ଉଚ୍ଚାରିତ ହୋଇ କ୍ରମେ ଶେଷାଂଶ ଆଡ଼କୁ ଅସ୍ପଷ୍ଟ ହୋଇ ଯାଉଥିଲା । ଜପ ବାଚନିକରୁ ଆରମ୍ଭହୋଇ ଉପାଂଶୁରେ ପରିଣତ ହେଉଥିବା ଓ ଶେଷରେ ମାନସିକରେ ନିଶ୍ଚିଁହ୍ନ ହୋଇଯାଉଥିଲା । ମନ୍ତ୍ରଟିକୁ ତିନିହଜାର ଥର ଜପ କରିବା କଥା । ବର୍ତ୍ତମାନ ସୁଦ୍ଧା ଏକହଜାର ଥର ହୋଇଥିବ । ଗୋଟିଏ ଥର ଜପ କରିବା ପରେ ଡାହାଣପଟ ଟୋକେଇଟିଏରୁ ତିନିହଜାର ଗୋଡ଼ିରୁ ଗୋଟିଏ ଆସି ବାମପଟ ଟୋକେଇଟିଏରେ ଭର୍ତ୍ତି ହେଉଥିଲା । ମନ୍ତ୍ରର ସଂଖ୍ୟା ସଠିକ୍ ଭାବେ ଜାଣିବାକୁ ଆଉ କୌଣସି ଉପାୟ ନଥିଲା । କିଶୋର ଜାପକଙ୍କ ସମ୍ମୁଖରେ ତିନୋଟି ବାଉଁଶକଣି ତ୍ରିଭୁଜାକାରରେ ପୋତା ହୋଇଥାଏ । ତ୍ରିଭୁଜ ମଧ୍ୟରେ, ଲାଲ୍ ମୁରୁଜରେ ଅଷ୍ଟଦଳ ପଦ୍ମ, କେତୋଟି ମଲ୍ଲୀକଢ଼, ଘିଅ ଦୀପଟିଏ । ପାଖରେ ଧଳାସୁତାର ବିଣ୍ଡି । ଜପ ପ୍ରାୟ ଦିନ ବାରଟା ବେଳେ ଆରମ୍ଭ ହୋଇଛି, ଦୁଇଟା ଭିତରେ ଶେଷ ହୋଇଯିବ ବୋଲି ଅନୁମାନ ।

 

ଗୁଳ୍ମଲତାଙ୍କ ପଟୁଆର ପରେ ପରେ ବଡ଼ ବଡ଼ ଆମ୍ବଗଛ ଦୁଇ ତିନୋଟି, ଗୋଟିଏ ଡାଳରେ ଜାପକଙ୍କ ସମବୟସ୍କ ଦୁଇଜଣ କିଶୋର ବସି, କିଛି ସମୟ ଶାସନ ଆଡ଼କୁ ଚାହିଁଲେ, କିଛି ସମୟ ଧାନସ୍ଥ ବନ୍ଧୁ ଆଡ଼କୁ ଚାହୁଁଥିଲେ । ଦୁହିଁଙ୍କ ମୁଖମଣ୍ଡଳରେ ବିସ୍ମୟ, ଆଶ୍ଚର୍ଯ୍ୟ, ଉତ୍କଣ୍ଠା, ଉଦ୍‌ବିଗ୍ନତା, ସନ୍ଦେହ ସବୁର ସମ୍ମିଶ୍ରଣ । ଦୁହେଁ ନିରବିଚ୍ଛିନ୍ନ ନିସ୍ତବ୍‌ଧତାକୁ ଭାଙ୍ଗି ମଝିରେ ମଝିରେ ପଦେ ଦୁଇପଦ କଥା ହୋଇ ପଡ଼ୁଥାନ୍ତି ।

 

“ସତରେ କ’ଣ ଶିବର ମନ୍ତ୍ରସିଦ୍ଧ ହେବ ?”

 

“ଅବଶ୍ୟ ।”

 

ହେ ଗୋପୀନାଥ ! ମନ୍ତ୍ରସିଦ୍ଧ ହେଉ । ଶିବର ମନବାଞ୍ଛା ପୂର୍ଣ୍ଣହେଉ । ସୁକେଶୀ ଶିବକୁ ଭଲ ପାଆନ୍ତୁ । ଯାବଜ୍ଜୀବନ ତାଙ୍କର କିଙ୍କରୀ ହୋଇ ରହନ୍ତୁ ।

 

ଦ୍ଵିତୀୟ କିଶୋରଟି ଏକାଗ୍ର ହୋଇ ଆମ୍ବଗଛ ଡାଳରୁ ବାଲୁକା ଆଡ଼କୁ ଚାହୁଁଥିଲା । ସଙ୍ଗୀଟିର ବାଚାଳତା ଆଡ଼କୁ ତା’ର କାନ ନଥିଲା । ବନ୍ଧୁ ଶୁଣିବାର କୌଣସି ବାହାନା ମଧ୍ୟ ନ କରୁଥିବା ଦେଖି, ଚପଳ କିଶୋରଟି କ୍ଷୋଭକୁ ଜୀର୍ଣ୍ଣ କରୁ କରୁ କହିଲା–

 

“ମୋର କାହିଁ ବିଶ୍ୱାସ ହେଉନି । ମହାପାତ୍ରଙ୍କର ପାହାଡ଼ ଭଳି ଦାଣ୍ଡଦୁଆର ଦୁଇଟି ବନ୍ଦ ହୋଇଥିବ । ସୁକେଶୀ ତ ଶୋଇଥିବେ ।ଏତେ ଦାସଦାସୀ ! ସମସ୍ତଙ୍କ ନଜର ଏଡ଼ି ସେ କିପରି ଆସିପାରିବେ ! ଅସମ୍ଭବ ! ଶିବର ମନ୍ତ୍ର ବୃଥା ହେବ । କଳିଯୁଗର କ’ଣ ମନ୍ତ୍ର କାହାର ସିଦ୍ଧ ହୋଇଛି ?”

 

ବନ୍ଧୁଟିର ଏକାଗ୍ରତା ଭାଙ୍ଗିବା ପାଇଁ ବାଣ ଠିକ୍ ଜାଗାରେ ବାଜିଥିଲା । ଅତ୍ୟନ୍ତ ବିରକ୍ତରେ ବନ୍ଧୁ କହିଲା–“ମନ୍ତ୍ର ଯଦି ସିଦ୍ଧ ହେବନି, ତା’ ହେଲେ ବାଟିଆ ସର୍ବଜ୍ଞ, ମୁହଁକୁ ଦେଖି କିପରି ସବୁକଥା କହିଦେଉଚି ? ଧୈର୍ଯ୍ୟଧରି ଚୁପଚାପ୍ ଦେଖି କ’ଣ ହେଉଚି ।”

 

ବାଚାଳ କିଶୋରଟି ଚୁପ୍ ହୋଇଗଲା । ଦୁହେଁ ମୌନ ହୋଇ ସେମାନଙ୍କ ଉପରେ ଦିଆଯାଇଥିବା ଦାୟିତ୍ୱକୁ, ସୁଚାରୁରୂପେ, ତୁଲାଇବାକୁ ଲାଗିଲେ । କିଛି ସମୟ ଚାଲିଗଲା ।

 

ଶିବାନାଥର ଶରୀର ଅସହ୍ୟ ଭାବେ ଗରମ ହୋଇ ଆସୁଥାଏ । ଝାଳ ବିନ୍ଦୁ ବିନ୍ଦୁ ହୋଇ ଉତ୍ତପ୍ତ ବାଲି ଉପରେ ପଡ଼ି କେଉଁଆଡ଼େ ଶୁଖିଯାଉଥାନ୍ତି । ମୁଣ୍ଡରେ ଓଦା ଗାମୁଛା–ଦୀର୍ଘକାଳ ଏକ ଆସନରେ ବସି ରହିବା ହେତୁ ନିଃଶ୍ୱାସ ପ୍ରଶ୍ୱାସ ଆସୁଥାଏ । ପାଣିକୁଣ୍ଡରେ ଖରା ପଡ଼ି, ଘରକାନ୍ତରେ ଝଲମଲ ଝଲମଲ ହେବାପରି, ଚତୁର୍ଦ୍ଦିଗରେ ଝଲମଲ ଏକ ଆସ୍ତରଣ ଖେଳାଇ ହୋଇଯାଇଥାଏ । ହଠାତ୍ ଏପରି ଏକ ସମୟ ଆସିଲା ଯେତେବେଳେ ଡାହାଣପଟ ଟୋକେଇଟିରେ ଆଉ ଗୋଡ଼ି ରହିଲାନି । ସେତିକିବେଳକୁ ଆମ୍ବ ତୋଟାରୁ କୋଇଲି ତିନିଥର ରବିଦେଲା । ତିନିହଜାର ସଂଖ୍ୟା ପୂର୍ଣ୍ଣ ହୋଇଯାଇଛି । ଅପରିସୀମ ଆନନ୍ଦରେ ଶିବନାଥର ଛାତି କେତେଥର ଧଡ଼ ଧଡ଼ ହୋଇଗଲା । ପାଇବାର ସମୟ–ଆଶା, ଆକଂକ୍ଷା, କଳ୍ପନା, ଫଳବତୀ ହେବାର ସମୟ ସନ୍ନିକଟ !

 

“ଓଁ ଚାମୁଣ୍ଡେ ଜୟ ଜୟ ସ୍ତମ୍ଭୟ ସ୍ତମ୍ଭୟ ମୋହୟ ସର୍ବଂ ମାଂ ତ୍ଵଂ ଦମ ଦମ ସ୍ୱାହା ।’’

 

ଆମ୍ବଗଛରୁ ବହୁ ସମୟ ଧରି ବସିଥିବା କୁଆଟେ ଉଡ଼ିଗଲା । ମନ୍ତ୍ର ଉଚ୍ଚାରଣରେ କୋଇଲି ପ୍ରତିଦ୍ଵନ୍ଦୀତାର ସଙ୍କେତ ଅନୁମାନ କରି କିଛି ସମୟ ଯାଏଁ ପୁଣି ଜୋରରେ କୁହୁତାନ କରିବାକୁ ଲାଗିଲା । କୁଆ, କୋଇଲି ବା ତା’ର କାର୍ଯ୍ୟକଳାପକୁ ତଟସ୍ଥ ହୋଇ ନିରୀକ୍ଷଣ କରୁଥିବା ବନ୍ଧୁଦ୍ୱୟ–କେହି ଶିବିର ଦୃଷ୍ଟି ଆଗରେ ନଥିଲେ । ଆସନ ତ୍ୟାଗ କରି ସେ ଠିଆହେଲା–ଧ୍ୟାନର ସମୟ–

 

ହେ ଦେବୀ ! ପ୍ରସନ୍ନ ହୁଅ । ପ୍ରସନ୍ନ ହୁଅ । ନରହରିପୁର ଶାସନ ଜମିଦାର ଗୋବିନ୍ଦ ମହାପାତ୍ରଙ୍କ କନ୍ୟା ସୁକେଶୀ ମୋତେ ଭଲପାଆନ୍ତୁ । ଆଜୀବନ ମୋତେ ଭଲ ପାଆନ୍ତୁ । ମୃତ୍ୟୁ ପର୍ଯ୍ୟନ୍ତ ମୋତେ ଭଲପାଆନ୍ତୁ । ହେ ଦେବୀ ! ସୁକେଶୀଙ୍କ ବଦନ ପୂର୍ଣ୍ଣଚନ୍ଦ୍ର ପରୀ, ସେ କେଶରୀକଟି, ଶରୀର ତାଙ୍କର ତପ୍ତକାଞ୍ଚନ ରଙ୍ଗ, ପରିଧାନ ବିଭିନ୍ନ ମୂଲ୍ୟବାନ୍ ବସନ; ହେ ଦେବୀ; ଏହିପରି ବର୍ଣ୍ଣବିଭୂତିଯୁକ୍ତା ଶୁକେଶୀ ମୋତେ ଭଲପାଆନ୍ତୁ । ମୋର କିଙ୍କରୀ, ମୋର ବଶ୍ୟା ହୁଅନ୍ତି-। ସଦା, ସଦା, ସଦା......ହେ ଦେବୀ ! ପ୍ରସନ୍ନ ହୁଅ !

 

ବୃକ୍ଷ ଉପରୁ ଚାରୋଟି ବିସ୍ମୟ ବିସ୍ଫାରିତ ନେତ୍ର ମନ୍ତ୍ର ଫଳବତୀ ହେବାକୁ ଯାଉଛି ଭାବି ମହାଭୟରେ ଆଚ୍ଛନ୍ନ ହୋଇ ତଳକୁ ଚାହିଁ ରହିଥାନ୍ତି । ଶୁଭିବ ଝନତ୍‍କାର, ପ୍ରଳୟଙ୍କରୀ ଶବ୍ଦ–ଶିବନାଥ ସମ୍ମୁଖକୁ ଚାଲି ଆସିବେ ମେଘାଙ୍ଗୀ, ଦିଗମ୍ବରା, ମୁଣ୍ଡମଳିନୀ, ଖଡ଼୍‍ଗଧରଣୀ....ଦେ, ଦେ, କ’ଣ ଦଉଛୁ...ଦେ....ଖାଇବାକୁ ଦେ....

 

ନେ ମା’ ! ମୋର ରକ୍ତ ଖା...ଶିବନାଥ ଆଙ୍ଗୁଠି କାଟିଦେଉଛି ।

 

ତଥାସ୍ତୁ...ଦେବୀ ଅନ୍ତର୍ହିତା । ତା’ପରେ ପ୍ରଣୟବ୍ୟାକୁଳିତା ସୁକେଶୀ ଉଆସରୁ ଦଉଡ଼ି ଆସିବେ । ମନ୍ତ୍ରର ଫଳ ସେୟା, ଜପ ନିର୍ବିଘ୍ନରେ ଶେଷ ହୋଇଛି । କଦାପି ବୃଥା ହେବନି । ଶିବନାଥ ଧ୍ୟାନପରେ ମଣ୍ଡଳକୁ ପ୍ରଦକ୍ଷିଣ କରି ସୂତା ଗୁଡ଼ାଇବାରେ ଲାଗିଥାଏ । ସୁତା ଗୁଡ଼ିଆ ପରେ ଦେବୀଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି, ଇଚ୍ଛାପୂର୍ଣ୍ଣ ନହେବାଯାଏଁ ପଡ଼ିରହିବା କଥା । ଶିବନାଥ ଦୁଇଟିଯାକ ଚଟେଇ ବିଛେଇ ଦେଇ ତା’ ଉପରେ ସାଷ୍ଟାଙ୍ଗ ପ୍ରଣାମ କଲା । ଶିବନାଥ ପ୍ରମାଣ ଆରମ୍ଭ କରିବା ସଙ୍ଗେ ସଙ୍ଗେ, ବୃକ୍ଷ ଉପରେ ନେତ୍ର ଚାରୋଟି, ଆଉ ବାଲୁକାକୁ ନ ଚାହିଁ ଗ୍ରାମଆଡ଼କୁ ନିରୀକ୍ଷଣ କରିବାକୁ ଲାଗିଲେ । ବର୍ତ୍ତମାନ ସୁକେଶୀ ‘ପ୍ରିୟ, ପ୍ରିୟତମ ଶିବ’ କହି କହି ନଦୀଶଯ୍ୟାକୁ ଦଉଡ଼ି ଆସିବା କଥା । ସେମାନେ ବୃକ୍ଷ ଉପରୁ ସୁକେଶୀଙ୍କୁ ଆସିବା ଦେଖିଲେ, ଶିବନାଥକୁ ସାବଧାନ କରାଇଦେବେ । ରାଘବ ହଠାତ୍ କହିଲା–“ଶିବ ! କେହିଜଣେ ଆସିବା ପରି ଦିଶୁଛି, ମହାପାତ୍ରଙ୍କ ଘର ଆଡ଼ୁ !”

 

ଚପଳ ପାର୍ଥ ସଙ୍ଗେ ସଙ୍ଗେ ପ୍ରତିବାଦ କଲା–“ହଇରେ, ତୋତେ ସେ ମହାପାତ୍ରଙ୍କ ଉଆସରୁ ଆସିବାପରି ଦିଶୁଛି ? ସେ ପରା ସାନବେଦି ଆଡ଼ୁ ବାହାରିଲା, ତୋତେ ଦିଶୁନାହିଁ କି ?”

 

ରାଘବ କିଛିକ୍ଷଣ ନିରୀକ୍ଷଣ ପରେ ପୁଣି ଚିତ୍କାର କଲା–“ଶିବ ! ବୋଧେ ସୁକେଶୀ ଆସିଗଲେ ।”

 

ସୁକେଶୀ ଆସିଗଲେ ! ବାଲି ଉପରେ ସାଷ୍ଟାଙ୍ଗ ପ୍ରଣିପାତରେ ପଡ଼ିଥିବା ଶିବନାଥର ଶରୀରରେ ଯେପରି ବିଦ୍ୟୁତ୍ ପ୍ରବାହ ଖେଳିଗଲା, ଶିରାପ୍ରଶିରାରେ, ରୋମେ ରୋମେ, ଆପାଦମସ୍ତକେ । ପାର୍ଥ କହୁଥିଲା, “ମୋତେ ତ ପରିଷ୍କାର ଦିଶୁନି, ହଁ, କେହି ଜଣେ ମହାପାତ୍ରଙ୍କ ଉଆସରୁ ବାହାରିଲା । ତୁ ସୁକେଶୀ ବୋଲି ଜାଣିଲୁ କିପରି ?”

 

ବାହାରିଥିବା ଲୋକଟି, ଗାଁରୁ ବାହାରିବା ମାତ୍ରକେ, ଗଛଗହଳିରେ କେଉଁଆଡ଼େ ଲୁଚିଗଲା । ରାଘବ ଭଲକରି ଦେଖିବାପାଇଁ ଉପର ଡାଳକୁ ଯିବାର ପ୍ରସ୍ତାବ ଆଣିବା ସଙ୍ଗେ ସଙ୍ଗେ ପାର୍ଥର ନିରବତାରେ ତାହା ନାକଚ ହୋଇଯିବାରୁ ଦୁହେଁ ଗଛର ସର୍ବନିମ୍ନ ଡାଳରେ ବସିରହି ସବୁ ଧ୍ୟାନ ଉଆସ ନିକଟସ୍ଥ ଜାଗାଠି କେନ୍ଦ୍ରିତ କରିଦେଲେ । ଶିବ ସେହିପରି ସାଷ୍ଟାଙ୍ଗ ପ୍ରଣିପାତାସନରେ ପଡ଼ିଥାଏ । ଦକ୍ଷିଣାପବନ ବହିଗଲା । କିଶୋରଦ୍ଵୟ ବସିଥିବା ଡାଳର ପତ୍ରଗୁଡ଼ିକ ମର୍ମର କରିଗଲେ । ଉତ୍କଣ୍ଠା, ଦୀର୍ଘ ପ୍ରତୀକ୍ଷା, ତିନିଙ୍କୁ ଦୁଃଖ ଦେଉଥାଏ ।

 

ହଠାତ୍ ଶୁଖିଲା ଆମ୍ବପତ୍ରର ଚର୍ଚର୍ ଶବ୍ଦ ଦୁହେଁ ଆମ୍ବଗଛ ଡାଳରୁ ସେହି ଆଡ଼କୁ ଚାହିଁଦେଲେ । ସେମାନଙ୍କ ଅଲକ୍ଷିତରେ, ଶ୍ୟାମଳକାୟ ପାଣୁଆ ମଜ୍‍ବୁତ୍ ଠେଙ୍ଗାଟିଏ ଧରି, ତୋଟାପଟୁ ଗଛ ଆଢ଼ୁଆଳରେ ଆସି ଆସି, ହଠାତ୍ ନଦୀଶଯ୍ୟାରେ ପହଞ୍ଚି ଯାଇଥିଲା । ଖୋଲା ଜାଗାରେ ପାଣୁଆ ପହଞ୍ଚିବା ମାତ୍ରକେ କିଶୋର ଦୁଇଟିଙ୍କର ଦୃଷ୍ଟି ତା’ ଉପରେ ପଡ଼ିଗଲା । ସୁନ୍ଦରୀ ସୁକେଶୀଙ୍କ ପରିବର୍ତ୍ତେ ଷଡ଼ଙ୍ଗୀଙ୍କ ଚାକର ଭୀମକାୟ ପାଣୁଆକୁ ଦେଖି ‘ବୋଉଲୋ’ କହି ବିଜୁଳି ବେଗରେ, ଡାଳରୁ ଓହଳି, ପତ୍ରରେ ଲଥ୍ ଲଥ୍ ପଡ଼ି, ରାଘବ ଓ ପାର୍ଥ ଗାଁ ଆଡ଼କୁ ଦଉଡ଼ିବାକୁ ଲାଗିଲେ । ପତ୍ରର ଖସ୍‍ଖାସ୍ ଶୁଣି ମୁଣ୍ଡ ଟେକି ଶିବନାଥ ସୁକେଶୀଙ୍କୁ ଦେଖିବ ବୋଲି ଚାହିଁଦେଲା । ପାଣୁଆ ଓ ଶିବ ଚାରିଆଖି ହୋଇଗଲେ । ତା’ପରେ ସାଷ୍ଟାଙ୍ଗ ପ୍ରଣିପାତାସନରୁ କେତେବେଳେ ଓ କିପରି ଶିବ ଦଣ୍ଡାୟମାନ ହେଲା, ଦଣ୍ଡାୟମାନ ଅବସ୍ଥାରୁ କେତେବେଳେ ସେ ସୋଲରୀ ଆଡ଼କୁ ବିଲେ ବିଲେ ଦଉଡ଼ିବାକୁ ଲାଗିଲା, ତା’ ପାଣୁଆ ବୁଝିପାରିଲାନି । ହଠାତ୍ ସୋଲରୀ ଆଡ଼କୁ ଶିବନାଥ ଦଉଡ଼ି ପଳାଉଥିବା ଦେଖି ସେ ପାଟି କଲା–

 

“ହେ ଶିବବାବୁ ! ବଡ଼ବାବୁଙ୍କ ଦେହ ଭାରି ଖରାପ, ଚାଲିଆସ ହେ ! ତୁମକୁ ଖୋଜୁଛନ୍ତି, ଚାଲିଆସ ହେ ! ଶିବବାବୁ ହେ...”

 

ପାଣୁଆ ଡାକରେ ତୋଟା, ନଦୀଶଯ୍ୟା, ଗୁଳ୍ମଲତା, ସବୁ ଯେପରି କମ୍ପିତ ହୋଇ ଉଠିଲେ । ଅବିରଳ ଭୟରେ ମଧ୍ୟାହ୍ନ ଥରି ଉଠିଲା ।

 

ସାନ୍ତରାପୁର ଶାସନର ଦକ୍ଷିଣପଟ ସାହାଲରେ ଠିକ୍ ମଝିକୁ, ଏପଟୁ କୋଡ଼ିଏଘର ସେପଟୁ କୋଡ଼ିଏଘର ଛାଡ଼ି, ମଧୁସୂଦନ ଷଡ଼ଙ୍ଗୀଙ୍କ ଘର । ଗାଁର ପଶ୍ଚିମାନ୍ତରେ ଗୋପୀନାଥ ଜୀଉ, ପୂର୍ବାନ୍ତରେ ଗୋପୀନାଥଙ୍କ ବଗିଚା, ବଗିଚାର ଧାରେ ଧାରେ ରାସ୍ତା ଚାଲିଯାଇଛି; କିଛିଦୂର ଛାଡ଼ି, ଜେନାମଣି ଠାକୁରାଣୀ । ଶାସନରେ ସମସ୍ତଙ୍କର ଉଚ୍ଚ ପିଣ୍ଡା; ପିଣ୍ଡା ଆଗରେ ବ୍ରତ ବିବାହ ପାଇଁ ତିନିଶ ପଁଷଠି ଦିନିଆ ବେଦି । ବେଦି ଆଗରେ, ଗାଁଦାଣ୍ଡକୁ ଦାଣ୍ଡପିଣ୍ଡାକୁ ଛାଇ କରୁଥିବା ଚାଳର ଦି’ଗୁଣା ଦେଢ଼ଗୁଣା ଉଚ୍ଚ ନଡ଼ିଆଗଛ । ଷଡ଼ଙ୍ଗୀଙ୍କ ଘର ଛଡ଼ା ଗାଁର ଆଉ ସବୁ ଘର ଏକା ପରି । ଷଡ଼ଙ୍ଗୀଙ୍କ ଘର ଅନ୍ୟମାନଙ୍କ ଘରଠୁ ବେଶି ଦୀର୍ଘ, ବେଶି ବିସ୍ତୃତ । ସବୁଘର ଛାତବାଡ଼ିଆ ହୋଇଛି, ଘର ଚଟାଣ ସିମେଣ୍ଟରେ ମଜବୁତ୍ ଓ ଚିକ୍‍କଣ ହୋଇଛି । ଗାଁ କାରିଗର ଓ ରାଜମିସ୍ତ୍ରୀଙ୍କ ଦକ୍ଷତା ଯେତିକିଦୂର ଗଲା ସେଯାଏଁ, ଷଡ଼ଙ୍ଗୀ ଘରଟିକୁ ସୁନ୍ଦର, ମଜବୁତ ଓ ବିରାଟ କରିବାକୁ ଚେଷ୍ଟା କରିଛନ୍ତି । ଷଡ଼ଙ୍ଗୀଙ୍କ ବୈଭବ ବିଷୟରେ ବହୁଜନଶ୍ରୁତି ପ୍ରଚଳିତ । ପୁର୍ବପୁରୁଷ କାନ୍ୟକୁବ୍‍ଜୀ ଭଲ ବ୍ରାହ୍ମଣ ବୋଲି ବହୁଡ଼ାକ...କିନ୍ତୁ ବୃତ୍ତି, ମନୋବୃତ୍ତି, ଭାବନା, କୌଣସିଆଡ଼ୁ, ଷଡ଼ଙ୍ଗୀ ବ୍ରାହ୍ମଣ ନ ଥିଲେ । ତଥାପି ଅଗାଧ ସାଂସାରିକ ବୁଦ୍ଧି ଓ କୁବେରର ଧନସମ୍ପତ୍ତି ତାଙ୍କୁ ବ୍ରାହ୍ମଣମାନଙ୍କ ମଧ୍ୟରେ ମଧ୍ୟ ପୁଜାର୍ହ କରିଥିଲା । ମହାଜନି ବ୍ୟବସାୟ ତାଙ୍କର ବହୁଦୂରକୁ ବ୍ୟାପିଥିଲା, ବହୁଦୂରକୁ । ତିନୋଟି ପୁଅ–ବଡ଼ ରମାକାନ୍ତ, ଦ୍ଵିତୀୟ ଦେବୀପାଦ, କନିଷ୍ଠ ଶିବନାଥ । ବଡ଼ ଭାଗ୍ୟ ଯୋଗୁ ସେ ତିନୋଟି ପୁଅ ପାଇଥିଲେ, ନ ହେଲେ ତାଙ୍କ ବଂଶରେ ପୋଷ୍ୟପୁତ୍ରର ପରମ୍ପରା ପନିପୁରୁଷରୁ ଗଡ଼ି ଆସୁଥିଲା । ତେଣୁ ପୁଅମାନଙ୍କୁ ପ୍ରୟୋଜନଠୁ ବେଶି, ସେ ଭଲ ପାଉଥିଲେ ।

 

ରମାକାନ୍ତ ଏମ୍.ବି., ବି.ଏସ୍. ପାସ୍ କରି କଟକରେ ଡାକ୍ତରୀ ଦୋକାନ ଖୋଲିଥିଲା । ମଝିଆଁ ଦେବୀପାଦ ବି.ଏ. ପଢ଼ୁଥିବା ବେଳେ ପଢ଼ା ଛାଡ଼ିଦେଲା; ବେଦବେଦାନ୍ତ ଉପନିଷଦରେ ତା’ର ମନ, ଅସାଧାରଣ ତା’ର ପ୍ରକୃତି–ବୁଝି ହୁଏନା । ସାନ ଶିବନାଥ ଗଣିତ ଯୋଗୁ ଅଷ୍ଟମରେ ଥରେ ଓ ନବମରେ ଥରେ ଫେଲ୍ ହେବାପରେ ବର୍ତ୍ତମାନ ଦଶମ ଶ୍ରେଣୀର ଛାତ୍ର । ଦେବୀପାଦ ଓ ଶିବନାଥ ଗାଁରେ ଷଡ଼ଙ୍ଗୀଙ୍କ ପାଖେ ରହୁଥିଲେ ।

 

କେତେଦିନ ହେଲା ଷଡ଼ଙ୍ଗୀଙ୍କ ଦେହ ଭଲ ରହୁ ନ ଥିଲା । ହଠାତ୍ ସଂକ୍ରାନ୍ତି ଦିନ ଜ୍ଵର ବେଶି ହୋଇ ସେ ପ୍ରଳାପ ଆରମ୍ଭ କରିଦେଲେ । ବୟସାଧିକ ଶରୀର, ସାମାନ୍ୟ ରୋଗରେ ମଧ୍ୟ ମୃତ୍ୟୁର ଭୟ । ପତ୍ନୀ ବସୁନ୍ଧରା ବ୍ୟତିବ୍ୟସ୍ତା, ଆଶଙ୍କାକ୍ରାନ୍ତା ହୋଇପଡ଼ି ପୁଅମାନଙ୍କୁ ଖୋଜିବାକୁ ଲାଗିଲେ । ପ୍ରଳାପରେ ଷଡ଼ଙ୍ଗୀ ‘ଶିବ’, ‘ଶିବ’, ବୋଲି ତିନି, ଚାରିଥର ଡାକିଥିଲେ...ବଗିଚା ଘରୁ ଦେବୀକୁ ପାଣୁଆ ଯାଇ ଡାକି ଆଣିଲା; କିନ୍ତୁ ଶିବ ? ପରିଚିତ, ଅପରିଚିତ, ସବୁଜାଗା ପାଣୁଆ ବୁଲି ଆସିଲା ଶବକୁ ନ ପାଇ । ଶେଷରେ ପାଇ ମଧ୍ୟ ନଥାନ୍ତା, ଯଦି ଶାସନ ମୁଣ୍ଡଠି କିଶୋର ପାଗଳ, ଶିବନାଥ ତା’ର ସାଙ୍ଗମାନଙ୍କ ସହ ବାଉଁଶନଦୀଆଡ଼େ ଯାଇଛି ବୋଲି କହି ନ ଥାନ୍ତା ।

 

ଶିବନାଥକୁ ଧରି ପାଣୁଆ ଘରକୁ ଫେରୁ ଫେରୁ ସନ୍ଧ୍ୟା । ବାରଣ୍ଡାରେ ବେଢ଼ିବା ମାତ୍ରକେ ସେମାନଙ୍କର ଆସିବା ସମ୍ବାଦ ଘର ଭିତରକୁ ଚାଲିଗଲା । ବହୁ ସମୟ ଧର ପାଣୁଆ କି ଶିବନାଥ କେହି ଫେରି ନ ଥିବାରୁ ଘରେ ସମସ୍ତେ ଚନ୍ତିତ ହୋଇପଡ଼ିଥିଲେ । ବିଶେଷ କରି ରୋଗଶଯ୍ୟାରେ ଷଡ଼ଙ୍ଗୀ । ଡାକ୍ତରଙ୍କ ଚିକିତ୍ସାରେ ସେ ଅପେକ୍ଷାକୃତ ଭଲ ଥିଲେ । ପ୍ରଳାପ ବନ୍ଦ ହୋଇଯାଇଥିଲା, ସବୁ ବୁଝି ଥିଲେ । ଶିବ ଘରେ ମୁଁ ଦ୍ୱିପହରୁ ନାହିଁ ଶୁଣି ଯାହା ମନ ବ୍ୟସ୍ତ ହେଉଥିଲା, ବାରପ୍ରକାର କଳ୍ପନା ଦୁଃଖ ଦେଉଥିଲା । ଖଟ ଉପରେ ଶୋଇଥାନ୍ତି, ବସୁନ୍ଧରା ପାଦ ଆଉଁଷି ଦେଉଥାନ୍ତି । ରମାକାନ୍ତ ବାପାଙ୍କ ରୋଗର ସମ୍ବାଦ ପାଇ ନ ଥାଏ । ଚିଠି ଯାଇଛି, ଟେଲିଗ୍ରାମ ଦେବାକୁ ବସୁନ୍ଧରା ମନାକଲେ । ସାଧାରଣ କଥାରେ ବଚଳିତ ନ ହେବା ତାଙ୍କର ସ୍ଵଭାବ । ପୁଣି ରମାକାନ୍ତ ଯେପରି ବଦ୍‍ରାଗୀ, କିଛି ବିଶେଷ କାରଣ ନଥାଇ ଗାଁକୁ ଡାକିଲେ ଚିଡ଼ିବ-। ମଫସଲରେ ରହିବାକୁ ସେ ଭଲପାଏନି, ଦିନେ ଦୁଇଦିନ ମଧ୍ୟ ନୁହଁ । ଦେବୀପାଦ, ଷଡ଼ଙ୍ଗୀ ଶୁଣିପାରିବା ଭଳି ଦୂରତାରେ ଥାଇ, ବାରଣ୍ଡାରେ ରାମାୟଣ ପଢ଼ୁଛି । ଶିବନାଥକୁ ଆଗେ ଆଗେ ରଖି ପାଣୁଆ ଘର ଭିତରକୁ ଆସିଲା । ଦେବୀପାଦ ରାମାୟଣରୁ ମୁଣ୍ଡଟେକି ଶିବକୁ ଚାହିଁଲା-

 

“କୁଆଡ଼େ ବୁଲୁଥିଲୁ ସାରା ଦି’ପହର ? ନଷ୍ଟ ହୋଇଗଲୁ, ନା ପଢ଼ାପଢ଼ି, ନା ଦାୟିତ୍ଵଜ୍ଞାନ ।”

 

‘‘ଶିବ ! ଏଣେ ଆସିଲୁ ।” ବସୁନ୍ଧରା ଭିତରୁ ଡାକିଲେ ।

 

“ଏତେବେଳଯାଏଁ କୁଆଡ଼େ ଯାଇଥିଲୁ ?”

 

“ମୁଁ ଖେଳୁଥିଲି, ଯାହା କରୁଥିଲି ତୋର କ’ଣ ଗଲା ?”

 

ବସୁନ୍ଧରାଙ୍କ ପାଖରେ ସାନପୁଅ ଶିବନାଥର ସବୁବେଲେ ଦମ୍ଭ ।

 

“କେଉଁଠି ଖେଳୁଥିଲୁ ?”

 

“ତୋଟାରେ ।”

 

“ତୋଟାରେ ନୁହେଁ ମା’ ! ନଦୀବାଲିରେ, ଚଟେଇ ବିଛେଇ, ମୁରୁଜରେ ଚିତା କରି, ଧୂପ ଜାଳି” ...ପାଣୁଆ ସଂଶୋଧନ କଲା ।

 

“କ’ଣ ହେଲା ? କ’ଣ ହେଲା ? ଆମେ ପୂଜା କରୁଥିଲୁ । ପୂଜା କରିବା କ’ଣ ଖରାପ କଥା ?”

 

“ଖରାବେଳେ ନଈବାଲିରେ ତୁ ପୂଜା କରୁଥିଲୁ ! ଆଉ କେଉଁଠି ଜାଗା ମିଳିଲାନି ? ସତ କହ, କ’ଣ କରୁଥିଲୁ ?”

 

“ମୁଁ କହିବିନି ।”

 

ବାଟସାରା ପାଣୁଆର ଜେରା, ତା’ ସାଙ୍ଗରେ ଝିଙ୍କା ଓଟରା, ଦଉଡ଼ା ଦଉଡ଼ି, ପ୍ରକୃତ ଉଦ୍ଦେଶ୍ୟ ଧରା ପଡ଼ିଯିବାର ଭୟ, ଲଜ୍ଜା, ସାଧନାର ବିଫଳତା...ଶିବ ନିକାଞ୍ଜନତା ଚାହୁଁଥିଲା ସବୁ ବିଚାର କରିବା ପାଇଁ । ପାଣୁଆ ସହ ଫେରୁଥିବାବେଳେ ହଠାତ୍ ତା’ର ମନେ ହେଲା, ସୁକେଶୀଙ୍କୁ ପିଇବା ପାଇଁ ବାଲିମଝିରେ ସିଝିବା ତା’ର ମହାନ୍ ବୋକାମି ହୋଇଛି...ତା’ ସରଳତାର ସୁବିଧା ନେଇ ପାର୍ଥ ଓ ରାଘବ ଆନନ୍ଦ ପାଇଛନ୍ତି । ନିରାର୍ଥକ, ହାସ୍ୟାସ୍ପଦ କଥାରେ କିପରି ସେ ମାତିଥିଲା ଭାବି ସେ ଆଶ୍ଚର୍ଯ୍ୟନ୍ୱିତ ହୋଇଗଲା । ନିଜ ଉପରେ, ଅନ୍ୟମାନଙ୍କ ଉପରେ ତା’ର ରାଗ ବଢ଼ି ବଢ଼ି ଯାଉଥାଏ ।

 

“କହିବାକୁ ହେବ ।” ବସୁନ୍ଧରା ଚିତ୍କାର କଲେ ।

 

“ନା” –ଶିବନାଥର ଦାମ୍ବିକତା ମଧ୍ୟ ବଢ଼ି ଚାଲିଥାଏ । ଆଗରେ ପାଣୁଆ ଚାକରଟା ଠିଆହୋଇଛି ।

 

ବସୁନ୍ଧରା ଖଟ ଉପରୁ ଉଠିପଡ଼ି ଶିବନାଥକୁ ଚପୁଡ଼ାଟେ ମାରିଦେଲେ । ଶିବନାଥ ମୁହଁ ବୁଲାଇ ଦେବାରୁ ଚାପୁଡ଼ାଟା କାନମୁଣ୍ଡାରେ ବସିଲା । ଦିନଯାକର ପରିଶ୍ରମ, ଅପମାନ, ଖରା, କ୍ରୋଧ...ଶିବନାଥକୁ ସବୁ ଝାପ୍‍ସା ଦିଶିଲା...

 

ତା’କୁ ଶୁଣାଗଲା ଗଛଉପରୁ ରାଘବ ଯେପରି ପାଟି କରୁଛି–ସୁକେଶୀ !

 

ନଦୀଶଯ୍ୟା ଆଡ଼କୁ ଦଉଡ଼ି ଦଉଡ଼ି ସୁକେଶୀ ସତରେ ଆସୁଛନ୍ତି ! ଶିବନାଥ ଆଖି ମଳିଲା, ବହୁସମୟ ଖରାରେ ଚାହିଁ ରହିବାରୁ ତାକୁ ସବୁ ଜାଲୁଜାଲୁଆ ଦିଶୁଥାଏ । ସୁକେଶୀ ନା ଆଉ କିଏ ?

 

“ଶିବ ! ଶିବ !” ...ସୁକେଶୀଙ୍କ ଡାକ ଶୁଣି ଶିବ ଚମକି ପଡ଼ିଲା । ପଛପଟୁ ସେ ଡାକୁଥିଲେ ।

 

“ଶିବ !”

 

“ଉଁ ।” ସୁକେଶୀଙ୍କ ମୁହଁରେ ଦୃଷ୍ଟି ନ ପକାଇ ଶିବ ଉତ୍ତରଦେଲା ।

 

“ଖରାଟାରେ କାହିଁକି ବସିଛ, ଚାଲ ତୋଟା ଭିତରକୁ । ସାମାନ୍ୟ କଥାପାଇଁ ଏତେ କଷ୍ଟ ସହିଲ ।”

 

“ଚାଲ...” ସୁକେଶୀ ଶିବନାଥର ହାତଧରି ତାକୁ ଆସନରୁ ଉଠାଇଲେ । ସଙ୍କୋଚ ଏବଂ ଆନନ୍ଦରେ ଶିବନାଥର ଦେହ ଥରୁଥିଲା । ପରିପୂର୍ଣ୍ଣମାନକଳ୍ପନା ଶରୀରରେ ରହି ରହି ବିଦ୍ୟୁତ୍ ଖେଳାଇ ଦେଉଥିଲା । ଦୁହେଁ ତୋଟାରେ ପହଞ୍ଚିଲେ–ବାଟଯାକ ଶିବ ସୁକେଶୀଙ୍କ ମୁହଁକୁ ଚାହିଁବାକୁ ସାହସ କରୁ ନ ଥାଏ । ତୋଟାରେ ପହଞ୍ଚି ସୁକେଶୀ ଶିବନାଥର ହାତ ଛାଡ଼ିଦେଇ ଗଛଗହଳିକୁ ଚାହିଁ ଚାହିଁ କିଛିଦୂର ଆଗକୁ ଚାଲିଗଲେ । ସବୁ ଗଛରୁ ଆମ୍ବ ତୋଳା ହୋଇ ନଥାଏ । ସୁକେଶୀ ଆଗକୁ ଚାଲିଯିବାରେ ଶିବନାଥ ଠିଆ ହୋଇଗଲା । ସୁକେଶୀ ଚାଲିଯାଇଛନ୍ତି...କେଶରୀକଟୀ, ଗୁରୁନିତମ୍ବ–ଶିବ ଛାତିରେ ବେଦନା ଅନୁଭବ କଲା ।

 

ହଠାତ୍ ତା’ର ମନେହେଲା ସୁକେଶୀ ତା’ ଆଖି ଆଗରୁ ଅଦୃଶ୍ୟ ହୋଇ ଯାଇଛନ୍ତି । କୁଆଡ଼େ ଗଲେ, ଏଇଠି ତ ଥିଲେ ! ବୋଧେ କୌଣସି ଗଛ ଆଢ଼ୁଆଳକୁ ଚାଲି ଯାଇଛନ୍ତି । ଏଇ ସମୟରେ ଶୁଣାଗଲା ଯେପରି ସେ ବହୁଦୂରରୁ ଡାକୁଛନ୍ତି... “ଶିବ, ଶିବ, ଶିବ ।”

 

“ଶିବ, ଶିବ, ଶିବ...” ବସୁନ୍ଧରା ଡାକୁଥିଲେ । ପାଣୁଆ ମୁହଁରେ ପାଣି ଛାଟୁଥିଲା । ଦେବୀ ନିରପେକ୍ଷ ହୋଇ ସବୁ ଦେଖୁଥାଏ । ଷଡ଼ଙ୍ଗୀ ଖଟ ଉପରେ ପଡ଼ିରହି, କିଛି କରି ନପାରି ବ୍ୟାକୁଳ ହେଉଥାଆନ୍ତି–“ଭଲ ଚାପୁଡ଼ା ମାରିଲ । ଏଡ଼େ କ୍ରୋଧ ! ପିଲାଟା ମାରିଗଲାନି ତ ! ହେ ଭଗବାନ୍ ! ପିଲାଟା ବଞ୍ଚିଯାଉ, ହେ ପ୍ରଭୁ ବଞ୍ଚିଯାଉ !”

 

“ଆଃ ! ଚୁପ୍ କର, ସେପରି ବ୍ୟସ୍ତ କାହିଁକି ହେଉଛ ? ସକାଳୁ ଖାଇନି, ଅତ୍ୟଧିକ ଦୁର୍ବଳତା ଯୋଗୁଁ ମୂର୍ଚ୍ଛା ହୋଇଯାଇଛି । ଚପୁଡ଼ାରେ କ’ଣ କେହି କେବେ ମରିଯାଏ ?”

 

ପାଣୁଆ ଶିବନାଥର ନାକକାନ ଫୁଙ୍କିବାରେ ଲାଗିଥାଏ । ତା’ର ଡାକ ଶିବର ଚେତନାରେ କ୍ରମଶଃ ସ୍ପଷ୍ଟ ହୋଇ ଉଠୁଥାଏ । ଶେଷରେ କାନ ଭାଙ୍ଗି ପଡ଼ିବା ଭଳି ଶବ୍ଦରେ ଶିବ ଧଡ଼ପଡ଼ ହୋଇ ଉଠି ବସିଲା । ଚିତା ଫେରିବାମାତ୍ରକେ ବସୁନ୍ଧରା ଶିବକୁ କୋଳକୁ ଟାଣିନେଇ ମୁଣ୍ଡ ଆଉଁଷିବାକୁ ଲାଗିଲେ । ଦେବୀ ଶିବନାଥ ଉଠିବସିବା ପରେ, ଆଉ ସେଠି ଠିଆହେବା ଦରକାର ନାହିଁ ଭାବି, ରାମାୟଣ ଧରି ପଢ଼ାଘରକୁ ଚାଲିଗଲା । ଚାଲିଯିବାବେଳେ କହିଲା–“ଜାନକୀ ! ଆଲୁଅ ଲଗାଇବାର ବ୍ୟବସ୍ଥା ଜଲ୍‍ଦି କର ।”

 

ଶେଯ ଉପରୁ ଷଡ଼ଙ୍ଗୀ କହିଲେ “–ତାକୁ ଗଣ୍ଡେ ଖାଇବାକୁ ଆଗ ଦେଇଦିଅ ! ଓଃ ! ଭଗବାନ୍ । ଗୋଟେ ଘାଟୀ ଗଲା ।”

 

ଗୋଟିଏ ଦିନ ଅନୁପସ୍ଥିତ ରହି ଶିବନାଥ ସ୍କୁଲକୁ ଗଲା । ଷଡ଼ଙ୍ଗୀ ଦୁର୍ଘଟଣାର ପରଦିନ ତାକୁ ବିଶ୍ରାମ ନେବାକୁ କହିଥିଲେ । ଦଶମଶ୍ରେଣୀରେ ‘ବି’ ସେକ୍ସନର ଛାତ୍ର । ସେହି ଶ୍ରେଣୀରେ ସୁକେଶୀ ମଧ୍ୟ ଛାତ୍ରୀ । ଗୋବିନ୍ଦ ମହାପାତ୍ର ବାଣପୁର ଚଉଦକୋଶରେ ବଡ଼ ଜମିଦାର । ସେହି ଆଖଣ୍ଡଳରେ ‘ବାବୁଘର’ ବୋଇଲେ ଷଡ଼ଙ୍ଗୀଙ୍କ ଘର କିମ୍ବା ମହାପାତ୍ରଙ୍କ ଘରକୁ ବୁଝାଉଥିଲା । ଜେନାମଣି ଠାକୁରାଣୀଙ୍କଠୁ ଅଳ୍ପ ପୂର୍ବକୁ ନରହରିପୁର ଶାସନ । ସେହି ସାହିରେ ମହାପାତ୍ରଙ୍କ ଘର-। ସାହିର ଲୋକମାନେ ମହାପାତ୍ରଙ୍କ ଘରକୁ ସମ୍ମାନରେ ଉଆସ ବୋଲି କହୁଥିଲେ । ସୁକେଶୀ ତାଙ୍କର ଏକମାତ୍ର ସନ୍ତାନ–ଅଲ୍ୟଳୀ, ଗେହ୍ଲାଆଦରର ଏକମାତ୍ର କେନ୍ଦ୍ର । କେବଳ ଘରେ ନୁହଁ, ବାହାରେ ମଧ୍ୟ ସୁକେଶୀଙ୍କ ସୌନ୍ଦର୍ଯ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଥିଲା । ସ୍କୁଲରେ ସବୁ ଶିକ୍ଷକଙ୍କ ପ୍ରିୟପାତ୍ରୀ ସେ । ଛାତ୍ରମାନେ ତାଙ୍କର ପରିଚୟ ହେବାକୁ ହୃଦୟରେ ଅଭିଳାଷ ରଖୁଥିଲେ, କିନ୍ତୁ ସାହସ କିଏ କରିବ ? କେହି କେବେ ସାହସିକ ହୋଇ ବାହାରିଲେ ଶିକ୍ଷକମାନେ ତାକୁ ସଙ୍ଗେ ସଙ୍ଗେ ସାବଧାନ କରାଇଦେଇ ଉତ୍ସାହକୁ ଭାଙ୍ଗିଦେଉଥିଲେ । ସୁକେଶୀଙ୍କ ପ୍ରଣୟପ୍ରାର୍ଥୀ ଛାତ୍ରମାନଙ୍କ ଭିତରେ ଶିବ ସର୍ବପ୍ରଧାନ ଥିଲା । ସହପାଠୀ ଓ ଶିକ୍ଷକ ସମସ୍ତେ ସେକଥା ଜାଣିଥିଲେ; କିନ୍ତୁ ସମାଲୋଚନା କରିବାକୁ କାହାକୁ କେବେ ସୁଯୋଗ ମିଳୁ ନ ଥିଲା-। ଶିବନାଥ ତା’ର ବ୍ୟବହାରରେ, କାର୍ଯ୍ୟକଳାପରେ, ସେ ସୁକେଶୀଙ୍କ ପ୍ରତି ଆକୃଷ୍ଟ ବୋଲି କେବେ ଦେଖାଇ ହେଉନଥିଲା । ସ୍କୁଲରେ ବିଶେଷ ଭଲ ଛାତ୍ର ନ ହେଲେ ମଧ୍ୟ ଶିବନାଥ ଭଦ୍ର, ପରୋପକାରୀ, ଉଦାର, କର୍ମିଷ୍ଠ ଓ ବନ୍ଧୁପ୍ରିୟ । କୌଣସି କୌଣସି ବନ୍ଧୁ, କେବେ ଉତ୍ସାହରେ, ତା’ର ଅନ୍ତରର ଇଚ୍ଛାକୁ ଅନୁମାନ ଜୋରରେ, ପ୍ରଚାର କରି ଦେଇଥିଲେ । ଶିବ ପ୍ରତିବାଦ କରିନଥିଲା-। ସତରେ ସେ ସୁକେଶୀଙ୍କୁ ଭଲ ପାଉଥିଲା; କିନ୍ତୁ ପ୍ରକାଶ କରି କି ଲାଭ, ଯାହା ମୂଳରୁ ବ୍ୟର୍ଥତାଦ୍ଵାରା ପରିସୀମିତ ? ସୁକେଶୀଙ୍କ ଚାରିପଟେ ଅନ୍ୟାନ୍ୟ ଛାତ୍ରମାନଙ୍କ ପ୍ରେମୋକ୍ତି ଶିକ୍ଷକମାନଙ୍କର ଆଦର ଓ ଏକାଗ୍ର ଦୃଷ୍ଟି ପାଚେରୀ ଭଳି ଠିଆହୋଇଥିଲା । ଶିବ ସେ ପାଚେରୀକୁ ଡେଇଁବାକୁ ବା ଭାଙ୍ଗିବାକୁ ଥିଲା ଅନିଚ୍ଛୁକ । ତଥାପି ତା’ର ବେଳେ ବେଳେ ମନେ ହେଉଥିଲା, କ୍ଲାସରେ ସେ ସୁକେଶୀଙ୍କ ଆଦର ପାଇବା ପାଇଁ ସବୁଠୁ ବେଶି ଉପଯୁକ୍ତ । ସମୟ ଆସିବ, ଯେତେବେଳେ ସୁକେଶୀ ତା’କୁ ନିଜେ ଖୋଜିନେବେ । ସେଥିପାଇଁ କ୍ଲାସରେ ସେ ପଛ ବେଞ୍ଚରେ ବସୁଥିଲା, କେବେହେଲେ ସୁକେଶୀଙ୍କ ସହିତ କଥାବାର୍ତ୍ତା କରିବାକୁ ଚେଷ୍ଟା କରୁ ନ ଥିଲା । ଦିନେ, ତା’ର ପରମ ବନ୍ଧୁ ପାର୍ଥ ଅକସ୍ମାତ୍ ତାଙ୍କ ଘରୁ ତାଳପତ୍ର ବହି ଖଣ୍ଡେ ପାଇଲା, “କାମାକ୍ଷା ମନ୍ତ୍ର ଓ ତନ୍ତ୍ର” । କୌତୂହଳ ହୋଇ ପାର୍ଥ ବହିଟିକୁ ଓଲଟାଉ ଓଲଟାଉ ନାରୀ ବଶୀକରଣ ପରିଚ୍ଛେଦରେ ସେ ଆଖି ଅଟକି ଗଲା । ରାଘବ ସହ ପରାମର୍ଶ କରିବା ପରେ, ଦୁହେଁ ବହିଟିକୁ ଧରି, ଶିବନାଥ ପାଖକୁ ଆସିଲେ । ସୁକେଶୀଙ୍କୁ ପାଇବାର ସହଜ ଉପାୟ ବାହାର କରିପାରିଥିବାରୁ ଦୁହେଁ ଉତ୍ସାହିତ ଥିଲେ-

 

କ୍ଲାସ୍‍ରୁମରେ ଶିବନାଥ ପହଞ୍ଚି ଦେଖେ ପାର୍ଥ ଓ ରାଘବଙ୍କ ଓଠରେ ତହାସ୍ୟ । ସେମାନଙ୍କ ହସର ଖୁବ୍ ଜୋରରେ ପ୍ରତିକ୍ରିୟା ହେଲା । ଶିବନାଥ ଓଠ ଚିପି ଗମ୍ଭୀର ହୋଇ ବସିଗଲା । ସୁକେଶୀ ବାରଣ୍ଡାରେ; ସ୍କୁଲ ଘଣ୍ଟା ବାଜି ନଥିବାରୁ ଶିକ୍ଷକ ଆସି ନଥାନ୍ତି । କିଛି ସମୟ ପରେ ପାର୍ଥ ଓ ରାଘବ, ଶିବନାଥ ସିଟ୍ ପାଖକୁ ଆସିଲେ । କାହାର କିଛି କହିବାର ନ ଥିଲା । ସମସ୍ତେ ମନେ ମନେ ସେଦିନ ତନ୍ତ୍ର ସାଧନାର ଅସରତା ଓ ନିର୍ବୋଧତା ଉପଲବ୍‍ଧି କରୁଥିଲେ । ପାର୍ଥ ପ୍ରଥମେ ଆରମ୍ଭ କଲା–

 

“ଶିବ ! ଆମର ନିଶ୍ଚେ କୌଣସିଠି ଭୁଲ ହୋଇଯାଇଛି ।”

 

ପିଲାମାନଙ୍କ କୋଳାହଳରେ କ୍ଲାସ ପଡ଼ୁଥିଲା ଉଠୁଥିଲା । ଶିବନାଥ ପାର୍ଥ କଥାରେ କିଛି ନ କହି ଗୁମ୍ ମାରି ବସିଥାଏ । ସେ ଅପମାନିତ ବୋଧ କରୁଥାଏ । ତା’ର ଭୁଲ ହୋଇଛି ଓ ଭୁଲ ହୋଇଛି ଦୁଇଜଣ ବନ୍ଧୁଙ୍କ ଆଗରେ । ତା’ର ଅବମାନନା ପାଇଁ ବନ୍ଧୁ ଦ୍ଵୟ ଯେପରି ଦାୟୀ । ସେମାନେ ପ୍ରଥମେ ତାକୁ ଟିହାଇ ନଥିଲେ ସେହି ତନ୍ତ୍ର ସାଧନା କରିବାକୁ ? ଏବେ ମଜା ଦେଖୁଛନ୍ତି-। ରାଘବ ଆଉ କ’ଣ କହିବାକୁ ଯାଉଥିଲାବେଳେ ଘଣ୍ଟା ହୋଇଯିବାରୁ ଛାତ୍ରମାନେ ସେମାନଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ଲାଗିଲେ । କ୍ଷଣକ ଭିତରେ କ୍ଲାସରେ ଶୃଙ୍ଖଳା ଦେଖାଗଲା । କିଛି ସମୟ ପରେ ପ୍ରବେଶ କଲେ ପ୍ରଧାନ ଶିକ୍ଷକ, ପଛେ ପଛେ ସୁକେଶୀ ।

 

କ୍ଲାସରେ ପ୍ରଧାନଶିକ୍ଷକ କଥା ପ୍ରତି ଅମନୋଯୋଗୀ ହୋଇ ଶିବନାଥ ସୁକେଶୀଙ୍କ କଥା ଭାବି ଯାଉଥାଏ । ଭାବନାରେ ବ୍ୟସ୍ତ ରହି ସମୟ କେତେବେଳେ ଶେଷହେଲା ସେ ଜାଣିପାରିଲାନି-। କ୍ଲାସ୍ ଭାଙ୍ଗିବା ପରେ ରାଘବ ଓ ପାର୍ଥ ପୁଣି ଶିବ ପାଖକୁ ଆସିଲେ । ତିନିହେଁ କ୍ଲାସରୁ ବାହାରି ପ୍ରଧାନଶିକ୍ଷକଙ୍କ ପଛେ ପଛେ ସୁକେଶୀଙ୍କ ଗତିପଥକୁ ଅନୁସରଣ କରି ସ୍କୁଲପଡ଼ିଆକୁ ଆସିଲେ-। ପାର୍ଥ କହିଲା–“ଶିବ ! ସେ ବହିରେ ସ୍ତ୍ରୀମାନଙ୍କୁ ବଶ କରିବା ପାଇଁ ଆଉ କେତୋଟି ଉପାୟ ମଧ୍ୟ ଲେଖାହୋଇଛି । ଗୋଟିକରେ ଅସଫଳ ହେଲୁ ବୋଲି ତୁ ନିରାଶ ହେଉଛୁ କି ? ମୁଁ ଭାବୁଛି ଆଉ ଗୋଟିଏ ବିଧି ପ୍ରୟୋଗ କରି ଦେଖିଲେ କ୍ଷତି କ’ଣ ହୁଅନ୍ତା ?”

 

ଶିବନାଥ ନିଜକୁ ଆଉ ବେଶି ନିର୍ବୋଧ କରିବାକୁ ଇଚ୍ଛୁକ ନ ଥିଲା । ଅତ୍ୟନ୍ତ ଚତୁର ପରି ସନ୍ଦିଗ୍‍ଧ ସ୍ଵରରେ ସେ ପଚାରିଲା–“ଆଉ କି ଉପାୟ ?”

 

“ଅମାବାସ୍ୟା ଦିନ ରାତ୍ରି ବାରଟାବେଳେ ଯୋଗିନୀ ସାଧନା କରିବାକୁ ହେବ । ଦେବୀଙ୍କୁ ମା’ ରୂପେ ତୁ ବରଣ କରି ନିଜର ମନସ୍କାମନା ପ୍ରକାଶ କଲେ ତାହା ଅବଶ୍ୟ ସେ ପୂର୍ଣ୍ଣ କରିବେ ।”

 

“ଅମାବାସ୍ୟା କେବେ ପଡ଼ୁଛି ?”

 

“ଆଉ ପାଞ୍ଚଦିନ ରହିଲା ।”

 

“ତୁମେ ଦୁଇଜଣ ମୋ ସହିତ ଯିବାକୁ ଡରିବନି ତ ?”

 

“କଦାପି ନୁହେଁ ।”

 

“ତାହା ହେଲେ ଠିକ୍ ଅଛି ।” ଶିବନାଥ ମନେ ମନେ କ’ଣ ଭାବି ହସିଦେଲା । ନୂତନ ପରିକଳ୍ପନାରେ ପାର୍ଥ ଓ ରାଘବ ଉଲ୍ଲସିତ ହୋଇଉଠିଲେ । ଅମାବାସ୍ୟା ଶ୍ମଶାନ, ନିକାଞ୍ଚନ ରାତ୍ରି, ଦୁହିଙ୍କ ଲୋମ ଟାଙ୍କୁରି ଉଠିଲା ।

 

“ଆଜି ହେଡ଼୍‍ମାଷ୍ଟ୍ରେ କେଉଁ ବିଷୟ ଡାକୁଥିଲେ, ମୁଁ କିଛି ଲେଖିପାରିନି ରାଘବ ! ତୁ ମୋ ଖାତାଟା ନେଇଯା, ସେଥିରୁ ଉତାରି ମୋତେ କାଲି ଦେଇଯିବୁ ।”

 

“ହଉ ।”

 

“ଆଜି ସନ୍ଧ୍ୟାବେଳେ ଘରକୁ ତୁମେ ଦୁହେଁ ଆସିବଟି ?”

 

“ଅବଶ୍ୟ ।”

 

“ଅମାବାସ୍ୟା କଥା ମନେ ରହିଲା ତ ?”

 

“ପ୍ରସ୍ତୁତ ହୋଇ ରହିଥିବୁ, ସବୁ ସାଜ ସରଞ୍ଜାମ ଆମେ ଆଣିବୁ । ତୁ ବ୍ୟସ୍ତ ହେବୁନି ।”

 

ସେମାନେ ଚାଲି ଚାଲି ସ୍କୁଲ ହତା ପାରହେବା ବେଳକୁ ହଠାତ୍ ଜିପ୍ ଗାଡ଼ିଟିଏ ଆସି ସ୍କୁଲ ଫାଟକ ପାଖରେ ଅଟକି ଗଲା । ସୁକେଶୀଙ୍କ ପିତା ଗୋବିନ୍ଦ ବାବୁ ଜିପ୍‍ରୁ ଓହ୍ଲାଇ ପଡ଼ିଲେ ।

 

“ବୁଢ଼ା ଆଜି କୁଆଡ଼େ ଝପଟିଛି ?” –ପାର୍ଥ ପଚାରିଲା ।

 

“ଆରେ ଯେତେହେଲେ ହେଡ଼୍‍ମାଷ୍ଟର ତା’ର ପଶାପାଲୀ ସାଙ୍ଗ । ଆଜି ରାତି ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିବ ।” –ରାଘବ ମନ୍ତବ୍ୟ କଲା ।

 

ଗୋବିନ୍ଦ ମହାପାତ୍ରେ ତରତର ହୋଇ ଅଫିସ୍ ଘର ଭିତରେ ପଶିଲେ । ଶିବନାଥ ପଚାରିଲା–“ଆରେ ରାଘବ ! ଆଜି କ’ଣ ପଣ୍ଡିତେ ଆସିବେନି ? ପନ୍ଦର ମିନିଟ ଡେରି ହୋଇଗଲାଣି !”

 

“ତୁ କ’ଣ ଜାଣିନୁ, ପଣ୍ଡିତ ପରା ବଦଳି ହୋଇଯାଉଛନ୍ତି ? ତାଙ୍କ ବଦଳରେ ଜଣେ ନୂଆପଣ୍ଡିତ ଆସିବା କଥା, ବୋଧେ ସେ ଆସି ନାହାନ୍ତି ।”

 

“ମୁଁ ତା’ହେଲେ ଘରକୁ ଯାଉଛି । ମୋ ଦେହ ଭଲ ଲାଗୁନି ।”

 

ଶିବନାଥ ବହିପତ୍ର ଧରି ସ୍କୁଲ ଫାଟକ ପାଖରେ ପହଞ୍ଚିଲା । ଜିପ୍ ଗାଡ଼ି ମହାପାତ୍ରଙ୍କୁ ଅପେକ୍ଷା କରିଥାଏ । ହଠାତ୍ ଜିପ୍ ଭିତରୁ “ଶୁଣିଲ, ଶୁଣିଲ” ଡାକରେ ତା’ର ଧ୍ୟାନ ଭାଙ୍ଗିଗଲା । ସେ ଜିପ୍ ଭିତରେ ଚାହିଁ ଦେଖେ, ଜଣେ ସଫାସୁତୁରା ପ୍ରୌଢ଼ ଭଦ୍ରଲୋକ ବସିଛନ୍ତି । ଗୈରିକ ଲୁଗା, ଗୈରିକ ପଞ୍ଜାବୀ, ହୃଷ୍ଟ ପୃଷ୍ଟ, ପ୍ରଭାବଶାଳୀ । ଭଦ୍ରବ୍ୟକ୍ତି ଅପରିଚିତ । ତେଣୁ ଆଉ କାହାକୁ ଡାକିଥିବେ ଭାବି ଶିବନାଥ ଜିପ୍ ଆଡ଼କୁ ଚାହିଁଥିଲେ ମଧ୍ୟ ଡାକୁଥିବା ଲୋକକୁ ଯେପରି ଦେଖିନି ସେହିପରି ମୁହଁଭଙ୍ଗୀ କରି ଚାଲିବାକୁ ଆରମ୍ଭ କରିବାରେ, ପୁଣି ଉଚ୍ଛ୍ୱସିତ ସ୍ୱର ଲହରୀ ଶୁଣିଲା–“ଶୁଣ, ତୁମକୁ ଡାକୁଛି ।” ଏଥରକ ଭଦ୍ରବ୍ୟକ୍ତି ହାତ ହଲାଇ ଡାକୁଥିଲେ । ଶିବନାଥ ଜିପ୍ ପାଖରେ ପହଞ୍ଚିବାରେ ସେ ପଚାରିଲେ–“ତୁମ ନାମ କ’ଣ ବାବୁ ?”

 

“ଶିବନାଥ ଷଡ଼ଙ୍ଗୀ ।”

 

“ବାପାଙ୍କ ନା ମଧୁସୂଦନ ଷଡ଼ଙ୍ଗୀ ?”

 

“ହଁ ।”

 

“ମୋତେ ଚିହ୍ନୁଛ ?”

 

ନା”

 

ଏହି ସମୟରେ ଜିପ୍ ପାଖକୁ ଗୋବିନ୍ଦ ମହାପାତ୍ର ଫେରି ଆସିଲେ । ତାଙ୍କ ସହିତ ସୁକେଶୀ । ସ୍ଵାମୀଜୀ ଶିବନାଥ ସହିତ କଥାବାର୍ତ୍ତା ହେଉଥିବା ଦେଖି ସେ ପଚାରିଲେ–

 

‘କ’ଣ ସ୍ଵାମୀଜୀ, ଶିବନାଥଙ୍କୁ କିପରି ଚିହ୍ନିଲେ ?”

 

ଗୋବିନ୍ଦ ମହାପାତ୍ରଙ୍କ ପାର୍ଶ୍ୱରେ କୌତୂହଳ ବିସ୍ଫାରିତ ନେତ୍ର ସହିତ ସୁକେଶୀ ।

 

“ମୁଁ ଚିହ୍ନିବିନି ତା’କୁ ? ତା’ ବାପର ଅବିକଳ ଚେହେରା ତା’ଠି, ତୁ ଦେଖୁନୁ ? ଥରେ ମଧୁ ତା’ର ସାରା ପରିବାର ସହିତ ପ୍ରୟାଗ ଯାଇଥିଲା । ସେତେବେଳେ ଶିବ ଖୁବ୍‍ ପିଲା ଥିଲା ।”

 

ଶିବନାଥ ସଙ୍କୋଚ ଓ ଲାଜରେ କିଛି କହି ନପାରି ଗୋଟିଏ ଜାଗାରେ ଠିଆ ହୋଇଥାଏ । ହଠାତ୍ ସୁକେଶୀଙ୍କ ଆଡ଼କୁ ସେ ଚାହିଁଲା । ଦୁହିଙ୍କ ଆଖି ମିଳିଯିବାରୁ ମୁହଁରେ ତା’ର ଲଜ୍ଜା ବୋଳିହୋଇଗଲା । ସେ ତଳକୁ ମୁହଁ କରିଦେଲା ।

 

“ତାହାହେଲେ ଷଡ଼ଙ୍ଗୀଙ୍କ ସହିତ ଆପଣଙ୍କର ଭଲ ପରିଚୟ ଅଛି !”

 

ସନ୍ୟାସୀ ସ୍ମିତହସି ଦେଇ କହିଲେ–

 

“ମୁଁ ଏଠାକୁ ଆସିବାର ଆଉ ଗୋଟିଏ ଉଦ୍ଦେଶ୍ୟ ତାକୁ ଦେଖିବା ମଧ୍ୟ । ପ୍ରୟାଗ ଯେବେ ଯାଇଥିଲା, ସେହିଦିନୁ ସେ ମୋର ଶିଷ୍ୟ ।”

 

ସନ୍ନ୍ୟାସୀଙ୍କର ଦୃଷ୍ଟି ସୁକେଶୀଙ୍କ ଉପରେ ପଡ଼ିଲା ।

 

“ତୋର ପରା ଏଇ ଗୋଟିଏ ଝିଅ । ବାଃ, ବାଃ, ବେଶ୍ ସୁନ୍ଦର ତ ହୋଇଛି । ଆ ମା’, ମୋ ପାଖ ସିଟ୍‍କୁ ଆ”

 

ସୁକେଶୀଙ୍କୁ ଟାଣିନେଇ ସେ ତାଙ୍କର ଗୋଟିଏ କଡ଼ରେ ବସାଇଲେ । “ଶିବ ଠିଆହେଲ କାହିଁକି ? ସେହି ପାଖରେ ବସ ।”

 

ଗୋବିନ୍ଦ ବାବୁ ଡ୍ରାଇଭର ପାଖସିଟ୍ ରେ ବସିଲେ । ଶିବ, ସୁକେଶୀଙ୍କଠୁ ଯେତେ ବ୍ୟବଧାନ ରଖାଯାଇପାରେ ରଖି, ପାଖରେ ବସିଲା । ଆଗକୁ ଚାହୁଁଥାଏ ସେ, କିଛି ନ ଜାଣିବା ପରି ବାହାରକୁ । ଜିପ୍ ଚାଲିଲା । ଶିବ ଚାହୁଁଥାଏ ଗତିଶୀଳ ପରି ପ୍ରତୀତ ହେଉଥିବା ଗଛ, ନାଳ, ବିଲ, ଘରଆଡ଼କୁ । ସ୍ୱାମୀଜୀ କୋମଳ କଣ୍ଠରେ ପଚାରୁଥିଲେ ସୁକେଶୀଙ୍କୁ–“ତୁମେ ନୁହେଁ ଏକା କ୍ଲାସରେ ପଢ଼ୁଛ ?”

 

ସେହି ଅବସରରେ, ସ୍ଵାମୀଜୀଙ୍କୁ ଭଲକରି ଶୁଣିବା ବାହାନାରେ, ସୁକେଶୀ ଶିବ ଆଡ଼କୁ ଘୁଞ୍ଚିଗଲେ । ଶିବନାଥର ଲୋମାଞ୍ଚିତ ହୋଇଗଲା । ସୁକେଶୀ ‘ହଁ’ କହ, ସ୍ଵାମୀଜୀଙ୍କ ଆଡ଼କୁ ଚାହିଁ ରହିଲେ ।

 

“ଆରେ ମହାପାତ୍ର ! ଏ ଦୁହେଁ କ’ଣ ପରସ୍ପରକୁ ନଚିହ୍ନିବା ପରି ବସିଛନ୍ତି, କଥା କ’ଣ-?” –ସବୁକଥା ଜାଣିବା ପରି ସ୍ୱାମୀଜୀ ପଚାରିଲେ ।

 

“ଦୁହେଁ ଦୁହିଙ୍କୁ ଚିହ୍ନନ୍ତି ଯେ...ହଁ ସ୍ଵାମୀଜୀ ! ସୁକେଶୀକୁ କଟକ କେବେ ଛାଡ଼ିଲେ ଭଲ ହେବ କହିଲେ । ମୁଁ ଭାବୁଛି ସେ ଏକାଦଶ ଶ୍ରେଣୀଟା କଟକରେ ଯାଇ ପଢ଼ୁ । ସେଠି ହଷ୍ଟେଲରେ ରହିବ । ମୋର କାହିଁକି ମନେ ହେଉଛି ଏଠି ତା’ର ଭଲ ପଢ଼ାପଢ଼ି ହୋଇ ପାରୁନି ।”

 

“ଏବେପରା ସେ ଦଶମରେ ପଢ଼ୁଛି ? ଦଶମଟା ଯାଉ, ତା’ପରେ ସୁବିଧା ଦେଖି ଯାହା ହେଲେ କରିବୁ ।”

 

“ତା’ ବୋଉର ମଧ୍ୟ ସେଇ ଇଚ୍ଛା ।”

 

ସ୍ଵାମୀଜୀ ପୁଣି ସୁକେଶୀ ଓ ଶିବନାଥ ଆଡ଼କୁ ଚାହିଁ କହିଲେ–

 

“ତୁମେ ଦୁଇଜଣ ଚୁପ୍ ଚାପ୍ ବସିଲ ଯେ, କଥାବାର୍ତ୍ତା କାହିଁକି ହେଉନ ?” ସ୍ଵାମୀଜୀ, ଶିବନାଥ ଏବଂ ସୁକେଶୀ ଉଭୟଙ୍କୁ କହୁଥିବାବେଳେ ଡ୍ରାଇଭର ବାଁକୁ ଟର୍ନିଂ ନେବାରେ ସୁକେଶୀ ହଠାତ୍ ଶିବନାଥ ଉପରେ ପଡ଼ିଗଲେ । ଶିବନାଥର ମୁହଁ ଅସ୍ଵାଭାବିକ ରୂପେ ଲାଲ୍ ପଡ଼ିଗଲା । ସୁକେଶୀ ଶିବନାଥ ପାଖରୁ ଘୁଞ୍ଚିଗଲେ ।

 

ଜିପ୍ ଉଆସଠି ପହଞ୍ଚିଲା । ପ୍ରାୟ ପଚାଶ ସରିକି ଲୋକ ଦୁଆର ଆଗରେ ରୁଣ୍ଡ ହୋଇଥାନ୍ତି । ‘ହରେରାମ’, ‘ହରେକୃଷ୍ଣ’, ସଂକୀର୍ତ୍ତନ ରୋଳ ଦାଣ୍ଡ ଚମକାଉଥାଏ । ବାରଣ୍ଡାରୁ ଉଆସ ଭିତର ଯାଏ ଗାଲିଚା ପାରି ଦିଆଯାଇଥାଏ । ସ୍ଵାମୀଜୀଙ୍କ ଅଭ୍ୟର୍ଥନା ପାଇଁ ଏଡ଼େ ଆଡ଼ମ୍ବର ଦେଖି ଶିବନାଥ ଆଶ୍ଚର୍ଯ୍ୟ ହେଲା । କେହି ପ୍ରସିଦ୍ଧ ସନ୍ନ୍ୟାସୀ ହୋଇଥିବେ, ପଚାରି ପରେ ବୁଝିବ ସେ । ଦୂରକୁ ଗହଳି ଦେଖି ଓ ଆଡ଼ମ୍ବରର ପ୍ରୟୋଜନ ବୁଝିପାରି, ଜିପ୍ ରହିବା ପରେ, ସେ ସମସ୍ତଙ୍କ ଦୃଷ୍ଟି ଏଡ଼ାଇ ଚାଲିଯିବ ବୋଲି ମନେ ମନେ ଠିକ୍ କରିଥିଲା; କିନ୍ତୁ ସାଧୁ ମହାଶୟ ଉଆସଠି ସୁକେଶୀଙ୍କୁ ଓ ତାକୁ ଓହ୍ଲାଇ ପଡ଼ି ତାଙ୍କର ଦୁଇ ପାର୍ଶ୍ଵକୁ ଆସିବାକୁ କହିଲେ । ଲାଜ ଲାଜ ହୋଇ ଶିବନାଥ ସ୍ଵାମୀଜୀଙ୍କର ଦକ୍ଷିଣ ପାଖରେ ଯାଇ ଠିଆହେଲା । ସୁକେଶୀ ଅନ୍ୟ ପଟକୁ ଯାଇପାରିଥାନ୍ତି । ‘ହରିବୋଲ’ ଶବ୍ଦରେ ବାଣ୍ଡ ଉଛୁଳିଲା । ଲୋକେ ଭୂମିରେ ସାଷ୍ଟ୍ରାଙ୍ଗ ପ୍ରଣିପାତ କରିବାକୁ ଲାଗିଲେ । କୁଳବଧୂମାନେ ରୋଗଗ୍ରସ୍ତ ଶିଶୁମାନଙ୍କୁ ଆଣି ସ୍ୱାମୀଜୀଙ୍କ ପାଦତଳେ ଗଡ଼ାଇ ଦେଲେ । ଆଦରରେ ସ୍ୱାମୀଜୀ ସେମାନଙ୍କ ଭିତରୁ କାହାକୁ କାହାକୁ ଆଉଁଷି ଦେଉଥାନ୍ତି । ଜଣେ କିଏ ସ୍ଵାମୀଜୀଙ୍କ ଗୋଡ଼ ଅଣ୍ଡାଳୁ ଅଣ୍ଡାଳୁ ଭିଡ଼ରେ ଶିବନାଥର ଗୋଡ଼ଧରି କାନ୍ଦିବାକୁ ଲାଗିଲା । ଜଣେ ବୟସ୍କ ବୃଦ୍ଧ, ତା’ ଗୋଡ଼ଧରି ମୁଣ୍ଡିଆ ମାରୁଥିବା ଦେଖି ଭୟରେ ଶିବନାଥର ମୁହଁ କଳା ପଡ଼ିଗଲା । ସେ ସ୍ଵାମୀଜୀଙ୍କ ଦକ୍ଷିଣ ହାତକୁ ଭିଡ଼ି ଧରିବାରୁ ସ୍ଵାମୀଜୀ ତଳକୁ ଚାହିଁ ହସିଦେଇ, ପ୍ରବୋଧ ଦେଲେ–“କିଛି ଚିନ୍ତା କରନା, ଈଶ୍ଵରଙ୍କୁ ସମର୍ପଣ କରିଦେ । ବ୍ରାହ୍ମଣ ସନ୍ତାନ, ତୋର କିଛି ଖରାପ ହେବ ନାହିଁ ।”

 

ହୁଳହୁଳିରେ ଖଣ୍ଡମଣ୍ଡଳକୁ ଧ୍ଵନିତ କରି ଜମିଦାରଙ୍କ ସ୍ତ୍ରୀ ଓ ଗ୍ରାମର ଅନ୍ୟାନ୍ୟ ସମ୍ଭ୍ରାନ୍ତବଂଶର ସ୍ତ୍ରୀମାନେ ସ୍ଵାମୀଜୀଙ୍କର ଆଳତି କରିବାକୁ ବାହାରିଲେ । ଶିବନାଥ ଓ ସୁକେଶୀ ଉଭୟଙ୍କ ଉପରେ ଭରାଦେଇ ସ୍ଵାମୀଜୀ ଠିଆ ହୋଇଥାନ୍ତି । ସାଧୁଙ୍କ ବନ୍ଦାପନା କରି ସୁକେଶୀଙ୍କ ବୋଉ ଫେରିଯାଉଥିବା ବେଳେ, “ଏ ଦୁହିଁଙ୍କୁ ଛାଡ଼ିଗଲୁ” ବୋଲି ସାଧୁ ପାଟି କରିବାରୁ ସେ ଫେରିଆସି ଶିବନାଥ ଓ ସୁକେଶୀ ମଧ୍ୟ ବନ୍ଦାପନା କଲେ । ଶିବନାଥ ଉଆସ ଭିତରକୁ ଚାହୁଁଥିଲେ ମଧ୍ୟ ଭିଡ଼ ଭିତରୁ ଅସଂଖ୍ୟ ପ୍ରଶଂସମାନ ଦୃଷ୍ଟି ତା’ଉପରେ ମଧ୍ୟ ପଡ଼ୁଥିବା ଜାଣି ପାରୁଥାଏ । ଉଆସ ଭିତରକୁ ଶିବ ଆଗରୁ କେବେ ଆସି ନଥିଲା । ଉଆସର ସବୁ ଆଡ଼କୁ ଦେଖିବାକୁ ଇଚ୍ଛା ହେଲେ ମଧ୍ୟ ସାଧୁଙ୍କ ସାନ୍ନିଧ୍ୟରେ ତାକୁ ଗମ୍ଭୀର ହୋଇ ତଳକୁ ମୁହଁ ପୋତି ଚାଲିବା ଯଥାର୍ଥ ପରି ମନେ ହେଲା । ଲୋକଙ୍କ ଭକ୍ତି ଓ ହରିବୋଲ ଧ୍ଵନିରେ ସେହି କେତେକ୍ଷଣ ସୁକେଶୀ ତା’ ମନ ଭିତରୁ ପୋଛି ହୋଇ ଯାଇଥିଲେ ।

 

ସୁକେଶୀ ମଧ୍ୟ ଗମ୍ଭୀର ହୋଇ ତଳକୁ ମୁହଁ ପୋତି ଚାଲିଥାନ୍ତି । ସ୍ଵାମୀଜୀଙ୍କ ବଳିଷ୍ଠ ହାତ ଦୁଇଟି ଦୁହିଁଙ୍କ କାନ୍ଧକୁ ଆଶ୍ରା କରିଥାଏ । ଦାଣ୍ଡଘର ପାରହେବା ପରେ ପରେ, କିଛିବାଟ ବଗିଚା, ତା’ପରେ ଦକ୍ଷିଣ ଦଗକୁ ବୁଲିଲେ ଉଆସର ଅନ୍ତଃପୁର ।

 

“ଆରେ ମହାପାତ୍ର ! ତୁ ତ ରାଜୁଡ଼ା ଆଡ଼ମ୍ବରରେ ଚଳୁଛୁ !”

 

“ସବୁ ଆପଣଙ୍କ ଆଶୀର୍ବାଦ, ଏଇ ଘରକୁ ଆସନ୍ତୁ ।”

 

ହଠାତ୍ ଶିବନାଥର ମନେହେଲା ତା’ର ଉପସ୍ଥିତି ଜମିଦାର ଓ ତାଙ୍କ ସ୍ତ୍ରୀଙ୍କୁ ସୁଖ ଲାଗୁ ନାହିଁ । କେବଳ ସ୍ୱାମୀଜୀଙ୍କ ଓପ୍ରୋଧରେ ତାକୁ ସେମାନେ କିଛି କହି ପାରୁନାହାନ୍ତି ।

 

ସୁକେଶୀର ଶୋଇବା ଘର ।

 

“ବାଃ, ରାଜଜେମାଙ୍କ ପ୍ରକୋଷ୍ଠ” –ସ୍ୱାମୀଜୀ ଆଗ୍ରହରେ ଘର ଭିତରକୁ ପଶିଗଲେ । ତାଙ୍କର ପଛେ ପଛେ ସୁକେଶୀ । ସୁକେଶୀଙ୍କୁ ଅନୁକରଣ କରିବାକୁ ଯାଉଥିବାବେଳେ ପଛରୁ କେହି ଶିବନାଥର ପିଠିକୁ ଛୁଇଁ ତାକୁ ଡାକିବା ପରି ଶିବନାଥର ମନେ ହେଲା । ସେ ପଛକୁ ବୁଲି ଚାହେଁ, ଜମିଦାର ସାହେବ, କ୍ରୋଧକୁ ଯଥା ସମ୍ଭବ ସଂଯତ କରି କ’ଣ କହିବାକୁ ଚାହୁଁଛନ୍ତି । ସବୁ ବୁଝିପାରିଲା ଶିବନାଥ । ସେ ଦୁଆରବନ୍ଧଠୁ ଘର ଭିତରକୁ ନ ଯାଇ ବାରଣ୍ଡାକୁ ଓହ୍ଲାଇଗଲା । ସାଧୁ ଘର ଭିତରକୁ ଆସି ବାହାରେ ଶିବନାଥ ରହିଯିବା ଦେଖି ତାଡ଼ନା ସ୍ୱରରେ କହିଲେ–“ଏପରି ଚାଲିଗଲେ ତୋ ବାପା ଆମକୁ ଭାରି ପ୍ରଶଂସା କରିବ ? ପଶି ଆସ ! ନ ଖାଇ କୁଆଡ଼େ ଚାଲିଯାଉଛୁ ?”

 

ଜମିଦାରଙ୍କର ଆଉ କିଛି କହିବାକୁ ନ ଥିଲା । ସୁକେଶୀଙ୍କ ଖଟ ଉପରେ ପଦ୍ମକଢ଼ ରଙ୍ଗର ବିଛଣା ପଡ଼ିଥିଲା । ସାଧୁ ଶିବନାଥକୁ ନେଇ ବସିଲେ । ସୁକେଶୀ ସାଧୁଙ୍କ ଅର୍ଚ୍ଚନାରେ ବ୍ୟସ୍ତ ହୋଇ ପଡ଼ିଥାନ୍ତି । ସୁକେଶୀଙ୍କ ବଖରାକୁ ଲାଗିଥିବା ପ୍ରକୋଷ୍ଠଟିକୁ ଚାକରମାନେ ସଜାଡ଼ିବାରେ ଲାଗିଥାନ୍ତି । ସେହି ଘରେ ସାଧୁ ମହାଶୟ ରହିବେ ।

 

ତିନି ଚାରିଦିନ ପରେ । ବସୁନ୍ଧରା ରୋଷଘରେ ଅଛନ୍ତି । ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟର କିଛି ଉନ୍ନତି ଘଟିଛି । ଦାଣ୍ଡଘରେ ସେ ମହାଜନି କାଗଜପତ୍ର ଦେଖାଦେଖି କରୁଛନ୍ତି । ଆରାମ ଚୌକି ପାଖେ ଛୋଟିଆ ଟୁଲ୍‍ଟିଏ । ତାରି ଉପରେ କାଗଜପତ୍ର ଗୋଛେ । ତଳେ ସତରଞ୍ଜି ପଡ଼ିଛି । ଦୁଇଜଣ ଗୁମାସ୍ତା ହିସାବପତ୍ର କରିବାରେ ବ୍ୟସ୍ତ । ଦାଣ୍ଡଘର ପରେ ପିଲାମାନଙ୍କର ପଢ଼ିବା ଓ ଶୋଇବା ପାଇଁ ଘର । ଶିବନାଥ ଅଙ୍କ କଷୁଛି । ଦେବୀପାଦ କଟକକୁ ଜଣେ ବନ୍ଧୁଙ୍କ ପାଖକୁ ଚିଠି ଲେଖୁଛି । ତା’ ପାଖରେ ଶିବାନନ୍ଦଙ୍କର “ସନ୍ଥ ଜୀବନୀ” ଇଂରାଜୀ ବହି । ମହାଜନି କାରବାର ବୁଝୁଥିବାବେଳେ ପିଲାମାନଙ୍କର କାର୍ଯ୍ୟକଳାପ ପର୍ଯ୍ୟବେକ୍ଷଣ ପାଇଁ ଓ ହଠାତ୍ କୌଣସି କଥା ଦରକାର ପଡ଼ିଲେ, ପିଲାଙ୍କୁ ଆଦେଶ ଦେବାପାଇଁ ସୁବିଧା ହେବ ବୋଲି ଦାଣ୍ଡଘର ଓ ପଢ଼ିବା ଘର ମଝିରେ ବଡ଼ ଝରକାଟିଏ । ପିଲାଙ୍କୁ ସୁବିଧା, ଦାଣ୍ଡଘରର କଥାବାର୍ତ୍ତା ପିଲାଏ ପରିଷ୍କାର ଶୁଣନ୍ତି ।

 

“ଷଡ଼ଙ୍ଗୀ ?ଘରେ ଅଛୁ ?” ସାଧୁ ମହାଶୟ ପିଣ୍ଡାକୁ ଚଢ଼ିଯାଇ ସାଥୀରେ ଆସିଥିବା ମହାପାତ୍ରଙ୍କ ଚାକରକୁ କହିଲେ, “ତୁ ଯା ଘଣ୍ଟାଏ ଛାଡ଼ି ଆସିବୁ ଯିବା ।”

 

ସାଧୁଙ୍କ ସ୍ୱର ଶୁଣି ଷଡ଼ଙ୍ଗୀ ଧଡ଼ପଡ଼ ହୋଇଉଠି ଦାଣ୍ଡ ପିଣ୍ଡାକୁ ଚାଲି ଆସିଲେ । ତାଙ୍କର ଦୁର୍ବଳ ଗୋଡ଼ଯୋଡ଼ାକ ଥରି ଉଠିଲା ।

 

“ଅହୋଭାଗ୍ୟ ! ଗୁରୁ ଦର୍ଶନ !”

 

ସେ ସେଇଠି ସ୍ୱାମୀଙ୍କ ପାଦତଳେ ସାଷ୍ଟାଙ୍ଗ ହେଲେ ।

 

“ଆରେ ଶିବ ଢାଳେ ପାଣି ଆଣିଲୁ ।”

 

“ହଇରେ, ତୋର ତ ଭାରି ଗୁରୁଭକ୍ତି ! ଚାରିଦିନ ହେଲା ଗାଁକୁ ଆସିଲିଣି, ତୁ ଦେଖା କରିବାକୁ ଥରେ ହେଲେ ଗଲୁନି ? ଶୁଣୁଛି ତୁ ଭାରି ବଡ଼ଲୋକ ଏ ଭିତରେ ହୋଇଯାଇଛୁ ?”

 

“ଶିବ ଆସି ମୋତେ ସବୁ କହିଛି; କିନ୍ତୁ କ’ଣ କରିବି ଦେହଟା କେତେଦିନ ହେଲା ଭଲ ରହୁନି, ଭାରି ଦୁର୍ବଳ ଲାଗୁଛି, ରହି ରହି ମୁଣ୍ଡ ବଥାଉଛି, କୌଣସିଆଡେ଼ ଯିବା ଆସିବାକୁ ଇଚ୍ଛା ହେଉନି । ଆପଣଙ୍କ ପାଖକୁ ମୋର କ’ଣ ଯିବାକୁ ଇଚ୍ଛା ନ ଥିଲା ? ଇଚ୍ଛା ହୋଇଛି, ହବା ପରେ ପରେ ମନ ଭିତରେଇ ମରିଯାଇଛି । ଶେଷରେ ଭାବିଲି, ଭକ୍ତ ଯଦି ନିଜର ଅକ୍ଷମତା ଯୋଗୁଁ ଭଗବାନଙ୍କ ପାଖକୁ ଯାଇ ପାରିବନି, ତା’ହେଲେ ଭଗବାନ ମଧ୍ୟ କ’ଣ ତା’ ପାଖକୁ ଆସିବେନି ! ଭଗବାନ ତ ଆଉ ନିର୍ଦ୍ଦୟ ନୁହନ୍ତି ।”

 

ଷଡ଼ଙ୍ଗୀଙ୍କ କଥାରେ ସାଧୁ ଖୁସି ହୋଇଯିବା ପରି ମନେହେଲା । “ସାବାସ୍, କଥାରେ ମଧ୍ୟ ତୁ ଧନୀ !”

 

ଝରକା ଦେଇ ପଢ଼ାଘର ଆଡ଼େ ସାଧୁଙ୍କ ଦୃଷ୍ଟି ଚାଲିଗଲା । ଦେବୀପାଦ ମୁହଁପୋତି ଚିଠି ଲେଖୁଥିଲା ।

 

“କେତୋଟି ସନ୍ତାନ ତୋର ମଧୁ ?”

 

“ତିନୋଟି ପୁଅ ।”

 

ଶିବନାଥ ଘର ଭିତରୁ ପାଣି ଆଣିଲା । ମଧୁସୂଦନ କହିଲେ, “ଶିବ ! ସ୍ଵାମୀଜୀଙ୍କ ଗୋଡ଼ ଧୋଇଦେ ।”

 

ଶିବନାଥ ସନ୍ନ୍ୟାସୀଙ୍କ ଗୋଡ଼ ଧୋଇଦେଲା ।

 

“ଚିରାୟୁ ହୁଅ ।”

 

“ଆରେ, ମହାପାତ୍ର କହୁଥିଲା ତୁ କୁଆଡ଼େ ବହୁତ ଜମାଇଲୁଣି । କେତେ ଟଙ୍କା ଜମେଇଲୁଣି, ଢେର୍ ?” ସ୍ଵାମୀଜୀଙ୍କ ଆଖି ଛୋଟ ହୋଇ ଆସିଲା । ଓଠରେ ମୁରୁକି ହସା । ଷଡ଼ଙ୍ଗୀଙ୍କ ମୁହଁ ଲାଲ ପଡ଼ିଗଲା, “ଆପଣ ତ୍ରିକାଳଜ୍ଞ, ଆପଣଙ୍କୁ କ’ଣ ଅଜଣା !”

 

ସ୍ଵାମୀଜୀଙ୍କ ଦୃଷ୍ଟି ଝରକା ଦେଇ ପୁଣି ଦେବୀପାଦ ଉପରେ ପଡ଼ିଲା । ସେ ଗମ୍ଭୀର ହୋଇଗଲେ–“ସେ ମଧ୍ୟ ତୋ ପୁଅ” ?

 

“ଆଜ୍ଞା !”

 

“ଆଶ୍ଚର୍ଯ୍ୟ !”

 

ଏହି ସମୟରେ ଦୁଆର ଆଢ଼ୁଆଳରେ କାଚ ଝଣ୍‍ଝଣ୍ ଶୁଣାଗଲା । ବସୁନ୍ଧରା ଗୁରୁଙ୍କୁ ଅଭିବାଦନ କରିବା ପାଇଁ ଅପେକ୍ଷା କରୁଥିଲେ । ଡେରି ହେଉଥିଲା ।

 

“ତୋ ସ୍ତ୍ରୀ, ତୋ ସ୍ତ୍ରୀ, ତେଣେ ଅଧୈର୍ଯ୍ୟ ହେଲାଣି ।” ସାଧୁ ଆରାମ ଚୌକିରୁ ଉଠି ଭିତରକୁ ଚାଲିଲେ । “ଚାଲିଲୁ ତୋ ଘରସବୁ ଦେଖିବା, କିପରି ସଜାଇଛୁ ।”

 

ଗୁରୁଦେବ ଆଗେ ଆଗେ ଚାଲିଲେ, ପଛେ ପଛେ ଷଡ଼ଙ୍ଗୀ । ଏରୁଣ୍ଡିବନ୍ଧଠି ସେ କ୍ଷଣକ ପାଇଁ ଠିଆ ହୋଇଗଲେ, ବସୁନ୍ଧରାଙ୍କୁ ମୁଣ୍ଡିଆମାରି ପଦରଜ ନେଇ ମୁଣ୍ଡରେ ଲଗାଇବାର ସୁବିଧା ଦେବାକୁ ।

 

“ସୌଭାଗ୍ୟବତୀ ହୁଅ ମା” ଗୁରୁଦେବ ଏତକ କହି ଭିତରକୁ ଚାଲିଲେ । ଷଡ଼ଙ୍ଗୀ ତାଙ୍କୁ ‘ଏଇଟା ରୋଷଘର, ଏଇଟା ଶୋଇବାଘର, ମୋର, ପୁଅମାନଙ୍କର’ କହି କହି ଯାଉଥାନ୍ତି । ପୂର୍ଣ୍ଣ କୌତୂହଳରେ ସାଧୁ ସବୁ ଦେଖୁଥାନ୍ତି । ଶିବନାଥ ଆଶ୍ଚର୍ଯ୍ୟ ହେଉଥାଏ, ସାଧୁଙ୍କ ନିଷ୍ପ୍ରୟୋଜନ କୌତୂହଳରେ ତା’ର ବିସ୍ମୟର ସୀମା ରହୁ ନ ଥାଏ । ସାଧୁ ଯାହା ଦେଖୁଥାନ୍ତି ତା’ର ଅନର୍ଗଳ ପ୍ରଶଂସା କରୁଥାନ୍ତି, ବେଳେ ବେଳେ ଆଉ କିପରି ସଜାଇଲେ ଭଲ ହୁଅନ୍ତା ତା’ ମଧ୍ୟ କହି ଦେଉଥାନ୍ତି । ସବୁ ବୁଲି ଦେଖିବା ପରେ ଷଡ଼ଙ୍ଗୀଙ୍କ ଶୋଇବା ଘର ବାରଣ୍ଡାରେ ଗାଲିଚାଟିଏ, ତା’ଉପରେ ସଫା ବିଛଣା ଚାଦର, କାନ୍ଥକୁ ଲାଗି ଗୋଲ ତକିଆ ଦେଖି, ‘ସାଧୁପାଇଁ, ସାଧୁପାଇଁ’ କହି ସ୍ୱାମୀଜୀ ଶିଶୁସୁଲଭ ଚପଳତାରେ ଡିଆଁ ମାରି ବାରଣ୍ଡା ଉପରକୁ ଚଢ଼ିଗଲେ ।

 

“ବସରେ ପିଲେ, ମୋ ଚାରିପାଖେ ବସ ।”

 

ଶିବନାଥ ଏକା ବସୁଥିବା ଦେଖି ସାଧୁ ବିରକ୍ତ ହୋଇ କହିଲେ–“ଆରେ ତୋର ଅନ୍ୟ ଭାଇମାନଙ୍କୁ ଡାକ ! ସ୍ୱାର୍ଥପର !”

 

ଦେବୀପାଦ ସେତେବେଳେଯାଏଁ ସ୍ଵାମୀଜୀଙ୍କୁ ଅଭ୍ୟର୍ଥନା କରିବାକୁ ଆସି ନଥାଏ । ପଢ଼ାଘରକୁ ଦେଖିବାକୁ ସ୍ୱାମୀଜୀ ଯାଇ ନ ଥାନ୍ତି । ଶିବନାଥ ଉଠି ଦେବୀପାଦକୁ ଡାକିବା ପୂର୍ବରୁ କର୍କଶକଣ୍ଠରେ ଷଡ଼ଙ୍ଗୀ ଡାକିଲେ–“ଦେବୀ !” ଦେବୀ ପହଞ୍ଚିବା ଦେଖି ଷଡ଼ଙ୍ଗୀ ରୁଦ୍ରମୂର୍ତ୍ତି ଧାରଣ କରି ପଚାରିଲେ–“କ’ଣ କରୁଥିଲୁ ! ଧର୍ମଦର୍ଶନ, ମନ୍ତ୍ରଯନ୍ତ୍ର, ବୋଲି ଜୀବନ ଯାଉଛି, ସେଥିପାଇଁ ପଢ଼ାପଢ଼ି ଛାଡ଼ିଲୁ, ଅଥଚ ସାଧୁସନ୍ନ୍ୟାସୀ ଦେଖିଲେ, ପାଖକୁ ଆସି, ଅଭ୍ୟର୍ଥନା କରିବାର ଭଦ୍ରତା ନାହିଁ । କ’ଣ ତୁ ସାଧନା କରୁଛୁ ?”

 

“ଆସ ବାବା” –ସ୍ୱାମୀଜୀ କୋମଳ ସ୍ଵରରେ ଆଶ୍ୱାସନା ଦେଲେ । ଦେବୀପାଦ ପିତା ଓ ଗୁରୁ କାହା କଥାକୁ ନ ଶୁଣିବା ପରି ଭଙ୍ଗୀକରି ସ୍ଵାମୀଜୀଙ୍କ ପାଦ ଛୁଇଁଲା । ଦେବୀପାଦ ପାଦ ଛୁଇଁବା ଦେଖି ଷଡ଼ଙ୍ଗୀଙ୍କ କୋପ ଶାନ୍ତ ହେଲା । ସ୍ୱାମୀଜୀ ପଚାରିଲେ, “ତୃତୀୟ କାହିଁରେ ?”

 

“ସବା ବଡ଼ ପରା କଟକରେ ଡାକ୍ତରୀ ଦୋକାନ ଖୋଲିଛି ।”

 

“ଓଃ ! ହଉ, ଜଳଖିଆ ଆଣ୍ ।”

 

ବସୁନ୍ଧରା ତରତର ହୋଇ ରୋଷଘରକୁ ଯାଇ ଜଳଖିଆ ଆଣି ବାରଣ୍ଡାରେ ରଖିଦେଲେ । ଜଳଖିଆ ଥୁଆହେବା ମାତ୍ରେ, ସବୁତକ, ଯେତେ ଚଞ୍ଚଳ ପାରନ୍ତି ଖାଇ, ହାତ ଧୋଇଦେଇ, ଗମ୍ଭୀର ହୋଇ ସାଧୁ ଚାରିଆଡ଼କୁ ଚାହିଁଲେ । ସାଧୁଙ୍କର କ୍ଷଣକ୍ଷଣକେ ଭାବାନ୍ତର ଦେଖି ଷଡ଼ଙ୍ଗୀଙ୍କ ଛଡ଼ା ସମସ୍ତେ ଆଶ୍ଚର୍ଯ୍ୟ ହେଉଥାନ୍ତି । ଷଡ଼ଙ୍ଗୀ କିନ୍ତୁ ଦୀକ୍ଷା ନେବାବେଳେ ପ୍ରୟୋଗଠାରେ ସ୍ଵାମୀଙ୍କର ଆଚାର ବ୍ୟବହାର ସହିତ ଭଲରୂପେ ପରିଚିତ ଥିବାହେତୁ ଆଶ୍ଚର୍ଯ୍ୟ ହେଉ ନ ଥାନ୍ତି ।

 

“ଗୁରୁଦେବ ! ମୋର ଗୋଟିଏ ଅନୁରୋଧ ଅଛି ।”

 

“କହ, କହ, ହୃଦୟ ଖୋଲି କହ ।” ପାନ ଡିବାରୁ ଦୁଇଟି ପାନ ଏକାବେଳକେ ପାଟିରେ ପୁରାଉ ପୁରାଉ ସାଧୁ କହିଲେ ।

 

“ପୁଅମାନଙ୍କ ପାଇଁ ମୁଁ ବହୁତ ଚିନ୍ତିତ । ମୋ ପରେ କ’ଣ ହେବ, କିପରି ଚଳିବେ, ପରସ୍ପର ମଧ୍ୟରେ ସେମାନଙ୍କର ସ୍ନେହ ସହାନୁଭୂତି ରହିବ ନା ନାହିଁ ?” ଷଡ଼ଙ୍ଗୀ ରହିଯାଇ ପୁଣି କହିଲେ, “ଆପଣ ଅନୁଗ୍ରହ କରି ଯଦି ସେମାନଙ୍କର ଟିକିଏ କୋଷ୍ଠୀ ଦେଖନ୍ତେ ! ଆପଣଙ୍କଠୁ ବଡ଼ ଜ୍ୟୋତିଷ ପଣ୍ଡିତ ଆଉ ଭାରତବର୍ଷରେ କେହି ନାହିଁ । ଆପଣଙ୍କଠୁ ସେମାନଙ୍କ ଭବିଷ୍ୟତ ସମ୍ବନ୍ଧରେ ଶୁଣିଲେ ମନର ଶାନ୍ତି ଆସନ୍ତା ।”

 

“ଆଣ ତେବେ, ତା’ର ପୁଅମାନଙ୍କ ଭବିଷ୍ୟତ୍ ଜାଣିବାକୁ ମୋର ଇଚ୍ଛା ଅଛି । ଆଉ ଜାଣିବାକୁ ଇଚ୍ଛା ଅଛି ବାପର ଅତୀତ ସନ୍ତାନମାନଙ୍କର ଭବିଷ୍ୟତ ଉପରେ କେତେଦୂର ପ୍ରଭାବ ପକାଏ ।”

 

“ସ୍ଵାମୀଜୀ !!” ଷଡ଼ଙ୍ଗୀ ବିଭୀଷିକାଗ୍ରସ୍ତ ପରି ଚିତ୍କାର କରି ଉଠିଲେ । ସ୍ଵରରେ କଠୋରତା ନଥିବାରୁ ତାହା ବାଳକର ଆର୍ତ୍ତନାଦ ପରି ଶୁଭିଲା, କୌଣସି ଶାପଗ୍ରସ୍ତ ଦୁଃଖୀ ଯେପରି ଦୟାପାଇଁ ଚିତ୍କାର କରୁଛି ।

 

ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଷଡ଼ଙ୍ଗୀଙ୍କ ବ୍ୟବହାରରେ, ତାଙ୍କର ଆର୍ତ୍ତସ୍ଵରରେ । ସ୍ଵାମୀଜୀ ହସିଲେ–“ଥୟ ଧର ମଧୁ, ଏଡ଼େ ବ୍ୟସ୍ତ କାହିଁକି, ମୁଁ ଆଗ ସେମାନଙ୍କର ଜାତକ ଦେଖେ-।”

 

ବସୁନ୍ଧରା ଜାତକବିଡ଼ା ପାଇଁ ଷଡ଼ଙ୍ଗୀଙ୍କ ଶୟନକକ୍ଷକୁ ଗଲେ । ଦେବୀପାଦକୁ ଚାହିଁ ପଚାରିଲେ–“କେଉଁଠି ଥିଲ ବାବୁ ?”

 

“ପଢ଼ାଘରେ ।”

 

“କ’ଣ କରୁଥିଲ ?”

 

“ଚିଠି ଲେଖୁଥିଲି ।”

 

“ଧର୍ମ ଆଡ଼କୁ ତୁମର ମତିଗତି ଅଛି ।”

 

ଦେବୀପାଦ ସ୍ଵାମୀଜୀଙ୍କ ମୁହଁଙ୍କୁ ଚାହିଁଲା । ଗମ୍ଭୀର ହୋଇ କହିଲା–“ବାପା ବର୍ତ୍ତମାନ ସେକଥା ଆପଣଙ୍କୁ କହି ନ ଥିଲେ ?”

 

“କିନ୍ତୁ ସେ କହି ନ ଥିଲେ ତୁ ଶିବାନନ୍ଦଙ୍କ ଭକ୍ତ ବୋଲି ।”

 

“ଆପଣ ଆସିବାବେଳେ ମୋ ଟେବୁଲ୍ ଉପରକୁ ଚାହିଁ ନାହାଁନ୍ତି ? ତାଙ୍କର “ସନ୍ଥଜୀବନୀ” ବହିଟା ପରା ମୋ ପାଖରେ ଥିଲା ।”

 

“ବୁଦ୍ଧିମାନ୍ ତୁ । କେଉଁଯାଏ ପଢ଼ିଛୁ ?”

 

“ବି. ଏ. ପଢ଼ୁଥିଲି । ଭଲ ଲାଗିଲାନି କଲେଜରେ ପଢ଼ିବାକୁ ।”

 

“ସମ୍ଭବ ନୁହଁ କି, ଧର୍ମ ମଧ୍ୟ, ବେଳ ପଡ଼ିପାରେ ତୋତେ ଭଲ ନ ଲାଗିବ ।” ସ୍ଵାମୀଜୀ ହସିଦେଲେ । ସେତିକିବେଳେ ବସୁନ୍ଧରା ଜାତକବିଡ଼ା ଆଣି ରଖିବାରୁ କଥା ବ୍ୟାହତ ହେଲା ।

 

“କାଗଜ ପେନ୍‍ସିଲ ଆଣ, ବିନା ଅଙ୍କ କଷି ମୁଁ ଫଳାଫଳ କହିପାରିବିନି । ଗାଁ ଅବଧାନମାନଙ୍କ ପରି ମୁଁ କ’ଣ ଚାଲାକ୍ ?”

ବସୁନ୍ଧରା କାଗଜ ପେନ୍‍ସିଲ ପାଇଁ ପଢ଼ାଘରକୁ ଦଉଡ଼ିଗଲେ । ଜାତକବିଡ଼ାରୁ ସାଧୁ ଗୋଟିଏ ଭିଡ଼ିନେଲେ । ଦେଖେ, କାହାର ଭାଗ୍ୟ ଫିଟୁଛି । ଜାତକରୁ ଏପଟ ସେପଟ କରି ପଢ଼ିଲେ–“ଶ୍ରଦ୍ଧାନାମ ଦେବୀପାଦ ଷଡ଼ଙ୍ଗୀ । ବାବା ! ତୁମର ।”

 

ସାଧୁ ଦେବୀପାଦର ମୁହଁକୁ ଚାହିଁ ହସିଦେଲେ ।

 

“ହଁ, ତା’ର, ତାରି ପ୍ରଥମେ ଦେଖନ୍ତୁ ।” ଅଗଣାରେ ଠିଆହୋଇ ବସୁନ୍ଧରା କହିଲେ । ବାରଣ୍ଡାରେ ଦେବୀ, ଶିବ, ଷଡ଼ଙ୍ଗୀ, ସ୍ୱାମୀଜୀଙ୍କ ପାଖରେ ବସିଥାଆନ୍ତି । ତାଳପତ୍ରଟିରୁ କିପରି ଭବିଷ୍ୟତ୍ ଜଣାପଡ଼ିବ ସେ କଥା ଭାବି ଦେବୀପାଦ ଓ ଶିବନାଥ ବିସ୍ମିତ ହେଉଥାଆନ୍ତି । ସେମାନେ ସ୍ୱାମୀଜୀଙ୍କ ଫଳାଫଳକୁ ଉଦ୍‍ବିଗ୍ନ ହୋଇ ଅପେକ୍ଷା କରିଥାଆନ୍ତି । ତେବେ ଶିବନାଥର ଉଦବେଗ ବାହାରକୁ ରହି ରହି ପ୍ରକାଶିତ ହୋଇଯାଉଥାଏ । ଦେବୀପାଦ ବାହାରକୁ ନୀରବ, ନିଷ୍ପନ୍ଦ, ନିଶ୍ଚଳ । ସାଧୁ କାଗଜରେ କ’ଣ କଷିବାରେ ବ୍ୟସ୍ତ । ପୁଅମାନଙ୍କ ଭାଗ୍ୟର ଅନାବୃତ ସୌନ୍ଦର୍ଯ୍ୟକୁ ଦେଖିବାକୁ ଅପେକ୍ଷାମାନ ଷଡ଼ଙ୍ଗୀ ସାଧୁଙ୍କ ମୁହଁକୁ ଭକ୍ତିବିଭୋର ହୋଇ ଚାହିଁ ରହିଥାନ୍ତି, ସତେ ଯେପରି ତାଙ୍କର ତତ୍କାଳୀନ ଏକାଗ୍ରଭକ୍ତି ସ୍ୱାମୀଜୀଙ୍କୁ ଗଣନା କରିବାରେ ସାହାଯ୍ୟ କରୁଛି, ଆଉ ତା’ ସଙ୍ଗେ ସଙ୍ଗେ ପୁଅମାନଙ୍କ ଭାଗ୍ୟକୁ ସୁଖୋଚ୍ଛଳ କରୁଛି !

 

ନିସ୍ତବ୍‍ତା ଭଙ୍ଗକରି ସାଧୁ କହିଲେ–

 

“ବେଟା ଦେବୀ, ଇଧର ଆଓ ।” ତାଙ୍କ ତୁଣ୍ଡରେ ହଠାତ୍ ହିନ୍ଦୀ ଶୁଣି ଅଳ୍ପ ବିରକ୍ତ ହୋଇ ଦେବୀପାଦ ସାଧୁଙ୍କ ପାଖକୁ ଘୁଞ୍ଚିଗଲା । ସାଧୁ ଦେବୀ ପିଠିରେ ହାତ ବୁଲାଉ ବୁଲାଉ କହିଲେ–“ଷଡ଼ଙ୍ଗୀ ! ଏ ପୁଅର ବିଶେଷ ଯତ୍ନ ନେବୁ । ଏ ପୁଅ ଜାତକରେ ପ୍ରବ୍ରଜ୍ୟା ଯୋଗ ଓ ଉଭୟ ରହିଛି । ମୁଖରେ ନିତ୍ୟ ହରିନାମ, କୋଳରେ ନିତ୍ୟ ନୂତନ ଷୋଡ଼ଶୀ, ଏହା ହିଁ ଏ କୋଷ୍ଠୀର ହେଉଛି ବିଶେଷତ୍ୱ ।”

 

“ଆପଣ ଅସଙ୍ଗତ କଥା କହୁଛନ୍ତି” –ଷଡ଼ଙ୍ଗୀ କହିଲେ ।

 

“ଚୁପ୍ କର,” ଫଳାଫଳ କହିବାବେଳେ ମୁଁ କେବେ ପରିହାସ କରେନି ।

 

ଏତକ କହିବାପରେ ସ୍ୱାମୀଜୀଙ୍କର କଣ୍ଠସ୍ୱର ବଦଳିଗଲା । ରହି ରହି ସେ କହିଲେ–“ସଂସାରରେ ସବୁ ସମ୍ଭବ । ଆକୃତି ଦେଖି ମଧ୍ୟ ମାନବ ଚରିତ୍ର ଓ ଭାଗ୍ୟ ମୁଁ କିଛି କିଛି ଜାଣିପାରେ । ତୋର ଏଇ ପୁଅ, ପଢ଼ାଘରେ, ଲେଖିବାରେ ବ୍ୟସ୍ତ ଥିବାବେଳେ ମୋ ଦୃଷ୍ଟି ପଡ଼ୁ ପଡ଼ୁ ମୁଁ ତା’ଠି ଅନେକ ବିଶେଷତ୍ୱ ଦେଖିବାକୁ ପାଇଲି । ତା’ ପ୍ରତି ମୋର ଆଗ୍ରହ ବଢ଼ି ବଢ଼ି ଗଲା । ସେଇଥିପାଇଁ ତୁ ଜାତକ ଦେଖିବାକୁ କହିବାରୁ ମୁଁ ମନା ନ କରି ତା’ରି ଜାତକ ଦେଖିବାକୁ ସୁଯୋଗ ମିଳିବ ଭାବି ତୋ ପ୍ରସ୍ତାବରେ ହଁ କଲି । ଘଟଣାଚକ୍ରରେ ପଡ଼ିବା ପୂର୍ବରୁ ପ୍ରତ୍ୟେକ ମଣିଷ ଅତି ସାଧାରଣ ଜଣାପଡ଼ନ୍ତି । ସେହିପରି, ଦେବୀପାଦ ହାତପାଦମୁଣ୍ଡ ଥାଇ ଲକ୍ଷ ଲକ୍ଷ ଲୋକଙ୍କ ଭିତରୁ ଜଣେ; କିନ୍ତୁ ହଠାତ୍ ସମୟ ଆସିବ, ଯାହା କେହି ଭାବି ନ ଥିବେ, ସେ ମଧ୍ୟ ଭାବି ନ ଥିବ, ସେୟା ଘଟିଯିବ । ବଡ଼ ଅଦ୍ଭୂତ ଏଇ ସଂସାର !”

 

ସ୍ୱାମୀଜୀଙ୍କର କଥା ବନ୍ଦ ହୋଇଗଲା, ସେ ଅତ୍ୟନ୍ତ ଦୁଃଖିତ ହୋଇ ଶୂନ୍ୟ ଆକାଶକୁ ନିର୍ନିମେଷ ଦୃଷ୍ଟିରେ ଚାହିଁବାକୁ ଲାଗିଲେ । ସ୍ୱାମୀଜୀଙ୍କର ଭାବଭଙ୍ଗୀରେ ସମସ୍ତେ ଆତଙ୍କିତ ହୋଇ ଉଠୁଥାନ୍ତି । ଦେବୀପାକ କିନ୍ତୁ ସବୁ ଛଳନା ଭାବି ବିରକ୍ତିରେ ଉଠି ଚାଲିଗଲା । ହେଲେ ତା’ ଚାଲିଯିବା କାହାର ଧ୍ୟାନକୁ ବିକେନ୍ଦ୍ରୀତ କଲାନି । ସ୍ୱାମୀଜୀ କ’ଣ କହିବାକୁ ଚାହୁଁଥିଲେ, ନ କହି ରହିଗଲେ, ତା’ ଜାଣିବାକୁ ସମସ୍ତଙ୍କର ଉଦ୍ଵିଗ୍ନତା କ୍ରମେ ବଢ଼ି ବଢ଼ି ଯାଉଥାଏ ।

 

“ସ୍ୱାମୀଜୀ ! ଆଉ କ’ଣ ?” ଷଡ଼ଙ୍ଗୀ ବ୍ୟାକୁଳିତ ହୋଇ ପଚାରିଲେ ।

 

“ତୋ କୂଳର ସମସ୍ତ ପାପ ଏଇ ପୁଅ ତା’ କାନ୍ଧରେ ବୋହି ତୁମ ସମସ୍ତଙ୍କୁ ଉଦ୍ଧାର କରିବ; କିନ୍ତୁ ସେହିପାଇଁ ତାକୁ ଅକଥନୀୟ କଷ୍ଟ ସହିବାକୁ ହେବରେ ମଧୁ !”

 

“ମାନେ ?” ଷଡ଼ଙ୍ଗୀଙ୍କ ଭୟାକୁଳିତ କଣ୍ଠସ୍ୱର ସମୁଦ୍ରର ଅତଳ ଗହ୍ୱରରୁ ସମସ୍ତ ଜଳରାଶିର ଓଜନ ଚିରି ବାହାରକୁ ବାହାରିବା ପରି ଶୁଣାଗଲା ।

 

“ଯାହା ଯାହା ପାପ ତୁ କରିଛୁ ତୋ ଜୀବନରେ, ସବୁ ଏହାରି ଜୀବନରେ ଫଳିବ । ସବୁ ଏଇ ଭୋଗିବ । ତେବେ ଜଣେ ଭାଇ କିଛି ଭାଗ ନେଇପାରେ ।”

 

“ଗୁରୁଦେବ !!”

 

“ଯାଃ, ମୁଁ ଆଉ କିଛି କହିପାରିବିନି, ମୋର ସମୟ ହୋଇଗଲା, ମୁଁ ଚାଲିଲି ।” ସାଧୁ ଉଠିପଡ଼ି ଜାତକବିଡ଼ା ଫୋପାଡ଼ି ଦେଇ ତରତର ହୋଇ ବାହାରକୁ ଚାଲିଗଲେ । ବସୁନ୍ଧରା ଆବାକାବା ହୋଇ ଚାହିଁଥାନ୍ତି । ଷଡ଼ଙ୍ଗୀ ତାଙ୍କର ପଛେ ପଛେ ଗୋଡ଼ାଇଲେ ।

 

“ସ୍ୱାମୀଜୀ ! ସ୍ୱାମୀଜୀ !!!” ଆଉ ଟିକିଏ ପରିଷ୍କାର କରି କହିକି ଯାଆନ୍ତୁ । ଷଡ଼ଙ୍ଗୀଙ୍କ ଆକୁଳ ଚିତ୍କାର । ବସୁନ୍ଧରା ସେମାନଙ୍କ ପଛେ ପଛେ ଗଲେ । ସେହି ସମୟରେ ଦାଣ୍ଡଦୁଆରେ ସାଧୁ ଷଡ଼ଙ୍ଗୀଙ୍କ କାନରେ କ’ଣ କହୁଥିବା ଦେଖି ବସୁନ୍ଧରା ଶିବକୁ ତେଣେ ଯିବାକୁ ବାରଣ କରି ନିଜେ ଦୂରରେ ଠିଆହୋଇ ରହିଲେ । ବ୍ୟାଧବାଣଭୀତା ହରିଣୀ ପରି ତାଙ୍କ ଦେହ ଥରୁଥାଏ । ସ୍ୱାମୀଜୀ କ’ଣ କହିଲେ କେଜାଣି, ଶୁଣିବାପରେ ଷଡ଼ଙ୍ଗୀଙ୍କ ମୁହଁ ବିବର୍ଣ୍ଣ ହୋଇଗଲା, ସେ ‘ହା ଦୈବ !’ କହି ଉଠିଲେ । ଚକ୍ଷୁ ତାଙ୍କର ଅସ୍ୱାଭାବିକରୂପେ ବିସ୍ଫାରିତ ହୋଇଯାଇଥାଏ । ଷଡ଼ଙ୍ଗୀଙ୍କୁ ସେହି ଅବସ୍ଥାରେ ଛାଡ଼ିଦେଇ ସାଧୁ ଚାଲିଗଲେ । ଷଡ଼ଙ୍ଗୀ ବାରଣ୍ଡାରେ ବସି ରହିଲେ । ସାଧୁଙ୍କ କଥା ମନେ ପଡ଼ିଯାଉଥାଏ–ପିତାର କର୍ମ ପୁତ୍ରଭାଗ୍ୟରେ ପ୍ରତିଫଳିତ ହୁଏ । ପିତାର ପାପ ମଧ୍ୟ ପୁଅମାନେ ଧନସମ୍ପତ୍ତି ସହ ଭାଗ ବାଣ୍ଟନ୍ତି । ଦେଖ....ଷଡ଼ଙ୍ଗୀଙ୍କ ହୃଦୟ ହାହାକାର କରି ଉଠିଲା, ନା, ନା, ଦେବୀର ପରିଣତି ଏପରି କେବେ ହୋଇ ନ ପାରେ । କେବେ ନୁହେଁ, ଅସମ୍ଭବ : ପିତାର ପାପ…. !

 

ବହୁତ ଦିନ ତଳର ଘଟଣା–

 

ସୋଲରୀ ପାହାଡ଼ର ସ୍କନ୍ଧ ଚିରି ସୂର୍ଯ୍ୟ ଉଦୟ ହେବା ପରି ବିସ୍କୃତିର ଅନ୍ଧକାର ମଧ୍ୟରୁ ସେ ଘଟଣା ଷଡ଼ଙ୍ଗୀଙ୍କ ମନେ ପଡ଼ି ଆସିଲା । ଯୌବନରେ ସେ ଥିଲେ ବଡ଼ ବେଶି ଉଚ୍ଛୃଙ୍ଖଳା, ଅସାଧ୍ୟ । ବସୁନ୍ଧରା ସୁନ୍ଦରୀ ଥିଲେ, ଅଙ୍ଗପ୍ରତ୍ୟଙ୍ଗ ତାଙ୍କର ଭୋଗ୍ୟବସ୍ତୁ ଭରପୁର ଥିଲା; କିନ୍ତୁ ବର୍ଷ ପାଞ୍ଚୁଟାରେ ପ୍ରଥମ ସନ୍ତାନର ଜନ୍ମ ପରେ ପରେ ତାଙ୍କର ଯୌବନଶ୍ରୀ ମଉଳି ପଡ଼ିଲା । ବିଗତ ଯୌବନା ସ୍ତ୍ରୀଙ୍କୁ ଭଲ ପାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସ୍ତ୍ରୀଙ୍କଠୁ ତାଙ୍କର ମନ ଭାଙ୍ଗିଗଲା । ମନର ତୃଷ୍ଣା ବଦଳିବା ସଙ୍ଗେ ସଙ୍ଗେ ତାଙ୍କର ଜୀବନ–ଦର୍ଶନ ମଧ୍ୟ କ’ଣ ? ତାହା ହେଲେ ଭଗବାନ ଶକ୍ତି, ପୌରୁଷ, ଦେଇଥିଲେ କାହିଁକି ?

 

ଯୌବନକୁ ମଦପିଆଲାର ମଦ ପରି ଏକାଥରେ ପିଇଯିବାର ଦୁଃସାହସ ରଖୁଥିବା ବହୁ ସଙ୍ଗୀ ମଧ୍ୟ ଷଡ଼ଙ୍ଗୀଙ୍କ ଦର୍ଶନ ପରିବର୍ତ୍ତନ ହେଉଥିବାର କ୍ରାନ୍ତି କାଳରେ ଜୁଟିଗଲେ ।

 

ବୁଭୁକ୍ଷା ।

 

ଯୁବତୀ ସୌନ୍ଦର୍ଯ୍ୟ ଚିନ୍ତିନ । ବିବାହିତା, ଅବିବାହିତା ।

 

ସେ ଗୋରୀ ।

 

ସେ ମରାଳଗମନୀ ।

 

ସେ ମଦମତ୍ତା ।

 

କୀର୍ତ୍ତନ ।

 

ମନନ ।

 

ନିଦିଧ୍ୟାସନ ।

 

ଦୁଃସାହସ ।

 

ମୋକ୍ଷ ।

 

ସାହିର ପୀତାମ୍ବର ରଥ, ଏକଲା ସେ, ଦିନେ ବାହାହେବାକୁ ଯାଉଛି କହି ଗଞ୍ଜାମ ଆଡ଼େ ଚାଲିଗଲା । ତିନିଦିନ ପରେ ଫେରିବାବେଳକୁ ସାଥୀରେ ସତର ଅଠର ବର୍ଷର ସୁନ୍ଦରୀ ଯୁବତୀଟିଏ । “ମୋର ସ୍ତ୍ରୀ, ସାରସୀ, ଖଲ୍ଲିକୋଟର ଜଣେ ଗରିବ ବ୍ରାହ୍ମଣ, କନ୍ୟା ଦାନ କଲେ ।”

 

ଗାଁକୁ ଫେରି ଆସି ପୀତାମ୍ବରର ଏତିକି ବକ୍ତବ୍ୟ ଥିଲା । କେହି ଆଉ ବେଶି କୌତୂହଳୀ ହେଲେ, ପୀତାମ୍ୱର କାର୍ଯ୍ୟର ବାହାନା କରି କଥା ବନ୍ଦ କରିଦେଇ ଉଠି ଚାଲି ଯାଉଥିଲା । ବଡ଼ ଏକବାଗିଆ, ଏକଜିଦିଆ ଲୋକଟା । ସାହିର କାହା ଘରକୁ ସେ ଯାଏନି କି ତା’ ପାଖକୁ କେହି ଆସନ୍ତିନି । ତା’ ବିଭାଘର ପରେ ଲୋକ ଅଯାଚିତ ବନ୍ଧୁ ହୋଇ ତା’ ଘରକୁ ଆସିବାରୁ ସେ ମନେ ବିରକ୍ତ ହେଉଥିଲା ।

 

ସାରସୀ ଘରେ ଗୋଡ଼ ଦେବା ପରେ ପରେ ପୀତାମ୍ବରର ଗୃହର ରୂପ ବଦଳିଗଲା । ଧୀରେ ଧୀରେ ଘର ଭିତରୁ, ବାହାର, ସବୁ ଶୃଙ୍ଖଳିତ ବ୍ୟବସ୍ଥିତ ହୋଇ ଉଠିଲା । ପନିପରିବା ଗଛରେ ଘରପଛ ବାଡ଼ିଆଡ଼ ହସି ଉଠିଲା, ଆଉ ଦାଣ୍ଡପିଣ୍ଡାକୁ ଲାଗି ଜାଗାଟି ବହୁ ରକମର ଫୁଲ ଗଛରେ ପୁରିଗଲା । ଗାଁ ଲୋକେ ପୀତାମ୍ବର ସ୍ତ୍ରୀଙ୍କର ସୌନ୍ଦର୍ଯ୍ୟ, ଶୀଳ ଓ ଗୃହକାର୍ଯ୍ୟରେ ନୈପୁଣ୍ୟ ଦେଖି ଆଶ୍ଚର୍ଯ୍ୟ ହେଲେ, କେତେ ଲୋକ ଇର୍ଷାରେ ମଧ୍ୟ ଜଳିଗଲେ । ସାରସୀଙ୍କର ରୂପ ସେମାନେ ପ୍ରତିଦିନ ଦେଖୁଥିଲେ, ଗରିବଘର ବୋଲି ପୋଖରୀରୁ ପାଣି ଆଣିବାଠୁ ଆରମ୍ଭ କରି ଘର ଲିପାପୋଛା, କିଏ କେତେବେଳେ ଆସିଲେ ତାଙ୍କ ସହ କଥାବାର୍ତ୍ତା ହେବା, ସବୁ ତାଙ୍କୁ କରିବାକୁ ପଡ଼ୁଥିବାରୁ ଅସୂର୍ଯ୍ୟଂପଶ୍ୟା ହୋଇ ସାରସୀ ଆଉ ରହିପାରି ନ ଥିଲେ । ସେଥିରେ କିନ୍ତୁ ତାଙ୍କର ଗ୍ଲାନି ନଥିଲା, ସବୁକାର୍ଯ୍ୟ ଯେପରି ତାଙ୍କର କର୍ତ୍ତବ୍ୟ, ସେହିପରି ଅବିଚଳିତ ଭାବେ, ନିନ୍ଦା ପ୍ରଶଂସାକୁ ଭ୍ରୁକ୍ଷେପ ନକରି, ସେ ପୀତାମ୍ବର ଗୃହର କାର୍ଯ୍ୟ ତୁଲାଇବାକୁ ଲାଗିଲେ, ଏକନିଷ୍ଠ ହୋଇ ପୀତାମ୍ବରର ସେବା କରିବାକୁ ଲାଗିଲେ । ଧୀରେ ଧୀରେ ତାଙ୍କର ଆୟତ୍ତ ଚଞ୍ଚଳ ଚକ୍ଷୁ, ହଳଦୀ ପରି ଶରୀର ରଙ୍ଗ, ତୀକ୍ଷଣ ନାସିକା, ଉଭା ଉରଜର ଯଶ, ଶାସନର ଅନ୍ୟାନ୍ୟ ଯୁବକମାନଙ୍କ ଦୃଷ୍ଟିକୁ ଆସିବାପରି ମଧୁସୂଦନ ଷଡ଼ଙ୍ଗୀଙ୍କ ଦୃଷ୍ଟିରେ ମଧ୍ୟ ପଡ଼ିଲା । ସାରସୀଙ୍କୁ ବାରମ୍ବାର ଦେଖିବା ପରେ ମଧୁସୂଦନଙ୍କର ବ୍ୟାକୁଳତା ବଢ଼ିଗଲା । ତା’ପରେ ଷଡ଼ଙ୍ଗୀ ଇଚ୍ଛା ନ କଲେ ମଧ୍ୟ ରାସ୍ତାରେ ବହୁବାର ସାରସୀଙ୍କୁ ଦେଖିବାକୁ ଲାଗିଲେ । ଅକସ୍ମାତ୍ ବାଟରେ ସାରସୀ ସମ୍ମୁଖୀନ ହୋଇଗଲେ ଷଡ଼ଙ୍ଗୀଙ୍କ ଅନ୍ତରାତ୍ମା କଷ୍ଟରେ ଚିତ୍କାର କରିଉଠୁଥିଲା । ଶେଷରେ ସେ ଉଦ୍ଦେଶ୍ୟ ସିଦ୍ଧି ପାଇଁ ନାନା ଉପାୟ ଭାବିବାକୁ ଲାଗିଲେ । ତେବେ ବାଧା ଅନେକ; ସବୁଠୁ ବେଶି ଡର ଲାଗୁଥାଏ ତାଙ୍କୁ ଗାଁଲୋକଙ୍କ କଥା ଶୁଣି–ସତୀ ସ୍ତ୍ରୀ ସାରସୀ, ସତୀ, ପତିବ୍ରତା । ଗାଁର ଲକ୍ଷ୍ମୀ ! ତାଙ୍କର ସ୍ଵାମୀସେବା ଦେଖି ଲୋକେ ଏହିପରି କଥାବାର୍ତ୍ତା ହେଉଥାନ୍ତି । ସମ୍ମାନ ଦେଖାଉଥାନ୍ତି । ମଧସୂଦନଙ୍କ ମନରେ ପ୍ରଶ୍ନ ଉଠୁଥାଏ, ବାସ୍ତବରେ କ’ଣ ସାରସୀ ସତୀ ? ନା ସୁବିଧା ପାଇ ନାହାନ୍ତି ବୋଲି ସତୀ ? ଯଦି ସତରେ ସତୀ ହୋଇଥାନ୍ତି, ତା’ହେଲେ ତ ଅଡ଼ୁଆ କଥା; କିନ୍ତୁ ତାଙ୍କ ଅନ୍ତରଟା କହି ଉଠୁଥାଏ, ନା, ନା, ସାରସୀ ସତୀ ନୁହଁନ୍ତି । ତାଙ୍କର ଅସାଧାରଣ ସୌନ୍ଦର୍ଯ୍ୟ ଏ ସ୍ଵାମୀସେବା ହଁ ତାଙ୍କୁ ଗାଁର ସତୀ, ପୂଜ୍ୟା କରିଦେଇଛି । କିଛି ଠିକ୍ କରିପାରନ୍ତିନି ଷଡ଼ଙ୍ଗୀ ।

 

ଦିନେ ଅଧା ଜବରଦସ୍ତ ଭାବେ ସେ ବସୁନ୍ଧରାଙ୍କୁ ନେଇ ତାଙ୍କ ବାପଘରେ ଛାଡ଼ିଦେଇ ଆସିଲେ । ବସୁନ୍ଧରାଙ୍କର କିନ୍ତୁ ମହାସୁଖ, ବାପ ଘରଠୁ ବଳି ସ୍ୱର୍ଗ ଅଛି ନା ଶାଶୁଘରଠୁ ବଳ ଗୌରବ ନରକ ମର୍ତ୍ତ୍ୟରେ ଆଉ ଅଛି ? ରମାକାନ୍ତ ବସୁନ୍ଧରାଙ୍କ ସଙ୍ଗେ ଅଜାଘରକୁ ଗଲା; କିନ୍ତୁ ଦେବୀପାଦ ଜାନକୀ ପାଖେ ରହିଗଲା, ସେତେବେଳେ ତାକୁ ପାଞ୍ଚ ଛଅ ବର୍ଷ ହେବ । ବସୁନ୍ଧରାଙ୍କୁ ପିଲାଦିନୁ କାହିଁକି କେଜାଣି ସେ ଆରୁ ନ ଥିଲା ।

 

ବସୁନ୍ଧରାଙ୍କୁ ଛାଡ଼ି ଷଡ଼ଙ୍ଗୀ ଶାସନକୁ ଫେରିବା ମାତ୍ରେ ଶୁଭ ଖବର ଶୁଣିଲେ । ଶୁଣିଲେ, ଏ ଭିତରେ ପୀତାମ୍ବର କଲିକତାକୁ ଚାକିରି କରିବାକୁ ଚାଲିଯାଇଛି । ଘରେ ଏକା ସାରସୀ । ପୀତାମ୍ବରର ଅନୁପସ୍ଥିତି ଦିନତକ ସାରସୀ ବାପଘରକୁ ଯାଇ ରହିବାକୁ ମନା କରିଦେଇଥିଲେ । ଭିକ୍ଷୁକ ବାପଗୃହଠୁ ଶାଶୁନଣନ୍ଦ ଶୂନ୍ୟ ଶାଶୁଘର ବେଶି ସୁଖଦ । ପୁଣି ସତୀ ସ୍ତ୍ରୀର କ’ଣ ବିପଦ ? ଏ ଖବର ଶୁଣି ଷଡ଼ଙ୍ଗୀକୁ ତାଙ୍କର ଛାତିର ଗତି ବନ୍ଦ ହୋଇଯିବା ପରି ଲାଗିଲା, ଆନନ୍ଦର ଅତିଶଯ୍ୟାରେ ତାଙ୍କର ରୋମାଞ୍ଚ ହୋଇ ଆସିଲା । ଉଦ୍ଦେଶ୍ୟ ପୂରଣ କରିବାପାଇଁ ସେ ମନେ ମନେ ନାନା ଉପାୟ ଖୋଜିବାକୁ ଲାଗିଲେ । ହଠାତ୍ ଦିନେ ସାଙ୍ଗମାନଙ୍କ ଉପରେ ସେମାନଙ୍କର କୌଣସି ଅଶ୍ଲୀଳ ପ୍ରସ୍ତାବରେ ଭୀଷଣ ରାଗି ସେମାନଙ୍କୁ ତାଙ୍କର ଘରକୁ ଆଉ କେବେ ନ ଆସିବାକୁ କହିଦେଲେ । ଷଡ଼ଙ୍ଗୀଙ୍କର ପରିବର୍ତ୍ତନରେ ସଙ୍ଗୀମାନେ ଆଶ୍ଚର୍ଯ୍ୟ ହେଲେ; କିନ୍ତୁ ବଡ଼ଲୋକକୁ ଉତ୍ତର କ’ଣ ? ଦଶ ବାର ଦିନ ଚାଲିଗଲା । କୌଣସି ଉପାୟ ଷଡ଼ଙ୍ଗୀକୁ ନିରାପଦ ଜଣା ପଡ଼ୁ ନ ଥାଏ । ଦିନେ ଆଉ ସେ ସମ୍ଭାଳି ପାରିଲେନି । ସକାଳୁ ଆକାଶ ମେଘାଚ୍ଛନ୍ନ ହୋଇ ଥଣ୍ଡାପବନ ବହୁଥାଏ । ଝୁପୁରୁ ଝୁପୁରୁ ବର୍ଷା ମଧ୍ୟ ହେଉଥାଏ । ସେ ସାହସ କରି ସାରସୀଙ୍କ ପାଖକୁ ଚିଠି ଲେଖିଲେ–

 

ପ୍ରିୟେ,

 

ମୁଁ ଏକାନ୍ତ ହରିଣ, ବିରହ ବାଡ଼ବାଗ୍ନିରେ ପରିବୃତ୍ତ ହୋଇ ଜଳି ମରୁଛି । ତୁମ ଉପବନର, ତୁମର ହରିଣ ହୋଇ ରହିବାକୁ ଇଚ୍ଛା ଦିନୁଦିନ ବଢ଼ି ଚାଲିଛି । ତୁମର ଆଶ୍ରା ପାଇଲେଇ ଏ କାମନାଗ୍ନିରୁ ରକ୍ଷା ପାଇବି । ତୁମ ପରି ସୁନ୍ଦରୀ ଏ ଚକ୍ଷୁ କେବେ ଦେଖି ନଥିଲା, ମୃତ୍ୟୁ ପୂର୍ବରୁ ଆଉ କେବେ ଦେଖିବ ବୋଲି ମଧ୍ୟ ବିଶ୍ୱାସ ନାହିଁ । ମଣିଷର ବଞ୍ଚିବା ମରିବା ବଡ଼ ଅନିଶ୍ଚିତ । ସଂସାର ଛାଡ଼ିଯିବା ପୂର୍ବରୁ ତୁମ ଉପବନରେ ବିଚରଣ କରିବାର ଯଦି ସୌଭାଗ୍ୟ ନ ପାଏ, ତା’ ହେଲେ ମୋର ବଡ଼ ଦୁଃଖ ରହିଯିବ, ସତ କହୁଛି ପ୍ରିୟେ, ବଡ଼ ଦୁଃଖ ! ମୋତେ ତ ବେଳେ ବେଳେ ଲାଗୁଛି, ମୁଁ ସଂସାରକୁ ତୁମପାଇଁ ଆସିଛି, କେବଳ ତୁମର ପାଇଁ, ତୁମର ରସୋଚ୍ଛଳ ଯୌବନ, ଅଧର ମଧୁ ପାଇଁ । ବାରମ୍ଵାର ମୁଁ ଏ ସଂସାରକୁ ଆସୁଥିବି, କେତେଥର ଆସିଥିବି ତା’ ବା କିଏ କହିବ ? ଧନ, ଜନ, ଗୋପଲକ୍ଷ୍ମୀ ସବୁଥିରେ ଐଶ୍ଵର୍ଯ୍ୟଶାଳୀ ମୁଁ; କିନ୍ତୁ କେଡ଼େ ଦୁଃଖ, କେଡ଼େ ଦୁଃଖରେ ଦୁଃଖୀ ମୁଁ...ହା ଭାଗ୍ୟ, ମୋତେ କ’ଣ କେହି ହେଲେ ଭଲ ପାଇବେନି ? ବିଭବଶାଳୀ ଲୋକ ଦାନ କରନ୍ତି । ମହାଦାନୀ କର୍ଣ୍ଣ ଓ ହରିଶ୍ଚନ୍ଦ୍ର ପରର ସନ୍ତୋଷ ପାଇଁ ସର୍ବସ୍ୱ ଲୁଟାଇ ଦେଇଥିଲେ । ସୌନ୍ଦର୍ଯ୍ୟ କ’ଣ ସବୁ ସମ୍ପତ୍ତିଠୁଁ ବଡ଼ ସମ୍ପତ୍ତି ନୁହେଁ ? ମୁଁ ସର୍ବହରା ପ୍ରିୟେ, ମୋତେ ଭିକ୍ଷା ଦିଅ ।

 

ଜୋର୍ରେ ବର୍ଷା ଛିଞ୍ଚଡ଼ା ପଡ଼ିବାରୁ ସମସ୍ତେ ଦାଣ୍ଡ ପଟର ଦୁଆର ଝରକା ଦେଇ ଘର ଭିତରେ ରହିଥାନ୍ତି । ଚିଠି ଖଣ୍ଡକ ଲେଖି ସାରିବାପରେ ଷଡ଼ଙ୍ଗୀଙ୍କର ଛାତି ଜୋରରେ ଉଠୁଥାଏ ପଡ଼ୁଥାଏ । ଜିଭମୂଳ ଶୁଖି ଯାଉଥାଏ । ସେ ଉଠି ଠିଆହେଲେ । ପେଣ୍ଡା ଥରୁଥାଏ, ଠିଆ ନହୋଇ ତାଙ୍କର ବସିପଡ଼ିବାକୁ ଇଚ୍ଛା ହେଉଥାଏ । ଚାରିଆଡ଼କୁ ଚାହିଁ ଚାହିଁ ସେ ପୀତାମ୍ବର ବାରଣ୍ଡା ଉପରକୁ ଚଢ଼ି ଦାଣ୍ଡ ଦୁଆରେ କରାଘାତ କଲେ । କେତୋଟି ମୁହୂର୍ତ୍ତ ଯାଇ ନ ଥିବ, ଦୁଆର ଫିଟିଗଲା । ସାରସୀ ଷଡ଼ଙ୍ଗୀଙ୍କୁ ଦେଖି ମୁଣ୍ଡରେ ଓଢ଼ଣା ଟାଣିଦେଲେ । ତାଙ୍କ ବାରଣ୍ଡାରେ ଷଡ଼ଙ୍ଗୀ କିପରି ! ପୀତାମ୍ବର ରଥ ଘରେ ତାଙ୍କର କ’ଣ କାମ ରହିପାରେ !! ମଧୁସୂଦନ କ’ଣ କହିବେ ବୋଲି ସାରସୀ କାନ୍ଥକଡ଼କୁ ଆଉଜି ଅପେକ୍ଷା କରିବାକୁ ଲାଗିଲେ । ବହୁ ସମୟ ଚାଲିଗଲା । ବର୍ଷା ଛିଞ୍ଚଡ଼ାରେ ଘର ଭିତର ଓଦା ହେବାକୁ ଲାଗିଲାଣି । ଷଡ଼ଙ୍ଗୀ କିଛି କହୁ ନ ଥାନ୍ତି । ସାରସୀ ଆଶ୍ଚର୍ଯ୍ୟ ହୋଇ ଦାଣ୍ଡ ବାରଣ୍ଡାକୁ କଣେଇ ଚାହିଁଲେ । କେହି ଦିଶୁ ନ ଥିଲେ, ଆରେ ଷଡ଼ଙ୍ଗୀ କୁଆଡ଼େ ଗଲେ, ସେ ମୁଣ୍ଡରୁ ଓଢ଼ଣା କାଢ଼ି ପକାଇ ଚାହିଁଲେ, ଷଡ଼ଙ୍ଗୀ ପିଣ୍ଡାରେ ନ ଥିଲେ, ତାଙ୍କ ଗୋଡ଼ ପାଖେ କାଗଜଟିଏ ଉପରେ ଛୋଟ ପଥରଟିଏ ଥୁଆ ହୋଇଥିଲା । ସେ କାଗଜଟିକୁ ନେଇ ଦାଣ୍ଡଦୁଆର ବନ୍ଦ କଲେ ।

 

ଷଡ଼ଙ୍ଗୀ କିପରି ପୀତାମ୍ବର ଘରୁ ନିଜ ଘରେ ପହଞ୍ଚିଲେ ତା’ ଜାଣି ପାରିଲେନି । ଦାଣ୍ଡଘର ଆରାମଚୌକିରେ ଆଗ ବସିପଡ଼ି ସେ ଦମ୍ଭ ଧରିଲେ; କିନ୍ତୁ ସଙ୍ଗେ ସଙ୍ଗେ ଭୟ, ଅସମ୍ଭବ ଭୟ ଓ ଚିନ୍ତା ତାଙ୍କୁ ମାଡ଼ି ବସିଲା । କାହିଁକି ସେ ଏପରି ଭୁଲ କଲେ ! ଯଦି ସେ ଟୋକୀଟା ଚିଠିଟା ଅନ୍ୟମାନଙ୍କୁ ଦେଖାଇଦିଏ, ତାହେଲେ କେଡ଼େ ବଦନାମ ତାଙ୍କର ନ ହେବ । ଓଃ ! କ୍ଷଣିକ ଦୁର୍ବଳତାର କି ଭୀଷଣ ପରିଣାମ ! ତେବେ ଚିଠି ତଳେ ସେ ଦସ୍ତଖତ କରି ନାହାନ୍ତି । ନ ହେଲେ ସରିଥିଲା ତ । ପୁଣି ଚିଠିରେ ସମ୍ବୋଧନ ମଧ୍ୟ ସାରସୀଙ୍କୁ କରାହୋଇଛି ବୋଲି ପ୍ରମାଣ କ’ଣ ! ଖାଲି ତ ‘ପ୍ରିୟେ’ ଲେଖା ହୋଇଛି । ଷଡ଼ଙ୍ଗୀଙ୍କୁ ଧୈର୍ଯ୍ୟ ଆସିଲା । କିଛି ହେବନି । ତ୍ରାସରୁ ମୁକ୍ତ ହେବା ସଙ୍ଗେ ସଙ୍ଗେ ତାଙ୍କୁ ନିଦ ଆସିଗଲା । ସେ ଦାଣ୍ଡଘରର ଦୁଆର ଝରକା ସବୁ ବନ୍ଦ କରିଦେଇ ସେହି ଆରାମଚୌକିରେ ଗଡ଼ି ପଡ଼ିଲେ । ଅନ୍ୟଦିନେ ସେ ଶୋଇବା ପରେ ଯାଇ ଶୋଇବା କଥା । ସେଦିନ କାହିଁକି ଯେ ଦାଣ୍ଡଘରେ ସେ ଶୋଇବାକୁ ପସନ୍ଦ କଲେ, ତା’ ସେ ବହୁତ ପରେ ବୁଝିଥିଲେ ।

 

ବର୍ଷା ବଢ଼ି ବଢ଼ି ଯାଉଛି । ସମୟ ମଧ୍ୟାହ୍ନ ହେବ; କିନ୍ତୁ ରାତ୍ରିର ଅନ୍ଧକାର ଭଳି କଳାରଙ୍ଗ ସବୁଆଡ଼େ ଧୀରେ ଧୀରେ ବ୍ୟାପ୍ତ ହୋଇ ଯାଉଥାଏ । ଉପରେ ମେଘ ଦୁନ୍ଦୁଭି । ହଠାତ୍ ଦୁଆରେ କେହି ଡାକିବାରୁ ବୋଧହୁଏ, ଷଡ଼ଙ୍ଗୀଙ୍କ ନିଦ ଭାଙ୍ଗିଗଲା । ଛାତି ଧୁଡ଼୍ ଧୁଡ଼୍ କ୍ଷଣକ ପାଇଁ ତାଙ୍କର ବନ୍ଦ ହୋଇଗଲା । ଆରାମଚୌକିରୁ ସେ ଦୁଆର ଆଡ଼କୁ ଚାହିଁଲେ । ବାହାରେ ପୁଣି ଠୁକ୍ ଠୁକ୍ । ଶଙ୍କିତ ପଦରେ ସେ ଦୁଆର ମେଲାଇ ଦେଲେ । ଅନ୍ଧକାରରେ ପରିଷ୍କାର କିଛି ଜଣା ପଡ଼ୁ ନ ଥାଏ-। ତେବେ ସେ ଜାଣିଲେ–ସାରସୀଙ୍କ ସହିତ ବୋଝେ ଥଣ୍ଡାପବନ ଘର ଭିତରକୁ ପଶି ଆସିଲା-। ବ୍ୟାକୁଳ ହୋଇ ସେ ଦୁଆର ବନ୍ଦ କରିଦେଲେ । ଅନ୍ଧାରରେ ସାରସୀ ଆଉ ଦେଖାଗଲେନି-। ଦୁଆର ପାଖେ ଷଡ଼ଙ୍ଗୀ ଦୁର୍ବଳ ଛାତିରେ ଅପେକ୍ଷା କରୁଥାନ୍ତି ।

 

“ଆପଣ ସେ ଚିଠି ଲେଖିଥିଲେ ?”

 

.......

 

“ମୋର ସ୍ଵାମୀ ମୋ ପାଖରେ ନାହାନ୍ତି ବୋଲି, ଆପଣଙ୍କର ସମ୍ପତ୍ତି ଅଛି ବୋଲି ସିନା, ଆପଣଙ୍କର ଏତେ ସାହସ ! ଆପଣଙ୍କୁ ଲୋକ ଦିଶୁ ନାହାନ୍ତି, ଧର୍ମ ମନେ ପଡ଼ୁନି !!”

 

ଷଡ଼ଙ୍ଗୀ ଶୁଣି ନିରୁତ୍ତର ରହିଲେ । ସାରସୀଙ୍କର କ’ଣ ମନେ ହେଲା, ସେ ପୁଣି କହିଲେ, ଏଥରକ କିନ୍ତୁ କଥାରେ ତାଙ୍କର ଜୋର୍ ନ ଥିଲା–“ଆପଣ ଏଡ଼େ ଖରାପ ବୋଲି ବାହାରୁ ଜାଣି ପାରିବେନି । ଆପଣ ବିବାହିତ, ପିତା ମଧ୍ୟ, ତଥାପି “... ହଠାତ୍ ସାରସୀ ଷଡ଼ଙ୍ଗୀଙ୍କ ସାନ୍ନିଧ୍ୟରେ କ’ଣ ଅନୁଭବ କଲେ କେଜାଣି କହିଲେ–“ଓଃ ! ଆପଣଙ୍କ ଘରକୁ ଆସିବା ମୋର ଭୁଲ୍ ହୋଇଛି । ସେ ଚିଠି ମୁଁ ଗାଁ ପଞ୍ଚାୟତରେ ଦେଖାଇବି । ସେ ଫେରି ଆସନ୍ତୁ ।”

 

X X X

 

ସାରସୀ ନିଜେ କିନ୍ତୁ ଷଡ଼ଙ୍ଗୀଙ୍କ ଘରୁ ବିଳମ୍ବରେ ଫେରିଗଲେ । ଆଠମାସ ପରେ ଷଡ଼ଙ୍ଗୀ ଶୁଣିଲେ ସାରସୀଙ୍କର ପୁଅଟିଏ ହୋଇଛି । ପୁଅ ଦେଖିବାପାଇଁ ପୀତାମ୍ବର କଲିକତାରୁ ଗାଁକୁ ଫେରିଲା । ଆନନ୍ଦରେ ପୁଅ ନାମ ସେ ଦେଲା–ଯାଦବ କିଶୋର । ଲୋକେ ଡାକିଲେ କିଶୋର । ପିଲାଦିନୁ ସେହି ପୁଅଟି ପାଇଲା ।

 

“ବୋଉ, ସାଧୁ କ’ଣ କହିଲେ ?” ବହୁ ସମୟ ପରେ ଅପ୍ରତ୍ୟାଶିତ ଘଟଣାର ମୂର୍ଚ୍ଛନା ଭାଙ୍ଗି ଶିବନାଥ ପଚାରିଲା ।

 

“କିଛି ନୁହେଁ, ତୁ ଯା ।” ବସୁନ୍ଧରା ପ୍ରକୃତିସ୍ଥ ହେଲେ ।

 

“ଭାଇନାଙ୍କ ଜାତକରେ କ’ଣ ଅଛି, ଯାହାକୁ ସାଧୁ କହିବାକୁ ମନାକଲେ ?”

 

“ଈଶ୍ୱର ଜାଣନ୍ତି ।”

 

ଶିବନାଥ ପଢ଼ାଘରକୁ ଚାଲିଗଲା । ଷଡ଼ଙ୍ଗୀ ଦାଣ୍ଡବାରଣ୍ଡାରୁ ଫେରିଆସି ଘର ଭିତର ବାରଣ୍ଡାରେ ବସିଲେ । ମୁହଁ ତାଙ୍କର କଳା ପଡ଼ିଯାଇଥିଲା, ଦେହ ଥରୁଥିଲା, ତୋଟି ଶୁଖି ଯାଉଥିଲା-

 

“କ’ଣ ହେଲା, ସାଧୁ କ’ଣ କହିଲେ ?”

 

“ବସୁନ୍ଧରା, ତୁମକୁ ମୋର ଗୋଟିଏ କଥା କହିବାର ଅଛି । ଅନେକଦିନୁ ଭାବିଲିଣି ତୁମ ଆଗରେ କହି କ୍ଷମା ମାଗିବି; କିନ୍ତୁ ଚେଷ୍ଟା କରି ମଧ୍ୟ କହି ପାରିନି । ଆଜି କହିଦେବି । ତୁମେ କ୍ଷମାକଲେ ମୋର ସବୁ ପାପ ଚାଲିଯିବ । ସେ ଦୋଷ ମୁଁ ଆଉ କାହା ପ୍ରତି କରିନି, ତୁମରି ପ୍ରତି ଦୋଷ କରିଛି, ଦ୍ରୋହ କରିଛି । ଲଗ୍ନ ମଣ୍ଡପରେ ଯେଉଁ ପ୍ରତିଜ୍ଞା କରିଥିଲି, ତାହାକୁ ଉଲ୍ଲଙ୍ଘନ କରିଛି-। ମୁଁ.....”

 

ହଠାତ୍ ଷଡ଼ଙ୍ଗୀ ବସୁନ୍ଧରାଙ୍କୁ ଚାହିଁଲେ । ସେଠାରେ ସହାନୁଭୂତି, କରୁଣା ବା ଆର୍ଦ୍ରତା ଲେଶମାତ୍ର ନ ଥିଲା । ଥିଲା ଏକ କଠିନ ମନୋଭାବ, ସ୍ୱାମୀଙ୍କର କୌଣସି ମହାନ୍ ଗୁପ୍ତ ରହସ୍ୟ ଉଦ୍‍ଘାଟିତ ହେବାକୁ ଯାଉଛି ଭାବି ହିଂସ୍ର ଆନନ୍ଦ, ବିଜେତାର ଦର୍ପ ।

 

ଷଡ଼ଙ୍ଗୀଙ୍କର କଣ୍ଠ ବଦଳିଗଲା । ସିଂହପରି ସେ ଗର୍ଜି ଉଠିଲେ–“ପାଣି ଗ୍ଳାସେ ଆଣିବ !” ଚିତ୍କାର କରିବାରେ ତାଙ୍କର ମୁଣ୍ଡବଥା ହଠାତ୍ ଆରମ୍ଭ ହୋଇଗଲା । ବସୁନ୍ଧରା ପାଣି ଦେଲେ । ପଚାରିଲେ, “କ’ଣ କହୁଥିଲ ପରା, ଅଧାରେ ରହିଗଲ କାହିଁକି ?”

 

“ମୁଁ କିଛି କହିବାକୁ ଚାହୁଁ ନଥିଲି । ମୋତେ ଏତେ ପଚରାପଚରି ଭଲ ଲାଗେନି, ତୁମେ ଗଲ ।”

 

ବସୁନ୍ଧରା ଚାଲିଗଲେ । ଷଡ଼ଙ୍ଗୀ ବସୁନ୍ଧରା ଯିବାପରେ ହାତରେ ମୁଣ୍ଡ ଚିପି ଚିପି ପାଟିକଲେ–“ଦେବୀ ! ଦେବୀ ! ଦେବୀ, କୁଆଡ଼େ ଗଲା ?”

 

“ଭାଇ ବୋଧେ ବଗିଚାଆଡ଼େ ଗଲେ ।”

 

“ଚଣ୍ଡାଳଟାର ବୁଲିବା ଅଭ୍ୟାସ ଗଲାନି । ସେଇ ତ ମୋ ଗ୍ରହ ହୋଇଛି । କ’ଣ କରିବି-।” ଷଡ଼ଙ୍ଗୀ ଶୋଇବାକୁ ଚାଲିଗଲେ । ଦିନ ବାରଟା ହେବ । ପ୍ରଚଣ୍ଡ ଖରା ସମସ୍ତଙ୍କୁ ଆକୁଳ କରି ପକାଉଥାଏ । ରବିବାରେ ଷଡ଼ଙ୍ଗୀଙ୍କ ଘରେ ଶୀଘ୍ର ଖିଆପିଆ ହୋଇ ପାରେନା । ମାଛ ମାଂସ ଆସେ । ରବିବାର ବୋଲି ବସୁନ୍ଧରା ମାଛ ମାଂସ ଖାଆନ୍ତିନି । ଦେବୀପାଦ ମଧ୍ୟ ନୁହଁ-। ଅନ୍ୟମାନେ ଖାଆନ୍ତି । ଖାଇସାରିବା ପରେ ବେବୀପାଦ ପ୍ରତିଦିନ ଦ୍ଵିପ୍ରହରେ ବଗିଚା ଭିତରେ ଥିବା ମାଳୀ ଘରକୁ ଚାଲିଯାଏ । ବଗିଚାର ସାଜସରଞ୍ଜାମରେ ବିଗିଚାଘର ଭର୍ତ୍ତି ହୋଇଥାଏ । ପିଣ୍ଡାରେ ବେତର ଆରାମଚୌକିଟିଏ ଓ କେରପାଲ ଖଟଟିଏ ସଦାସର୍ବଦା ରହିଥାଏ । କେହି ଗଲେ, ସେଥିରେ ବସି ବା ଶୋଇ ପବନ ଖାଆନ୍ତି; କିନ୍ତୁ ଆଉ କେହି ତ ବେଶି ଯାଆନ୍ତିନି, ଯାଏ ଦେବୀପାଦ ।

 

ବଗିଚାଘରେ ଆରାମଚୌକିରେ ବସି ବସି ଦେବୀପାଦ ଶୋଇବାକୁ ଉପକ୍ରମ କରୁଥିବାବେଳେ ତା’ର କାନ ଜୋରରେ ସଲସଲ ହେବାରୁ ସେ ଉଠିବସିଲା । ଚାହିଁଲା, ପଛରେ ସ୍ନେହପ୍ରଭା, ହାତରେ ତାଙ୍କର ପାରା ପରଟିଏ, ଆଖିରେ ଦୁଷ୍ଟାମି, ଓଠରେ ହସ ।

 

“କ’ଣ ଦେବୀ ଭାଇ, ରାଗିଗଲ କି ?”

 

“ତୁମେ କେତେବେଳେ, ଆଜି ଏଡ଼େ ଜଲ୍‍ଦି !”

 

“ତୁମେ ଯେପରି ବୁଲିପଡ଼ିଲ, ମୁଁ ଭାବିଲି ରାଗିଗଲ । ତୁମର କୋପକୁ ମୋର ସବୁଠୁ ଡର, ବାବାଜୀ ଲୋକ କିନା !”

 

“କୁହ ଆଗ, ଆଜି ଏଡ଼େ ଚଞ୍ଚଳ କିପରି ?”

 

“ତା’ ହେଲେ ମୁଁ ଯାଉଛି ।”

 

“ଯାଅ, ମୁଁ ଶୁଏ । ଏଠି ରହିବାକୁ ତୁମକୁ ମୁଁ ବାଧ୍ୟ କରୁନି ।”

 

“ତାହା ହେଲେ ମୁଁ ଯିବିନି । ଏଇଠି ରହିବି ।”

 

ଦେବୀପାଦ ଆଖି ବୁଜି ପଡ଼ିଥାଏ ଆରାମ କୁର୍ସିଟା ଉପରେ ।

 

“ତୁମ ଘରକୁ ଜଣେ ସାଧୁ ଆସିଥିଲେ, ଭାରି ଭଲ ଗଣନା କରି ଜାଣନ୍ତି କୁଆଡ଼େ । ମୋତେ ଟିକିଏ ଖବର ଦେଲନି, ମୁଁ ହାତ ଦେଖାଇଥାନ୍ତି । କୁଆଡ଼େ ବହୁତ କଥା ତୁମମାନଙ୍କ ବିଷୟରେ କହିଲେ ।”

 

ଦେବୀପାଦ ସେହିପରି ନିରୁତ୍ତର ରହିଲା ।

 

“କେବେ ତୁମର ମନସ୍କାମନା ପୂର୍ଣ୍ଣ ହେବ ବୋଲି କହିଲେ ?”

 

“ମୋ କୋଷ୍ଠି ଦେଖିଲେ । କ’ଣ କହିଲେ ତାହା ମୁଁ ଠିକ୍ କରି ବୁଝିପାରିଲି ନାହିଁ ।”

 

“ଭାରି ଭଲ କହିଥିବେ ନିଶ୍ଚୟ ।”

 

“ବୋଧେ ହିଁ ।”

 

“କ’ଣ କହିଲେ ?”

 

“କହିଲେ ମୋର ପ୍ରବ୍ରଜ୍ୟାଯୋଗ ସହିତ ବହୁନାରୀ ଭୋଗଯୋଗ ମଧ୍ୟ ଅଛି ।”

 

“କ’ଣ କହିଲେ ?”

 

ଦେବୀପାଦ ଶେଷପଦକ ଅଳ୍ପ ଧୀରେ କହିଥିଲା । ସ୍ନେହ ଠିକ୍ ଶୁଣି ପାରିଥିଲେ; କିନ୍ତୁ ପରିଷ୍କାର ଶୁଣିବାକୁ ଇଚ୍ଛାକରି ଦୃଢ଼ସ୍ଵରରେ ପଚାରି ଦେଲେ, “କ’ଣ କହିଲେ, ପ୍ରବ୍ରଜ୍ୟା ଆଉ.... ?”

 

“ବହୁ ନାରୀଭୋଗ ।”

 

“ଅସଭ୍ୟ ! ଏପରି କଥା କହିବାକୁ ଲାଜ ଲାଗେନି ? ସେ ସନ୍ନ୍ୟାସୀ ହୋଇ ଏକଥା ତୁମକୁ କହିଲେ ? ମଉସା ମାଉସୀ ସମସ୍ତେ ସେଠି ଥିଲେ ?”

 

“ସ୍ନେହ !”

 

“ସ୍ନେହ କ’ଣ ? ଲୋକଙ୍କ ଆଗରେ ସାଧୁ ବୋଲାଇବେ, ଅଥଚ ଯେତକ ମଇଳା ମନ ଭିତରେ ଧରି ବୁଲୁଥିବେ । ସେ କହିଲାବେଳେ ତୁମେ ସେଠି ବସିରହିଲ ! କିଛି ପ୍ରତିବାଦ କଲାନି-?”

 

ଦେବୀପାଦ କିଛି ଉତ୍ତର ନ ଦେଇ ଚୁପ୍ ରହିଲା । କିଛି ସମୟ ବିତିଗଲା ସ୍ନେହଙ୍କର ଭାବୋଚ୍ଛ୍ଵାସ କମିବା ପାଇଁ । ସ୍ନେହପ୍ରଭା ପଚାରିଲେ, “ହଉ କୁହ । ଆଉ କ’ଣ କହିଲେ ?”

 

“ଆଉ କ’ଣ ବାପାଙ୍କ କାନରେ ଚୁପ୍ ଚାପ୍ କହିଲେ, ଆମେ କେହି ଶୁଣି ପାରିଲୁନି; କିନ୍ତୁ ତୁମେ କଥାଟା ଶୁଣି ଏଡ଼େ ବିଚଳିତ ହୋଇପଡ଼ିଲ ?”

 

ସ୍ନେହପ୍ରଭା କିନ୍ତୁ ସେ ପ୍ରଶ୍ନର ଉତ୍ତର ନ ଦେଇ କହିଲେ, “ମୁଁ ଜାଣେ କ’ଣ କହିଥିବେ ।”

 

“କ’ଣ ?”

 

“ଜୀବନରେ ସବୁ ଭୋଗ ଓ ଯୋଗ ସାରିଦେଇ ଶେଷରେ ସେହି ବାବାଜୀଙ୍କ ଆଶ୍ରମର ଉତ୍ତରାଧିକାରୀ ହେବ ତୁମେ । ବୋଧେ ଗୁରୁ ଯେପରି ଶିଷ୍ୟ ସେହିପରି ।”

 

“ଛାଡ଼ ସେ କଥା, ତୁମ କଥା କୁହ, ଶୁଣୁଛି ତୁମ ବାହାଘରର ବନ୍ଦୋବସ୍ତ ଭାରି ଜୋରରେ ଚାଲିଛି ।”

 

“ଆଉ କ’ଣ ସବୁବେଳେ କୁମାରୀ ରୁହନ୍ତି ! ନା, କିଏ ରହିବ ?”

 

ସ୍ନେହପ୍ରଭାଙ୍କ ମନୋଦ୍‍ଗାର ଶୁଣି, ଦୋଷୀପରି, ଦେବୀପାଦ ପୁଣି ଚୁପ୍ ହୋଇଗଲା । କଥା ଟାଣିଲେ ଆଉ କୁଆଡ଼େ ଯିବ ।

 

“ଆଜି କ’ଣ ପଢ଼ିଛ ?”

 

“କିଛି ପଢ଼ିନି, ପଢ଼ିବି କ’ଣ, ତୁମେ ଆସିବାବେଳକୁ ଢୁଳାଉଥିଲି ପରା !”

 

“କିଛି କୁହ ।” ସ୍ନେହ ଅନେକବେଳୁ ଠିଆ ହୋଇଥିଲେ, ଏଥରକ ବସି ପଡ଼ିଲେ ।

 

“ସ୍ନେହ, ତୁମେ ଆଜି ଯାଅ ! ଆଜି କଥାବାର୍ତ୍ତା ହେବାକୁ ମୋତେ ଭଲ ଲାଗୁନି । ମୁଁ ଏକୁଟିଆ ରହିବାକୁ ଚାହୁଁଛି, କ’ଣ କ’ଣ ଭାବିବାକୁ ଇଚ୍ଛା ହେଉଛି ।”

 

ସ୍ନେହ ଠିଆହୋଇ ପଡ଼ିଲେ–“ତୁମର ବଗିଚାକୁ ଆସିଛି ବୋଲି ସିନା ଏକଥା କହିଲ । ଚାଲିଯିବି, କେଉଁଦିନ କ’ଣ ଜବରଦସ୍ତି ରହେ ? ତୁମେ ଇଚ୍ଛାକଲେ ତ ଧକ୍‍କା ମାରି ତଡ଼ିଦେଇ ପାରନ୍ତ । ସେ କ୍ଷମତା ପ୍ରୟୋଗ କରୁନ ? ହଉ ମୁଁ ଚାଲିଯାଉଛି ।”

 

ଦେବୀପାଦ କିଛି ଉତ୍ତର ନ ଦେଇ ଆରାମଚୌକୀରେ ଗୋଡ଼ରେ ନିଜର ଗୋଡ଼ ଯୋଡ଼ାକୁ ସଜାଡ଼ି ଆଖି ବୁଜିଦେଲା । ସ୍ନେହଙ୍କ ରାଗ ସାରି ନ ଥାଏ, ତାକୁ ପ୍ରକାଶ କରିବାପାଇଁ ସେ କିଛିଦୂର ଚାଲିଗଲେ; କିନ୍ତୁ କିଛି ବାଟ ଯିବାପରେ ତାଙ୍କର ଗତି ଆପେ ଆପେ ସ୍ଥିର ହୋଇଗଲା । ଦେବୀପାଦକୁ ସେ ପିଲାଦିନୁ ଦେଖି ଆସିଛନ୍ତି, ତା’ଠି ବର୍ତ୍ତମାନ କିପରି ଆଶା କରୁଛନ୍ତି କୌଣସି ପ୍ରକାର ପରିବର୍ତ୍ତନ ! ହୃଦୟ ତା’ର ରୁକ୍ଷ, ପଥର ପରି ନିର୍ଦ୍ଦୟ । କାହାକୁ ସେ କେବେ ଖୋସାମତ କରିନି, ଅନୁନୟ ବିନୟ କରିବା ତା’ ଜାତକରେ ନାହିଁ । ଏ ସମ୍ବନ୍ଧରେ ଆଉ କାହାର ଅନୁଭୂତି ଥାଉ ନ ଥାଉ ସ୍ନେହଙ୍କର ଯଥେଷ୍ଟ ଅଛି । ପିଲାଦିନୁ ସେ ଦେବୀ ସହିତ ଚଳି ଆସିଛନ୍ତି । ପାଖକୁ ଗଲେ ଆଦର କରିବ, ସ୍ନେହ କରିବ; କିନ୍ତୁ ରାଗିଲେ କି ଋଷିଲେ ଖୋସାମତ କରିବନି । ଦେବୀ ସବୁ କରେ; କିନ୍ତୁ ସବୁଥିରେ ନିର୍ଲିପ୍ତତା । ସ୍ନେହଙ୍କର ମନେହୁଏ, ଦେବୀ ତାଙ୍କୁ ଭଲ ପାଏନି । ବୋଧେ କାହାକୁ ହେଲେ ସେ ଭଲ ପାଇ ପାରିବନି । ଏପରି ଭାବିଲେ ତାଙ୍କର କ୍ରୋଧ ହୁଏ । ଭାବନ୍ତି ଏଥରକ ସେ ନିଜକୁ ସଂଯତ କରିବେ; କିନ୍ତୁ ପର ମହୂର୍ତ୍ତରେ ଦେବୀ ଆଗକୁ ଚାଲି ଆସିଲେ ସେ ସବୁ ଭୁଲିଯାନ୍ତି, ଦେବୀର ବ୍ୟକ୍ତିତ୍ଵ ଯେପରି ତାଙ୍କୁ ଭଲ ପାଇବାକୁ ବାଧ୍ୟ କରେ ।

 

ସ୍ନେହ ଫେରି ଆସିଲେ । “ଦେବୀ ଭାଇ ? କ’ଣ ପୁଣି ରାଗିଲ, କଥା କହିବନି ?” ସେତେବେଳେ ସ୍ନେହପ୍ରଭାଙ୍କ ଫେରି ଆସିବାକୁ ଉପେକ୍ଷା କରି ଦେବୀପାଦ ବହି ପଢ଼ାରେ ମନ ଦେଇଥିଲା ।

 

“ସେଇଟା କି ବହି ?”

 

“ସ୍ଵାମୀ ନିଗମାନନ୍ଦଙ୍କ ଜୀବନୀ ।”

 

“ନିଗମାନନ୍ଦ କ’ଣ ତୁମେ ଘରକୁ ଆସିଥିବା ସାଧୁଙ୍କ ପରି ଜଣେ ସାଧୁ ?” ଦେବୀପାଦ ରାଗରେ ସ୍ନେହ ଆଡ଼କୁ ବୁଲିପଡ଼ିଲା । ସ୍ନେହ ସତରେ ଦେବୀର କୋପକୁ ଡରୁଥିଲେ । ଦେବୀର ରକ୍ତଚକ୍ଷୁ ଦେଖି ସେ କହି ପକାଇଲେ–‘‘ଦେବୀ ଭାଇ ! ମୋର ଭୁଲ୍ ହେଲା । କ୍ଷମା କର । ମୁଁ ଯାଉଛି ।”

 

“ସ୍ନେହ ! ସାଧୁସନ୍ନ୍ୟାସୀମାନଙ୍କୁ ଭକ୍ତି କରି ଶିଖ ।”

 

କିଛି ସମୟ ପରେ ସ୍ନେହ ସାହାସ କରି ପଚାରିଲେ–“ଭଲ ବହି ?”

 

ଦେବୀପାଦ ବହିଟିକୁ ସ୍ନେହଙ୍କ ହାତକୁ ବଢ଼ାଇ ଦେଇ କହିଲା–“ନିଅ ପଢ଼ ।”

 

ସ୍ନେହ ବହି ଓଲଟାଇବାକୁ ଲାଗିଲା । “ଏତେ ମୋଟା ବହି, ମୁଁ ପଢ଼ି ପାରିବିନି । ମୋତେ ଠିକେ ଠିକେ ସବୁ କଥା କହିଦିଅ ।”

 

“ସବୁବେଳେ ସବୁକଥା ଠିକେ ଠିକେ କୁହାଯାଇ ପାରେନି ।

 

“ତଥାପି ।”

 

ଦେବୀପାଦ ବିରକ୍ତ ହେଲା । “ଆଚ୍ଛା ଶୁଣ–ଠିକେ ଠିକେ–ନିଗମାନନ୍ଦ ବିବାହ କଲେ, ସ୍ତ୍ରୀ ତାଙ୍କର ସ୍ୱର୍ଗର ଅପ୍‍ସରୀ ପରି ସୁନ୍ଦରୀ ଓ ସାବିତ୍ରୀଙ୍କ ପରି ଗୁଣବତୀ ଥିଲେ, ଦୁହିଁଙ୍କ ମଧ୍ୟରେ ପ୍ରଗାଢ଼ ପ୍ରେମ ଥିଲା, ଦିନେ ନିଗମାନନ୍ଦ ଦୂର ବିଦେଶରେ ଥାଆନ୍ତି, ରାତ୍ରି ସମୟ, ହଠାତ୍ ତାଙ୍କ ସ୍ତ୍ରୀଙ୍କୁ ବିଷର୍ଣ୍ଣ ମୁହଁରେ ଦୁଆର ପାଖେ ଠିଆ ହୋଇ ତାଙ୍କ ଆଡ଼କୁ ଚାହୁଁଥିବା ଦେଖିଲେ । ମନ ବ୍ୟସ୍ତ ହେଲା, ଛୁଟି ନେଇ ସେ ଘରକୁ ଗଲେ । ଘରେ ପହଞ୍ଚି ଶୁଣନ୍ତି, ପ୍ରାଣାଧିକା ପ୍ରିୟା ତାଙ୍କର ମୃତ । ବିରହ ଜ୍ଜ୍ୱାଳାରେ ସେ ସନ୍ନ୍ୟାସୀ ହେଲେ; କିନ୍ତୁ ପ୍ରତିକ୍ଷଣ ସେ ସ୍ତ୍ରୀଙ୍କୁ ଝୁରି ହେଉଥାନ୍ତି; କିନ୍ତୁ ଯିଏ ମରିଯାଇଛି ସିଏ କ’ଣ ଆଉ କେବେ ଫେରେ ? ବଞ୍ଚିଥିବାବେଳେ, ହେ ନାଥ ‘ମୁଁ ତୁମର, କେବଳ ମୁଁ ତୁମର’ ଯେତେଥର ଦେହ ଛୁଇଁ କହିଥିଲେ ମଧ୍ୟ, ମରିଗଲା ପରେ ସ୍ତ୍ରୀ ପୋଡ଼ି ଜଳି ଧୂଳି ସିନା ହୋଇଯାଏ, ଆଉ କ’ଣ ନିଜର ହୋଇ ରହେ ? ନିଗମାନନ୍ଦଙ୍କୁ ତାଙ୍କ ସ୍ତ୍ରୀ ତ ମିଳିଲେନି; କିନ୍ତୁ ଏହିଥିରୁ ବେଦାନ୍ତଜ୍ଞାନ ମିଳିଗଲା । ସେ ବୁଝିଲେ ସ୍ତ୍ରୀ, ପୁତ୍ର, ସଂସାର, ସବୁ ମିଛ, ସବୁ ନିଜ ଅହମିକାର ପ୍ରକାଶ, ଆସନ୍ତି । ଶେଷରେ ସେ ଶାନ୍ତି ପାଇଲେ ।” ଦେବୀପାଦ କଥା ବନ୍ଦ କଲା । “ହେଲା ? ଠିକେ ଠିକେ କହିଲି । ବୁଝିଲ ?”

 

ସ୍ନେହପ୍ରଭା ସବୁ ଶୁଣି, କିଛି ସମୟ ଭାବି କହିଲେ, “ସବୁ ବୁଝିଲି; କିନ୍ତୁ ପୋଡ଼ିଯାଉ ସେ ଶାନ୍ତ, ଧିକ୍‍କାର ସେ ବୁଝାମଣାକୁ, ବୁଦ୍ଧିକୁ । ପିଲାଳିଆ ବୁଦ୍ଧି ରଖି ସେ ସନ୍ନ୍ୟାସୀ କ’ଣ ହେଲେ ମ-!”

 

“କ’ଣ ହେଲା ?” ଦେବୀପାଦ ରାଗରେ ଉଠି ବସିଲା; କିନ୍ତୁ ସ୍ନେହଙ୍କ ଛଳ ଛଳ ଆଖିକୁ ଚାହିଁ ସେ ଶାନ୍ତ ହୋଇଗଲା । ସ୍ନେହ କହିଲେ, “ସବୁ ମିଛ କିପରି ? ଦିନେ ତ ସେ ସ୍ତ୍ରୀଙ୍କୁ ସବୁଠୁ ବେଶି ଭଲ ପାଉଥିଲେ । ଥରେ ଯେଉଁଟା ସତ୍ୟ, ସେଇଟା ମିଛ ହୋଇଯିବ କିପରି ? ସ୍ତ୍ରୀଙ୍କ ଜୀବନ, ପ୍ରେମ ଯେଉଁପରି ସତ୍ୟ, ତାଙ୍କର ମୃତ୍ୟୁ, ବିୟୋଗ, ସେହିପରି ସତ୍ୟ । ଶାନ୍ତି ପାଇବା ପାଇଁ ଗୋଟିକୁ ମିଛ କହିବା କ’ଣ ଦରକାର ? ଯାହାକୁ ପ୍ରାଣଧିକା ବୋଲି କହୁଥିଲେ, ତାକୁ ଶେଷରେ ମିଛ କହିଲେ ! ତାଙ୍କର ହୃଦୟ କିପରି ମାନିଲା !”

 

ତୁମମାନଙ୍କ ବୁଦ୍ଧିରେ ମିଳନତାର ପ୍ରାଚୂର୍ଯ୍ୟ ଯୋଗୁଁ ଏ ସବୁ କଥା ବୁଝି ପାରିବନି । ସେ ସ୍ତ୍ରୀଙ୍କୁ ଭଲ ପାଉଥିବାରୁ ସିନା ଏତେ ଦୁଃଖ ପାଇଲେ ? ଯେଉଁ ସୁଖ ଅସ୍ଥାୟୀ ଓ ପରିମାଣରେ ନିଜଠାରୁ ସହସ୍ର ଗୁଣରେ ଅଧିକ ଦୁଃଖ ଆଣିଦେବ, ସେ ସୁଖ କ’ଣ ସୁଖ ?”

 

ସ୍ନେହଭରା ଦେବୀପାଦର ତତ୍ତ୍ଵକୁ ପୁରା ହୃଦୟଙ୍ଗମ କଲେ କି ନାହିଁ କେଜାଣି, କିନ୍ତୁ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲେ–

 

“ସତରେ କେତେ ଦୁଃଖ ପାଇଲେ ! ମଣିଷ ଯାହା ଚାଁହେ ପାଏନି, କେତେବେଳେ ବା ଭାଗ୍ୟଯୋଗୁଁ ପାଇଗଲେ ତାହା ତା’ ପାଖରେ ସବୁବେଳେ ରହେନି ।”

 

ଦେବୀପାଦ ଆରାମଚୌକି ଉପରେ ପୁଣି ଦେହଟାକୁ ଲମ୍ବାଇ ଦେଇ କହିଲା–“ସେଇଥିପାଇଁ ତ ଦାର୍ଶନିକମାନେ କୁହନ୍ତି ଭାବୁକତା ସବୁ ଦୁଃଖର କାରଣ । ମାନବ ବୁଦ୍ଧିଶାଳୀ ହେଲେ, ଜଗତରେ ତତ୍ତ୍ଵ ବୁଝିଲେ, ସବୁ ଦୁଃଖର ଅବସାନ ହେବ ।”

 

“ହେଇଥିବ; କିନ୍ତୁ କେତେ ଇଚ୍ଛା ହୁଏ ଯେ, ଯେ ଯାହା ଚାହୁଁଛି, ପ୍ରତି ମୁହୂର୍ତ୍ତରେ ଯେଉଁ କଥାକୁ ମନ ଭିତରେ ରଖି, ହୃଦୟର ରକ୍ତ ନିଗାଡ଼ି ନିଗାଡ଼ି ତାକୁ ପରିପୃଷ୍ଟ କରୁଛି, ତାହା ପାଆନ୍ତା, ପାଇସାରିଲା ପରେ ତାହା ତା’ ର ହୋଇ ରୁହନ୍ତା, ସବୁଦିନ ପାଇଁ, ମଲାପରେ, ଆଉ ଅନ୍ୟ ଜନ୍ମ ଯଦି ସତ୍ୟ, ତାହା ହେଲେ ସେ ଜନ୍ମରେ ମଧ୍ୟ ।”

 

“ସବୁଲୋକଙ୍କର ସବୁ ଭାବନା ଫଳିବାକୁ ଲାଗିଲେ କେଡ଼େ ବିଶୃଙ୍ଖଳା ହେବ, ଜାଣିପାରୁଛ ?’’

 

“ବାଜେ କଥା, କିଛି ବିଶୃଙ୍ଖଳା ହେବନି । ମୁଁ ଯାହା ଚାହୁଁଛି, ମୁଁ ଜାଣେ, ତାହା ଅନ୍ୟ କେହି ଚାହୁଁ ନାହାନ୍ତି । ଚାହିଁଲେ ମଧ୍ୟ ତାକୁ ମୁଁ ଚାହିଁବା ପରେ କେହି ଚାହିଁବେ ନାହିଁ ।”

 

ଦେବୀପାଦ ହସିଲା ।

 

ପ୍ରସ୍ତାବ ଦିଆଯିବର ଦୁଇଦିନ ପରେ ଅମବାସ୍ୟା ନିକଟ ହୋଇ ଆସୁଥିବାରୁ, ରାଘବ ଓ ପାର୍ଥ, ଶିବନାଥକୁ ସାଧନା କରିବା ବିଷୟରେ ବାରମ୍ବାର ପଚାରିବାକୁ ଲାଗିଲେ । ଶିବନାଥ ପ୍ରଥମେ ପ୍ରଥମେ ହୁଁ, ହାଁ, ମାରିଲେ ମଧ୍ୟ କିଛି ସମୟ ଭିତରେ ଶ୍ମଶାନକୁ ଯାଇ ସାଧନା କରିବା ପାଇଁ ତା’ର ଅନାଗ୍ରହ ପରିଷ୍କାର ଜଣା ପଡ଼ିଗଲା । ପାର୍ଥ ଓ ରାଘବ ଦୀର୍ଘକାଳୀନ ବନ୍ଧୁତା ଯୋଗୁ ଶିବନାଥକୁ ପ୍ରଶ୍ନ ପଚାରିବାରେ ସେମାନଙ୍କର ଅଧିକାର ଅଛି ବୋଲି ଭାବୁଥିଲେ; କିନ୍ତୁ କ୍ରମେ ଶିବନାଥ ସେମାନଙ୍କର ପ୍ରଶ୍ନରେ ଅସହିଷ୍ଣୁ ହୋଇପଡ଼ିବା ଦେଖି ସେମାନେ ମଧ୍ୟ ଅସହିଷ୍ଣୁ ଓ କ୍ରୋଧରେ ତୀବ୍ର ହୋଇ ଉଠିଲେ । ମନୋମାଳିନ୍ୟ ଆରମ୍ଭ ହେଲା । ଯେଝା ସ୍ଥାନକୁ ସେମାନେ ଫେରିଆସିଲେ, ଶିବନାଥ କଳିଥିବା ଯାଏଁ, ସେମାନଙ୍କର ଦ୍ଵାରା ଆଉ ହଇରାଣ ହେବ ନାହିଁ, ଏଇ କଳ୍ପନାରେ ସୁଖୀ ହେଲା । ପାର୍ଥ ଓ ରାଘବ ଉପଯୁକ୍ତ ସମୟ ଆସିଲେ ପ୍ରତିଶୋଧ ନେବେ ବୋଲି ଠିକ୍ କରି ବହି ମେଲାଇଲେ । କ୍ଲାସ ଆରମ୍ଭ ହେଲା, ଶିକ୍ଷକଙ୍କ ସହ ସୁକେଶୀ କ୍ଲାସ ଘର ଭିତରକୁ ଆସିଲେ । ଶିବନାଥ ସନ୍ତର୍ପଣରେ ସୁକେଶୀଙ୍କୁ ଚାହିଁଲା । ସୁକେଶୀ ତା’ ଆଡ଼କୁ ଚାହୁଁଥିଲେ । ଶିବାନଥ ନୋଟଖାତାକୁ ଦୃଷ୍ଟି ଫେରାଇ ନେଇ କ୍ଲାସ୍ ପଢ଼ା ଦେଖିବାକୁ ଲାଗିଲା । କିଛି ସମୟ ପରେ ତା’ର ପୁଣି ଚାହିଁବାକୁ ଇଚ୍ଛା ହେଲା, ମନ ଭିତରେ ଉଠିଲା, ସୁକେଶୀ ଚାହୁଁଥିବେ ପରା ? ସଂଶୟ ହେଲା, ସେ ଚାହୁଁ ନଥିବା ମଧ୍ୟ ସମ୍ଭବ । ଶିବନାଥ ମୁଣ୍ଡ ଟେକିଲା । ଠିକ୍ ସେହି ସମୟରେ ସୁକେଶୀ ମଧ୍ୟ ମୁହଁ ଟେକିଲେ । ଚାରି ଚକ୍ଷୁ ପୁଣି ହୋଇଗଲା । ଦୁହିଁଙ୍କ ଅଲକ୍ଷ୍ୟରେ, କ୍ଲାସରେ ଆଉ ଦୁଇଜଣ, ସେମାନଙ୍କ ଭାବଭଙ୍ଗୀକୁ ଲକ୍ଷ୍ୟ କରି ଆଶ୍ଚର୍ଯ୍ୟ ହେଉଥିବା କଥା ସେମାନେ ଜାଣିପାରୁ ନ ଥିଲେ । ପାର୍ଥ କଥାବାର୍ତ୍ତା ହେଲେ ଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବା ଭୟରେ ରାଘବର ଖାତାକୁ ଟାଣି ଆଣି ଲେଖିଲା, ତା’ ଲେଖିବା ଆଡ଼କୁ ରାଘବ ଚାହିଁଥାଏ ।

 

କଥା କଅଣରେ ରାଘବ ? ସେମାନେ କ’ଣ ପରସ୍ପରକୁ ଚାହାଁଚୁହିଁ ହେଉଛନ୍ତି ?

 

ରାଘବ ଲେଖିଲା–“ମୁଁ ତ ବୁଝିପାରୁନି । ସୁକେଶୀ ତ ଶିବକୁ ମୋଟେ ଚାହୁଁ ନ ଥିଲେ । ଆଜି ତ ଖାଲି ଆଖି ଲଢ଼େଇ ଚାଲିଛି ।”

 

ପାର୍ଥ କହିଲା–“ମୁଁ ଭାବୁଛି ଶିବର ସାଧନା ଫଲିଲା । ବୋଧେ ଏହିପରି ଫଳିବାକୁ ଥିଲା ।”

 

କଥାଟା ମନ୍ଦସ୍ୱରରେ କୁହାଯାଇଥିଲେ ମଧ୍ୟ କ୍ଳାସରେ ଶିକ୍ଷକଙ୍କ ସମେତ ସମସ୍ତେ ଶୁଣିପାରିଲେ ।

 

“କାହିଁକି ପାଟି କରୁଛ, ଠିଆହୁଅ” –ଶିକ୍ଷକ ଦଣ୍ଡାଦେଶ ଦେଲେ । ପାର୍ଥ ଠିଆ ହେଲା । ଘଣ୍ଟା ବାଜିବାପରେ ଶିବନାଥ ସେମାନଙ୍କୁ କିଛି ନ କହି ସ୍କୁଲରୁ ବାହାରିବାକୁ ଲାଗିଲା । ପାର୍ଥ ଓ ରାଘବ ଦୂରରେ ରହି ତା’କୁ ଅନୁସରଣ କରୁଥାନ୍ତି । ସ୍ଥୁଲ ହତା ପାର ହେଉ ହେଉ ପାଦଶବ୍ଦ ଶୁଣି ଶିବନାଥ ଫେରି ଚାହିଁଲା–ସୁକେଶୀ ତା’ ଆଡ଼କୁ ଚଞ୍ଚଳ ପାଦରେ ଚାଲି ଆସୁଥିଲେ । ଶିବନାଥ ରହିଗଲା । ସୁକେଶୀ ନିକଟ ହୋଇଯାଇ କହିଲେ–

 

“ଆପଣ କାଲି ଘରଆଡ଼େ ଆସିଲେନି ? ମୁଁ ଆପଣଙ୍କୁ ଅପେକ୍ଷା କରିଥିଲି ।”

 

ଶିବନାଥ ଆଶ୍ଚର୍ଯ୍ୟ ହୋଇ ଚାହିଁଲା । କାରଣ ସୁକେଶୀଙ୍କ ଘରକୁ ଯେ ଆଉ ଯିବା ଉଚିତ ସେ କଥା ତା’ ମନରେ ସ୍ଵପ୍ନରେ ସୁଦ୍ଧା ଉଠି ନ ଥିଲା । ସେ ଭାବୁଥିଲା ସୁକେଶୀଙ୍କ ଯେତିକି ସାନ୍ନିଧ୍ୟ ସେ ପାଇଛି ସେତିକି ତା’ ପାଇଁ ଯଥେଷ୍ଟ । ସେତିକିରେ ତାକୁ ସନ୍ତୁଷ୍ଟ ରହିବାକୁ ହେବ; କିନ୍ତୁ ହଠାତ୍ ସୁକେଶୀଙ୍କ ମଧୁର ନିମନ୍ତ୍ରଣ ତାକୁ ହତବାକ୍ କରିଦେଲା । ତାହାହେଲେ ସୁକେଶୀ ତାକୁ ଅପେକ୍ଷା କରୁଥିଲେ !

 

“ଆପଣ ବାପାଙ୍କୁ ଡରୁଛନ୍ତି କି ? ନା, ନା, ଆଗ ଆଗ ସେ ସେଇମିତି ହେବେ । ତା’ପରେ କିଛି କହିବେନି । ତାଙ୍କର ଖାଲି ଡର, ମୁଁ କାହା ସହିତ ମିଶାମିଶି କଲେ କାଲେ ପଢ଼ାପଢ଼ିରେ ଖରାପ କରିବି । ମୁଁ ଗୋଟେ ବଡ଼ ପଣ୍ଡିତା ହୁଏ ବୋଲି ତାଙ୍କର ଇଚ୍ଛା ।” ଏତିକି କହି ସୁକେଶୀ ନିଜ କଥାରେ ନିଜେ ହସିଦେଲେ । ଶିବନାଥ ଚାହିଁଲା । ମଲ୍ଲୀକଢ଼ି ପରି ଦାନ୍ତଗୁଡ଼ିକ, ସମାନ, ଉଜ୍ଜ୍ୱଳ ସୁନ୍ଦର ।

 

“ସେ ନିଜେ କିନ୍ତୁ ପିଲାଦିନେ ଭଲ ପଢ଼ୁ ନ ଥିଲେ, ସେଇଥିପାଇଁ ତାଙ୍କର ଜିଦି, ମୁଁ ଭଲ ପଢ଼ିବାକୁ ହେବ ।”

 

ଶିବନାଥ କିଛି କହିଲାନି ।

 

“ଆପଣ ଭାରି ଭଲ ପଢ଼ନ୍ତି, ଆପଣ ଘରକୁ ଆସିଲେ ମୋ ପଢ଼ାପଢ଼ି ଭଲ ହେବ, ସାଙ୍ଗହୋଇ ପଢ଼ିବୁ ବୋଲି ମୁଁ ତାଙ୍କୁ କହିଦେଇଛି । ସ୍ଵାମୀଜୀ ମଧ୍ୟ ସମର୍ଥନ କରିଛନ୍ତି । ଆଜି ସକାଳେ ସ୍ଵାମୀଜୀ ଆପଣଙ୍କୁ ସାଥିରେ ନେଇଯିବାକୁ ମଧ୍ୟ କହୁଛନ୍ତି ।”

 

“ମୁଁ ତା’ ହେଲେ ଘରଠୁ ଆସିବି ।”

 

“ନା, ନା, ବର୍ତ୍ତମାନ ମୋ ସଙ୍ଗେ ଆପଣ ଯିବେ ।”

 

ଶିବନାଥ ସୁକେଶୀଙ୍କ ଆଖିର ଦୁଷ୍ଟାମି ଦେଖିଲା ।

 

ଦୁହେଁ ସୁକେଶୀଙ୍କ ଘୋଡ଼ାଗାଡ଼ିରେ ଚଢ଼ିଲେ । ସୁକେଶୀଙ୍କ ନିମନ୍ତ୍ରଣରେ ଶିବନାଥ ଆନନ୍ଦାତିଶଯ୍ୟରେ ବିହ୍ଵଳହୋଇ ପଡ଼ିଥାଏ । ସୁକେଶୀ କ’ଣ ଭାବୁଛନ୍ତି, ତା’ର ଜାଣିବାକୁ ଇଚ୍ଛା ହେଉଥାଏ । ବାଟରେ କିଛି ସମୟ ଚୁପ୍‍ଚାପ୍ ବାହାରକୁ ଚାହିଁ ସୁକେଶୀ ପଚାରିଲେ–

 

“ଆପଣ କ୍ଳାସରେ ମୋ ଆଡ଼କୁ ସବୁବେଳେ କାହିଁକି ଚାହୁଁଛନ୍ତି ?”

 

ସ୍ଵଚ୍ଛ ନୀଳଆକାଶରୁ ବଜ୍ର ଯେପରି ପଡ଼ିଲା । ଶିବନାଥ ଡରରେ ଓ ଲଜ୍ଜାରେ କହିଲା–“ମୋର ଭୁଲ୍ ହୋଇଛି ।”

 

ସୁକେଶୀ ବାହାରକୁ ଚାହିଁ ପ୍ରଶ୍ନ ପଚାରିଥିଲେ; କିନ୍ତୁ ଶିବନାଥର ଅସ୍ଵାଭାବିକ ଉତ୍ତରରେ ବୁଲିପଡ଼ି ତା’ ଆଡ଼କୁ ଚାହିଁଲେ । ଶିବନାଥର ମୁହଁ ମ୍ଳାନ ପଡ଼ିଗଲା । ସୁକେଶୀ ଉଚ୍ଚକଣ୍ଠରେ ହସିଦେଲେ–

 

“ଆପଣଙ୍କ ସହ ପରିଚୟ ହେବାକୁ ମୋର ବହୁଦିନ ଇଚ୍ଛା ଥିଲା । ଷାଣ୍ମାସିକ ପରୀକ୍ଷା ପରେ ଆପଣଙ୍କର ସାହିତ୍ୟଖାତାକୁ ଆଣି ଯେତେବେଳେ ପଣ୍ଡିତେ ଆଦର୍ଶ ଲେଖା ବୋଲି କ୍ଳାସରେ ପଢ଼ନ୍ତି, ସେହିଦିନୁ । ଆପଣଙ୍କ ଲେଖା ସତରେ ସୁନ୍ଦର, ମୁଁ ହେଲେ ସେଇମିତି ଲେଖି ପାରନ୍ତି । ଆପଣ ସାହିତ୍ୟରେ ଅଙ୍କପରି ସତୁରୀ ଅଶୀ ନମ୍ବର କିପରି ଆଣୁଛନ୍ତି, ମୁଁ କଳ୍ପନା କରିପାରୁନି । ଅବଶ୍ୟ ଅଙ୍କରେ ମଧ୍ୟ ସତୁରୀ ଅଶୀ ଆଣିବା ମୋ ପକ୍ଷରେ ଅସମ୍ଭବ ।”

 

ଉଆସ ନିକଟ ହୋଇ ଆସୁଥିଲା । ସୁକେଶୀ କହିଲେ–“ବର୍ତ୍ତମାନ ତ ଆମେ ଚିହ୍ନା ପରିଚୟ ହୋଇ ସାରିଲେଣି, ସାଧୁ ମହାଶୟ ଚାଲିଯିବା ପରେ ଆପଣ ଆମ ଘରକୁ ଆସିବାକୁ ସଙ୍କୋଚ କରିବେନି । ସାଙ୍ଗ ହୋଇ ପଢ଼ିବା ।”

 

“ଆପଣ ପରା କଟକ ଯିବେ ? ସେଦିନ ଆପଣଙ୍କ ବାପା ସାଧୁଙ୍କୁ କହୁଥିଲେ ।”

 

“ହଁ ମଫସଲ ହାଇସ୍କୁଲ ଭଲ ଲାଗୁନି । ଏଠି କ’ଣ ପଢ଼ାପଢ଼ି ହେଉଛି, କହୁନାହାନ୍ତି ? ବାପା ଚାହାଁନ୍ତି, ମୁଁ ତାଙ୍କର ପୁଅଝିଅ ସବୁ କିନା, ମୁଁ ବହୁତ ପଢ଼େ । ବିବାହ ନ କରି ରୋଜଗାର କରେ । ଆପଣ ମଧ୍ୟ କଟକ ଚାଲି ଆସନ୍ତୁ । ଆପଣଙ୍କ ପରି ଛାତ୍ର କଟକରେ ପଢ଼ିବା ଉଚିତ ।”

 

“କଟକରେ ପଢ଼ିବାକୁ ମୋର ମଧ୍ୟ ବହୁତ ଇଚ୍ଛା ଅଛି ।”

 

ସୁକେଶୀ, ଶିବନାଥ ବସିଥିବା ବେଞ୍ଚିରେ ବସିଥିଲେ । ହଠାତ୍ ଉଠିପଡ଼ି ଅଳ୍ପ ଇତସ୍ତତଃ ହୋଇ ପୁଣି ବସିପଡ଼ି କହିଲେ–“ଆପଣ ସେପଟକୁ ଚାଲିଯାଆନ୍ତୁ, ସେପଟ ବେଞ୍ଚକୁ, ଗାଁ ହୋଇଗଲା ।” ଶିବନାଥ ବାଟଯାକ ସେହି କଥା, ଅନ୍ୟ ବେଞ୍ଚକୁ ଯିବା କଥା, ଯେପରି ଭାବୁଥିଲା । ସୁକେଶୀଙ୍କ ଆଦେଶ ପାଇବାମାତ୍ରେ ସେ ସେପାଖରେ ଯାଇ ବସିଲା । ସୁକେଶୀ ଗମ୍ଭୀର ହୋଇଗଲେ ।

 

ଉଆସ ବାରଣ୍ଡାରେ ଜମିଦାର, ସାଧୁ ଓ ଅନ୍ୟାନ୍ୟ କେତେକ ଭଦ୍ରବ୍ୟକ୍ତି ବସି ଦର୍ଶନ ଚର୍ଚ୍ଚା କରୁଥାନ୍ତି । ସାଧୁ ମହାଶୟ ଦ୍ଵୈତ, ଅଦ୍ଵୈତ, ବିଶିଷ୍ଟାଦ୍ଵୈତ, ସବୁ ମତକୁ ସମାଲୋଚନା କରି ବଲ୍ଲଭଙ୍କ ଶୁଦ୍ଧାଦ୍ଵୈତକୁ ଶ୍ରେଷ୍ଠ ବୋଲି ପ୍ରତିପାଦନ କରୁଥାନ୍ତି । ଗାଡ଼ିରୁ ଓହ୍ଲାଇ ଶିବନାଥ ତାଙ୍କର ପାଦ ସ୍ପର୍ଶକରି ପ୍ରଣାମ କଲା । ସେତେବେଳେ ଯୁକ୍ତି ଖୁବ୍ ଜୋରସୋରରେ ଚାଲିଥିଲା, ସାଧୁ ତା’ ଆଡ଼କୁ ନ ଚାହିଁ ‘ଆୟୁଷ୍ମାନ୍, ଭିତରକୁ ଯାଆ’ ବୋଲି କହିଦେଇ ଆଲୋଚନାରେ ମନ ଦେଲେ । ଘର ଭିତରକୁ ସୁକେଶୀ ପଶିଯିବା ପରେ, ପଚାରିଲେ–

 

“ଆମ ଘର କିପରି ଲାଗୁଛି ?”

 

“ଭାରି ଭଲ ।”

 

“କଟକରୁ କାରିଗର ଆଣି ଘର ତିଆରି କରିଥିଲେ ବୋଲି ବାପା କହୁଥିଲେ । ଏଠା ଲୋକ ଏପରି କେବେ କରି ପାରିବେନି । ଆମ ଘରକୁ ତ ଲୋକେ ଉଆସ ବୋଲି କୁହନ୍ତି । କୁହନ୍ତି ନା ?”

 

“ହଁ ।”

 

“ଆପଣଙ୍କ ଘର କିପରି ? ପଦାରୁ ଥରେ ଅଧେ ମୁଁ ଦେଖିଛି ।”

 

ସେମାନେ ଉଆସର ବଗିଚା ପାଖଦେଇ ଯାଉଥିଲେ । ସୁକେଶୀ ବଗିଚା ଆଡ଼କୁ ଶିବନାଥର ଦୃଷ୍ଟି ଆକର୍ଷଣ କରି କହିଲେ–

 

“ଆପଣ ମୋ ଫୁଲବଗିଚା ଦେଖିଛନ୍ତି ? ଫୁଲ ବଗିଚାର ତତ୍ତ୍ଵାବଧାନ କେବଳ ମୁଁ ନିଏ-। ମାଳୀ ଅଛି ସାହାଯ୍ୟ କରିବାକୁ; କିନ୍ତୁ ପ୍ରାୟ ସବୁ କାମ ମୁଁ କରେ । ସାଧୁ ମହାଶୟ ଦେଖି ଗଦ୍‍ଗଦ୍ ହୋଇଗଲେ । ଆସନ୍ତୁ ।”

 

ଦୁହେଁ ପିଣ୍ଡାରେ ତଳକୁ ଓହ୍ଲାଇ ବଗିଚାକୁ ଗଲେ । ଦୁଇଜଣ ଲୋକ ବଗିଚାରେ କାମ କରୁଥାଆନ୍ତି । ବଗିଚାର କଡ଼େ କଡ଼େ ଗୋଲାପର କ୍ରିମ୍‍ସନ୍ ଗ୍ଳୋରି, କ୍ରିମ୍‍ସନ୍ କିଙ୍ଗ୍, ହଲାଣ୍ଡ ବିଉଟି ଫୁଲ ଗଛର ଧାଡ଼ି ଥିଲା । ଗଛଗୁଡ଼ିକ ଯତ୍ନ ଓ ଲାଳନପାଳନ ପାଇ ବେଶ ଚକଡ଼ା ବାନ୍ଧିଥାଆନ୍ତି । ଆଉ ଗୋଟିଏ ଧାଡ଼ିରେ ମଲ୍ଲୀ । ସୁକେଶୀ ମଲ୍ଲୀଗଛଗୁଡ଼ିକୁ ଦେଖୁ ଦେଖୁ ହଠାତ୍ କ’ଣ ଇଚ୍ଛା ହେଲା, ବହିତକ ଶିବନାଥକୁ ଧରାଇ ଦେଇ, ଅଣ୍ଟାରେ କାନିଗୁଡ଼ାଇ, ମଲ୍ଲୀଗଛରୁ ଶୁଖିଲା ଡାଳ ବାହାର କରିବାକୁ ଲାଗିଲେ । ଶୁଖିଲା ପତର କାଢ଼ି ଫୋପାଡ଼ି ଦେଲେ । ମଲ୍ଲୀଗୁଡ଼ିକ ବେଶ୍ ବଡ଼ ବଡ଼ ହୋଇଥାଏ । ଶିବନାଥ ମଲ୍ଲୀଗଛ ଉପରକୁ ନଇଁ ପଡ଼ିଲା ।

 

“ହାଁ, ହାଁ, କ’ଣ କଲେ !”

 

ଶିବନାଥ ମଲ୍ଲୀ ଫୁଲଟିଏକୁ ଛିଣ୍ଡାଇ ସାରିଥିଲା । ସୁକେଶୀଙ୍କ ଭର୍ତ୍ସନାରେ ସେ ଶୁଖିଯାଇଥାଏ ।

 

“ଯିଏ ହେଉ, ଫୁଲଗଛରୁ ଫୁଲ ଛିଣ୍ଡାଇଲେ, ମୋତେ ଭଲ ଲାଗେନି । ଫୁଲ, ଗଛରେଇ ରହିବା ଉଚିତ ।”

 

ଶିବନାଥ ଅତ୍ୟନ୍ତ ଦୋଷୀପରି କହିଲା–“ଫୁଲଟିକୁ ଆପଣଙ୍କୁ ଦେବାପାଇଁ ତୋଳିଥିଲି-।”

 

“ମୋ ବଗିଚାରୁ ଫୁଲ ତୋଳି ମୋତେ ଦେଇଥାନ୍ତେ ? ଭାରି ଚାଲାକ୍‍ ତ ଆପଣ !”

 

ଶିବନାଥ କିଛି କହିଲାନି ।

 

“ଫୁଲଗଛରେ ଫୁଲ ଥିଲେ କେତେ ଲୋକ ତା’ର ବାସନାରେ ଖୁସି ହୋଇ ଥାଆନ୍ତେ, ତୋଳିଦେଲେ ଫୁଲ ଜଣକର ସିନା ହୋଇଗଲା !”

 

ଶିବନାଥ ସୁକେଶୀଙ୍କୁ କିଛି ଉତ୍ତର ଦେଲାନି । ହାତରେ ଫୁଲଟି ତାକୁ ବୋଝଟିଏ ପରି ବୋଧ ହେଉଥାଏ । ସୁକେଶୀ ତା’ର ଶୁଖିଲା ମୁହଁକୁ ଚାହିଁ କହିଲେ–

 

“ଫୁଲଟି ମୋତେ ଦେବାପାଇଁ ତୋଳିଥିଲେ ନା ? ଦିଅନ୍ତୁ ।”

 

ସୁକେଶୀ ହାତ ବଢ଼ାଇଦେଲେ, ଶିବନାଥ ତାଙ୍କ ହାତକୁ ଫୁଲଟି ଦେଲା । ସୁକେଶୀ ଫୁଲଟିକୁ ବେଣୀରେ ଖୋସିଦେଇ ପଚାରିଲେ–

 

“ହେଲା ?”

 

ଶିବନାଥ ତଳକୁ ମୁଁହ କରିଦେଲା ।

 

“ମନ ଦୁଃଖ କଲେ କି ?”

 

“ନାଁ ।”

 

ଦୁହେଁ ସୁକେଶୀଙ୍କ ପଢ଼ାଘରେ ପହଞ୍ଚିଲେ । ସୁକେଶୀ ଶିବନାଥକୁ ବସାଇଦେଇ ଟେବୁଲ ଦାଢ଼କୁ ଲାଗି ଠିଆହୋଇ କହିଲେ–“ଅଙ୍କଗୁଡ଼ିକ ଆପଣ କରୁଥାନ୍ତୁ । ମୁଁ ଆସୁଛି ।”

 

ଅଙ୍କ ଖାତା ଓ ବହିକୁ ସୁକେଶୀ ଶିବନାଥ ପାଖକୁ ଠେଲି ଦେଇ ଚାଲିଗଲେ ।

 

“ବୋଉ ! ଭାରି ଭୋକ କରୁଛି । କ’ଣ ରଖିଛୁ ଦେ ।”

 

“ପୂଜାରୀକୁ କହ, ଆମଲେଟ୍ କରିଦେବ । ତୋ ସଙ୍ଗରେ ଆଉ କିଏ ଆସିଛି କି ?”

 

“ଶିବନାଥ । ସେ ଦିନ ଯିଏ ସାଧୁଙ୍କ ସହିତ ଆସିଥିଲେ ।”

 

“ହଉ ।”

ପୂଜାରୀ ଜଳଖିଆ ଆଣିଦେଲା । ଗୋଟିଏ ପ୍ଲେଟରେ ସିଙ୍ଗଡ଼ା ଓ ରସଗୋଲା ।

 

“ଆମଲେଟ୍ କାହିଁ ? ବୋଉ ପରା ଆମଲେଟ୍ ଆଣିବାପାଇଁ କହିଲା ?”

 

“ଆମଲେଟ୍ କରୁ କରୁ ଡେରି ହବ, ତୁମେ ତ ଡେରି ସମ୍ଭାଳି ପାରିବନି ?”

 

“ତାଙ୍କ ପାଇଁ କିଛି ଜଳଖିଆ ଆଣିବୁନି । ସେ ସିଧା ସ୍କୁଲରୁ ଆସିଲେଟି ।”

 

“କିଛି ସମୟ ପରେ ତ ଘରକୁ ଚାଲିଯିବେ, ଏଠି କାହିଁକି ଜଳଖିଆ ଖାଇବେ ?” –ପୂଜାରୀ କହିଲା । ସୁକେଶୀଙ୍କ ବୋଉ ପୂଜାରୀ କଥାକୁ ସମର୍ଥନ କଲେ । ସୁକେଶୀ ଜଳଖିଆ ଡାଇନିଂ ଟେବୁଲ ଉପରେ ରଖିବାକୁ କହିଲେ ।

 

ଶିବନାଥ ଅଙ୍କଗୁଡ଼ିକ ସାରିଦେଇ ଟେବୁଲର ଚାରିଆଡ଼କୁ ଚାହୁଁଥିଲା । ଟେବୁଲର ଗୋଟିଏ ପାଖେ ଦୁଇ ତିନୋଟି ଖାତା ତଳେ ଆଲବମ୍ ଥୁଆ ହୋଇଥିଲା । କୌତୂହଳ ହୋଇ ଶିବନାଥ ଆଲବମ୍ ଖୋଲିଲା । ଅଧିକାଂଶ ସୁକେଶୀଙ୍କର ବିଭିନ୍ନ ଭାବଭଙ୍ଗୀର ଫଟୋ । କେଉଁଥିରେ ହସୁଚନ୍ତି, କେଉଁଥିରେ ଚାଲି ଯାଉଥିବାବେଳେ ଫେରି ଚାହିଁଦେଇଛନ୍ତି, କେଉଁଥିରେ ଫୁଲଗଛକୁ ଆଉଜିଛନ୍ତି । ଫଟୋଗୁଡ଼ିକ କିନ୍ତୁ ସେତେ ଭଲ ଉଠି ନ ଥିଲା । ସେ ଫଟୋଗୁଡ଼ିକୁ ତନ୍ମୟ ହୋଇ ଦେଖୁଥିବାବେଳେ ସୁକେଶୀ ପଶି ଆସି ଚିତ୍କାର କଲେ–‘‘ଆପଣଙ୍କୁ ମୋ ଆଲବମ୍ ଖୋଲିବାକୁ କିଏ କହିଲା ? ବଡ଼ ଖରାପ କଥା !”

 

ଆଲବମ୍ ଛଡ଼ାଇ ନେଇ ସେ ଆଲମାରି ଭିତରେ ରଖିଦେଲେ ।

 

“ଟେବୁଲ ଉପରେ ଥୁଆ ହୋଇଥିଲା.......”

 

“କ’ଣ ଭଲ ଫଟୋ ହୋଇଛି ।”

 

“ହଁ ।”

 

“ଅଙ୍କଗୁଡ଼ିକ କରିଦେଲେ ?”

 

“ହଁ ।”

 

“ଧନ୍ୟବାଦ, ବହୁତ ଧନ୍ୟବାଦ । ହଉ, ଆପଣଙ୍କର ଡେରି ହୋଇଯିବଣି । ଯାଆନ୍ତୁ । କାଲି ଚାରିଟାବେଳେ ଆସିବେ । ଆସିବେ କ’ଣ ଯେ, ମୁଁ ତ ପ୍ରତିଦିନ ସ୍କୁଲରୁ ଡାକି ଆଣୁଥିବି । ଆପଣଙ୍କର ସମୟ ନଷ୍ଟ ହେବ ବୋଲି ଠିକ୍ କରିଛି ପରା । ଆପଣ ଏତିକିବେଳେ ଖେଳିବୁଲି ସମୟ ନଷ୍ଟକରି ଦେଉଥିଲେ, ମୋତେ ଟିକିଏ ଆସି ସାହାଯ୍ୟ କରିବେ । କ’ଣ କରିବେଟି ସାହାଯ୍ୟ-?”

 

ସ୍ନେହପ୍ରଭାଙ୍କର ଘର ଷଡ଼ଙ୍ଗୀଙ୍କ ଘରଠୁ ଚାରି ପାଞ୍ଚୋଟି ଘର ଛାଡ଼ି । ଘର ମଧ୍ୟରେ ସିନା ବ୍ୟବଧାନ ଏତେ କମ, ଆର୍ଥିକ ଅବସ୍ଥାରେ ସହସ୍ର ଯୋଜନର ପାର୍ଥକ୍ୟ । ସ୍ନେହପ୍ରଭାଙ୍କ ବାପା ମହେଶ୍ଵର ପାଢ଼ୀଙ୍କର ଯାହା ଦୁଇପଇସା ଦାନ ଦକ୍ଷିଣାରୁ ଆସେ, ତାହା କୌଣସି ଆଡ଼କୁ ପାଏନି । ଅବଶ୍ୟ ପରମ କରୁଣା ଦେଖାଇ ଈଶ୍ୱର ତାଙ୍କୁ ବହୁ କୁଟୁମ୍ବ ମଧ୍ୟ ଦେଇ ନ ଥିଲେ; କିନ୍ତୁ ଯାହା ଦେଇଥିଲେ ସ୍ନେହ, ସ୍ନେହଙ୍କ ସାନଭାଇ ପିନାକ, ସ୍ତ୍ରୀ ଯଶୋଦା, ସେମାନଙ୍କୁ ମଧ୍ୟ ପୂରାପେଟ ଖାଇବାକୁ ମିଳୁ ନ ଥିଲା । ପ୍ରେତକ୍ରିୟା କରି କେତେ ବା ଆୟ ହୁଅନ୍ତା ? ଲୋକ ବେଶୀ ସଂଖ୍ୟାରେ ମରୁ ନ ଥିଲେ, ମଲେ ମଧ୍ୟ ଦାନ ହାତ ଖୋଲିକରି ଦବାକୁ କେହି ରାଜି ହେଉ ନ ଥିଲେ । ଘରେ କିନ୍ତୁ ଶାନ୍ତି ଥିଲା, ଗୃହିଣୀ ଓ ଝିଅ ଉଭୟ ସ୍ନେହଶୀଳ ଓ ଧରିତ୍ରୀ ପରି ସହନଶୀଳ ଥିବା ଯୋଗୁଁ ।

 

ସ୍ନେହଙ୍କ ବାହାଘର ବର୍ଷେ ହେଲା କରିବାକୁ ଚେଷ୍ଟା କରି କରି ସବୁଠାରେ ମହେଶ୍ଵର ଅସଫଳ ହେଉଛନ୍ତି । ଝିଅର ବୟସ ବଢ଼ି ଚାଲିଛି; ରୂପ, ଗୁଣ, ଭଲ କୋଷ୍ଠୀ ଏସବୁକୁ କେହି ପଚାରୁ ନାହାନ୍ତି । ଲୋକେ ଚାହୁଁଛନ୍ତି ଶିକ୍ଷା ଓ ଯୌତୁକ । ପ୍ରସ୍ତାବ ଆସୁଛି, ଭାଙ୍ଗି ଯାଉଛି । ସନ୍ତାରାପୁର ଶାସନସାରା ସ୍ନେହଙ୍କ ଆଦର ପ୍ରଂଶସା ସବୁଠି, ସବୁରି ମୁଖରେ; କିନ୍ତୁ ଘରକୁ ବହୁ କରି କିଏ ନେଉଛି ? ଏକା ଗାଁରେ ମଧ୍ୟ ବିବାହ ଅବା କିପରି ହେବ ! ଗାଁ କନ୍ୟା ପରା ସିଂଘାଣିନାକୀ !

 

ସ୍ନେହ ପିଲାଦିନୁ ଷଡ଼ଙ୍ଗୀଙ୍କ ଘରକୁ ଯାଉଥିଲେ । ତାଙ୍କର ଖେଳସାଥୀ ଥିଲା ଶିବନାଥ; କିନ୍ତୁ ଷଡ଼ଙ୍ଗୀଙ୍କ ଘରେ ଖେଳୁଥିବାବେଳେ, ଜଣେ ଲୋକକୁ ସେ ଭୟ କରୁଥିଲେ, ଟିକିଏ ଭୁଲ କଲେ ବା ବେଶି ପାଟି କଲେ ଯିଏ ଘର ଭିତରକୁ ଡାକିନେଇ ପିଟି, ଘରକୁ ଚୁପଚାପ୍ ତାଙ୍କୁ ଫେରି ଯିବାକୁ କହୁଥିଲା । ସେ ହେଉଛନ୍ତି, ଦେବୀପାଦ l ପିଲାଦିନର ଭୟ ବୟସ ବଢ଼ୁ ବଢ଼ୁ ଭଲ ପାଇବାରେ କେବେ ପରିଣତ ହେଲା ସ୍ନେହ ଜାଣନ୍ତିନି; କିନ୍ତୁ ଏବେ ମଧ୍ୟ ଦେବୀର କୋପକୁ ସେ ଭୟ କରନ୍ତି । ତଥାପି ଦେବୀପାଦ ପାଖରେ ରହିବାକୁ, ଦେବୀପାଦ ସହିତ କଥାବାର୍ତ୍ତା ହେବାକୁ ତାଙ୍କର ସବୁବେଳେ ଇଚ୍ଛା ଥାଏ । ସେଥିପାଇଁ ଯେତେବେଳେ ସେ ସୁବିଧା ପାଉଥିଲେ, ଷଡ଼ଙ୍ଗୀଙ୍କ ଘରକୁ ଚାଲିଯାଉଥିଲେ–ହଠାତ୍ ଦିନେ କିନ୍ତୁ ତାଙ୍କର ସ୍ଵାଧୀନତାରେ ପ୍ରତିବନ୍ଧକ ଆସିଲେ । ସବୁଦିନେ, ଯେତେବେଳେ ଇଚ୍ଛା ସେତେବେଳେ ସେ ଯାଇ ପାରିବେନି; କାରଣ ଆଉ ସେ ପିଲା ନୁହଁନ୍ତି । ଶନିବାର ଦିନ ସପ୍ତାହକେ ଥରେ ଯଶୋଦା ତାଙ୍କୁ ଛାଡ଼ିଦିଅନ୍ତି । ତାଗିଦା ଥାଏ, ଜଲଦି ଫେରି ଆସିବାକୁ ଏବଂ ଷଡ଼ଙ୍ଗୀଙ୍କ ଘର ଛଡ଼ା ଆଉ କୁଆଡ଼େ ନ ଯିବାକୁ । ସ୍ନେହ ଷଡ଼ଙ୍ଗୀଙ୍କ ଘରକୁ ଯାଆନ୍ତି, ବସୁନ୍ଧରା କାମ କରୁଥିଲେ ତାଙ୍କୁ ସାହାଯ୍ୟ କରିଦିଅନ୍ତି, ଦେବୀପାଦକୁ ଖୋଜିବାକୁ ବଗିଚାକୁ ଚାଲିଯାଆନ୍ତି ।

 

ସେଦିନ ସ୍ନେହ ଘରକାମ ଜଲଦି ଜଲଦି ସାରୁଥିଲେ । ଚଞ୍ଚଳ ନ ଗଲେ ଦେବୀପାଦ ବଗିଚାରେ ଶୋଇ ପଡ଼ିବାର ସମ୍ଭାବନା ବହୁତ ଅଛି । ତା’ ହେଲେ ତା’ ସହିତ କଥାବାର୍ତ୍ତା ଆଉ ସେ ହୋଇ ପାରିବେନି ।

 

“ବୋଉ, ଚାଉଳ ତ ଆଜି କିଛି ନାହିଁ । ବାପା ଚାଉଳ ଧରି କେତେବେଳେକୁ ଆସିବେ, ଚୁଲି ଲାଗିବ ?”

 

ସ୍ନେହ ଏଇ କଥା ଯୋଶୋଦାଙ୍କୁ ଥରେ ନୁହେଁ, ଦୁଇ ତିନିଥର ପଚାରି ସାରିଥିଲେ । ଯଶୋଦା ତା’ ଉତ୍ତରରେ କ’ଣ ବା କହିବେ ? କହିଥାନ୍ତି–“ବାପା ଚାଉଳ ଆଣିବାକୁ ଯାଇଛନ୍ତି ।”

 

ଏପରି ପରିସ୍ଥିତି ଯେ ଆଉ କେବେ ସୃଷ୍ଟି ହୋଇନି ତା’ ନୁହେଁ । ବହୁବାର ହୋଇଛି; କିନ୍ତୁ କୌଣସି ସପ୍ତାହର ଶନିବାର ଦିନ ଏପରି ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା । ଶନିବାର ବୋଲି ସ୍ନେହଙ୍କ ମନ ଉଚ୍ଚାଟ, ଯାହା ବସିପଖାଳ ଥିଲା ସକାଳେ ସମସ୍ତେ ଖାଇଥିଲେ, ଚାଉଳ ଆସିଲେ ଦିନ ଓ ରାତି ଉଭୟ ଖିଆ ପାଇଁ ରାନ୍ଧିବା କଥା । ଯେପରି ଦେଖାଗଲାଣି ଆଜି ଚାଉଳ ଆସିବନି, ଉପାସ ରହିବାକୁ ହେବ । ଦେବୀପାଦ ବୋଧେ ବଗିଚାଘରେ ପଢ଼ୁ ପଢ଼ୁ ଢୁଳାଇ ସାରିବଣି । ଅନେକ ସମୟରେ ସେପରି ହୁଏ । ଅନ୍ୟ ଦିନମାନଙ୍କରେ ସ୍ନେହ ପହଁଞ୍ଚିଲେ ଦେବୀପାଦ ସେଦିନ ଯାହା ପଢ଼ିଥାଏ, ତାହା ସ୍ନେହଙ୍କୁ କୁହେ । ଏହିପରି ଶୁଣି ଶୁଣି ସ୍ନେହ ଅନେକ କଥା ଜାଣିଛନ୍ତି; କିନ୍ତୁ ବହୁ କଥାରେ ତାଙ୍କ ମତ ଦେବପାଦ ମତ ସହ ମିଳେନା । ଦେବୀ ବିରକ୍ତ ହୁଏ, ସ୍ନେହ କିଛି ବୁଝି ପାରନ୍ତିନି ବୋଲି ସେ ଗାଳିଦିଏ; କିନ୍ତୁ ସ୍ନେହ ସବୁ ବୁଝନ୍ତି, ଦେବୀ ପାଦ ଯେଉଁଠି ଭୁଲ କରୁଛି ତାହା ସେ କହନ୍ତିନି; କିନ୍ତୁ ଜାଣିପାରନ୍ତି ।

 

ଦିନେ ଦିନେ ବହି ଉପରୁ ମୁହଁ ଟେକି ଦେବୀପାଦ ତାଙ୍କ ଆଡ଼କୁ ଚାହିଁବନି । ସ୍ନେହ କି ବହି ଜାଣିବାକୁ ଉପାୟ ମଧ୍ୟ ନ ଥିବ । ଇଂରେଜୀରେ କି ବହି । ଇଂରେଜୀ ସ୍ନେହ ଜାଣନ୍ତିନି । ସେତେବେଳେ କାନ୍ଥକୁ ଆଉଜି, ବଗିଚାକୁ ଚାହିଁ, ପକ୍ଷୀମାନେ କ’ଣ ଭାବୁଥିବେ, ପରସ୍ପରକୁ ସେମାନେ ମଧ୍ୟ କ’ଣ ଭଲ ପାଉଥିବେ, ଏହିପରି ବାରକଥା ସ୍ନେହ ବସି ବସି ଭାବୁଥିବେ । ବସି ବସି ବିରକ୍ତ ଲାଗିଲେ ସେ ଉଠି ଘରକୁ ଯିବାକୁ ଉଦ୍ୟତ ହେବାବେଳକୁ କହିବେ–“ଦେବୀ ଭାଇ, ଯାଉଛି ।” ସେତେବେଳେ ବହିରୁ ମୁହଁ ଉଠାଇ ଦେବୀପାଦ ଚାହିଁବ । ସ୍ନେହ ପୁଣି କହିବେ–“ଯାଉଛି-?” ଅନ୍ତର ତାଙ୍କର ଚାହିଁଥିବ ଦେବୀପାଦ ତୁଣ୍ଡରୁ ଶୁଣିବାକୁ–କ୍ଷମା କରିବ, ପଢ଼ାରେ ବ୍ୟସ୍ତ ରହି ତୁମ ସାଙ୍ଗରେ କଥା ଟିକିଏ ହୋଇ ପାରିଲିନି । ଆର ଶନିବାର ନିଶ୍ଚୟ ଆସିବ ଯେପରି-

 

ଦେବୀପାଦ କିନ୍ତୁ କୌଣସି କଥା କହିବା ପରିବର୍ତ୍ତେ ସ୍ନେହଙ୍କ ଆଡ଼କୁ ଖାଲି ଚାହିଁବ । ଦୃଷ୍ଟିର ତୀକ୍ଷ୍ଣତା ସ୍ନେହଙ୍କ ଶରୀର ନୁହଁ, ତାଙ୍କର ଶରୀରସ୍ଥ ଅସ୍ଥିମଜ୍ଜାକୁ ମଧ୍ୟ ପରୀକ୍ଷା କରୁଥିବା ପରି ମନେ ହେବ । ସ୍ନେହ ଥରି ଉଠିବେ । ଦେବୀ ଭାଇ କ’ଣ ଦେଖୁଛନ୍ତି ? ତାଙ୍କ ପାଇଁ ସୁନ୍ଦର ଅସୁନ୍ଦର ବୋଧେ ସବୁ ସମାନ । ଦେବୀପାଦକୁ ସେହିପରି ଦେଖିବାକୁ ଛାଡ଼ିଦେଇ ସେ ଫେରି ଆସିବେ ଧୀରେ ଧୀରେ ।

 

ବହୁ ସମୟଯାଏଁ ବାପାଙ୍କୁ ଅପେକ୍ଷା କରି କରି ଶେଷରେ ସ୍ନେହ ଷଡ଼ଙ୍ଗୀଙ୍କ ଘରକୁ ବାହାରିଲେ । ଯଶୋଦା ପୁଅକୁ ଧରି ଶୋଇ ପଡ଼ିଥାନ୍ତି । ସ୍ନେହଙ୍କୁ ଭୋକ କରୁଥାଏ, ଏଣେ ପ୍ରବଳ ଭୟ, ଦେବୀପାଦ ଯଦି ଶୋଇ ପଡ଼ିଥାଏ ତା’ ହେଲେ ସବୁ ପରିଶ୍ରମ ବ୍ୟର୍ଥ ହେବ । ସାତଦିନର ଅପେକ୍ଷା । ହୁଡ଼ିଲେ ପୁଣି ସାତଦିନ ।

 

ଷଡ଼ଙ୍ଗୀଙ୍କ ଘରେ ସମସ୍ତେ ବିଶ୍ରାମ ନେଉଥିଲେ, ଏକା ଦେବୀପାଦ ନ ଥିଲା । ବଗିଚାରେ ମଧ୍ୟ ସ୍ନେହ ଦେବୀପାଦକୁ ଦେଖିବାକୁ ପାଇଲେନି । ଦିନେ ଦିନେ ଦେବୀପାଦ ସେହିପରି ଅନ୍ତର୍ଦ୍ଧାନ ହୋଇଯାଏ । ଏତେ ପରିଶ୍ରମ ପରେ ଦେବୀପାଦକୁ ନ ଥିବା ଦେଖି ସ୍ନେହ ଦୁର୍ବଳତା ଅନୁଭବ କଲେ । କିପରି ଲୋକ, ସେ ଶନିବାର ଦିନ ତାଙ୍କ ପାଖକୁ ଆସିବ ବୋଲି କ’ଣ ଜାଣି ନାହାନ୍ତି ? ଆରାମ ଚୌକିରେ ସ୍ନେହ ବସିପଡ଼ିଲେ । ମନେ ପଡ଼ିଲା, ଅନେକ ଦିନ ତଳେ, ସେଦିନ ସ୍ନେହାଙ୍କୁ ଜର ହୋଇଥିଲା । ତଥାପି ଦେବୀପାଦକୁ ଦେଖିବା ପାଇଁ ସେ କାହାକୁ ନକହି ବଗିଚାକୁ ଚାଲି ଆସିଥିଲେ । ବଗିଚାକୁ ଆସି ଦେଖନ୍ତି ଦେବୀପାଦ ନାହିଁ ।

 

ବଗିଚାର ଅନ୍ୟ ଏକ କୋଣରେ ଏକ ସହକାର ବୃକ୍ଷ ତଳେ ସେହି ସମୟରେ ଷଡ଼ଙ୍ଗୀଙ୍କ ଜପାମାଳି ଆଣି ଦେବୀପାଦ ଜଣେ ବନ୍ଧୁଙ୍କ ସହ ଜପଯୋଗ ସାଧିବାରେ ବ୍ୟସ୍ତ । ବନ୍ଧୁ ପଦ୍ମାସନରେ ଦୁଇମିନିଟ ରହି ଅନଭ୍ୟାସ ଯୋଗୁ ଧୀରେ ଧୀରେ ଗୋଡ଼ ଖସାଇ ସୁଖାସନରେ ପହଞ୍ଚିଲେ ଓ ତା’ପରେ ସାଧାରଣ ଚକାମୁଣ୍ଡି । ହରିହର ଦେବୀପାଦର ସହପାଠୀ ଥିଲା । ଦେବୀପାଦ ଆଡ଼କୁ ଚାହିଁ ଦେଖେ ସେ ଜପ କରି ଚାଲିଛି ଏକଲୟରେ । ହରିହର ବଗିଚାରେ ଚତୁର୍ଦ୍ଦିଗକୁ ଅଳସ ଦୃଷ୍ଟି ପକାଇଲା । ଶନିବାର, ରବିବାର ଓ ଅନ୍ୟାନ୍ୟ ଛୁଟିଦିନମାନଙ୍କରେ ଆରାମରେ ଶୋଇବା କଥା । ଜପ କଲେ, ଭଗବାନ ଆସି ଦେଖାଦେବେ, ମଣିଷ ଅମର ହୋଇଯିବ, ଇଚ୍ଛା କଲେ ଆକାଶରେ ଉଡ଼ି ପାରିବ, ଜଳରେ ବୁଡ଼ି ପାରିବ ଇତ୍ୟାଦି ପ୍ରଲୋଭନ ଦେଖାଇ ଦେବୀପାଦ ହରିହରକୁ ବଗିଚାକୁ ଡାକି ଆଣିଥିଲା । ଘରୁ ମଧ୍ୟାହ୍ନ ଭୋଜନ ପରେ ଦୁହେଁ ବଗିଚା ପୋଖରୀରେ ଗାଧୋଇ, ମଠା ପିନ୍ଧି, ମାଳି ଧରି, ବସି ଯାଇଥିଲେ । ଜପ କରୁ କରୁ ଈଶ୍ଵରଙ୍କ ସାକ୍ଷାତ୍‍ ପାଇବା ହରିହରକୁ ଅତି ସହଜ ମନେ ହୋଇଥିଲା; କିନ୍ତୁ ଦୁଇମିନିଟ୍‍ ଆସନରେ ବସିବାପରେ ତାକୁ ଜପ, ଆସନ ଓ ଈଶ୍ୱର ସବୁ ନିରର୍ଥକ ଓ ନିଷ୍ପ୍ରୟୋଜନ ମନେ ହେଲେ । କିପରି ସେ ସେଠାରୁ ଯାଇ ଘରେ ଶୋଇବ ସେହି କଥା ଭାବିବାକୁ ଲାଗିଲା । ଏଣେତେଣେ ଚାହିଁବା ପରେ ସେ ଦେବୀପାଦକୁ ସେହିପରି ଧ୍ୟାନସ୍ଥ ଦେଖି କହିଲା–

 

“ଦେବୀ, ମୁଁ ଘରକୁ ଯାଉଛି, ଆଉ କେବେ ସାଧନା କରିବା, ବର୍ତ୍ତମାନ ନିଦ ଲାଗୁଛି ।”

 

ଦେବୀପାଦ ଆଖି ମେଲାଇଲା । ଯେପରି ସେ ହରିହରର କଥାକୁ ଅପେକ୍ଷା କରୁଥିଲା-। “ଯା, ମୁଁ ମଧ୍ୟ ଯିବି ।”

 

ହରିହର ଚାଲିଯିବା ପରେ ଦେବୀପାଦ ଝିମ୍ ଝିମ୍ ହୋଇ ଯାଇଥିବା ଗୋଡ଼ଟା ସମ୍ଭାଳି ବଗିଚା ଘର ଆଡ଼କୁ ଚାଲିଲା । ଗୋଟିଏ ଆସନରେ ବହୁ ସମୟ ଧରି ବସିଲେ ତା’ର ଗୋଡ଼ ଝିମ୍‍ ଝିମ୍‍ ମାରିଯାଏ । ଦେବୀପାଦ ଫେରିବାବେଳକୁ ଆରାମ ଚୌକିରେ ସ୍ନେହ ଆଲିଜିଆ ହୋଇ ପଡ଼ିଥିଲେ । ଦେବୀପାଦର ପାଦ ଶବ୍ଦ ଶୁଣି ତାଙ୍କର ତନ୍ଦ୍ରା ଭାଙ୍ଗିଗଲା । ଦେବୀପାଦର ମଠା, ଜପାମାଳୀ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–

“ଦେବୀ ଭାଇ, ଇଏ କି ବେଶ !”

“ତୁମେ ବୁଝିପାରିବିନି । ମୁଁ ଘରକୁ ଯାଉଛି, ବାପା ସନ୍ଧ୍ୟାବେଳେ ଜପାମାଳି ଓ ମଠା ଖୋଜିବେ । ସେଗୁଡ଼ିକୁ ଯଥା ସ୍ଥାନରେ ରଖିଦେବାକୁ ହେବ ।”

“କିନ୍ତୁ ତୁମେ କ’ଣ କରୁଥିଲ ?” –ସ୍ନେହ ପଚାରିଲେ ।

“ଜପ !”

ସ୍ନେହ ଆଉ କ’ଣ କହିବାକୁ ଯାଉଥିଲେ । ତାଙ୍କ ଭାବନା ବାକ୍ୟରେ ରୂପାୟିତ ହେବା ପୂର୍ବରୁ ଦେବୀପାଦ ସୀତାଫଳ ବଣ ଭିତରେ ଅଦୃଶ୍ୟ ହୋଇ ଯାଇଥିଲା । ସ୍ନେହପ୍ରଭା ଦେବୀପାଦ ଯିବା ପରେ ପୁଣି ଶୋଇପଡ଼ିଲେ ।

 

ସ୍ନେହଙ୍କର ଯେତେବେଳେ ନିଦ ଭାଙ୍ଗେ ସେତେବେଳକୁ ଅପରାହ୍‍ଣ ସନ୍ଧ୍ୟାର ଆସନ୍ନ ଅନ୍ଧକାରରେ ହଜୁଥିଲା । ବହୁତ ଡେରି ହୋଇଗଲା, ଘରେ ବୋଉ କେଡ଼େ ବ୍ୟସ୍ତ ହେଉ ନ ଥିବେ ଭାବି, ସ୍ନେହ ଧଡ଼ପଡ଼ ହୋଇ ଉଠି ବସିଲେ ।

 

ସେଦିନ ପରି ଆଜି ମଧ୍ୟ ଦେବୀପାଦ ଆସି ନ ଥିଲା । କିଛି ସମୟ ପରେ ଆସିବ ପରା-

 

ସୁକେଶୀଙ୍କ ପଢ଼ାଘର ଟେବୁଲ ପାଖରେ ଦୁଇଟି ଚୌକିରେ ମୁହାଁମୁହିଁ ହୋଇ ବସିଥାନ୍ତି, ସୁକେଶୀ ଓ ଶିବନାଥ । ସୁକେଶୀ ଉପନ୍ୟାସ ପଢ଼ୁଥାନ୍ତି, ସୁବିଧା ହେବ ବୋଲି ଟୁଲ୍ ଉପରେ ଗୋଡ଼ ଥାଏ, ଶିବନାଥ ଅଙ୍କ କରୁଥାଏ । ଦୁହେଁ ଦୁହିଁଙ୍କ କାର୍ଯ୍ୟରେ ତନ୍ମୟ ଥାନ୍ତି । ହଠାତ୍ ସୁକେଶୀ ପଚାରିଲେ–“ଶିବନାଥବାବୁ, ପାରୁଛନ୍ତି ନା, ସାହାଯ୍ୟ ଆବଶ୍ୟକ ?”

 

“ସାହାଯ୍ୟ ଦରକାର ନାହିଁ, ସବୁ ଠିକ୍ ଚାଲିଛି ।”

 

“ବହିଟା ବି ଭାରି ବଢ଼ିଆ । ବହିରୁ ଆଖି କାଢ଼ିବାକୁ ଇଚ୍ଛା ହେଉନି ।”

 

“ତାହାହେଲେ ପଢ଼ିସାରି ଗପଟା କହିବ ।”

 

“ଆପଣ କିନ୍ତୁ ଗଣିତ ପରେ ଭୂଗୋଳ ପ୍ରଶ୍ନୋତ୍ତରତକ କରିଦେବେ ।”

 

“ହଁ ।”

 

କିଛିସମୟ ପର୍ଯ୍ୟନ୍ତ ଦୁହେଁ ନିଜ ନିଜ କାର୍ଯ୍ୟରେ ପୁଣି ବ୍ୟସ୍ତ ରହିଲେ । କହୁଣୀ ଝାଳରେ ଖାତା ଖରାପ ହୋଇଯିବ ଭାବି ଶିବନାଥ କହୁଣୀ ତଳେ ରୁମାଲ ଦେଇଥାଏ । ବେଳେ ବେଳେ ଶତ ଚେଷ୍ଟା ସତ୍ତ୍ୱେ ମୁହଁରୁ ଝାଳ ଟୋପାଏ ଦି’ଟୋପା ଖାତାରେ ପଡ଼ିଗଲେ ଛାପା କାଗଜରେ ସଙ୍ଗେ ସଙ୍ଗେ ତାହା ଚପାଇ ଦେଇ, ପୁଣି କାମରେ ବ୍ୟସ୍ତ ହୋଇଯାଉଥାଏ । ସୁକେଶୀ ଉପନ୍ୟାସ ପଢ଼ୁଥାନ୍ତି, ମଝିରେ ମଝିରେ ତା’ ଆଡ଼କୁ ଚାହିଁ କ’ଣ ଭାବି ଯାଉଥାନ୍ତି । ଶେଷରେ ସେ ଶେଯ ଉପରୁ ବିଞ୍ଚଣା ଉଠାଇ ଉଚ୍ଚ କଣ୍ଠରେ କହିଲେ–“କେଡ଼େ ଗୁଳୁଗୁଳି କରୁଛି ! ବୋଧେ ବର୍ଷା ହେବ । ବଡ଼ ଶୋଷ ।”

 

ଅଙ୍କକଷା ବନ୍ଦ କରି ଶିବନାଥ ଚାହିଁଲା । ସୁକେଶୀ କହିଲେ–

 

“ସୁରେଇ ଖଟତଳେ ଅଛି । ଅନୁଗ୍ରହ କରି, କିଛି ମନେ କରିବେନି ।”

 

ଶିବନାଥ ଚଉକିରୁ ଓହ୍ଲାଇ ସୁକେଶୀଙ୍କୁ ପାଣିଦେଲା ।

 

“ଧନ୍ୟବାଦ !” ସୁକେଶୀ ଗ୍ଳାସରୁ ଅଧେ ପାଣି ପିଇ ବାକି ଅଧକ ଟେବୁଲ ଉପରେ ରଖି ନଭେଲ୍ ପଢ଼ାରେ ପୁଣି ମନଦେଲେ ।

 

ରବିବାର । ସୁକେଶୀଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣ ପାଇ ଶିବ ଆସିଥିଲା । ଉଆସରେ ସମସ୍ତେ ଶୋଇ ପଡ଼ିଥିଲେ । ଭୀଷଣ ଗୁଳୁଗୁଳି କରୁଥିଲା । ସୁକେଶୀ ପତଳା ବ୍ଳାଉଜ୍‍ଟିଏ ପିନ୍ଧିଥିଲେ । ଗରମ କରୁଥିବା ଯୋଗୁଁ ଗୋଟିଏ କାନ୍ଧରେ ଲୁଗା ନ ଥିଲା । ତଥାପି ଗରମ ଯୋଗୁଁ ଗୋରା ମୁହଁରୁ ତାଙ୍କର ଝାଳ ଟପ୍ ଟପ୍ ପଡ଼ୁଥିଲା । ସୁକେଶୀ ବାରମ୍ବାର ମୁହଁରୁ, ବେକରୁ, ହାତରୁ, ଲୁଗାକାନିରେ ଝାଳ ପୋଛୁଥିଲେ । ଶିବନାଥ ଶରୀରରୁ ମଧ୍ୟ ପ୍ରଚୁର ଝାଳ ବହୁଥିଲା; କିନ୍ତୁ ଝାଳ ବୋହିବା ବା ଗରମ ପ୍ରତି ସେ ବିଶେଷ ସଚେତନ ପରି ମନେ ହେଉ ନ ଥିଲା । ମଧ୍ୟେ ମଧ୍ୟେ ପବନ ବହିଆସି ଦୁହିଁଙ୍କୁ ଚନ୍ଦନ ପ୍ରଲେପ ବୋଳି ଦେଉଥିଲା । ସୁକେଶୀ ସେତେବେଳେ ତାଙ୍କରି ଆନନ୍ଦକୁ ପ୍ରକାଶ କରି ଦେଉଥିଲେ, ଶିବନାଥଠି କିନ୍ତୁ ତାହା ଆନ୍ତରିକ ହୋଇ ରହିଯାଉଥିଲା । ଦୁହେଁ କାର୍ଯ୍ୟରେ ନିବିଷ୍ଟଚିତ୍ତ ।

 

ହଠାତ୍ ସୁକେଶୀ ପୁଣି ମୁହଁ ଟେକି ଶିବନାଥକୁ ଚାହିଁଲେ । ଯେପରି କୌଣସି କଥା କହିବା ପାଇଁ ସେ ସାହସ ସଞ୍ଚୟ କରୁଥିଲେ । ଅଙ୍କ କଷୁଥିଲେ ମଧ୍ୟ ଶିବନାଥ ସୁକେଶୀ ତା’ ଆଡ଼କୁ ଚାହୁଁଛନ୍ତି ବୋଲି ଜାଣିଦେଲା । ସୁକେଶୀ ଏତକ ଜାଣିପାରି ପୁଣି ପଢ଼ାରେ ମନ ଦେଲେ । ଶିବନାଥର କିନ୍ତୁ ଧ୍ୟାନ ଭାଙ୍ଗି ଯାଇଥାଏ । ଜଳୁଥିବା ଦୀପରୁ, ଖାଲି ଦୀପକୁ ଯେପରି ନିଆଁଯାଏ, ସେହିପରି କୌଣସି ଜିନିଷ, କୌଣସି ଭାବନା, ସୁକେଶୀଙ୍କ ପାଖରୁ ତା’ ପାଖକୁ ଚାଲିଆସିଥିଲା । ନାମକୁ ମାତ୍ର ସେ ଗଣିତ ଖାତାକୁ ଚାହୁଁଥାଏ ।

 

Unknown

କିଛି ସମୟ ପରେ ସୁକେଶୀ ପଚାରିଲେ–

 

“ଆପଣଙ୍କ ଅଙ୍କକଷା କ’ଣ ଆହୁରି ସରିନି ?”

 

“ସବୁ ସରିଗଲାଣି, ଆଉ ଗୋଟେ ବାକି ଅଛି ।”

 

“ସେଇଟା ଥାଉ, ଆଜି ଆପଣ ବହୁତ ଅଙ୍କ କଲେଣି, ଏଥରକ ଚାଲନ୍ତୁ ଗପ କରିବା । ଆପଣ ମୋ ଫଟୋଗୁଡ଼ିକ ଦେଖିବେ ପରା ! ସେଦିନ ଅଧା ରହିଯାଇଥିଲା ?”

 

“ହଁ ।” –ଶିବନାଥର ଛାତିର ଗତି ଦ୍ରୁତ ହୋଇ ଉଠିଲା ।

 

ସୁକେଶୀ ଆଲମାରି ଭିତରୁ ଫଟୋବହିଟି ବାହାର କଲେ ।

 

ବାପାଙ୍କ ସଙ୍ଗେ ମୁଁ ଯେତେ ଜାଗା ଯାଇଛି, ସବୁଠି କିଛି ନା କିଛି ଫଟୋ ଉଠାଇଛି । ଅବଶ୍ୟ ନୂଆ ଶିଖାଳୀ ହେତୁ ମୁଁ ଉଠାଇଥିବା ଫଟୋଗୁଡ଼ିକ ଖରାପ ଉଠିଛି । ବାପା କିନ୍ତୁ ଭଲ ଫଟୋ ଉଠାନ୍ତି ।

 

ଶିବନାଥ ଆଲବମ୍ ଆଗରୁ ଦେଖିଥିଲେ ମଧ୍ୟ ପୁଣି ମୂଳରୁ ଓଲଟାଇଲା । ପ୍ରଥମ କେତୋଟି ପୃଷ୍ଠାରେ ସୁକେଶୀଙ୍କ ଫଟୋ ଥାଏ । ତା’ପରେ ଜମିଦାର ସାହେବଙ୍କ ପରିବାର, ତା’ପରେ ବିଭିନ୍ନ ସ୍ଥାନମାନଙ୍କର ଦୃଶ୍ୟାବଳୀ । ଗୋଟିଏ ଗ୍ରୁପ୍‍ଫଟୋଠି ଶିବନାଥ ରହିଗଲା । ଜମିଦାର ସାହେବ ବସିଥାନ୍ତି । ତାଙ୍କ ପାର୍ଶ୍ୱକୁ ଅତି ସୁନ୍ଦର ସ୍ତ୍ରୀଟିଏ, ଗୋଡ଼ତଳେ ତିନି ଚାରି ବର୍ଷର ଝିଅଟିଏ । ଶିବନାଥ ଗ୍ରୁପ୍‍ଫଟୋକୁ ବେଶି ସମୟ ଚାହିଁବା ଦେଖି ସୁକେଶୀ ପଚାରିଲେ–” ମୁଁ ପିଲାଦିନେ ମଧ୍ୟ ଭାରି ସୁନ୍ଦର ଥିଲି ?”

 

ଶିବନାଥ ସେ ଝିଅଟି ସୁକେଶୀ ଜାଣିପାରି ଆଶ୍ଚର୍ଯ୍ୟ ହେଲା । ଏତେ ଅସୁନ୍ଦରରୁ ବଡ଼ ହେଲେ ଜଣେ ଏଡ଼େ ସୁନ୍ଦର ହୋଇପାରେ ବୋଲି ତା’ର ଧାରଣା ନଥିଲା; କିନ୍ତୁ ପାଟିରୁ ତା’ର ବାହାରିଲା–“ହଁ, ସେତେବେଳେ ବି ଭାରି ସୁନ୍ଦର ଦିଶୁଥିଲ ।”

 

ଶିବନାଥକୁ ଆଲବମ୍ ଦେଖିବାକୁ ଦେଇ, ସୁକେଶୀ ତା’ ପଚାଆଡ଼େ ଠିଆହୋଇ ତା’ ଚେୟାରୁ ଉପରକୁ ନଇଁ ପଡ଼ିଥିଲେ । ଆଲବମ୍ ଅଧାଯାଏଁ ଯାଇଥିବ, ସୁକେଶୀ ଆଲବମ୍‍ଟିକୁ ବନ୍ଦ କରିଦେଲେ ।

 

“ଶିବନାଥ, ଚାଲନ୍ତୁ ବଗିଚା ଆଡ଼େ ଯିବା । ଏଠି ବଡ଼ ଗରମ କରୁଛି ।”

 

“ଚାଲନ୍ତୁ” –ଶିବନାଥ ଠିଆ ହୋଇପଡ଼ିଲା । ସୁକେଶୀ ତାଙ୍କ ବକ୍ଷଉପର ଲୁଗାକୁ ସଜାଡ଼ିଦେଲେ । ଶିବନାଥର ସାରା ଶରୀରରେ ବିଦ୍ୟୁତ୍ ଖେଳିଗଲା ।

 

ଅପରାହ୍‍ଣ ମରି ମରି ଯାଉଥିବାବେଳେ, ବିକସିତ, ଉଲ୍ଲସିତ, ତୃପ୍ତ, ମୁକ୍ତ, ହୋଇ ଶିବନାଥ ଉଆସରୁ ଫେରେ । ବଗିଚାରେ ସୁକେଶୀ ତାକୁ ଭଲପାଆନ୍ତି କହି ଆତ୍ମନିବେଦନ କରିଥିଲେ । ତା’ପରେ ଯାହା ଘଟିଥିଲା ସେ ଘଟଣାକୁ ଶିବନାଥ ମନେ ପକାଇବାକୁ ଇଚ୍ଛୁକ ନଥିଲା-। ମନେ ପକାଇଲେ, ବାରମ୍ବାର ଭାବିଲେ, କାଳେ ସେଥିରୁ ମାଧୁର୍ଯ୍ୟ କମିଯିବ !

 

ସୁକେଶୀଙ୍କ ପଛେ ପଛେ ସେ ବଗିଚାକୁ ଚାଲିଲା । ଦୁହେଁ ଭଲ ଛାଇଥିବା ଆମ୍ବଗଛ ତଳେ ବସିଲେ । ଉଆସ ଅଦୃଶ୍ୟ ଥିଲା । ସେହି ଗଛ ଆଗରେ ଅନ୍ୟାନ୍ୟ ଗଛ ସବୁ ଆଢ଼ୁଆଳ କରି ରହିଯାଇଥିଲେ । ଦୁହେଁ ବସିଯିବା ପରେ, କିଛି ସମୟ ଯାଏଁ, କେହି କାହାରିକୁ ଚାହିଁ ପାରିଲେ ନାହିଁ । ଦୁହିଁଙ୍କ ହୃଦୟ ଜୋରରେ ସ୍ପନ୍ଦିତ ହେଉଥାଏ ।

 

“ଘରେ କେଡ଼େ ଗରମ କରୁଥିଲା, ଏଠି କି ସୁନ୍ଦର ପବନ ବହୁଛି” –ସୁକେଶୀ ନୀରବତା ଭାଙ୍ଗିଲେ ।

 

“ହଁ, ଭାରି ଭଲ ଲାଗୁଛି, ସବୁଦିନେ ଏଇଠିକି ଆସି ପଢ଼ିବାକୁ ମନ ହେଉଛି ।” ଶିବନାଥ କ’ଣ କହୁଥିଲା, ଜାଣିପାରୁ ନ ଥିଲା; କିନ୍ତୁ କହି ଯାଉଥିଲା ।

 

“ଏଠି ଘାସ ନାହିଁ, ଚାଞ୍ଛି ହୋଇଯାଇଛି, ଆପଣଙ୍କ ଧୋତି ମଇଳା ହୋଇଯିବ, ସେଇଠିକୁ ଚାଲନ୍ତୁ ।” ଆମ୍ବଗଛଠୁ ଅଳ୍ପଦୂରରେ ଆଉ ଏକ ଗହଳିଆ ଜାଗାକୁ ଲକ୍ଷ୍ୟକରି ସୁକେଶୀ କହିଲେ । ଶିବନାଥ ନିଜ ବସିଥିବା ଜାଗାର ଚାରିଆଡ଼କୁ ଚାହିଁ କହିଲା–” ହଉ ।” ସେ ଆଶ୍ଚର୍ଯ୍ୟ ହେଲାନାହିଁ । ସେ ଯେପରି ଏହିସବୁ କଥାକୁ ଶୁଣିବାକୁ ଅପେକ୍ଷା କରିଥିଲା ! ସୁକେଶୀ ଏଥରକ ତା’ ପାଖରେ ଆସି ତା’ ଦେହକୁ ଲାଗି ବସିଲେ ।

 

ବାକି କଥା ସେ ଭାବିବାକୁ ଇଚ୍ଛା କରୁ ନ ଥିଲେ । ତା’ର ସେହି ସମ୍ପୂର୍ଣ୍ଣ ନିଜକଥାରେ ମନକୁ ମଧ୍ୟ ଭାଗଦେବାକୁ ସେ ପ୍ରସ୍ତୁତ ନ ଥିଲା ବଗିଚାରୁ ଫେରିବାବେଳେ ସୁକେଶୀ କହିଥିଲେ–“ଶିବବାବୁ, ଆଜିଦିନ କଥା ଭୁଲିଯିବେ ?”

 

“ମୁଁ ତୁମକୁ ଭଲପାଏ ସୁକେଶୀ ! ଆଜି ନୁହେଁ ବହୁତଦିନ ଆଗରୁ । ତୁମକୁ ମୁଁ ବିବାହ କରିବି ।”

 

“ଆଚ୍ଛା ! ହଉ ସେ ତ ପରକଥା । ଆପଣ ବର୍ତ୍ତମାନ କିଛି ସମୟ ପାଇଁ ରୁହନ୍ତୁ ବଗିଚାରେ, ମୁଁ ଆଗ ଯାଉଛି, ଆପଣ କିଛି ସମୟ ପରେ ଆସିବେ । ବୁଝିଲେ ?”

 

ଶିବନାଥ ହର୍ଷୋତ୍‍ଫୁଲ୍ଲ ହୋଇ ଘରେ ପହଞ୍ଚିଲା । ଘରେ ସେ ଗୋଡ଼ ନ ଦେଉଣୁ ପାଣୁଆ ଆସି କହିଲା–“ବାବୁ । ବାବୁ ! ବଡ଼ବାବୁଙ୍କର ପୁଣି ଦେହ ଖରାପ ହେଲାଣି । ପାହାଚ ଚଢ଼ୁଚଢ଼ୁ ପଡ଼ିଗଲେ । ସବୁବେଳେ ତ ଦେହରେ ଦୁର୍ବଳତା ରହୁଛି, ସେଥିରେ ପୁଣି ସେ ଯିବା ଆସିବା କରୁଛନ୍ତି !”

 

ଶିବନାଥ ଷଡ଼ଙ୍ଗୀଙ୍କ ଶୋଇବା ଘରକୁ ଦଉଡ଼ିଗଲା । ଷଡ଼ଙ୍ଗୀଙ୍କୁ ସେତେବେଳେ ପୁଣି ସେଦିନ ପରି ପ୍ରବଳ ଜର ହୋଇଥାଏ । ନିସ୍ତେଜ ଆଖି, ପ୍ରଳାପରତ ମୁଖ । ସ୍ନେହ ମୁଣ୍ଡ ପାଖରେ ବସି ପାଣିପଟି ଦେଉଥାନ୍ତି ।

 

“ସ୍ନେହ ! ବାପାଙ୍କର କ’ଣ ହେଲା ?” ଶିବନାଥର କଥା କିନ୍ତୁ ସ୍ନେହ ଶୁଣିପାରିଲନି । ମୁହଁ ତାଙ୍କର ଶୁଖିଯାଇଥାଏ, ଭୋକ ମରିଯାଇଛି ବହୁତ ବେଳୁ, ଘରେ ବୋଉ ଓ ସାନଭାଇ ଖୋଜୁଥିବେ । ବାପା ଚାଉଳ ପାଇଲେ କି ନାହିଁ କେଜାଣି ? ବସୁନ୍ଧରାଙ୍କୁ ମାଗିବ ?” ନା, ବୋଉସିନା କେବେ କେବେ ମାଗିଛି, ସେ ତ କେବେ ବସୁନ୍ଧରାଙ୍କୁ ମାଗିନି । ଦେବୀଭାଇଙ୍କୁ.... । ସ୍ନେହ ପଟି ବଦଳାଇଲେ । ସକାଳୁ ଏଯାଏଁ ଘରେ ସମସ୍ତେ ଉପାସ ଥିବେ ଭାବି ସ୍ନେହଙ୍କ ମନ ବିଷଣ୍ଣ ହୋଇ ଆସୁଥିଲା । ବସୁନ୍ଧରା ପାଖରେ ଠିଆହୋଇ ଷଡ଼ଙ୍ଗୀଙ୍କର ଉତ୍ତାପ ଦେଖୁଥାନ୍ତି । ହଠାତ୍ ତାଙ୍କ ଦୃଷ୍ଟି ସ୍ନେହଙ୍କ ମୁହଁକୁ ଚାଲିଗଲା । “ସ୍ନେହ, ତୋ ଦେହ କିଛି ହେଉନି ତ ?’ ସ୍ନେହ ପ୍ରକୃତିସ୍ଥ ହେଲେ । “ନା ତ ।” –ସ୍ନେହ କହିଲେ । ଖଟର ଗୋଟିଏ କଡ଼କୁ ଦେବୀପାଦ ଚିନ୍ତିତ ହୋଇ ବସିଥାଏ । ଶିବ ନିଜକୁ ଦୋଷୀ ମନେକରି ମୁହଁକୁ ତଳକୁ ପୋତି ପଚାରିଲା–

 

“ବୋଉ, ବାପାଙ୍କ ଦେହ କେତେବେଳୁ ଖରାପ ହେଲାଣି ?”

 

“ତୁ ଆଜି ପୁଣି କୁଆଡ଼େ ଯାଇଥିଲୁ ?”

 

“ମୁଁ କ’ଣ ଜାଣିଥିଲି ବାପାଙ୍କୁ ପୁଣି ଜର ହେବ ବୋଲି ?”

 

“ଜମି ଦେଖିବା ପାଇଁ ହନ୍ତୁଆଡ଼ ଆଡ଼େ ଚାଲିଗଲେ, ସେଠୁ ଫେରୁ ଫେରୁ ଫେରୁ ଦିନ ଚାରିଟା । ଗାଁଠି ପହଞ୍ଚିଲାବେଳକୁ ଜର ଆସିସାରିଥିଲା ପାହାର ଚଢ଼ିବାବେଳେ ଚଢ଼ି ନ ପାରି ପଡ଼ିଗଲେ । ପାଣୁଆ ଟେକି ଟେକି ଆଣିଲା । କିଛି ସମୟ ଯାଏଁ ଖାଲି ‘ରମା’ ‘ଶିବନାଥ’ ହେଉଥିଲେ ।”

 

“ଭାଇନାଙ୍କ ପାଖକୁ ଚିଠି ଲେଖାହେଇଛି ?”

 

“ଟେଲିଗ୍ରାମ ପଠାହୋଇଛି ।”

 

“କିଏ ଶିବ ?” ଷଡ଼ଙ୍ଗୀଙ୍କ ମୂମୂର୍ଷୁ ପାଟିରୁ ବାହାରିଲା ।

 

“ହଁ ମୁଁ ।” ଶିବନାଥ ଷଡ଼ଙ୍ଗୀଙ୍କୁ ଲାଗି ଠିଆହେଲା ।

 

“କୁଆଡ଼େ ଯାଇଥିଲୁ ?”

 

“ଉଆସକୁ” ।

 

“ହୁଁ ।”

 

“ବୋଉ ! ଡାକ୍ତର ଆସିଥିଲେ ?” ଶିବନାଥ ବସୁନ୍ଧରାଙ୍କ ଆଡ଼କୁ ଚାହିଁ ପଚାରିଲା ।

 

“ହଁ, ଔଷଧ ଲେଖି ଦେଇଦେଲେ । ଦାସ ଔଷଧ ଆଣିବାପାଇଁ ବାଣପୁର ଯାଇଛି ।”

 

“ଦେବା ! ଦେବୀକୁ ଡାକ!” ଷଡ଼ଙ୍ଗୀ ହଠାତ୍ ବ୍ୟତିବ୍ୟସ୍ତ ହୋଇପଡ଼ି କହିଲେ ।

 

“ମୁଁ ପରା ଏଇଠି ବସିଛି ବାପା ।”

 

“କେଉଁଠି ? କେଉଁଠି ବସିଛୁ ? ମୋତେ ଦିଶୁନି ?”

 

ଦେବୀ ଷଡ଼ଙ୍ଗୀ ଦେଖିପାରିବା ଭଳି ଜାଗାରେ ଠିଆହୋଇ ଷଡ଼ଙ୍ଗୀଙ୍କ ହାତ ଧଇଲା । ଷଡ଼ଙ୍ଗୀ ତା’ ମୁହଁକୁ କଟମଟ ଚାହିଁରହିଲେ ।

 

“ଆଜି ପଢ଼ିଛୁ”

 

“କ’ଣ” ?

 

“ଯାହା ସବୁ ତୁ ପଢ଼ୁ ।”

 

“ହଁ ।”

 

“କହିଲୁ ଦେଖି, ପିତୃଅର୍ଜିତ ପାପ କ’ଣ ପୁଅ କର୍ମରେ ପ୍ରତିଫଳିତ ହୁଏ ?”

 

ଶିବ, ସ୍ନେହ, ଦେବୀ, ବସୁନ୍ଧରା ସମସ୍ତେ ବିସ୍ଫାରିତ ନେତ୍ରରେ ଚାହିଁରହିଲେ । କ’ଣ ଷଡ଼ଙ୍ଗୀ ପଚାରୁଛନ୍ତି ?

 

“ବାପା”

 

ଷଡ଼ଙ୍ଗୀ ସେହିପରି ଚାହିଁରହିବାକୁ ଦେବୀ ସାହାସ କରି କହିଲା–“ହଁ ଅନେକଙ୍କର ତ ସେୟା ମତ ।”

 

“ଅନେକଙ୍କର ! ସମସ୍ତଙ୍କର ତ ନୁହଁ ? ତା’ ହେଲେ ମିଛକଥା, ଯେ ଅନେଙ୍କର କଥାକୁ ସତ ବୋଲି ଆମେ କାହିଁକି ମାନିବା ?” ଷଡ଼ଙ୍ଗୀ କଡ଼ ବଦଳାଇଲେ; କିନ୍ତୁ ସୁବିଧା ନ ଲାଗିବାରୁ ପୁଣି ଚିତ୍ ହୋଇ ଶୋଇ କହିଲେ–

 

“ତୁ ମୋଟେ ଭାବୁନୁ । ଆବେଗରେ ପଡ଼ି, ଉତ୍ସାହରେ ପଡ଼ି, ଯାହା ଇଚ୍ଛା ହେଉଚି, ତା’ କରି ଚାଲିଯାଉଛୁ । ବି.ଏ.ଟା ପାସ୍ କରିଦେଇଥିଲେ କ’ଣ ଖରାପ ହୋଇଥାନ୍ତା ? ଅବିଦ୍ୟାଗୁଡ଼ାକ ପଢ଼ା ହେଉଚି ଭାବି ପଢ଼ା ଛାଡ଼ିଦେଲୁ, ଟିକିଏ ଭବିଷ୍ୟତ ସୁଖସ୍ୱାଚ୍ଛନ୍ଦ୍ୟ ବିଷୟରେ ଭାବିଲୁନି ! ସବୁବେଳେ କ’ଣ ମୁଁ ବଞ୍ଚିଥିବି, ତୁ ମୋ ଉପରେ ନିର୍ଭର କରି ଜ୍ଞାନଚର୍ଚ୍ଚା କରିଥିବୁ, ବେଦାନ୍ତ ପଢ଼ୁଥିବୁ ? ତୁ ଭୋଗିବୁନି ତ ଆଉ କିଏ ଭୋଗିବ ?”

 

ଷଡ଼ଙ୍ଗୀ ଏତକ କହିବା ପରେ ଚୁପ୍ ହୋଇଗଲେ । ଦେବୀ ମୁହଁ ତଳକୁ ପୋତି ଠିଆ ହୋଇଥାଏ ।

 

“ଯା ! ଯା ! ମୋ ଆଗରୁ ଚାଲିଯା, ଯିଏ ଯାହା ଭାଗ୍ୟ ଭୋଗ କରିବ; ମୁଁ କ’ଣ କରିବି-?”

 

ଦେବୀପାଦ ଘର ଭିତରୁ କ୍ଷୁବ୍‌ଧ ହୋଇ ବାହାରି ଆସିଲା । ବିନା କାରଣରେ ବାପା ତାକୁ ସବୁବେଳେ ଗାଳି କରୁଛନ୍ତି । ସେ ବଡ଼ ହୋଇଗଲାଣି ଓ ରୋଜଗାର କରି ନାହିଁ ବୋଲି ସମସ୍ତଙ୍କର ଦୃଷ୍ଟି ତା’ ଉପରେ ।

 

“ଚାଲିଗଲା ନା, ଏଡ଼େ ଭାବପ୍ରବଣ ଯେ ରୋଗୀପିତାର ସାମାନ୍ୟ ଉର୍ତ୍ସନାକୁ ଜୀର୍ଣ୍ଣ କରିବା ପାଇଁ ମଧ୍ୟ ଧୈର୍ଯ୍ୟ ନାହିଁ, କୁଆଡ଼େ ବେଦାନ୍ତ, ଉପନିଷଦ ପଢ଼ୁଚି, ନିଜକୁ ବୁଦ୍ଧିବାନ୍ ବୋଲି ଭାବୁଚି !”

 

 

ଦୁଃଖିତ ଓ ଅପମାନିତ ହୃଦୟରେ ଦେବୀପାଦ ଛାତ ଉପରକୁ ଚାଲିଗଲା । ମଧୁସୂଦନ ଲାଞ୍ଛନା ଯେତିକି ନୁହେଁ, ତାଙ୍କର ଶରୀର ଯନ୍ତ୍ରଣା ଦେବୀପାଦକୁ ବେଶୀ ଚିନ୍ତିତ କରି ପକାଇଥାଏ । ଥଣ୍ଡା ପବନ ବହୁଥାଏ । ଛାତ ଉପରେ କେହି ନଥାନ୍ତି । ଚକ୍ରବାଳ ଚାରିପାଖେ ଅନ୍ଧକାର ହୋଇ ଆସିଲାଣି । ଗଛଗୁଡ଼ିକରେ ବାଦୁଡ଼ି କଳି କରୁଥାନ୍ତି । ଆକାଶରେ ଦୁଇ ତିନୋଟି ତାରା, ଗୋଟିଏ ପରିଷ୍କାର, ଶୁଭ୍ର । ଅନ୍ୟ ଦୁଇଟି କିଞ୍ଚିତ୍ ଅସ୍ପଷ୍ଟ, ନିଷ୍ପଭ୍ର । ବାଡ଼କୁ ଆଉଜି ସେ ଗାଁ ଦାଣ୍ଡକୁ ଚାହିଁଲା । ଦାଣ୍ଡ ପ୍ରାୟ ଲୋକଶୂନ୍ୟ । ସଂସାରରେ କେଉଁଥିରେ ପୂର୍ଣ୍ଣତା ଅଛି ଯେ ? ସବୁ ଶୂନ୍ୟ । ବାପା ବୋଲି ଯାହାକୁ ସେ ଆଜିଯାଏ ଡାକି ଆସିଥିଲା ସେ ଆଜି କି କାଲି ଚାଲିଯିବେ । ଗାଁର ଅନ୍ୟାନ୍ୟ ମୃତବ୍ୟକ୍ତିମାନଙ୍କ ଶରୀର ପୋଡ଼ା ହେବାପରି ବାପାଙ୍କ ଶରୀର ମଧ୍ୟ ପୋଡ଼ାହେବ । ସ୍କୁଲକୁ ଯିବାବାଟରେ ରାସ୍ତାକୁ ଲାଗି ଶ୍ମଶାନ, ପିଲାଦିନେ ସ୍କୁଲରୁ ଫେରିବାବେଳେ ଦିନେ ଦିନେ ମଡ଼ା ପୋଡ଼ାହେଉଥାଏ, ମଡ଼ା ଚିତାଉପରକୁ ଯିବାକୁ ହାଡ଼ ଶୀତଳା ହେବା ଯାଏଁ ସକଳ ଅବସ୍ଥାକୁ ସେ ନିରୀକ୍ଷଣ କରିଛି । ରମା ନ ଆସିଲେ ତା’ କୁଇ ବାପାଙ୍କ ମୁହଁରେ ନିଆଁଦବାକୁ ହେବ । ବାପା ! ଯାହାଙ୍କ ମୁହଁ ସନ୍ତାନର ସବୁବେଳେ ପ୍ରଶଂସା, ଉତ୍ସୃଙ୍ଖଳ ପ୍ରଶଂସା କରେ, ଯେଉଁ ମୁହଁ ବାଣୀରେ ସନ୍ତାନ ଶୁଭ କାମନା କରେ, ସନ୍ତାନ ଦର୍ଶନରେ ଯାହା ପଦ୍ମପରି ପ୍ରଫୁଲ୍ଲ ହୋଇଉଠେ, ସେଇ ବାପ ମୁହଁରେ ନିଆଁ ଦବାକୁ ହେବ । ସ୍ତନ୍ୟଦାୟିନୀ ମା’ ମୁହଁରେ, ବରଦହସ୍ତ ପିତା ମୁହଁରେ, ସନ୍ତାନର ଦାୟିତ୍ଵ, ନିଆଁ ଦେବା ।

 

ଆଜି ସବୁ ଅଛି । ବାପା ଅଛନ୍ତି, ବାପାଙ୍କର ବୁଦ୍ଧି, ଗୌରବ, ପ୍ରତିପତ୍ତି, ସବୁ ଅଛି, କାଲିକି କିଛି ରହିବନି । ସଂସାର । ମର୍ତ୍ତ୍ୟ ନାଶବାନ । ରାମଚନ୍ଦ୍ରଙ୍କ ପରି ରଜା ମରିଗଲେ, ସୀତାଙ୍କ ପରୀ ସ୍ୱାଧୀ ମଧ୍ୟ ମାଟିରେ ମିଶିଗଲେ । ଶ୍ମଶାନ ଯଦି ଯାତ୍ରାନ୍ତ, କାହିଁକି ଏତେ ଚେଷ୍ଟା, ଚେଷ୍ଟା, ଚେଷ୍ଟାରୁ ତ ଦ୍ୱନ୍ଦ୍ଵ, କାହିଁକି ବିବାହ, ଘରସଂସାର, ଆସକ୍ତି, ସେଇଥିରୁ ସିନା ହତାଶା, ଦୁଃଖ, ଜଞ୍ଜାଳ-। ସବୁ ଆକାଶର ଇନ୍ଦ୍ରଧନୁ । ବିଚିତ୍ର, ସୁନ୍ଦର, ଅଥଚ କେଡ଼େ କ୍ଷଣସ୍ଥାୟୀ !

 

ପଛରୁ ମୃଦୁ କାହାର ପଦଶବ୍ଦ ଶୁଣି ଦେବୀର ବିଚାରଧାରା ଛିଡ଼ିଗଲା । ସେ ବୁଲିପଡ଼ି ଦେଖେ–ଅନ୍ଧାରରେ କେହି, ତା’ ଆଡ଼କୁ ଆସୁଛି, ବିରୋଳ ଦିଶୁନି ।

 

“କିଏ ?”

 

“ମୁଁ ।”

 

“ସ୍ନେହ ?”

 

ସ୍ନେହ ପାଖକୁ ଆସିସାରିଥିଲେ । “କ’ଣ ହେଲା ସ୍ନେହ” ?

 

“କିଛି ନୁହଁ, ମଉସା ଶୋଇ ପଡ଼ିଛନ୍ତି, ମାଉସୀ ରୋଷଘରକୁ ଯାଇଛନ୍ତି ।”

 

“ବାପା ଯଦି ଶୋଇପଡ଼ିଲେଣି ତୁମେ ଚାଲି ନ ଗଲ କାହିଁକି ? ଘରେ ମାଉସୀ ଖୋଜୁଥିବେ ।”

 

ସ୍ନେହ କିଛି ଉତ୍ତର ଦେଲେନି । ଅନ୍ଧାରରେ ତାଙ୍କ ମୁହଁ ଦିଶୁ ନ ଥାଏ । ଛାତ ଉପରକୁ ଆସିବାଠୁ ତାଙ୍କ ମୁହଁରେ କ୍ଷଣକ୍ଷଣକେ ଭାବଭଙ୍ଗୀ ବଦଳୁଥାନ୍ତି । ସ୍ନେହଁଙ୍କଠୁ ମୁହଁ ଫେରାଇ, ବାଡ଼ରେ ହାତଦେଇ, ଦେବୀ ଦାଣ୍ଡକୁ ଚାହିଁଲା । ଏହିପରି କିଛି ସମୟ ନୀରବତାରେ କଟିଗଲା ।

 

“ସ୍ନେହ, ସ୍ନେହ !” ତଳୁ ଡାକ ଆସିଲା । ବସୁନ୍ଧରା ଡାକୁଥିଲେ ରାତି କେତେ ହେଲାଣି, ଘରକୁ ଯିବୁନି କି ?”

 

ଦେବୀପାଦ ବୁଲି ପଡ଼ିଲା । ସ୍ନେହ ସେଠି ଠିଆ ହୋଇ କାହିଁକି ଉତ୍ତର ଦେଉ ନଥିଲେ ଭାବି ଦେବୀ ରାଗରେ ତାଙ୍କୁ କ’ଣ କହିବାକୁ ଯାଉଥିଲା; କିନ୍ତୁ ବୁଲିପଡ଼ି ସେ କାହାକୁ ହେଲେ ଛାତ ଉପରେ ଦେଖିଲାନି । ସେ ଆଶ୍ଚର୍ଯ୍ୟ ହୋଇଗଲା । ଅଥଚ ସବୁ ସମୟତକ ସ୍ନେହ, ତାରି ପାଖରେ ଠିଆ ହୋଇଥିବ ପରି, ତାକୁ ଲାଗିଗଲା । ଆଶ୍ଚର୍ଯ୍ୟ!

 

“ବୋଉ, ସ୍ନେହ ତ ନାହିଁ ।” ଉପରୁ ସେ ଜବାବ ଦେଲା ।

 

“କ’ଣ ସେ ଛାତ ଉପରକୁ ଯାଇଥିଲା କି ?

 

ଦେବୀ ଅପ୍ରତିଭ ହୋଇଗଲା । ନିଜକୁ ସମ୍ଭାଳି ନେଇ ସେ ଉତ୍ତର ଦେଲା, “ମୁଁ ଛାତ ଉପରୁ ଠିଆହୋଇ ବାପାଙ୍କ ଘରାଆଡ଼କୁ ଚାହିଁ ଦେଖିଲି, ନାହିଁ ।”

 

ଉତ୍ତର ଶୁଣି ବସୁନ୍ଧରାଙ୍କ ପ୍ରତିକ୍ରିୟା କ’ଣ ହେଲା, ଦେବୀ ଜାଣି ପାରିଲାନି; କାରଣ ତା’ ଶବ୍ଦରେ ରୂପାୟିତ ହୋଇ ନ ଥିଲା । ଦେବୀ ବାଡ଼ରୁ ହାତ ଛାଡ଼ି ପୁଣି ଛାତ ଉପରେ ଏପଟୁ ସେପଟେ ହେବାକୁ ଲାଗିଲା । ବୁଲୁ ବୁଲୁ ସେ କିଛି ବାଟ ଯାଇଛି ଅନ୍ଧାରରେ କେହି ଜଣେ ତା’ ଆଡ଼କୁ ଆସୁଥିବା ଦେଖି ଚମକି ପଡ଼ିଲା ।

 

“କିଏ ?”

 

ଛାୟାମୂର୍ତ୍ତି ଚୁପ୍ ରହିଲା ।

 

“କିଏ ?”

 

“ମୁଁ ସ୍ନେହ ।”

 

“ସ୍ନେହ ? ତୁମେ ପରା ଚାଲିଯାଇଥିଲ ?”

 

“ମୁଁ ଚାଲି ଯାଉଥିଲି । ସିଢ଼ିରେ ହୋଇଛି, ମାଉସୀଙ୍କ ପାଟି ଶୁଣି ରହିଗଲି ।”

 

ଦୁହେଁ ଅନ୍ଧାରରେ ପରସ୍ପରକୁ ଦେଖିବାକୁ ଚେଷ୍ଟା କରୁଥାଆନ୍ତି । କିଛି ଦିଶୁ ନ ଥାଏ ।

 

“ସାନଭାଇ ସକାଳେ ଆଳ ଧରିଥିଲା... ।” ସ୍ନେହ ସେତିକି କହି ଚୁପ୍ ହୋଇଗଲେ । ସ୍ନେହଙ୍କଠୁ ବାକିତକ ଶୁଣିବ ବୋଲି ଦେବୀପାଦ ପ୍ରତୀକ୍ଷା କରୁଥାଏ । କିନ୍ତୁ ଦେବୀପାଦର ଆଶ୍ଚର୍ଯ୍ୟର ସୀମା ରହିଲାନି ଯେତେବେଳେ ସ୍ନେହ ତାକୁ ଆଉ କିଛି କହିବା ପରିବର୍ତ୍ତେ ଲୁଗା କାନିକୁ ମୁହଁ ଭିତରେ ଦେଇ ଜୋରରେ ବୁଲିପଡ଼ି ଚାଲିଗଲେ ।

 

ତଳୁ ଶୁଭୁଥିଲା, ବସୁନ୍ଧରା ପଚାରୁଥିଲେ–“କିଲୋ ତୁ କେଉଁଠି ଥିଲୁ ଏତେବେଳଯାଏଁ-?” ସ୍ନେହ କିଛି ଉତ୍ତର ନ ଦେଇ ପାଣି ଡବ ଡବ ଆଖିରେ ଦାଣ୍ଡକୁ ଚାଲିଆସିଲେ-। ଦେବୀପାଦ କେବେ ହେଲେ କିଛି ବୁଝି ପାରିବନି, କେବେ ହେଲେ କିଛି ବୁଝି ପାରିବନି, ଏତିକି ତାଙ୍କର ହୃଦୟରେ ସେତେବେଳେ ବାରମ୍ବାର ପ୍ରତିଧ୍ଵନିତ ହେଉଥାଏ ।

 

 

 

ସ୍ନେହଙ୍କ ଗୃହରେ ଆଗରୁ ଦାରିଦ୍ର୍ୟ ଯେ କେବେ ତାହାର ବିଶ୍ଵରୂପ ଦେଖାଇ ନଥିଲା ତା’ ନୁହେଁ । ଷଡ଼ଙ୍ଗୀ ଓ ଦୁଇ ଚାରିଜଣଙ୍କୁ ଛାଡ଼ିଦେଲେ ସାରା ଶାସନଟାରେ ସମସ୍ତେ ପ୍ରାୟ ଦରିଦ୍ର ଥିଲେ । ସମସ୍ତେ ମାଗିଯାଚି ଖାଉଥିଲେ । ପାଢ଼ୀଙ୍କ ଘରେ ଏପରି ଦୁର୍ଦ୍ଦିନ ସାତ ଆଠ ଦିନରେ ଥରେ ପଡ଼ୁଥିଲା । ସେତେବେଳେ ପାଢ଼ୀ କିଛି ବ୍ୟବସ୍ଥା କରି ଦେଉଥିଲେ ବା ଯଶୋଦା କୌଣସି ଅବସ୍ଥାସମ୍ପନ୍ନ ଗୃହରୁ ମାଗିଆଣି ଚଳାଇ ଦେଉଥିଲେ; କିନ୍ତୁ ବିଭବଶାଳୀ ବ୍ୟକ୍ତିଙ୍କ ସଂଖ୍ୟା କମ୍ ଥିଲା, ଆଉ ଦୁର୍ଭାଗ୍ୟକୁ ଏ ସପ୍ତାହରେ ଯଶୋଦା ତିନିଚାରି ଥର ମାଗି ସାରିଥିଲେ । ସକାଳେ ଯଶୋଦା କଥା ଛଳରେ ସ୍ନେହଙ୍କୁ ଦେବୀଠୁ କିଛି ମାଗିବା ପାଇଁ ପ୍ରକାରାନ୍ତରେ କହିଥିଲେ । ସ୍ନେହ ଅପମାନିତ ହୋଇ କ୍ରୋଧରେ ଯଶୋଦାଙ୍କ ଆଡ଼କୁ ଚାହିଁବା ଦ୍ଵାରା ପ୍ରଶ୍ନ ସମାଧିତ ହୋଇଯାଇଥିଲା-

 

“ମା ! ରାଗୁଛୁ କାହିଁକି, ବ୍ରାହ୍ମଣମାନେ ସବୁବେଳେ ଦରିଦ୍ର । ଦାରିଦ୍ର୍ୟ ବ୍ରାହ୍ମଣର ଭୂଷଣ । ବ୍ରାହ୍ମଣ ଧନୀ ହେଲେ ପୂର୍ବ ଜନ୍ମକୃତ ପାପ ଭୋଗ ହେଉଛି ବୋଲି ବୁଝିବାକୁ ହେବ । ପ୍ରତ୍ୟେକ ଟଙ୍କାରେ କେତେ ଲୋକଙ୍କର ଉଷ୍ଣ ରକ୍ତ, ଅଭୁକ୍ତ, ଅପୂର୍ଣ୍ଣ ତୃଷ୍ଣା, ମିଶି ରହିଥିବ ! ନିଜେ ଧନୀ ହୋଇ ଅନ୍ୟମାନଙ୍କୁ ଯାତନା ଦେବା ଅପେକ୍ଷା, ନିଜେ ଗରୀବ ହୋଇ ଅନ୍ୟମାନଙ୍କଠୁ ମାଗି ଖାଇବା ଭଲ ।”

 

ଯଶୋଦାଙ୍କ କଥା ଶୁଣି ସ୍ନେହ ଆଉ କିଛି କହିଲେନି ।

 

ବଗିଚାରେ ଦେବୀକୁ ଅପେକ୍ଷା କରି କରି ସାରାଦିନ ଗଲା । ଷଡ଼ଙ୍ଗୀଙ୍କ ବାରଣ୍ଡାରୁ ଓହ୍ଲାଇ ଦାଣ୍ଡରେ ଗୋଡ଼ ଦେଉଥିବା ବେଳେ, ଷଡ଼ଙ୍ଗୀ ଘରକୁ ଫେରିଥିଲେ, ଧୂଳିଧୂସରିତ, କ୍ଳାନ୍ତ । ହଠାତ୍ ପଡ଼ିଯିବା ଶବ୍ଦ ଶୁଣି ସ୍ନେହ ବୁଲିପଡ଼ିଲେ–ଷଡ଼ଙ୍ଗୀ ପାହାଚ ଉଠୁ ଉଠୁ ପଡ଼ିଯାଇଛନ୍ତି । ପାଣୁଆ ଘର ଭିତରୁ ଦଉଡ଼ୁଛି ! ଦେବୀପାଦ କୁଆଡ଼େ ଯାଇଥିଲା, ଆସିଲା । ବୋଧେ କିଏ ଯାଇ ଖବର ଦେଇଥିଲା ମଧୁସୂଦନଙ୍କ ଦେହ ଖରାପ କଥା । ତା’ପରେ ଷଡ଼ଙ୍ଗୀଙ୍କ ସେବା ଶୁଶ୍ରୂଷାରେ ବ୍ୟସ୍ତ ରହି ଘରେ କେତେଜଣ ଲୋକ ତାଙ୍କୁ ଅପେକ୍ଷା କରି ବସିଥିବେ, ସେ କଥା ସ୍ନେହ ଭୁଲି ଯାଇଥିଲେ । ପାଣିପଟି ବଦଳାଉଥିବା ବେଳେ ହଠାତ୍ ଘରେ ସମସ୍ତେ ଉପାସ ରହିଥିବା କଥା ତାଙ୍କର ମନେ ପଡ଼ିଥିଲା । ସେତେବେଳକୁ ଦେବୀପାଦ ଘରୁ ଛାତ ଉପରକୁ ଯିବା ସେ ଲକ୍ଷ୍ୟ କରିଥିଲେ । କିଛି ସମୟ ଚାଲିଗଲା । ଚାରିଆଡ଼େ ଅନ୍ଧକାର ମାଡ଼ିଯିବା ପରେ ଷଡ଼ଙ୍ଗୀ ଶୋଇ ପଡ଼ିବା ଦେଖି ସ୍ନେହ ଛାତ ଉପରକୁ ଗଲେ । ଯିବାବେଳେ ସେ ଜାଣୁଥିଲେ ପରିଷ୍କାର କରି ନ କହିଲେ, ଦେବୀ ବୁଝିବାକୁ ଚେଷ୍ଟା କରିବନି; କିନ୍ତୁ କହିବେ ସେ କିପରି ! ହେଲା ମଧ୍ୟ ସେଇଆ, ଯେତେ ଚେଷ୍ଟା କଲେ ମଧ୍ୟ ଯା କହିବାକୁ ସେ ଆସିଥିଲେ, ତାକୁ କହି ପାରିଲେନି । କିଛି କହିବା ପରେ ତାଙ୍କର ଆତ୍ମାଭିମାନ ବିଦ୍ରୋହ କରି ଉଠିଲା । ଅବମାନନାଜନକ ପରିସ୍ଥିତିର ହଠାତ୍ ସମ୍ମୁଖୀନ ହୋଇ ସେ କାନ୍ଦି ପକାଇଲେ । ଶୋକକୁ ପ୍ରକାଶ ନ କରିବା ପାଇଁ ସେ ଯେତେବେଳେ ଷଡ଼ଙ୍ଗୀଙ୍କ ଦାଣ୍ଡପିଣ୍ଡାରେ ପହଞ୍ଚନ୍ତି ସେତେବେଳକୁ ଚକ୍ଷୁରୁ ଅଶ୍ରୁ ଅବିରତ ବହି ଚାଲିଥିଲା ! ଲୁହ ପୋଛି ପୋଛି ସେ ତଳକୁ ଓହ୍ଲାଉଛନ୍ତି, ପିତାମ୍ବର ସ୍ତ୍ରୀ ସାରସୀ ଲଣ୍ଠନଟିଏ ଧରି ଗାଁଦାଣ୍ଡରେ ଚାଲିଯାଉଥିଲେ, ସ୍ନେହଙ୍କୁ ଦେଖି ପକାଇଲେ ।

 

“ସ୍ନେହ କି ?”

 

“ହଁ ।”

 

“ମା ଲୋ; ମୋ କିଶୋର ମରିଯିବ ।” –ସାରସୀଙ୍କର ଶୋକାଚ୍ଛ୍ଵାସ ସ୍ୱର ।

 

“କ’ଣ ହେଲା ମାଉସୀ ?–ସ୍ନେହ ପଚାରିଲେ ନିଜ ଆଖିରୁ ଲୁହ ଜଲଦି ଜଲଦି, ପୋଛି ପକାଇ ।

 

“ତାକୁ ଆଜି ଚଷାସାହିରେ ବାନ୍ଧିକି ବାଡ଼େଇ ପକେଇଛନ୍ତି ।”

 

ଏତିକି କହି ଦେଇ ସାରସୀଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗିଗଲା, ସେ ଭୋ ଭୋ ହୋଇ କାନ୍ଦି ପକାଇଲେ ।

 

“କାନ୍ଦନା ମାଉସୀ, କ’ଣ ହେଲା କୁହ ।” ସ୍ନେହ ସାରସୀଙ୍କ ଆଖିରୁ ଲୁହ ପୋଛିଦେଲେ; କିନ୍ତୁ ନିଜ ଆଖିରୁ ଲୁହ ବୋହି ଆସୁଥାଏ ।

 

କାନ୍ଦୁ କାନ୍ଦୁ ସାରସୀ କହିଯାଉଥାନ୍ତି–“ମୋ ପୁଅ କ’ଣ କଲା ଯେ ଶୁଦ୍ରଗୁଡ଼ାକ ମୋ ପୁଅ ଦେହରେ ହାତ ଲଗାଇବେ ? ସମସ୍ତେ କ’ଣ ଜାଣନ୍ତିନି ମୋ ପୁଅ ଉନ୍ମାଦ, ଜନ୍ମରୁ ଉନ୍ମାଦ ? ତା’ର ବାପ କଲିକତାରେ ସବୁବେଳେ ରହୁଛି ବୋଲି ସିନା ଯିଏ ଯାହା ତାକୁ କରିବାକୁ କହିଦେଉଛନ୍ତି, ଆଉ କରିସାରିଲା ପରେ ମାଡ଼ । ପାଗଳା ବୋଲି କ’ଣ ତା’ର ହାଡ଼ମାଂସର ଶରୀର ନାହିଁ, ସ୍ନେହ, ଘୃଣାକୁ ସେ ବୁଝିପାରୁନି ? ତା’ ଦେହ କ’ଣ ପଥରରେ ଗଢ଼ା ? ହେ ଗୋପୀନାଥ ! ଜଣେ ମା’ ଆଜି କାନ୍ଦୁଛି । ଯଦି ତୁମେ ସତ...”

 

“ସ୍ନେହ ସାରସୀଙ୍କ ତୁଣ୍ଡରେ ହାତ ଦେଲେ । “ଆଉ ମାଉସୀ, ଅଭିଶାପ ଦେବା ଭଲ ନୁହେଁ । ଯାହା ହୋଇଗଲାଣି, ହୋଇଗଲାଣି । ନିଜ ନିଜର କର୍ମଫଳ ସମସ୍ତେ ଭୋଗ କରିବେ । ଆମେ ରାଗି ବା ଅଭିଶାପ ଦେଇ ଅକାରଣେ କାହିଁକି ପାପର ଭାଗୀ ହେବା ? ଚାଲ, ମୁଁ ଟିକିଏ କିଶୋରକୁ ଦେଖିଆସେ ।”

 

“ଭାଗ୍ୟବତୀ ହୋଇଥା ମା’, ତୋ ଦୟା ସମସ୍ତଙ୍କ ପାଖରେ ନାହିଁ ।”

 

ଦୁହେଁ ପିତାମ୍ବର ଘରେ ପହଞ୍ଚିଲେ । ଆଗେ ସାରସୀ, ପଛରେ ସ୍ନେହ ।

 

କିଶୋର ପଟିଟିଏ ଉପରେ ଶୋଇଥିଲା । ପାଦ ଶବ୍ଦରେ ସେ ଆଖି ଫିଟାଇଲା । ବେଦନା ଯୋଗୁଁ ତା’ର ମୁହଁ ଝାଉଁଳି ପଡ଼ିଥାଏ । ସ୍ନେହ ‘କିଶୋର ଭାଇ, କ’ଣ ହେଲା’ କହି ପଟିରେ ବସିଲେ । କିଶୋର ‘ସ୍ନେହନାନୀ’ କହି ହସିବାକୁ ଚେଷ୍ଟା କଲା । ସ୍ନେହ ତା’ର ଦେହ ଆଉଁଷି ଦେଲେ । ସ୍ନେହଙ୍କ ହାତ ବାଜିବା ମାତ୍ରେ କିଶୋର ଯନ୍ତ୍ରଣାରେ ଚିତ୍କାର କଲା–

 

“ଓଃ !”

 

ସ୍ନେହ କିଶୋର ଦେହରୁ ହାତ ଉଠାଇ ନେଲେ ।

 

“କିରେ ଏଡ଼େ ଦରଜ ହୋଇଛି ? ଛୁଁ ଛୁଁ କାଟୁଛି ?”

 

“ଦେହସାରା ପରା କୁଅ ଦଉଡ଼ିରେ ଭିଡ଼ିଦେଇ ବାଡ଼େଇଥିଲେ–“ସାରସୀ କହିଲେ ।

 

“କ’ଣ ହେଲା କିଶୋର ଭାଇ ?”

 

“ପାଗଳଗୁଡ଼ାକ ବାଡ଼େଇ ପକାଇଲେ, ସ୍ନେହ ନାନୀ !”

 

“କେଉଁ ପାଗଳାଗୁଡ଼ାକ ?”

 

“ଶ୍ରୀମନ୍ତ, ସହଦେବ, ନକୁଳ, କପିଳେନ୍ଦ୍ର..... ସମସ୍ତେ” । ନିଜ କଥାରେ କିଶୋର ହସିଦେଲା । “ପାଗଳାଙ୍କର କ’ଣ ସଂଖ୍ୟା ଅଛି ? ଅଧିକାଂଶ ପାଗଳ, ଭଲ ଲୋକ ସିନା କମ୍ ।”

 

“ତୁମେ କ’ଣ ଦୋଷ କଲ ଯେ ସେମାନେ ତୁମକୁ ବାଡ଼େଇଲେ ?”

 

ଦଣ୍ଡିଆର ନଡ଼ିଆ ଖାଇବାକୁ ଇଚ୍ଛା ହେଲା । ମୁଁ ପୋଖରୀରୁ ଗାଧୋଇ ପାଧୋଇ ଫେରୁଥିଲା, ମୋତେ ସେ କହିଲା–

 

“ଗୋସେଇଁ, ନଡ଼ିଆଟେ ଆଜି ଖୋଇବନି ?”

 

ମୁଁ କହିଲି, “ଏଇ କଥା, ନେ ଖା । ସେଠୁ ମୁଁ ପୋଖରୀ ଦାଢ଼ରେ ଥିବା ନଡ଼ିଆ ଗଛକୁ ଲକ୍ଷ୍ୟ କଲି । ପଥରଟା ନଡ଼ିଆରେ ନ ବାଜି ଗଛ ଗଣ୍ଡିରେ ବାଜି ଚିହିଙ୍କି ଆସି ଦଣ୍ଡିଆ ପୁଅ ଦେହରେ ବାଜିଲା ।”

 

“ସେଠୁ...”

 

ସେଠିକି ଆଉଁଷନା ସ୍ନେହନାନୀ ବୋଉ ଲୁଣପୁଡ଼ା ଆଣିବୁଟି ! ସେଠୁ ମୋତେ ବାଡ଼େଇଲେ । ଯାହା ହାତରେ ଯାହା ପଡ଼ିଲା....”

 

“ଓଃ!” ସ୍ନେହ କାନ୍ଦି ପକାଇଲେ । ସାରସୀ କାନ୍ଦି କାନ୍ଦି ଦାଣ୍ଡପିଣ୍ଡାକୁ ଚାଲିଗଲେ । ପିଣ୍ଡାରୁ ବାହୁନା ଶୁଭିଲା ।

 

ସ୍ନେହ ଲୁଣପୁଡ଼ା ଆଣି ସେକିବାକୁ ଲାଗିଲେ । ଏହି ସମୟରେ ପଛରେ ତାଙ୍କର କିଏ ଠିଆ ହେବାପରି ଲାଗିବାରୁ ସେ ଚାହିଁଦେଲେ–ଦେବୀ ପଦ ଠିଆହୋଇଥିଲା । ଦେବୀପାଦ କହିଲା–

 

“ଅମୃତାଞ୍ଜନ ନିଅ, ଆଗ ବୋଳି ପରେ ସେକ ଦେବ ।”

 

“ହଉ” –ସ୍ନେହ ଶିଶିକୁ ନେଲେ । ‘ଶୁଣ ଶୁଣ ।”

 

ଦେବୀପାଦ ଯାଉଥିବାବେଳେ ଅଟକି ଗଲା ।

 

“ମଉସାଙ୍କ ଦେହ କିପରି ଅଛି ?

 

“ସେହିପରି ।”

 

“ତୁମେ କିଶୋରଙ୍କୁ ମାଡ଼ ହୋଇଛି ବୋଲି କିପରି ଜାଣିଲ ?”

 

“ଛାତ ଉପରୁ ଦାଣ୍ଡକୁ ଚାହିଁଥିଲି, ତୁମେ ଓ କିଶୋର ବୋଉ କଥାବାର୍ତ୍ତା ହେଉଥିଲ ।”

 

“ହଁ ।”

 

“ତୁମେ ଛାତ ଉପରେ କ’ଣ କହିବାକୁ ଯାଉଥିଲ, ନ କହି ଚାଲି ଆସିଲ ?”

 

“କିଛି ନୁହଁ !”

 

ଦେବୀପାଦ ଚାଲିଗଲା ।

 

ଜୀବନରେ ଅର୍ଥର ମହତ୍ତ୍ଵ ଅନୁଭୂତି ଦ୍ଵାରା ହିଁ ବୁଝିହୁଏ । ଯଥାର୍ଥବାଦୀ ହେଲେ ତ ଭଲ କଥା, ଆଦର୍ଶବାଦୀ ମଧ୍ୟ, ବେଳ ପଡ଼େ, ଆଦର୍ଶ ବିନିମୟରେ ଅର୍ଥ ଖୋଜେ । ଷଡ଼ଙ୍ଗୀ କିନ୍ତୁ ମୂଳରୁ ଯଥାର୍ଥବାଦୀ ଥିଲେ । ନିଜର ଆର୍ଥିକ ସ୍ଥିତି ସେ କାହାରିକୁ କହୁ ନ ଥିଲେ । ସମସ୍ତେ ଜାଣିଥିଲେ ସେ ଐଶ୍ଵର୍ଯ୍ୟଶାଳୀ; କିନ୍ତୁ ଐଶ୍ୱର୍ଯ୍ୟର ପରିମାଣ କାହାରିକୁ ଜଣା ନଥିଲା । ବସୁନ୍ଧରା ମଧ୍ୟ ନୁହନ୍ତି । ଅନୁମାନ କରିବା ଛଡ଼ା, ପ୍ରକୃତ ତଥ୍ୟ ସମ୍ବନ୍ଧରେ ରମାକାନ୍ତ ମଧ୍ୟ ଅନଭିଜ୍ଞ ଥିଲା । ସେଥିପାଇଁ ରମାର ଦୁଃଖ, ସେଥିପାଇଁ ପିତୃଐଶ୍ୱର୍ଯ୍ୟ ନେଇ ବାରମ୍ବାର ତା’ର ଅନୁମାନ । କେତେ ହେବ ସମ୍ପତ୍ତି–ଲକ୍ଷେ, ଦୁଇଲକ୍ଷ, ତିନିଲକ୍ଷ...ନାଃ, ତା’ଠୁ ବେଶି ହୋଇ ପାରେନା; କିନ୍ତୁ ତିନିଲକ୍ଷ କ’ଣ ଜୀବନରେ ଢେର୍ ? ଏକା ରୋଲ୍ ସରୟେସ୍ ଗାଡ଼ି ତ ଲକ୍ଷେ ଟଙ୍କା ପଡ଼ିଯିବ । ଭଲ କୋଠାଟେ କଲେ ଦୁଇଲକ୍ଷଠୁ କ’ଣ କମ୍ ଖର୍ଚ୍ଚ ହେବ ? କିନ୍ତୁ କୋଠା ଓ ଗାଡ଼ି ଜୀବନରେ ତ ସବୁ ନୁହଁ । ନିତ୍ୟ ନୂତନ ଷୋଡ଼ଶୀଙ୍କ ଶରୀର, ପ୍ରଧାନମନ୍ତ୍ରୀତ୍ଵ, ବିଶ୍ୱସିଦ୍ଧି ଏସବୁ ପାଇଁ ଅର୍ଥ କୁଆଡ଼ୁ ଆସିବ ? ନା, ବୈଧ ଅବୈଧ ସବୁ ଉପାୟରେ ସେ ଟଙ୍କା ରୋଜଗାର କରିବ, ଲକ୍ଷ ନୁହଁ କୋଟି ସଂଖ୍ୟାରେ । ବାପାଙ୍କର ବୟସ ହୋଇଆସିଲାଣି । ସେ ଚାଲିଯିବା ପରେ ବସୁନ୍ଧରାଙ୍କ ପାଇଁ ପାଞ୍ଚ ଛଅ ଏକର ଜମି ଓ ଘରତକ ଛାଡ଼ିଦେଇ ଆଉ ସବୁ ନେଇ ସେ ବମ୍ବେ କିମ୍ବା କଲିକତା ଯାଇ ଡାକ୍ତରୀ ଦୋକାନ ଖୋଲିବ । ଭାଇ ଭାଗ ହେବାର ସମ୍ଭାବନା ନାହିଁ । ଦେବୀପାଦ ଉତ୍ସାହ ପାଇଲେ ସନ୍ନ୍ୟାସୀ ହୋଇଯିବ । ତାଙ୍କୁ ସେଇ ଦିଗରେ ଉତ୍ସାହ ଦେବା ଉଚିତ, ବାକି ଶିବନାଥ । ସରଳ, ହୃଦୟବାନ୍‍,କର୍ମିଷ୍ଠ ସେ । ତାକୁ ସାଥିରେ କର୍ମଚାରୀ କରି ନିଆଯାଇପାରେ ।

 

ଅପରାହ୍‍ଣର ସୀମାନ୍ତ । କେହି ରୋଗୀ ନ ଥିଲେ, ଦୋକାନରେ ବସି ବସି ରମାକାନ୍ତ ଏହି ସବୁ କଥା ଭାବୁଥିଲା । ନିମିଚଉଡ଼ି ଛକକୁ ଲାଗି ଔଷଧ ଦୋକାନ । ଦୁଇମହଲା କୋଠା । ଭାବନାମଗ୍ନ ହୋଇ ଜଣେ ମହିଳା ଯେ ତା’ ପଛଆଡ଼େ ଆସି କେତେବେଳୁ ଠିଆହେଲେଣି ତା’ ସେ ଜାଣିନି ।

 

“ମୁଁ ଭିତରକୁ ଆସିପାରେ କି ?”

 

“ଆସନ୍ତୁ” –ସ୍ଵଭାବବଶତଃ କହିଦେଇ ରମାକାନ୍ତ ଚାହିଁଦେଲା ।

 

‘‘ରଜନୀ !”

 

“ଆପଣ ଚିନ୍ତାକଳାବେଳେ ସବୁ କଥା ଭୁଲିଯାନ୍ତି ବୋଧେ । ମୁଁ ତ ଅନେକବେଳୁ ଆସିଲିଣି । ଯଦି ମୁଁ ଔଷଧଶିଶି ତିନି ଚାରୋଟି ଧରି ଚାଲି ଯାଇଥାନ୍ତି ?”

 

“ଦୋକାନସାରା ଯେତେବେଳେ ତୁମର, ଦୁଇ ତିନୋଟି ଶିଶି ନେଇଥିଲେ ବଡ଼ କଥା କ’ଣ ଆଉ ହୋଇଥାନ୍ତା ।”

 

“ହଉ, ବହୁତ ବଢ଼େଇଚଢ଼େଇ ଆପଣ କହିପାରନ୍ତି । ଆଜି ସନ୍ଧ୍ୟାରେ କାର୍ଯ୍ୟବ୍ୟସ୍ତ ନା ଖାଲି ଅଛନ୍ତି ?

 

“କାହିଁକି ?”

 

“ଏହିପରି, ବୁଲି ଯାଇଥାନ୍ତେ । ସିନେମା...”

 

“ନା ଆଜି ନୁହେଁ । ମୋର କାମ ଅଛି । କାଲି ।”

 

“ସବୁବେଳେ ତ କାମ, ମୁଁ ଯାଉଛି ତାହାହେଲେ, ନମସ୍କାର ।”

 

“ନମସ୍କାର... ।”

 

ରଜନୀ ଅଭିମାନରେ ଚାଲିଗଲେ ।

 

ରମାକାନ୍ତ ପୁଣି ତା’ର ଚିନ୍ତାଖିଅ ଭିତରେ ଗୁଡ଼େଇ ହୋଇଗଲା । ଏଇ ରଜନୀ, ଧନୀ ବ୍ୟବସାୟୀ ପିତାର ଅଲ୍ୟଳୀ ଦୁଲଳୀ, କଲେଜରେ ପଢ଼ୁଥିବାବେଳୁ ରମାକାନ୍ତ ସହ ବନ୍ଧୁତା । ରମାକାନ୍ତ ଜାଣେ ରଜନୀ ତାକୁ ଭଲପାଆନ୍ତି । ତାକୁ ବିବାହ କରିବାକୁ ଚାହାଁନ୍ତି; କିନ୍ତୁ ମଣିଷ କେବଳ ଭୋଗପାଇଁ ତ ବିବାହ କରିବନି, ଭୋଗ କ୍ରୟ କରାଯାଇପାରେ, ଜୀବନର ଉଦ୍ଦେଶ୍ୟ ଦୃଷ୍ଟିରୁ ରଜନୀ ବେଶି ସହାୟିକା ହୋଇପାରିବେ ନାହିଁ; ତାହାହିଁ ଦେଖିବା କଥା । ପିତା ଧନୀ ବ୍ୟବସାୟୀ; କିନ୍ତୁ ରଜନୀ ଆଠ ପୁଅରେ ଏକମାତ୍ର ଝିଅ ଯେ ! ସମ୍ପତ୍ତି ଆଠ ଭାଗ ହେବା ପରେ ରଜନୀଙ୍କ ପାଇଁ କ’ଣ ବଳିବ ଯେ...

 

ରମାକାନ୍ତ ଦୃଷ୍ଟି ରାସ୍ତା ଉପରକୁ ଗଲା । ରଜନୀ କାର୍ରୁ ଓହ୍ଲାଇପଡ଼ି ତା’ ଆଡ଼କୁ ଚାଲିଆସୁଥିଲେ । ରମାକାନ୍ତ ମନେ ମନେ ହସିଲା । ଯେତେ ତଡ଼ିଲେ ବି ରଜନୀ ଫେରି ଆସନ୍ତି ।

 

“ପୁଣି... ?”

 

“ଯାହା କହିବାକୁ ଆସିଥିଲି, ଭୁଲି ଯାଇଥିଲି । କାଲି ସନ୍ଧ୍ୟାରେ ଆମ ଘରକୁ ଯିବେ ।”

 

ରମାକାନ୍ତ ତଥାପି ଚୁପ୍‍ରହି ରଜନୀଙ୍କ ମୁହଁକୁ ଚାହିଁ ରହିବାରୁ ରଜନୀ କହିଲେ, “କାଲି ଆମଘରେ ଚା’ ଭୋଜି । ମୋର ଜଣେ ଭାଇ ଆଇ.ଏ.ଏସ୍. ଟ୍ରେନିଂରୁ ଫେରୁଛନ୍ତି, ସେଥିପାଇଁ... ।”

 

“କିନ୍ତୁ କାଲି ପରା ସିନେମା ?”

 

“ଆଃ ! ଆପଣଙ୍କୁ ଦେଖିଲେଇ ମୋର ସବୁ ଗୋଳମାଳ ହୋଇଯାଏ । କାଲି ଭାଇଙ୍କ ପାଇଁ ଚା’ ଭୋଜି, ଅଥଚ ମୁଁ ଆପଣଙ୍କୁ ସିନେମା ପାଇଁ ଡାକୁଛି । ତେବେ ଆପଣ ରାଜି ହେଲେ ଚା’ ଭୋଜି ପରେ ସେକେଣ୍ଡ ସୋ ସିନେମା ଯାଇ ପାରିବା ।”

 

“ଆଚ୍ଛା ଯିବି ।”

 

“ଯଦି ବିଶେଷ ଅସୁବିଧା ନ ହୁଏ, ମୁଁ କାର୍ ଧରି ଆସିବି; କିନ୍ତୁ ନ ଆସିଲେ ବି ଆପଣ ଯିବେ ।”

 

ରଜନୀ ଚାଲିଗଲେ । ରମାକାନ୍ତ ରଜନୀଙ୍କୁ ଭଲପାଏନି, କିଞ୍ଚିତ ପରିମାଣରେ ମଧ୍ୟ ନୁହଁ । ସବୁଝିଅଙ୍କ ସହ ସେ ଯେପରି ଭଦ୍ର ବ୍ୟବହାର କରେ, ରଜନୀଙ୍କ ସହିତ ସେହିପରି କରିଆସିଛି । ରମାକାନ୍ତ ଜାଣେ ତା’ ବ୍ୟବହାର ରଜନୀ ଭିନ୍ନଭାବେ ଗ୍ରହଣ କରି ନେଇଛନ୍ତି । ତା’ ପାଇଁ ସେ ଜୀବନ ଦେଇ ଦେଇପାରନ୍ତି, ବହୁବାର ତାଙ୍କର ସାହାଯ୍ୟରେ ସେ ପୁଷ୍ଟ । ଶୁଦ୍ଧ ହୃଦୟରୁ, ସେ ତାକୁ ଭଲ ପାଆନ୍ତି । ଉପରେ ପଡ଼ି, କ’ଣ ଦରକାର ତା’ର, ସେ ତାଙ୍କୁ କହିବ, ରଜନୀ ମୁଁ ତମକୁ ଭଲ ପାଏନି, ମୋଟେ ଭଲ ପାଏନି, ମୁଁ ଜାଣେ ତୁମେ ମୋତେ ଭୁଲ ବୁଝିଛ, ଭୁଲ ବୁଝି ଭଲ ପାଉଛ ।

 

ଏପରି କହିବା କ’ଣ ଦରକାର ? ସେ ଭଲ ନ ପାଇଲେ ମଧ୍ୟ ରଜନୀ ତାକୁ ଭଲ ପାଇବାରୁ, ବାରମ୍ବାର ତା’ ପାଖକୁ ଆସିବାରୁ, ତାକୁ କ’ଣ ଖୁସି ଲାଗୁନି ?

 

ରଜନୀ ଓ ରମାକାନ୍ତ ଘର ଭିତରକୁ ପଶିବାବେଳକୁ ସବୁ ନିମନ୍ତ୍ରିତ ବ୍ୟକ୍ତି ଆସି ସାରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସହ ରମାକାନ୍ତ ପରିଚିତ ଥିଲା । ଘରେ ସତରଞ୍ଜି ସତରଞ୍ଜିର ଠିକ୍ ମଝିକୁ ତାସଖେଳରେ ନିମଜ୍ଜିତ ଦଳେ ଯୁବକ । ରମାକାନ୍ତକୁ ଘର ଭିତରେ ଛାଡ଼ିଦେଇ ରଜନୀ ଅନ୍ୟ କାମରେ ଚାଲିଗଲେ । ରମାକାନ୍ତ ତାସ୍‌ଖେଳରେ ସ୍ଥାନ ପାଇବାର ସମ୍ଭାବନା ନଦେଖି ଘରର ଗୋଟିଏ କୋଣକୁ ଓକିଲ, ଡାକ୍ତରମାନେ, ବସିଥିବା ଜାଗାକୁ ଘୁଞ୍ଚିଗଲା-। ତାସ୍‌ଖେଳ ଆଡ଼କୁ ଲକ୍ଷ୍ୟ ଥାଏ, ପଛରେ କେତେଜଣ ନିମନ୍ତ୍ରିତ ବ୍ୟକ୍ତି ବସି ଆଲୋଚନା କରୁଥାଆନ୍ତି । କିଛି ସମୟ ପରେ କେହି ଜଣେ ଆସିବା ପରେ ସେମାନଙ୍କର ଆଲୋଚନା ସରଗରମ ହୋଇଉଠିଲା । ସ୍ଵର ଉଚ୍ଚ ହୋଇଯିବାରୁ ରମାକାନ୍ତ ଦୁଇଜଣଙ୍କ କଥାବାର୍ତ୍ତା ଶୁଣି ପାରିଲା–

 

“...ଆପଣ ତା’ ହେଲେ ଗୋଟିଏ ପ୍ରାଇଭେଟ୍ ହାଇସ୍କୁଲର ସରକାରୀ ପ୍ରଧାନ ଶିକ୍ଷକ...-?”

 

ଅଜିତର କଣ୍ଠସ୍ୱର । ରମାକାନ୍ତ ବୁଲିପଡ଼ିଲା । ଅଜିତ ଅନ୍ୟ ଜଣେ ଭଦ୍ରବ୍ୟକ୍ତିଙ୍କୁ ପଚାରୁ ଥିଲା–“ସେ ହାଇସ୍କୁଲ ନା କ’ଣ କହିଲେ, ବିଶ୍ଵନାଥ...”

 

ରମାକାନ୍ତ ବୁଲିପଡ଼ିବାରୁ ଅଜିତର କଥା ବନ୍ଦ ହୋଇଗଲା ।

 

“ନମସ୍କାର ବନ୍ଧୁ ! ପଛଆଡ଼ୁ ଚିହ୍ନି ପାରିଲିନି ।”

 

“ନମସ୍କାର, ତୁ କେତେବେଳୁ... ?”

 

“ଅନେକବେଳୁ ତୋ ଆଡ଼କୁ ଚାହିଁଛି; କିନ୍ତୁ ତୁ ବୋଲି ଜାଣିପାରି ଜାଣିପାରି ନଥିଲି । ଏ ହେଉଛନ୍ତି ଯତୀନ କୁମାର ପଟ୍ଟନାୟକ, ଏ ମୋର ବନ୍ଧୁ ରମାକାନ୍ତ, ଡାକ୍ତର ।”

 

“ଶିକ୍ଷକ ହେବା କ’ଣ ଦୋଷ ?” ଯତୀନ୍ ବାବୁ ରମାକାନ୍ତର ଉପସ୍ଥିତିକୁ ସମ୍ପୂର୍ଣ୍ଣ ଉପେକ୍ଷା କରି ପଚାରିଲେ, ସେ ଯେପରି ପୂର୍ବ କଥାବାର୍ତ୍ତାର, ଆଲୋଚନାର କୌଣସି ସିଦ୍ଧାନ୍ତ ଚାହୁଁଥିଲେ । କଥା ମଝିରେ ରହିଯିବା ତାଙ୍କୁ ଭଲ ଲାଗୁ ନ ଥିଲା । ତାଙ୍କର ବ୍ୟସ୍ତତାକୁ ଅଜିତ୍ ବୁଝିପାରି ପଚାରିଲା–

 

“ଆପଣ କେତେ ଟଙ୍କା ପାଉଛନ୍ତି ?”

 

“ନବେ ।”

 

“ଜମାରୁ ନବେ ! ଅଣ୍ଟି ଯାଉଛି ? ତେବେ ସମ୍ମାନ... ।”

 

“ଅଣ୍ଟିବା ପ୍ରଶ୍ନ କ’ଣ ଉଠୁଛି ? ପାଉଛୁ, ସେଇ ବଡ଼ ଭାଗ୍ୟରୁ କଥା । ଆଉ ସମ୍ମାନ–ତୁ ଜାଣୁ, ଶିକ୍ଷକ ମୁଁ ହୋଇଛି ବୋଲି ବିବାହ କରିପାରୁନି । କନ୍ୟାପିତାମାନେ ଆସୁଛନ୍ତି, ଯେତେବେଳେ ଶୁଣୁଛନ୍ତି, ମୋର ଆଉ ଆଇ.ଏ.ଏସ୍., ଓ.ଏ.ଏସ୍. ପରୀକ୍ଷା ପାଇଁ ବୟସ ନାହିଁ, ସେତେବେଳେ ‘ଚିଠି ଲେଖିବୁ, ଜାତକ ମିଳିଲେ ଲେଖି ପଠାଇବୁ, ଝିଅ ମା’ ତ ରାଜି ନୁହେଁ ଝିଅର ବିଭାଘର ଏବେ ହେଉ ବୋଲି, ଦେଖିବା, କହି ଫେରିଯାଉଛନ୍ତି । ତେବେ ସେମାନଙ୍କର କ’ଣ ଦୋଷ, ମୋର କେବେ ଝିଅ ହେଲେ ମୁଁ କ’ଣ ଆଇ.ଏ.ଏସ୍. ବର ଖୋଜିବିନି ?”

 

“ଆପଣ ଟ୍ୟୁସନ୍ କରୁନାହାନ୍ତି, ବହି ଲେଖୁ ନାହାନ୍ତି, ନୋଟ୍‍ବହି ?”

 

“ଆଇ.ଏ, ବି.ଏ, ମାଟ୍ରିକ୍, ସବୁଥିରେ ଫାଷ୍ଟ୍ ହୋଇ ଶିକ୍ଷକତାକୁ ତ ଜୀବିକା କରିନେଲୁ, ସେଥିରେ ଯଦି ପେଟ ନ ପୋଷିବ, ବହି ଲେଖିବୁ, ଟ୍ୟୁସନ୍ କରିବୁ, ତେବେ କ୍ଲାସରେ ଯାଇ ପଢ଼ାଇବୁ କଅଣ, ପଢ଼ିବୁ କ’ଣ, କେତେବେଳେ ବା ପଢ଼ିବୁ ?”

 

“ମୋର କ’ଣ ମତ ଜାଣନ୍ତି, ଆପଣଙ୍କ ଦାରିଦ୍ର୍ୟ ମୂଳରେ ଏଇ ଭାବୁକତା ରହିଛି । ନ୍ୟାୟ ଅନ୍ୟାୟ ବିଚାର ମଣିଷକୁ କାପୁରୁଷ କରିଦେବା ସଙ୍ଗେ ସଙ୍ଗେ ଦରିଦ୍ର ମଧ୍ୟ କରିଦିଏ । ସେଥିପାଇଁ ଧର୍ମ ଦୃଷ୍ଟିରୁ ବୈଶ୍ୟ ଅର୍ଥାତ୍ ଧନିକ ସମ୍ପ୍ରଦାୟ ଜାତି ବିଭାଗରେ ତୃତୀୟ । ଚତୁର୍ବର୍ଣ୍ଣ ଏକ ଧର୍ମ ଶାସନ । ଅର୍ଥାତ୍ ବୈଶ୍ୟମାନଙ୍କ ପାଇଁ ଧର୍ମର ମହତ୍ତ୍ଵ ପ୍ରଥମ ନୁହେଁ, ଦ୍ୱିତୀୟ ନୁହେଁ, ତୃତୀୟ । ଯେଉଁମାନେ ସଂସାରରେ ବିଭବଶାଳୀ, ସେମାନେ ନୈତିକ ବିଚାର, ଧର୍ମ ପାଇଁ ଦିନରେ ଘଣ୍ଟାଏ, ଅଧଘଣ୍ଟାଏ ସମୟ ଦେଇଥାଆନ୍ତି, ଆଉ ସବୁବେଳେ ‘ଉଦ୍ଦେଶ୍ୟ ଯଦି ଭଲ, ତା’ହେଲେ ଯେ କୌଣସି ଉପାୟ ନ୍ୟାୟସଙ୍ଗତ’ ନୀତିକୁ ନିଜସ୍ଵ କରିଥାନ୍ତି ।” ଅଜିତ କଥା ବନ୍ଦକଲା ।

 

ଏହି ସମୟରେ ଜଣେ ଭଦ୍ରବ୍ୟକ୍ତି ପଶିଆସିଲେ, ଓଡ଼ିଶାର ଜଣେ ପ୍ରସିଦ୍ଧ ଔପନ୍ୟାସିକ-

 

“କ’ଣ ରବି ବାବୁ ! ଆପଣ ତ ଲେଖାଲେଖିକୁ ନିଜର ଜୀବିକା କରି ଦେଇଛନ୍ତି, ଦେଶର ସମସ୍ୟାମାନଙ୍କ ଉପରେ ଭାବୁଥିବେ, ଆପଣଙ୍କ ଆୟ କିପରି ? ଇଂଲଣ୍ଡ, ଫ୍ରାନ୍ସ ପ୍ରଭୃତିରେ ବଡ଼ ବଡ଼ ଲେଖକମାନେ ତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ।

 

“ଇଂଲଣ୍ଡ ଆଉ ଓଡ଼ିଶା ! ଓଡ଼ିଶାର ଲୋକେ ଓଡ଼ିଆ ବହି କିଣିବାକୁ ଅର୍ଥଶ୍ରାଦ୍ଧ ମନେ କରନ୍ତି । ଯେତେ ଭଲ ବହିଟେ ହେଲେ ମଧ୍ୟ, ତାକୁ କଣି ପଢ଼ିବା ସେମାନଙ୍କର ସ୍ଵଭାବରେ ନାହିଁ । ହଁ, ମଗାମଗି କରି ପଢ଼ିଦେଇ ପାରନ୍ତି । ଅଥଚ ଇଂରାଜି ବହି ଓଡ଼ିଆ ବହି ତୁଳନାରେ ବହୁ ନିକୃଷ୍ଟ ହୋଇଥିଲେ ମଧ୍ୟ ତାକୁ କିଣି ପଢ଼ିବା ଓ ସେଥିପାଇଁ ଗର୍ବ ଅନୁଭବ କରିବା ସେମାନଙ୍କ ପାଇଁ ଫେସନ୍ । ଯେ କୌଣସି ଦେଶର ସଂସ୍କୃତି ସେ ଦେଶର ଲେଖକ, ପାଠକ ଓ ପ୍ରକାଶକ ଏ ତିନିଙ୍କୁ ନେଇ ପରିଗଠିତ । ତିନୋଟିରୁ ଗୋଟିକର ଦୁର୍ବଳତା ଓ ପ୍ରକୃତି, ଅନ୍ୟ ଦୁଇଟି ଉପରେ ପ୍ରଭାବ ପକାଏ । ଯଦି ପାଠକ ବହି ନକିଣିଲା, ତା’ହେଲେ ଲେଖକ ଓ ପ୍ରକାଶକ ଉଭୟେ ମରିଯିବେ । ଅନ୍ୟ ଦୃଷ୍ଟିରୁ ଦେଖିଲେ, ପାଠକ ଯେଉଁ ପ୍ରକାର ବହି କିଣିବାକୁ ଭଲପାଉଛି, ସେହିପରି ବହି ପ୍ରକାଶକ ଛାପିବାକୁ ଇଚ୍ଛା କରିବ, ଲେଖକ ଲେଖିବାକୁ ଇଚ୍ଛା କରିବ । ଏହିପରି ଭାବେ ପାଠକ, ଲେଖକ ଓ ପ୍ରକାଶକ ସମ୍ୱନ୍ଧାନ୍ଵିତ; ପାଶ୍ଚାତ୍ୟରେ, କେବଳ ପାଶ୍ଚାତ୍ୟ କାହିଁକି ଆଜିକାଲି ବଙ୍ଗଳାରେ; ଉତ୍ତର ଭାରତରେ ଘରେ ଘରେ ବ୍ୟକ୍ତିଗତ ଲାଇବ୍ରେରୀ ଦେଖିବାକୁ ମିଳେ । ବହି କିଣିବା ସେଠି ଆଭିଜାତ୍ୟର ଲକ୍ଷଣ । ପଢ଼ ନପଢ଼, ପ୍ରତି ମାସରେ ଘର ଲାଇବ୍ରେରୀ ପାଇଁ ନୂତନ ପ୍ରକାଶିତ ବହି କିଣିବା ସେଠାର ଲୋକେ ନିଜର ସାମାଜିକ କର୍ତ୍ତବ୍ୟ ମନେକରନ୍ତି; କିନ୍ତୁ ଓଡ଼ିଶାରେ ହଜାରେ ବହି ସରିବା ମୁସ୍କିଲ; ଲେଖକ ଧନୀ ହେବ କ’ଣ, ବଞ୍ଚି ରହିବା ବେଳେ ବେଳେ କଷ୍ଟକର ହୋଇଯାଏ ।”

 

“ଆପଣ ଡିଟେକ୍ଟିଭ୍ ଲେଖୁ ନାହାନ୍ତି । ବହି ବହୁତ ବିକ୍ରି ହୁଅନ୍ତା” –ରମାକାନ୍ତ କହିଲା ।

 

“ସାଧୁ ! ସାଧୁ !! ମୁଁ ତ ସେଇୟା କହୁଥିଲି । ଯେଉଁପରି ସବୁ କ୍ଷେତ୍ରରେ ନ୍ୟାୟପରାୟଣ ଲୋକମାନେ ନ୍ୟାୟକୁ ଛାଡ଼ିବାମାତ୍ରେ ଧନୀ, ସେହିପରି ସାହିତ୍ୟ କ୍ଷେତ୍ରରେ, ସେହିପରି ସବୁ କ୍ଷେତ୍ରରେ । ଆପଣ ଡିଟେକ୍ଟିଭ୍ ଲେଖନ୍ତୁ, ଦୁଇଟିଙ୍କିଆ ବହି ଦୁଇମାସରେ ସାରିଯିବ-। ଚାରିଶ ଟଙ୍କା ଲେଖକର... ।”

 

ସାହିତ୍ୟକ ଡିଟେକ୍ଟିଭ୍ ନା ଶୁଣି ଇତସ୍ତତଃ ହେଲେ ।

 

“ଆପଣ ବୋଧେ ଉଚ୍ଚଧରଣର ସାହିତ୍ୟରୁ କିପରି ଡିଟେକ୍ଟିଭ୍ ଓ ଉଷ୍ମା ଉପନ୍ୟାସକୁ ଆସିବେ, ସେୟା ଭାବୁଛନ୍ତି । ଲକ୍ଷ୍ମୀ ସମସ୍ତଙ୍କ ପାଖକୁ ଆସିପାରନ୍ତି; କିନ୍ତୁ ସଂଶୟାତ୍ମା, ଭୀରୁମାନଙ୍କ ପାଖକୁ କଦାପି ନୁହେଁ । ଇତିହାସ, ପୁରାଣ, ବେଦବେଦାନ୍ତ, ସକଳ ଶାସ୍ତ୍ର, ଏହି ନିଗୁଢ଼ ତତ୍ତ୍ଵକୁ ପ୍ରତିପାଦନ କରିବାକୁ ଚେଷ୍ଟା କରିଛନ୍ତି । ପୁରାଣର ଯେ କୌଣସି ଆଖ୍ୟାୟିକା ଏହି ନିଗୂଢ଼ ତତ୍ତ୍ଵକୁ ବିଶ୍ଳେଷଣ କରିଛି । ହୀରାଣ୍ୟାକ୍ଷ, ହରଣ୍ୟକଶିପୁ, ରାବଣ, ଦୁର୍ଯ୍ୟୋଧନ, ସମସ୍ତେ ଜଗତରେ ଐଶ୍ଵର୍ଯ୍ୟଶାଳୀ ଥିଲେ । ରାବଣର ଲଙ୍କାକୁ ସ୍ଵର୍ଣ୍ଣପୁରୀ କୁହାଯାଉଥିଲା । ସେମାନେ ସମସ୍ତେ ରାକ୍ଷସ ଥିଲେ । ନ୍ୟାୟ ଅନ୍ୟାୟ ଅନ୍ତର୍ଦ୍ୱନ୍ଦ୍ୱ ସେମାନଙ୍କ ପାଇଁ ତୁଚ୍ଛ ଥିଲା । ଧନ ଅର୍ଜ୍ଜିବା ସାମାନ୍ୟ କଥା ନୁହେଁ । ସେ ପଥରେ ସମସ୍ତେ ଯାଇପାରନ୍ତି ନାହିଁ । ସେ ପଥରେ ଯିବା ଖଣ୍ଡାଧାରରେ ଚାଲିବା ।”

 

“କିନ୍ତୁ ଅଜିତ୍, ସେହି ଧନକୁବେରମାନଙ୍କର ଶେଷରେ ପତନ କାହିଁକି ହେଲା ? ସେମାନଙ୍କର ପତନ ତୋ ମତବାଦର ଅନ୍ତର୍ନିହିତ ଅସଙ୍ଗତିକୁ ପ୍ରମାଣ କରୁ ନାହିଁକି ?”

 

ପ୍ରଶ୍ନ ପଚାରି ଦେଇ ରମାକାନ୍ତ ଶଙ୍କିତ ହୋଇ ଉଠିଲା, କାଳେ ତା’ ପ୍ରଶ୍ନ ଅମୋଘ ହୋଇ ରହିଯିବ, ଅଜିତ ଉତ୍ତର ଦେଇ ପାରିବନାହିଁ । ସବୁ ଧନୀ କ’ଣ ସର୍ବଦା ଶେଷ ଜୀବନରେ ଅବନତ ହେବେ ! ସେଇଆ ତା’ର ଚିନ୍ତା ଥିଲା । ସବୁ ପାପପାଇଁ କ’ଣ ଲୋକକୁ ଦଣ୍ଡିତ ହେବାକୁ ପଡ଼ିବ ?

 

‘‘ହିରଣ୍ୟକଶିପୁ, ରାବଣ, ଦୁର୍ଯ୍ୟୋଧନ, ଏମାନଙ୍କର ପତନ ସେମାନଙ୍କର ଦର୍ଶନଯୋଗୁ ନୁହଁ, ନିଜ ଦର୍ଶନ ପ୍ରତି ଶେଷରେ ସେହିମାନଙ୍କର ସଂଶୟ ଯୋଗୁ । ନିଜର ଦର୍ଶନରେ ନିଜର ଅବିଚଳିତ ଶ୍ରଦ୍ଧା କମିଯିବାରୁ । ସେମାନେ ଯେଉଁ ନୀତିକୁ ଅନୁସରଣ କରୁଥିଲେ, ଯଦି ସେହି ନୀତିକୁ ବ୍ୟବସ୍ଥିତ ଭାବରେ ସବୁବେଳେ ଅନୁସରଣ କରିଥାନ୍ତେ, ତା’ ହେଲେ ସେମାନଙ୍କର ପତନ ଆଦୌ ହୋଇନଥାନ୍ତା । ରାବଣ ସୀତାଙ୍କୁ ଆଣି, ସୀତା ରାଜି ନ ହେବାରୁ ତାଙ୍କର ଶରୀର ସ୍ପର୍ଶ ନ କରିବା, କ’ଣ ତା’ର ପୂର୍ବଦର୍ଶନର ଉପଯୁକ୍ତ ? ବହୁ ସ୍ତ୍ରୀଙ୍କୁ ଆଗରୁ ସେ ବଳାତ୍କାର କରିଛି, ତା’ର କିଛି ହୋଇନି; କିନ୍ତୁ ସୀତାଙ୍କଠି ତା’ର ନିଜ କାର୍ଯ୍ୟରେ ସଂଶୟ ଆସିଗଲା । ସେହିକଥା ହେଲା ତା’ର ପତନର ମୂଳ । ହିରଣ୍ୟକଶିପୁ ପ୍ରହ୍ଲାଦକୁ ପିଲାଦିନୁ ନ ମାରିବା ତା’ର ଭୁଲ । ପ୍ରଥମ ଜୀବନରେ ସେ ଯେତେ ଶିଶୁବଧ କରିଛି, ତା’ର କ’ଣ ସଂଖ୍ୟା ଅଛି ? କିନ୍ତୁ ନିଜେ ନ ମାରି, ସେ ପ୍ରହ୍ଲାଦକୁ, ଅନ୍ୟମାନଙ୍କ ହାତରେ ଦେଇଦେଇଛି ମାରିବା ପାଇଁ । କ’ଣ କାରଣ ? ତା’ର ଆସକ୍ତି । ଶେଷରେ ସେ ନ ମାରି ପ୍ରହ୍ଲାଦ ସହ, ଈଶ୍ଵର କେଉଁଠି କେଉଁଠି ଅଛନ୍ତି, ସେ ବିଷୟରେ ଆଲୋଚନା କରିଛି । ଧନୀ ଲୋକମାନଙ୍କର ପତନ ସେମାନଙ୍କର ଆନ୍ତରିକ ଦ୍ୱନ୍ଦ୍ୱ ଯୋଗୁ । ଦୁଇଟି ନୀତିରେ ଅନୁସରଣ ସବୁବେଳେ ବିପଜ୍ଜନକ ।”

 

ରମାକାନ୍ତ ପୁଣି କ’ଣ କହିବାକୁ ଯାଉଥିବାବେଳେ ରଜନୀ ଘର ଭିତରକୁ ପଶି ଆସିଲେ-

 

“ରମାକାନ୍ତ ବାବୁ ! ଶୁଣିଗଲେ !”

 

ଦୁହେଁ ତଳକୁ ଗଲେ । ତଳ ବାରଣ୍ଡାର ଗୋଟାଏ କଣକୁ ଡ଼ାକିନେଇ ରଜନୀ କହିଲେ–“ଆପଣଙ୍କର ଏକ୍ସପ୍ରେସ୍ ଟେଲିଗ୍ରାମ ଆସିଛି, ନିଅନ୍ତୁ ।”

 

ରମାକାନ୍ତ ରଜନୀଙ୍କ ହାତରୁ ଟେଲିଗ୍ରାମ୍ ନେଲା । ଟେଲିଗ୍ରାମ୍ ଗାଁରୁ ଆସିଥିଲା । ଟେଲିଗ୍ରାମ୍‍ଟା ଖୋଲୁ ଖୋଲୁ ରମାକାନ୍ତ ପଚାରିଲା–“ଟେଲିଗ୍ରାମ୍‍ଟା ଏଠିକି କିଏ ଆଣିଲା ?”

 

“ଆପଣଙ୍କ ପୂଜାରୀ । ବାହାରେ ବର୍ତ୍ତମାନ ସୁଦ୍ଧା ସେ ଅପେକ୍ଷା କରିଥିବ ।”

 

ରଜନୀଙ୍କ କଥା ଆଡ଼କୁ ରମାକାନ୍ତର କାନ ନ ଥିଲା । ସେ ଟେଲିଗ୍ରାମ୍ ପଢ଼ୁଥିଲା–ସେଥିରେ ବାପାଙ୍କର ସାଙ୍ଘାତିକ ଅବସ୍ଥା ଓ ରମାକାନ୍ତ କଟକରୁ ଗାଁକୁ ଟେଲିଗ୍ରାମ୍ ପାଇବା ମାତ୍ରେ ଆସିବାକୁ ବସୁନ୍ଧରା ଲେଖିଥିଲେ ।

 

“କ’ଣ ହେଲା, କ’ଣ ଲେଖା ହୋଇଛି ?”

 

“ବୁଢ଼ାର ଦେହ ଭାରି ଖରାପ, ବୋଧେ ଏଇଥର ବୁଢ଼ା ସ୍ଵର୍ଗ ଚାଲିଲା ।”

 

“ଈଶ୍ୱର ସେପରି ନ କରନ୍ତୁ । ମା’ କାଳୀ, ମା’ କାଳୀ !” –ରଜନୀ ଦୁଇ ହାତକୁ ନେଇ ଅଦୃଶ୍ୟ ଶକ୍ତି ଉଦ୍ଦେଶ୍ୟରେ ମୁଣ୍ଡରେ ଲଗାଇଲେ; କିନ୍ତୁ ତାଙ୍କର ପ୍ରାର୍ଥନା ପ୍ରତି ଦୃଷ୍ଟି ନ ଦେଇ, ରମାକାନ୍ତ ଗାଁରେ ଯାଇ କିପରି ଶୀଘ୍ର ପହଞ୍ଚିବ, ସେଇ କଥା ଭାବିବାକୁ ଲାଗିଲା ।

 

 

ରମାକାନ୍ତ ସକାଳ ଆଠଟାବେଳକୁ ଘରେ ପହଞ୍ଚିଗଲା । ଘରେ ପହଞ୍ଚି ସେ ସିଧା ବାପାଙ୍କ ପାଖକୁ ଗଲା । ସାତ ଆଠ ମାସ ପରେ ଷଡ଼ଙ୍ଗୀ ରମାକାନ୍ତକୁ ଦେଖୁଥିଲେ; କିନ୍ତୁ ମୃତ୍ୟୁକୁ ଅପେକ୍ଷା କରୁଥିବା ବ୍ୟକ୍ତିର ଉଲ୍ଲାସ କାହିଁ ? ରମାକାନ୍ତ ପାଦ ଛୁଇଁ ନମସ୍କାର କରିବାରୁ, ଅସ୍ପଷ୍ଟ ସ୍ଵରରେ ସେ କ’ଣ କହିଲେ, ତାହା ରମାକାନ୍ତ ବା ପାଖରେ ଥିବା ଅନ୍ୟାନ୍ୟ କେହି ଶୁଣି ପାରିଲେନି-। ରମାକାନ୍ତ ନାଡ଼ି ଦେଖିଲା ।

 

“ବୋଉ, ବାପାଙ୍କର ଜର ଓହ୍ଲାଉନି ?”

 

“ନା ।”

 

“ଝାଡ଼ା ?”

 

“ଦୁଇ ତିନି ଦିନ ଆଦୌ ହେଉନି, ତା’ପରେ ହଠାତ୍ ଖୁବ୍ ପତଳା ହେଉଛି । ଦେହ ହାତରେ ସବୁବେଳେ ବଥା...”

 

ରମାକାନ୍ତ ଷଡ଼ଙ୍ଗୀଙ୍କର ପେଟ ଚିପିଲା । ବାପା, ଦରଜ ଲାଗୁଛି ?

 

“ହାଁ” –ଷଡ଼ଙ୍ଗୀ ହଁ କହୁ କହୁ କାଶି ପକାଇଲେ ।

 

“ହୁଁ ।”

 

“କ’ଣ ?” ବସୁନ୍ଧରା ପଚାରିଲେ ।

 

“ଟାଇଫଏଡ଼୍ ।”

 

ରମାକାନ୍ତ ପ୍ରେସ୍‍କ୍ରିପ୍‍ସନ୍ ଲେଖି ଔଷଧ ଓ ଇଞ୍ଜେକସନ୍ ପାଇଁ ପାଣୁଆକୁ ବାଣପୁର ପଠାଇ ଦେଲା । ବାରଣ୍ଡାରେ ଦାନ୍ତକାଠି ଢାଳ ଥୁଆ ହୋଇଥିଲା । ବସୁନ୍ଧରା ପୁଅ ପାଇଁ ବାହାର ଚୁଲ୍ଲୀରେ ଚା’ କରିବାରେ ଲାଗିପଡ଼ିଥାନ୍ତି । ରମାକାନ୍ତ ଦାନ୍ତ ଘଷୁ ଘଷୁ କହିଲା–“ବୋଉ, ବାପା ଆଉ ବେଶିଦିନ ରହିବେନି ।”

 

ସେପରି ଅଶୁଭ କଥାଗୁଡ଼ାକ କାହିଁକି ତୁଣ୍ଡକୁ ଆଣୁଛୁ ?

 

“ମୋତେ ସେପରି ଲାଗୁଛି । କାରଣ ଉପଯୁକ୍ତ ଚିକିତ୍ସା ଅଭାବରେ ରୋଗ ଖୁବ୍ ବଢ଼ିଯାଇଛି । ତେବେ ମୁଁ ଯତ୍ନ କରିବି ।”

 

ବସୁନ୍ଧରା କିଛି କହିଲେନି ।

 

“ହେଉ ! ଟଙ୍କା, ହିସାବପତ୍ର, ମହାଜନି, ଖାତା, କାହାକୁ କେତେ ଧାର ଦେଇଛନ୍ତି, ସେସବୁ ତୁ ବାପାଙ୍କଠୁ ବୁଝି ନେଇଛୁ ତ ?”

 

“କାହିଁକି ?” ଏଥରକ ବସୁନ୍ଧରାଙ୍କ ଦୁଇ ଭ୍ରୁ ମଝି ତୀରପରି ତୀକ୍ଷଣ ହୋଇ ଉଠିଲା ।

 

“କ’ଣ । କାହିଁକି ? ବାପାଙ୍କ ଦେହ ଖରାପ ହେଲା, ମହାଜନୀ ନେଇ କ’ଣ କେସ୍ ହୋଇଛି, ହବାକୁ ଅଛି, ସେସବୁ ମୋତେ ବୁଝିବାକୁ ହେବ ତ ? ଏବେଠୁ ବାପାଙ୍କଠୁ ବୁଝି ନ ରଖିଲେ, ସେତେବେଳେକୁ ମୁଁ ହଇରାଣ ହେବି, ତୋର କ’ଣ ଯିବ ?”

 

“ହୁଁ ।” –ବସୁନ୍ଧରା ଯେପରି ସବୁ ବୁଝି ପାରିଲେ ।

 

“ବାପାଙ୍କ ଅବସ୍ଥା ସାଙ୍ଘାତିକ ହବାରୁ ତୁ ମୋ ପାଖକୁ ଟେଲିଗ୍ରାମ ଦେଲୁ । ଆଗରୁ ଚିଠି ଦେଇଥିଲେ ମୁଁ ବଳେ ଆସି ଚିକିତ୍ସା କରିଥାନ୍ତି କି କଟକକୁ ନେଇ ଯାଇଥାନ୍ତି । ବାପା ମଧ୍ୟ ମୋତେ ସେତେବେଳେ ସବୁ ହିସାବପତ୍ର ବୁଝେଇ ଦେଇ ପାରିଥାନ୍ତେ । ଅଥଚ ତୁ ଏତେବେଳକୁ ଟେଲିଗ୍ରାମ ଦେଉଛୁ । ତୋର ବୁଦ୍ଧି ସବୁବେଳେ ସେଇମିତି ।”

 

“ହଉ ସେ ତ ପରକଥା, ଭଗବାନ କଲେ ତୋ ବାପା ଭଲ ହୋଇଯିବେ । ତୁ ବ୍ୟସ୍ତ ହେବା ଦରକାର ପଡ଼ିବନି । ମହାଜନୀର ଦାୟିତ୍ଵ ବି ତୋତେ ନେବା ଦରକାର ପଡ଼ିବ ନାହିଁ ।”

 

“ମୁଁ କ’ଣ କହୁଛି ବାପା ଭଲ ନ ହୁଅନ୍ତୁ ? କିନ୍ତୁ ମୁଁ ଯାହା ଦେଖିଲି ସବୁ କ’ଣ ଭୁଲ ? ମୁଁ ଆଉ ଡାକ୍ତର ନୁହଁ ?”

 

ବସୁନ୍ଧରା ଅଶ୍ରୁ ଲୁଚାଇବାକୁ ଯାଇ ଅନ୍ୟ ଆଡ଼କୁ ମୁହଁ ଫେରାଇ ନେଲେ । ବସୁନ୍ଧରାଙ୍କ କାନ୍ଦ ଦେଖି ରମାକାନ୍ତ କହିଲା–ଏଥରକ ତା’ର ସ୍ୱର ଆବେଗପୂର୍ଣ୍ଣ–

 

“ବାପା କ’ଣ ଭଲ ହୋଇଗଲେ ମୁଁ ମହାଜନିରେ ମୁଣ୍ଡ ଖର୍ଚ୍ଚ କରିବି ? ନା ବାପା ଭଲ ହୋଇଯିବେ ବୋଲି ମୁଁ ଚାହୁଁନି ? ବାପାଙ୍କ ଦେହ ଖରାପ ହେଲା, ଆଉ ଏତେ ଖରାପ ହେଲା ଯେ ମୋତେ ଗାଁକୁ ଆସିବାକୁ ପଡ଼ିଲା । ସେଇଥିରୁ ମୁଁ ଆଶଙ୍କିତ ହୋଇ ବାପାଙ୍କର କେତେବେଳେ କ’ଣ ହେଲେ ସେଥିପାଇଁ ଆଗରୁ ପ୍ରସ୍ତୁତ ରହିବା ଉଚିତ ହେବ ଭାବି ସେ କଥା କହିଥିଲି । ନ ହେଲେ, ଡାକ୍ତରମାନେ କ’ଣ ଯେତେବେଳେ ଯାହା କହିଦିଅନ୍ତି ସବୁ ସତ ହୁଏ । ତୁ ଯଦି ବିରକ୍ତ ହେଉଛୁ, ତାହେଲେ ମୁଁ କଟକ ଚାଲିଯାଉଛି ।”

 

ଦେବୀପାଦ ଓ ଶିବନାଥ ପଢ଼ାଘରେ ବସିଥିଲେ ମଧ୍ୟ ବୋଉ ଓ ଭାଇନାଙ୍କ ମଧ୍ୟରେ ଚାଲିଥିବା ଝଗଡ଼ା ସେମାନଙ୍କ କାନଯାଏଁ ପହଞ୍ଚି ଯାଉଥାଏ । ଷଡ଼ଙ୍ଗୀ ମଧ୍ୟ ଶୋଇ ଶୋଇ ଶୁଣୁଥାନ୍ତି; କିନ୍ତୁ ତାଙ୍କୁ କୌଣସି କଥା ପରିଷ୍କାର ଶୁଭୁଥାଏ କି ଶୁଭୁ ନ ଥାଏ କିଛି କହି ହେବନାହିଁ ।

 

ହଠାତ୍ ରମାକାନ୍ତ ନିତ୍ୟକର୍ମ ସାରି ବିଛଣାପତ୍ର ଧରି କଟକ ଚାଲିଯିବ ବୋଲି ବାହାରିଲା । ବସୁନ୍ଧରା ତା’ର ବାଟ ଓଗାଳି ଠିଆହେଲେ ।

 

“ଆସିଛୁ ଯେତେବେଳେ ସେତେବେଳେ, ଦୁଇତିନିଦିନ ରହିଯା; ବାପାଙ୍କ ଦେହ ଭଲ ହୋଇଯାଉ ଯିବୁ । ଏପରି ଚାଲିଗଲେ ଲୋକ କ’ଣ କହିବେ ? ପୁଣି ବାପାଙ୍କର ଗଲା ଅଇଲାବେଳେ...ତାଙ୍କ ଆଖି ପୁଣି ଛଳ ଛଳ ହୋଇ ଉଠିଲା ।

 

ଦେବୀପାଦ ଓ ଶିବନାଥ ଏଥରକ ବାରଣ୍ଡାରେ ଆସି ଠିଆହେଲେ । ସେମାନଙ୍କ ଆଗମନ ବସୁନ୍ଧରାଙ୍କୁ କିଛି ଶକ୍ତି ଦେଲା । ରମାକାନ୍ତକୁ ସଙ୍କୁଚିତ ମଧ୍ୟ କିଛି କରିଦେଲା ।

 

“ମୁଁ କ’ଣ ଯିବା ପାଇଁ ଆସିଥିଲି ? କିନ୍ତୁ ତୋ ମୁହଁରୁ ଯେପରି ରୁକ୍ଷ କଥା ସବୁ ବାହାରୁଛି, ସେଥିରେ କିଏ ରହିପାରିବ ?”

 

“ହଉ, ମୁଁ ଆଉ କିଛି କହିବିନି । ତୁ ଆ ! ତୁ ଚାଲିଗଲେ ଲୋକ କ’ଣ କହିବେ ?”

 

ରମାକାନ୍ତ ଫେରି ବିଛଣାପତ୍ରକୁ ଖଟ ଉପରେ କଚାଡ଼ି ଦେଇ ବସି ପଡ଼ିଲା । ଦେବୀପାଦ ଓ ଶିବନାଥ ପଢ଼ାଘରକୁ ଫେରିଗଲେ । ସେହି ସମୟରେ ସ୍ନେହ ଦାଣ୍ଡଦୁଆର ଫିଟାଇ ପଶି ଆସିଲେ । ଅନେକ ରାତିଯାଏଁ କିଶୋର ପାଖରେ ବସି, ସେ ତା’ର ସେବା ଶୁଶ୍ରୂଷା କରିଥିଲେ-। ବିଳମ୍ବରେ ଶୋଇ ମଧ୍ୟ ସୂର୍ଯ୍ୟୋଦୟ ପୂର୍ବରୁ ତାଙ୍କର ନିଦ ଭାଙ୍ଗିଗଲା । ଉଠିବା ମାତ୍ରକେ ତାଙ୍କର ପ୍ରଥମ ଚିନ୍ତା ହୋଇଥିଲା ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟ । ଅମୃତାଞ୍ଜନ ଶିଶି ଫେରାଇବାର ବାହାନା ମଧ୍ୟ ମିଳିଗଲା । ରମାକାନ୍ତ ଆସିବା କଥା ତାଙ୍କୁ ଜଣା ନ ଥିଲା । ସେ ପଢ଼ାଘରକୁ ପଶି ଆସି ଦେବୀପାଦକୁ ଅମୃତାଞ୍ଜନ ଶିଶି ଦେଇ ଷଡ଼ଙ୍ଗୀଙ୍କ ପାଖକୁ ଯିବେ ବୋଲି ବାହାରିଛନ୍ତି, ବୁଲି ପଡ଼ି ଦେଖନ୍ତି, ଦୁଆର ବନ୍ଧ ପାଖେ ରମାକାନ୍ତ ଠିଆ ହୋଇଛି ।

 

“ରମାଭାଇ ! ନମସ୍କାର !”

 

“ତୁ ତ ପ୍ରତିମାସରେ ବଦଳୁଥିବା ପରି ଜଣାପଡ଼ୁଛି ସ୍ନେହ ! ବର୍ଷେ ତଳେ ଦେଖିଥିଲି, ବୋଧେ, ଆଜି ଦେଖୁଛି, ତୋଠି ବହୁତ ପରିବର୍ତ୍ତନ ଲକ୍ଷ୍ୟ କରୁଛି !”

 

ସ୍ନେହପ୍ରଭାଙ୍କ ମୁହଁକୁ ଯେପରି କିଏ ସିନ୍ଦୂର ମୁଠାଏ ଫୋପାଡ଼ି ଦେଲା । ସେ ପଚାରିଲା–“କ’ଣ ଦେଖୁଛ ?”

 

ବସୁନ୍ଧରାଙ୍କୁ ସେଇ ଆଡ଼କୁ ଆସୁଥିବା ଦେଖି ରମାକାନ୍ତ କହିଲା–“ବୋଉ, ଆମ ସାହିରେ ସ୍ନେହ ଭଳି ସୁନ୍ଦର ଝିଅ ଆଉ କିଏ ଅଛି ?”

 

ବସୁନ୍ଧରା ଯାଉଥିବାବେଳେ ରହିଗଲେ । ସ୍ନେହଙ୍କୁ ମୁହଁ ଟେକି ସେ ଚାହିଁଲେ–“ଏଡ଼େ ସକାଳୁ କୁଆଡ଼େ ମା ?”

 

“ମଉସାଙ୍କୁ ଦେଖିବାକୁ ଚାଲି ଆସିଥିଲି, ମାଉସୀ ।”

 

ବସୁନ୍ଧରା ଚାଲିଗଲେ । ସ୍ନେହ ପ୍ରଭାଙ୍କର ଶରୀରକୁ ସ୍ପର୍ଶ କରିବାର ଇଚ୍ଛାକୁ କୌଣସି ମତେ ସମ୍ବରଣ କରି ନ ପାରି ରମାକାନ୍ତ ଘର ଭିତରକୁ ପଶିଆସି ସ୍ନେହଙ୍କ ପିଠି ଥାପୁଡ଼େଇଲା । “ସତରେ, ତୋ ଭଳି ସୁନ୍ଦରୀ ଝିଅ ମୁଁ ଆଉ କୌଣସିଠି ଦେଖିନି !”

 

“ସ୍ନେହ ! ବୋଉ କାମରେ ବ୍ୟସ୍ତ, ଗଲ ବାପାଙ୍କ ପଟି ବଦଳାଇ ଦେବ । ଯାଅ ।”

 

ଦେବୀପାଦ କିଛିଟା ରୁକ୍ଷ ସ୍ଵରରେ କହିଲା ।

 

ଦେବୀପାଦଠୁ ଆଦେଶ ଦେବା ଭଳି ସ୍ୱର ସ୍ନେହ ଜୀବନରେ ପ୍ରଥମବାର ଶୁଣି ଆଶ୍ଚର୍ଯ୍ୟ ହେଲେ; କିନ୍ତୁ ସେ ଆଦେଶକୁ ଅବଜ୍ଞା କରିବାକୁ ତାଙ୍କର ଶକ୍ତି ନ ଥିଲା । ସେଇପରି ଆଦେଶ ପାଇବାକୁ ଯେ ତାଙ୍କର ଆତ୍ମା, ମନ, ଶରୀର, ବହୁଦିନୁ ଅପେକ୍ଷା କରିଥିଲା ।

 

“ଯାଉଛି ।”

 

ସ୍ନେହ ରମାକାନ୍ତକୁ ଆଡ଼େଇ ହୋଇ ଷଡ଼ଙ୍ଗୀଙ୍କ ଶୋଇବା ଘରକୁ ଚାଲିଗଲେ । ରମାକାନ୍ତ ପଢ଼ାଘରେ ପଡ଼ିଥିବା ଖଟଟି ଉପରେ ଆସି ବସିଲା । ଟେବୁଲ ଉପରେ ଥିବା ବହି ଗୁଡ଼ିକ କିଛି ସମୟ ଖେଳାଇ କହିଲା–“ସ୍ନେହ ତୋ କଥାକୁ ଖୁବ୍ ମାନେ ? ପିଲାଦିନୁ ମୁଁ ଦେଖି ଆସୁଛି” –ରମାକାନ୍ତ ବିଦ୍ରୁପ କରି କହିଲା ।

 

“ହଁ ।” ଦେବୀପାଦ ଗମ୍ଭୀର ସ୍ୱରରେ ଉତ୍ତର ଦେଲା ।

 

“ଶିବର ବୟସ ଯେତିକି ହେବ, ସ୍ନେହକୁ ସେତିକି ହେବନି କି ?”

 

“ବୋଧେ ।”

 

ଦେବୀପାଦର ଗାମ୍ଭୀର୍ଯ୍ୟ ଦେଖି ରମାକାନ୍ତ ଭିତରେ ଭିତରେ ଖୁବ୍ ରାଗିଗଲା । ଦେବୀପାଦକୁ ଚିଡ଼େଇବା ପାଇଁ ତାତ୍ସଲ୍ୟରେ କହିଲା–

 

“ଆଉ ତୋର ସାଧନା କେତେଦୂର ଗଲା ? ଚଣ୍ଡୀ, ଚାମୁଣ୍ଡା, କାହାକୁ ଜଣକୁ ହେଲେ ହାତ କର । କିଛି ନ ହେଲାବେଳକୁ କଚେରୀ ପାଖରେ ବସି କର୍ଣ୍ଣପିଶାଚୀ ବିଦ୍ୟା ତ ଅଭ୍ୟାସ କରି ପାରିବୁ । ଖାଲି ଅଳସୁଆ ହୋଇ ଘରେ ବସି ଅନ୍ନଧ୍ଵଂସ କଲେ କ’ଣ ହେବ ? ପରର ଗଳଗ୍ରହ ହୋଇ କେତେଦିନ ରହିବୁ ? ହୋଇପାରନ୍ତୁ ହେଲେ ସ୍ଵାମୀ ବିବେକାନନ୍ଦଟେ ।”

 

“କିଏ ଅନ୍ନଧ୍ୱଂସ କରୁଛି ?”

 

“ତୁ ।”

 

“ଆଉ ମୁଁ ଗଳଗ୍ରହ ?”

 

“ବାବାଜୀ ଫାବାଜୀଗୁଡ଼ାକ ପରାନ୍ନଭୋଜୀ, ସମାଜର ଗଳଗ୍ରହ ନୁହ ତ ଆଉ କ’ଣ ?”

 

“ଆଉ ଡାକ୍ତରଗୁଡ଼ାକ ସମାଜର ଏକାନ୍ତ ଉପକାରୀ ?”

 

“ନିଶ୍ଚୟ !”

 

“ମଣିଷର ଶାରୀରିକ ଦୁର୍ବଳତା ଉପରେ ସେମାନଙ୍କର ଜୀବିକା ନିର୍ଭର କରୁଛି । ଆଜି ମଣିଷ ସମସ୍ତେ ସ୍ଵାସ୍ଥ୍ୟବାନ୍ ହୋଇଗଲେ, ତୁମମାନଙ୍କର ଅସ୍ତିତ୍ଵ କେଉଁଠି ରହିବ ? ଅବଶ୍ୟ ମୁଁ ଜାଣେ ତୁମର ଔଷଧ ଏପରି ତିଆରି ଯେ ଥରେ ତାକୁ ଖାଇଲେ, ମୃତ୍ୟୁ ପର୍ଯ୍ୟନ୍ତ ଔଷଧଇ ଖାଇବାକୁ ହେଉଥିବ । ତୁମେ କବଳରେ କେହି ଥରେ ପଡ଼ିଲେ ସେ ଆଉ ମୁକୁଳି ଯାଇପାରିବନି-।”

 

“ତୁ କ’ଣ ଆଜିକାଲି ହୋମିଓପାଥି ପଢ଼ୁଛୁ କି ?”

 

“କାହିଁକି ?”

 

“କଥାଗୁଡ଼ାକ କୌଣସି ହୋମିଓପାଥି ଦର୍ଶନ ବହିରୁ ଉଦ୍ଧୃତ ହେଲା ପରି ଜଣାପଡ଼ୁଛି ।”

 

“ମୁଁ ତୁମ ପରି କେବେହେଲେ ଘୋଷବନ୍ତ ନ ଥିଲି । ଉଦ୍ଧୃତ କ’ଣ କରିବି ?”

 

“ନ ଘୋଷିବାର ଅପକାରିତା ତୁ ଅଙ୍ଗେ ନିଭେଇଛୁ । ତୁ ଜାଣୁ ତୁ କାହିଁକି ପଢ଼ା ଛାଡ଼ିଲୁ-? ତୋର ନ୍ୟୁନମନୋଭାବ ଯୋଗୁଁ । ଆଉ ଜାଣୁ ତୁ, ତୋ’ର କାହିଁକି ଏପରି ନ୍ୟୁନମନୋଭାବ ରହିଛି ? ଏହି ଘୋଷି ପାରିବା, ମନେ ରଖି ପାରିବା, ଶକ୍ତି ତୋର ନାହିଁ ବୋଲି-।”

 

ଦେବୀପାଦ ଚୁପ୍ ରହିଲା । କିଛି ସମୟରେ ପୁଣି ରମାକାନ୍ତର ପାଟି ଫିଟିଲା–

 

“ଯାଃ ! ଆମେ ସମସ୍ତେ ଭାବିଥିଲୁ ତୁ ଭାରି ବିଚକ୍ଷଣ ବୋଲି । ଭାବିଥିଲୁ, ତୁ ଆଇ.ଏ.ଏସ୍. କି ଓ.ଏ.ଏସ୍ କ’ଣ ହେଲେ ଗୋଟେ ହୋଇଯିବୁ । ଖାଲି ବୃଥା ଆଦର୍ଶବାଦରେ ମାତି ତୁ ନଷ୍ଟ ହୋଇଗଲୁ !”

 

ଶିବନାଥ ଦୁଇଭାଇଙ୍କ କଳହ ସେଯାଏଁ ମନୋଯୋଗ ଦେଇ ଶୁଣୁଥିଲା । ରମାକାନ୍ତକୁ ସେ ଭଲ ପାଉ ନ ଥିଲା । ଯେପରି ଯେ ରମାକାନ୍ତ ପ୍ରତି ତା’ର ହୃଦୟରେ ଘୃଣା ବା ବିଦ୍ୱେଷ ଥିଲା ତା’ ନୁହେଁ । ରମାଭାଇଙ୍କ କଥାରେ ଅନେକ ସମୟରେ ନିରାଟ ସତ୍ୟ ଥିବା ସେ ଉପଲବ୍‍ଧି କରୁଥିଲା । ଦେବୀପାଦର ଅଟଳ ଆଦର୍ଶବାଦ ତାକୁ ବେଳେ ବେଳେ ରୁଦ୍ଧଶ୍ୱାସ କରି ପକାଉଥିଲା । ତା’ ମତରେ ମଧ୍ୟ ଦେବୀ ପଢ଼ାପଢ଼ି ଛାଡ଼ି ଭଲ କରନି । ସଂସାର ଛାଡ଼ି ସନ୍ନ୍ୟାସୀ ହେବା ଅନୁଚିତ, ନ ହେଲେ ମଧ୍ୟ ଦେବୀପାଦ ପାଇଁ ତାହା ଉପଯୁକ୍ତ ନୁହେଁ । ଦେବୀପାଦର ହୃଦୟ ଓ ପ୍ରକୃତିକୁ ସେ ଚିହ୍ନିଥିଲା । ଦେବୀପାଦ କଷ୍ଟ ସହି ପାରେନି । ସନ୍ନ୍ୟାସୀର କଷ୍ଟ, ଯାତନା, ସେ କ’ଣ ଜାଣିବ ? ଘରର ସୁଖସ୍ଵାଚ୍ଛନ୍ଦ୍ୟ ଉପରେ ତା’ର ସନ୍ନ୍ୟାସୀ ହେବାର କଳ୍ପନା–ସୌଧ ପ୍ରତିଷ୍ଠିତ ହୋଇଥିଲା । ତା’ ବୋଲି ରମାଭାଇନାଙ୍କ ଦର୍ଶନ ଯେ ଠିକ୍ ତା’ ମଧ୍ୟ ନୁହେଁ । ଦୁହେଁ ଅନ୍ଧକାରରେ ପଡ଼ିଥିଲେ । ଦେବୀପାଦ କେବଳ ଅନ୍ଧକାରରେ; କିନ୍ତୁ ଗ୍ରାଣ୍ଡ୍‍ଟ୍ରଙ୍କ୍ ରୋଡରେ ଚାଲୁଥିଲାବେଳେ, ରମାଭାଇନା ଆଲୁଅରେ; କିନ୍ତୁ ଗଳିକନ୍ଦିର ଗୋଲକଧନ୍ଦାରେ ଚାଲୁଥିଲେ । ତାଙ୍କର ରାସ୍ତା ଅତଳସ୍ପର୍ଶୀ ଗହ୍ୱରଠି ଶେଷ ହୋଇଥିଲା । ସଂସାରରେ ରହି ଧର୍ମସଙ୍ଗତ କାମ କରି ସୁଖ ପାଇବାକୁ ଶିବନାଥ ଅନୁଚିତ ମନେ କରୁନଥିଲା । ରମାକାନ୍ତର ଯୁକ୍ତିରେ ତା’ର ମନ ମାନୁ ନ ଥିବାବେଳେ ହଠାତ୍ ‘କ’ଣ ଶିବ’ ଡାକରେ ସେ ଚମକି ପଡ଼ିଲା । ରମାକାନ୍ତ ତାକୁ ଉଦ୍ଦେଶ୍ୟ କରି କହୁଥିଲା–

 

“କ’ଣ ହବୁ ତୁ କେଜାଣି ? ତୁ ବି ଯଦି ବାଳୁଙ୍ଗା ହେବୁ, ବାପାଙ୍କ ଦୁଃଖ ଗଲା । କ’ଣ ଏବର୍ଷ ପାସ୍ କରୁଛୁ ନା ଫେଲ୍ ହେଉଛୁ ?”

 

ଶିବନାଥ କିଛି ନ କହି ମୌନ ରହିବା ଉଚିତ ମନେ କଲା ।

 

“ତୁ କିପରି ପଢ଼ୁଛୁ, ଆଜି ରାତିରେ ମୁଁ ଦେଖିବି । ବହି, ଖାତା ନେଇ ପ୍ରସ୍ତୁତ ହୋଇଥିବୁ-।”

 

X X X

 

ରାତିରେ ରମାକାନ୍ତ ଶିବନାଥକୁ ତା’ର ପଢ଼ାବହିରୁ ପ୍ରଶ୍ନ ପଚାରି ପଚାରି, ତାକୁ ବିଚଳିତ କରୁଥିବାବେଳେ, ଷଡ଼ଙ୍ଗୀ ଶୋଇଥିବାଘରୁ ସ୍ନେହ ବାହାରି ବସୁନ୍ଧରାଙ୍କ ପାଖରେ ପହଞ୍ଚିଲେ–

 

“ମାଉସୀ, ମଉସା ତୁମକୁ ଡାକୁଛନ୍ତି ।”

 

ବସୁନ୍ଧରା ତରକାରୀ ପାଇଁ ପରିବା କାଟୁଥିଲେ । ଷଡ଼ଙ୍ଗୀ ଡାକୁଛନ୍ତି ଶୁଣି ପାରିବା ଧୋଉଥିବା ପାଣିରେ ହାତ ଧୋଇଦେଇ ତରତର ହୋଇ ସେ ଷଡ଼ଙ୍ଗୀ ଶୋଇଥିବା ବଖରାକୁ ଗଲେ । ସ୍ନେହ ପରିବା କାଟି ବସିଲେ । ଷଡ଼ଙ୍ଗୀ ବସୁନ୍ଧରାଙ୍କୁ ଦେଖି ଆଖିଠାରରେ ଓ ଆଙ୍ଗୁଳି ସଙ୍କେତଦ୍ଵାରା ତାଙ୍କୁ ଦୁଆର ବନ୍ଦ କରିଦେବାକୁ କହିଲେ । ବସୁନ୍ଧରା ଦୁଆର ବନ୍ଦକରି ସ୍ତବ୍‍ଧ ହୃଦୟରେ ଷଡ଼ଙ୍ଗୀଙ୍କ ପାଦତଳେ ବସି ପଚାରିଲେ–‘‘କ’ଣ ହେଲା, ଦେହ ବେଶି ଖରାପ ଲାଗୁଛି-?”

 

ଷଡ଼ଙ୍ଗୀ ପ୍ରଶ୍ନ ଶୁଣିଲେ କି ନାହିଁ ଜଣା ପଡ଼ିଲାନି, କିଛି ସମୟ ସ୍ତ୍ରୀଙ୍କ ଆଡ଼କୁ କଟ୍‍ମଟ୍ ଚାହିଁ କହିଲେ–” ଦେବୀ କ’ଣ କରୁଛି ?”

 

“ତୁମେ ସବୁବେଳେ ‘ଦେବୀ, ଦେବୀ’ କାହିଁକି ହେଉଛ ? କ’ଣ ଯେ ତୁମର ଗୁରୁ ସେଦିନ କହିଗଲେ, ତୁମେ ସେହି କଥାକୁ ଧରି ବସିଚ, ଯେମିତି ଜ୍ୟୋତିଷ ଭୁଲ ହୁଏନି । ଟିକିଏ ଆଖି ପଡ଼ିଗଲେ ଖାଲି ବିଳିବିଳେଇ ଉଠୁଛ–ଦେବୀ ! ଦେବୀ !”

 

“ମୁଁ ଆଉ ବଞ୍ଚିବିନି ବସୁନ୍ଧରା, ଏଇଥରକ ମରିଯିବି ।”

 

ବସୁନ୍ଧରା ସ୍ଵାମୀଙ୍କ ପାଟିରେ ହାତ ଦେଇ ତାଙ୍କର କଥା ଅକୁହା ରଖିଦେଲେ ।

 

“ତୁମକୁ ମୋ ରାଣ, ସେ ଅଶୁଭ କଥା ଆଉ ଯେପରି ପାଟିରୁ ନ ବାହାରେ ।”

 

ମୁଁ ନିଜେ କ’ଣ ଚାହୁଁଛି ମୁଁ ମରେ ବୋଲି; କିନ୍ତୁ ମୁଁ ଜାଣିସାରିଲିଣି...ମୁଁ ଜାଣିସାରିଲିଣି ।’’ ଶେଷୋକ୍ତ ପଦ ଷଡ଼ଙ୍ଗୀ ଖୁବ୍ ଧୀରେ ଧୀରେ କହି ବନ୍ଦ ଦୁଆର ଆଡ଼କୁ କଟ୍‍ମଟ୍ କଷ୍ଟ କରି ଚାହିଁଲେ । ଲଣ୍ଠନଟା ବସୁନ୍ଧରାଙ୍କ ପଛପଟ ଟୁଲ୍ ଉପରେ ଥୁଆ ହୋଇଥିବାରୁ ତାଙ୍କର ବସିବା ଛାଇଟା ଦୁଆର ପାଖକୁ ଥିବା ବଡ଼ ଦର୍ପଣ ଉପରେ ପଡ଼ୁଥିଲା । ସ୍ଵାମୀଙ୍କର ଭୟବିସ୍ଫାରିତ ଦୃଷ୍ଟିକୁ ଅନୁସରଣ କରି ବସୁନ୍ଧରାଙ୍କ ଦୃଷ୍ଟି ଯେତେବେଳେ ଦର୍ପଣରେ ପ୍ରତିଫଳିତ ହେଉଥିବା ନିଜର ଛାଇ ଉପରେ ପଡ଼ିଲା, ସେତେବେଳେ କ୍ଷଣକପାଇଁ ତାଙ୍କର ସମସ୍ତ ରକ୍ତ ଜମାଟ ବାନ୍ଧିଗଲା । ତାଙ୍କୁ ମଧ୍ୟ ଯେପରି ଜଣାପଡ଼ିଲା ଦର୍ପଣ ଭିତରେ ବସିଥିବା ସ୍ତ୍ରୀ ମୂର୍ତ୍ତିଟିର ଯେପରି ଏକ ସ୍ଵତନ୍ତ୍ର ଅସ୍ତିତ୍ଵ ଅଛି । ଘର ଭିତରେ ଦୁଇଜଣ ନୁହେଁ, ତିନିଜଣ ଅଛନ୍ତି । ତୃତୀୟ ଜଣକ ସେମାନଙ୍କ କଥାବାର୍ତ୍ତାକୁ ଯେପରି ଅନେକବେଳୁ ଶୁଣୁଛି । କ୍ଷଣକ ଭିତରେ ନିଜକୁ ସମ୍ଭାଳି ନେଇ ସେ ସ୍ଵାମୀଙ୍କ ହାତକୁ ଜାବୋଡ଼ି ଧରି କହିଲେ–“ତୁମେ ଯେପରି ହେଉଛ ନା ଭର ଲୋକ ମଧ୍ୟ ଡରିଯିବ !!

 

ଷଡ଼ଙ୍ଗୀ ସେହିପରି ଦର୍ପଣକୁ ନିର୍ନିମେଷରେ ଚାହିଁଥାନ୍ତି ।”

 

“କଣ ଦେଖୁଛ, ମୋ ଛାଇଟା ତ ପଡ଼ିଛି ?”

 

“ଦେଖ, ଦେଖ, ଦେବୀ କ’ଣ କରୁଛି ! ଆମ ଦେବୀ କ’ଣ କରୁଛି !!”

 

ଷଡ଼ଙ୍ଗୀଙ୍କ କଥା ଶେଷ ହେଉ ହେଉ ଚାଳଉପରୁ ପେଚାଟାଏ ବୋବାଇଲା–ମିଆଁ–ଉଁ–ସତେ ଯେପରି ବିରାଡ଼ିଟିଏର ତୋଟିକୁ ଧୀରେ ଧୀରେ କିଏ ମୋଡ଼ି ଦେଉଛି !

 

“ବସୁନ୍ଧରା ! ଦେବୀ ପାଗଳ ହୋଇଯାଇଛି, ମାରି ଦେଉଛି, ଜଣକୁ କାହାକୁ ମାରି ଦେଉଛି । ମଣିଷ ମାରିଦେଉଛି ହେ । ଧର ତାକୁ, ମନା କର ତାକୁ ନହେଲେ ଫାଶୀ ଖୁଣ୍ଟକୁ ଯିବ-!”

 

ବସୁନ୍ଧରା ଡରରେ ଖଟ ଉପରୁ ଉଠି ପଡ଼ିଲେ । ଷଡ଼ଙ୍ଗୀ ଉତ୍ତ୍ୟକ୍ତ ହୋଇ ଖଟ ଉପରୁ ଉଠିବାକୁ ଚେଷ୍ଟା କରୁଥିଲେ । ବସୁନ୍ଧରା ତାଙ୍କୁ ଜବରଦସ୍ତ ଶୁଆଇ ଦେଲେ ।

 

କିଛି ସମୟରେ ମଧୁସୂଦନଙ୍କର ଜୋରରେ ନିଃଶ୍ଵାସ ପ୍ରଶ୍ଵାସ ଯିବାକୁ ଲାଗିଲା । ଯେପରି ଷାଠିଏ ବର୍ଷର ରାସ୍ତା ଦଉଡ଼ି ସେ ହାଲିଆ ହୋଇ ପଡ଼ିଛନ୍ତି, ଆଉ ଦମ୍ ନାହିଁ, ଛାତି ଫାଟି ଯାଉଛି । ସ୍ଵାମୀଙ୍କର ଊର୍ଦ୍ଧ୍ଵଶ୍ୱାସ ଯିବା ଦେଖି ବସୁନ୍ଧରା ପିଲାମାନଙ୍କୁ ଡାକିବା ପାଇଁ ଶେଯରୁ ଉଠି ପଡ଼ିବାବେଳେ କାହାର ହାତ ଦୃଢ଼ଭାବେ ତାଙ୍କର ହାତକୁ ଧରି ଅଟକାଇ ଦେଲା । ସେ ଛାନିଆ ହୋଇଗଲେ । ସେ ଦୃଢ଼ ବନ୍ଧନରେ ତାଙ୍କର ଗୋଟିଏ ହାତର ପାଣି କାଚ ଗୁଡ଼ାକ ପଟ୍ ପଟ୍ ଭାଙ୍ଗି ଯାଇଥିଲା ।

 

“ଶୁଣ, ଶୁଣ, ବସୁନ୍ଧରା ! ସାଧୁ କହିଥିଲେ ଦେବୀ ନରହନ୍ତା ହେବ । ନରହାନ୍ତା ! ଦେବୀକୁ କହିବନି, ସେ ମନକଷ୍ଟ କରିବ । ପାଗଳଟା, ହୃଦୟ କିନ୍ତୁ ଭାରି ସ୍ଵଚ୍ଛ ତା’ର । ତଥାପି ସେ ହେବ ନରହନ୍ତା !”

 

ବହୁ କଷ୍ଟରେ ଷଡ଼ଙ୍ଗୀ ଏଇ କଥାପଦ କେତେକ ବସୁନ୍ଧରା ବୁଝିବା ଭଳି କହିଲେ । କହିସାରି ସେ ଆହୁରି କ୍ଳାନ୍ତ ହୋଇଗଲେ । ତାଙ୍କର ଉର୍ଦ୍ଧ୍ଵଶ୍ୱାସ ବଢ଼ିଗଲା ।

 

“ମୁଁ ଆସୁଛି ।”

 

ବସୁନ୍ଧରା ଦୁଆର ମେଲାଇ ବାରଣ୍ଡାରେ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲେ । ତା’ପରେ ପିଲାମାନେ ଥିବା ବଖରା ଆଡ଼କୁ ଦଉଡ଼ିଲା ପରେ ଯାଇ କହିଲେ–

 

“ରମା, ଶିବ, ଦେବୀ ! ବାପାଙ୍କର କ’ଣ ହୋଇଯାଉଛି ! ଦଉଡ଼ି ଆସ !”

 

ସେତେବେଳେ ରମାକାନ୍ତ ଶିବନାଥକୁ ପ୍ରଶ୍ନ ପଚାରୁଥିଲା । ଦେବୀପାଦ ଶୋଇ ଶୋଇ କ’ଣ ପଢ଼ୁଥାଏ । ବସୁନ୍ଧରାଙ୍କ କଥା ଶୁଣି ତିନିହେଁ ଉଠି ଠିଆହୋଇ ପଡ଼ିଲେ ।

 

“କ’ଣ, ବାପାଙ୍କର କ’ଣ ହେଲା ?” ଦେବୀପାଦ ଓ ଶିବନାଥଙ୍କ ପାଟିରୁ ଏକାବେଳକେ ବାହାରିଲା ।

 

“କ’ଣ, ଊର୍ଦ୍ଧ୍ଵଶ୍ୱାସ ଆରମ୍ଭ ହୋଇଗଲା କି ?” ରମାକାନ୍ତ ପଚାରିଲା । ବସୁନ୍ଧରା ମୁଣ୍ଡ ଲାଡ଼ିଲେ ।

 

“ଚାଲ, ଚାଲ, ସମସ୍ତେ । ଶିବନାଥ, ତୁ ଗଲୁ ବାଞ୍ଛା ତିଆଡ଼ିକୁ ଡାକି ଆଣିବୁ । ଦାନ ନେବେ ।”

 

ଷଡ଼ଙ୍ଗୀଙ୍କ ବଖରା ପାଖ ହେବାମାତ୍ରକେ ବସୁନ୍ଧରା ଚିତ୍କାର କରି ଉଠିଲେ ।

 

“କ’ଣ ହେଲା ବୋଉ ?”

 

“ଦୁଆର କିଏ ମେଲା କଲା, ଗଲାବେଳେ ମୁଁ ତ ବନ୍ଦକରି ଯାଇଥିଲି ?”

 

ଷଡ଼ଙ୍ଗୀଙ୍କର ବଖରା ଖୋଲା ଥିଲା । ସେ ଧୀରେ ଧୀରେ ନିଃଶ୍ଵାସ ନେଉଥିଲେ । ଶରୀରରେ ବେଶି ଯନ୍ତ୍ରଣା ଥିବାପରି ମନେ ହେଉ ନ ଥିଲା ।

 

“ବାପା ଶୋଇ ପଡ଼ୁଛନ୍ତି, କିଛି ଗୋଳମାଳ କର ନାହିଁ, ବିପଦ କଟିଗଲା ।”

 

ଦେବୀପାଦ ଚଦରଟା ଷଡ଼ଙ୍ଗୀଙ୍କ ଉପରେ ଭଲକରି ଘୋଡ଼ାଇ ଦେଉ ଦେଉ କହିଲା ।

 

ସମସ୍ତେ ବଖରାରୁ ବାହାରି ଆସିଲା ପରେ ବସୁନ୍ଧରା ଦୁଆର ଆଉଜେଇ ଆଣିଲେ ।

 

“ବୋଉ, ସ୍ନେହ କେତେବେଳୁ ଗଲେଣି ?” ଦେବୀପାଦ ପଚାରିଲା ।

 

“ପରିବା ତ କାଟୁଥିଲା, କାଟିସାରି ଚାଲିଗଲା ବୋଧେ ।”

 

ତିନିହେଁ ବାରଣ୍ଡାରେ ଫେରୁଛନ୍ତି, ଅଧାବାଟ ହୋଇଥିବେ, ଷଡ଼ଙ୍ଗୀଙ୍କ ଘରେ ଦୁର୍‍କିନା ପଡ଼ିବା ଶବ୍ଦ ଶୁଣି ବସୁନ୍ଧରା ପାଗଳୀଙ୍କ ଭଳିଆ “ସବୁ ସରିଗଲା ମୋର” କହି ଦଉଡ଼ିଗଲେ । ରମାକାନ୍ତ ଓ ଦେବୀପାଦ ତାଙ୍କର ପଛେ ପଛେ ଦଉଡ଼ିଲେ । ବସୁନ୍ଧରାଙ୍କ ଛଡ଼ା ଷଡ଼ଙ୍ଗୀଙ୍କ ବଖରୀରେ ଦୁର୍କିନା ପଡ଼ିବା ଶବ୍ଦକୁ ସେ ଦୁହେଁ ଶୁଣିପାରି ନ ଥିଲେ ।

 

ଷଡ଼ଙ୍ଗୀ ଖଟ ଉପକୁ ପଡ଼ିଯାଇଥିଲେ, ଖଟଖୁରାରେ ତାଙ୍କର ମୁଣ୍ଡ ବାଜି ଫାଟିଯାଇଥିଲା । ବସୁନ୍ଧରା ତଳେ ବସିପଡ଼ି ଷଡ଼ଙ୍ଗୀଙ୍କ ମୁଣ୍ଡକୁ କୋଳକୁ ଟେକିନେଲେ । ଷଡ଼ଙ୍ଗୀ କାହାକୁ ଖୋଜିବା ପରି ତାଙ୍କର ମନେ ହେଲା । ବସୁନ୍ଧରା ତାଙ୍କ କାନ ପାଖରେ ତୁଣ୍ଡକୁ ଲଗାଇ ପଚାରିଲେ ।

 

“ଦେବୀ ?”

 

ସେ ପଦକ ଶୁଣିବାମାତ୍ରେ ଷଡ଼ଙ୍ଗୀଙ୍କ ମୁଖମଣ୍ଡଳ ଯେପରି ଗଭୀର ଯନ୍ତ୍ରଣାରେ ହାହାକାର କରିଉଠିଲା ।

 

“କ’ଣ, କ’ଣ, କହୁଛ ?”

 

“ସା...ର...ଇ”

 

ବସୁନ୍ଧରା ହଲାଇ ଦେଖନ୍ତି ଷଡ଼ଙ୍ଗୀଙ୍କ ଶରୀରରେ ଆଉ ପ୍ରାଣ ନାହିଁ । ସେ ଅନ୍ୟ ହାତର କାଚଗୁଡ଼ାକୁ ନେଇ ନିଜ କପାଳରେ ପିଟିଦେଲେ ।

 

“ତୁମ ବାପା ମରିଗଲେ ?”

“ହଁ ।”

“ସେଥିପାଇଁ ଏତେଦିନ ହେଲା ଦେଖା ନ ଥିଲା ?”

ଶିବନାଥ ଚୁପ୍ ରହିଲା ।

“ତୁମ ବାପା ମଲେ ସେଥିପାଇଁ ମୁଁ ଦୁଃଖିତ; କିନ୍ତୁ ତୁମେ ଏତେଦିନ ଧରି ମୋ ପାଖକୁ ଆସିଲନି, ସେଥିପାଇଁ ମୁଁ ଆହୁରି ଦୁଃଖିତ । ମୋତେ ତୁମେ, ‘ବାପା ମରିଗଲେ, କେତେଦିନ ଯାଏଁ ମୁଁ ଆସିପାରିବନି’ କହିଦେଇ ଯାଇଥିଲେ ମୋର ଅସୁବିଧା ହୋଇ ନ ଥାନ୍ତା । ଏପରି ହଠାତ୍ ନ ଆସିବାଦ୍ୱାରା ମୋର ପଢ଼ାପଢ଼ି ନଷ୍ଟ ହେଲା ।”

“ମୁଁ ଆସିବାକୁ ଚେଷ୍ଟା କରିଥିଲି; କିନ୍ତୁ ତେରଦିନଯାଏଁ କୁଳୁଆଁ, ମୈତ୍ର, ଶ୍ରାଦ୍ଧ, ଇତ୍ୟାଦି । ସେଥିପାଇଁ ଆସିପାରିଲିନି ।”

“ଆଚ୍ଛା, ଛାଡ଼ନ୍ତୁ ସେ କଥା । ଆଜି କ’ଣ ପଢ଼ିବା ?”

“ଯାହା କହିବ ।”

“ଯାହା କହିବି ?” –ସୁକେଶୀଙ୍କ ସ୍ଵରରେ ଦୁଷ୍ଟାମି ।

ଶିବନାଥ ସୁକେଶୀଙ୍କୁ ଚାହିଁଲା ।

“ଆଜି ବଗିଚାଆଡ଼େ ଯିବା ?”

ପ୍ରଶ୍ନ ଶୁଣି, ଅଲକ୍ଷରେ ଶିବନାଥ କିଞ୍ଚିତ ଥରିଗଲା । ମଧୁସୂଦନଙ୍କ ପ୍ରେତାତ୍ମାର ଛାୟାଟା ତା’ର ଓ ସୁକେଶୀଙ୍କ ମଝିରେ ପଡ଼ିଯାଇଥିଲା ଯେପରି ।

“ଥାଉ, ଏଇଠି ପଢ଼ିବା, ଆପଣଙ୍କ ମନ ଭଲ ନାହିଁ ।”

ଇଂରେଜୀ କବିତା ବହିଟା ସୁକେଶୀ ଶିବନାଥ ଆଡ଼କୁ ଠେଲିଦେଇ କହିଲେ–“ବୁଝାଇ ଦିଅନ୍ତୁ ।”

“କୋଉ କବିତାଟା ?”

“ଶେଷଆଡ଼ରୁ ଆରମ୍ଭ କରନ୍ତୁ । ରବୀନ୍ଦ୍ରନାଥଙ୍କର ‘କାଗଜ ଡଙ୍ଗା’ କବିତା ।”

ଶିବନାଥ କବିତାଟିକୁ ମନେ ମନେ କିଛି ସମୟ ପଢ଼ି ସୁକେଶୀଙ୍କ ଆଡ଼କୁ ଚାହିଁ ବୁଝାଇବାକୁ ଯାଉଥିବାବେଳେ ସୁକେଶୀ ତା’ ଆଡ଼କୁ ଏକଲକ୍ଷ୍ୟରେ ଚାହିଁଥିବା ଦେଖି, ପଚାରିଲା–“ମୋ ମୁହଁକୁ କ’ଣ ଚାହିଁ ରହିଛ ? କ’ଣ ଦେଖୁଛ ?”

“ତୁମ ବଡ଼ଭାଇଙ୍କୁ ମୁଁ ଆଗରୁ କେବେ ଦେଖି ନ ଥିଲି ।”

“ତାଙ୍କୁ ତୁମେ କେବେ ଦେଖିଲ ?”

“ସେ ଆମ ଘରକୁ ଆସିଥିଲେ ।”

“କେବେ ? କାହିଁକି ?”

“ବାପା ଡକାଇ ପଠାଇଥିଲେ । ମୁଁ ଏବର୍ଷ ପରେ କଟକ ଯିବିନା, ସେଇଠି ରହି ପଢ଼ିବି, କେହି ଚିହ୍ନାପରିଚୟ ନାହାନ୍ତି ତ, ହଷ୍ଟେଲରେ ରହିବ, ସେ ମୋ ମୁରବୀ ହେବେ । ସେ ରାଜି ହୋଇଛନ୍ତି ।”

କିଛି ସମୟ କଟିଗଲା ।

ସୁକେଶୀ କଥା କହୁଥିବାବେଳେ ଶିବନାଥ ମୁହଁ ତଳକୁ ପୋତି କ’ଣ ଭାବିବାକୁ ଲାଗିଥାଏ । ସୁକେଶୀ କଥା ଶେଷକରି ଶିବନାଥକୁ ଭୟଙ୍କର ଅନ୍ୟମନସ୍କ ଦେଖି ପଚାରିଲେ–“କ’ଣ ହେଲା ? ଆପଣ ଚୁପ୍ ରହିଗଲେ ଯେ ।”

ଶିବନାଥ ନିଦରୁ ଉଠିବା ପରି କହିଲା–“ଏଁ ? ହଁ, ହଁ, ଭଲ ହେବ ।”

“ଭାଇଙ୍କ ଚେହେରା ଆପଣଙ୍କ ଚେହେରାଠୁ ଭିନ୍ନ ।”

“ସେ ବୋଧେ ଆମ ଭିତରେ ସମସ୍ତଙ୍କଠୁ ସୁନ୍ଦର, ତାଙ୍କ ପରେ ଦେବୀ, ମୋ କଥା ଛାଡ଼ନ୍ତୁ ।”

“ହୁଁ ।”

“କିନ୍ତୁ ସେ ଅଳ୍ପ ଛୋଟା, “ଶିବନାଥ ଉତ୍ସାହ ସହିତ କହିଲା ।

“ଛୋଟା !” ସୁକେଶୀ ସମ୍ପୂର୍ଣ୍ଣ ବିସ୍ମିତ ହୋଇପଡ଼ିଲେ ।

“ହଁ, ହିଁ ତେବେ ଜଣାପଡ଼େନି, ପିଲାଦିନେ ଗଛ ଡାଳରୁ ବାଲିକୁ ଜିଦିବାଦିରେ ଡେଇଁପଡ଼ିଥିଲେ, ଗୋଡ଼ ଭାଙ୍ଗିଯାଇଥିଲା । ବିଶାଖାପାଟଣା ଯାଇ ଭଲ ହୋଇଆସିଲେ । ପିଲାଦିନେ ଭାରି ଧେଡ଼ଙ୍ଗା ବି ଥିଲେ, ସେତେବେଳେ ଭାରି ଅସୁନ୍ଦର ଦିଶୁଥିଲେ ।”

“କୁଆଡ଼ୁ କଥା ଆରମ୍ଭ ହୋଇ କୁଆଡ଼େ ଯିବାକୁ ବସିଲାଣି । ଇଂରାଜୀ କବିତା ଆରମ୍ଭ କରନ୍ତୁ ।”

ଶିବନାଥ ଅସ୍ୱସ୍ତି ଅନୁଭବ କଲା, ସୁକେଶୀ ହଠାତ୍ ରମାଠୁ ଇଂରେଜୀ କବିତାକୁ ଡେଇଁବାରୁ ତାକୁ ଖରାପ ଲାଗିଲା । ସବୁ କଥାତକ କହିବାକୁ ଇଚ୍ଛା ଥିବ, ଅଥଚ ଅଧାରେ କେହି ବନ୍ଦ କରିଦେଲେ ଯେପରି ଲାଗେ ।

“ଭାଇ କଟକ ଚାଲିଗଲେଣି ?”

“ହଁ କାଲି ଗଲେ ।” ଶିବନାଥ ଯଥେଷ୍ଟ ବିତୃଷ୍ଣା ସହିତ ଉତ୍ତର ଦେଲା ।

 

ମୃତ୍ୟୁ ସେ ଆଗରୁ କେବେ ଦେଖି ନ ଥିଲା । ମଣିଷ ମୃତ୍ୟୁ, ପୁଣି ପିତାପରି ଆତ୍ମୀୟର ମୃତ୍ୟୁ । ଦେବୀପାଦ କଳ୍ପନା କରୁଥିଲା–ପିତା ତାଙ୍କର ବଞ୍ଚିବା ପାଇଁ ମୃତ୍ୟୁ ସହ ଯେପରି ସଙ୍ଘର୍ଷ କରୁଛନ୍ତି । ଘରସଂସାର, ଧନ ସମ୍ପତ୍ତି, ପ୍ରିୟ ଅପ୍ରିୟ, ସବୁର ମାୟା ମଧ୍ୟରୁ, ସେ ଚାଲିଯିବାକୁ ଯେପରି ନାରାଜ; କିନ୍ତୁ ତାଙ୍କୁ ଯିବାକୁ ଯେପରି କେହି ଜଣେ ବାଧ୍ୟ କରୁଛି । ସେ ଶତ୍ରୁର ବଳବତ୍ତର ଶକ୍ତି ବିଷୟରେ ସଚେତନ, ତଥାପି ଉଦ୍ୟମ ଛାଡ଼ି ପାରୁନାହାନ୍ତି । ବଞ୍ଚିବା ପାଇଁ କେଡ଼େ ବଡ଼ ଇଚ୍ଛା, ଅଥଚ ବଞ୍ଚିପାରିବା ପାଇଁ କେତେ କମ୍ ସାର୍ମଥ୍ୟ ! ମଣିଷ ସଂଘର୍ଷ କରୁ କରୁ ହଠାତ୍ ତା’ର ମନେ ହେଉଛି, ସେ ଜିତିଯିବ । ପୁରୁଷାର୍ଥ ଜିନ୍ଦାବାଦ୍ ! କେଡ଼େ ବଡ଼ କର୍ମୀ ସେ ! କି ଅସୀମ ଧୈର୍ଯ୍ୟ ତାଙ୍କର ! ! ଫୁଲମାଳ, ତାଳିଧ୍ଵନି ଭିତରେ ବିଜୟ ପଦକ୍ଷେପ ପକାଉ ପକାଉ ବିଜେତା ଆକସ୍ମିକ କିନ୍ତୁ ସଠିକଭାବେ ଜାଣିପାରୁଛି–ସେ କିଣିନି, ସେ ହାରିଗଲା । ମୃତ୍ୟୁ ତାକୁ ନିର୍ବୋଧ ଭାବି କିଛିସମୟ ଖେଳିଗଲା ଯାହା । ବର୍ତ୍ତମାନ ସେ ମରିଯିବ । ଆକସ୍ମିକ ମୋହଭଙ୍ଗରେ ତା’ର ମନ ଓ ଶରୀର ବିପର୍ଯ୍ୟସ୍ତ ହୋଇଯାଇଚନ୍ତି । ଏକ ଦୀର୍ଘ ନିଃଶ୍ଵାସ, ଆଉ ଗୋଟିଏ ଆଉ ଗୋଟିଏ, ତା’ପରେ...ଆତ୍ମସମର୍ପଣ । କୌଣସି ସର୍ତ୍ତ ନ ରଖି ସମ୍ପୂର୍ଣ୍ଣ ଆତ୍ମସମର୍ପଣ ।

 

ଷଡ଼ଙ୍ଗୀଙ୍କ ବଗିଚା ଶେଷହେବା ପରେ, ବଗିଚାଠୁ ସୋଲରୀ ପର୍ବତ ଯାଏଁ ବିସ୍ତୁତ ତାଙ୍କର ଜମି । ଦେବୀପାଦ ବଗିଚା ଗେଟ୍ ପାଖରେ ଠିଆହୋଇ ସୋଲରୀ ଆଡ଼କୁ ଚାହୁଁଥିଲା । ମନରେ ବିକ୍ଷିପ୍ତ ଭାବନା । ପତ୍ର ଖଡ୍ ଖଡ୍ ହେବାରୁ ସେ କେତେକୀବାଡ଼ ଆଡ଼କୁ ଚାହିଁଲା, କୋଡ଼ିଏ ଏକୋଇଶୀ ବର୍ଷର ଯୁବତୀଟିଏ କାଠ ସଂଗ୍ରହ କରୁଥିଲା । ହରିଜନସାହୀର ବୋଧେ । କାଠ ଗୋଟାଉ ଗୋଟାଉ ଆଉ ଯାହା ପାଉଥିଲା ତା’ ମଧ୍ୟ ସେ ବୋଝରେ ପୁରାଇ ଦେଉଥିଲା । ଦେବୀପାଦ ଯୁବତୀଟିର ସାହସ ଦେଖି ଆଶ୍ଚର୍ଯ୍ୟ ହେଲା । ଯୁବତୀଟି ତାକୁ ଦେଖୁଛି, ଅଥଚ ଲୁଚି ଚାଲିଯିବା ପରିବର୍ତ୍ତେ, ବେଶ୍ ସଶବ୍ଦରେ ତା’ର ଚାରିପାଖେ ତାଙ୍କର ସମ୍ପତ୍ତି ଲୁଟ୍ କରୁଛି ! ଗାଁରେ ସମସ୍ତେ ଜାଣନ୍ତି, ଦେବୀପାଦ ଧୀର, ମିତଭାଷୀ ଓ ସାଂସାରିକ କଥାରେ ବେଶି ଭାଗ ନିଏନି । ଧର୍ମଚର୍ଚ୍ଚା କରେ । ଗାଁ ମଣ୍ଡପଠି ବସି ବେଳେବେଳେ ଗୀତା ପଢ଼େ ଓ ଲୋକଙ୍କୁ ମଧ୍ୟ ଇଚ୍ଛା ହେଲେ ଗୀତାର ତତ୍ତ୍ଵ ବୁଝାଇଦିଏ । ତା’ ବୋଲି ତା’ ସାଧୁତାର ସୁଯୋଗ ନେଇ ଯୁବତୀଟି ଦିନ ଦି’ପହରେ ଚୋରୀ କରିବ ! ଦେବୀପାଦର ହଠାତ୍ ଇଚ୍ଛା ହେଲା ଯୁବତୀର କାର୍ଯ୍ୟରେ ପ୍ରତିବାଦ କରିବାକୁ । ପୁଣି ପର ମୁହୂର୍ତ୍ତରେ ଭାବିଲା–କିଏ ଏଇଲେ ପ୍ରତିବାଦ କରୁଛି, ନେଉ । କ’ଣ ବା ନେଇଯାଉଛି ! ଗରିବ ହୋଇଥିବ, ନେଇ ନେଇ କେତେ ନବ ? ଦେବୀପାଦ ସୋଲରୀ ଆଡ଼କୁ ମୁହଁ ଫେରାଇଲା-। ପୁଣି ସେଇ ଭାବନା ।

 

ମଣିଷ ସବୁ ଛାଡ଼ିଛୁଡ଼ି ଦେଇ ମରିଯିବ, ତଥାପି ସଂସାରରେ ସମ୍ପତ୍ତି ଅର୍ଜିବାକୁ କେଡ଼େ ଇଚ୍ଛା । ତା’ପାଇଁ ମଣିଷ ଚୋରୀ ମଧ୍ୟ କରିବାକୁ ପ୍ରସ୍ତୁତ । ରମାକାନ୍ତ ଏତେ ପାଠ ପଢ଼ିଛି, ତାକୁ ଏତେ ଉପଦେଶ ଦିଏ; କିନ୍ତୁ କି ସଂକୀର୍ଣ୍ଣ ତା’ର ହୃଦୟ । ମହାଜନୀ କାଗଜ ନେଇ ବୋଉଙ୍କ ସଙ୍ଗେ ବାପା ମରିବାର ତେରଦିନ ପରେ ପରେ କଳି କଲେ । ବୋଉଙ୍କ ବାକ୍‍ସ ଦେଖିବାକୁ ଜବରଦସ୍ତ କଲେ । ସେ ବାକ୍‍ସ ଛୁଁ ଛୁଁ ବୋଉଙ୍କର ମଧ୍ୟ କି ରାଗ ! ଏକା ଜିଦ୍–ତୁ ତୋ ଡାକ୍ତରୀ ବ୍ୟବସାୟରେ ମନ ଦେ । ମୁଁ ଗାଁରେ ରହିଛି, ଦେବୀପାଦର ସାହାଯ୍ୟରେ ସବୁ ବୁଝାବୁଝି କରିବି । ଦେବୀପାଦ ତ ପୁଣି କିଛି କରିବ ?

 

ମୁଁ ଏ ବାକ୍‍ସ ଦେଖିବି ।

 

ସେଥିରେ ମୋର ସ୍ତ୍ରୀଧନ ସମ୍ପତ୍ତି ଅଛି । ବୋହୂମାନେ ଆସିଲେ ମୁଁ ବାଣ୍ଟିଦେବି । ତୁ କିଏ ସେ ହାତ ଦେବାକୁ ?

 

ତୁ ଉଗ୍ରଚଣ୍ଡୀ ।

 

ତୁ କୁଳାଙ୍ଗାର ।

 

ସମ୍ପତ୍ତି ।

 

ସ୍ଵାର୍ଥ ।

 

ସଂଘର୍ଷ ।

 

ସଂସାରର ଚିରନ୍ତନ ରୀତି ।

 

ମନ ଭିତରରେ ପୁଞ୍ଜୀଭୂତ ହୋଇ ଆସୁଥିବା ଘୃଣାକୁ ଦୁହେଁ ବ୍ୟକ୍ତ କରିଦେବା ପରେ ଦୁହିଁଙ୍କ ହୃଦୟ ହାଲୁକା ଲାଗିଥିବ । ରମାକାନ୍ତ କଟକ ଚାଲିଗଲା ସେଦିନ । ବସୁନ୍ଧରା କର୍ତ୍ତ୍ରୀ ହେଲେ ଶେଷରେ ଷଡ଼ଙ୍ଗୀଙ୍କ ସମ୍ପତ୍ତିରେ । କ’ଣ ସେ ସମ୍ପତ୍ତି କରିବେ ବସୁନ୍ଧରା ? ତାରି ଉପରେ ଯାହା ସବୁ ପରିଶ୍ରମ ଓ ଦାୟିତ୍ଵ ପଡ଼ୁଛି । ବସୁନ୍ଧରା ଖାଲି ଘରେ ବସି ବସି ଅର୍ଡ଼ର ଦେଉଛନ୍ତି । ବାଣପୁର ଯା, ଚମ୍ପତିରାୟ ଘରକୁ, ସେ ପାଞ୍ଚଶ ଟଙ୍କା ନେଇଛନ୍ତି, ଶୁଝି ନାହାନ୍ତି, ଦିଗିତିପଡ଼ା, ଯା, ସାମଲଙ୍କ ଘରକୁ...ଏହିପରି ।

 

“କ’ଣ କରୁଛୁ, ହଇଲୋ ଛତରଖାଇ ! କେଉଁ ଗାଁର ଝିଅ ତୁ ?”

 

କଠୋର ଭର୍ତ୍ସନା ଓ ତୀବ୍ର ନାରୀକଣ୍ଠରେ ଦେବୀପାଦ ଚମକି ପଡ଼ିଲା । ବସୁନ୍ଧରା ବଗିଚାରେ ଅନଧିକାର ପ୍ରବେଶ କରିଥିବା ଯୁବତୀଟି ଆଡ଼କୁ ଝପଟି ଆସୁଥିଲେ । ଆସୁ ଆସୁ ବାଟରେ ପଡ଼ିଥିବା କନିଅର ଡାଙ୍ଗ ଗୋଟେ ହାତରେ । ଦେବୀପାଦ ଯୁବତୀଟିର ପରିସ୍ଥିତିକୁ ବୁଝିନେଲା । ଯୁବତୀଟି ଭୟରେ କଂକର୍ତ୍ତବ୍ୟବିମୁଢ଼ ହୋଇ ଗୋଟିଏ ସ୍ଥାନରେ ନିଶ୍ଚଳ ହୋଇ ଠିଆ ହୋଇଯାଇଥିଲା । ବସୁନ୍ଧରା ଜଲ୍‍ଦି ଜଲ୍‍ଦି ତା’ର ନିକଟ ହୋଇ ଆସୁଥିଲେ । ଦେବୀପାଦ ଦଉଡ଼ିଯାଇ ଯୁବତୀଟିର କାନ୍ଧ ହଲେଇଦେଇ କହିଲା–

 

“ଠିଆହୋଇଛୁ କାହିଁକି, ମାଡ଼ ଖାଇବାକୁ ଇଚ୍ଛା ? ଚୋରୀ ତ କରୁଥିଲୁ, ଆଉ ଡରୁଛୁ କାହିଁକି, ଏଥରକ ଦଉଡ଼୍ ।”

 

ଯୁବତୀଟି ସତେ ଯେପରି ଏହି ପଦକ ପରାମର୍ଶ ଅପେକ୍ଷାରେ ଥିଲା । ଶୁଣିବା ମାତ୍ରେକେ ସେ ଦଉଡ଼ିବା ଆରମ୍ଭ କଲା । ବସୁନ୍ଧରା ସବୁ ଦେଖିଥିଲେ । ସେ ଦେବୀପାଦର ନିକଟ ହୋଇଯାଇ ମହାକ୍ରୋଧରେ ପଚାରିଲେ–

 

“ସେ କିଏ ସେ ?”

 

“ହରିଜନ ସାହିର ବୋଧେ ହେବ ।”

 

“ଏଠି କ’ଣ କରୁଥିଲା ?”

 

“କାଠଫାଟ ଗୋଟଉଥିଲା ।”

 

“ତୁ ?”

 

“ଠିଆ ହୋଇଥିଲି ।”

 

“ତୋତେ କାହିକି ସେ ଭିତରକୁ ଆସିଥିଲା ?”

 

“ନା ।”

 

“ତାହାହେଲେ ସେ ଚୋରି କରିବାବେଳେ ତୁ ଚୁପ୍‍ଚାପ୍ ଠିଆ ହୋଇଥିଲୁ କାହିଁକି ?”

 

ଦେବୀପାଦ ନିରୁତ୍ତର ରହିଲା ।

 

“ମୁଁ ଆସୁଥିବାବେଳେ ତୁ ତାକୁ ଘଉଡ଼ାଇ ଦେଲୁ କାହିଁକି ?”

 

ଦେବୀପାଦ ତଥାପି ନିରୁତ୍ତର ।

 

ତୋର ବୈରାଗ୍ୟ କଥା ମୁଁ ବୁଝୁଛି । ସମସ୍ତଙ୍କ ଆଖିରେ ତୁ ଧୂଳି ପକାଇ ଦେଇପାରୁ, ମୋ ଆଖିରେ ନୁହେଁ । ତୋତେ ଜନ୍ମ କଲାଦିନୁ ପରା ମୁଁ ତୋତେ ଦେଖିଆସୁଛି ! ସବୁବେଳେ ଗମ୍ଭୀର ହୋଇ, ନାକଫୁଲାଇ ଚାଲିଲେ, କେହି ବୈରାଗୀ ହୋଇଯାଏନି ! ବ୍ରାହ୍ମଣ ଘରର ଝିଅ ଛାଡ଼ିବୁ ବୋଲି ପ୍ରତିଜ୍ଞା କରି ତୋ ଭଳି ଲୋକେ ଶେଷରେ ହାଡ଼ଝିଅକୁ ବିଭା ହୁଅନ୍ତି । ତୋରି ପରି ଲୋକେ ସମ୍ପତ୍ତି ଉପରେ ବୀତରାଗ ହୋଇ ପରର ସମ୍ପତ୍ତି ଖାଇ ଜୀବନସାରା ବଞ୍ଚନ୍ତି । ଯଦି ଧନ ଏଡ଼େ ଖରାପ ଜିନିଷ, ତାହାହେଲେ ପିତୃ ସମ୍ପତ୍ତି ଉପରେ ଏତେ ନିର୍ଭର କାହିଁକି ? ପିତୃଅର୍ଜିତ ସମ୍ପତ୍ତି ଉପରେ ଏତେ ମାଡ଼ କାହିଁକି ? ନିଜେ ତ ପଇସାଟିଏ ରୋଜଗାର କରିବାକୁ କ୍ଷମତା ନାହିଁ... ।

 

ଦେବୀପାଦ ଆଉ ଶୁଣିବାକୁ ଅପେକ୍ଷା କଲାନି । ବସୁନ୍ଧରା ଆଜି ବହୁତ କଥା କହି ଦେଇଛନ୍ତି । ଆଉ ସେ ଶୁଣି ପାରିବିନି । ତା’ର ବ୍ୟକ୍ତିତ୍ଵ ପ୍ରତି ଏତେ ପରିହାସ, ଏତେ ଅବମାନନା-!! ଦେବୀପାଦ ବଗିଚା ଗେଟ୍ ଫିଟାଇ ଜମିରେ ଧୀରେ ଧୀରେ ଚାଲିବାକୁ ହିଡ଼ରେ ଆରମ୍ଭ କଲା-

 

ଅଶାନ୍ତ ତା’ର ମନ, ଉଦ୍ଦେଶ୍ୟହୀନ ତା’ର ଯାତ୍ରା ।

 

“ରୁହ ଶିବନାଥ, ସେଇଠି ରୁହ ।”

 

ସବୁଦିନପରି ଶିବନାଥ, ନିଃସଙ୍କୋଚରେ ସୁକେଶୀଙ୍କ ପଢ଼ାଘରକୁ ପଶିଯାଉଥିବା ବେଳେ ଆଜି ହଠାତ୍ ତା’ର ସ୍ଵଚ୍ଛନ୍ଦତା ବ୍ୟାହତ ହେଲା । ଦୁଆରବନ୍ଧଠି ପିଢ଼ାଟିଏ ପକାଇ ସୁକେଶୀଙ୍କ ବୋଉ ପ୍ରଭୃତ୍ଵମୂଳକ ସ୍ୱରରେ ତାକୁ ଯିବାକୁ ବାରଣ କରିଦେଲେ । ଶିବନାଥ ଯେପରି ଅନୁଭବ କଲା, ଏତେଦିନ ହେଲା ଏ ଘରକୁ ଆସି ମଧ୍ୟ ଆଜି ଘରକୁ ବିନାନୁମତିରେ ପଶିଆସିବା ତା’ ପକ୍ଷରେ ଗର୍ହିତ ହୋଇଛି । ଦୁଆର ଅଧା ଆଉଜା ହୋଇଥିଲା । ସୁକେଶୀ, ବୋଲି ଶିବନାଥକୁ ବାରଣ କରୁଥିବା ଶୁଣିପାରି, କହି ଉଠିଲେ–

 

“ରୁହନ୍ତୁ ଶିବବାବୁ ! ମୋ କାମ ହେଇ ସରିଗଲା ।”

 

କିଛିକ୍ଷଣ ପରେ ଧୂପଛାୟା ଶାଢ଼ୀଟିଏ ପିନ୍ଧି ସୁକେଶୀ ବାହାରି ପଡ଼ିଲେ । କୁଞ୍ଚିତ କେଶ ତାଙ୍କର ଦୁଇଟି ବେଣୀରେ ଶୃଙ୍ଖଳିତ ହୋଇ କାନ୍ଧ ଉପରେ ଲମ୍ବିଯାଇଥିଲେ, ମୁହଁରେ ପାଉଡ଼ର, ଦେହରୁ ଦାମିକା ଅତରର ଭିନ୍ ଭିନ୍ ବାସ୍ନା ।

 

“କିପରି ଦିଶୁଛି ? “ସୁକେଶୀ ଶିବନାଥ ଆଡ଼କୁ ଚାହିଁ ପଚାରିଲେ । ଶିବନାଥ କିଛି କହିବାପୂର୍ବରୁ ପ୍ରଶ୍ନର ଅଳ୍ପ ପରିବର୍ତ୍ତନ କରି ସୁକେଶୀ ପ୍ରଶ୍ନର ପୁନରାବୃତ୍ତି କଲେ–“କିପରି ଦିଶୁଛ ବୋଉ ?”

 

ଶିବନାଥର କଥା ପାଟି ଭିତରେ ରହିଗଲା ।

 

ସୁକେଶୀଙ୍କ ବୋଉ କହିଲେ–“ମୁଁ ପିନ୍ଧିଆସେ । ତୁ ଯାଇ ଦେଖ, ଜିପ୍‍ଟା ଆସିଲାଣି କି ନାହିଁ ।”

 

“ବୋଉ, ଶିବବାବୁ ବି ଆମ ସାଙ୍ଗରେ ଯିବେ ।”

 

ସୁକେଶୀଙ୍କ ବୋଉ କିଛି ନ କହି ନିଜ ଶୋଇବାଘରକୁ ଚାଲିଗଲେ । ସୁକେଶୀ ଶିବନାଥକୁ କହିଲେ–

 

“ଆପଣ ଘର ଭିତରେ ବସନ୍ତୁ । ଆଜି ପଢ଼ାପଢ଼ି ନାହିଁ । ଆଜି ଗୋଟେ ଜାଗାକୁ ବୁଲିଯିବା ।”

 

ଶିବନାଥର ମୁହଁରେ ପ୍ରଶ୍ନବାଚକ ଫୁଟିଉଠିଲା; କିନ୍ତୁ କିଛି ନ କହି ହସି ହସି ସୁକେଶୀ ଦାଣ୍ଡଘର ଆଡ଼େ ଚାଲିଗଲେ । କିଛିକ୍ଷଣପରେ, ସୁକେଶୀ ଫେରି ଆସି କହିଲେ–“ବୋଉ, ଡ୍ରାଇଭର ଜିପ୍‍କୁ ଆଣିସାରିଲାଣି । ତୁ ଜଲ୍‍ଦି ପିନ୍ଧ୍ । ବାରଟା ବାଜିବା ଉପରେ ।”

 

“ପୂଜାରୀକୁ କୁହ, ସେ ଜଳଖିଆ, ସତରଞ୍ଜି, ଆଉ ଯାହା ଦରକାର, ସବୁ ଜିପ୍ ରେ ରଖୁ-।”

 

“ଆଚ୍ଛା ।” ସୁକେଶୀ ପୂଜାରୀକୁ ବୋଉ କହିବା ଅନୁଯାୟୀ ନିର୍ଦ୍ଦେଶ ଦେଇ ଫେରିଆସିଲେ ।

 

“କୁଆଡ଼େ ଯିବା ସୁକେଶୀ ?” ଶିବନାଥ କୌତୁହଳକୁ ସମ୍ବରଣ କରି ନ ପାରି ପଚାରିଲା । “ସିଦ୍ଧାବଳୀଙ୍କ ପାଖକୁ, ସିଦ୍ଧାବଳୀ ଠାକୁରାଣୀ ଭାଟପଡ଼ା ଦଳବେହେରାଙ୍କର ଇଷ୍ଟଦେବୀ, ସୋଲରୀ ପାହାଡ଼ର ଅଧିଷ୍ଠାତ୍ରୀ । ସେଠି ଗାଧୋଇବା, ଚବକା ଅଛି । ଦିଅଁ ଦେଖିବା, ଖାଇବା, ସବୁ ହେବ । ଆପଣ ବୋଧେ ଆଗରୁ ଯାଇଛନ୍ତି, ବୋଉ ମଧ୍ୟ ଯାଇଛି । ମୁଁ କିନ୍ତୁ ଅନେକଥର ଯିବ ଯିବ ବୋଲି ହୋଇ ଯାଇପାରୁନି ।” ସୁକେଶୀଙ୍କ କଥାରେ ଉଗ୍ର ଉତ୍ସାହର ଝଡ଼ ।

 

“ମୁଁ ତ ଥରେ ଦେଖିଛି ।”

 

“କିନ୍ତୁ ଦିଅଁଙ୍କୁ ଯେତେଥର ଦେଖିଲେ ବି ତୃପ୍ତି ନ ଆସିବା ଉଚିତ । ଭଗବାନ ଓ ଭକ୍ତର ସମ୍ପର୍କରେ ପରିତୃପ୍ତିର ସ୍ଥାନ କେଉଁଠି ?

 

“ସେପରି ଆରାଧ୍ୟା, ଯାହାଙ୍କୁ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ, ମୋ ଦୃଷ୍ଟି ଆଗକୁ ସେ ଆସି ସାରିଛନ୍ତି–”

 

ଶିବନାଥ ଏତକ କହିଦେଇ ଲାଲ ପଡ଼ିଗଲା ।

 

“ତା’ ହେଲେ ?”

 

“ସେଠିକି ମୁଁ ଯିବାର ପ୍ରଶ୍ନ ଉଠୁନି ।”

 

“କାହିଁକି ?”

 

“ମୁଁ ସବୁବେଳେ ତାଙ୍କ ପାଖେ ଅଛି, ଦୂରରେ ଥିଲେ ସିନା ଯିବା ପ୍ରଶ୍ନ ଉଠନ୍ତା, ମୁଁ ସବୁବେଳେ ତାଙ୍କ ପାଖରେ !”

 

ସୁକେଶୀ ଦୁଷ୍ଟାମି ହସରେ ଶିବନାଥ ଆଡ଼କୁ ଚାହିଁଲେ । ଶିବନାଥର ସ୍ୱର ଗଭୀର ହୋଇଗଲା–“ସୁକେଶୀ !”

 

“ଉଁ ।”

 

“ସବୁବେଳେ ଦିଅଁ ନିଜର କରି ରଖିବେ ବୋଲି ବିଶ୍ୱାସ ହେଉନି । ଡର ଲାଗୁଛି । ଦେବଦେବୀଙ୍କ ରୀତିନୀତି ମର୍ତ୍ତ୍ୟମାନବ ରୀତିନୀତିଠୁ ଭିନ୍ନ କି ନା !”

 

“ନିଜ ଉପରେ ବିଶ୍ୱାସ ରଖନ୍ତୁ ।”

 

“ହଁ ।”

 

“ମାଇଚିଆ ।”

 

ସୁକେଶୀ ଶିବନାଥର ମୁଣ୍ଡ ବାଳରେ ଆଙ୍ଗୁଠି ପୁରାଇ ସଲସଲ କରିଦେଇ ଚାଲିଗଲେ-

 

ନରହରିପୁର ଶାସନର ପ୍ରାୟ ଚାରିମାଇଲ ଦୂରରେ ସୋଲରୀ ପର୍ବତମାଳା । ପର୍ବତର ଉତ୍ତର ପଟକୁ ପଶ୍ଚିମସୀମାରେ ଭାଟପଡ଼ା । ଭାଟପଡ଼ା ଦଳବେହେରା ସେହି ଖଣ୍ଡମଣ୍ଡଳରେ ଦିନେ ରାଜୁତି କରୁଥିଲେ । ଭାଟପଡ଼ାଠୁ ପାଏ ବାଟ, ପର୍ବତ ଆଡ଼କୁ, ସିଦ୍ଧାବଳୀ ଠାକୁରାଣୀ, ପର୍ବତର ଠିକ୍ ପାଦଦେଶରେ । ଠାକୁରାଣୀଙ୍କ ପାଖରେ ସାନ ବଡ଼ ହୋଇ ଦୁଇଟି ଚବଳା, ବହୁ ଉପରୁ ଝର ଗଡ଼ିଆସୁଛି । ଠାକୁରାଣୀଙ୍କ ଚାଳଘର, ପଥର ଖୁମ୍ବ । ଭାଟପଡ଼ାଠୁ ବ୍ରାହ୍ମଣ ନିତି ଆସି ପୂଜାକରି ଚାଲିଯାଏ । ଠାକୁରାଣୀଙ୍କର ମନ୍ଦିର ପାଖେ ଦୁଇ ତିନୋଟି ନଡ଼ିଆଗଛ, କିଛି ଦୂରରେ ନିରନ୍ଧ୍ର ବାଉଁଶ ବଣ । ପଛକୁ ସୋଲରୀର ଭବ୍ୟମୂର୍ତ୍ତି । ସବୁ ସମୟରେ ଠାକୁରାଣୀଙ୍କ ପାଖେ ଭିଡ଼ ନ ଥାଏ, ସଂକ୍ରାନ୍ତିକୁ ଲୋକ ସମାଗମ ହୁଏ, ତେବେ ବେଶି ଭିଡ଼ ହୁଏ ପଣାସଂକ୍ରାନ୍ତି ଦିନ । ଶାସନଠୁ ଖୁଣ୍ଟପଲ୍ଲୀ ଦେଇ ଶଗଡ଼ ରାସ୍ତା ଅଛି । ମଟରରେ ଗଲେ ବାଲୁଗାଁ ହୋଇ ଗଙ୍ଗାଧରପୁର ଯିବାକୁ ହେବ । ସେଠୁ ଭାଟପଡ଼ା, ତା’ପରେ ପାଏ ଖଣ୍ଡେ ପାଦରେ ।

 

ଏମାନେ ଭଟପଡ଼ା ଦଳବେହେରାଙ୍କ ଘର ପାଖେ ଜିପ୍ ରଖି ଠାକୁରାଣୀଙ୍କ ପାଖକୁ ଆସୁ ଆସୁ ଦୁଇଟା ପ୍ରାୟ । ରାନ୍ଧିବାକୁ ପଡ଼ିବନି ବୋଲି ସାଥିରେ ଜଳଖିଆ ଅଣାଯାଇଥାଏ । ବିଭିନ୍ନ ସ୍ଥାନ ବୁଲି ଦେଖିବାକୁ ଜମିଦାରଙ୍କ ସ୍ତ୍ରୀଙ୍କର ଭାରି ସଉକ । ଭାରତର ଅନେକ ଦର୍ଶନୀୟ ଜାଗା ସେ ସ୍ଵାମୀଙ୍କୁ ଫୁସୁଲାଫୁସୁଲି କରି ଦେଖିଆସିଛନ୍ତି । ସିଦ୍ଧବଳୀଙ୍କ ପାଖକୁ ସେ ଆଗରୁ ପ୍ରାୟ ତିନି ଚାରିଥର ଆସି ସାରିଥିବେ । ଆଜି ତାଙ୍କର ଆସିବାକୁ ବିଶେଷ ଇଚ୍ଛା ନ ଥିଲା । ସୁକେଶୀ ଆଗରୁ ଦେଖି ନ ଥିଲେ, ତାଙ୍କର ଆଗ୍ରହ ଦେଖି ସେ ବାହାରି ପଡ଼ିଲେ ।

 

ଠାକୁରାଣୀଙ୍କୁ ମୁଣ୍ଡିଆମାରି ସମସ୍ତେ ମଣ୍ଡପରେ ବସି ହାଲିଆ ମାରୁଥିବାବେଳେ ସୁକେଶୀ କହିଲେ–“କି ସୁନ୍ଦର ଜାଗା ବୋଉ, ମୋତେ ଯାହା ଆଗରୁ ତୁ ଆଣି ନ ଥିଲୁ ! ସବୁବେଳେ ରହିବାକୁ ଇଚ୍ଛା ହେଉଛି ।”

 

“ସବୁବେଳେ ରହିଲେ କ’ଣ ଭଲ ଲାଗିବ ?” –ଶିବନାଥ କହିଲ ।

 

“ଶିବବାବୁଙ୍କର ସବୁବେଳେ ନୀରସ କଥାଗୁଡ଼ାକ । ବୋଉ ! ଡ୍ରାଇଭର ଓ ପୂଜାରୀ ଆଗ ଗୋଧୋଇ ପକାନ୍ତୁ । ତା’ପରେ ଆମେ ଯିବା ।”

 

“ହଁ ।”

 

ଡ୍ରାଇଭର ଓ ମଧୁ ଚବକାକୁ ଓହ୍ଲାଇଗଲେ ।

 

“କ’ଣ ପାଣି ଭାରି ଥଣ୍ଡା ?”

 

“ଓଃ ! କି ହିମାଳ ! ଦେହ ଥରିଯାଉଛି ।”

 

“ତା’ହେଲେ ତୁମେ ବେଶି ଗାଧାଅନି ମଧୁ, ଜରରେ ପଡ଼ିଲେ ଆମେ ହଇରାଣ ହେବୁ-।”

 

ଜମିଦାରଙ୍କ ସ୍ତ୍ରୀ, ସୁକେଶୀ ଓ ଶିବ ଚବକା ଥଣ୍ଡାପାଣିରେ ବେଶ୍ ସ୍ଫୁର୍ତ୍ତି ପାଇଲେ । ସୁକେଶୀ ପହଁରିବା ବାହାନାରେ ପାଣି ଚାରି ପାଞ୍ଚ ଆଞ୍ଜୁଳା ଶିବନାଥର ମୁହଁକୁ ଫୋପାଡ଼ି ଦେଲେ । ବହୁତ ଇଚ୍ଛା ହେଉଥିଲା ତାଙ୍କର, ବୁଡ଼ି ରହିବାକୁ, ଖେଳିବାକୁ, ପାଟି କରିବାକୁ; କିନ୍ତୁ କେବଳ ଝରଣାରେ ରହିଗଲେ ଅନ୍ୟାନ୍ୟ ଜାଗା ବାକି ରହିଯିବ । ସୁକେଶୀ ଶିବନାଥକୁ ପ୍ରବର୍ତ୍ତାଇ, ପର୍ବତ ଉପରେ ଚଢ଼ିଲେ । କାଠକଟାଳୀମାନେ ଚଢ଼ି ଚଢ଼ି ଯେଉଁ ରାସ୍ତା ହୋଇଥିଲା, ସେହିଥିରେ ଦୁହେଁ ଚଢ଼ିବାକୁ ଲାଗିଲେ । ଉଦ୍ଦେଶ୍ୟ ଥାଏ ଝରଣାର ଉତ୍ପତ୍ତିସ୍ଥଳ ଠାବ କରିବେ ବୋଲି । ଶିବନାଥର ଉତ୍ସାହ ନ ଥାଏ, କେବଳ ସୁକେଶୀଙ୍କ ମନ ରଖିବା ପାଇଁ ସେ ଚାଲିଥାଏ । ପୂର୍ବରୁ ସେ ଥରେ ଝରଣା ସଙ୍ଗେ ସଙ୍ଗେ ଉପରକୁ ଚଢ଼ିଥିଲା; କିନ୍ତୁ ପରିଶ୍ରମ ଛଡ଼ା ଆଉ କିଛି ତାକୁ ମିଳି ନ ଥିଲା ।

 

ଚାରିଆଡ଼କୁ ନିରୀକ୍ଷଣ କରି କରି ଦୁହେଁ ଚଢ଼ୁଥାନ୍ତି । ପ୍ରାୟ କୋଡ଼ିଏ ହାତ ଉପରକୁ ଆସିବା ପରେ ଦୁହେଁ ଫେରି ଚାହିଁଲେ । ମଣ୍ଡପ, ମନ୍ଦିର, ଝରଣା, କୁଣ୍ଡ ସେତେବେଳକୁ କିଛି ଦିଶୁ ନ ଥାଏ । ଗଛଲତା ଆଢ଼ୁଆଳ କରୁଥାନ୍ତି ।

 

“ଆମକୁ କେହି ଦେଖି ପାରୁନାହାନ୍ତି ।

 

ଅର୍ଥ ରଖି, ସ୍ନିଗ୍ଧ ହସ ସହ, ପଥର ଉପରେ ସୁକେଶୀ ବସିପଡ଼ିଲେ ।

 

ନର ଓ ନାରୀ ।

 

ଆଦିମ ସଙ୍କେତ ।

 

ଶିହରଣ ।

 

ଶିବନାଥ ଠିଆହୋଇ ସୁକେଶୀଙ୍କ ମୁହଁକୁ ଚାହିଁ ରହିଲା । କିଛିକ୍ଷଣ ଏଣେତେଣେ ଚାହିଁବା ପରେ ସୁକେଶୀ କହିଲେ–“ହେଇ ଦେଖନ୍ତୁ, ଝରଣା ଏଇଠି ଦୁଇଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ଧାର ସହ ଆପଣ ଯାଆନ୍ତୁ । ଗୋଟିଏ ଧାର ପଛରେ ମୁଁ । ଯଦି ଆପଣ ଆଗ ଝରଣାର ଆରମ୍ଭ ଦେଖିବେ ତା’ ହେଲେ ପାଟିକରି ମୋତେ ଜଣାଇ ଦେବେ; ମୁଁ ପାଇଲେ ସେହିପରି କରିବି, ଆପଣ ଦଉଡ଼ି ଆସିବେ । ଝରଣା ଆରମ୍ଭ ଯଦି ଆଜି ଆମେ ପାଇଯିବା, ତା’ ହେଲେ ଜୀବନରେ ତାହା ଏକ କୃତିତ୍ଵ ହୋଇ ରହିଯିବ ।”

 

ଶିବନାଥ ବାଧ୍ୟ ହୋଇ ଗୋଟିଏ ଶାଖା ସଙ୍ଗେ ସଙ୍ଗେ ଚାଲିଲା । ଝରଣାର ଅନ୍ୟ ଧାରେ ଧାରେ ସୁକେଶୀ ।

 

ସୁକେଶୀ କିଛି ବାଟ ଯାଇଛନ୍ତି ଝରଣା ଆଉ ବାହାରକୁ ଦିଶିଲାନି; କିନ୍ତୁ ସୁକେଶୀ ଅନୁମାନ କରି ଚଢ଼ିବାକୁ ଲାଗିଲେ । କିଛିଦୂର ଯାଇଛନ୍ତି, ଦେଖାଗଲା ଝରଣା ହାତେ ଓସାରରେ ବହି ଆସୁଛି । ସୁକେଶୀ ଆନନ୍ଦରେ ଗଦ୍‍ଗଦ୍ ହୋଇ ଉଠିଲେ । ଝରଣାର ଦୁଇକଡ଼େ ଛୋଟ ବଡ଼ ହୋଇ ପଥର ପଡ଼ିଥାଏ । ସୁକେଶୀ ଆଉ ଟିକିଏ ଚଢ଼ିବାରେ ଦେଖିଲେ, ଗୋଟିଏ ବଡ଼ ପଥର ଉପରେ କେହି ଜଣେ ପେଟେଇ ଶୋଇଛି, ହାତ ଦୁଇଟି ପାଣି ଭିତରେ । ପ୍ରଥମେ ତ ସେ ଚମକି ପଡ଼ିଲେ । କିଏ ହୋଇପାରେ ଏଇ ନିର୍ଜନ ଜାଗାରେ ? ବ୍ୟବଧାନ ପାଞ୍ଚ ଛଅ ହାତ । ସେ ନିଜର ଉପସ୍ଥିତିକୁ ଜଣାଇଦେବା ପାଇଁ ପତ୍ର ଖସ୍ ଖସ୍ କଲେ । ଭଦ୍ରବ୍ୟକ୍ତିଙ୍କର ଶୋଇବା ଭଙ୍ଗୀରେ କିନ୍ତୁ କୌଣସି ପରିବର୍ତ୍ତନ ଦେଖାଗଲାନି । ସେ କେବଳ କହିଲେ–“କିଏ ?”

 

“ମୁଁ !”

 

“ମୁଁ ? କିଏ ମୁଁ ?”

 

“ମୁଁ......ମୁଁ ସୁକେଶୀ......ମହାପାତ୍ର ।”

 

“ଓ ! ସୁକେଶୀ ଦେବୀ !” ଅପରିଚିତ ବୁଲିପଡ଼ିଲେ । ଶିବନାଥଙ୍କ ଉପର ଭାଇ ଦେବୀପାଦ । ସେପରି ଚିହ୍ନାପରିଚୟ ନାହିଁ । ତେବେ ଦୁହେଁ ଆଗକୁ ପରସ୍ପରକୁ ଦେଖିଛନ୍ତି । ସୁକେଶୀ ଦେବୀପାଦକୁ ନମସ୍କାର କଲେ ।

 

‘ମୁଁ ତ ଆପଣଙ୍କୁ ଅନ୍ୟ କିଏ ଭାବି ଚମକି ପଡ଼ିଥିଲି ।”

 

“ଆପଣ ଏଣେ କୁଆଡ଼େ ?”

 

“ଶିବବାବୁ, ମୁଁ, ବୋଉ, ବୁଲିଆସିଛୁ । ଠାକୁରାଣୀଙ୍କୁ ଦେଖିବାକୁ ।

 

“ସେମାନେ କାହାଁନ୍ତି ?”

 

“ତଳେ ଠାକୁରାଣୀଙ୍କ ପାଖେ । ଶିବବାବୁ ଝରଣାର ଅନ୍ୟ ଧାର ସହିତ ଯାଇଛନ୍ତି ।”

 

“କାହିଁକି ?”

 

“ଉତ୍ପତ୍ତିସ୍ଥଳ ଦେଖିବାକୁ; କିନ୍ତୁ ମୁଁ ଆଗ ଦେଖିନେଲି ।”

 

“ଏଇଟା କ’ଣ ଉତ୍ପତ୍ତିସ୍ଥଳ ?”

 

“ଆଉ ।”

 

“ଦେବୀପାଦ ହସିଦେଲା ।” ଉତ୍ପତ୍ତିସ୍ଥଳ ଆହୁରି ବହୁ ଉପରେ !”

 

“ତା’ହେଲେ.... । ଆଉ ଉପରକୁ ଯାଇ ପାରିବିନି । ଆପଣ କୁଆଡ଼େ ଚାଲି ଆସିଥିଲେ-?”

 

“ମୁଁ ବେଳେ ବେଳେ ଇଚ୍ଛା ହେଲେ ଏହିପରି ଚାଲିଆସେ ।”

 

“ଆପଣଙ୍କୁ ଡର ଲାଗେନି ? ଏପରି ଏକୁଟିଆ, ବଣ ଭିତରେ...”

 

“ଲାଗେ, ଲାଗେନି; କିନ୍ତୁ ଭଲ ଲାଗେ, ଚାଲିଆସେ । ହେଇ ଆପଣଙ୍କୁ ତଳୁ ଡକରା ପଡ଼ିଲାଣି ।”

 

ସୁକେଶୀ କାନ ଡେରିଲେ । ତଳୁ ସୁକେଶୀ ବୋଉ ଡାକୁଥାନ୍ତି ।

 

“ଯାଆନ୍ତୁ ।”

Unknown

 

“ମୁଁ ଏକା ଯିବି ? ଆପଣ ମୋ ସହିତ ଚାଲନ୍ତୁ । ନ ହେଲେ ମୋତେ ଡର ଲାଗିବ ।”

 

ଦେବୀପାଦ ସୁକେଶୀଙ୍କୁ ଚାହିଁଲା । ଲୋକଙ୍କ ପାଇଁ ନିଶ୍ଚୟ ରୂପବତୀ । ସ୍ନେହପ୍ରଭାଙ୍କ ସୌନ୍ଦର୍ଯ୍ୟଠୁ ଟିକିଏ ଭିନ୍ନ ଧରଣର । ତଥାପି ସୁନ୍ଦରୀ ।

 

ସ୍ନେହପ୍ରଭା ସୁଠାମ ସୁଗନ୍ଧ ମାଳତୀ ହେଲେ, ସୁକେଶୀ ଅରଣ୍ୟତଟିନୀ–ତନ୍ଵୀ, ବେଗବତୀ, ତରଙ୍ଗିତା; କିନ୍ତୁ ପାଣି ଶୁଖିଗଲେ ?

 

“ଚାଲନ୍ତୁ ।”

 

ବାଟଯାକ ସାନବଡ଼ ହୋଇ ପଥର ପଡ଼ିଥାଏ । ବଡ଼ ବଡ଼ ପଥରରେ ଗୋଡ଼ ଦେଇ ଆସିବା କଥା, ସାନ ପଥରରେ ଗୋଡ଼ ଦେଲେ ଗୋଡ଼ ଖସିଯିବ ।

 

“ମୋ ହାତ ଧରନ୍ତୁ । ଚଢ଼ିବା ଅପେକ୍ଷା ଓହ୍ଲାଇବା ଏଠି ବେଶି କଷ୍ଟ ।”

 

ଦେବୀପାଦ ହାତ ବଢ଼ାଇ ଦେଲା । ସୁକେଶୀ ଦେବୀପାଦର ହାତଧରି ଓହ୍ଲାଇବାକୁ ଲାଗିଲେ ।

 

ଦେବୀପାଦ ସୁକେଶୀଙ୍କୁ ମଣ୍ଡପ ପାଖରେ ଛାଡ଼ିଦେଇ ଚାଲି ଆସିଲା । ଜମିଦାରଙ୍କ ସ୍ତ୍ରୀ ଦେବୀପାଦଙ୍କୁ ତାଙ୍କ ମଟର କାରରେ ଗାଁକୁ ଫେରିବାକୁ ବହୁ ଅନୁରୋଧ କରିଥିଲେ । ଶିବନାଥ ମଧ୍ୟ ସେହିକଥା କହିଲା । ସୁକେଶୀ କିଛି ନ କହି, ସେହିପରି ଗମ୍ଭୀର ହୋଇ ଠିଆ ହୋଇଥାନ୍ତି । ଦେବୀପାଦ କାହା କଥା ଶୁଣିଲା ନାହିଁ । “ମୋର କାମ ଅଛି ଆପଣମାନେ ଆସୁ ଆସୁ ଡେରି ହେବ-। ଦେଖିବେ ମୁଁ ଆପଣଙ୍କ ଅପେକ୍ଷା ଚଞ୍ଚଳ ପହଞ୍ଚିବି” କହି ସେ ଚାଲି ଆସିଲା ।

 

ଘରେ ସେ ପହଞ୍ଚିଲା ବେଳକୁ ସନ୍ଧ୍ୟା । ଦାଣ୍ଡପିଣ୍ଡାରେ ସଞ୍ଜବତୀ ଜଳି ସାରିଥିଲା । ଗାଁରେ ଗୋପୀନାଥଙ୍କ ମଣ୍ଡପ ଉପରେ ଲଣ୍ଠନ ଜାଳି ଦଳେ ବ୍ରାହ୍ମଣ ଟୋକା ତାସ୍ ଖେଳରେ ଲାଗି ଯାଇଥିଲେ । ଦେବୀପାଦ ଅନ୍ୟମନସ୍କ ହୋଇ ଘର ଭିତରକୁ ପଶିଲା ବେଳେ ଦାଣ୍ଡଘରୁ ଶୁଣିଲା–ସ୍ନେହ ପଚାରୁଥିଲେ–

 

“ମାଉସୀ, ଦେବୀଭାଇ ଆସିଲେଣି ?”

 

“ସବୁବେଳେ ତୁ ‘ଦେବୀ’, ‘ଦେବୀ’ କାହିଁକି ହେଉଚୁ କିଲୋ ? ଦୁଇଘଣ୍ଟା ଭିତରେ ଆସି ତିନି ଚାରିଥର ପଚାରିଗଲୁଣି । କ’ଣ ଦିନେ ନ ଦେଖିଲେ ସମ୍ଭାଳି ପାରୁନୁ ?”

 

ସ୍ନେହ ଦିନରେ ଆଗରୁ ଦୁଇ ତିନିଥର ଦେବୀପାଦ କଥା ପଚାରିଥିଲେ, ବସୁନ୍ଧରା ଶାନ୍ତ ଚିତ୍ତରେ ଯେପରି ଉତ୍ତର ଦେବା କଥା ସେହିପରି ଉତ୍ତର ଦେଇଥିଲେ; କିନ୍ତୁ ବର୍ତ୍ତମାନ ହଠାତ୍ ଅପ୍ରତ୍ୟାଶିତ ଆକ୍ରମଣରେ ସ୍ନେହ ସ୍ତବ୍‍ଧ ହୋଇ ରହିଗଲେ । କିଛିକ୍ଷଣ ପାଇଁ ସେ ପରିସ୍ଥିତିକୁ ବୁଝି ପାରିଲେନି । ବସୁନ୍ଧରାଙ୍କ ପାଖରେ ଜାନକୀ ତାଙ୍କୁ କାର୍ଯ୍ୟରେ ସାହାଯ୍ୟ କରୁଥିଲା । ବସୁନ୍ଧରା ଜାନକୀକୁ କହିଲେ–

 

“ଏଡ଼ିକିଟିଏ ସିନା, ଭାରି ବୁଦ୍ଧି, ଭାରି ଚତୁରୀ । ହଜାରେ ଜାଗାରୁ ଲୋକ ନାପସନ୍ଦ କରି ଫେରିଗଲେଣି । ବାପା ମାଆଙ୍କର ଭାରି ଆଶା ଝିଅଟିକୁ ଆମ ଘରେ ଉଠାଇ ଦେବାକୁ । ଦେବୀ ତ ଆମର ଭାରି ସାଦା ସିଧା, ସରଳ । ତାକୁଇ କ’ଣ ପ୍ରତି ଶନିବାର ଆସି କୂଟକପଟ କରୁଛି । ପ୍ରତି ଶନିବାର ନ କଲେ ମନ୍ତ୍ର କାଟୁ କରୁ ନ ଥିବ ବୋଧେ । ଛୋଟ ଲୋକ ହେଲେ କ’ଣ ହେଲା, ସାହସକୁ ପ୍ରଶଂସା କରିବ । ଷଡ଼ଙ୍ଗୀ ଘରର ବୋହୂ ହୋଇ ଆସିବାକୁ ଇଚ୍ଛା ! ଦିନରେ ଦି’ଓଳି ଚୂଲୀ ଲାଗୁ ନ ଥିବ, ଜାତିରେ ପୁଣି ପାଢ଼ୀ ବ୍ରାହ୍ମଣ; କିନ୍ତୁ ସାହସ ଦେଖ !!”

 

“ମାଉସୀ !” ସ୍ନେହ ଅପମାନରେ ଜର୍ଜରିତ ହୋଇ ଆଉ କିଛି କହି ପାରିଲେନି । ଆଖିରେ ପାଣି ଭର୍ତ୍ତି ହୋଇଯିବା ଯୋଗୁଁ ତାଙ୍କୁ ଆଉ କିଛି ଦିଶୁ ନ ଥିଲା ।

 

“ମାଉସୀ, ମାଉସୀ, କାହିଁକି ହେଉଛୁ ? ଯାଉନୁ କାହିଁକି, ଏଇଲେ ପିଲାମାନେ ଆସିବେ, ଯୁବତୀ ଝିଅ, ସବୁବେଳେ ତୁ ଏ ଘରକୁ ଆସିଲେ ଆମକୁ ଲଜ୍ଜା । ଇଏ ଭଲକଥା ନୁହେଁ ଲୋ ଝିଅ, ଭଲକଥା ନୁହେଁ, ତୋ’ରି ଭଲ ପାଇଁ କହୁଛି ।”

 

ଦେବୀପାଦ ଅନ୍ଧାରରୁ ବାହାରି ଆସିଲା ବାରଣ୍ଡାକୁ । ପ୍ରଚଣ୍ଡ କ୍ରୋଧ ତାକୁ ଜାଳିଦେଉଥିଲା । ଦେବୀପାଦକୁ ଦେଖି ବସୁନ୍ଧରା ଓ ଜାନକୀ ନରମି ଗଲେ ।

 

“ବୋଉ... ।” ଦେବୀପାଦ ବରଡ଼ାପତ୍ର ପରି ଥରୁଥିଲା । ତା’ ସ୍ଵର ଆହତ ପଶୁର ସ୍ଵର ! ଆଉ ବାକି କଥା ବାକ୍ୟରେ ରୁପାୟିତ ହେଇପାରିଲେନି । ସେ କହିବାକୁ ଚାହୁଁଥିଲା–ବୋଉ ! ତୋ ପରି ରୂକ୍ଷଭାଷିଣୀ ମୁଁ ଆଉ କେଉଁଠି ଦେଖିନି । ଏଡ଼େ ଦୁର୍ମୁଖ, ଏଡ଼େ ବଦ୍‍ରାଗୀ, ଏଡ଼େ ଅଭଦ୍ର, ଏତେ ଛଟପଟ, ମଇଲା !!! କାହାକୁ ତୁ କ’ଣ କହିଯାଉଛୁ । ଟିକିଏ ହେଲେ କୋମଳତା ତୋଠି ନାହିଁ ? ସେ ଗରିବଘର ଝିଅଟିଏ ବୋଲି ତା’ର କ’ଣ ମାନସମ୍ଭ୍ରମ ନାହିଁ । ସ୍ନେହରେ ତୁମ ଘରକୁ ଟିକିଏ ବୁଲିଆସିଛି, ସେଥିରେ କ’ଣ ଦୋଷ ହୋଇଗଲା ! ଏପରି ନିଷ୍କଳଙ୍କ ଦେବୀକୁ ଏପରି ଅପମାନ । ଓଃ ! ଯେ ସବୁଠୁ ପବିତ୍ର ତାରି ଉପରେ ଦୋଷାରୋପ !!

 

କିନ୍ତୁ ଦେବୀପାଦ କିଛି କହିପାରିଲାନି । ‘ବୋଉ’ କହିବାପରେ ତା’ ପାଟି ଲାଗିଗଲା । ସେ କେବଳ ରାଗରେ ଥରୁଥାଏ । ବସୁନ୍ଧରା ଉଠିପଡ଼ି ତାଙ୍କ ଶୋଇବା ଘରକୁ ଚାଲିଗଲେ । ଜାନକୀ କଂସା ଗିନା ମାଜିବସିଲା । ଦେବୀପାଦର ରାଗ କିଛିସମୟ ପରେ ଶାନ୍ତ ହେଲାବେଳକୁ ସ୍ନେହ ନ ଥିଲେ ।

 

ସେହିଦିନଠୁ ଷଡ଼ଙ୍ଗୀଙ୍କ ଘରକୁ ସ୍ନେହ ଆଉ ଆସିଲେନି । ଆଠବର୍ଷ ହେଲା ସେ ସେ ଘରକୁ ଆସୁଥିଲେ, ଅଭିପ୍ରାୟଶୂନ୍ୟ, ସ୍ଵଚ୍ଛନ୍ଦ, ଯେତେବେଳେ ତାଙ୍କର ଆସିବାରେ କେହି କେବେ କୌଣସି ପ୍ରକାର ଆପତ୍ତିଜନକ କଥା ଦେଖି ନ ଥିଲେ । ବରଂ ସେ ଆସି ବସୁନ୍ଧରାଙ୍କର ଅନେକ କାମ କରି ଦେଉଥିଲେ, ରୋଗରେ କେହି ପଡ଼ିଥିଲେ, ସେବାକରି ଯାଉଥିଲେ । ଷଡ଼ଙ୍ଗୀ ସ୍ନେହଙ୍କୁ ସ୍ନେହ କରୁଥିଲେ । ଗୁଣଶୀଳାଙ୍କର ଆଦର ତାଙ୍କର ଜୀବିତାବସ୍ଥାରେ ସେ ଘରେ ଥିଲା । କୁଟୁମ୍ବରୁ ଜଣେ ବୋଲି, ସମସ୍ତେ ଭାବୁଥିଲେ । ବୟସ ହେବାରୁ, ଏଣେ ତେଣେ ବିବାହ ପ୍ରସ୍ତାବ ପଡ଼ିବାରୁ, ବୋଉ ଆକଟ କରିବାରୁ, ତାଙ୍କର ଆସିବା କମ୍ ହୋଇଯାଇଥିଲା; କିନ୍ତୁ ସପ୍ତାହରେ ଦିନେ ସେ ନିଶ୍ଚୟ ଆସୁଥିଲେ, ଶନିବାର ଦିନ ଦ୍ୱିପ୍ରହରେ ।

 

କିନ୍ତୁ ସେଦିନ ଘଟଣାପରେ ଦୁଇଟି ଶନିବାର ଚାଲିଯାଇଛି । ସ୍ନେହ ଆସିନାହାନ୍ତି, ସେ କାହିଁକି ଆସିନାହାନ୍ତି, ତା’ କେହି ଜାଣିବାକୁ ବ୍ୟଗ୍ର ମଧ୍ୟ ନୁହଁ । ସମସ୍ତେ ଯେପରି ସବୁକଥା ଜାଣି ସାରିଛନ୍ତି ।

 

ତୃତୀୟ ଶନିବାର ଦିନ ମହେଶ୍ୱର ପାଢ଼ୀଙ୍କ ଘର ଆଗ ଦାଣ୍ଡରେ ତିନିଜଣ ଲୋକ କଥାବାର୍ତ୍ତା ହେଉଥିଲେ । ଜଣେ ଯୁବକ, ଦୁଇଜଣ ପୌଢ଼ ।

 

“ଆଜ୍ଞା, ମହେଶ୍ୱର ପାଢ଼ୀଙ୍କର ଏଇ ଘର ?”

 

“ହଁ, ଏଇ ଘର ।”

 

“ଆମେ, ଦେବପୁର ଶାସନରୁ ଆସିଛୁ, ବାଲେଶ୍ଵରର ଦେବପୁର ଶାସନ ।”

 

“ଆପଣ ଗୃହମାଲିକଙ୍କ ସହିତ ପରିଚିତ ପରି ଜଣାପଡ଼ୁଛନ୍ତି, ଟିକିଏ ଯାଇ ଖବର ଦିଅନ୍ତେ ।”

 

“ଆସନ୍ତୁ, ଆସନ୍ତୁ !” ଗୃହ ସମ୍ବନ୍ଧରେ ଖବର ଦେଉଥିବା ଯୁବକ ପୌଢ଼ ଭଦ୍ରବ୍ୟକ୍ତିଦ୍ଵୟଙ୍କୁ ବାରଣ୍ଡାକୁ ଡାକିନେଲେ । “ରୁହନ୍ତୁ, ମୁଁ ଭିତରୁ ଆସୁଛି ।”

 

‘‘ସ୍ନେହ ? ସ୍ନେହ ? ମହୀମଉସା ?” କହି ସେ ଭିତରକୁ ପଶିଗଲେ । ଘର ଭିତରେ ଯୁବକଙ୍କ ସ୍ଵର ଆଉ କାହା କାନରେ ପହଞ୍ଚିବା ପୁର୍ବରୁ ସ୍ନେହଙ୍କ କାନରେ ପହଞ୍ଚିଗଲା । ସେ କୋଟିନିଧି ପାଇଗଲେ ।

 

‘‘ଦେବୀ ଭାଇ ! ଆଜି କେଡ଼େ ଭାଗ୍ୟ, ତୁମ ପାଦ ପଡ଼ିଲା ।”

 

ଘର ଭିତର ବାରଣ୍ଡାରେ ମହେଶ୍ଵର ପାଢ଼ୀ ସାନପୁଅକୁ କୋଳରେ ଧରି ବସିଥିଲେ । ଯଶୋଦା କଂସା ଗିନା ମାଜୁଥିଲେ । ଦେବୀପାଦକୁ ଦେଖି ସମସ୍ତେ ଖୁସି ହୋଇଗଲେ । ସମ୍ଭ୍ରାନ୍ତ ଘରର ସନ୍ତାନ ଘରେ ପାଦଦେବା ଶୁଭଶକୁନ । ସ୍ନେହଙ୍କ ମନ କହିଲା–ଦେବୀ ଆସିଛି, ବସୁନ୍ଧରାନ୍ଧଙ୍କ ସେଦିନର ଅଭଦ୍ର ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିବାକୁ, ଅନୁନୟ କରିବାକୁ, ସେ ସବୁ ଭୁଲିଯାଉ । ସେ ବଗିଚାକୁ, ନ ଆସିବା ଦ୍ଵାର ତା’ର ବଡ଼ ବେଶି ଦୁଃଖ ହୋଇଛି । ତା’ର ବୋଉ କ’ଣ ସ୍ନେହଙ୍କ ବୋଉ ନୁହନ୍ତି ? କିଛି ନ ହେଲେ ବସୁନ୍ଧରାଙ୍କ ଦୋଷକୁ ଦେବୀ କରିଛି ଭାବି ସେ କ୍ଷମା ଦେଇ ଦେଉ ।

 

ବାପାବୋଉଙ୍କ ଆଗରେ ଦେବୀପାଦ ସବୁକଥା କହି ପାରିବେନି, ଏତେଦିନ ପରେ ଦେଖା ହେଉଛି, କେତେ କଥା କହିବାକୁ ଥିବ ଭାବି ସ୍ନେହ ବାଡ଼ିଆଡ଼କୁ ଚାଲି ଯାଉ ଯାଉ ଶୁଣିଲେ, ଦେବୀପାଦ କହୁଥିଲା–“ମଉସା ! କେହି ଦୁଇଜଣ ଭଦ୍ରବ୍ୟକ୍ତି ଦେବପୁର ଶାସନରୁ ତୁମ ପାଖକୁ ଆସିଛନ୍ତି ।”

‘‘ଦେବପୁର ଶାସନରୁ ?”

ପାଢ଼ୀଙ୍କ ସ୍ତ୍ରୀ ଓ ପାଢ଼ୀ ଉଲ୍ଲାସରେ ଏକା ବେଳକେ କହି ଉଠିଲେ । ସ୍ନେହ ଯାଉ ଯାଉ, ତାଙ୍କର ଗତି ବନ୍ଦ ହୋଇଗଲା ।

“ଆଜି ସକାଳୁ କୁଆ ରାବୁଥିଲା ! ହେ ଗୋପୀନାଥ ! ତୁମେ ସାହା ।” ଯଶୋଦା ମନେ ମନେ ଗୋପୀନାଥଙ୍କୁ ଭୋଗ ଯାଚିଲେ ।

ପାଢ଼ୀ ଉଠୁ ଉଠୁ ଗଦ୍‍ଗଦ୍ ହୋଇ କହିଲେ–“ମା’ ସ୍ନେହ ! ପଟିଟା ନେଇ ଦାଣ୍ଡଘରେ ପକାଇ ଦେ ତ ମା । ଭଲ ଲୁଗା ଖଣ୍ଡେ ପିନ୍ଧିପକା । ମୁଣ୍ଡଟା ମଧ୍ୟ କୁଣ୍ଡାଇପକା ।”

ଦେବୀପାଦ କ୍ଷଣକ ଭିତରେ ସବୁ କଥା ବୁଝିପାରିଲା । ସ୍ନେହଙ୍କୁ ଦେଖିବାକୁ ଲୋକ ଆସିଛନ୍ତି ।

‘‘ଆଚ୍ଛା, ମଉସା, ମୁଁ ତା’ହେଲେ ଯାଉଛି ।”

“ରହ ପୁଅ, ଆସିଛୁ ଯେତେବେଳେ ରହିଥା, ଶୁଭକାମ ସରିଲେ ଯିବୁ ।”

ଦେବୀପାଦର ଦୃଷ୍ଟି ସ୍ନେହଙ୍କ ଉପରକୁ ଚାଲିଗଲା । ସ୍ନେହ ଠିଆହୋଇ ତାରି ଆଡ଼କୁ ଚାହୁଁଥିଲେ । କାହିଁକି କେଜାଣି ଦେବୀପାଦର ଆଖି ତଳକୁ ନଇଁଗଲା, ଯେପରି ସେ କୌଣସି ଅପରାଧ କରିଛି । ସ୍ନେହ ଘର ଭିତରକୁ ଚାଲିଗଲେ ।

ଅତିଥିମାନଙ୍କର ବିଧି ଅନୁଯାୟୀ ଅଭ୍ୟର୍ଥନା ପରେ, ସ୍ନେହ ଓ ବରପାତ୍ରଙ୍କର କୋଷ୍ଠୀ ମେଳକ ହେଲା । ରାଜଯୋଟ । ଜାତକ ମିଳିବା ପରେ ସ୍ନେହକୁ ଧରି ପାଢ଼ୀ ଆଗନ୍ତୁକମାନଙ୍କ ପାଖକୁ ଆସିଲେ । ଆଗନ୍ତୁକମାନେ ସ୍ନେହଙ୍କୁ ଚାହିଁବା ବେଳେ ବେଦୀପାଦର ଦୃଷ୍ଟି ମଧ୍ୟ ସ୍ନେହଙ୍କ ଉପରକୁ ଚାଲିଗଲା । ଆଗନ୍ତୁକମାନଙ୍କ ମଧ୍ୟରୁ ନିଜକୁ ଜଣେ କରି ସେ ଯେପରି ସ୍ନେହଙ୍କୁ ପ୍ରଥମ କରି ଦେଖିବାକୁ ଚାହୁଁଥିଲା । ଧୀର ନିଶବ୍ଦ ଗତି, କମ୍ପିତ ପାଦ, ସଲ୍ଲଜ ଅବନତ ଦୃଷ୍ଟି, ଆରକ୍ତ ଗଣ୍ଡ-। ପାନଥାଳିଆକୁ ରଖିଦେଇ ସେ ନିସ୍ପନ୍ଦଭାବେ ଠିଆ ହୋଇ ରହିଲେ । କେତେ ସମୟ କଟିଗଲା କେହି ଜାଣି ପାରିଲେନି । ଆଗନ୍ତୁକମାନଙ୍କ ମଧ୍ୟରୁ ଜାତକ ଓ କନ୍ୟାର ଲକ୍ଷଣ ଦେଖିବାକୁ ଆସିଥିବା ପଣ୍ଡିତ ଜଣକ ହଠାତ୍ କୃତକୃତ୍ୟ ହେଲା ପରି ଗାଇ ଉଠିଲେ–

“ଜୟେ ଧରିତ୍ୟାଃ ପୁରମେବସାରଂ ପୁରେ ଗୃହଂ ସଦ୍ମ–

–ନିଚୈକ ଦେଶଃ

ତତ୍ରାପି ଶଯ୍ୟା ଶୟନେବରାସ୍ତ୍ରୀ ରତ୍ନୋଜ୍ଜ୍ଵଳା–

–ରାଜ୍ୟସୁଖସ୍ୟସାରଃ

 

“ଏଇଠି ବିଭାଘର ହେବ । ଅହ୍ୟସୁଲକ୍ଷଣୀ ହୋଇଥା ମା ! ତୋତେ ଦେଖି ଆମ ଚକ୍ଷୁ ପବିତ୍ର ହୋଇଗଲା । ତୁ ଗୋଟିଏ ସ୍ତ୍ରୀ–ରତ୍ନ !”

 

ଅନ୍ୟମାନେ ପଣ୍ଡିତଙ୍କର ଏହି କଥାକୁ ଯେପରି ଅପେକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସ୍ନେହଙ୍କ ହାତକୁ ଟାଣିନେଇ ମୁଦିଟିଏ ଲଗାଇଦେଲେ । ମହେଶ୍ଵର କହିଲେ–“ଯା ମା’, ଏଥରକ ଯା !”

 

ସ୍ନେହ ଫେରିଆସିଲେ । କିଛି ସମୟ ପରେ ଆଗନ୍ତୁକମାନେ ଉଠିଲେ । ପାଢ଼ୀ ବିନୀତ ହୋଇ ଠିଆହୋଇଥାନ୍ତି ।

 

“ଆମେ ତିନି ଚାରିଦିନ ଭିତରେ ସବୁ ଠିକ୍ କରି ଚିଠି ଲେଖିବୁ ।”

 

“ଆଜ୍ଞା ।”

 

“ଆପଣଙ୍କର ପରିଚୟ ତ ପାଇଲୁନି ?” ଦେବୀପାଦ ଆଡ଼କୁ ବୁଲି ଜଣେ ଆଗନ୍ତୁକ ପଚାରିଲେ ।

 

“ମୋ ନା ଦେବୀପାଦ ଷଡ଼ଙ୍ଗୀ, ମୁଁ ମଧୁସୂଦନ ଷଡ଼ଙ୍ଗୀଙ୍କ ମଝିଆଁ ପୁଅ ।”

 

“ଓଃ ! ମଧୁସୂଦନ ଷଡ଼ଙ୍ଗୀ ! ତାଙ୍କୁ କିଏ ଜାଣିନାହିଁ ? ଭାଗ୍ୟବାନ୍ ଲୋକ ସେ, ପୁଅ, ସ୍ତ୍ରୀ, ସମସ୍ତଙ୍କ ଆଗରେ, ସ୍ଵର୍ଗ ଚାଲିଗଲେ ।”

 

ଆଗନ୍ତୁକମାନଙ୍କ ସହ ପାଢ଼ୀ ଦାଣ୍ଡକୁ ଗଲେ । ଦେବୀପାଦ ସ୍ନେହଙ୍କୁ ଖୋଜି ଘର ଭିତରକୁ ଆସିଲା । ସ୍ନେହଙ୍କୁ ସେ ଘର ଭିତରେ ପାଇଲା ନାହିଁ । ଦେବୀପାଦ ବାଡ଼ିପଟକୁ ଗଲା । ସ୍ନେହ ବାଡ଼ିପଟ ବାରଣ୍ଡାରେ ଠିଆହୋଇ ଆଖି ପୋଛୁଥିଲେ । ପଛରୁ ଦେବୀପାଦ ଧୀରେ ଧୀରେ ଯାଇ ପଛରେ ଠିଆହୋଇ କହିଲା–“ସ୍ନେହ, ଆଜି ଘରକୁ ଯାଇ ମୁଁ ବୋଉ ସହିତ କଳି କରିବି ।”

 

ସ୍ନେହ... ପଣତ କାନୀଟାକୁ ଆଖିରେ ମନ୍ଥୁଥାନ୍ତି ।

 

“ତାକୁ ତୁମର ବିବାହ ସ୍ଥିର ହୋଇଯିବା କଥା କହିବି । ତାକୁ କହିବି, ତା’ ଗାଳିସବୁ କିପରି ତାରି ମନର ଦୂଷିତ କଳ୍ପନା ଥିଲା, ରୁଗ୍‍ଣ ଭାବନା ଥିଲା । କିଛି କାରଣ ନ ଥାଇ ବୃଥାରେ ସେ ତୁମର ମନରେ କଷ୍ଟ ଦେଇଥିଲା !”

 

“ତୁମେ ମୋପାଇଁ କାହାକୁ କିଛି କହିବା ଦରକାର ନାହିଁ ।” ସ୍ନେହଙ୍କ ସ୍ଵରରେ ରୁକ୍ଷତା ଥିଲା । ଦେବୀପାଦ ଆଶ୍ଚର୍ଯ୍ୟ ହେଲା । କଥାକୁ ବଦଳାଇବା ପାଇଁ ସେ କହିଲା–

 

“ତୁମେ ଚାଲିଆସିବାପରେ ସେମାନେ ତୁମର ବହୁତ ପ୍ରଶଂସା କରୁଥିଲେ । କହୁଥିଲେ ତୁମେ ଲକ୍ଷ୍ମୀ, ଯାହା ଘରକୁ ଯିବ ତା’ ଘର ହସିଉଠିବ ।”

 

“ସେଥିରେ ତୁମେ ଏତେ ଖୁସି କାହିଁକି, ସତେ ଯେପରି ମୁଁ ତୁମ ଘରକୁ ଯାଉଛି ?”

 

“ସ୍ନେହ ! ତୁମେ କ’ଣ କହୁଛ ?” ଦେବୀପାଦ ମୁହଁ ମଳିନ ପଡ଼ିଗଲା ।

 

ସ୍ନେହ ସେହିପରି ଦେବୀପାଦକୁ ମୁହଁ ବୁଲାଇ ଠିଆ ହୋଇଥାନ୍ତି । ଦେବୀପାଦ ଆଉ କିଛି ନକହି ଭାବମଗ୍ନ ହୋଇ ଧୀରେ ଧୀରେ ଚାଲିଆସିଲା ।

 

ଡାକ୍ତରୀ ଦୋକାନ ଭିତର କୋଠିରେ, ଟେବୁଲ ଉପରେ ଦୁଇ କପ୍ ଚା’, ଦୁଇପଟେ ରମାକାନ୍ତ ଓ ତା’ର ମିତ୍ର ଓକିଲ୍ ଅଜିତ୍, ଗଳ୍ପରତ । ସିଗାରେଟରେ ପାଉଁଶ ମଧ୍ୟେ ମଧ୍ୟେ ଫୁଟୁକି ମାରିପକାଇ ଦିଆଯାଉଛି, ଗଳ୍ପ ଚାଲିଛି, ଚା’ ପିଆ ମଧ୍ୟ ଚାଲିଛି । ବାହାରେ କମ୍ପାଉଣ୍ଡର ରୋଗୀମାନଙ୍କ କଥା ବୁଝୁଛି । ଅତି ଗୁରୁତର କଥା ପଡ଼ିଲେ ଡାକ୍ତରବାବୁଙ୍କୁ ଖବରଦବା କଥା । ଓକିଲ କହୁଛନ୍ତି–

 

“ପ୍ରତ୍ୟେକ କଥାର ମୂଲ୍ୟ ଅଛି । ଠିକ୍ ମୂଲ୍ୟାଙ୍କନ କରି ନ ପାରିଲେ ମଣିଷର ପଦେ ପଦେ ଭୁଲ ହେବ । ଜୀବନ ବ୍ୟର୍ଥ ହୋଇଯିବ । ଯେ ଠିକ୍ ମୂଲ୍ୟାଙ୍କନ କରିପାରିଲା ସେ ଜୀବନର ସାର୍ଥକତା ପାଇଯିବ । ଶିକ୍ଷା, ସଂସ୍କୃତି, ଅନୁଭୂତି, ଯାହା କହ, ସବୁର ପ୍ରୟୋଜନ ଠିକ୍ ମୂଲ୍ୟାଙ୍କନ–ବୋଧ ଦେବାପାଇଁ ।”

 

“ତୁ ତ ଅର୍ଥକୁ ଅନର୍ଥ କରୁଛୁ ?”

 

“ଅର୍ଥ ମାନେ ତୁ କ’ଣ ବୁଝୁଛୁ ? କୌଣସି ଜିନିଷର କୌଣସି ସ୍ଥିର ଅର୍ଥ ନ ଥାଏ । ଦେଶ, କାଳ ନେଇ ଶବ୍ଦର ଅର୍ଥ ଓ ସତ୍ୟର ରୂପ ମଧ୍ୟ ବଦଳିଯିବ । ସେଥିପାଇଁ ବୌଦ୍ଧ–ଶ୍ରମଣ ମାନେ କହନ୍ତି–ଅର୍ଥ କ୍ରିୟାକାରିତ୍ଵଂ ସତ୍ଵଂ । ଅର୍ଥାତ୍ ଯାହା ଉପଯୋଗୀ ହୋଇ ପାରିଲା ତାହା ହିଁ ସତ୍ୟ । ଜୀବନରେ ଉପଯୋଗୀତାକୁ ପ୍ରତ୍ୟେକ ଜିନିଷର ସତ୍ୟତାର ମାନଦଣ୍ଡରୂପେ ସ୍ଵୀକାର କରିବା ଉଚିତ । ଯେ କୌଣସି ଉପାୟରେ ହେଉ ମଣିଷ ନିଜର ଉଦ୍ଦେଶ୍ୟ ଚରିତାର୍ଥ କଲେ ହେଲା-।”

 

ଏହି ସମୟରେ କମ୍ପାଉଣ୍ଡର ଆସି କହିଲା–“ବାବୁ ! ଆପଣଙ୍କୁ ରମେଶ ବାବୁ କିଏ ଖୋଜୁଛନ୍ତି । ପର୍ଦ୍ଦା ଆଡ଼େଇ କମ୍ପାଉଣ୍ଡର କହୁଥିବାବେଳେ ଭିତରକୁ ରମେଶ ପଶିଆସିଲା ।

 

ପଶୁ ପଶୁ ସେ କହିଲା–“ଏଠି ତ ଆଗରୁ ସଭା ବସିଯାଇଛି !”

 

“ଆରେ ରମେଶ, ତୋର ବାହାଘର ପରା ଆରମାସରେ ହେଉଛି ? ଅଜିତ୍ ପଚାରିଲା-

 

“ହଁ ।”

 

“କେଉଁଠି ?”

 

“ରମାକାନ୍ତର ଗାଁରେ ।”

 

“ପାତ୍ରୀଟି କିପରି ଦେଖିବାକୁ ?”

 

“ରମାକୁ ପଚାର ।”

 

“ତୁ କ’ଣ ପାତ୍ରୀକୁ ବର୍ତ୍ତମାନଯାଏଁ ଦେଖିନୁ ?”

 

“ନାଁ ।”

 

“ନଦେଖି ବାହା ହେବୁ ?”

 

“ସେଇପରି କିଛି’’

 

“ବାସ୍ତବରେ ତୁ ଜଣେ ଷୋଡ଼ଶ ଶତାବ୍ଦୀର ମାନବ !”

 

“ପ୍ରଶଂସା ପାଇଁ ଧନ୍ୟବାଦ ।”

 

“କିନ୍ତୁ ଅଜିତ୍, ପାତ୍ରୀଟି ପ୍ରକୃତରେ ସୁନ୍ଦର ଓ ଗୁଣର । ମୁଁ ତ କହିବି ଅଜିତ୍ ନିହାତି ଭାଗ୍ୟବାନ୍ ।”

 

“ହଉ, ତୁ କୁଆଡ଼େ ଆସିଥିଲୁ ?” ରମାକାନ୍ତ ରମେଶକୁ ପଚାରିଲା ।

 

“ମୁଁ ଆଜି ଗାଁକୁ ଯାଉଛି । ସେଠୁ ସିଧା କଲିକତା ଯିବାକୁ ହେବ । ସବୁକଥା ତ ମୋତେ କରିବାକୁ ପଡ଼ୁଛି, ଉପରେ ଆଉ କେହି ମୁରବି ନାହାନ୍ତି, ସମସ୍ତେ ଦୂର ସମ୍ପର୍କୀୟ ।”

 

“ବୋଉ ?”

 

“ବୋଉ କ’ଣ ଚାରିଆଡ଼େ ବୁଲି କାମ କରିବ ? ଘର ଭିତରେ ରହି ଯାହା ବୁଝିବା କଥା ସେ ବୁଝୁଛି । ହଉ, ମୁଁ ନିମନ୍ତ୍ରଣ କାର୍ଡ଼ ଲେଖିକି ପଠାଇଲେ ତୁ ତାକୁ ପ୍ରେସରେ ଦେଇ ଛପାଇ ମୋ ପାଖକୁ ଯେପରି ସାଙ୍ଗେ ସାଙ୍ଗେ ପଠାଇଦେଉ । ଆଉ ଦେଖ୍, ଯେଉଁ ଚିହ୍ନାପରିଚୟ ସାଙ୍ଗକୁ ଦେଖିବୁ, ନିମନ୍ତ୍ରଣ ଦେଇଦେବୁ । ଅଧିକାଂଶଙ୍କର ନାମ ବି ମୋର ମନେ ନାହିଁ । ବାଲେଶ୍ଵରରୁ ସମସ୍ତଙ୍କ ପାଖକୁ ପଠାଇବାକୁ ଅସୁବିଧା ହେବ ।”

 

“ହଉ, ବର୍ତ୍ତମାନ ଟଙ୍କା କୋଡ଼ିଏଟା ଦେଇକି ଯାଇଥା ।

 

ରମେଶ ଟଙ୍କା ଦେଇ ଉଠିଲା । “ମୁଁ ଯାଉଛି ।”

 

“ରହ, ମୁଁ ମଧ୍ୟ ଯିବି । ଯାଉଛି ରମାକାନ୍ତ, ନମସ୍କାର” –ଅଜିତ୍ କହିଲା ।

 

“ନମସ୍କାର ।”

 

ଦୁହେଁ ଚାଲିଗଲେ । ରମାକାନ୍ତ ଟେବୁଲ ଉପରୁ କୋଡ଼ିଏ ଟଙ୍କା ଉଠାଇ ନେଇ ପକେଟରେ ପୁରାଇ ଉପରକୁ ଯିବାକୁ ବାହାରିଛି, ଝଡ଼ପରି ରଜନୀ ଘର ଭିତରକୁ ପଶି ଆସିଲେ–ମୁହଁରେ ତାଙ୍କର ଘୋର ଉଦ୍‌ବିଗ୍ନତା–

 

“ରମାବାବୁ, ଆପଣ ଗାଁକୁ ସେଦିନ ଯିବାପରେ କ’ଣ ହେଲା, କିଛି କହିଲେନି, କେବେ ଆସିଲେ ତା’ ମଧ୍ୟ ଆମେ ଜାଣିପାରିଲୁନୁ । ଖବରକାଗଜରୁ ପଢ଼ି ଯାହା ମୁଁ ଜାଣିଲି ଖବର କାଗଜରେ ଯେଉଁଦିନ ପଢ଼ିଲି ସେଦିନ ଆପଣ ଦୋକାନରେ ଥିବେ ଭାବି ଆସିଥିଲି, ଆପଣ ନ ଥିଲେ । କମ୍ପାଉଣ୍ଡର କହିଲେ, ଆପଣ ତେରଦିନ ପରେ ଶୁଦ୍ଧାଦିକ୍ରିୟା ସାରି ଆସିବେ । ତେରଦିନ ପରେ ଆସିଲି, ଶୁଣିଲି ଆପଣ ପୁରୀ ଯାଇଛନ୍ତି । ତା’ପରେ ଆସି ଖୋଜିଲେ ଶୁଣେ ଆପଣ କୁଆଡ଼େ ନା କୁଆଡ଼େ ଯାଇଛନ୍ତି । କଥା କ’ଣ କୁହନ୍ତୁ ତ ?”

 

ରଜନୀ ଚେୟାରରେ ବସିପଡ଼ି ତାଙ୍କର କଥା ଶେଷକଲେ । ଏକାଥରକେ ଏତକ କହିଦେଇ ସେ ହାଲିଆ ହୋଇ ପଡ଼ିଥିଲେ ।

 

“ଧୁନ ।” ରମାକାନ୍ତ କମ୍ପାଉଣ୍ଡରକୁ ଅତ୍ୟନ୍ତ ଗମ୍ଭୀର ହୋଇ ଡାକିଲା । “କ’ଣ ମିଠାପିଠା ଆଣିବ, ଗଲ ।”

 

କମ୍ପାଉଣ୍ଡର ଚାଲିଯିବା ପରେ ରଜନୀ ପଚାରିଲେ–“ମୋ କଥାର ଉତ୍ତର ଦେଲେନି ଯେ !”

 

ତଳକୁ ଚାହିଁ କ’ଣ ଭାବି ରମାକାନ୍ତ କହିଲା–“ମୁଁ ସୁଖୀ ଥିଲେ ସିନା ସୁଖ ବାଣ୍ଟିବାକୁ ଯାଇଥାନ୍ତି, ଦୁଃଖ ତ ଆଉ ବଣ୍ଟାଯାଏ ନାହିଁ ।”

 

“ରମାବାବୁ ।”

 

“ହଁ ରଜନୀ, ମୁଁ ବଡ଼ ଦୁଃଖୀ । ପିଲାଦିନୁ ଆଶାର ଯେଉଁ କୁତବମୀନାର ଗଢ଼ି ଆସୁଥିଲି, ବାପା ମରିଯିବା ପରେ ତାହା ହଠାତ୍ ଧୂଳିସାତ୍ ହୋଇଗଲା ।”

 

“କ’ଣ ହେଲା” ?

 

“ମୁଁ ଭାବିଥିଲି ବାପା ଅଜସ୍ର ଟଙ୍କା ମୋ ପାଇଁ ରଖିଯାଇଛନ୍ତି, ସେ ଟଙ୍କାରେ ଓଡ଼ିଶାରେ ମୁଁ ଗୋଟିଏ ବିରାଟ ଔଷଧ ଦୋକାନ ଓ ଚିକିତ୍ସାଳୟ କରିବି ଯେଉଁଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ସବୁ ରହିବ, ଉଚ୍ଚଶିକ୍ଷିତ ଡାକ୍ତର, ନର୍ସମାନେ ରହିବେ, ଲୋକଙ୍କର ସେବା କରିବି, ଯଶ ହେବ...କିନ୍ତୁ ମୋର ସବୁ ଆଶା ବ୍ୟର୍ଥ ହେଲା ।”

 

ରମାକାନ୍ତ ସ୍ଵରରେ ଅନୁତାପର ସଙ୍କେତ । ଦୀର୍ଘନିଃଶ୍ୱାସ ଛାଡ଼ି ସେ ଯେପରି କହିଲା, ଓଡ଼ିଶାରେ ମଧୁସୂଦନ ଷଡ଼ଙ୍ଗୀ, ବସୁନ୍ଧରାଙ୍କ ସନ୍ତାନ ଭାବେ ଜନ୍ମହୋଇ ତା’ ର ଜୀବନ ବ୍ୟର୍ଥ ହୋଇଛି ।

 

“ଏଥିପାଇଁ ଏତେ ହତାଶା, ଏତେ ହାହାକାର ? ମୋ ଟଙ୍କାଗୁଡ଼ାକ କ’ଣ ହେବ କହିଲେ ? ମୋ ଭାଗରେ ତ ପଚାଶ ଷାଠିଏ ହଜାର ଟଙ୍କା ପଡ଼ିବ । ମୁଁ ତ ଆପଣଙ୍କୁ ସେକଥା କେତେଥର କହିଛି । ମୁଁ ଭଲ କରି ଜାଣେ ବାବା ମୋତେ ତାଠୁ କମ୍ ଦେଉ ନାହାଁନ୍ତି ।”

 

ରମାକାନ୍ତ ଚୁପ୍ ରହିଲା ।

 

“ଚୁପ୍ ରହିଲେ କାହିଁକି ? ମୋତେ ନିଜର ବୋଲି ଭାବିବାକୁ ଖରାପ ଲାଗୁଛି ?”

 

“ମୁଁ ତ କହୁଛି, ବାପାଙ୍କୁ ରାଜି କରାଅ ସିଭିଲ୍ ମ୍ୟାରେଜ୍ ପାଇଁ । ମୁଁ କାଲି ତୁମକୁ ବିବାହ କରିବାକୁ ପ୍ରସ୍ତୁତ ଅଛି; କିନ୍ତୁ ତୁମର ଓ ବଂଶୀଧର ବାବୁଙ୍କର ଏକାଜିଦି ହିନ୍ଦୁ ରୀତିରେ ବିବାହ କରିବାକୁ, ହେବ । ଏଥିରେ କ’ଣ କରାଯିବ କୁହ !!”

 

“ଆପଣ ବେଦୀ ଉପରକୁ ଯିବାକୁ ଏତେ ବିଗୁଡ଼ଛନ୍ତି କହିଁକି ?”

 

“ବେଦୀ ଉପରକୁ ଯିବାକୁ ନୁହଁ ରଜନୀ, ତୁମେ ବୁଝିପାରିବନ, ହିନ୍ଦୁ ମତରେ ବ୍ରାହ୍ମଣ ଓ କରଣର ବିବାହ ହେଇପାରେ ନା । କେଉଁ ଭଲ ବ୍ରାହ୍ମଣ, ରାଜିହେବ ଆମ ଦୁହିଁଙ୍କୁ ବିବାହ କରେଇବା ପାଇଁ ? ଅବଶ୍ୟ ବଂଶୀବାବୁ କହୁଥିଲେ ସେ ଟଙ୍କା ଦେଇ ସେ କୌଣସି ବ୍ରାହ୍ମଣକୁ ପ୍ରୋଗ୍ରେସିଭ୍ କରାଇ ଦେବେ ।”

 

“ବାବା ତ କହୁଛନ୍ତି ଆର୍ଯ୍ୟସମାଜୀ ହୋଇଗଲେ କଥା ଛିଡ଼େ !”

 

“ଏତେ ଅଡ଼ୁଆରେ କାହିଁକି ପଶିବା କହିଲ ? ସିଭିଲ୍ ମ୍ୟାରେଜ ହେଲେ କ୍ଷତିଟା କ’ଣ-? ମୋ ମତରେ ତ ଶୈବ ବିବାହଇ ସର୍ବଶ୍ରେଷ୍ଠ । ହୃଦୟରେ ହୃଦୟର ବନ୍ଧନ ଥିବାଯାଏଁ, ସ୍ଵାମୀ ସ୍ତ୍ରୀ-। ହୃଦୟ ବନ୍ଧନ ଶିଥିଳ ହୋଇଗଲେ ତୁମେ ତୁମ ବାଟରେ, ମୁଁ ମୋ ବାଟରେ; କିନ୍ତୁ ଆମ ଦୁହିଁଙ୍କର ତ ସେହିପରି ଆଉ ହେବନି । ଆମେ ଦୁହେଁ ତ ପରସ୍ପରକୁ ଭଲ ପାଉଛେ, ସବୁବେଳେ ଭଲ ପାଉଥିବା ।”

 

ରମାକାନ୍ତର କଥା ଶୁଣି ରଜନୀଙ୍କ ଚକ୍ଷୁରୁ ଦୁଇଧାର ଲୁହ ବୋହିଗଲା ।

 

“ଆରେ ତୁମେ କାନ୍ଦୁଛ !” ରମାକାନ୍ତ ଚେୟାର୍‌ରୁ ଉଠି ଠିଆ ହୋଇପଡ଼ିଲା ।

 

“ମୁଁ ଯାଉଛି ପରେ ଆସିବି ।”

 

ରଜନୀ ଚାଲିଗଲେ । ରମାକାନ୍ତ ମନେପଡ଼ିଲା ରଜନୀଙ୍କ ସହ ପ୍ରଥମେ ପ୍ରଥମେ ପରିଚୟ ଓ ଘନିଷ୍ଠତାର କଥା । ରେଭେନ୍‍ସା କଲେଜରେ ସେ ଆଇ.ଏସ୍.ସି.ରେ ନାମ ଲେଖା ଯାଇଥାଏ । ସେହି କ୍ଲାସରେ ତା’ ପରିଚୟ ହୁଏ ଅଜିତ୍ ଓ ରମେଶ ସହିତ, ଦୁଇ ଘନିଷ୍ଠ ବନ୍ଧୁତାର । ରମେଶର ଘର ବାଲେଶ୍ଵରର ଦେବପୁର ଶାସନରେ; ଅଜିତ୍‍ର କଟକ ସହରରେ । ଦିନେ କ୍ଲାସରେ ସମସ୍ତେ ବସିଛନ୍ତି, ପ୍ରଫେସର ଆସିନାହାନ୍ତି, ଜଣେ ଭଦ୍ରମହିଳା (କିନ୍ତୁ ପ୍ରକୃତରେ ସେ ଜଣେ ଛାତ୍ରୀ-!) ବାହାରେ ଠିଆହୋଇ ପଚାରିଲେ–

 

“ପ୍ରଥମବାର୍ଷିକ ପ୍ରାଣୀ–ବିଜ୍ଞାନ କ୍ଲାସ୍ କ’ଣ ଏଇଟା ?”

 

ଭଦ୍ର ମହିଳାଙ୍କ ଚେହେରାର ବିଶେଷତା ସବୁ ପିଲାଙ୍କର ଧ୍ୟାନ ଆକର୍ଷଣ କଲା । ତାଙ୍କ ପ୍ରଶ୍ନ ଉତ୍ତର ଦେବାକୁ ସମସ୍ତେ ଭୁଲିଗଲେ ତାଙ୍କୁ ଦେଖି । ତା’ପରେ ମୁରୁକେଇ ମୂରୁକେଇ ହସ । ସେ ରୂପବତୀ ନ ଥିଲେ; କିନ୍ତୁ ବେଶଭୁଷାରେ ଆଧୁନିକା । ରୂପ ସହ ତାହା ଆଦୌ ଖାପ ଖାଉ ନ ଥିଲା । ଦାମିକା ଚଟୀ, ହାତରେ ଭ୍ୟାନିଟୀ ବ୍ୟାଗ୍, ପିଠି କଟା ଓ ପେଟ କଟା ବ୍ଲାଉଜ, ନାଇଲନ୍ ଶାଢ଼ୀ ।

 

କେହି ପ୍ରଶ୍ନର ଉତ୍ତର ନ ଦେଇ ତାଙ୍କ ଆଡ଼କୁ ଚାହିଁ ମୁରିକେଇ ମୁରୁକେଇ ହସିବାରୁ ଭଦ୍ରମହିଳା ଅପ୍ରତିଭ ହୋଇଯାଇ କ୍ଲାସ୍ ଭିତରକୁ ଆସି ପାରୁ ନ ଥିଲେ କି ବାରଣ୍ଡାରୁ ଚାଲିଯାଇ ପାରୁ ନ ଥିଲେ । ତାଙ୍କର ଅସହାୟ ଅବସ୍ଥା ରମାକାନ୍ତ ଆଉ ସହି ପାରିଲାନି । ସେ ଠିଆ ହୋଇପଡ଼ି କହିଲା–

 

‘‘ହଁ, ପ୍ରଥମବାର୍ଷିକ ପ୍ରାଣୀ-ବିଜ୍ଞାନ କ୍ଲାସ୍‍ ଏଇଟା ।’’

 

ପ୍ରଶ୍ନର ଉତ୍ତର, ପ୍ରଶ୍ନ ପଚାରିବାର ବହୁ ସମୟ ପରେ, ହଠାତ୍ ଦିଆଯିବା ଦେଖି ସମସ୍ତେ ହୋ ହୋ ହୋଇ ହସି ଉଠିଲେ । ରଜନୀ କିନ୍ତୁ କ୍ଲାସ୍ ଭିତରକୁ ପଶିଗଲେ । ସେହି ଥିଲା ରଜନୀ ସହ ରମାକାନ୍ତର ପରିଚୟର ପ୍ରଥମ ଦିନ । କ୍ଲାସ୍ ଭାଙ୍ଗିବା ପରେ ରମାକାନ୍ତର ଆଶ୍ଚର୍ଯ୍ୟର ସୀମା ରହିଲାନି ଯେତେବେଳେ ରଜନୀ ଆସି ତାକୁ ଧନ୍ୟବାଦ ଦେଲେ । ଧନ୍ୟବାଦ ପାଇ ଝିଅ ପିଲାଙ୍କ ପରି ସେ ଲାଜରେ ସଙ୍କୁଚିତ ହୋଇଗଲା । କେତେ କ’ଣ ରଜନୀ ତାକୁ ଇଂରାଜୀରେ ସେଦିନ କହିଥିଲେ ।

 

ତା’ର କେତେଦିନ ପରେ । ବାହାରେ ଭାରି ଜୋରରେ ବର୍ଷା । କ୍ଲାସ୍‍କୁ ଯେଉଁ ଦଶ ବାର ଜଣ ଆସିଥାନ୍ତି ସମସ୍ତେ ବୃତ୍ତାକାରରେ ବସି ଗଳ୍ପରତ । ଅଧ୍ୟାପକ ଆସିବେନି ବୋଲି ପିଅନ୍ ହାତରେ କହି ପଠାଇ ଥାଆନ୍ତି । ସେଦିନ କ୍ଲାସରେ ଉପସ୍ଥିତ ଥିବା ଦୁଇଜଣ ଝିଅପିଲାଙ୍କ ମଧ୍ୟରୁ ଜଣେ ଥିଲେ ରଜନୀ । ଝିଅ ଦୁଇଜଣ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥାଆନ୍ତି, ପୁଅମାନଙ୍କର ଉଚ୍ଛ୍ୱସିତ ହସ ଦ୍ଵାରା ବେଳେ ବେଳେ ସେମାନଙ୍କର ସୁଖାଳାପ ବ୍ୟାହତ ହେଉଥାଏ । ଏଇ ସମୟରେ କଥା ପ୍ରସଙ୍ଗରେ କେହି ଜଣେ ରମେଶକୁ ହାତ ଦେଖାଇ କହିଲା–“ତୁ ଯଦି କହୁଛୁ ଭାଗ୍ୟବାଦ ସିଦ୍ଧାନ୍ତ ଯଥାର୍ଥ ନୁହେଁ ତା’ ହେଲେ ମୋ ହାତ ଦେଖି ଫଳାଫଳ କହ ।” ରମେଶ ସାମୁଦ୍ରିକ ଜାଣିଥିବା ସେଦିନ ରମାକାନ୍ତ ପ୍ରଥମେ ଜାଣିଲା । ରମାକାନ୍ତ କହିଲା–“କିନ୍ତୁ ହାତରେଖାରୁ ଯଦି ଫଳାଫଳ ଜଣା ପଡ଼ିବ ତା’ହେଲେ ଭାଗ୍ୟବାଦ ପୁଷ୍ଟ ହେଲା ବୋଲି ସିନା କହିବାକୁ ହେବ ।”

 

“କିପରି ?” ହାତ ଦେଖାଉଥିବା ଛାତ୍ରୀ ଚିଡ଼ି ଉଠିଲେ–“ଫଳାଫଳ ଜାଣିବା ପରେ ଆମେ ପୁରୁଷାର୍ଥ ଦ୍ଵାରା ଫଳକୁ ପରିବର୍ତ୍ତିତ କରି ପାରିବୁ ।”

 

ଦୁହିଁଙ୍କ ଯୁକ୍ତିରେ ଅଜିତ୍ ହଲଚଲ ହେଲା । ପିଲାମାନେ ତା’ର ଅଦ୍ଭୁତ କିନ୍ତୁ ବଳିଷ୍ଠ ଯୁକ୍ତିଯୋଗୁଁ ତାକୁ ଅଜିତକେଶକମ୍ବଳୀ ବୋଲି ଡାକିବା ଆରମ୍ଭ କରିଦେଇଥିଲେ । ଅଜିତ୍ କହିଲା–“କିନ୍ତୁ ଯାହା କିଛି ହେବାକୁ ଅଛି ତାକୁ ଯଦି ଆପଣ ପରିବର୍ତ୍ତିତ କରିଦେବେ ତା’ହେଲେ ତା’ ହେବାକୁ ଥିଲା ବୋଲି କିପରି ଜଣା ପଡ଼ିବ ? ଆଉ ଯଦି ପରିବର୍ତ୍ତିତ ହୋଇ ନ ପାରିଲା ତା’ ହେଲେ ପୁରୁଷାର୍ଥ ଅଛି ବୋଲି କିପରି ଜାଣିବ ?

 

ସମସ୍ତେ ଅଜିତ୍ ଯୁକ୍ତିରେ ବାହାବା କରି ଉଠିଲେ । ତେବେ ଯୁକ୍ତିତର୍କର ଫଳାଫଳ ହେଲା ରମେଶ ମାଧବର ହାତ ଦେଖିବାରେ । ମାଧବର ହାତ ଦେଖି ରମେଶ ଏଣୁତେଣୁ କହିବା ବେଳେ ରଜନୀ କହିଲେ–

 

“ଆପଣ ମୋ ହାତ ଟିକିଏ ଦେଖିବେ କି ?”

 

ସମସ୍ତେ ପଛରୁ ଏପରି ଅନୁରୋଧ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

 

ରମେଶ ସଙ୍କୁଚିତ ହୋଇଯାଇ ପରେ କହିଲା–“ହାତ ଦେଖିବି; କିନ୍ତୁ ଫଳାଫଳ ବର୍ତ୍ତମାନ କହିବିନି ।”

 

“କାହିଁକି ? ନା, ନା, ଏଇଠି କହିବେ, ମୋର ଗୋପନୀୟ ହୋଇ କିଛି ନାହିଁ ।” ହଠାତ୍ ପୁଣି ବାହାବାର ଶବ୍ଦରେ କ୍ଲାସ୍ କମ୍ପି ଉଠିଲା ।

 

ରଜନୀଙ୍କ ପାଇଁ ଜାଗା ହୋଇଗଲା । ରମେଶ ନିବିଷ୍ଟ ଚିତ୍ତରେ ରଜନୀଙ୍କର ଦୁଇ ହାତକୁ ଦେଖିବାକୁ ଲାଗିଲା । ରଜନୀ ଉତ୍କଣ୍ଠିତା ହୋଇ ଅପେକ୍ଷା କରିଥାଆନ୍ତି । କିଛି ସମୟ ଚାଲିଯିବା ପରେ ଜଣେ କେହି ଟିପ୍‍ପଣୀ କଲେ–“କ’ଣ ହାତଟାକୁ ଧରି ସେହିପରି ବସିଥିବେ ?”

 

“କହୁଛି ।”

 

“କୁହନ୍ତୁ ।”

 

କିଛି ସମୟ ପରେ, ରମେଶ କହିଲା–

 

“ଆପଣଙ୍କର ଦାମ୍ପତ୍ୟ ଜୀବନ ଓ ମନାନ୍ତରରେ ପୂର୍ଣ୍ଣ ହେବ ।”

 

ରଜନୀଙ୍କ ମୁହଁ କଳା ପଡ଼ିଗଲା । “ଆଉ କ’ଣ କୁହନ୍ତୁ ।”

 

ରଜନୀଙ୍କ ଉତ୍କଣ୍ଠା ଓ ଫଳ ଶୁଣିବା ପରେ ଭାବଭଙ୍ଗୀକୁ ତା’ ଗଣନାରେ ସଫଳତା ବୋଲି ଠିକ୍ କରିନେଇ ରମେଶ ବିଶେଷ ଉତ୍ସାହରେ କହିଲା–

 

“ଆପଣଙ୍କର ସନ୍ତାନ ସନ୍ତତି ହେବନି ।”

 

ରଜନୀ କିଛି ନ କହି ଚୁପ୍ ରହିଲେ ।

 

“ଆପଣଙ୍କର ହୃଦୟରେ ଗୋଟିଏ ଗୁପ୍ତ ଇଚ୍ଛା ଅଛି । ଆପଣଙ୍କ ଇଚ୍ଛା ଘର ଛାଡ଼ି କେଉଁ ଆଡ଼େ ଚାଲିଯିବାକୁ । ଦେଶ ଦେଖିବା ପାଇଁ ହେଉ, ବା ଉଚ୍ଚଶିକ୍ଷା ପାଇଁ ହେଉ । ଯିବାକୁ ଇଚ୍ଛା ଦୂରକୁ, ବହୁ ଦୂରକୁ ।”

 

“ହଁ, ହଁ ।” ରଜନୀଙ୍କ ଆଖି ଆନନ୍ଦରେ ପ୍ରଦୀପ୍ତ ହୋଇ ଉଠିଲା ।

 

ରମାକାନ୍ତ ଆଉ ସମ୍ଭାଳି ପାରିଲାନି ।

 

“ରଜନୀ ଦେବୀ ! ଆପଣ ଏସବୁ କଥା ବିଶ୍ୱାସ କରୁଛନ୍ତି କିପରି, ରମେଶ କେବଳ ଅନ୍ଧାର ଘରକୁ ଟେକା ଫୋପାଡ଼ୁଛି ! ଆପଣ ଜାଣି ପାରୁନାହାନ୍ତି ?”

 

“ଚୁପ୍ କର୍ ମଫସଲୀ ।”

 

ରମାକାନ୍ତ ମଫସଲ୍‍ରୁ ଆସିଥିଲା ବୋଲି ରମେଶ ଜାଣିଥିଲା ।

 

ଏଇ ସମୟରେ ଅଜିତ୍ କେଶକମ୍ବଳୀଙ୍କ ଗମ୍ଭୀର କଣ୍ଠ ଶୁଣାଗଲା–“ରମେଶର କଥାଗୁଡ଼ାକ ଠିକ୍ ଧପ୍‍ପାମୀ ନୁହଁ । ଅନେକଟା ରଜନୀ ଦେବୀଙ୍କ ହାତରୁ ନୁହଁ, ତାଙ୍କ ଶରୀରକୁ ଚାହିଁ ସେ ଅନୁମାନ କରିଥିବା ପରି ମନେ ହେଉଛି ।”

 

କେହି ଜଣେ ହସି ଉଠୁଥିବାବେଳେ କେଶକମ୍ବଳୀ ରୁକ୍ଷଭାବେ କହିଲା–“ହସନା । ଶୁଣ, ଶୁଣ । ଜଣେ ଲୋକ ଅତିକାୟ ହେଲେ, ବିଶେଶତଃ ସ୍ତ୍ରୀଲୋକ, ସେମାନଙ୍କର ସନ୍ତାନ ସନ୍ତତି ହୁଅନ୍ତିନି । ସାଧାରଣ କଥା, ପ୍ରୋଟିନ ବହୁଳତାରେ ବନ୍ଧ୍ୟାତ୍ଵ ଆସେ । ସୌନ୍ଦର୍ଯ୍ୟ ନ ଥିବ, ତହିଁରେ ପୁଣି ବନ୍ଧ୍ୟାତ୍ଵ, ସ୍ତ୍ରୀର ଦାମ୍ପତ୍ୟ ଜୀବନ ସୁଖମୟ ନ ହେବା କଥା । ପ୍ରତ୍ୟେକ ସ୍ତ୍ରୀ ନିଜ ଶାରୀରିକ ସୌନ୍ଦର୍ଯ୍ୟ ନେଇ ଅନ୍ୟଲୋକଠୁ ପ୍ରଶଂସା ଶୁଣିବାକୁ ଲାଳାୟିତ । ଯେଉଁଠି ତା’ ମିଳେନି, ସେଠି ସେମାନେ ରହିବାକୁ ଭଲ ପା’ନ୍ତିନି । ଏହି ସାଧାରଣ ନାରୀ ମନସ୍ତତ୍ତ୍ୱରୁ ରଜନୀଦେବୀ ବ୍ୟତିକ୍ରମ ନୁହନ୍ତି । ତେଣୁ ସେ ବିଦେଶକୁ ଚାଲିଯିବାକୁ ଇଚ୍ଛା କରିବା ସ୍ଵାଭାବିକ । ପୁଣି ବିଦେଶରେ ଏପରି କୌଣସି ଡାକ୍ତର ମିଳିଯାଇ ପାରନ୍ତି ଯେ ଅତ୍ୟାଧୁନିକ ଔଷଧ ସାହାଯ୍ୟରେ ରଜନୀ ଦେବୀଙ୍କ ଶରୀରକୁ ତାଙ୍କର ମନାନୁରୂପ କରି ଦେଇ ପାରନ୍ତି । ଏହି ଆଶା ମଧ୍ୟ ତାଙ୍କୁ ବିଦେଶ ଯିବାକୁ ପ୍ରେରଣା ଦେଉଛି ।”

 

“ତେଣୁ ରମେଶ ଯାହା ଯାହା କହିଲା ସବୁ ବିଶୁଦ୍ଧ ଅନୁମାନ, ହାତ ନ ଦେଖି ମଧ୍ୟ ସେ ସବୁ କୁହାଯାଇ ପାରିଥାଆନ୍ତା ।

 

‘ସାଧୁ, ସାଧୁ’ ନାଦରେ କ୍ଲାସ୍‍ଟି ଉଛୁଳି ପଡ଼ିଲା । କେଶକମ୍ବଳୀର ଯୁକ୍ତି ଶୁଣିବାକୁ ସାଧାରଣତଃ ସମସ୍ତେ ଭଲ ପାଉଥିଲେ । ରମେଶକୁ ଆଉ କିଛି କହିବାକୁ ସୁଯୋଗ ଦିଆଗଲାନି ।

 

ଛାତ୍ରମାନଙ୍କ ପାଟି ତୁଣ୍ଡ ବେଳେ ରଜନୀ ଦେବୀ କେତେବେଳେ ଚୁପ୍‍କରି ଚାଲିଗଲେ ରମାକାନ୍ତ ଛଡ଼ା ଆଉ କେହି ଦେଖି ପାରିଲେନି । ବହୁବେଳୁ ରମାକାନ୍ତ ଲକ୍ଷ୍ୟ କରୁଥିଲା କିପରି ବନ୍ଧୁମାନଙ୍କର ତର୍କ ରଜନୀଙ୍କ ଉପରେ ଭଲ ପ୍ରଭାବ ପକାଇବା ପରିବର୍ତ୍ତେ ତାଙ୍କର ଦୁଃଖ ଓ ବେଦନାକୁ ଆହୁରି ମର୍ମସ୍ପର୍ଶୀ କରି ଦେଉଛି । ରମାକାନ୍ତ ଥରେ ଦୁଇଥର ସେହି ଅପ୍ରିୟ ଯୁକ୍ତିତର୍କକୁ ବନ୍ଦ କରିବାକୁ ମଧ୍ୟ ଚେଷ୍ଟା କରିଥିଲା; କିନ୍ତୁ ହୋହୋରେ ତା’ କଥା କେହି ଶୁଣି ନ ଥିଲେ । ରଜନୀଙ୍କ ପଛେ ପଛେ ସେ ମଧ୍ୟ ପଦାକୁ ବାହାରି ଆସିଲା । ବାହାରେ ରଜନୀ ଆଖିରେ ରୁମାଲ ମନ୍ଥି ମନ୍ଥି ଚାଲିଯାଉଥିଲେ । ରମାକାନ୍ତ ପାଖକୁ ଯାଇ କହିଲା–“ଜଣାପଡ଼ୁଛି ସାମୁଦ୍ରିକ ଉପରେ ଆପଣଙ୍କର ଭାରୀ ବିଶ୍ୱାସ; କିନ୍ତୁ ସବୁଥିରେ ଯେପରି ଠକ, ଧପ୍‍ପାବାଜଙ୍କର ଅଭାବ ନାହିଁ, ସେହିପରି ସାମୁଦ୍ରିକ ଶାସ୍ତ୍ରରେ ମଧ୍ୟ । ଆପଣ ତ ଦେଖିଲେ ଅଜିତ୍ କିପରି ରମେଶ ସବୁ ଅନୁମାନ ବଳ ଉପରେ କହୁଥିଲା ବୋଲି ପ୍ରମାଣ କରିଦେଲା ।”

 

“ମୁଁ ସେଥିଯୋଗୁଁ ଦୁଃଖିତ ନୁହେଁ ।”

 

“ତା’ ହେଲେ ?”

 

“ଅଜିତ୍‍ବାବୁଙ୍କର ଧାରଣା ଯୋଗୁଁ ମୁଁ ଅସନ୍ତୁଷ୍ଟ । ମୁଁ କ’ଣ ଅଜିତ୍‍ବାବୁ ଯେଉଁପରି କହିଲେ ସେହିପରି ମୋଟା, ଅସୁନ୍ଦର ?”

 

ରମାକାନ୍ତ ପ୍ରଶ୍ନ ଶୁଣି ପ୍ରଥମେ କିଛି ଠିକ୍ କରି ପାରିଲାନି କ’ଣ କହିବ । ସେ ଆଶ୍ଚର୍ଯ୍ୟ ହେଲା ରଜନୀକୁ ପ୍ରଶ୍ନରେ । କ୍ଷଣକ ପରେ ସେ କହିଲା, “ଅଜିତ୍ ଆପଣଙ୍କୁ ମୋଟା ବୋଲି କହିନି, ରମେଶ ଆପଣଙ୍କୁ ମୋଟା ବୋଲି ଠିକ୍ କରି, ଏହି ସବୁ କଥା କହିଛି ବୋଲି ସେ କହୁଥିଲା ।”

 

“ହଁ, ରମେଶଙ୍କ ଅନୁମାନ ଠିକ୍ ହୋଇପାରେ ।”

 

“ଭୁଲ୍ ବି ହୋଇପାରେ ।”

 

ରଜନୀ ରମାକାନ୍ତକୁ ଚାହିଁଲେ । ଛୋଟପିଲାଙ୍କୁ ବୁଝାଇବା ଭଳି ସେତେବେଳେ ରମାକାନ୍ତ ତତ୍ପର ଦେଖାଯାଉଥିଲା । ସେ ହସିଦେଲେ ।

 

“ହସିଲେ କାହିଁକି ?”

 

“ମୁଁ କ’ଣ ସତରେ ମୋଟା ନୁହଁ ?” ରମାକାନ୍ତର ଇଚ୍ଛା ହେଉଥିଲା କହିବାକୁ, ନା, ଆପଣ ମୋଟା ନୁହଁ, ଖାଲି ଯାହା ହାତୀଟିଏ ପରି ଦିଶୁଛନ୍ତି । ସେ କିନ୍ତୁ କହିଲା–“ନା, ଆପଣ ମୋଟା ନୁହନ୍ତି, ଆପଣଙ୍କୁ ମୁଁ କହିବି, ସ୍ଵାସ୍ଥ୍ୟବତୀ ।”

 

“ହଉ, ଛାଡ଼ନ୍ତୁ ସେକଥା, ଚାଲନ୍ତୁ ବୁଲି ଆସିବେ, କାର୍ ଥୁଆ ହୋଇଛି ।

 

ସେଦିନ ଘଟଣା ପରେ ଫଳ ହେଲା, ରଜନୀ ଓ ରମାକାନ୍ତଙ୍କ ସହ ଘନିଷ୍ଠତା; କିନ୍ତୁ ରମାକାନ୍ତ ଯେତେବେଳେ ଭାବୁଥିଲା, ସେମାନଙ୍କ ମଧ୍ୟରେ ମାତ୍ର ପରିଚୟ ଓ ବନ୍ଧୁତା ବଢ଼ୁଛି, ସେତେବେଳେ ରଜନୀ ଭାବୁଥିଲେ ରମାକାନ୍ତ ତାଙ୍କୁ ଭଲ ପାଉଛି । କ୍ରମେ କ୍ରମେ ରମାକାନ୍ତ ମଧ୍ୟ ରଜନୀଙ୍କ ମନ କଥା ଜାଣିପାରିଲା ।

 

ବନ୍ଧୁମାନେ ହସିଲେ, ଥଟ୍ଟା କଲେ, ପଛରେ ରମାକାନ୍ତର ଅଦ୍ଭୁତ ରୁଚି ନେଇ ମନ୍ତବ୍ୟ ପ୍ରକାଶ କଲେ । ଅନେକ ରମାକାନ୍ତର ପ୍ରେମରେ ବ୍ୟାବହାରିକ ବୁଦ୍ଧିର ସଙ୍କେତ ପାଇ ରମାକାନ୍ତକୁ ପ୍ରଶଂସା ମଧ୍ୟ କଲେ । ବଡ଼ମାଛ ଜାଲରେ ଧରୁଛୁ, ସୁନ୍ଦର ଅସୁନ୍ଦରରେ କ’ଣ ଥାଏ, ଲକ୍ଷାଧିପତିର ଝିଅକୁ ତ ପାଉଛୁ ! ଆବେ, ଟଙ୍କାଗୁଡ଼ିଏ ପାଇଯା, ତା’ପରେ ତୋତେ ସୁନ୍ଦର ଝିଅ ଅଭାବ ହେବେ-? ରମାକାନ୍ତ ପ୍ରତିବାଦ କଲାନି କାହା କଥାରେ । ସେତେବେଳେ ସେ ଅଜିତ୍‍ କେଶକମ୍ବଳୀଠୁ ନୂତନ ଜୀବନ–ଦର୍ଶନରେ ଦୀକ୍ଷିତ ହେଉଥିଲା, ଅଜିତ୍ ଥିଲା ତା’ର ଗୁରୁ, ଅପର୍ଯ୍ୟାପ୍ତ ଜ୍ଞାନ ତା’ର, ଅସଂଖ୍ୟ ବହି ତା’ର ଘରେ । ସତକୁ ସତ ଅଜିତ୍ କେବଳ କମ୍ବଳ ଉପରେ ଶୋଉଥିଲା, ଯାହା ପଇସା ପାଉଥିଲା ତାକୁ ବହି କିଣିବାରେ ଖର୍ଚ୍ଚ କରି ଦେଉଥିଲା । ମାର୍କସ୍ ତା’ର ପ୍ରିୟ ଥିଲେ, ଭାରତୀୟ ଲେଖକମାନଙ୍କ ମଧ୍ୟରେ ରାହୁଳ ସାଂକୃତ୍ୟାୟନ । କ୍ଲାସରେ ସେ ପ୍ରଥମ ହେଉଥିଲା, ତା’ ଜ୍ଞାନପିପାସାର ସମ୍ମୁଖୀନ ହେବାକୁ ଅଧ୍ୟାପକମାନେ ମଧ୍ୟ ଡରୁଥିଲେ ।

 

ରମାକାନ୍ତ ଯେତେବେଳେ ଅଜିତ୍ ଦର୍ଶନରେ ସମ୍ପୁର୍ଣ୍ଣ ଉଦ୍‍ବୁଦ୍ଧ ହୋଇଗଲା, ସେତେବେଳକୁ ଆଉ ରଜନୀଙ୍କ କଥାରେ ପ୍ରତିବାଦ କରିବାର ପ୍ରୟୋଜନୀୟତା ମଧ୍ୟ ନ ଥିଲା । ନୂତନ ଦର୍ଶନ ତାକୁ ରଜନୀଙ୍କୁ ଭଲ ପାଇବାକୁ ନ ଶିଖାଇଥିଲେ ମଧ୍ୟ, ରଜନୀଙ୍କ ବିପୁଳ ଅର୍ଥକୁ ଭଲ ପାଇବା ଶିଖାଇ ଦେଇଥିଲା ।

 

ଏଣେ ରଜନୀଙ୍କ କାନରେ ତାଙ୍କର ଅନେକ ସଙ୍ଗିନୀ ରମାକାନ୍ତର ପ୍ରକୃତ ଉଦ୍ଦେଶ୍ୟ ସମ୍ବନ୍ଧରେ କହିବାକୁ ଭୁଲୁ ନ ଥିଲେ; କିନ୍ତୁ ରମାକାନ୍ତ ଉପରେ ରଜନୀଙ୍କର ଅଗାଧ ବିଶ୍ୱାସ ଥିଲା । ଜଣେ ସଙ୍ଗିନୀ କହିଥିଲେ–“ରଜନୀ, ହୁସିଆର ରହିବୁ । ତୋତେ ବିଭାହୋଇ ତୋର ସବୁ ଟଙ୍କା ନେଇ ଚାଲିଯିବା ଉପାୟ କରୁଥିବଟି ?”

 

“ତୋର କାହିଁକି ଦିହ ସହୁନି, ସେ ନେଲେ ମୋର ଟଙ୍କା ନେବେ, ତୋର ତ ନୁହେଁ ?”

 

ତା’ର କେତେଦିନ ପରେ ଥରେ ରଜନୀ ସାହସ କରି ରାମାକାନ୍ତକୁ ବିବାହ କରିବା କଥା ପଚାରିଦେଲେ । ରମାକାନ୍ତ ସେତେବେଳେ ସିଗାରେଟ୍ ପିଉଥିଲା । ଧୂଆଁ ଭିତରକୁ ଯାଇଛି, ରଜନୀଙ୍କ ପ୍ରଶ୍ନ ଶୁଣି ରମାକାନ୍ତର ଆଖି ଛୋଟ ଛୋଟ ହୋଇଗଲା, ଯେତିକି ସମୟ ଧୂଆଁ ରଖିବା କଥା ତା’ଠୁ ବେଶି ସମୟ ସେ ଧୂଆଁକୁ ପାଟିରେ ରଖି ଶେଷରେ କହିଲା–

 

କାହିଁକି କେଜାଣି ପଚାରିଦେଇ ରଜନୀଙ୍କ ମନରେ ଭାରି ଭୟ ହେଉଥାଏ । କାଳେ ରମାକାନ୍ତ ମନା କରିଦେବ ! କିନ୍ତୁ ରମାକାନ୍ତ ହସି ହସି କହିଲା–“ପ୍ରେମର ତ ସ୍ଵାଭାବିକ ପରିଣତି ବିବାହ, ପଚାରୁଛ କ’ଣ ?”

 

ବାକ୍ୟ ସହିତ ରମାକାନ୍ତ ପାଟିରୁ ଧୂଆଁ ଗୁଡ଼ା ବାହାରୁଥାଏ । କୃତଜ୍ଞତାରେ ରଜନୀଙ୍କ ଫାଟିପଡ଼ିବା ପରି ଲାଗିଲା । ସେ ରମାକାନ୍ତକୁ ଆଲିଙ୍ଗନ କଲେ । କହିଲେ, ଆମେ କିନ୍ତୁ ଅପାଠୁଆ ବ୍ରାହ୍ମଣଙ୍କୁ ପୁରୋହିତ କରିବାନି ।

 

“ମାନେ ?” –ରମାକାନ୍ତ ରଜନୀଙ୍କର କଥା ଶୁଣି ଆଶ୍ଚର୍ଯ୍ୟ ହେଲା ।

 

“ଆମେ ବନାରସରୁ ପଣ୍ଡିତ ଆଣିବା, ସେତ ପୁରୋହିତ ହେବେ ।”

 

“ପୁରୋହିତ ପ୍ରଶ୍ନ କେଉଁଠି ଉଠୁଛି ରଜନୀ, ଆମେ ତ ସିଭିଲ୍ ମ୍ୟାରେଜ୍ କରିବା ।”

 

“ସିଭିଲ ମ୍ୟାରେଜ୍ ! !” ରଜନୀ ଆଶ୍ଚର୍ଯ୍ୟ ହୋଇ ରମାକାନ୍ତକୁ ଚାହିଁଲେ ।

 

“ନା, ନା, କଦାପି ନୁହେଁ ! ଆମେ ଦୁହେଁ ହିନ୍ଦୁ । ସିଭିଲ୍ ମ୍ୟାରେଜ୍ କାହିଁକି ?”

 

“କି ବାଜେ କଥାଗୁଡ଼ାକ କହୁଛ ଶୁଣେ ।”

 

“ମୁଁ ଯାହା କହୁଛି ତାହା ହିଁ ହେବ ।”

 

ରମାକାନ୍ତ ରାଗରେ ଫୁଁ ଫୁଁ ହବା ଛଡ଼ା ଆଉ କିଛି ଉପାୟ ନ ଥିଲା ।

 

 

ସେଦିନ ପରେ ଅନେକ ଦିନ ଚାଲିଯାଇଥିଲେ ମଧ୍ୟ ସ୍ନେହ ଦେବୀପାଦ ପାଖକୁ ଆଉ ଯାଇନାହାନ୍ତି କି ଦେବୀପାଦ ସ୍ନେହ ପାଖକୁ ଆସିନି ।

 

ସ୍ନେହଙ୍କ ବିଭାଘର ନିକଟ ହୋଇଆସିଚି । ଫାଲ୍‍ଗୁନ ଶୁକ୍ଳଚତୁର୍ଥୀଦିନ ବିଭାଘର । ବିଭାଘର ଠିକ୍ ହୋଇଯିବାଠୁ ସ୍ନେହ ଅନ୍ୟମାନଙ୍କଠୁ ସଙ୍କୁଚିତ ହୋଇ ଚଳୁଥିଲେ । ନିଜ ଅନ୍ତରର ଦୁଃଖ କ୍ରମଶଃ ତାଙ୍କୁ ଜୀର୍ଣ୍ଣ କରିଦେଉଥିଲା । ବହୁବାର ସେ ସଙ୍କଳ୍ପ କରୁଥିଲେ, ବଗିଚାକୁ ଯାଇ ଶେଷଥର ପାଇଁ ଦେବୀପାଦ ସହ କଥାବାର୍ତ୍ତା କରି ଆସିବେ; କିନ୍ତୁ ଅନେକଥର ସୁବିଧା ହୋଇନି, କେତେଥର ସୁବିଧା ହୋଇଥିଲେ ମଧ୍ୟ ସେ ଅଭିମାନରେ ଯାଇନାହାନ୍ତି । ଝିଅପିଲା ବୋଲି ସେ ସିନା ଯିବାକୁ ଅସୁବିଧା, ଦେବୀପାଦ କ’ଣ ତା’ର ଇଚ୍ଛାଥିଲେ ଆସିପାରନ୍ତାନି, ନା କିଏ ମନା କରନ୍ତା ! କିନ୍ତୁ ଜଣେ ଜଣେ ଲୋକ ନ ବୁଝାଇଲେ କିଛି ବୁଝନ୍ତିନି, ସେମାନଙ୍କ ନିକଟରେ ଅଭିମାନ ବ୍ୟର୍ଥ । ସେମାନଙ୍କୁ ସବୁ ବୁଝାଇ ନ ଦେଲେ ହୃଦୟର କଥା ଅକୁହା ରହିଯାଏ । ବିଭାଘର ନିକଟ ହୋଇଆସୁଚି । ଅତୃପ୍ତ ଆଶା ଘେନି ସାରା ଜୀବନ ଘାଣ୍ଟି ହେବା ଅପେକ୍ଷା ଅସମ୍ଭବ ଲାଗୁଥିଲେ ମଧ୍ୟ ଥରେ ଚେଷ୍ଟା କରି ଦେଖିବା ଉଚିତ । ସ୍ନେହ ସଞ୍ଚିତ ଅଭିମାନ, ରାଗ ଓ ଦୁଃଖକୁ ବଳାତ୍କାର ଫୋପାଡ଼ି ଦେଇ ଦେବୀପାଦ ପାଖକୁ ଯିବାକୁ ବାହାରିଲେ । ହୃଦୟ ତାଙ୍କର ଆଶଙ୍କାରେ ଥରି ଉଠୁଥାଏ । ତାଙ୍କର ଭାଗ୍ୟ ସବୁଦିନ ପାଇଁ ନିର୍ଦ୍ଧାରିତ ହେବାକୁ ଯାଉଛି !

 

ଆରାମ ଚୌକିରେ ଦେବୀପାଦ ବସି କ’ଣ ଭାବୁଥିଲେ । ସେ ଅଳ୍ପ ଶୁଖି ଯାଇଥିବା ପରି ଜଣାପଡ଼ୁଛି ! ଅଜ୍ଞାତ ଆଶଙ୍କା, ଅନାଗତ ଭବିଷ୍ୟତ ସ୍ନେହଙ୍କୁ ଦୁର୍ବଳ କରି ପକାଇଥାଏ । ହଠାତ୍ ତାଙ୍କର ମନେହେଲା ସେ ଫେରି ଚାଲି ଯାଇପାରିଲେ ଭଲ ହୁଅନ୍ତା । ଆଉ କେଉଁଦିନ ଆସି ପଚାରିଯିବେ; କିନ୍ତୁ ଦେବୀପାଦର ଆଖି ତାଙ୍କ ଉପରେ ପଡ଼ିସାରିଥିଲା ।

 

“କ’ଣ ସ୍ନେହ ! ବହୁତଦିନ ପରେ ! କେବେ ବିଭାଘର ଯେ ଏବଠୁ ଗୃହିଣୀ !”

 

ହା ରେ ନିଷ୍ଠୁର...ପ୍ରତିଦିନ ଯିଏ ତୋ କଥା ଭାବି ଭାବି ବିନିଦ୍ର, ତାଙ୍କୁ ପଚାରୁଛୁ, କିଛି ନଜାଣିଲା ପରି, ବହୁତଦିନ ପରେ ! ସେ ଆସି କ’ଣ ଭୁଲ କଲେ ! ମଣିଷର ସ୍ନେହ, ସମବେଦନା କ’ଣ ତୋଠି ଟିକିଏ ହେଲେ ନାହିଁ ! ତୁ କ’ଣ ପଥର !

 

ସ୍ନେହ କିଛି କହିଲେନି । ପାଖରେ ଯାଇ ଠିଆହେଲେ ।

 

“ବସୁନା ।”

 

“ଦେବୀ ଭାଇ, ମୁଁ ବାହା ହେବିନି ।”

 

“ଆଉ ?”

 

......ସ୍ନେହ କାନିଟାକୁ ଧରି ଆଙ୍ଗୁଠିରେ ଗୁଡ଼ାଇବାକୁ ଲାଗିଥାନ୍ତି ।

 

“କ’ଣ ହେଲା ? ବିଭା କାହିଁକି ହେବନି ?”

 

“ମୁଁ ତୁମକୁ ବିଭାହେବି ।” ସ୍ନେହ ହୃଦୟରେ ଉଠୁଥିବା ବ୍ୟଥାକୁ ଦବାଇ କହିଲେ; କିନ୍ତୁ ସେତେବେଳକୁ ଆଖିରୁ ଦୁଇଧାର ଅଶ୍ରୁ ବହି ସାରିଥିଲା ।

 

“ମୋତେ... ?” –ଦେବୀପାଦ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲା ।

 

“ହଁ, ତୁମକୁ, ତୁମେ କିଛି ବୁଝିପାରୁନ କାହିଁକି ? ମୁଁ ତୁମକୁ ଭଲପାଉଛି । ତୁମକୁ...”

 

ତା’ପରେ ସ୍ନେହଙ୍କ ଚକ୍ଷୁ ଧୂମାୟିତ ହୋଇ ଉଠିଲା, ଚକ୍ଷୁରୁ ଅବିରଳ ଅଶ୍ରୁ ବୋହିବାକୁ ଲାଗିଲା ।

 

“ଦେବୀ ଭାଇ, ମୁଁ କ’ଣ ତୁମର ଅନୁପଯୁକ୍ତା ? ମୋତେ ତୁମେ ପିଲାଦିନୁ ଦେଖି ଆସିଛି, ମୋର ଗୁଣ, ପ୍ରକୃତି, ବ୍ୟବହାର, କୌଣସି କଥା ତୁମକୁ ଅଜଣା ନାହିଁ ।”

 

“ତା’ହେଲେ ବୋଉ ଯାହା ଅନୁମାନ କରୁଥିଲା ତା’ ଠିକ୍ ?–” ସ୍ନେହଙ୍କୁ ଶାସନ କରିବାକୁ ଯାଇ ଦେବୀପାଦ କହିଲା ।

 

ଦେବୀପାଦର ପ୍ରଶ୍ନ ଶୁଣିବା ମାତ୍ରେ ସ୍ନେହଙ୍କ ଦୃଷ୍ଟି ପରିଷ୍କାର ହୋଇଗଲା, ଅଶ୍ରୁ ଝରିବା ବନ୍ଦ ହୋଇଗଲା, କୋହ ଛିଡ଼ିଗଲା । ଗର୍ବିତ ସ୍ଵରରେ ସେ ପଚାରିଲେ–

 

“ତୁମର ବୋଉ କ’ଣ ଅନୁମାନ କରୁଥିଲେ ? ମୁଁ ଦରିଦ୍ର ଘରର ଝିଅ ବୋଲି ଧନୀ ଘରକୁ ଆସିବାକୁ ଇଚ୍ଛା କରୁଛି ? ମୋତେ କେହି ବାହା ହେଉ ନାହାନ୍ତି ? ମୋର ବୟସ ଗଡ଼ିଯାଉଛି ବୋଲି ତୁମକୁ ମୁଁ ମୋ ମାୟାଫାଶରେ ପକାଇବା ପାଇଁ ଚେଷ୍ଟା କରୁଛି ? ମୁଁ ନିନ୍ଦିତ ଚରିତ୍ରା......

 

ସ୍ନେହ ଆଉ କିଛି କହି ପାରିଲେନି । ରାଗରେ ତାଙ୍କର ନାସିକାପୁଟ ଫୁଲି ଫୁଲି ଯାଉଥିଲା । ଓଠରୁ ବାଣୀ ଅପ୍ରସରିତ ରହି ମଧ୍ୟ ଓଠ ବାରମ୍ବାର ଥରୁଥିଲେ, ଅଙ୍ଗଯଷ୍ଟି ସ୍ପନ୍ଦିତ ହେଉଥିଲା । ଦେବୀପାଦ କିଛି ନ କହି ଠିଆହୋଇପଡ଼ି ଚାଲିବାକୁ ଲାଗିଲା । କିଛି ସମୟ ଯାଏଁ ଦୁହେଁ ନିଜ ନିଜର ଚିନ୍ତାରେ ନିମଗ୍ନ ରହିଲେ ।

 

ସ୍ନେହ ନୀରବତା ଭାଙ୍ଗିଲେ । ଏଥର ତାଙ୍କର ସ୍ୱର ଲଇଁ ଯାଇଥିଲା, ସେ ଯେପରି ଅନୁନୟ କରୁଥିଲେ ।

 

“ଦେବୀଭାଇ ! ଏତେ ସାଧାରଣ କଥା କ’ଣ ଆମ ଦୁହିଁଙ୍କ ଜୀବନକୁ ନଷ୍ଟ କରିଦେବ, ଆଶା ଆକାଙ୍‍କ୍ଷାର ସୌଧକୁ ଚୁରମାର କରିଦେବ ? ଦେବୀଭାଇ, ତୁମେ ମୋତେ ବାହା ହୁଅ ! ତୁମ ଉପରେ ସବୁ ନିର୍ଭର କରୁଛି, ତୁମେ ସବୁ ବଦଳାଇ ଦେଇ ପାର । ମୁଁ ତୁମର ଧନ ଚାହୁଁନି, ମୁଁ ତୁମକୁ ଚାହୁଁଛି, କେବଳ ତୁମକୁ । ତୁମେ ଭିଖ ମାଗିଲେ, ମୁଁ ତୁମ ସାଥିରେ ଭିଖ ମାଗିବି, ତୁମେ ସାଧନା କଲେ, ମୁଁ ତମ ସହିତ ମିଶି ସାଧନା କରିବି, କଦାପି ତୁମ ପଥରେ ଅନ୍ତରାୟ ହେବି ନାହିଁ-। ତୁମକୁ ମୁଁ ଭଲପାଏ, ଦେବୀ ଭାଇ !”

 

ଦେବୀପାଦ ଚାଲିବା ବନ୍ଦ କରି ଠିଆହୋଇ ପଡ଼ିଲା ।

 

“ନାରୀ ଏତେ ଦୁର୍ବଳ, ଏତେ ଭୟାନକ ଓ ଏଡ଼େ ନଗ୍ନ ହୋଇପାରେ, ମୁଁ କଳ୍ପନା କରି ନ ଥିଲି । ଛିଃ ! ଛିଃ !!”

 

“ଦେବୀଭାଇ !” ସ୍ନେହ ସିଂହିନୀ ଭଳି ଗର୍ଜି ଉଠିଲେ । “ତୁମର କଥାକୁ ମୁଁ ଖଣ୍ଡନ କରିବାକୁ ଯାଉନି; କିନ୍ତୁ ମୁଁ କହି ରଖୁଛି ତୁମ ମନକଥା ତୁମେ ନିଜେ ଜାଣିନ, ଯେତେବେଳେ ଜାଣିବ, ସେତେବେଳେ ତୁମେ ତୁମର ଆଜିର ମୂର୍ଖତା ପାଇଁ ଅନୁତାପ କରିବ ।”

 

ସ୍ନେହଙ୍କ ଗର୍ଜନରେ ଦେବୀପାଦ ଝାଉଁଳି ପଡ଼ିଲା । ସ୍ନେହ ଦ୍ରୁତଗତିରେ ଚାଲିଗଲେ, ତାଙ୍କର ଯିବା ପଥକୁ ଆଶ୍ଚର୍ଯ୍ୟ ହୋଇ ସେ ଚାହିଁଥାଏ । କିଛି ସମୟଯାଏଁ ସେ ଯେପରି କିଛି ବୁଝି ପାରିଲାନି ।

 

ସ୍ନେହ ତା’ର ଭବିଷ୍ୟତ ଗଣନାକଲେ ନା ତାକୁ ଅଭିଶାପ ଦେଲେ ?

 

 

ଡାକ୍ତରୀ ଦୋକାନରେ କେହି ନ ଥିଲେ । କମ୍ପାଉଣ୍ଡର ଆସି ନ ଥିଲା । ରମାକାନ୍ତ ଏକୁଟିଆ ଗଭୀର ଚିନ୍ତାରେ ନିମଗ୍ନ ଥିଲା । କାର୍‍ର ବ୍ରେକ୍ ଶବ୍ଦରେ ତା’ର ଧ୍ୟାନ ଭାଙ୍ଗିଲା । ରଜନୀ ତାଙ୍କର ବିପୁଳ ଶରୀରଟାକୁ ବୋହି ଦୋକାନ ଆଡ଼କୁ ଚାଲି ଆସୁଥିଲେ ।

 

“ନମସ୍କାର ।”

 

“ନମସ୍କାର । ଆସ । ଏଇଲେ ମୋ ପାଖକୁ ତୁମେ କେବେ ଆସିନ, ସେକଥା ମୁଁ ଜାଣେ । ଏଣେ କେଉଁଆଡ଼େ ଆସିଥିଲ, ଦେଖିଲ ମୁଁ ଏକୁଟିଆ ବସିଛି, ଦୟା ହେଲା, କିମ୍ବା ଭାବିଲ ମୁଁ ରାସ୍ତାକୁ ଚାହୁଁଛି, ମୋ ପାଖକୁ ନ ଆସି ଏଇବାଟେ ଚାଲିଗଲେ କାଳେ ମୁଁ କ’ଣ ଭାବିବି । ତେଣୁ ଚାଲି ଆସିଲ । ଠିକ୍ ନା ?”

 

“ଆପଣ ତ ଆଜିକାଲି ସବୁ ଜାଣି ଦେଉଛନ୍ତି, ସର୍ବଜ୍ଞ ହୋଇ ଗଲେଣି । ମୁଁ ଆପଣଙ୍କ ପାଖକୁଇ ଆସିଚି ।”

 

“ସେଦିନ ଦୁଃଖିତ ହୋଇ ଚାଲିଗଲ, ମୁଁ ଭାବିଲି ଅଭିମାନ ଶେଷ ହେବାକୁ ତୁମର ବହୁତ ଦିନ ଲାଗିବ । କ’ଣ ମଗାଇବି ? କିନ୍ତୁ ସେ ଦିନ ପରି ନ ଖାଇ ଚାଲି ଯିବନି ।”

 

“ନାହିଁ ଥାଉ, ଯେତେବେଳେ ମୁଁ ଆସିବି, ସେତେବେଳେ ଏଠି ଜଳଖିଆ ଖାଇବି, ଏହାର କ’ଣ ମାନେ ଅଛି ?”

 

“ତୁମେ ତା’ହେଲେ ମୋତେ ତୁମ ଘରକୁ ଗଲେ ଆଉ ଜବରଦସ୍ତ ଖୁଆଇବାକୁ ହେବନି-।”

 

ରଜନୀଙ୍କ ଦୃଷ୍ଟି ଟେବୁଲ୍ ଉପରକୁ ଗଲା ।

 

“ଏ ଚିଠି କାହାର ?” ଲଫାପାଟିରୁ ଚିଠି ବାହାର କରି ସେ ପଢ଼ିବାକୁ ଲାଗିଲେ । ଅନ୍ୟ କାହାର ଚିଠି ପଢ଼ିବା ଅନୁଚିତ ବୋଲି ରମାକାନ୍ତ କହି ଆସୁଥିଲା, କିନ୍ତୁ ନିଜକୁ ସଂଯତ କରିନେଲା-

 

“ସେ ଚିଠି ପାଇ ମୁଁ ଆଜି ଭାରି ଚିନ୍ତିତ । ତୁମେ ଆସିବା ପୂର୍ବରୁ ଭାବୁଥିଲି ବିପଦ ଯେତେବେଳେ ଆସେ, ସେତେବେଳେ ଦଳବଳ ଧରି ଆସେ ।” ରଜନୀ ସେତେବେଳକୁ ଚିଠିରେ ମଜ୍ଜି ଯାଇଥିଲେ, ରମାକାନ୍ତ କଥା ଶୁଣି ପାରିଲେନି । ଚିଠିରେ ଲେଖାଥିଲା–

 

ବାବୁ ରମାକାନ୍ତ,

 

ତୁମେ ଗ୍ରାମକୁ ଆସିଥିବା ସମୟରେ ମୁଁ ତୁମକୁ ସୁକେଶୀ କଥା କହିଥିଲି । ଗାଁରେ ତା’ ବୋଉ ପାଖେ ରହି ଅତ୍ୟଧିକ ସ୍ନେହ, ଆଦର ପାଇ, ତା’ର ଭଲ ପଢ଼ାପଢ଼ି ହୋଇପାରୁନି । ଗାଁ ସ୍କୁଲରେ ମଧ୍ୟ କେହି ଭଲ ଶିକ୍ଷକ ନାହାନ୍ତି । ପୁଣି ପୁଅ ପିଲାଙ୍କ ସ୍କୁଲ । ତେଣୁ ତା’ର ବ୍ୟକ୍ତିତ୍ୱର ଯଥାର୍ଥ ବିକାଶ ହୋଇପାରୁନି । ତା’ର ପରୀକ୍ଷା ସରିବା ପରେ ପରେ ତାକୁ କଟକ ଗାର୍ଲସ୍କୁଲରେ ଏକାଦଶ ଶ୍ରେଣୀରେ ଭର୍ତ୍ତି କରାଇଦେବା ପାଇଁ ମୋ ଇଚ୍ଛା । ସେ ହଷ୍ଟେଲରେ ରହିବ । ସବୁ ଦୃଷ୍ଟିରୁ ହଷ୍ଟେଲ୍ ତା’ ପାଇଁ ଉପଯୁକ୍ତ ହେବ । ତା’ ଉପରେ ମୋର ବହୁତ ଆଶା । କଟକରେ ମୋର ବିଶେଷ ପରିଚିତ ଲୋକ ମଧ୍ୟରେ ତୁମେ । ସୁକେଶୀର କଟକ ରହଣୀ ସମୟତକ ସେ ତୁମର ଅଭିଭାବକତ୍ଵରେ ରହିବ; କିନ୍ତୁ ବର୍ତ୍ତମାନ ସେ ହଷ୍ଟେଲରେ ଏବଂ ସ୍କୁଲରେ ଯେପରି ସ୍ଥାନ ପାଏ, ତା’ର ବିଶେଷ ବ୍ୟବସ୍ଥା ତୁମେ କରିବ ବୋଲି ଆଶା । ଚିଠି ଦେବ । ଇତି ।

 

ଗୋବିନ୍ଦ ମହାପାତ୍ର

 

“ଏ ଗୋବିନ୍ଦ ମହାପାତ୍ର କିଏ ?” ରଜନୀ ପଚାରିଲେ ।

 

“ଆମ ଗାଁର ଜମିଦାର ଗୋବିନ୍ଦ ମହାପାତ୍ର ।”

 

“ସୁକେଶୀ ତାଙ୍କ ଝିଅ ?”

 

“ହଁ ।”

 

“ଆପଣଙ୍କ ଚିଠି, ଆପଣଙ୍କୁ ନ ପଚାରି ପଢ଼ିଚି ବୋଲି କିଛି ଭାବିବେନି ।”

 

“ନା, ସେ ଚିଠିରେ କ’ଣ ଲେଖା ଥିଲାକି !”

 

“ସୁକେଶୀ ଦେଖିବାକୁ କିପରି, ଭାରି ସୁନ୍ଦର ?”

 

ରମାକାନ୍ତ ରଜନୀଙ୍କ ଆଖି ସହିତ ଆଖି ମିଳାଇ କହିଲା–“ହଁ, ସତର ଅଠର ବେଳେ ଝିଅ ମାନେ ଯେପରି ଦେଖାଯାନ୍ତି ! ସେହିପରି !”

 

“ତୁମ ଘରକୁ ଯିବା ଆସିବା କରନ୍ତି ?”

 

“ନା, ନା, ସେ ଅନ୍ୟ ସାହିର, ଆମେ ଅନ୍ୟ ସାହିର, ସେପରି କିଛି ଯିବା ଆସିବା ନାହିଁ-। ଆଉ ମୁଁ ତ ସବୁବେଳେ କଟକରେ ରହେ ।”

 

“ହଁ ।”

 

“ଏ ଚିଠିଟି ନିଅ, ଯେତେବେଳେ ସେ ଚିଠିଟି ପଢ଼ିଲ, ସେତେବେଳେ ଏ ଚିଠି ମଧ୍ୟ ପଢ଼ିବା ଆବଶ୍ୟକ ।” –ରମାକାନ୍ତ ଆଉ ଗୋଟିଏ ଚିଠି ରଜନୀଙ୍କୁ ଦେଲା ।

 

“ସୁକେଶୀ ଲେଖିଛନ୍ତି ?”

 

“ପଢ଼ ।”

 

ଆୟୁଷ୍ମାନ୍ ରମାକାନ୍ତ,

 

ବାପାଙ୍କ ମୃତ୍ୟୁପରେ ଦେବୀ କ୍ରମେ କ୍ରମେ ଉଦାସୀନ ହୋଇ ଯାଇଥିବା ଓ ଚିନ୍ତିତ ହୋଇ ଉଠୁଥିବା କଥା ତୋ ପାଖକୁ ମୁଁ ଆଗରୁ ଲେଖିଥିଲି । ତାକୁ କଟକ ନେଇଯା, ତାହା ହେଲେ, ତା’ର ମନ ପରିବର୍ତ୍ତନ ହେବ ବୋଲି ଯେତେ ଲେଖିଲେ ମଧ୍ୟ ତୁ ଶୁଣିଲୁନି । ମୁଁ ତ ଭାବୁଛି ତା’ର କିଛି ଚିକିତ୍ସା ଫିକିତ୍ସା କରାଯାଇଥିଲେ କିଛି ଉପକାର ହୋଇଥାନ୍ତା । ଏଇ କେତେଦିନ ହେଲା ସେ ବିଶେଷ ଚିନ୍ତିତ ଦେଖାଯାଉଥିଲା । ବାପାଙ୍କୁ ମନେ ପକାଉଥିଲା, ସ୍ୱପ୍ନରେ ମଧ୍ୟ କାନ୍ଦି ପକାଉଥିଲା । ସକାଳେ କାହିଁକି ସେପରି ହେଉଥିଲୁ ବୋଲି ପଚାରିଲେ କିଛି କହୁ ନ ଥିଲା, କେତେବେଳେ ହସି ଦେଉଥିଲା । କେତେବେଳେ ବା ଗମ୍ଭୀର ହୋଇ ଯାଉଥିଲା । ଖାଇବା ପିଇବାରେ ମଧ୍ୟ ଆଗ୍ରହ ନ ଥିଲା । ଦିନେ ଦିନେ ରାତିସାରା ଲଣ୍ଠନ ଜାଳି ପଢ଼ୁଥିଲା । ଏବେ ଆଜି ସକାଳୁ ସେ ଘରେ ନାହିଁ । ଆମେ ଦିନ ଦୁଇଟାଯାଏଁ ବେଶି ଚିନ୍ତିତ ହେଲୁନାହିଁ କି ଖୋଜିବାକୁ ଲୋକ ପଠାଇଲୁନି । ଶିବନାଥ କହିଲା ପାହାଡ଼ ଉପରକୁ ଚାଲି ଯାଇଥିବ ଫେରି ଆସିବ । ମୁଁ ନିଶ୍ଚିନ୍ତ ନ ହୋଇ ଦିନ ତିନିଟାବେଳକୁ ସବୁଆଡ଼କୁ ଲୋକ ପଠାଇଲି; କିନ୍ତୁ କେହି ତାକୁ ପାଇଲେନି-

 

ଦେବୀପାଦ ମୋର କୁଆଡ଼େ ଚାଲିଯାଇଛି ? ମୁଁ କ’ଣ କରିବି ? ମୁଁ କ’ଣ କରିବି ? ତୁ ତ ବଡ଼ ହୋଇଅଛୁ, ଟିକିଏ ବୁଝ୍, ଖବର କାଗଜରେ ବାହାର କର । ମୋତେ ଡର ଲାଗୁଛି, କାଳେ ସେ ସନ୍ନ୍ୟାସୀ ହୋଇଯିବ । ଚିଠି ଦେବୁ, ତୋର ବୋଉ ।

 

“ଓଃ ! ବଡ଼ ଦୁଃଖର କଥା । ଖବର କାଗଜରେ ଆପଣ କିଛି ବାହାର କଲେଣି ?”

 

“ନା, କିଛି କରି ନାହିଁ ।”

 

“ତାହା ହେଲେ ଚାଲନ୍ତୁ, “ସମାଜ’ରେ ଖବରଟା ଦେଇ ଆସିବା ।” ରଜନୀ ଅତ୍ୟନ୍ତ ଦୁଃଖିତ ହୋଇ କହିଲେ ।

 

“ଘରକୁ ଚିଠି ଦେଇଚି, ତା’ ଉତ୍ତର ଆସିଲେ କ’ଣ ହେଲେ କରିବି ।”

 

ରଜନୀଙ୍କର ମ୍ଳାନ ମୁଖକୁ ଚାହିଁ ରମାକାନ୍ତ ପୁଣି କହିଲା–‘‘ତୁମେ ତ ଦେବୀ ପାଇଁ ବଡ଼ ବେଶି ଚିନ୍ତିତ । ତାକୁ ତ ତୁମେ କେବେ ହେଲେ ଦେଖିନ, ତଥାପି ଏତେ ସହାନୁଭୂତି !!”

 

“ଆପଣଙ୍କ ଭାଇ କ’ଣ ମୋର ଭାଇ ନୁହଁ ? ସନ୍ନ୍ୟାସୀ ହୋଇଗଲେ ବିଚାରା କେତେ କଷ୍ଟ ପାଇବେ ! ସବୁ ଥାଉ ଥାଉ ସନ୍ନ୍ୟାସ, ହା ଭଗବାନ୍ !

 

ରଜନୀଙ୍କର ଆଖି ଛଳଛଳ ହୋଇ ଆସିଲା ।

 

“କିନ୍ତୁ ଜଣେ ମଣିଷକୁ, ସେ ଯାହା କରିବାକୁ ଇଚ୍ଛା କରୁଛି, ତା’ କରିବାକୁ ସ୍ଵାଧୀନତା କାହିଁକି ଦିଆଯିବ ନାହିଁ ?” –ରମାକାନ୍ତ ପଚାରିଲା ରଜନୀଙ୍କୁ ।

 

ଦେବୀପାଦ କମ୍ପାଟମେଣ୍ଟରେ ଖାଲି ବେଞ୍ଚ ଦେଖି ଶୋଇପଡ଼ିଲା । ଅନ୍ତର୍ଦ୍ୱନ୍ଦ୍ୱଠୁ ମୁକ୍ତ ହୋଇ ନ ପାରି ସେ ସମାଧାନ ଖୋଜିଲା ନିଦରେ ।

 

ସକାଳ ଆଠଟାବେଳକୁ ଦେବୀପାଦର ଯେତେବେଳେ ନିଦ ଭାଙ୍ଗେ, ସେତେବେଳେ କ୍ଷୁଧା ତାଡ଼ନାରେ ସେ ବ୍ୟସ୍ତ ହୋଇପଡ଼େ; କିନ୍ତୁ ତା’ ପାଖରେ କିଛି ହେଲେ ପଇସା ନ ଥିଲା । ଘର ବହୁ ଦୂରରେ ରହିଯାଇଛି; କିନ୍ତୁ ଘର କଥା ସେ ଆଉ କାହିଁକି ମନେ ପକାଉଛି ? ଦିନେ ଦୁଇଦିନ ପାଇଁ ତ ସେ ଆଉ ପ୍ରବାସ କରୁନି । ସାରାଜୀବନ ସେ ଘରଠାରୁ ବିଚ୍ଛିନ୍ନ ହୋଇ ରହିବ ବୋଲି ତ ସେ ଘର ଛାଡ଼ିଛି । ତା’ର ଘର ଆଉ କ’ଣ ? ସବୁ ବୃଥା ଆସକ୍ତି ।

 

ସେ ଚାହିଁଲା, ଗାଡ଼ି ଭିତରେ ଅନ୍ୟାନ୍ୟ ସହଯାତ୍ରୀମାନେ କିଛି ନା କିଛି ଖାଉଥିବା, ବୁଟ, ପାମ୍ପଡ଼, ମୁଢ଼ି, ଚୂଡ଼ା....... । ଦେବୀପାଦକୁ ଭୋକ ଅସମ୍ଭାଳ କରୁଥିଲେ ମଧ୍ୟ କାହାକୁ କିଛି ନ କହି ସେ ଝରକା ବାହାରକୁ ମୁଣ୍ଡ ଗଳାଇ ବାହାରକୁ ଚାହିଁ ରହିଲା । ସେମାନଙ୍କ ଆଡ଼କୁ ଚାହିଁଲେ ବେଶି ଭୋକ ଲାଗିବ । ଗାଁ, ପୋଖରୀ, ବଗିଚା, ଆଖିରେ ପଡ଼ିଗଲେ, ସେ ନିଜ ଗାଁ, ସ୍ନେହ ଓ ତାଙ୍କର ବଗିଚା କଥା ଭାବି ଦେଉଥିଲା ।

 

ମାନବର ଗୃହସଂସାର ପ୍ରତି ଏତେ ଆକର୍ଷଣ କାହିଁକି ? କାହିଁକି ଏତେ ଆକର୍ଷଣ ? ଖାଦ୍ୟ ଓ ନାରୀ । ଆଉ ଦୁଇଟିଯାକ ହଉଛି ଦୁଇଟି ରକମର କ୍ଷୁଧା । ଗୋଟିଏ ଶାରୀରିକ, ଅପରଟି ମାନସିକ । ଦୁଇଟିଯାକ ମାୟାର ଦୁଇଟି ପାଦ । ଦୁଇଟି ଉପରେ ସଂସାର ତିଷ୍ଠିଛି । ଏ ଦୁଇଟିର ବିନାଶରେ ସଂସାରର ବିନାଶ । ସଂସାର ତ୍ୟାଗୀ ପାଇଁ କ୍ଷୁଧା ଓ ଯୌନ କ୍ଷୁଧା, ଉଭୟ ଉପରେ ତୀକ୍ଷଣ ଦୃଷ୍ଟି ରଖିବା ଅତ୍ୟାବଶ୍ୟକ । କ୍ଷୁଧାକୁ ନିୟନ୍ତ୍ରିତ କରିବାକୁ ହେବ ସ୍ୱଳ୍ପ ଓ ସାତ୍ତ୍ୱିକ ମାନଦଣ୍ଡରେ, ଅପରଟିକୁ ନିୟନ୍ତ୍ରଣ ନୁହେଁ, ସମ୍ପୂର୍ଣ୍ଣ ବର୍ଜ୍ଜନ କରିବାକୁ ହେବ । ଅପରଟିକୁ ବର୍ଜ୍ଜନ ନ କରି ନିୟନ୍ତ୍ରଣ କଲେ କ୍ଷତି କ’ଣ ? ଗୀତାର କର୍ମଯୋଗ ବୋଧେ ସେୟା । ଯୌନକ୍ଷୁଧାର ନିୟନ୍ତ୍ରଣଇ ତ ଗାର୍ହସ୍ଥ୍ୟ; କିନ୍ତୁ ଜୈନମାନେ ହିନ୍ଦୁମାନଙ୍କଠୁ ଆହୁରି ପାଦେ ଆଗକୁ ଯାଇଥିବା ପରି ମନେ ହେଉଛି । ସେମାନେ ମୋକ୍ଷ ପାଇବାକୁ ହେଲେ ଖାଦ୍ୟ ମଧ୍ୟ ସମ୍ପୂର୍ଣ୍ଣ ବର୍ଜ୍ଜନ କରିବାକୁ ଉପଦେଶ ଦିଅନ୍ତି; କିନ୍ତୁ ଖାଦ୍ୟକୁ ନ ପାଇଲେ ମଣିଷ ମରିଯିବ, ତା’ହେଲେ ତ ଆତ୍ମହତ୍ୟା ହେବ ।

 

ଟ୍ରେନ୍ ଚାଲିଥାଏ ତା’ର ଅଭୂତ ଯାନ୍ତ୍ରିକ ସଙ୍ଗୀତ ଗାଇ ଗାଇ । ଝରକା ବାଟେ ବାହାରକୁ ମୁଣ୍ଡ ଗଳାଇ ଦେବୀପାଦ ଭାବି ଚାଲିଥାଏ ।

 

ବର୍ତ୍ତମାନ ସେ ଆତ୍ମହତ୍ୟା କରୁନି ତ ? କିନ୍ତୁ ଖାଦ୍ୟ ସେ ପାଇବ କେଉଁଠୁ ? ପାଖରେ ତ ତା’ର ଗୋଟେ ହେଲେ ପଇସା ନାହିଁ । ଟିକଟ ମଧ୍ୟ ନାହିଁ । ଓଃ, ପୁଣି ଖାଦ୍ୟ ଉପରକୁ ଚିନ୍ତା ଚାଲି ଯାଉଛି । ସବୁ ବାଜେ କଥା ।

 

ସେ ଘରେ ରହି ସାଧନା କରିଥିଲେ କ’ଣ ହୋଇ ନ ଥାନ୍ତା ? କିନ୍ତୁ ଘର ? ଯେଉଁ ଘରେ ମା’, ଧନରତ୍ନକୁ ସନ୍ତାନସନ୍ତତି ଅପେକ୍ଷା ବଡ଼ ମନେ କରେ ! ଧିକ୍ ସେହି ଧନରତ୍ନକୁ, ଯାହା ପାଇଁ ବଡ଼ଭାଇ ମଧ୍ୟ ବୋଉଙ୍କ ସହିତ କଳି କରିପାରିଲେ । ଯେତେଦୂର ସମ୍ଭବ, ସ୍ନେହ ମଧ୍ୟ ସେହି ଧନରତ୍ନ ପାଇଁ ତାକୁ ବିବାହ କରିବାକୁ ଏତେ ବ୍ୟଗ୍ର ହୋଇପଡ଼ିଥିଲେ ।

 

ଦେବୀପାଦର ଆଖି ଆଗରେ ସ୍ନେହପ୍ରଭାଙ୍କ ଆକାରଟା ନାଚିଗଲା ବାହାରର ସେହି ଚଳନ୍ତା ଅନ୍ଧକାର ଭିତରେ । ହଠାତ୍–ବୋଧେ ପ୍ରଥମ ଥର ପାଇଁ ତା’ର ମନେହେଲା, ସ୍ନେହ...ସ୍ନେହ ସୁନ୍ଦର କିନ୍ତୁ ଦେଖିବାକୁ !

 

ଦେବୀପାଦକୁ ନିଦ ଆସିଗଲା ।

 

ହାଓଡ଼ା ଷ୍ଟେସନର କୋଳାହଳରେ ତା’ର ନିଦ ଭାଙ୍ଗିଗଲା । କେହି ବୋଧେ ସେ ଶୋଇଥିବା ଦେଖି ତାକୁ ଝଙ୍କାଇ ଦେଇଥିଲେ । ଡବାରେ ସମସ୍ତେ ନିଜ ନିଜର ଜିନିଷ ବାହାର କରିବାରେ ବ୍ୟସ୍ତ, ଠେଲା, ପେଲା, କିଏ ଆଗ ଓହ୍ଲାଇବ ବୋଲି । ସମସ୍ତଙ୍କ ସେ କମ୍ପାର୍ଟମେଣ୍ଟରୁ ତଳକୁ ଓହ୍ଲାଇଲା । ଧୋତି ଖଣ୍ଡେ, ସାର୍ଟ ଖଣ୍ଡେ, ତା’ର ପରିଧାନ ଥିଲା, ଟିକଟ ନ ଥିଲା, ବାହାରକୁ ସେ ଯିବ କିପରି ? ହାଓଡ଼ାକୁ ପ୍ରଥମ କରି ସେ ଆସିଥିଲା; କିନ୍ତୁ ତାକୁ ସବୁ ପରିଚିତ ପରି ଲାଗୁଥାଏ । କମ୍ପାର୍ଟମେଣ୍ଟରୁ ଓହ୍ଲାଇ କିଛିବାଟ ସେ ଯାଇଛି, ଟିକଟ କଲେକ୍ଟର ତାକୁ ଅଟକାଇ ଦେଲା । ସଙ୍ଗେ ସଙ୍ଗେ ଅଜାଣତରେ ତା’ ପାଟିରୁ ବାହାରି ପଡ଼ିଲା–“ମୋର ଜଣେ ବନ୍ଧୁ ଆଗରେ ଯାଉଛନ୍ତି, ତାଙ୍କରି ପାଖରେ ଟିକଟ ଅଛି ।’’ ଦେବୀପାଦ ଏହା କହିଦେଇ ନିତାନ୍ତ ବ୍ୟସ୍ତପରି ଚାଲିବାକୁ ଲାଗିଲା । ଟିକଟ କଲେକ୍ଟର ଆଉ କାହା ସାଙ୍ଗରେ ଲାଗି ଯାଇଥାଏ ।

 

ଗେଟ୍ ପାଖରେ ଭୀଷଣ ଭିଡ଼ ହୋଇଥାଏ । ଟିକଟ୍ ଚେକ୍ କରାଯାଉଥାଏ । ଗେଟ୍ ଦରଆଉଜା, ଦେବୀପାଦ କିଛି ସମୟ ଗେଟ୍ ବାହାରେ ଠିଆହୋଇ ଲୋକ ଗହଳିକୁ ଚାହିଁଲା । ତା’ପରେ ସେ ସେହି ଗହଳିରେ ମିଶିଗଲା । ଦରବାଜା ପାଖରେ ଖୁବ୍ ଠେଲାପେଲା ଚାଲିଥାଏ । ଯେତେବେଳେ ଦେବୀପାଦର ପାଳି ପଡ଼ିଲା, ସେ ଟିକଟ କଲେକ୍ଟର କଥା ନ ଶୁଣି ତା’ ଆଗରେ ଥିବା କୁଲିକୁ କହିଲା–“ଚାଲ୍ ଚାଲ୍, ଜିନିଷ କିଛି ପକାନା ।” ଟି.ଟି.ଆଇ. ଶୁଣିବା ଭଳି ବଡ଼ ପାଟିରେ କହିଲା, ପଛକୁ ଚାହିଁ, “ସତ୍ୟବ୍ରତ ଟିକଟ ଦେଇ ଦେ ।” ପଛ ଭଦ୍ରଲୋକ ଦୁଇଟି ଟିକଟ ବଢ଼ାଉଥିଲେ । ଗୋଟିଏ ନିଜ ପାଇଁ, ଅନ୍ୟଟି ତାଙ୍କର ସ୍ତ୍ରୀଙ୍କ ପାଇଁ । ଟିକଟ୍ କଲେକ୍ଟର ପଚାରିଲେ–

 

ଆଗରେ ଯାଇଥିବା ଭଦ୍ରଲୋକଙ୍କ ପାଇଁ ଆପଣ ଟିକଟ ଦେଉଛନ୍ତି ?”

 

“ମୁଁ ଜାଣେନି ।” ସେ ଭଦ୍ରଲୋକ କହିଲେ । “ମୁଁ ଚିହ୍ନିନି ତାଙ୍କୁ ।”

 

ଟିକଟ କଲେକ୍ଟର ବୁଲି ଚାହିଁଲା ଦେବୀପାଦ ଭିଡ଼ ଭିତରେ ଅଦୃଶ୍ୟ ହୋଇ ଯାଇଥିଲା । ଲୋକ ତା’ ପଛରେ ତା’ ପଛରେ ଠେଲି ହେଉଥିଲେ ।

 

 

ଯେଉଁ କୁଲିକୁ ଦେବୀପାଦ ଜିନିଷ ନ ପକାଇ ସାବଧାନ ସହକାରେ ବାହାରି ଯିବାକୁ କହିଥିଲା, ସେ କୁଲି ସାଥିରେ ଜଣେ ଭଦ୍ରବ୍ୟକ୍ତି ଥିଲେ । ପ୍ଲାଟ୍‍ଫର୍ମରୁ ବାହାରି ଆସି ଦେବୀପାଦ କିଛି ବାଟ ଯାଇଛି, ଦେଖେ, କୁଲି ସଙ୍ଗରେ ଥିବା ସେହି ଭଦ୍ରଲୋକ ତା’ ଆଡ଼କୁ ଚାହୁଁଛନ୍ତି, କୁଲି ଜିନିଷ ଧରି ତାଙ୍କ ପାଖରେ ଠିଆ ହୋଇଛି । ତାଙ୍କର ମୁହଁରେ ହସ ଥିଲା, ଚକ୍ଷୁରେ ଇଙ୍ଗିତ । ଦେବୀପାଦ ଆଶ୍ଚର୍ଯ୍ୟ ହେଲା ।

 

ଅପରିଚିତ ଭଦ୍ରବ୍ୟକ୍ତି ଟ୍ୟାକ୍ସି କରି ଜନଗହଳି ଯେଉଁ ଦିଗରେ ବେଶି, ସେହି ଆଡ଼କୁ ଚାଲିଗଲେ । ଦେବୀପାଦ କଲିକତାକୁ ନୂଆ ଆସିଥାଏ । ଡର ନ ହେଲେ ମଧ୍ୟ ଅପରିଚିତ ଜାଗା ଯୋଗୁଁ ସଙ୍କୋଚ ଲାଗୁଥାଏ । ସେ ଭଦ୍ରବ୍ୟକ୍ତି ଯାଇଥିବାର ବିପରୀତ ଦିଗକୁ, ରାସ୍ତାର ବାଁ କଡ଼େ କଡ଼େ ଚାଲିଲା । ତାକୁ ସାବଧାନ ହୋଇ ଯିବାକୁ ପଡ଼ୁଥାଏ, ପ୍ରତ୍ୟେକ ମୁହୂର୍ତ୍ତରେ ଟ୍ରକ୍ ବା ଟ୍ୟାକ୍ସି ଦ୍ରୁତ ଗତିରେ ଯାଉଥାନ୍ତି । ପେଁ ପାଁ ଶବ୍ଦରେ ତା’ର କାନ ଅତଡ଼ା ପଡ଼ୁଥାଏ । ବିରାଟ ପ୍ରଶସ୍ତ ରାସ୍ତା, ଦୁଇ ପାଖେ ଧାଡ଼ି ଧାଡ଼ି କୋଠା । ତାକୁ ପୁଣି ଭୋକ ଲାଗି ଆସିଥାଏ । ଘରେ ଥିଲେ, ସେ ଏତବେଳକୁ ନିତ୍ୟକର୍ମ ସାରି ସ୍ୱାଧ୍ୟାୟ ଆରମ୍ଭ କରି ସାରନ୍ତାଣି । ଶିବନାଥ ଉଠି ସାରିଥିବ, ବୋଉ ଅନେକବେଳୁ ଉଠି ସାରିଥିବେ । ସେମାନଙ୍କୁ ନିଶ୍ଚୟ ଦୁଃଖ ଲାଗୁଥିବ, ଗୋଟିଏ ଘରେ ଏତେଦିନ ଧରି ଶୋଉଥିଲେ, ଉଠୁଥିଲେ, ବସୁଥିଲେ ଯେତେବେଳେ । ଯାହା ହେଲେ ମଧ୍ୟ ଘର ଭଲ । କୁଆଡ଼େ ସେ ଆଜି ଯିବ ? ଆଜି ଯଦି ବାପା ବଞ୍ଚିଥାନ୍ତେ ତା’ହେଲେ ବୋଧେ ସେ ଏହିପରି ଗୃହତ୍ୟାଗୀ ହୋଇ ନ ଥାନ୍ତା । ଆଗରେ ଦୁଇ ତିନୋଟି ଟ୍ରକ୍ ଭିଡ଼ ଯୋଗୁଁ ଠିଆ ହୋଇ ଯାଇଥିଲେ-। ତା’ ମନର ଭାବନାର ଶୃଙ୍ଖଳା ଭାଙ୍ଗିଗଲା । ସେ ଟ୍ରକ୍ କଟାଇ ଆଗକୁ ଚାଲିଲା । ଟ୍ରକ୍ ଆଗକୁ ଯିବା ପରେ ପରେ ହଠାତ୍ ତା’ର ମନେହେଲା କେହି ଜଣେ ଯେପରି ତାକୁ ଅନୁସରଣ କରୁଛି-। ଦେବୀପାଦର ମନକୁ ଏହି ଭାବନା ଆସିବା ମାତ୍ରକେ ସେ ବୁଲି ପଡ଼ି ଚାହିଁଲା । ତା’ର ଆଶ୍ଚର୍ଯ୍ୟର ସୀମା ରହିଲାନି, ଯେତେବେଳେ ସେ ସେହି ଅପରିଚିତ ଭଦ୍ରବ୍ୟକ୍ତିଙ୍କୁ ତା’ଠୁ ଜମା ଦଶ ବାର ହାତ ଦୂରରେ ଆସୁଥିବାର ଦେଖିଲା । ସେ ଫେରି ଚାହିଁବା ଦେଖି ଭଦ୍ରବ୍ୟକ୍ତି କ୍ଷଣକ ପାଇଁ ହତବୁଦ୍ଧି ହୋଇଗଲେ ଯେପରି; କିନ୍ତୁ ପରମୁହୂର୍ତ୍ତରେ ଦ୍ରୁତ ପଦକ୍ଷେପରେ ସେ ତା’ ପାଖକୁ ଚାଲିଆସି କହିଲେ:–

 

“ଆପଣ କିଛି ମନେ କରିବେନି ମହାଶୟ, ଆପଣଙ୍କୁ ନିଶ୍ଚୟ ହୋଟେଲ ଦରକାର ?”

 

ଦେବୀପାଦ କ’ଣ କହିବ କିଛି ଠିକ୍ କରି ପାରିଲାନି ।

 

“ଆଗରେ ଯେଉଁ ହୋଟେଲ୍ ଦେଖୁଛନ୍ତି, ସେହି ହୋଟେଲ୍‍ର ମୁଁ ମ୍ୟାନେଜର ।”

 

ଦେବୀପାଦ ଚାହିଁଲା, “ତୃପ୍ତି ହୋଟେଲ୍” ଆଗରେ ସେମାନେ ଠିଆ ହୋଇଥିଲେ ।

 

“କିଛିଦିନ ହେଲା ମୋର ଗୋଟିଏ ପୁଅ, ଯାହାର ଆପଣଙ୍କ ଚେହେରା ସହ ବହୁତ ସାଦୃଶ୍ୟ ଅଛି, କୁଆଡ଼େ ଚାଲିଯାଇଛି । ତା’ର ମସ୍ତିଷ୍କ ବିକୃତି ଥିଲା । ଆପଣଙ୍କୁ ଅନୁସରଣ କରୁଥିବା ବେଳେ ମୁଁ ଭାବୁଥିଲି ଆପଣ ସେ ବୋଲି । ଆପଣ ଫେରି ଚାହିଁବାରେ, ଆପଣଙ୍କ ମୁହଁରୁ ଜାଣିଲି, ଆପଣ ମୋ ପୁଅ ନୁହଁନ୍ତି ।

 

“ଓଃ !”

 

“ଆପଣଙ୍କର ଚିହ୍ନା ପରିଚୟ କେହି କଲିକତାରେ ଥିବା ପରି ମନେ ହେଉନି । ଆପଣ କଲିକତାକୁ ପ୍ରଥମ କରି ଆସୁଛନ୍ତି ବୋଧେ ?”

 

“ହଁ । ଆପଣ କିପରି ଜାଣିଲେ ?”

 

“ଆପଣ ଷ୍ଟେସନଠୁ କଲିକତା ଆଡ଼େ ନ ଯାଇ ବେଲୁର ଆଡ଼େ ଚାଲିଛନ୍ତି ଯେ ।”

 

“ଆଚ୍ଛା !”

 

“କଲିକତା ତେଣେ ରହିଗଲା ।”

 

ଦେବୀପାଦ ଯେଉଁଆଡ଼େ କଲିକତା ନଗରୀ ରହିଗଲା ବୋଲି ଅପରିଚିତ ଭଦ୍ରବ୍ୟକ୍ତି ଦେଖାଇଥିଲେ, ସେହି ଆଡ଼କୁ ଚାହିଁଲା । ସେ ମନେ ମନେ ଠିକ୍ କରୁଥିଲା ଯେଉଁ ଦିଗରେ ସେ ଯାଉଥିଲା ବର୍ତ୍ତମାନ ସେହି ଦିଗକୁ ଆଉ ଚାଲିବା ଠିକ୍ ହେବ କି ନାହିଁ । ଭଦ୍ରବ୍ୟକ୍ତି ତା’ ମନର ଭାବନାକୁ ଅନୁମାନ କରି କହିଲେ–

 

“ବର୍ତ୍ତମାନ ତ ଆପଣ ନିତ୍ୟକର୍ମ ସାରିବେ । ରାତିସାରା ଗାଡ଼ିରେ ଆସି କ୍ଳାନ୍ତ ହୋଇ ଯାଇଥିବେ । ଏଇ ପାଖରେ ତ ମୋର ହୋଟେଲ୍‍, ଚାଲନ୍ତୁ, କଲିକତାରେ ଯେତେଦିନ ରହିବେ ସେତେଦିନ ମୋ ହୋଟେଲରେ ରହିବେ, କିଛି ଅସୁବିଧା ହେବନି । ଆପଣଙ୍କୁ ଦେଖିଲେ ମୋ ପୁଅ ମନେ ପଡ଼ିଯାଉଛି ।”

 

“ମୋ ପାଖରେ ତ କିଛି ପଇସା ନାହିଁ ।”

 

“ମୁଁ ଜାଣେ । ଟି.ଟି.ଆଇ. କୁ ଆପଣ ଟିକେଟ୍ ଦେବାବେଳଠୁ ମୁଁ ଜାଣିଛି ।” ମ୍ୟାନେଜର ଜାଣିବା ହସ ହସି ଦେବୀପାଦର ପିଠି ଥାପୁଡ଼େଇଲେ । ଦେବୀପାଦର ମୁହଁ ଲାଲ ପଡ଼ିଗଲା ।

 

“ମୋ ନାମ ସୁକୁମାର ବନ୍ଦୋପାଧ୍ୟାୟ । ଆପଣଙ୍କ ନାମ ?”

 

 

ଦେବୀପାଦ “ତୃପ୍ତି ହୋଟେଲ” ରେ ପହଞ୍ଚି ପ୍ରଥମେ ମନଇଚ୍ଛା ଖାଇଲା । ଟେବୁଲର ଅନ୍ୟପଟେ ସେହି ଭଦ୍ରବ୍ୟକ୍ତି ବସି ବରାଦ୍ ଦେଉଥାଆନ୍ତି । ଭଦ୍ରବ୍ୟକ୍ତି ସ୍ନେହପୂର୍ଣ୍ଣ ବାଧ୍ୟବାଧକତାରେ ଦେବୀପାଦକୁ ଖୁଆଇ ସାରିଲା ପରେ ଦୁହେଁ ହୋଟେଲର ଉପର ମହଲାକୁ ଗଲେ । ହୋଟେଲର ସାଜସଜ୍ଜା ଦେଖି ଦେବୀପାଦ ଚକିତ ହେଉଥାଏ । ଟେବୁଲ, ଚଉକି ସବୁ ମସୃଣ ଓ ପରିଷ୍କାର, ହୋଟେଲ ସାରା ଟିକିଏ ବି ମଇଳା ନାହିଁ । ବଡ଼ ବଡ଼ ଲାଲ କାଶ୍ମୀର ପର୍ଦ୍ଦା ସବୁ କାନ୍ଥଗୁଡ଼ିକୁ ଆବୃତ କରି ଘରର ସୋନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଉଥାନ୍ତି । ଏତେ କର୍ମଚାରୀ ଓ କ୍ରେତା ଚଳପ୍ରଚଳ ହେଉଥିଲେ ମଧ୍ୟ ହୋଟେଲ୍‍ସାରା ନୀରବତା ଓ ଶୃଙ୍ଖଳା । ସିଡ଼ିରେ ସେମାନେ ଚଢ଼ୁଥିବାବେଳେ ଦାମୀସୁଟ୍ ପିନ୍ଧି ଜଣେ ଲୋକ ତଳକୁ ଓହ୍ଲାଉଥିଲେ । ସୁକୁମାରବାବୁ ତାଙ୍କୁ ଦେଖିବାମାତ୍ରେ କହିଲେ–“ପୀତାମ୍ବର ! ଅଧଘଣ୍ଟାଏ ଛାଡ଼ି ମୋ ରୁମ୍‍କୁ ଆସିବ । କାନପୁର୍ ନେଇ କଥାବାର୍ତ୍ତା ଅଛି ।”

 

“ଆଚ୍ଛା, ସୁକୁମାର ଦାଦା !

 

ଦାମୀସୁଟ୍ ପରିହିତ ଭଦ୍ରବ୍ୟକ୍ତି ଦେବୀପାଦକୁ ଚାହିଁ ଚାହିଁ ଓହ୍ଲାଇଗଲେ, ଦେବୀପାଦର ମଧ୍ୟ ତାଙ୍କୁ ଦେଖି ବିସ୍ମୟର ସୀମା ରହିଲାନି । ଦେବୀପାଦ ତାଙ୍କ ଯିବା ବାଟକୁ ଚାହିଁବା ଦେଖି ସୁକୁମାରବାବୁ ପଚାରିଲେ–“ତୁମେ କ’ଣ ତାଙ୍କୁ ଚିହ୍ନିଛ ?”

 

“ହଁ ଚିହ୍ନିଲାପରି ମନେହେଉଛି । ଆମ ଗାଁର ପୀତାମ୍ବର ରଥଙ୍କ ଚେହେରା ସହିତ ବହୁତ ମିଶିଯାଉଛି; କିନ୍ତୁ ପୀତାମ୍ବର ରଥ ଏଠି କାହିଁକି ରହିବେ ? ସେତ ଖୁବ୍ ଏଇ କଲିକତାରେ ସେ କେଉଁଠି ରହି ପୂଜାରୀ କାମ କରନ୍ତି ।

 

ସୁକୁମାର ଦାଦା ଦେବୀପାଦ କଥା ଶୁଣି ହସିଲେ । କହିଲେ, “ତାଙ୍କର ନାମ ତ ପୀତାମ୍ବର ରଥ । ସେ ଆପଣଙ୍କ ଗାଁର ? ଏଠି ସେ ବହୁତ ଦିନ ହେଲା ଚାକିରି କଲେଣି ।”

 

ସେ ଏତେ ଭଲଭାବରେ ଏଠି ଅଛନ୍ତି ବୋଲି ଆମମାନଙ୍କର ଧାରଣା ନ ଥିଲା ।”

 

ଉପରମହଲାରେ ପାଞ୍ଚନମ୍ୱର ଘର ଦେବୀପାଦ ପାଇଁ ନିର୍ଦ୍ଦିଷ୍ଟ ହୋଇଥିଲା । ରୁମ୍ ଦୁଆର ଖୋଲି ପଶିଯିବାମାତ୍ରେ ସେ ଶୀତଳତା ଅନୁଭବ କଲା । ରୁମ୍ ରେ ସୁନ୍ଦର ଖଟଟିଏ ଉପରେ ଶେଯ, ଚାଦର; ମଶୁରୀ ମଧ୍ୟ ଟଙ୍ଗା ଯାଇଥାଏ । ଖାଇବା ପାଇଁ ଟେବୁଲଟିଏ । ଶୋଇବା ଘରକୁ ଲାଗି ଗାଧୁଆଘର । ଶୋଇବା ଘରର ଝରକା ମେଲାଇ ଦେବାରୁ କାଚଦେଇ ବାହାରପଟ ପରିଷ୍କାର ଦିଶିଲା । ହୋଟେଲ୍ ପଡ଼ିଆରେ ଚାରୋଟି ଆଙ୍ଗ୍ଲୋଇଣ୍ଡିଆନ୍ ଯୁବତୀ ଟେନିସ୍ ଖେଳୁଥାନ୍ତି । “ସେମାନେ ସମସ୍ତେ ହୋଟେଲରେ କର୍ମଚାରିଣୀ” ସୁକୁମାର ବାବୁ କହିଲେ, “କେବେ ପରିଚୟ କରାଇ ଦେବି । ଆଚ୍ଛା ଦେବୀପାଦ ବାବୁ ! ମୁଁ ଆସୁଛି, ମୋର ଅନ୍ୟ କାମ ଅଛି । ଏଇଠି କଲିଙ୍ଗ୍ ବେଲର ସୁଇଚ୍ ରହିଲା, ଦରକାର ପଡ଼ିଲେ ଏହାକୁ ଟିପିଦେଲେ ତଳୁ କେହି ହେଲେ ଆସି ଆପଣଙ୍କ ପ୍ରୟୋଜନ ବୁଝିଯିବ । ବର୍ତ୍ତମାନ ବିଶ୍ରାମ ନିଅନ୍ତୁ, ମୁଁ କିଛି ବହି ପଠାଇ ଦେଉଛି । କି ବହି ଭଲ ଲାଗିବ ?”

 

ଦେବୀପାଦ ପାଟିରୁ କଠୋପନିଷଦ୍ ବାହାରି ଆସୁଥିଲା, ସେ ସଂଯତ କରିପକାଇ କହିଲା–“ଯେ କୌଣସି ଭଲ ନଭେଲ୍ ।”

 

“ଏମିଲି ଜୋଲା, ମମ୍, ଡସ୍କୋଏଭସ୍କି... ?”

 

ଯେ କୌଣସି ଭଲ ନଭେଲ୍ ହେଲେ ଚଳିବ ।”

 

“ଆଚ୍ଛା ! ଭିତରୁ ଦୁଆର ବନ୍ଦ କରିଦିଅନ୍ତୁ ।”

 

ସୁକୁମାର ବାବୁ ଚାଲିଯିବା ପରେ ଦେବୀପାଦ ଦୁଆର ବନ୍ଦ କରିଦେଇ ତା’ର ଶରୀରଟାକୁ ନରମ ଶଯ୍ୟାରେ ବିଛାଇଦେଲା ।

 

ବର୍ତ୍ତମାନର ପରିସ୍ଥିତିକୁ ବିଚାରକରି ସେ ଆଶ୍ଚର୍ଯ୍ୟ ହେଉଥିଲା । ଘରୁ ସେ ଗୋଟେ ହେଲେ ପଇସା ଆଣି ନ ଥିଲା, ଅଭାବ ଅସୁବିଧା ପଡ଼ିଲେ କ’ଣ କରିବ, ତା’ ମଧ୍ୟ ଭାବି ନ ଥିଲା । ଯେତେବେଳେ ଦାରୁଣ କ୍ଷୁଧା ତାକୁ ପୀଡ଼ା ଦେବାକୁ ଲାଗିଲା, ସେତେବେଳେ ସେ ଭାବିଲା ତା’ର ପ୍ରାଣ ଚାଲିଯିବ; କିନ୍ତୁ ପ୍ରାଣ ଯିବା ପରିବର୍ତ୍ତେ ଜଣକର ଭାବୁକତା ଯୋଗୁଁ ସେ ରାଜ ଐଶ୍ୱର୍ଯ୍ୟ ଭୋଗ କରୁଛି । ସଂସାରରେ କେତେ ପ୍ରକାର ଲୋକ ଅଛନ୍ତି । ଭାଗ୍ୟଯୋଗୁ ଲୋକ ଖରାପ ଲୋକଙ୍କ ସଂସର୍ଗରେ ଆସେ, ଭାଗ୍ୟ ଭଲ ପଡ଼ିଲେ ଭଲ ଲୋକ ମଧ୍ୟ ଜୁଟନ୍ତି ।

 

ପୀତାମ୍ବର ରଥ ଏଠି କ’ଣ କରୁଛନ୍ତି ? ତାଙ୍କୁ ତ ଚିହ୍ନି ହେଉନାହିଁ; ଇଉରୋପିଆନ୍ ବେଶ ପୋଷାକରେ ସେ କେଡ଼େ ଗମ୍ଭୀର ଓ ସୁନ୍ଦର ଦେଖାଯାଉଛନ୍ତି, କିନ୍ତୁ ଗାଁକୁ ଗଲେ ସେ କେବଳ ଧୋତି କାମିଜି ଛଡ଼ା ଆଉ କିଛି ପିନ୍ଧନ୍ତିନି । ଲୋକେ ଜାଣନ୍ତି କଲିକତାରେ ସେ କୌଣସି ହୋଟେଲରେ ପୂଜାରୀ କାମ କରନ୍ତି ବୋଲି; କିନ୍ତୁ ସେ ତ ସାହେବୀ ଆଡ୍ଡ଼ାରେ ଚଳୁଛନ୍ତି ! କଥା କ’ଣ ? ଦେଖାହେଲେ କେବେ ପଚାରିବି ।

 

ଦେବୀପାଦ କଡ଼ ଲେଉଟାଇଲା । ଝରକା ଖୋଲା ଥିଲା । ଝରକା କାଚ ଦେଇ ସେ ସେହି ଖେଳରତ ଆଙ୍ଗ୍ଲୋଇଣ୍ଡିଆନ୍ ଯୁବତୀଗୁଡ଼ିକୁ ପୁଣି ଦେଖିବାର ଇଚ୍ଛାକୁ ଦମନ କରିପାରିଲାନି । ସେମାନଙ୍କ ଟେନିସ୍ ଖେଳ ସରି ନ ଥାଏ । ପ୍ରତ୍ୟେକ ଦେଖିବାକୁ ରୂପବତୀ ଥିଲେ, ସ୍ଵାସ୍ଥ୍ୟ ଥିଲା, ଯୌବନ ଥିଲା, ତହିଁରେ ପୁଣି ମେକ୍ଅପ୍ । ଦେବୀପାଦ ଭାବିଲା, ସ୍ନେହ ଏମାନଙ୍କ ସହିତ ତୁଳନୀୟ ନୁହନ୍ତି । ସ୍ନେହ ସୁନ୍ଦର; କିନ୍ତୁ ଏମାନଙ୍କ ରଙ୍ଗ ତୁଳନାରେ ସେ କେଡ଼େ ଶ୍ୟାମଳ ।

 

ଦେବୀପାଦ କଡ଼ ଲେଉଟାଇଲା । କାହିଁକି କେଜାଣି ଘର ଛାଡ଼ିବାଠୁ ସ୍ନେହ ତା’ର ବେଶି ବେଶି ମନେ ପଡ଼ୁଛନ୍ତି ।

 

ସ୍ନେହ ! ତାଙ୍କର ଆଖି ଦୁଇଟି କେଡ଼େ ବିସ୍ତୃତ, କେଡ଼େ କଳା, କେଡ଼େ ନମନୀୟ ଓ ବିନୀତ ତାଙ୍କ ଶରୀରର ଭାବଭଙ୍ଗୀ । ଇଚ୍ଛା କରିଥିଲେ ସେ ତାଙ୍କୁ ବିବାହ କରିପାରିଥାଆନ୍ତା । ସ୍ନେହ ତାଙ୍କର ସ୍ତ୍ରୀ ହୋଇଥାଆନ୍ତେ । ଛିଃ ! ସେ କ’ଣ ଭାବୁଛି । ବର୍ତ୍ତମାନ ସେ ପର ସ୍ତ୍ରୀ ।

 

କ୍ରିଂ କ୍ରିଂ ଶବ୍ଦରେ ତା’ର ନିଦ ଭାଙ୍ଗିଗଲା । କ’ଣ ଏଣୁତେଣୁ ସେ ସ୍ଵପ୍ନ ଦେଖୁଥିଲା । କଲିଙ୍ଗ ବେଲ୍ ବାଜୁଥିଲା । ଆଖି ମଳିମଳି ସେ ଦୁଆର ଖୋଲିଦେଲା । ବାହାରେ ସୁକୁମାର ବାବୁ ହସ ହସ ମୁଖରେ ଠିଆ ହୋଇଥିଲେ ।

 

“ବହୁତ ଶୋଇ ପଡ଼ିଲେ ? ମୁଁ ମଝିରେ ଆଉଥରେ ଆସିଥିଲି । ବେଶି କ୍ଳାନ୍ତ ହୋଇଥିବେ ଭାବି ନ ଉଠାଇ ଚାଲିଗଲି ।”

 

ଦେବୀପାଦ କିଛି ନ କହି ପୁଣି ଖଟ ଉପରକୁ ଗଲା ।

 

ହାଁ, ହାଁ । ପୁଣି ଶୋଇବେ ନା କ’ଣ ? ବର୍ତ୍ତମାନ ଚାରିଟା ପନ୍ଦର ବାଜି ସାରିଲାଣି । ଆପଣ ନିତ୍ୟକର୍ମ ସାରନ୍ତୁ, ଟିକିଏ ସହର ଆଡ଼େ ବୁଲିଆସିବେ । ଆପଣ ତ କଲିକତା ଆଗରୁ କେବେ ଦେଖି ନାହାନ୍ତି !”

 

“ହଉ ।” ଦେବୀପାଦ ମୁହଁ ଧୋଇବାକୁ ଚାଲିଯାଉଥିବାବେଳେ ସୁକୁମାରବାବୁ କଲିଙ୍ଗ ବେଲ୍ ଟିପିଲେ ।

 

“କ’ଣ ? କାହାକୁ ଡ଼ାକୁଛନ୍ତି ?” ଦେବୀପାଦ ଯାଉ ଯାଉ ଅଟକି ଯାଇ ପଚାରିଲା ।

 

“ଆପଣଙ୍କ ପାଇଁ ଦୁଇତିନିସେଟ୍ ପୋଷାକ ଆଣିବାକୁ ହେବ ।”

 

ଦେବୀପାଦ ହଠାତ୍ ପରିସ୍ଥିତିକୁ ବୁଝିନେଲା । ପ୍ରକୃତରେ ତା’ର ପିନ୍ଧିବାକୁ କିଛି ନ ଥିଲା-। ଘରୁ ଖଣ୍ଡେ ଧୋତି ଓ ଖଣ୍ଡେ ସାର୍ଟରେ ସେ ବାହାରିଥିଲା ଯାହା ।

 

କୃତଜ୍ଞତାରେ ତା’ର ହୃଦୟ ଅବନତ ହୋଇପଡ଼ୁଥିବାବେଳେ ସେ ମନେ ମନେ ଭୀଷଣ ରାଗିଗଲା । ନିଜ ଉପରେ, ତା’ର ଅସହାୟ ଅବସ୍ଥା ଉପରେ । ସବୁବେଳେ କ’ଣ ଏହି ଭଦ୍ରବ୍ୟକ୍ତିଙ୍କ ଉପରେ ସେ ନିର୍ଭର କରି ଚଳିବ ? ସେ ପରା ସନ୍ନ୍ୟାସୀ ହେଉଥିଲା ? ଆଉ ଏସବୁ କ’ଣ ଏଠି ଚାଲିଛି ? ଭୋଗ କରିବା ଅପେକ୍ଷା ସେ ପୁଣି ଘରକୁ ଫେରି ଯାଇପାରେ, ସ୍ନେହଙ୍କ ବିବାହକୁ ବନ୍ଦ କରିଦେଇପାରେ । ଓଃ, ସେ କ’ଣ ଭାବୁଛି, ସ୍ନେହ ତ ବିଭାହୋଇ ସାରିବେଣି ।

 

ଛିଃ, କ’ଣ ସେ ଭାବୁଛି, ସେ ଘରକୁ ଯିବନି କି ଏଠି ରହିବନି । ବନାରସ ଚାଲିଯିବ । ସେଠି ଗୁରୁ ନମିଳିଲେ ଉତ୍ତରକାଶୀ ।

 

“ମୋର କିଛି ଦରକାର ନାହିଁ ।” –ସେ ସୁକୁମାର ବାବୁଙ୍କୁ କହିଲା ।

 

ହୋଟେଲର ଚାକର ସେହି ସମୟରେ ଭିତରକୁ ପଶିଆସିଲା । ସୁକୁମାରବାବୁ ଦେବୀପାଦର ମାପ ନେଇ ପ୍ୟାଣ୍ଟ ଓ ହାୱାନି କିଣି ଆଣିବାକୁ ତାକୁ କହିଲେ ।

 

“ଆପଣ ବୃଥାରେ ବରାଦ୍ ଦେଲେ । ମୁଁ ଆଜି ଏଠୁ ଚାଲିଯିବି ।”

 

“ଚାଲିଯିବାରେ ଦୁଇ ତିନି ସେଟ୍ ପୋଷାକ ଆପଣଙ୍କର ପ୍ରତିବନ୍ଧକ ହେବନାହିଁ । ମଣିଷ ମଣିଷକୁ ସ୍ନେହ କରିବା ଖରାପ ନୁହେଁ । ଦୁଇ ତିନି ଦିନ ପରେ ଇଚ୍ଛା ହେଲେ ଚାଲିଯିବେ । ସେତେବେଳେ ଭାବିଲେ ସେହି ପୋଷାକଗୁଡ଼ିକ ମୁଁ ଆପଣଙ୍କୁ ଉପହାର ଦେଇଛି ।”

 

ଦେବୀପାଦ ନିତ୍ୟକର୍ମ ସାରିବାକୁ ସ୍ନାନାଗାରକୁ ଚାଲିଗଲା । ସେ ଫେରିବାବେଳକୁ ପ୍ୟାଣ୍ଟ୍ ସାର୍ଟ ସବୁ ଟେବୁଲ ଉପରେ ଥୁଆହୋଇଛି ।

 

ସୁକୁମାରବାବୁ ଓ ଦେବୀପାଦ ବେଶଭୂଷା ହୋଇ ସିଡ଼ିରୁ ତଳକୁ ଆସୁଥିବା ବେଳେ ଜଣେ ତନ୍ଵୀ ସୁନ୍ଦରୀ ତଳୁ ଉପରକୁ ଆସୁଥିଲେ । ସୁକୁମାରବାବୁଙ୍କୁ ଦେଖି ସେ କହିଲେ–“ହ୍ୟାଲୋ ଦାଦା ! ଏ ଦୁଇ ତିନି ଦିନ ଭିତରେ ମୋ ପାଇଁ କ’ଣ କାମ ଅଛି ନା ଘରଆଡ଼େ ଯାଇ ଟିକିଏ ବୁଲି ଆସିବି ?”

 

“କାମ କିଛି ନାହିଁ, ଯାଇପାର । ହଁ, ମୋ ବନ୍ଧୁଙ୍କ ସହିତ ତୁମକୁ ପରିଚୟ କରାଇଦିଏ ।”

 

“ଦେବୀପାଦ ଷଡ଼ଙ୍ଗୀ, ଓଡ଼ିଶାରୁ ନୂଆ ଆସିଛନ୍ତି । ଆଉ ଇଏ ମିସ୍ କଳ୍ପନା ପାଲିତ୍ । ହୋଟେଲର ଜଣେ କର୍ମଚାରୀଣୀ ।”

 

କଳ୍ପନା ହାତବଢ଼ାଇ ଦେବୀପାଦର କରମର୍ଦ୍ଦନ କଲେ । କରମର୍ଦ୍ଦନ ସମାପ୍ତ ହେବାକୁ ସମୟ ଲାଗିଲା ।

 

“ଖୁବ୍ ଭଲ ପରି ଜଣାପଡ଼ୁଛନ୍ତି ଆପଣଙ୍କ ବନ୍ଧୁ । ଆଚ୍ଛା ପରେ ଦେଖାହେବ ।” ତନ୍ଵୀ ବିଦାୟ ନେଇ ଚାଲିଗଲେ । ସୁକୁମାରବାବୁ ସିଡ଼ିରୁ ଓହ୍ଲାଉ ଓହ୍ଲାଉ କହିଲେ–

 

“ଆପଣଙ୍କର ରୁମ୍ ପାଖରେ ରହନ୍ତି । ଏଗାର ନମ୍ବର ରୁମ୍ ।”

 

ଦେବୀପାଦ ଚୁପ୍ ରହି କ’ଣ ଭାବୁଥିଲା ପରି ଜଣାଗଲା । କଳ୍ପନାଙ୍କ ଶୁଆପରି ନାକ ତା’ ଉପରେ ପ୍ରଭାବ ପକାଇଥିବା ପରି ଲାଗିଲା ।

 

କାର୍ ଭିତରେ ଦୁହେଁ ପଶିଯିବା ପରେ ସୁକୁମାର ବାବୁ କହିଲେ–“ଦେବୀପାଦ ବାବୁ, ଆପଣ ମୋତେ ଆପଣଙ୍କ ସମ୍ବନ୍ଧରେ ଖାଲି ନାମ ଯାହା କହିଛନ୍ତି । ଆହୁରି ଢେର୍ କଥା ଅଛି କହିବାକୁ । ବର୍ତ୍ତମାନ କୁହନ୍ତୁ ।”

 

ଦେବୀପାଦ କହିଲା, “କ’ଣ ଶୁଣିବେ ମୋ କଥା ?”

 

“ମୋର ସତରେ ଆଗ୍ରହ ଅଛି । କୁହନ୍ତୁ ।”

 

ଦେବୀପାଦ ପିଲାଦିନୁ ଘଟିଥିବା ସମସ୍ତ କଥା ନିଃସଙ୍କୋଚ ହୋଇ ତାଙ୍କ ଆଗରେ କହିଲା ।

 

“ମେଟ୍ରୋ ପାଖରେ ଅଟକାଇବୁ ।” ସୁକୁମାର ବାବୁ ଡ୍ରାଇଭରକୁ କହିଲେ ।

 

“ଜି, ହଜୁର ।”

 

ତା’ହେଲେ ଆପଣ ସଂସାର ପ୍ରତି ବିରକ୍ତ ହୋଇ ସନ୍ନ୍ୟାସୀ ହେବାକୁ ଇଚ୍ଛାକରି ଚାଲିଆସିଛନ୍ତି ! ଦେଖନ୍ତୁ, ମୁଁ ବେଶି ପାଠ ପଢ଼ିନି । କେତେବର୍ଷ ତଳେ କଲିକତା ବିଶ୍ୱବିଦ୍ୟାଳୟରେ ରାଜନୀତିରେ ଅଧ୍ୟାପକ ଥିଲି; କିନ୍ତୁ ଭାଗ୍ୟଚକ୍ରର ପରିବର୍ତ୍ତନରେ ବର୍ତ୍ତମାନ ଏହି ହୋଟେଲର ପରିଚାଳକ ହୋଇଛି । ଅଧ୍ୟାପକତ୍ୱ ଛାଡ଼ିବା ପରେ ମୋର ପଢ଼ାପଢ଼ି ବନ୍ଦ ପ୍ରାୟ । ତେବେ ମୋର ଯାହା ଧାରଣା କଳିଯୁଗରେ ସନ୍ନ୍ୟାସ ବର୍ଜ୍ଜନୀୟ । ପୁଣି ଆପଣ ଯେଉଁପରି ସନ୍ନ୍ୟାସୀ ହେଉଛନ୍ତି ସେଥିରେ ବିଶେଷ କିଛି ଲାଭ ନାହିଁ । କେତେଗୁଡ଼ିଏ ଘଟଣା ଉପରେ ଆପଣଙ୍କର ସଂସାର ଉପରେ ବିରକ୍ତି ପ୍ରତିଷ୍ଠିତ । ଈଶ୍ୱରଙ୍କ ଦୟା ଥିଲେ ଆପଣ ଜୀବନରେ ଆପଣଙ୍କ ମନାନୁରୂପ ଓ ପ୍ରୀତିକର ଘଟଣା ବହୁତ ପାଇବେ । ପୁଣି ଭୋଗ ସମ୍ବନ୍ଧରେ କିଛି ନ ଜାଣି ଆପଣ ତାକୁ ତ୍ୟାଗ କରିବେ କିପରି ? ଭୋଗର ଚରମ ଅନୁଭୂତି ପରେ ତ୍ୟାଗ ସ୍ୱତଃ ଆସିବ । ଗାର୍ହସ୍ଥ୍ୟ ପରେ, ବାନପ୍ରସ୍ଥ ଓ ସନ୍ନ୍ୟାସ । ଆପଣଙ୍କର ମନୋବୃତ୍ତି ଅନାସକ୍ତ ନୁହେଁ, ଯାହା ଆପଣ ମୋତେ କହିଥିବା କଥାରୁ ମୁଁ ବୁଝୁଛି, ଆପଣ ଅତ୍ୟନ୍ତ ଅଭିମାନୀ ଓ ଉଚ୍ଚାକାଙ୍‍କ୍ଷୀ । ଆପଣ ଭାବୁଛନ୍ତି ଯଶ ପାଇବାପାଇଁ ସନ୍ନ୍ୟାସ ହିଁ ପ୍ରକୃଷ୍ଟ ଉପାୟ; କିନ୍ତୁ ସନ୍ନ୍ୟାସୀର ବଡ଼ ହେବା ନିୟମ ନୁହେଁ, ବ୍ୟତିକ୍ରମ । ବଡ଼ ହେବା ପାଇଁ କେହି ସନ୍ନ୍ୟାସୀ ହୁଏନି । କେହି ନ ଜାଣିବେ, ସାଧନା କରି ସମସ୍ତ ପାପକୁ ଭସ୍ମକରି ମୁଁ ଈଶ୍ୱର ପ୍ରାପ୍ତ ହେବି, ଏଇ ଇଚ୍ଛା ରଖି ଲୋକ ସନ୍ନ୍ୟାସୀ ହୁଏ ।”

 

“ପୁଣି ମୋକ୍ଷ ପାଇଁ ଯେଉଁ ଜ୍ଞାନ ପ୍ରୟୋଜନୀୟ ତାହା କର୍ମ କରୁଥିବାବେଳେ ମଧ୍ୟ ଆସିପାରେ । ଶ୍ରୀକୃଷ୍ଣ ଭଗବାନ ଜଗତ ଉଦ୍ଧାର ପାଇଁ ଅନ୍ତରରେ ସନ୍ନ୍ୟାସୀ ରହି ବାହାରେ କେଡ଼େ କର୍ମଶୀଳ ଥିଲେ ! ଆପଣ ତାଙ୍କରି ପ୍ରକୃତିର ଲୋକ । ବିଶ୍ୱ ଆପଣଙ୍କ ନେତୃତ୍ୱକୁ ଅପେକ୍ଷା କରୁଛି-।”

 

ହଠାତ୍ ସୁକୁମାରବାବୁ ତାଙ୍କର କଥାକୁ ବନ୍ଦ କରିଦେଲେ । ଦେବୀପାଦ ସୁକୁମାରବାବୁଙ୍କ କଥା ଯୋଗୁଁ ଯେପରି ଏକ ନୂତନ ଜଗତର ସନ୍ଧାନ ପାଉଥିଲା । ରହି ରହି ତା’ର ରୋମାଞ୍ଚ ହୋଇଯାଉଥିଲା । ସେ ଚାହୁଁଥିଲା ସୁକୁମାର ବାବୁ ଆହୁରି କିଛି କୁହନ୍ତୁ ।

 

“ବାବୁ ! ମେଟ୍ରୋ ।”

 

“ଉଠନ୍ତୁ ଦେବୀପାଦ ବାବୁ । ଆଜି ମୁଁ ଆପଣଙ୍କୁ ସିନେମା ନେଇଯିବି ।”

 

ଦେବୀପାଦ କାର୍ ଭିତରୁ ବାହାରକୁ ଆସିଲା । ଆଗରେ ତା’ର ବିରାଟ ପୋଷ୍ଟର୍ । ପୋଷ୍ଟରରେ ଜଣେ ଯୁବକ ଡିନାମାଇଟରେ ଗୋଟିଏ ପୋଲ ଭାଙ୍ଗିବାର ଚିତ୍ର । ଟିକେଟ୍ ପାଇବା ପାଇଁ ଲୋକ ଧାଡ଼ି ଲଗାଇଥିଲେ ।

 

 

“ରମାକାନ୍ତ ବାବୁ ନାହାନ୍ତି ?”

 

“ନା, ଘଣ୍ଟାଏ ହେବ କୁଆଡ଼େ ଯାଇଛନ୍ତି ।”

 

“କୁଆଡ଼େ ଗଲେ, ଜାଣିନ ?”

 

“ବୋଧେ ବାଳିକାସ୍କୁଲକୁ ଗଲେ ।”

 

“ବାଳିକା ସ୍କୁଲକୁ !”

 

“ତାଙ୍କର ଜଣେ ପରିଚିତ ଝିଅ କେହି କଟକରେ ପଢ଼ିବାକୁ ଆସିଛନ୍ତି ତାଙ୍କରି ସହିତ ସେ ଯାଇଛନ୍ତି ।”

 

“ହୁଁ । ମୁଁ ଆସିଥିଲି ବୋଲି କହିଦେବ ।”

 

ରଜନୀ କାର୍‍କୁ ଗାର୍ଲସ୍କୁଲ ଆଡ଼କୁ ବୁଲାଇଲେ । ସମୟ ପ୍ରାୟ ଦିନ ବାରଟା । ଘରୁ ସେ କଳ୍ପନା କରି ଆସିଥିଲେ ରମାକାନ୍ତକୁ ଘରକୁ ଆଣିବେ, କ୍ୟାରେମ୍ କେତେ ବାଜି ହୋଇଯିବ, ଖରାଦିନର ଦୀର୍ଘ ମଧ୍ୟାହ୍ନକୁ ଆଉ କିପରି କଟାଯାଇପାରେ ! ରମାକାନ୍ତ ରୁମରେ ପଙ୍ଖା ମଧ୍ୟ ନାହିଁ, ବିଚାରା ହଇରାଣ ହେଉଥିବେ; ଡାକି ଆଣିଲେ ଖେଳ ପରେ ଏଇଠି ବିଶ୍ରାମ ନେବେ । ହୃଦୟରେ ବହୁତ ଆଶା ରଖି ରଜନୀ ଆସିଥିଲେ, ସବୁ ବ୍ୟର୍ଥ ଗଲା । ପୁଣି ସେ ଯାଇ ଯାଇ କୁଆଡ଼େ ନା ଗାର୍ଲସ୍କୁଲ୍ !

 

ଭିଡ଼ କଟାଇ କଟାଇ ରଜନୀ ଚାଲିଥାନ୍ତି । ସାଇକେଲ ରିକ୍‍ସାଟିଏ କଟାଉ କଟାଉ ସେ ଦେଖିଲେ ରିକ୍‍ସାରେ ରମାକାନ୍ତ ସହ ଜଣେ କେହି ତରୁଣୀ ବସିଛନ୍ତି । ଦୁହେଁ ବୋଧେ ମଧୁର ସମ୍ଭାଷଣରତ । କ୍ଷଣକ ଦୃଷ୍ଟିରେ ସେତିକି ସଂଗ୍ରହ କରି, ରଜନୀ ଆଗକୁ ଚାଲିଗଲେ । କିଛି ବାଟ ଯିବାପରେ ତାଙ୍କର ମନେହେଲା, ସୁକେଶୀ ଦେଖିବାକୁ କିପରି ଜଣା ପଡ଼ିଲେନି ତ । ଆଉ କେତେବେଳେ ଆସି ଦେଖିବେ ବୋଲି ରଜନୀ ଠିକ୍ କରି ରାସ୍ତାରେ ଲୋକ ନ ଥିବାରୁ ମଟରର, ଗତି ବଢ଼ାଇଦେଲେ । ସୁକେଶୀଙ୍କ ସହ ରମାକାନ୍ତଙ୍କର ବୋଧେ ଘନିଷ୍ଠତା ଅଛି । ଦୁହେଁ ଏକା ଗାଁର, ଏକା ଜାତି, ଚିଠିପତ୍ର ବି ଦିଆନିଆ ହୋଇଥିବେ । ଯାହା ସେ ସୁକେଶୀଙ୍କୁ ଦେଖିଛନ୍ତି ସେଥିରୁ ଜଣାପଡ଼ୁଛି, ସୁକେଶୀ ସୁନ୍ଦର । ଛିଟ ଶାଢ଼ୀଟିଏ ପିନ୍ଧିଥିଲେ । ମୁଣ୍ଡ କିପରି କୁଣ୍ଡାଇଥିଲେ ? ବୋଧେ ଗୋଟେ ବେଶୀ ଛାତି ଉପରେ ପଡ଼ିଥିଲା, ଅନ୍ୟଟି ପଛଆଡ଼େ । ବାଃ, ମଫସଲରୁ ଆସି ବେଶ୍ ଫେସନ ଶିଖିଛି ତ ଝିଅ । ମଟର ଆଗକୁ ଗୋଟେ ବୁଲା କୁକୁର ଚାଲିଆସିବାରୁ ରଜନୀ ବ୍ରେକ୍ ଦେଇ କାର୍‍କୁ ବୁଲାଇ ପୁଣି ଆଗକୁ ଚାଲିଲେ । ହଠାତ୍ ତାଙ୍କ ଆଖି ଆଗରେ ନାଚିଗଲା–ଧନୁ ପରି ଭ୍ରୁ, ଉଜ୍ଜ୍ଵଳରଙ୍ଗ, ଆୟତ ଚକ୍ଷୁ, ଗର୍ବିତ ନାସିକା, ସିଂହକଟୀ–ସୁକେଶୀ ଖାଲି ସୁନ୍ଦରୀ ନୁହନ୍ତି, ଅସାଧାରଣ ସୁନ୍ଦରୀ ! ତାଙ୍କର ଭାବନା ଗୋଳମାଳ ହୋଇଯିବାକୁ ଲାଗିଲା ।

 

ସେ ମଟରକୁ ବୁଲାଇ ରମାକାନ୍ତ ଘରଆଡ଼କୁ ଚାଲିଲେ । ସୁକେଶୀ ରମାକାନ୍ତ ପାଖରେ ଥିବେ ନା ଚାଲି ଯାଇଥିବେ । ନିଶ୍ଚୟ ରମାକାନ୍ତ ପାଖରେ ଥିବେ । ଦୁହେଁ ବସି ହସିହସି କଥାବାର୍ତ୍ତା ହେଉଥିବେ, ଯେପରି ରିକ୍‍ସାରେ ସେ ଦେଖିଥିଲେ ।

 

ରଜନୀ କାହାକୁ ନ ଡାକି ରମାକାନ୍ତର ବୈଠକଖାନା ଭିତରକୁ ପଶିଗଲେ । ଡାକ୍ତରଖାନାରେ କମ୍ପାଉଣ୍ଡର ଔଷଧ ତିଆରି କରୁଥିବାବେଳେ ରଜନୀଙ୍କୁ ଏହିପରି ବ୍ୟଗ୍ରହୋଇ ପଶିଯିବା ଦେଖି ଆଶ୍ଚର୍ଯ୍ୟ ହୋଇ ରହିଗଲା ।

 

ସେ ଦେଖିଲେ, ସୁକେଶୀ କ’ଣ କହୁଥିଲେ, ରମାକାନ୍ତ ଆଗରେ ପ୍ରସନ୍ନ ମୁଦ୍ରାରେ ଠିଆହୋଇ ଶୁଣୁଥିଲା । ଦେଖିଲେ, ରମାକାନ୍ତ ଅନ୍ୟଦିନଠୁ ଆଜି ବେଶି ସୁଶୋଭିତ, ସୁନ୍ଦର ଦିଶୁଛି-। ରଜନୀଙ୍କୁ ଦେଖି ଦୁହିଁଙ୍କ କଥା ବନ୍ଦ ହୋଇଗଲା । ସୁକେଶୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ରମାକାନ୍ତ କିଛି ସମୟ ଯାଏଁ କିଂକର୍ତ୍ତବ୍ୟମୂଢ଼ ହୋଇଯାଇ ହଠାତ୍ ନିଜକୁ ଦୋଷୀ ମନେ କରିବାଭଳି କଥାବାର୍ତ୍ତା ଆରମ୍ଭ କରିବାରୁ ସୁକେଶୀଙ୍କ ଆଶ୍ଚର୍ଯ୍ୟ ଆହୁରି ବଢ଼ିଗଲା ।

 

ରମାକାନ୍ତ କହୁଥିଲା–

 

“ତୁମ ପାଖକୁ ଯାଇ ପାରିଲିନି ରଜନୀ, ଆଜି ସୁକେଶୀ ଦେବୀଙ୍କର ସ୍କୁଲରେ ନାମ ଲେଖିବାକୁ ଥିଲା । ସୁକେଶୀ ! ମୋର ସହପାଠିନୀ ଓ ବନ୍ଧୁ ରଜନୀ ଦେବୀ । ରଜନୀ ! ସୁକେଶୀ ମହାପାତ୍ର, ଆମ ଗାଁ ଜମିଦାରଙ୍କ ସୁପୁତ୍ରୀ, ଆଜି ଏକାଦଶ ଶ୍ରେଣୀରେ ନାମ ଲେଖାଇଲେ ।”

 

ଦୁହେଁ ଦୁହିଙ୍କୁ ନମସ୍କାର କଲେ । ସେହି ଭିତରେ ଦୁହିଙ୍କର ପରସ୍ପରକୁ ଆକଳନ କରିବାର ଚେଷ୍ଟା ।

 

“ଆପଣଙ୍କ ନା ସୁକେଶୀ ମହାପାତ୍ର ?”

 

“ହଁ ।”

 

“ଆପଣଙ୍କ ବାପା ଥରେ ରମାକାନ୍ତ ବାବୁଙ୍କ ପାଖକୁ ଆପଣଙ୍କ ବିଷୟରେ ଚିଠିଟିଏ ଲେଖିଥିଲେ । ସେହିଦିନୁ ଆପଣ ମୋର ପରିଚିତା ।”

 

ରଜନୀ, ରମାକାନ୍ତ କେତେ ତା’ର ଘନିଷ୍ଠ, ତାହା ସୁକେଶୀଙ୍କୁ ଦେଖାଇବାକୁ ଉଦ୍ୟମ କଲେ ।

 

“ବାପା ରମାକାନ୍ତବାବୁଙ୍କୁ ଭାରି ବିଶ୍ୱାସ କରନ୍ତି । ତାଙ୍କ ଘର ସହିତ ଆମଘରର ଖୁବ୍ ଚିହ୍ନା, ରମାକାନ୍ତ ବାବୁ ଯେବେ ଆମ ଗାଁକୁ ଯିବେ ଆମ ଘରକୁ ନ ଯାଇ ନାହିଁ ।”

 

ରଜନୀ ରମାକାନ୍ତ ମୁହଁକୁ ଚାହିଁଲେ । ଦୁହିଙ୍କ ଦ୍ଵନ୍ଦ୍ଵରେ ରମାକାନ୍ତ ତଳିତଳାନ୍ତ ହେଉଥିଲା ।

 

“ମାଟ୍ରିକ ପରେ କଟକ ଆସିଥାନ୍ତେ, ଏଡ଼େ ତର ତର କାହିଁକି ହେଲେ ?”

 

“ବାପାଙ୍କର ଜଣେ ଦୀକ୍ଷାଗୁରୁ ଅଛନ୍ତି, ତାଙ୍କ ଉପରେ ବାପାଙ୍କର ଭାରି ବିଶ୍ୱାସ । ସେ ଆସି ମୁଁ କଟକରେ ପଢ଼ିବା ଉଚିତ ବୋଲି ଏକାଜିଦ୍ ଲଗାଇଲେ । ଏଥର ରମାକାନ୍ତ ଗାଁକୁ ଯାଇଥିଲେ, ବାପା ସାଧୁଙ୍କ କଥା କହି ତାଙ୍କର ମତାମତ ଲୋଡ଼ିଲେ । ସେ ମଧ୍ୟ କହିଲେ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ମୁଁ କଟକରୁ ଆସି ପଢ଼ିବା ଉଚିତ । ସେ ମୋର ଅଭିଭାବକ ହେବେ ଯେ ।”

 

କହିସାରି ସୁକେଶୀ ରମାକାନ୍ତ ଆଡ଼େ ମଧୁର ଦୃଷ୍ଟି ପକାଇଲେ ।

 

ରମାକାନ୍ତ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କଲା ।

 

“ଚାଲ, ତୁମକୁ ମୁଁ ତମ ପିଉସାଙ୍କ ଘରେ ଛାଡ଼ିଆସେ । ଡେରି ହୋଇ ଯାଉଚି ।”

 

“ପିଉସା ?” ରଜନୀ ପଚାରିଲେ । “ଆପଣ ପରା ତାଙ୍କର ମୁରବୀ ହେବେ ।”

 

“ମୁଁ ଆଉ ମୁରବୀ ହବା ଦରକାର ପଡ଼ିବନି, ତାଙ୍କର ପିଉସା କଟକକୁ ଏ ଭିତରେ ବଦଳି ହୋଇ ଆସିଛନ୍ତି ।”

 

ରଜନୀ ଠିଆହୋଇ ପଡ଼ିଲେ–ସୁକେଶୀ କହିଲେ–“ଆପଣଙ୍କ ସହ ପରିଚିତ ହୋଇ ଭାରି ଖୁସି ହେଲି । କେବେ କେବେ ଦେଖା ହେବ ।”

 

ରଜନୀ କିଛି ଉତ୍ତର ଦେଇ ପାରିଲେନି । ଚେଷ୍ଟାକରି କେବଳ ହସି ଦେଲେ ।

 

 

ବାଟରେ ଗଲାବେଳେ ସୁକେଶୀ ରମାକାନ୍ତକୁ ପଚାରିଲେ–“ଆପଣ ରଜନୀଙ୍କୁ ମୋ ପିଉସା ଏଠି ଅଛନ୍ତି ବୋଲି କହି କାହିଁକି ମିଛ କହିଲେ ?”

 

ରମାକାନ୍ତ ରିକ୍‍ସାରେ ତା’ ଦେହକୁ ନିଜ ଦେହରେ ଟିକିଏ ଧକ୍‍କା ଦେଇ କହିଲା–“ହଁ, ହଁ, ମୁଁ ଭୁଲି ଯାଇଥିଲି ଯେ ମିଛ କହିବା ମହାପାପ ।”

 

“ମୋତେ ଆଗରୁ ତ କେବେ ରଜନୀଙ୍କ କଥା କହି ନ ଥିଲେ ?” ସୁକେଶୀ ରମାକାନ୍ତକୁ ରିକ୍‍ସାରେ ଯାଉ ଯାଉ ପଚାରିଲେ ।

 

“ଆଗରୁ ମାନେ କେବେ କହିଥାନ୍ତି, ମୋଟେ ଦୁଇଦିନ ହେଲା ତ ତମେ ଗାଁରୁ ଆସିଲ-!”

 

“କିନ୍ତୁ ଦୁଇଦିନ ଭିତରେ ତ ଦଶଥର ଆମେ ଏକାଠି ହୋଇଥିବା, ମୁଁ ତ ଅନେକ କଥା ଆପଣଙ୍କୁ ପଚାରିଛି, ଆପଣ ଏହାଙ୍କ କଥା ଜାଣି ଜାଣି ନିଶ୍ଚୟ କହି ନାହାନ୍ତି” –ସୁକେଶୀଙ୍କ ସ୍ୱରରେ ଅଭିମାନ ।

 

“କାହିଁକି କହିଥାଆନ୍ତି ଯେ, ରଜନୀଙ୍କୁ ମୁଁ ସିନା କିଛି ମହତ୍ତ୍ୱ ଦେଉଥିଲେ ତାଙ୍କ ବିଷୟରେ ତମ ସହିତ ଚର୍ଚ୍ଚା କରିଥାଆନ୍ତି ।”

 

“ବଡ଼ ଆଶ୍ଚର୍ଯ୍ୟର କଥା ! ଆପଣଙ୍କ ସହ କଥାବାର୍ତ୍ତା ହେଲାବେଳେ ସେ ଏଡ଼େ ନିର୍ଭୟ ଆପଣ ଜଣେ ଭଦ୍ରମହିଳାଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ଯିଏ ବିନାନୁମତିରେ କୋଠରୀରେ ପ୍ରବେଶ କରିପାରେ... ! ଆପଣ କହୁଛନ୍ତି ଆପଣ ତାଙ୍କୁ ମହତ୍ତ୍ୱ ଦେଉନାହାନ୍ତି ? ଆପଣ ନିଶ୍ଚୟ କିଛି ଲୁଚଉଛନ୍ତି ।”

 

ରମାକାନ୍ତ ସୁକେଶୀ ଆଡ଼କୁ ଚାହିଁଲା । ସୁକେଶୀ ମୁରୁକେଇ ମୁରୁକେଇ ହସୁଥିଲେ, କ୍ଷଣକ ଭିତରେ ରମାକାନ୍ତ ବୁଝିପାରିଲା । ବୟସ ମୋଟେ ସତର ଅଠର ହେଲେ କ’ଣ ହେବ, ସୁକେଶୀ ବୟସ ତୁଳନାରେ ବେଶି ବିଚକ୍ଷଣ ଥିଲେ । ସେ ମୁଗ୍‍ଧ ହେଲା, ଆଶ୍ଚର୍ଯ୍ୟ ହେଲା । ଗାଁରେ ସେ ଷଡ଼ଙ୍ଗୀଙ୍କ ଶ୍ରାଦ୍ଧକ୍ରିୟା ପରେ ସୁକେଶୀଙ୍କ ସହ ପରିଚିତ ହୋଇଥିଲା । ସେହି ଦେଖାରେ ତ ସୁକେଶୀଙ୍କ ସୌନ୍ଦର୍ଯ୍ୟ ତାକୁ ଆଶ୍ଚର୍ଯ୍ୟବିହ୍ଵଳ କରି ପକାଇଲା । ପିଲାଦିନର ସୁକେଶୀ ଓ ଯୌବନୋଚ୍ଛଳ ସୁକେଶୀଙ୍କ ମଧ୍ୟରେ ପାର୍ଥକ୍ୟ ତାକୁ ସେଦିନ ସ୍ତମ୍ଭୀଭୂତ କରି ପକାଇଥିଲା । ସୁକେଶୀଙ୍କ ବାପା ଡାକିଥିଲେ ତାକୁ ତା’ର ପରାମର୍ଶ ପାଇଁ । ସୁକେଶୀ କଟକ ଯିବା ଉଚିତ ହେବ କି ନା । ସେ ସୁକେଶୀଙ୍କୁ ଦେଖିବା ପରେ ସୁକେଶୀ କଟକ ଆସି ପଢ଼ିବା ସପକ୍ଷରେ ହାର୍ଦ୍ଦିକ ସମର୍ଥନ ଜଣାଇଥିଲା । ସେତିକି ନୁହେଁ ସେ ତା’ର ମତ ଦେଇଥିଲା, ସୁକେଶୀ ନିଜେ ମନା ନ କରିବା ଯାଏଁ ତାଙ୍କୁ ପଢ଼ାଇବା ଉଚିତ । ଓଡ଼ିଶାରେ ଉଚ୍ଚ ଶିକ୍ଷିତା ଗୁଣଶାଳୀ ନାରୀଙ୍କର ପ୍ରୟୋଜନ ଭବିଷ୍ୟତରେ ଲୋକେ ବୁଝିବେ । ତା’ର ଉଚ୍ଛ୍ୱସିତ ସମର୍ଥନରେ ସୁକେଶୀ ଆନନ୍ଦିତ ହୋଇଥିଲେ, ଗୋବିନ୍ଦବାବୁଙ୍କର ଝିଅକୁ କଟକ ପଠାଇବାକୁ ଇଚ୍ଛା ସେଦିନ ଦୃଢ଼ ନିଶ୍ଚୟରେ ପରିଣତ ହୋଇ ଯାଇଥିଲା । ତା’ପରେ ସୁକେଶୀ ତା’ ପାଖକୁ ପତ୍ର ଦେଇଛନ୍ତି, ସେ ଉତ୍ତର ଦେଇଛି । ସୁକେଶୀଙ୍କଠି ସେ ପ୍ରଥମ ଦେଖାରେ ଧର୍ମ–ନୀତି–ପ୍ରତିବନ୍ଧକଶୂନ୍ୟ କେବଳ ବିଶୁଦ୍ଧ ନାରୀର ଅସ୍ତିତ୍ୱ ଥିବା ସନ୍ଦେହ କରିଥିଲା, ସୁକେଶୀ ମଧ୍ୟ ରମାକାନ୍ତଠି ପ୍ରବୃତ୍ତି ପ୍ରେରିତ ବଳିଷ୍ଠ ପୁରୁଷର ଅସ୍ତିତ୍ୱକୁ ପ୍ରଥମ ଦେଖାରେଇ ଆକଳନ କରି ନେଇଥିଲେ । ହଠାତ୍ ଦିନେ ଦୁହେଁ କୌଣସି ଚିଠିରେ ପରସ୍ପରକୁ ଅତି ଆପଣାର ବୋଲି ମନେ କରିନେଲେ । ତା’ପରେ କଥାଭାଷା କରି ରମାକାନ୍ତ ବୁଝିଲା ସୁକେଶୀ କେବଳ ଯୌବନୋଚ୍ଛଳ ନୁହନ୍ତି, ବୁଦ୍ଧିଶୀଳା ମଧ୍ୟ । ସାଧାରଣ ନାରୀମାନଙ୍କଠୁ ଯଥେଷ୍ଟ ଚପଳ ଓ ଯଥେଷ୍ଟ ବୁଦ୍ଧିମତୀ ।

 

ସେ ସୁକେଶୀଙ୍କ ଆଡ଼କୁ ଚାହିଁଲା । ଏଇ ଶରୀରରେ ସୌନ୍ଦର୍ଯ୍ୟ ସହ ବୁଦ୍ଧିର ସମ୍ମିଶ୍ରଣ ହୋଇଛି । ଗର୍ବିତ ନାସିକା, ଚଟୁଳ ଗଣ୍ଡ....ରମାକାନ୍ତର ପୁରୁଷତ୍ୱ ମଧୁର ଗର୍ଜନ କଲା । ତା’ ମୁଣ୍ଡରେ ଏକ ଚପଳ ବୁଦ୍ଧି ଖେଳିଗଲା । ସେ ସୁକେଶୀଙ୍କ ଦୁଇ ହାତ ପାପୁଲିକୁ ନିଜ ହାତମୁଠା ଭିତରକୁ ହଠାତ୍ ନେଇଯାଇ କହିଲା–

 

“ସୁକେଶୀ, ଏକଥା କାହାକୁ କହିବନି । ବୋଉ ଶୁଣିଲେ ଘରେ ପ୍ରଳୟ ସୃଷ୍ଟି କରିଦେବ-।”

 

ରମାକାନ୍ତ ହଠାତ୍ ତାଙ୍କର ହାତ ପାପୁଲିକୁ ନଜ ମୁଠା ଭିତରେ ସଂଗ୍ରହ କରି ନେବାରୁ ସୁକେଶୀ ଚମକି ପଡ଼ିଲେ । “କ’ଣ ହେଲା ?”

 

“ମୁଁ ରଜନୀ ଦେବୀଙ୍କୁ ଭଲ ପାଉଛି । ସେ ଜାତିରେ କରଣ, ବୋଉ କାନରେ ଯଦି ଏ କଥା ପଡ଼ିଯାଏ, ତା’ହେଲେ ଆମର ଦୁଇଟି ଜୀବନ ନଷ୍ଟ କରିବାକୁ ସେ ତିଳେ ହେଲେ ପାଶ୍ଚାତ୍ପଦ ହେବନି । ମୋତେ ଅନ୍ୟଠି ବିବାହ କରିବାକୁ ସେ ବାଧ୍ୟ କରିବ ।”

 

“ଆପଣ କ’ଣ ସତରେ ରଜନୀ ଦେବୀଙ୍କୁ ଭଲ ପାନ୍ତି ?”

 

ସୁକେଶୀ ହାତ ପାପୁଲିକୁ ଆହୁରି ଜୋରରେ ଭିଡ଼ି ଧରି ରମାକାନ୍ତ କହିଲା–

 

ହଁ ସୁକେଶୀ, କଲେଜରେ ପ୍ରଥମ ଦେଖାଠୁ ଦୁହେଁ ଦୁହିଙ୍କୁ ଭଲ ପାଇ ଆସୁଛୁ ।”

 

“ମୁଁ ବିଶ୍ୱାସ କରି ପାରୁନି, ଏଡ଼େ ଅସୁନ୍ଦର......”

 

“ତୁମେ କେବେ କାହାକୁ ଭଲ ପାଇନ ସୁକେଶୀ, ଭଲ ପାଇଥିଲେ ଜାଣିଥାନ୍ତ ଭଲ ପାଇବା ସୁନ୍ଦର–ଅସୁନ୍ଦର ମାନେନା, ଧନୀ–ଦରିଦ୍ର ମାନେନା...ଜାତି–ଗୋତ୍ର ମାନେନା...” ଜାତିଗୋତ୍ର ଉପରେ ରମାକାନ୍ତ ଅଳ୍ପ ବହୁତ ଜୋର୍ ଦେଲା ।

 

“ଓଃ” ! ଅତ୍ୟନ୍ତ ଦୁଃଖିତ ହୋଇ ସୁକେଶୀ ତାଙ୍କର ହାତକୁ ରମାକାନ୍ତର ମୁଠା ଭିତରୁ ଫିଟାଇ ଆଗକୁ ଚାହିଁଲେ । ରିକ୍‍ସା ଗାର୍ଲସ୍କୁଲ୍ ହଷ୍ଟେଲ୍ ପାଖ ହୋଇଯାଇଥାଏ ।

 

ସୁକେଶୀଙ୍କୁ ଛାନିଆ କରି ହଠାତ୍ ରମାକାନ୍ତ ଅଟ୍ଟହାସ୍ୟ କରି ଉଠିଲା–“ହୋ, ହୋ, ହୋ-!”

 

ରିକ୍‍ସାବାଲା ପଛକୁ ଚାହିଁଲା । ବାଟରେ ଯାଉଥିବା ଅନ୍ୟାନ୍ୟ ଲୋକେ ସେମାନଙ୍କ ଆଡ଼କୁ ଚାହିଁଲେ । ସୁକେଶୀ ହସର ଅର୍ଥ ବୁଝି ନ ପାରି ବୋକିଙ୍କ ଭଳିଆ ରମାକାନ୍ତର ମୁହଁକୁ ଚାହିଁଲେ ।

 

“କିପରି ହେଲା ? –ରମାକାନ୍ତ ପଚାରିଲା ।

 

“କ’ଣ ?”

 

“ମୋର ଅଭିନୟ ।”

 

“ଅଭିନୟ ?”

 

“ଆଉ କ’ଣ ମୁଁ ସତରେ ରଜନୀଙ୍କୁ ଭଲ ପାଉଥିଲି ?”

 

“ଓଃ, ମୁଁ ତ ବିଶ୍ୱାସ କରି ନେଇଥିଲି । ଆପଣ ବେଶ୍ ଅଭିନୟ କରି ଜାଣନ୍ତି !”

 

“ତୁମେ କିପରି ପ୍ରଥମେ ପ୍ରଥମେ ଅଭିନୟ କଲ ମୁଁ ତାଙ୍କୁ ଗୁରୁତ୍ଵ ଦେଉଛି ବୋଲି କହୁଥିବାବେଳେ ?”

 

“ଆପଣ ଭଲ ପ୍ରତିଶୋଧ ନେଲେ ।”

 

“ରଜନୀଙ୍କୁ କେହି ଭଲ ପାଇପାରେ ସୁକେଶୀ ?”

 

ରମାକାନ୍ତ ମନରେ ଉଠିଲା, କାଳେ ରଜନୀଙ୍କ ରୂପକୁ ନିହାତି ଧିକ୍‍କାରିବା ଦ୍ୱାରା ସେ କେବଳ ନାରୀର ଶରୀର ଆକାଂକ୍ଷୀ, ଗୁଣର ନୁହଁ ବୋଲି ସୁକେଶୀ ଭାବିବେ । ତେଣୁ ପ୍ରଶ୍ନ ପଚାରିବା ପରେ ପରେ ରମାକାନ୍ତ ନିଜକୁ ସଂଶୋଧନ କଲା–“ହଁ, ରଜନୀ ଦେବୀଙ୍କୁ ମଧ୍ୟ କେହି ଭଲ ପାଇପାରନ୍ତି; କିନ୍ତୁ ମଣିଷ ସିନା ଜଣକୁ ଭଲ ପାଇବ, ଦଶ ଜଣକୁ ତ ନୁହଁ ! ବଡ଼ ବିଚିତ୍ର ଏ ଭଲପାଇବା ! ବେଳେ ବେଳେ ଏପରି ଜାଗାରେ ମଣିଷ ହୃଦୟ ଦେଇଦିଏ ଯେଉଁଠି ହୃଦୟ ଖୋଲି କହିବାକୁ ଚାରା ନ ଥିବ, ମୁଁ ତୁମକୁ ଭଲପାଉଛି’ ବୋଲି ପଦେ, ସମାଜର ନୀତି ବାଧ୍ୟ କରୁଥିବ । ତାଙ୍କ ପ୍ରତି ଗତାନୁଗତିକ ବ୍ୟବହାର କରିବାକୁ, ଯେପରି କିଛି ହୋଇନି, ଯେପରି ସେ ଝିଅ ତୁମପାଇଁ ଅନ୍ୟ ହଜାରେ ଜଣଙ୍କ ଝିଅଙ୍କ ମଧ୍ୟରୁ ଜଣେ, ଅଥଚ ହୃଦୟ ପୋଡ଼ି ପୋଡ଼ି ଯାଉଥିବ, ସବୁବେଳେ ପାଖରେ ଦେଖୁଥିବ; କିନ୍ତୁ ଥରକ ପାଇଁ ନିଜର ବୋଲି କହିବାକୁ ଚାରା ନ ଥିବ...ଓଃ ସେତିକିବେଳେ ଯେଉଁ କଷ୍ଟ...

 

ରମାକାନ୍ତର ମୁହଁ କଷ୍ଟରେ ବିବର୍ଣ୍ଣ ହୋଇ ଉଠିଲା ।

 

“ରମାକାନ୍ତ ବାବୁ, ଆପଣ ବଡ଼ ଭାବପ୍ରବଣ !”

 

“ହଷ୍ଟେଲ୍ ହୋଇଗଲା । ଏ ରିକ୍‍ସାବାଲା ଏଇଠି ରଖ୍ ।”

 

ଦୁହେଁ ରିକ୍‍ସାରୁ ଓହ୍ଲାଇଲେ ।

 

“ମୁଁ କାହିଁକି ଆଉ ଭିତରକୁ ଯିବି ? ସନ୍ଧ୍ୟାବେଳେ ଆସିବି, ବର୍ତ୍ତମାନ କାମ ଅଛି ।”

 

“ହଁ, ରଜନୀଦେବୀ ଅପେକ୍ଷା କରି ବସିଥିବେ ।” ସୁକେଶୀ ହସିଲେ ।

 

“ଆରେ, ସେ କଥା ତ ମୁଁ ବିଲ୍‍କୁଲ୍ ଭୁଲି ଯାଇଥିଲି ।”

 

 

ଘରକୁ ଫେରି ରଜନୀ ତାଙ୍କର ବ୍ୟବହାର ପାଇଁ ଅନୁତପ୍ତ ହେଲେ । ସେ ଭାବିଲେ ସୁକେଶୀଙ୍କୁ ସେ ପ୍ରୟୋଜନ ଅପେକ୍ଷା ଅଧିକ ମୂଲ୍ୟ ଦେଇଛନ୍ତି, ସେଥିପାଇଁ ତାଙ୍କର ଏତେ ଦୁଃଖ, ଏତେ ମର୍ମବେଦନା । ସେ ରମାକାନ୍ତ ସହ କେତେ ଦୀର୍ଘକାଳ ଧରି ପରିଚିତ । ଏତେଦିନ ଭିତରେ ସେ କ’ଣ ରମାକାନ୍ତର ହୃଦୟକୁ ଚିହ୍ନନ୍ତିନି ଯେ ସେ ତାଙ୍କୁ ଅବିଶ୍ଵାସ କରିବାକୁ ଗଲେ । ରମାକାନ୍ତ ତାଙ୍କ ସହିତ ବୁଲୁଛି, ନଈକୂଳରେ ଘଣ୍ଟା ଘଣ୍ଟା ଧରି ଖୁସିଗପ କରିଛି, ସିନେମା ଯାଇଛି ଆଉ ବହୁବାର କହିଛି–“ରଜନୀ, ମୁଁ ତୁମକୁ ଜୀବନଠୁ ମଧ୍ୟ ବେଶି ଭଲ ପାଏ ।” ସେସବୁ କ’ଣ ମିଛ ? ଆଉ ସାମାନ୍ୟ କେତେ ଦିନର ପରିଚିତା ସୁକେଶୀ ବେଶି ସତ୍ୟ ? ଜଣେ ଜଣକୁ ଭଲ ପାଇଲା ବୋଲି କ’ଣ ଆଉ ଝିଅମାନଙ୍କ ସହିତ କଥାବାର୍ତ୍ତା ହେବାକୁ ମଧ୍ୟ ତାକୁ ମନା ? ଛି, ସେ କେଡ଼େ ନୀଚହୋଇ ଯାଇଛି, ତା’ର କେଡ଼େ ମାନସିକ ଅଧଃପତନ ହୋଇଯାଇଛି । ତଥାପି, ତଥାପି ! କାହିଁକି ଆତ୍ମବିଶ୍ଵାସ ଆସୁନି ? କାରଣ ସୁକେଶୀ ତାଙ୍କଠୁ ବେଶି ସୁନ୍ଦର ବୋଲି । ଅସୁନ୍ଦର ବୋଲି ରଜନୀଙ୍କର ଚିରନ୍ତନ ପ୍ରେମ ସୁକେଶୀଙ୍କ ସୌନ୍ଦର୍ଯ୍ୟ ଆଗରେ ପରାଜିତ ହୋଇଯିବ ? ଧର ଯଦି ଜଣେ ପୁରୁଷକୁ ରଜନୀ ଓ ସୁକେଶୀ ଉଭୟଙ୍କ ମଧ୍ୟରୁ ଜଣକୁ ଭଲପାଇବାକୁ କୁହାଯାଏ, ତା’ହେଲେ ସେ କାହାକୁ ବାଛିବ, ଭଲପାଇବ ? ସୁକେଶୀଙ୍କୁ ? ନା, ନା, ଏପରି ହୋଇପାରେ, କେହି ଜଣେ ସୁକେଶୀଙ୍କୁ ନ୍ୟୁନ କରି ରଜନୀଙ୍କୁ ତାଙ୍କର ସହସ୍ର ଅସୁନ୍ଦରତା ସତ୍ତ୍ୱେ ଭଲ ପାଇପାରେ । ବାହାରେ ସିନା ସେ ଅସୁନ୍ଦର, ଶରୀର ଭିତରଟା ତାଙ୍କର ତ କଳୁଷମୟ ନୁହଁ । ସେ ବହୁ ବାନ୍ଧବୀମାନଙ୍କଠୁ ସେମାନଙ୍କ ହୃଦୟର କଥା ସବୁ ଶୁଣିଛି, ଯାହାକୁ ସ୍ତ୍ରୀମାନେ ସଂଗୋପନୀୟ କରି ହୃଦୟରେ ରଖନ୍ତି । ତା’ ହୃଦୟରେ ତ ସେପରି କିଛି ଇଚ୍ଛା ନାହିଁ । ତା’ ହୃଦୟଟା ତ ପବିତ୍ର । ଛାଡ଼ ସେ କଥା, ଦୋଷଦ୍ରଷ୍ଟା ହୋଇ କାହାର କ’ଣ ଲାଭ ? ପରିସ୍ଥିତି କାହାକୁ ଭଲ, ଆଉ କାହାକୁ ଖରାପ ସିନା କରୁଛି ।

 

ଈଶ୍ଵର କାହିଁକି ଜଣକୁ ସୁନ୍ଦର ଓ ଆଉ ଜଣକୁ ଅସୁନ୍ଦର କରନ୍ତି ? କ’ଣ ତାଙ୍କର ଉଦ୍ଦେଶ୍ୟ ? ସମସ୍ତଙ୍କୁ ସୁନ୍ଦର କଲେ ତାଙ୍କର କ’ଣ କ୍ଷତି ହୋଇଯିବ ?

 

ସେ ରମାକାନ୍ତକୁ କାହିଁକି ଭଲ ପାଉଛି, ରମାକାନ୍ତ ସୁନ୍ଦର ବୋଲି ନୁହେଁ ତ ? ହଁ...ନା...କାହିଁକି ଭଲ ପାଉଛି, ତା’ର ଉତ୍ତର ଦିଆଯାଇ ପାରିବନି । ସେ ଭଲପାଉଛି, ରମାକାନ୍ତ ମଧ୍ୟ ତାକୁ ଭଲପାଉଛି । ତା’ର ମନରେ ସନ୍ଦେହ ଆସୁଛି କେବଳ ତା’ର ହୃଦୟରେ ଥିବା ପ୍ରବଳ ଈର୍ଷାଯୋଗୁଁ ।

 

ରଜନୀ ଶେଯରେ କଡ଼ ଲେଉଟାଇ କାଳିନ୍ଦୀ ବାବୁଙ୍କ ‘ମାଟିର ମଣିଷ’ ଉପନ୍ୟାସଟି ପଢ଼ିବାକୁ ଚେଷ୍ଟାକଲେ । ଏହି ସମୟରେ ଦୁଆରେ କରାଘାତ ହେଲା । ଦାସୀ ଆସି କହିଲା–“ଦେଇ ! ବାବୁ ଡାକୁଛନ୍ତି ଜଲ୍‍ଦି ଆସ ।”

 

“କ’ଣ ହୋଇଛି ବାବାଙ୍କର ?”

 

“ମାଲଗୋଦାମରୁ ଫେରି ତ ସଙ୍ଗେ ସଙ୍ଗେ ତୁମକୁ ଡକାଇ ପଠାଇଲେ ।”

 

“ଚାଲ୍, ଚାଲ୍ ।” ରଜନୀ ଉଦ୍‌ବିଗ୍ନ ହୋଇ ଚାଲିଲେ ଦାସୀ ପଛେ ପଛେ ।

 

ବଂଶୀଧର ବାବୁ ଖଟରେ ଶୋଇଥାନ୍ତି । ଝିଅକୁ ଦେଖି ତାଙ୍କ ଆଖି ଆନନ୍ଦୋଜ୍ଜ୍ୱଳ ହୋଇ ଉଠିଲା । ଏକମାତ୍ର ଝିଅ, ବଡ଼; କିନ୍ତୁ ବଡ଼ ବୋଲି ନୁହଁ, ଝିଅ ଅସୁନ୍ଦର ଯୋଗୁଁ ବଂଶୀଧରବାବୁ ତାଙ୍କୁ ବିଶେଷ ଭଲ ପାନ୍ତି । ବିଶେଷ ଆଦର କରନ୍ତି । କୌଣସି କାରଣରୁ ଯେପରି ତାଙ୍କର ଅତ୍ୟନ୍ତ ମନ କଷ୍ଟ ହୁଏ, କିଏ ଏ ଝିଅକୁ ବିବାହ କରିବ, ଭଲ ପାଇବ ? ଜୀବନରେ ତାଙ୍କର କେତେ ଦୁଃଖ, କେତେ କଷ୍ଟ ଅଛି, ତାକୁ କିଏ କହିବ ? ବିଚାରୀର ମା’ ନାହିଁ, ମନକଥା କାହାକୁ କହିପାରୁ ନଥିବ ।

 

ବଂଶୀଧରବାବୁ ରଜନୀଙ୍କ ସକଳ ମନଇଚ୍ଛା ପୂରଣ କରିବାକୁ କେବେହେଲେ ପଶ୍ଚାତ୍‍ପଦ ହେଉ ନ ଥିଲେ ।

 

“କ’ଣ ହୋଇଛି ବାବା,” ରଜନୀ ବ୍ୟଗ୍ରହୋଇ ପଚାରିଲେ ।

 

“ବସ୍ ମା, ଏହାପରି ଇଚ୍ଛା ହେଲା ଡାକିଦେଲି । ବସ୍ ।”

 

“କ’ଣ ହୋଇଛି, କୁହ ?”

 

ରଜନୀ ବସିଲେ ।

 

“ଶୁଣ୍ ମା, ଯେଉଁ ପଠାଟା ମୋ ପିଠିରେ ହୋଇଥିଲା, ସେଇଟା ପାଚୁନି କି ଫାଟୁନି, ମାସେ ଉପରେ ହେଲାଣି, ଡାକ୍ତର କହୁଛନ୍ତି ଅପରେସନ୍ କରିଦବାକୁ ।”

 

“ନା, ନା, ଆମର ଅପରେସନ୍ ହବନି ।” ଏତକ କହିଦେଇ ରଜନୀଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା ।

 

“କିନ୍ତୁ ମା’, ସବୁ ଡାକ୍ତର ସେଇ କଥା କହୁଛନ୍ତି, ଆଉ ଉପାୟ ନାହିଁ । ସେଦିନ ତୋର ବନ୍ଧୁ ରମାକାନ୍ତ ଆସିଗଲେ, ତାଙ୍କର ମଧ୍ୟ ସେଇ ମତ ।”

 

“ନା, ନା, ଅପରେସନ କରିବାରେ ବିପଦ ବହୁତ, ପୁଣି ମେରୁଦଣ୍ଡ ଉପରେ ବ୍ରଣଟା ହୋଇଛି, ଅପରେସନ ହବନି ।”

 

“ବର୍ତ୍ତମାନ ପ୍ରତି ମୁହୂର୍ତ୍ତରେ କଷ୍ଟ ପାଉଛି, ଲଇଁ ପାରୁନି କି ବସି ପାରୁନି ।”

 

“ସେଇଥିରେ ତୁମେ ଆଜି ପୁଣି ମାଲଗୋଦାମ ଯାଇଥିଲ !”

 

“ମାଲଗୋଦାମ ନୁହେଁ ମା, ଡାକ୍ତର ପାଖକୁ ଯାଇଥିଲି, ସେଠୁ ମାଲଗୋଦାମ ହୋଇ ଚାଲି ଆସିଲି । ଯେତେ କଷ୍ଟ ପାଇଲେ ବି କାମ କରିବାର ଅଭ୍ୟାସ ରହି ଯାଇଥିବାରୁ ଅଳସୁଆ ହୋଇ ବସି ରହିବାକୁ ଭଲ ଲାଗୁନି ।”

 

“ବଡ଼ କଷ୍ଟ ହେଉଛି, ନା ? କାହିଁକି ଏତେ ପରିଶ୍ରମ କରୁଛ ? ଆମେ ସବୁ କେଡ଼େ ସ୍ୱାର୍ଥପର, ତମେ ଏତେ କଷ୍ଟ ପାଉଥିବାବେଳେ ମଧ୍ୟ ଆମରି ପାଇଁ କାମ କରୁଛ ଅଥଚ ଆମେ ଭଲରେ ଅଛୁ, କାମ ନ କରି ମଜା କରୁଛୁ, ସିନେମା ଯାଉଛୁ, ବୁଲୁଛୁ ।”

 

“ସଂସାରରେ କିଏ ନିଜ ପିଲାପିଲିଙ୍କ ପାଇଁ ରୋଜଗାର କରେନି ମା, ସବୁ ତ ତୁମରି ପାଇଁ, ତୁମରି ସୁଖରେ ତ ମୋର ସୁଖ । ପିଲାଟିବେଳୁ ତୁମମାନଙ୍କର ଦୌରାତ୍ମ ସହି ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ତୁମମାନଙ୍କୁ ଗଢ଼ି ଆଣିଛି; କିନ୍ତୁ ସୁଖ ସ୍ୱାଚ୍ଛନ୍ଦ୍ୟରେ ଜଳାଞ୍ଜଳି କହିଲେ ଠିକ୍ ହେବନି; କାରଣ ତୁମମାନଙ୍କୁ ଛାତିରେ ଲଗାଇଲେ ହୃଦୟ ଶୀତଳ ହୋଇଯାଏ, ତୁମର ହସ ଦେଖିଲେ ଦୁଃଖ କଷ୍ଟ ଧୋଇ ହୋଇଯାଏ । କାମରେ ପୁଣି ନବୀନ ଉତ୍ସାହରେ ଲାଗିଯିବାକୁ ହାତରେ ଗୋଡ଼ରେ ଶକ୍ତି ଆସେ । ସେ ସବୁ କଥା ତୁ ଜାଣିପାରିବୁ ମା, ଯେତେବେଳେ ତୋର ପିଲା ହେବେ, ତୁ ତାଙ୍କୁ ଭଲ ପାଇବୁ ।”

 

ରଜନୀଙ୍କ ମୁହଁ ରଙ୍ଗା ପଡ଼ିଗଲା ।

 

“କ’ଣ କରୁଥିଲୁ ଏଇଲେ ?”

 

“ବହିଟେ ପଢ଼ୁଥିଲି ।”

 

“ଆଚ୍ଛା ମା’, ଯା, ବିଶ୍ରାମ ନେବୁ ।”

 

ରଜନୀ ଚାଲିଗଲେ ।

 

Unknown

ବଂଶୀଧରବାବୁ ଯାହା କହିବାପାଇଁ ଡାକିଥିଲେ ତାହା କିନ୍ତୁ ଅକୁହା ରହିଗଲା । ଅପରେସନ୍ ପାଇଁ ଡାକ୍ତର ଶ୍ରୀଧରବାବୁ ତାଙ୍କୁ ପରାମର୍ଶ ଦେଇଥିଲେ; କିନ୍ତୁ ତାଙ୍କୁ କହିଥିଲେ, ଅପରେସନ୍ ସଫଳ ନହେଲେ ଦୁର୍ଘଟଣାର ମଧ୍ୟ ସମ୍ଭାବନା ଅଛି । ତା’ ଜାଣିବାପରେ ମଧ୍ୟ ବଂଶୀଧର ବାବୁ ଅପରେସନ୍‍ର ସବୁ ବନ୍ଦୋବସ୍ତ କରିଥିଲେ । ତାଙ୍କୁ ବ୍ରଣଯୋଗୁଁ ଯେଉଁ କଷ୍ଟ ହେଉଥିଲା ତା’ ତାଙ୍କ ଛଡ଼ା ଅନ୍ୟ କିଏ ଜାଣିବ କିପରି ? ଠିକ୍ ମେରୁଦଣ୍ଡ ମୂଳରେ କରି ବ୍ରଣଟି ବାହାରିଥିଲା । ପ୍ରଥମେ ସେ ତାକୁ ସାଧାରଣ ବ୍ରଣ ବୋଲି ଅବହେଳା କରିଦେଲେ; କିନ୍ତୁ ଶେଷରେ ତାହା ଦୁଷ୍ଟ ବ୍ରଣରେ ପରିଣତ ହେଲା । ଅବଶ୍ୟ ବୟସ ହେଲେ ସବୁବ୍ରଣ ଦୁଷ୍ଟ ବ୍ରଣରେ ପରିଣତ ହୁଏ । ବଂଶୀଧରବାବୁଙ୍କ ବ୍ରଣଟି ଯେତେ ଔଷଧ ଖାଇଲେ ମଧ୍ୟ ଭଲ ହେଲାନି । ଝିଅକୁ ସେ ସବୁକଥା ଖୋଲି କହିବେ ବୋଲି ଡାକିଥିଲେ । ସେ ଜାଣିଥିଲେ ରଜନୀଙ୍କ କୋମଳ ହୃଦୟ କାହାର ହେଲେ ଦୁଃଖ ସହି ପାରେନି, ନିଜ ବାପାଙ୍କର ଦୁଃଖ କିପରି ସହିବ ! ତଥାପି ସେ ଡାକିଥିଲେ; କିନ୍ତୁ ସବୁ କଥା କହିବାକୁ ତାଙ୍କର ଜିଭ ଓଲଟିଲାନି । ସନ୍ତାନସନ୍ତତିଙ୍କ ମଧ୍ୟରେ ରଜନୀ ସବୁଠୁ ବଡ଼, ଘରର ଦାୟିତ୍ୱ ସବୁ ତାରି ଉପରେ ଦେଇଦେଇ ସେ ହସପିଟାଲରେ ଭର୍ତ୍ତି ହୋଇଯିବେ ବୋଲି ଠିକ୍ କରିଥିଲେ; କିନ୍ତୁ ରଜନୀଙ୍କୁ କିପରି ସବୁ କଥା ବୁଝାଇ ପାରିବେ ?

 

 

ଦେବୀପାଦ କ୍ୟାଲେଣ୍ଡରକୁ ଚାହିଁଲା ! କଲିକତାକୁ ଆସିବା ତା’ର ଛଅମାସ ହୋଇଯିବା ଉପରେ । ଆଉ ଏଇ ଛଅମାସ ଭିତରେ ନିଜର ପରିବର୍ତ୍ତନରେ ସେ ନିଜେ ବିସ୍ମିତ ହେଉଥିଲା । ଟାଇ ଭିଡ଼ୁ ଭିଡ଼ୁ ସେ ଭାବିଲା ମଣିଷର ଭୁଲ୍‍ର ସଂଶୋଧନ କେତେବେଳେ, ଆଉ କିପରି ହେବ, ତା’ କେହି କଳ୍ପନା କରି ପାରିବେନି । ସୁକୁମାର ବାବୁ ଶିକ୍ଷାରେ ସେ ତା’ର କେଉଁଠି କେଉଁଠି ଭୁଲ୍ ହୋଇଥିଲା ତା’ ଧୀରେ ଧୀରେ ବୁଝିପାରିଛି । ସୁକୁମାର ବାବୁ ତା’ ପାଇଁ ନୂତନ ଜୀବନ ପଥରେ ଆଲୋକସ୍ତମ୍ଭ ସଦୃଶ ହୋଇଛନ୍ତି । ସୁକୁମାର ଦାଦା । ଅଗାଧ ତାଙ୍କର ପାଣ୍ଡିତ୍ୟ, ଅକାଟ୍ୟ ତାଙ୍କର ଯୁକ୍ତି ।

 

ବ୍ୟାଙ୍କ୍ ବ୍ୟବସାୟ ନେଇ ସେ ଦିଲ୍ଲୀ ଯାଇଛନ୍ତି, ନୋରା ଓ ଲାନା, ଦୁଇଜଣ ଆଗ୍ଲୋଇଣ୍ଡିଆନ୍ ମହିଳା ତାଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବାକୁ ସାଥିରେ । ଦୁଇଜଣ ତ ଅଣ୍ଟିବେନି, ହୋଟେଲର ଶାଖା ଦିଲ୍ଲୀରେ ଅଛି । ସେଠାକାର କର୍ମଚାରୀମାନେ ଦାଦାଙ୍କୁ ସାହାଯ୍ୟ କରିବେ । ଦେବୀପାଦ ଦାଦାଙ୍କ ସହିତ ଦିଲ୍ଲୀ ଯିବାକୁ ଆଗ୍ରହ ପ୍ରକାଶ କରିଥିଲା । କିନ୍ତୁ ସୁକୁମାର ବାବୁ ସେ ନୂଆ ଛାତ୍ର ବୋଲି ତାକୁ ନେବାକୁ ରାଜି ହୋଇ ନ ଥିଲେ । କହିଥିଲେ–“ପ୍ରଥମେ ଛୋଟିଆ ଛୋଟିଆ କେସରେ ସଫଳତା ଦେଖାଇଲେ ତୁମକୁ ବଡ଼ କେସ୍ ଦିଆଯିବ । ବୁଝିଲ ?”

 

ସୁକୁମାର ବାବୁଙ୍କର ଆନ୍ତର୍ପ୍ରାଦେଶିକ ବ୍ୟାପାର ଥିଲା ଓ ତାଙ୍କ ଅଧୀନରେ ବିଭିନ୍ନ ଜାଗାରେ ଶହ ଶହ ଲୋକ କାମ କରୁଥିଲେ । ବ୍ୟାପାରର ସ୍ୱରୂପ, ପ୍ରକୃତି ସମ୍ବନ୍ଧରେ ଦେବୀପାଦ ବିଳମ୍ବରେ ଜାଣିବାକୁ ପାଇଥିଲା; କିନ୍ତୁ ସେତେବେଳେ ସୁକୁମାର ଦାଦା କିମ୍ବା ‘ହୋଟେଲ ତୃପ୍ତି’ କୁ ଛାଡ଼ିବାକୁ ତା’ର ଆଉ ଇଚ୍ଛା ନ ଥିଲା । ସୁକୁମାର ବାବୁ ତାକୁ ବୁଝାଇଥିଲେ–“ଦେଖ ବାବୁ, ସଂସାର ଏକ ସମସ୍ୟା । ଏ ସମସ୍ୟାକୁ ବିଭିନ୍ନ ଜ୍ଞାନୀଲୋକ ବିଭିନ୍ନ ଭାବେ ସମାଧାନ କରିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରାୟ ସମସ୍ତେ ଏକମତ ଯେ ସ୍ଵାଧୀନତା, ମାନବର ସ୍ଵାଧୀନତା, ଏକ ଅତି ବଡ଼ି ଜିନିଷ । ସ୍ୱାଧୀନତା ବିନା ପ୍ରକୃତ ବ୍ୟକ୍ତିତ୍ଵ ପରିସ୍ଫୁଟ ହୋଇ ପାରିବନି । ଭାରତବର୍ଷର ଲୋକଙ୍କର ସ୍ଵାଧୀନତା ବହୁଦିନୁ ଗଲାଣି । ପ୍ରଥମେ ରଜାରାଜୁଡ଼ା ଜମିଦାରଶ୍ରେଣୀ, ତା’ପରେ ମୁସଲମାନ ଶାସକମାନେ ଓ ଶେଷରେ ଇଂରାଜୀମାନେ ଆସି ଭାରତକୁ ପରାଧୀନ କରିଛନ୍ତି । ଭାରତବର୍ଷରେ ମାନବର ସ୍ଵାଧୀନତା ଏହିପରି ବହୁଲୋକଙ୍କଦ୍ୱାରା ଅପହୃତ ହୋଇଛି । ଇଂରେଜମାନେ ପରେ ପରେ, ସ୍ଵାଧୀନତା ଫେରି ପାଇବା ପାଇଁ, ବଙ୍ଗଳାର କେତେଜଣ ଯୁବକ ଏକ ସଙ୍ଗଠନ ଆରମ୍ଭ କଲେ । କେବଳ ବ୍ରିଟିଶମାନଙ୍କୁ ତଡ଼ିବା ନୁହେଁ, ଭାରତବର୍ଷରେ ଲୋକମାନଙ୍କ ପାଇଁ ପ୍ରକୃତ ସ୍ଵାଧୀନତା ଆଣିବା, ସେମାନଙ୍କର ଲକ୍ଷ୍ୟ ଥିଲା । ସେତେବେଳେ ଇଂରେଜ ସରକାର ଦେଶରେ ଆଇନ ପରେ ଆଇନ ଗଢ଼ି ଚାଲିଥାଏ । ରାଷ୍ଟ୍ର ସରକାରର ନିୟମ ଜାଲରେ ପଡ଼ି ଲୋକମାନେ ହାହାକାର କରୁଥାଆନ୍ତି । ବ୍ୟକ୍ତିଗତ ସ୍ଵାଧୀନତା ସବୁଆଡ଼ୁ ସୀମିତ ହୋଇପାରେ ଛଟପଟ ହେଉଥାଏ ।

 

ବୈଦେଶିକ ଆକ୍ରମଣ ଓ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଉଭୟରୁ ରାଷ୍ଟ୍ରକୁ ରକ୍ଷା କରିବା ହିଁ ସରକାରର କର୍ତ୍ତବ୍ୟ । ରାଷ୍ଟ୍ର ବା ସରକାରର ଆଉ କୌଣସି କର୍ତ୍ତବ୍ୟ ନାହିଁ । ବାସ୍ତବରେ ଦେଖିବାକୁ ଗଲେ ରାଷ୍ଟ୍ର ବୋଲି କିଛି ନାହିଁ, ବ୍ୟକ୍ତି ହିଁ ସବୁ । ବ୍ୟକ୍ତିର ସୁବିଧା, ସୁଖ ଓ ସ୍ୱାଚ୍ଛନ୍ଦ୍ୟ ପାଇଁ ରାଷ୍ଟ୍ର; କିନ୍ତୁ ଥରେ କ୍ଷମତାକୁ ଆସିଯିବା ପରେ ଶାସକଗୋଷ୍ଠୀ ତାହା ଭୁଲିଯାଏ । ଇଂରେଜ ସରକାର ତାହା ଭୁଲିଯାଇଥିଲା । ତା’ର ପରିମାଣ କ’ଣ ହେଲା ଦେଖିଲ । ସେମାନେ ତଡ଼ା ଖାଇଲେ । ଆମେ ସ୍ଵାଧୀନତା ଆନ୍ଦୋଳନବେଳେ, ଅନ୍ୟମାନଙ୍କ ସହ ସହଯୋଗ କରିଥିଲୁ, ଭାବିଥିଲୁ ଗାନ୍ଧିଜୀଙ୍କ ସର୍ବୋଦୟ ଶାସନ ପ୍ରତିଷ୍ଠିତ ହେଲେ ଲୋକେ ଆଇନକାନୁନରୁ ମୁକ୍ତ ହୋଇ ସ୍ଵାଧୀନତାର ପକ୍ଷ ବିସ୍ତାର କରିବେ । ତଦ୍ଦ୍ୱାରା ପ୍ରତ୍ୟେକ ନିଜ ନିଜର ପୂର୍ଣ୍ଣତା ପାଇବେ; କିନ୍ତୁ ହେଲା କ’ଣ ? “ସ୍ୱାଧୀନତା” ପରେ ପରେ ନେହେରୁ ସରକାର ନିୟମ ପରେ ନିୟମ ଗଢ଼ି ଚାଲିଛନ୍ତି, ଆଜି ରେଲ ଜାତୀୟକରଣ ତ କାଲି ଉଡ଼ାଜାହାଜ, ପଅରଦିନ ବ୍ୟାଙ୍କ୍, ତା’ ପରଦିନ ପୋଷ୍ଟାଲ ବିଭାଗ, ଏହିପରି । ଦିନ ଆସିବ ଯେତେବେଳେ ଗଣତାନ୍ତ୍ରିକ ସାମ୍ୟବାଦ ନାମରେ ତୁମେ ଦେଖିବ ସବୁ କିଛି ସରକାର ନେଇ ଯାଇଛି–ସବୁ କିଛି । ଏପରିକି ତୁମେ କ’ଣ ଭାବିବ, କ’ଣ ପିନ୍ଧିବ, କାହା ସଙ୍ଗେ ସଙ୍ଗେ ହେବ, ତା’ ମଧ୍ୟ ସରକାରୀ ଆଇନ ଅନୁସାରେ ଚଳିବ । କଳ୍ପନା କରିପାରୁଛ ସେ ବେଳ କଥା ?

 

ଆମ୍ଭେମାନେ ଅରାଜକତାର ପକ୍ଷପାତୀ । ପ୍ରତ୍ୟେକ ଲୋକ ସତ୍, ତାକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦେଲେ ସେ ସତ୍‍କାର୍ଯ୍ୟ ହିଁ କରିବ ବୋଲି ଆମର ବିଶ୍ୱାସ । ସମାଜରେ ଏତେ ଅସଦାଚାର, ବିଶୃଙ୍ଖଳା, ଆଇନକାନୁନର ପ୍ରଚୁରତା ଯୋଗୁଁ । ପୋଲିସ ବଢ଼ିଚାଲିବା ସଙ୍ଗେ ସଙ୍ଗେ ଚୋରମାନେ ମଧ୍ୟ ବଢ଼ି ଚାଲିଛନ୍ତି । ଘରେ ଘରେ ସତୀମାନେ ରହୁଥିବା ବେଳେ ବେଶ୍ୟାମାନଙ୍କ ଭାଗରେ ତ ସମ୍ପୂର୍ଣ୍ଣ ସାହି ପଡ଼ିଯାଇଛି । କାହିଁକି ? ଆଇନକାନୁନର ସ୍ୱଳ୍ପତାଯୋଗୁଁ ନୁହେଁ, ବହୁଳତା ଯୋଗୁଁ । ଶାସନ ସରକାରଠୁ ଆସିବା ପରିବର୍ତ୍ତେ, ମଣିଷର ଆତ୍ମାଠୁ ଆସିବା ଉଚିତ ।

 

ପ୍ରତ୍ୟେକ ମାନବର ପୂର୍ଣ୍ଣ ସ୍ୱାଧୀନତା ଆମର ଲକ୍ଷ୍ୟ । ରୁହ କିଛି ପ୍ରଶ୍ନ ପଚାରନି, ମୁଁ ଜାଣେ ତୁମେ ପଚାରିବାକୁ ଚାହୁଁଛ ଯେ ଏହା କେବଳ ମୁଁ କହିବା କଥା ନା କେହି ଜ୍ଞାନୀ ପଣ୍ଡିତ ଲୋକ ମଧ୍ୟ ଏହାକୁ ସମର୍ଥନ କରିଯାଇଛନ୍ତି । ରୁସୋଙ୍କ ନାମ ଶୁଣିଥିବ । ରାଷ୍ଟ୍ରକୁ ସେ ପାପ ଓ ଦୁର୍ବଳତାର ଚିହ୍ନ ବୋଲି ନିଅନ୍ତି । ଜେଫେରସନଙ୍କ ମତରେ ଯେଉଁ ରାଷ୍ଟ୍ର ଯେତେ କମ୍‍ ଶାସନ କରେ, ସେ ରାଷ୍ଟ୍ର ସେତେ ଭଲ । ଗୋଦଉଇନ କହନ୍ତି, ରାଷ୍ଟ୍ର ବା ସରକାର ବିନା ମଣିଷ ସୁଖସ୍ୱାଚ୍ଛନ୍ଦ୍ୟ ଓ ଶୃଙ୍ଖଳାରେ ଚଳିପାରିବ । ଆଜି ରାଷ୍ଟ୍ର ଲୋପ ପାଇଯାଉ ଦେଖିବ କାଲିଠୁ ମଣିଷ ଚରିତ୍ର ଓ ବୁଦ୍ଧିରେ ଏପରି ଉନ୍ନତି କରିବ, ଯାହା ଏହା ପୂର୍ବରୁ ମାନବ ସଭ୍ୟତାରେ କେବେ ଦେଖାଯାଇ ନ ଥିଲା । କେତେ ଲୋକଙ୍କ ମତ କହିବି ? ଟଲଷ୍ଟୟ, ଡସୋଟ୍ଏଭସ୍କି, ବାକୁନିନ୍, ଇମରସନ୍, ଗାନ୍ଧି–ବିଶ୍ଵ ଯେଉଁମାନଙ୍କୁ ମହାମାନବ ବୋଲି ସ୍ୱୀକାର କରିଛି–ସେହି ସମସ୍ତଙ୍କର ଏହି ମତ; କିନ୍ତୁ ସେମାନେ ଥିଲେ କେବଳ ବିଚାରଶୀଳ, ବୁଦ୍ଧିଜୀବୀ । ଭାବିବା ଚିନ୍ତିବା ସେମାନଙ୍କର କାମ ଥିଲା । କଳ୍ପନାକୁ ରୂପାୟିତ କରିବା ପାଇଁ ସେମାନଙ୍କର ଶକ୍ତି, ଉଦଯୋଗ ବା ସାହସ ନ ଥିଲା । ଆମେ ତାକୁ କରିବା । ମୁଁ ତ ଭାବେ ଗାନ୍ଧିଜୀ ସେହି କଥା କରିବାକୁ, ଦେଶରେ ଅରାଜକତା ଆଣିବାକୁ, ଭାରତୀୟ ରାଜନୀତିରେ ନେତୃତ୍ୱ ନେଲେ । ସେଥିପାଇଁ ଭାରତକୁ ଗାନ୍ଧିଜୀ ଆସିବା ପରେ ଆମର କର୍ମୀମାନେ ଆନ୍ଦୋଳନରେ ଯୋଗଦେଲେ; କିନ୍ତୁ ସ୍ୱାଧୀନତା ପ୍ରାପ୍ତିପରେ ଆମେ ଯାହା ଦେଖିଲୁ, ସେଥିରେ ଆମର ଭ୍ରମ ଭାଙ୍ଗିଲା, ମୋହ ତୁଟିଗଲା । ରାଷ୍ଟ୍ର ଆଇନ କମାଇବ କ’ଣ, ନିୟମ ଶୃଙ୍ଖଳତାରେ ଭାରତୀୟ ଜନତାକୁ ଭୟାକ୍ରାନ୍ତ, ନିସ୍ତେଜ ଓ ସ୍ଫୁର୍ତ୍ତିହୀନ କରିସାରିଲାଣି... । ସୁକୁମାର ବାବୁ ହଠାତ୍ ଚୁପ୍ ହୋଇଗଲେ ।

 

“ସେଇଥିପାଇଁ ଆମେ ଆମ ଅରାଜକଦଳର ପୁନର୍ଗଠନ କରିଛୁ । ଆମର ଲକ୍ଷ୍ୟ ପୂର୍ଣ୍ଣ ସ୍ଵାଧୀନତା, ସମ୍ପୂର୍ଣ୍ଣ ମାନବସମାଜର ସର୍ବତ୍ର ସମ୍ପୂର୍ଣ୍ଣ ସ୍ୱାଧୀନତା । ଆମର ଭବିଷ୍ୟତ୍ର କଳ୍ପନା କ’ଣ ଜାଣିଛ ?”

 

“ନ ରାଜ୍ୟଂ ନ ଚ ରାଜାଃଽସୀତ୍ ନ ଦଣ୍ଡ୍ୟୋ ନ ଚ ଦାଣ୍ଡିକଃ ।

ଧର୍ମେଣୈବ ପ୍ରଜାତ୍ସର୍ବା ରକ୍ଷନ୍ତିସ୍ମ ପରସ୍ପରମ୍ ॥”

 

ସୁକୁମାର ବାବୁଙ୍କର ଚକ୍ଷୁଦ୍ୱୟ ଦୀପ୍ତିରେ ଉଜ୍ଜ୍ୱଳ ହୋଇ ଉଠିଲା । ସେ ଉଚ୍ଛ୍ୱାସାଧିକ୍ୟରେ ବାକ୍‍ଶୂନ୍ୟ ହୋଇଗଲେ । ଦେବୀପାଦ ତାଙ୍କ ମୁହଁକୁ ଅଭିଭୂତ ହୋଇ ଚାହିଁ ରହିଥିଲା–ନିର୍ବାକ୍, ନିଷ୍ପନ୍ଦ, ନିଶ୍ଚଳ, ନିଶ୍ଚେଷ୍ଟ । ତାକୁ ଯେପରି ମନେହେଲା, ପିଲାଦିନୁ ତା’ର ଆତ୍ମା ଏହିପରି ଜଣେ ଗୁରୁଙ୍କୁ ଖୋଜୁଥିଲା, ପାଉ ନଥିଲା, ଏହିପରି ତଥ୍ୟକୁ ଖୋଜୁଥିଲା, କୌଣସି ବହିରେ ପଢ଼ିପାରୁ ନ ଥିଲା !

 

ସୁକୁମାର ବାବୁ ତା’ର ଆଦର୍ଶ । ସେ ରାତି ଚାରିଟାବେଳୁ ଉଠନ୍ତି, ଦେବୀପାଦ ରାତି ଚାରିଟାବେଳୁ ଉଠେ, ସେ ରାତି ଦଶଟାରେ ଶୁଅନ୍ତି, ଦେବୀପାଦ ସେତିକିବେଳେ ଶୁଏ । ସେ ଗୀତା ସ୍ୱାଧ୍ୟାୟ କରନ୍ତି, ଦେବୀପାଦ ମଧ୍ୟ ପ୍ରତ୍ୟହ ସ୍ୱାଧ୍ୟାୟ କରେ । ସେ ଅରଟରେ ସୂତା କାଟିବା ଦେଖି ଦେବୀପାଦ ମଧ୍ୟ ଅରଟରେ ସୂତା କାଟିବାକୁ ଲାଗିଲା । ତାକୁ କିନ୍ତୁ ଖଦଡ଼ ପିନ୍ଧିବାକୁ ସୁକୁମାରବାବୁ ମନା କରିଦେଇଥାଆନ୍ତି, ପୂରା ସାହେବୀ ଡ୍ରେସରେ ସେ ସବୁବେଳେ ଥାଏ ।

 

ପାର୍ଟି ସମ୍ବନ୍ଧରେ ଅନ୍ୟାନ୍ୟ ବିଦ୍ୟା ତାକୁ ଶିଖାଇବା ପାଇଁ ଗ୍ରେଟ୍ ଓ ସୋଫିଙ୍କ ଉପରେ ଦାୟିତ୍ୱ ଦିଆଯାଇଥାଏ । ସୋଫି ତାକୁ ଥରେ ଜାପାନୀ ଯୁଦ୍ଧ ବିଦ୍ୟା ଜୁଡ଼ୋ ଶିଖାଇ ସାରି ହଠାତ୍ ଚୁମା ଦେଇଦେଲେ ଦେବୀପାଦ ଡିଆଁ ଡେଇଁ କରି ସେତେବେଳକୁ ଭୟଙ୍କର କ୍ଳାନ୍ତ; ସୋଫିଙ୍କ ଚୁମାରେ ସେ ବିରକ୍ତ ହୋଇ ଉଠିଲା । ସୋଫି କିନ୍ତୁ ତାକୁ କହିଲେ, ‘ବନ୍ଧୁ’ ! ସେପରି ପୁରୁଣା ନୀତି ନିୟମ ଧରିଲେ ତୁମେ ବିପ୍ଳବୀ ହୋଇପାରିବ ନାହିଁ । ମୁଁ ତୁମର ବନ୍ଧୁ, ତୁମର ଜୁଡ଼ୋ କୌଶଳ ଦେଖି ଖୁସି ହୋଇ ଚୁମା ଦେଇଦେଲି, ସେଥିରେ ତୁମେ ରାଗିଲେ କିପରି ଚଳିବ ?”

 

ଦେବୀପାଦ ଶେଷରେ ସୋଫିଙ୍କ କ୍ଷମା ମାଗିଲା । ବନ୍ଧୁକ ମାରିବା ତାକୁ ପୀତାମ୍ବର ଶିଖାଉଥାଏ । ଏହିପରି କ୍ରମେ କ୍ରମେ ସେ ଅନେକ ବିଷୟରେ ଧୂରୀଣ ହୋଇ ଆସୁଥାଏ–କେତେକଥା ସୁକୁମାର ଦାଦାଙ୍କଠୁ ଶିଖି, ଆଉ କେତେ କଥା ଅନ୍ୟାନ୍ୟମାନଙ୍କଠୁ ।

 

ତିନିଦିନ ହେଲା ସୁକୁମାର ବାବୁ ଦିଲ୍ଲୀ ଯାଇଥାନ୍ତି । ଦେବୀପାଦ ଟାଇ ଭିଡ଼ି ସାରିବାବେଳକୁ ଡ୍ରାଇଭିଂର ଶିକ୍ଷୟିତ୍ରୀ ମିସ୍ ଗ୍ଳୋରିଆ ପାଲିତ୍ ଦୁଆରଟିକୁ ମେଲାଇଦେଇ ପଶି ଆସିଲେ ।

 

“ହ୍ୟାଲୋ ଦେବୀପାଦ, ଆପଣ ବର୍ତ୍ତମାନ ସୁଦ୍ଧା ରେଡ଼ି ହୋଇ ନାହାନ୍ତି ? ସୋ’ ଟାଇମ୍ ହୋଇଯିବା ଉପରେ ।”

 

“ସବୁ କାମ ସରିଛି । ଖାଲି ଜୋତା ଯୋଡ଼ାକ ପିନ୍ଧିଦେଲେ ହେଲା ।”

 

ଦୁହେଁ ମଟରରେ ବାହାରିଲେ । ଗ୍ଳୋରିଆ ଡ୍ରାଇଭିଂ କରୁଥାଆନ୍ତି ।

 

“ଗ୍ଳୋରିଆ ! ଆଜି କାହିଁକି ମନଟା ଭଲ ଲାଗୁନି । ପଛକଥା ସବୁ ମନେ ପଡ଼ୁଛି ।”

 

“ଘରକଥା ? ମନେ ପଡ଼ିବନି ? ମୁଁ ତ ଆଗରୁ କହିଛି ଦାଦା ଯାହା କରୁଛନ୍ତି ତା’ ଅକ୍ଷରଣଃ ପାଳନ କରିବାର କିଛି ମାନେ ନାହିଁ । ତାଙ୍କର ସ୍ୱଭାବକୁ ନେଇ ଉଗ୍ର ତପଶ୍ଚର୍ଯ୍ୟା ସୁହାଉଛି, ସେ ଋଷିପ୍ରତିମ ଲୋକ । ଆପଣ କାହିଁକି ବୃଥାରେ ନିଜର ଜୀବନକୁ ନଷ୍ଟ କରି ଦେଉଛନ୍ତି ?

 

ଆପଣଙ୍କର ସ୍ଵଭାବ ସେୟା ନୁହେଁ । ସ୍ଵଧର୍ମ ଓ ସ୍ଵଭାବକୁ ଅନୁସରଣ କରିବା ପାଇଁ ସ୍ଵାଧୀନତା ରହିବା ବାଞ୍ଛନୀୟ । ସେଇଥି ପାଇଁ ଆମର ସଙ୍ଗଠନ । ହଁ, ସ୍ୱଭାବକୁ ଅନୁସରଣ କଲାବେଳେ ଦେଖିବାକୁ ହେବ ଯେପରି ତାହା ସାଧାରଣ ଧର୍ମ ଓ ନୀତିକୁ ଅତିକ୍ରମ ନ କରେ । ଜୀବନର ମଧୁକୁ ଆକଣ୍ଠ ପାନ କରିବାକୁ ମୋର ଇଚ୍ଛା ।

 

ମୋତେ ମୋର ଇଚ୍ଛା ପୂର୍ଣ୍ଣ କରିବାକୁ ସ୍ଵାଧୀନତା ଦେବା ଉଚିତ । ସୁକୁମାର ବାବୁଙ୍କର ଗୋଟିଏ ଦୁର୍ଗୁଣ ଯେ ସେ ସମସ୍ତଙ୍କୁ ସନ୍ନ୍ୟାସୀଙ୍କ ପରି ଚଳିବାକୁ ପ୍ରେରଣା ଦିଅନ୍ତି; କିନ୍ତୁ ସେ ତ ବାଧ୍ୟବାଧକତା କରନ୍ତି ନାହିଁ, ଆପଣ ସେଥିରେ କାହିଁକି ପଡ଼ିଛନ୍ତି ? ଆମମାନଙ୍କ ମଧ୍ୟରେ କେତେଜଣ ସନ୍ନ୍ୟାସୀ–ଜୀବନ ଯାପନ କରୁଛନ୍ତି । ଆଉ କେତେକ ମହାନଭୋଗୀ ପରି ଚଳୁଛନ୍ତି । ସବୁ କଥାରେ ସ୍ଵାଧୀନତା ଅଛି । କଥା ହେଲା, ଯେ ଯେଉଁପରି ଚଳୁ, ଯାହା କରୁ, କର୍ମଣ୍ୟତା ତା’ର ବ୍ୟାହତ ନ ହେଲେ ହେଲା ।”

 

ଦେବୀପାଦକୁ ଏହି ଶିକ୍ଷୟିତ୍ରୀ ଏହି ଧାରାରେ ଆଗରୁ ମଧ୍ୟ ଥରେ ଦୁଇଥର ବୁଝାଇଲେ-। ଦେବୀପାଦ ମନକୁ ସବୁ ଭଲ ଲାଗୁଥିଲା; କିନ୍ତୁ ସୁକୁମାର ବାବୁଙ୍କ ବ୍ୟକ୍ତିତ୍ଵ ତାକୁ ଆଚ୍ଛନ୍ନକରି ରଖିଥିବାରୁ କଲିକତାରେ ତାଙ୍କ ଉପସ୍ଥିତି ବେଳେ ସେ ଗ୍ଲୋରିଆଙ୍କ ଭୋଗବାଦ ଦର୍ଶନକୁ ରୂପାୟିତ କରିବାକୁ କେବେ ଚେଷ୍ଟା କରି ନ ଥିଲା; କିନ୍ତୁ ସେଦିନ ସୁକୁମାରବାବୁ କଲିକତାରେ ନ ଥିଲେ-

 

“କ’ଣ ଭାବୁଛନ୍ତି ?”

 

“କିଛି ନୁହଁ ।”

 

ଦେବୀପାଦ ଗ୍ଲୋରିଆଙ୍କ ଆଡ଼କୁ ଚାହିଁଲା । ଗ୍ଲୋରିଆଙ୍କ ଭୋଗବାଦ ଦର୍ଶନର କୌଣସି ଛାପ ତାଙ୍କର ଶରୀରରୁ ଯେପରି ସେ ଖୋଜୁଥିଲା; କିନ୍ତୁ କାହିଁ, ସଂସାରର ଯେ କୌଣସି ଅନ୍ୟ ସ୍ତ୍ରୀ ପରି ସେ ଦିଶୁଥିଲେ ।

 

ଗ୍ଲୋରିଆ ସୁନ୍ଦର–ନାକଟି ସରୁ, ଅଗ୍ରଭାଗ ଈଷତ୍ ଉପରକୁ ଉଠିଛି, ଯେପରି ବହୁ ଇଉରୋପୀୟାନ୍ ଝିଅଙ୍କ ନାକ, ଚଟୁଳ ଗଣ୍ଡ, ବାବୁରିବାଳରେ ସୁବର୍ଣ୍ଣ ଲହରୀ, ଶୀତଋତୁର ସମୁଦ୍ରରେ କ୍ଷୁଦ୍ର ତରଙ୍ଗପରି ।

 

ଗ୍ଲୋରିଆଙ୍କର ଗଣ୍ଡ ରକ୍ତିମ ହୋଇ ଉଠିଲା । ସେ ଦେବୀପାଦ ତାଙ୍କ ଆଡ଼କୁ ଚାହୁଁଥିବା ବିଷୟରେ ସଚେତନ ହୋଇ ଯାଇଥିଲେ ।

 

“ଗ୍ଲୋରିଆ” –ଦେବୀପାଦର କଣ୍ଠ ଭାରୀ ଓ ମୋଟା ।

 

“ହୁଁ” ...ମୋଟରକୁ ମେନରୋଡ଼ରୁ ଗୋଟିଏ ଗଳି ଭିତରକୁ ମୋଡ଼ୁ ମୋଡ଼ୁ ଗ୍ଲୋରିଆ ଉତ୍ତର ଦେଲେ । ଗଣ୍ଡଦେଶରୁ ତାଙ୍କର ସିନ୍ଦୂର ଆଭା ଆହୁରି ଯାଇ ନ ଥାଏ । ଗଳିରେ କିଛିବାଟ ଯିବାପରେ ଗୋଟିଏ ଘର ଆଗରେ ମୋଟରଟି ରହିଗଲା ।

 

“ବ୍ରେକ୍ ଦେଲେ କାହିଁକି ?”

 

“ଚାଲନ୍ତୁ, ମୋଟରରୁ ବାହାରନ୍ତୁ, କହୁଛି ।”

 

ଦୁହେଁ ଘର ଭିତରକୁ ଯିବାପରେ ଗ୍ଲୋରିଆ ଭିତରୁ ଚାବି ବନ୍ଦ କଲେ ।

 

 

ସୁକେଶୀ କଟକ ଚାଲିଆସିବାପରେ କୌଣସି କଥାରେ ଶିବନାଥର ମନ ଲାଗିଲାନି । ସୁକେଶୀଙ୍କୁ କଟକ ନଯିବାକୁ ଶିବନାଥ ବହୁତ କରି କହିଥିଲା–“କଟକ ଗଲେ ଯେ ପଢ଼ାପଢ଼ି ଭଲ ହେବ, ଏଠି ରହିଲେ ନୁହଁ; ତ ତୁମର ଭୁଲଧାରଣା । ନିଜେ ନିଜେ ପଢ଼ିବା କଥା । ଆମେ ଆଜିଠୁ ଦିନକୁ ଚଉଦଘଣ୍ଟା ଲେଖା ପଢ଼ିବା ବୋଲି ଚାଲ ପ୍ରତିଜ୍ଞା କରିବା । ଅକ୍ଳାନ୍ତ ପରିଶ୍ରମ କରିବା, ଲାଇବ୍ରେରୀର ଅଧିକାଂଶ ବହି ଶେଷ କରିଦେବା । ଦେଖିବ, ମାଟ୍ରିକ ପରୀକ୍ଷାରେ କିପରି ଆମର ଭଲହେବ ! ତୁମେ ରହିଯାଅ, ତୁମେ ଚାଲିଗଲେ ଦୁଃଖରେ ମୁଁ କିଛି କରିପାରିବିନି ।”

 

“ଦେଖ ଶିବ ! ତୁମ ମନରେ କଷ୍ଟ ଦେବାକୁ ମୁଁ କେବେହେଲେ ଇଚ୍ଛାକରିନି । ମୁଁ ଜାଣେ ତୁମେ ମୋତେ ଜୀବନଠୁ ବେଶି ଭଲପାଅ; କିନ୍ତୁ ଆମେ ଭାବୁକତାର ଧାରାରେ ବହିଯାଇ ଏପରି କୌଣସି କଥା କରିବା ଉଚିତ ନୁହେଁ, ଯାହା ଆମକୁ ଜୀବନରେ ପଶ୍ଚାତ୍ତାପ କାରିବାକୁ ସୁଯୋଗ ଦେବ । କଟକରେ ଗାଁଠୁ ନିଃସନ୍ଦେହରେ ଭଳି ପଢ଼ାପଢ଼ି ହୁଏ । କଟକରେ ମୁଁ ଯେତେ କଥା ଦେଖିବି, ଶିଖିବି, । ତୁମେ ମନା କରନି । ଯିଏ ଯାହାକୁ ଭଲପାଏ ସେ ତା’ର ମଙ୍ଗଳ ଚାହେଁ, ତା’ ଉଚ୍ଚାକାଂକ୍ଷାରେ ସେ ପ୍ରତିବନ୍ଧକ ହୁଏ ନାହିଁ ।”

 

“ହଁ ସୁକେଶୀ” ...ଶିବନାଥ ସେଦିନ ଆଉ କିଛି କହିପାରି ନ ଥିଲା ।

 

“ଚିଠି ଦେବ ।” –ସୁକେଶୀ କହିଲେ ।

 

“ଦେବି ।” ଶିବନାଥ ଦୁଃଖ ସମ୍ଭାଳି ନ ପାରି ଜଡ଼ ପରି ଚାଲିଆସିଲା ସୁକେଶୀଙ୍କ ପଢ଼ାଘରୁ । ତା’ପରେ ସେ ଶୁଣିଛି ସୁକେଶୀ କଟକ ଚାଲିଗଲେ ବୋଲି । ସୁକେଶୀ ଯିବା ପରେ ସାରା ଗାଁଟା, ତୋଟା, ପଡ଼ିଆ, ପର୍ବତ, ସବୁ ତାକୁ ଶୂନ୍ୟ ଲାଗିଛନ୍ତି । ସେ ଘରେ ନ ରହି ଘଣ୍ଟା ଘଣ୍ଟା ଧରି ବାହାରେ ବୁଲିଛି । କିଛି ତାକୁ ଭଲ ଲାଗିନି ।

 

ମାନସିକ ବ୍ୟଥାରେ ବିଦଗ୍‍ଧ ହୋଇ ଶିବନାଥ ବହୁତ ଦିନଯାଏ ସୁକେଶୀଙ୍କ ପାଖକୁ ଚିଠି ଦେଇନି । ଭାବିଛି, ଅଭିମାନରେ ଜୁଡ଼ୁ ବୁଡ଼ୁ ହୋଇ ଭାବିଛି–ଯେତେବେଳେ ତା’ କଥା ନମାନି ସୁକେଶୀ କଟକ ଯାଇଛନ୍ତି, ସେତେବେଳେ ଦୋଷ ସୁକେଶୀଙ୍କର; ତେଣୁ କ୍ଷମାଭିକ୍ଷା କରି ସୁକେଶୀ ତା’ ପାଖକୁ ପ୍ରଥମେ ଚିଠି ଦେବେ କ୍ଷମାମାଗି ଅନୁତାପ କରି ସେ ଥରକପାଇଁ ହେଲେ କଟକ ଆସୁ ବୋଲି ମିନତି କରି । ଏହିପରି ବହୁଦିନ ଧରି ସେ ଚିଠି ଦେଇନି କି ତା’ ପାଖକୁ କୌଣସି ଚିଠି ଆସିନି । ଶେଷରେ ତାକୁଇ ପ୍ରଥମେ ଚିଠି ଲେଖିବାକୁ ପଡ଼ିଲା; କିନ୍ତୁ ଚିଠିର ଉତ୍ତର କିଛି ଆସିଲାନି-। ବ୍ୟାକୁଳ ହୋଇ ପୁଣି ସେ ଚିଠି ଦେଲା, ପୁଣି, ପୁଣି...ପ୍ରତି ସପ୍ତାହରେ ଶିବନାଥ ପାଖରୁ ଗାର୍ଲସ୍କୁଲ ଠିକଣାରେ ସୁକେଶୀଙ୍କ ପାଖକୁ ଚିଠି ଗଲେ ମଧ୍ୟ କୌଣସି ଚିଠିର ଉତ୍ତର ତା’ ପାଖକୁ ଆସିଲାନି । ଶିବନାଥ କିଛି ବୁଝି ପାରିଲାନି; କିନ୍ତୁ ତା’ର ଯେପରି ମନେହେଲା ସୁକେଶୀ କଟକ ଗଲେ ଏହିପରି ବଦଳିଯାଇ ପାରନ୍ତି ବୋଲି ସେ ବହୁଦିନୁ ଆଶଙ୍କା କରୁଥିଲା । ଯେତେବେଳେ ଛଅ ସାତଟି ଚିଠି ଲେଖିବାପରେ ବି ସେ ଗୋଟିଏ ହେଲେ ଉତ୍ତର ପାଇଲାନି, ସେତେବେଳେ ତା’ର ଦୃଢ଼ ବିଶ୍ଵାସ ହୋଇଗଲା, ସୁକେଶୀ ତାକୁ ଭଲ ପାଉନାହାନ୍ତି, ପ୍ରକୃତରେ କେବେହେଲେ ଭଲ ପାଉ ନ ଥିଲେ । ବାସନାତୃପ୍ତି–ଖେଳରେ ସେ ଯାହା ତାଙ୍କର ଖେଳଣା ମାତ୍ର ହୋଇଥିଲା-। ପ୍ରଥମେ ପ୍ରଥମେ ମନକୁ ଯେତେବେଳେ ଏ ଧାରଣା ଆସେ, ସେତେବେଳେ ଏହି ଖରାପ ଧାରଣାକୁ ବିଶ୍ଵାସ ନ କରିବାକୁ ଶିବନାଥ ନିଜ ହୃଦୟକୁ ବହୁତ ପ୍ରବର୍ତ୍ତାଏ; କିନ୍ତୁ ତା’ର ଶତ ଚେଷ୍ଟାସତ୍ତ୍ୱେ ସେହି ଧାରଣା କ୍ରମେ କ୍ରମେ ନିରାଟ ସତ୍ୟପରି ତାକୁ ଜଣା ପଡ଼ିବାକୁ ଲାଗିଲା-। ଘରେ ଦେବୀଭାଇ ନ ଥିଲେ, ବୋଉ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ, ପୁରୁଣା ସାଙ୍ଗ ପାର୍ଥ ଓ ରାଘବ ଈର୍ଷା ଓ ବିଦ୍ୱେଷ ରଖି ପାଖକୁ ଆସୁ ନ ଥିଲେ, ବର୍ତ୍ତମାନ ଏକମାତ୍ର ସୁକେଶୀ ମଧ୍ୟ ପର ହୋଇଗଲେ । ନାରୀ କ’ଣ ଏଡ଼େ ଛଳନାମୟୀ ହୋଇପାରେ ! ଶିବନାଥର ଭୋ କରି କାନ୍ଦିବାକୁ ଇଚ୍ଛା ହେଲା । ଦେବୀପାଦ ବି ପାଖରେ ନାହିଁ କିଛି କଥାବାର୍ତ୍ତା ହେବାକୁ । ସାରା ଘରଟାରେ କେବଳ ସେ ଓ ବସୁନ୍ଧରା !! ବସୁନ୍ଧରାଙ୍କ ସହିତ ସେ କ’ଣ ବା କଥାବାର୍ତ୍ତା ହେବ ! ଆଉ ଚାକର, ଚାକରାଣୀ, ହଳିଆ, ମଜୁରୀଆ–ସେମାନେ ଥାଇ କେତେ, ନ ଥାଇ କେତେ ! ସେ କିପରି ହେଲେ କଟକ ଯାଇ ପଢ଼ି ପାରନ୍ତା ! କିନ୍ତୁ ବସୁନ୍ଧରାଙ୍କୁ ଛାଡ଼ି ସେ କିପରି ଯିବ ?

 

ଶିବନାଥର କୌଣସି କଥାରେ ମନ ଲାଗୁ ନ ଥାଏ । ଦିନେ ମନ ବ୍ୟସ୍ତରେ ସେ ଦେବୀପାଦର ଆଲମିରା ଘାଣ୍ଟିଲା । ସେଥିରେ ରାମାୟଣ ମହାଭାରତଠୁ ଆରମ୍ଭକରି ଟଲଷ୍ଟୟ, ଗାନ୍ଧିଜୀଙ୍କ ବହି ଖୁନ୍ଦା ହୋଇଥିଲା । ଏହି ବହି ସବୁ ପଢ଼ି, ଏହିଥିରେ ନିମଗ୍ନ ରହି ଦେବୀପାଦ ସବୁବେଳେ କ’ଣ ସବୁ ଚିନ୍ତା କରୁଥିଲା । କୌଣସି କଥା ପ୍ରତି ତା’ର ବିଶେଷ ଆସକ୍ତି ନ ଥିଲା । ତଥାପି ପରଦୁଃଖରେ ଦେବୀପାଦ ସାହାଯ୍ୟ କରିବା ସେ ଦେଖିଛି । ଲୋକଙ୍କୁ ସାହାଯ୍ୟ କରିବା ଢଙ୍ଗ ତା’ର ଅଦ୍ଭୁତ ଥିଲା । କେତେ ବଡ଼ କଷ୍ଟ ହେଲେ ମଧ୍ୟ ତା’ ଆଖିରୁ ଲୁହ କେବେ ବୋହୁ ନ ଥିଲା ଯାହା କରିବା କଥା ସେ କରିଯାଉଥିଲା । ଷଡ଼ଙ୍ଗୀ ବଞ୍ଚିଥିବାବେଳେ ତାକୁ ବିଶେଷ ଭଲ ପାଉଥିଲେ । ସ୍ନେହ ମଧ୍ୟ ଦେବୀପାଦକୁ ବିଶେଷ ଭଲ ପାଉଥିଲେ ବୋଲି ବେଳେ ବେଳେ ତା’ ମନରେ ସନ୍ଦେହ ଉଠିଛି; କିନ୍ତୁ କେବେ ସେ ସ୍ନେହଙ୍କୁ ପଚାରି ବୁଝିନି, ପଚାରିଲେ ବୋଧେ ସେ ସତକଥା କହିଦେଇଥାଆନ୍ତେ । ଏବେ ସେଇ ସ୍ନେହ ପରଘରର ବୋହୂ । ବାଲେଶ୍ଵରର ମସ୍ତବଡ଼ ଜମିଦାର । ଭାଗ୍ୟ କଅଣ ନ କରେ ! ଦେବୀପାଦ କୁଆଡ଼େ ଯାଇଛି ସେହିଦିନୁ, ଫେରିବାକୁ ନାହିଁ । ହୁଏତ ନଖାଇ ନ ପିଇ ସେହିପରି ଗମ୍ଭୀର ହୋଇ ବୁଲୁଥିବ । ସବୁବେଳେ ସନ୍ନ୍ୟାସୀ, ସନ୍ନ୍ୟାସୀ ହେଉଥିଲା, ବାବାଜୀ ଅବା ହୋଇଯାଇଥିବ । ଏଡ଼େ ବଡ଼ ପୃଥିବୀ, କେଉଁଠି ଥିବ ସେ କିଏ ଠାବ କରିବ, ଭାଗ୍ୟରେ ଯଦି ପୁଣି ଭେଟିବାକୁ ଥିବ ତା’ହେଲେ ସିନା...ନ ହେଲେ । ଯେଉଁଠି ଥାଆନ୍ତୁ ସେ ସୁଖରେ ଥାଆନ୍ତୁ ।

 

ଶିବନାଥ ଆଲମିରା ବନ୍ଦ କରିଦେଲା । ଟେବୁଲ ଉପରେ ପଢ଼ାବହି–ବର୍ଷ ଆରମ୍ଭ, ଏବଠୁ ଚେଷ୍ଟା ନ କଲେ ପରୀକ୍ଷାରେ ଭଲ ହେବାର ସମ୍ଭାବନା କମ୍ । ହଠାତ୍ ଶିବ ମନକୁ ଆସିଲା ଆଚ୍ଛା, ଏପରି ତ ହୋଇପାରେ ସୁକେଶୀଙ୍କର କେହି ସାଥୀ ବା ରୁମମେଟ୍ ସେ ପଠାଇଥିବା ଚିଠିଗୁଡ଼ିକୁ ଲୁଚାଇ ଦେଇଛନ୍ତି, ଆଉ ସୁକେଶୀ ତା’ ଚିଠିପାଇଁ ଅପେକ୍ଷା କରିଛନ୍ତି, ଶିବନାଥର ଚିଠିକୁ ଦିନେ, ଦୁଇଦିନ, ସାତଦିନ, ମାସେ, ଦୁଇମାସ...ଶିବନାଥର ଚିଠିକୁ ଅପେକ୍ଷା କରି କରି ଅଭିମାନିନୀର ହୃଦୟ ଭାଙ୍ଗିଯାଇଛି, ସେ ମଧ୍ୟ ଠିକ୍ ତା’ରି ପରି ଭାବୁଛନ୍ତି–ମୁଁ ସିନା ଶିବନାଥକୁ ଭଲ ପାଇଲି, ଶିବନାଥ ମୋତେ କେବେହେଲେ ଭଲ ପାଆନ୍ତିନି, ଭଲ ପାଆନ୍ତିନି । ସେ ଧୂର୍ତ୍ତ, ମିଥ୍ୟାବାଦୀ, ଯେପରି ସବୁ ପୁରୁଷ । ସବୁ ଛଳନା । ଅଭିମାନରେ ସେ ଜିଦ୍ ଧରିଥିବେ, ଶିବନାଥର ଚିଠି ନ ପାଇଲେ ଚିଠି ଦେବନି । ଓଃ !!

 

ଅତ୍ୟଧିକ ଉଦ୍‌ବିଗ୍ନତାରେ ଶିବନାଥ ଆଉ ଭାବିପାରିଲାନି । କାନ୍ଥଘଡ଼ିକୁ ଚାହିଁଲା, ରାତି ବାରଟାରେ କଟକ ଆଡ଼କୁ ମେଲ୍ । ସାଢ଼େ ଦଶଟା ବାଜିଛି । ପାଗଳଙ୍କ ପରି ସେ ହାତବ୍ୟାଗରେ ଦରକାରୀ ଜିନିଷ ଭର୍ତ୍ତି କରୁ କରୁ ପାଟିକଲା–“ବୋଉ, ବୋଉ !”

 

“କ’ଣ ?”

 

“ଦାଣ୍ଡ ଦୁଆର ବନ୍ଦ କରିବୁ ଆ, ମୁଁ କଟକ ଯାଉଛି ।”

 

“କଟକ ?” ବସୁନ୍ଧରା ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ।

 

“ଏତେ ରାତିରେ କଟକ କାହିଁକି ଯିବୁ ? କ’ଣ ହେଲା ? ରମାକାନ୍ତ କ’ଣ କିଛି ଚିଠି ଦେଇଛି ?”

 

“ନା, ନା, ମୋର ଜରୁରୀ କାମ ଅଛି, ଆସିଲେ କହିବି ?”

 

“କ’ଣ ଏବେ କହୁନୁ ?”

 

“ଚୁପ୍ କର୍, ସବୁ କଥାରେ ଉପରେ ପଚାରିବା ମୋତେ ଭଲ ଲାଗେନି ।”

 

ବସୁନ୍ଧରା ଆଉ କିଛି କହିବା ପୂର୍ବରୁ ଶିବନାଥ ବ୍ୟାଗ୍ ଖଣ୍ଡିକ ଧରି ଦାଣ୍ଡ ଅନ୍ଧାରରେ ଡଗ ଡଗ ହୋଇ ମିଳାଇଗଲା । ବାଣପୁରଠୁ ସେ ରିକ୍‍ସା ନେବ । ତିନିମାଇଲ ଦୂର ଷ୍ଟେସନ୍‍ଟା ।

 

ଶିବନାଥ ରମାକାନ୍ତ ବସାରେ ପହଞ୍ଚିବାବେଳକୁ ସକାଳ ଆଠଟା, ରମାକାନ୍ତ ଶେଯରୁ ଉଠି ନ ଥିଲା । ନିମଚଉଡ଼ିରେ ଦୋମହଲା କୋଠା । ଉପରେ ତିନୋଟି ବଖରା, ସେଇଥିରେ ରମାକାନ୍ତ, ତା’ର ପୂଜାରୀ । ତଳେ ଡାକ୍ତରଖାନା, ଔଷଧ ଭଣ୍ଡାର, ଇତ୍ୟାଦି । ସକାଳୁ ସକାଳୁ ରମାକାନ୍ତ ଶିବନାଥର ପାଟି ଶୁଣି ପ୍ରଥମେ ବିଶ୍ଵାସ କରିପାରିଲାନି ଶିବନାଥ ଆସିଛି ବୋଲି ।

 

“କିରେ ଶିବ ! କଥା କ’ଣ ? ତୁ କୁଆଡ଼େ, ଆଗରୁ ଚିଠି ନାହିଁ, ପତ୍ର ନାହିଁ । ଆ, ଆ, ଉପରକୁ ଆ !

 

ରମାକାନ୍ତ ନିଜେ ତଳକୁ ଯାଇ ଦୁଆର ଖୋଲିଥିଲା ।

 

“ସ୍କୁଲ ଛୁଟିଥିଲା, ବୁଲି ଚାଲି ଆସିଲି ।”

 

“କି ଛୁଟି–”

 

“ପ୍ରଧାନ ଶିକ୍ଷକ ବଦଳି ହୋଇଯାଉଛନ୍ତି, ତାଙ୍କ ବିଦାୟ ଉପଲକ୍ଷେ ସଭା ହେବ, ସେଥିପାଇଁ ଛୁଟି ।”

 

“ଆଚ୍ଛା ! ହୋ ବିହାରୀ–ତୁ ଯା ନିତ୍ୟକର୍ମ ସାରେ ।” ରମାକାନ୍ତ ପୂଜାରୀକୁ ଡାକି କ’ଣ ବରାଦ୍ ଦେଲା ।

 

ଶିବନାଥ ଚାଲିଗଲା ।

 

ନିତ୍ୟକର୍ମ ସାରି ଜଳଖିଆ ଖାଇବାପରେ ରମାକାନ୍ତ ପଚାରିଲା–“କୁଆଡ଼େ ବୁଲାବୁଲି କରିବୁ ?”

 

“ହଁ, ତୁମର ସାଇକଲଟା.... ।”

 

“ହୁସିଆରରେ ଯିବୁ, କଟକ ଗହଳି, ସବୁବେଳେ ବାଁ କଡ଼ରେ ଯିବୁ । ଚଞ୍ଚଳ ଯେପରି ଫେରୁ ।”

 

ଶିବନାଥ ରମାକାନ୍ତର ସାଇକେଲ୍ ନେଇ, ପଚାରି ପଚାରି, ଗାର୍ଲସ୍କୁଲ ହଷ୍ଟେଲ୍ ଆଡ଼େ ଚାଲିଲା । ଗାର୍ଲସ୍କୁଲଠି ଗେଟ ପାଖରେ ଦରୱାନ ହାତରେ କହି ପଠାଇଲା–ଏକାଦଶ ଶ୍ରେଣୀର ଛାତ୍ରୀ, ସୁକେଶୀ ମହାପାତ୍ର, ରୁମ୍ ନମ୍ବର ତେର । ବାହାରେ ବନ୍ଧୁ ଶିବନାଥ ଷଡ଼ଙ୍ଗୀ ଅପେକ୍ଷା କରିଛନ୍ତି । ଦରୱାନ ଗେଟ ପାଖରେ ଥିବା ଅତିଥି ରୁମରେ ଶିବନାଥକୁ ବସାଇଦେଇ ହଷ୍ଟେଲ୍ ଭିତରକୁ ଗଲା । ଶିବନାଥ ଦରୱାନ ଯିବା ପରେ ପରେ ସୁକେଶୀଙ୍କୁ ଦେଖିବାପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡ଼ିଲା । ଦ୍ରୁତ ନିଃଶ୍ଵାସ, ରକ୍ତିମ ମୁଖ, ଉଦ୍ବେଗପୂର୍ଣ୍ଣ ହୃଦୟକୁ ସେ ସଂଯତ କରିବାରେ ଲାଗି ପଡ଼ିଥାଏ । ରୁମାଲରେ ମୁହଁକୁ ରଗଡ଼ି ରଗଡ଼ି ଲାଲ୍ ପକାଇ ସାରିଥାଏ । ପ୍ରାୟ ପାଞ୍ଚମିନିଟ୍ ପରେ ଦରୱାନ ଫେରି ଆସିଲା–

 

“ବାବୁ, ହଷ୍ଟେଲରେ ତାଙ୍କ ରୁମରେ ତାଲା ପଡ଼ିଛି, ବୋଧେ କୌଣସି ସାଙ୍ଗ ସାଥୀଙ୍କ ରୁମ୍‍କୁ ବୁଲି ଚାଲିଯାଇଛନ୍ତି, ବା କ୍ଳାସ୍ ଚାଲି ଯାଇଥିବେ ।”

 

ଦରୱାନ ଚିଠିଟିକୁ ଶିବନାଥ ହାତକୁ ଫେରାଇଦେଲା ।

 

“ଆପଣ ଚାରିଟାବେଳକୁ ଆସିଲେ ଦେଖାପାଇବେ । ସେତେବେଳକୁ ସ୍କୁଲ ଛୁଟି ହୋଇଥିବ, ସମସ୍ତେ ସ୍କୁଲରୁ ଫେରୁଥିବେ ।”

 

ଶିବନାଥ ଆଉ କୁଆଡ଼େ ନ ଯାଇ ଫେରିଆସିଲା । ଡାକ୍ତରଖାନାରେ ରମାକାନ୍ତ ବସି ଖବରକାଗଜ ପଢ଼ୁଥିଲା । ରୋଗୀମାନେ ବେଞ୍ଚରେ ବସିଥାନ୍ତି । କେତେଜଣ ଜାଗା ନ ହେବାରୁ ତଳେ ମଧ୍ୟ ବସିଥାଆନ୍ତି । ରମାକାନ୍ତ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷାକରି ଖବରକାଗଜ ପଢ଼ିବାରେ ବ୍ୟସ୍ତ ଥାଏ । ଶିବନାଥ ଫେରିଆସିବାରୁ ରମାକାନ୍ତ ତାକୁ ଚାହିଁଲା–“କିରେ, କୁଆଡ଼େ କୁଆଡ଼େ ଯାଇଥିଲୁ ?”

 

“ବକ୍ସିବଜାର ଯାଏଁ ଯାଇ ବୁଲିଆସିଲି ।”

 

“ସାଇକେଲ କେଉଁଠି ରଖିଲୁ ?”

 

“ବାହାରେ ରଖି ଦେଇଛି ।”

 

“ଚାବି ପକାଇଛୁ ?”

 

“ନା ?” ଶିବନାଥ ଚାବିପକାଇବାକୁ ବାହାରିଲା ।

 

“ମୁଁ ତ ଯିବି, ଥାଉ । ବିହାରୀକୁ ମାଗି ଖାଇଦବୁ ଯା ! ଖାଇସାରି ବିଶ୍ରାମ ନେବୁ । ମୋର କାମ ଅଛି, ଫେରିଲେ ମୁଁ ଖାଇବି ।”

 

ଡାକ୍ତରବାବୁ ଯିବାର ଉପକ୍ରମ କରୁଥିବା ଦେଖି ରୋଗୀମାନଙ୍କ ମଧ୍ୟରୁ କେହି କେହି ଅଭିଯୋଗ କରିବାକୁ ଆରମ୍ଭ କଲେ ।

 

“ଦେଖନ୍ତୁ, ଆପଣମାନେ ଅଧୈର୍ଯ୍ୟ ହେଲେ କିପରି ହେବ ? ମୋର ତ ପୁଣି ବ୍ୟକ୍ତିଗତ କାମ ଅଛି । ଅପେକ୍ଷା କରନ୍ତୁ, ଘଣ୍ଟାଏ ଭିତରେ ଆସୁଛି । ଯେଉଁମାନଙ୍କର ଅପେକ୍ଷା କରିବାକୁ ସମୟ ନାହିଁ, ସେମାନଙ୍କ କଥା କମ୍ପାଉଣ୍ଡର ବୁଝିଦେବେ ।”

 

ରମାକାନ୍ତ ସାଇକେଲ ନେଇ ଚାଲିଗଲା । ସୁକେଶୀ କହିଥିଲେ ତାକୁ ଯିବାକୁ । ଆଗରୁ ଯିବା ଉଚିତ ଥିଲା; ଶିବନାଥର ବୁଲିବାକୁ ଆଗ୍ରହ ଦେଖି ସାଇକେଲ ତାକୁ ଦେଇ ଦେଇ ଅପେକ୍ଷା କରି କରି ରମାକାନ୍ତ ଖବର କାଗଜ ପଢ଼ୁଥିଲା । ରୋଗୀମାନେ ନ ଆସିଥିଲେ ସେ ବୋଧେ ରିକ୍‍ସା କରି ପଳାଇଥାଆନ୍ତା । ରୋଗୀମାନଙ୍କ କଥା ବୁଝିବାରେ କିଛି ସମୟ ବ୍ୟସ୍ତ ରହି ଶେଷରେ ସେ ଉତ୍କଣ୍ଠାକୁ ଦବାଇବାକୁ ଯାଇ ଖବରକାଗଜ ପଢ଼ିବାରେ ଲାଗିଥିଲା ।

 

ଗାର୍ଲସ୍କୁଲଠି ରମାକାନ୍ତ ପହଞ୍ଚିବାବେଳକୁ ନିର୍ଦ୍ଧାରିତ ସମୟ ଗଡ଼ି ଯାଇଥିଲା; କିନ୍ତୁ ବାଧ୍ୟ ଛାତ୍ରୀଟି ପରି ସ୍କୁଲ ସମ୍ମୁଖସ୍ଥ ହୋଟେଲରେ ବସି ସୁକେଶୀ ତାକୁ ଅପେକ୍ଷା କରୁଥିଲେ । ଗାର୍ଲସ୍କୁଲର ଝିଅମାନଙ୍କ ସହ ଘଣ୍ଟା ଘଣ୍ଟା ଧରି ଗଳ୍ପ କରିବାପାଇଁ ସେହି ହୋଟେଲଟି ନିରାପଦ ଜାଗା ଥିଲା । ରମାକାନ୍ତ ପହଞ୍ଚିବାବେଳକୁ ସୁକେଶୀ ଜଣେ ସଙ୍ଗିନୀ ସହ କ’ଣ କଥା ହେଉଥିଲେ । ରମାକାନ୍ତ ଦୁହିଙ୍କ କଥାରେ ବାଧାଦେବ କି ନାହିଁ ଭାବି ଇତସ୍ତତଃ ହେଲା । ଶେଷରେ ସଙ୍ଗିନୀ ଯିବାର କୌଣସି ଉପକ୍ରମ କରୁ ନ ଥିବା ଦେଖି ସେ ସୁକେଶୀଙ୍କ ପାଖକୁ ଗଲା । ରମାକାନ୍ତକୁ ଦେଖି ସୁକେଶୀଙ୍କ ସଙ୍ଗିନୀ ଚାଲିଗଲେ ।

 

“ଆପଣଙ୍କ ଉପରେ ମୁଁ ରାଗିଛି ।”

 

“ସେଇଥିପାଇଁ ତ ମାନଭଙ୍ଗ କରିବାକୁ ମୁଁ ଆସିଛି ।”

 

“ଫାଗୁନ୍’ ଫିଲ୍ମ୍ ଆସିଛି, ଜାଣିଛନ୍ତି ?”

 

“ଜାଣିଛି । କ’ଣ ଆଜି ଯାଉଛ ?”

 

“ବର୍ତ୍ତମାନ ତ ଟିକେଟ୍ କରି ଫେରୁଛି । ସେଇ ବାନ୍ଧବୀଙ୍କ ଘରେ ଯାହା କିଛି ସମୟ ରହିଯାଇଥିଲି । ଆପଣ କିନ୍ତୁ ଠିକ୍ ଚାରିଟାବେଳକୁ ଆସିବେ । ଆମେ ଫଳପୁଷ୍ପ ପ୍ରଦର୍ଶନ ଦେଖିବା ପରେ ପରେ ସିନେମା ଯିବା ।”

 

“ମୋର ପ୍ରଦର୍ଶନୀ ଦେଖିବାକୁ ଆଗ୍ରହ ନାହିଁ ।”

 

“ତା’ହେଲେ ମୁଁ କ’ଣ ଏକା ସେ ଗହଳି ଭିତରେ ପଶିବି ?”

 

“ଆପଣଙ୍କୁ ଆସିବାକୁ ହେବ ।”

 

“ଯଦି ଆଦେଶ, ତାହା ହେଲେ ହଉ ।”

 

“ମୁଁ ଯାଉଛି ମୋର କ୍ଳାସ୍ ଅଛି । ଆପଣଙ୍କ ଯୋଗୁଁ ବହୁତ ସମୟ ନଷ୍ଟ ହେଲା ।”

 

“ମୋ ଯୋଗୁଁ ନୁହେଁ, ସିନେମା ଯୋଗୁଁ ।”

 

“ଏକା କଥା ।”

 

ସୁକେଶୀ ହସିଦେଇ ଚାଲିଗଲେ । ରମାକାନ୍ତ ତାଙ୍କର ଯିବା ପଥକୁ ଚାହିଁ ରହିଲା ।

 

ରମାକାନ୍ତ ଫେରି ଦେଖେ ଶିବନାଥ ଖାଇପିଇ ତା’ ଶେଯରେ ଶୋଇପଡ଼ିଛି । ଖାଇସାରି ସେ ମଧ୍ୟ ବିଶ୍ରାମ ନେଲା ।

 

 

ଶିବନାଥ ଉଠୁ ଉଠୁ ପାଞ୍ଚଟା ପନ୍ଦର । ଘରେ ପୂଜାରୀ ଛଡ଼ା ଆଉ କେହି ନ ଥିଲେ । ଚଞ୍ଚଳ ଚଞ୍ଚଳ ଲୁଗାପିନ୍ଧି ସେ ଗାର୍ଲସ୍କୁଲ ହଷ୍ଟେଲ ଆଡ଼େ ବାହାରିଲା ।

 

ସକାଳର ଦରଓ।ନ୍ ଗେଟ୍ ପାଖରେ ଠିଆ ହୋଇଥାଏ । ଶିବନାଥକୁ ଦେଖି ସେ ହସି ହସି କହିଲା–“ଆସିଗଲେ ବାବୁ, ଗୋଟେ କାଗଜରେ ଲେଖିଦିଅନ୍ତୁ, ମୁଁ ଭିତରେ ଦେଇଆସୁଛି ।” ଶିବନାଥ ସକାଳ କାଗଜଟା ପକାଇ ନ ଥିଲା । ସେହି କାଗଜଟିକୁ ସେ ପକେଟରୁ ବାହାର କରି ଦରୱାନ୍ ହାତକୁ ବଢ଼ାଇଦେଲା । ଏହି ସମୟରେ ହଷ୍ଟେଲ ଆଡ଼ୁ ଦୁଇତିନି ଜଣ ଝିଅ ଆସୁଥିଲେ । ଦରୱାନ କ’ଣ ଭାବିଲା, ସେହି କାଗଜଟିକୁ ସେମାନଙ୍କୁ ଦେଖାଇ ସୁକେଶୀ ଦେବୀ ହଷ୍ଟେଲରେ ଅଛନ୍ତି କି ନାହିଁ ବୋଲି ପଚାରିଦେଲା । ସେମାନେ ସୁକେଶୀ ଅଧଘଣ୍ଟାଏ ହେବ ବୁଲି ଚାଲିଯିବା କଥା କହି ଶିବନାଥ ଆଡ଼କୁ ଚାହିଁଲେ । ଦରୱାନ, ଶିବନାଥ ଆଗରେ ସେ କଥା ପଚାରିଥିଲା; ତେଣୁ ଦରୱାନ୍ ତାକୁ କିଛି କହିବା ଦରକାର ପଡ଼ିଲାନି । ଶିବନାଥ ଚାଲିଗଲା ।

 

ମହାନଦୀ ରାସ୍ତାରେ ଯାଉଥିବାବେଳେ ସେ ଭାବିଲା–ସୁକେଶୀ ସୁଖରେ ଅଛନ୍ତି । ସୁଖରେ ନ ଥିଲେ, ମନ ଉତ୍‍ଫୁଲ୍ଲ ନ ଥିଲେ, କେହି ଏପରି ବୁଲି ଯାନ୍ତାନି ।

 

ହୃଦୟର ଭାବନାକୁ ସେ ବିଶ୍ଳେଷଣ କରୁ କରୁ ଜଣାପଡ଼ିଲା, ଗାଁରୁ ସେ ଆସିବାବେଳେ ଯେପରି ଭାବିଥିଲା...ସୁକେଶୀ ଅତ୍ୟନ୍ତ ଦୁଃଖିନୀ ଥିବେ, ଖାଉ ନ ଥିବେ କି ପିଉ ନ ଥିବେ । ଦୁଃଖ ସୁକେଶୀଙ୍କ ସଂସାରକୁ ବଦଳାଇ ଦେଇଥିବ; କିନ୍ତୁ କ’ଣ ସେ ଦେଖୁଛି ! ସଂସାର ଯେଉଁପରି ଚାଲିବା କଥା ସେହିପରି ଚାଲିଛି ।

 

ରିକ୍‍ସାଟିଏ ଯାଉଥିଲା–ଶିବନାଥ ହାତ ହଲାଇ ଡାକିଲା–“ଏ ରିକ୍‍ସାବାଲା ରଖ୍ ।”

 

“ବାବୁ, ପ୍ରଦର୍ଶନୀ ଯିବ ?”

 

“ହଁ, ହଁ ଚାଲ୍ ।”

 

ପ୍ରଦର୍ଶନୀରେ ଲୋକ ଭିଡ଼ ହୋଇଥିଲେ । ସେଦିନ ପ୍ରଦର୍ଶନୀ ଉଦ୍‍ଯାପନ ହେଉଥିଲା ବୋଧେ । ଶିବନାଥ ପ୍ରଦର୍ଶନୀ ଭିତରକୁ ପଶିଯିବା ପରେ ସୁକେଶୀଙ୍କ କଥା ଜବରଦସ୍ତି ମନ ଭିତରୁ ତଡ଼ିଦେଇ ସେ ପ୍ରଦର୍ଶନୀ ଦେଖିବାକୁ ଲାଗିଲା । କିଛି କାମ ନ ଥିଲା, ସୁକେଶୀଙ୍କୁ ଆଜି ଆଉ ଦେଖିବାର ସମ୍ଭାବନା ମଧ୍ୟ ନ ଥିଲା, ଆଜି ଦେଖିଥିଲେ, କଥାବାର୍ତ୍ତା ହୋଇ ସେ ଘରକୁ ଫେରିଥାନ୍ତା, ବୋଉ ବ୍ୟସ୍ତ ହେଉଥିବ, କଟକ ଆସିବା କାରଣ ସେ ତାଙ୍କୁ କହି ନ ଥିଲା ।

 

ପ୍ରଦର୍ଶନୀର ପ୍ରତ୍ୟେକ ଦୋକାନ ପାଖରେ ଶିବନାଥ ଠିଆ ହୋଇ ପ୍ରଦର୍ଶକ ଯାହା କହୁଥିଲେ ତା’ ଧ୍ୟାନପୂର୍ବକ ଶୁଣୁଥିଲା ଓ ଦୋକାନରେ ଥିବା ପ୍ରତ୍ୟେକ ଜିନିଷକୁ ତନ୍ନ ତନ୍ନ କରି ଦେଖୁଥିଲା । ଏହିପରି ସାରା ପ୍ରଦର୍ଶନୀ ବୁଲିସାରିବାବେଳକୁ ସେ କ୍ଳାନ୍ତଶ୍ରାନ୍ତ, ରାତି ପ୍ରାୟ ନଅଟା । ରିକ୍‍ସା ନ କରି ସେ ଚାଲି ଚାଲି ବସାକୁ ଆସିଲା । ଘରେ ପହଞ୍ଚି ଯେ ଦେଖେ । ପର୍ଦ୍ଦା ଯୋଗୁ କିଏ କିଏ ବସିଥିଲେ ତା’ ବାହାରକୁ ଦିଶୁ ନ ଥିଲା । ଶିବନାଥ ନିକଟ ହୋଇଯିବାରୁ ଶୁଣି ପାରିଲା–

 

“ଆଉ କେତେଦିନ ଧରାଛୁଆଁ ଦେଉ ନ ଥିବ ?”

 

“ରୁହନ୍ତୁ, ଏପରି ବ୍ୟସ୍ତ ହେଲେ ଚଳିବ ? ବିବାହଟା ହୋଇଯାଉ ।”

 

“ମୁଁ ତ କହୁଛି ତୁମେ ଆଜି କହିଲେ ମୁଁ ଆଜି ବିବାହ କରିବାକୁ ପ୍ରସ୍ତୁତ ଅଛି ।”

 

“ନା ! ନା ! ବାପା ଅସନ୍ତୋଷ ହେବେ । ମୁଁ ଏମ.ଏ. ପାସ୍ କରି ସାରିବା ପରେ ବିଭା ହେବି । ତା’ପରେ ଲଣ୍ଡନକୁ ଡକ୍ଟରେଟ୍ ପାଇଁ ଯିବି । ସାଙ୍ଗ ହୋଇ ଯିବା । ଆପଣଙ୍କୁ ଛାଡ଼ିକି, ସେ ଗୋରାମାନଙ୍କ ଦେଶକୁ ଯିବନି ।”

 

“ତା’ ମାନେ ମୋତେ ଛଅବର୍ଷ ଅପେକ୍ଷା କରିବାକୁ ହେବ ? ସୁକେଶୀ ! ତୁମେ ବାହା ହୋଇସାରିବା ପରେ ମଧ୍ୟ ପଢ଼ିପାରିବ । ମୋର ଉଦାର ମନୋବୃତ୍ତି କଥା ତୁମେ ଜାଣ । ତୁମେ ତୁଚ୍ଛାରେ ବାପାଙ୍କ ପାଇଁ ଆମ ଦୁହିଁଙ୍କ ପ୍ରେମକୁ ବଳି ଦେଉଛ । ସେ ପତ୍ରିକାଟାକୁ ବନ୍ଦ କରି ମୋ ଆଡ଼େ ଚାହିଁଲ ।” ସୁକେଶୀ ଚୁପ୍ ରହିଲେ, କ’ଣ ଗୋଟିଏ ପତ୍ରିକା ତାଙ୍କ ହାତରେ ବୋଧେ ।

 

“ସୁକେଶୀ ! ତୁମେ ରକ୍ତ ମାଂସରେ ନୁହଁ, ପଥରରେ ଗଢ଼ା ।”

 

“ଆପଣ ରଜନୀଦେବୀଙ୍କୁ କାହିଁକି ବାହା ହେଉନାହାନ୍ତି ? ଏଇ କେତେଦିନ ଭିତରେ ମୁଁ ଯାହା ଦେଖିଲିଣି ସେ ଆପଣଙ୍କ ପାଇଁ ପାଗଳୀ । ତା’ଛଡ଼ା ଭଲ ମ୍ୟାଚ୍ ମଧ୍ୟ ହୁଅନ୍ତା ।” –ସୁକେଶୀ ଉତ୍ତର ଦେଲେ ।

 

“ସୁକେଶୀ ! ମୁଁ ଏତେ ଗମ୍ଭୀର ହୋଇ କହିବାବେଳେ ତୁମେ କ’ଣ ଥଟ୍ଟା କରିବା ଉଚିତ ? ମୁଁ ରଜନୀଙ୍କୁ ବିବାହ କରିବି ! ହଁ, ଶେଷରେ ମୁଁ ରଜନୀଙ୍କୁଇ ବିବାହ କରିବି । ରଜନୀ କାହିଁକି, ତୁମେ ଆଫ୍ରିକାରୁ ନିଗ୍ରୋ ସ୍ତ୍ରୀ ଆଣ, ତାକୁ ମଧ୍ୟ ବିଭାହେବାକୁ ରାଜି ଅଛି ! କାରଣ ମୁଁ ଜାଣେ ମୁଁ ସେଇମାନଙ୍କର ଇ ଉପଯୁକ୍ତ । ମୋର କ’ଣ ରୂପ ଅଛି ନା ଗୁଣ ? ସେଇମାନେ ଇ ମୋର ମ୍ୟାଚ୍-।” ରମାକାନ୍ତ ସୁଁ ସୁଁ ହୋଇ କାନ୍ଦିବାକୁ ଲାଗିଲା ।

 

“ରମାକାନ୍ତ ବାବୁ !”

 

ରମାକାନ୍ତ ପକେଟରୁ ରୁମାଲ ବାହାର କରି ଆଖି ପୋଛିଲା ।

 

“କ’ଣ ଆପଣଙ୍କୁ ଟିକିଏ ଥଟ୍ଟା କରିବାକୁ ମଧ୍ୟ ମୋର ଅଧିକାର ନାହିଁ ? କ’ଣ ଆମେ ଭଲ ପାଉଛେ ପରସ୍ପରକୁ ?

 

ସୁକେଶୀ କୃତ୍ରିମ କୋପ ପ୍ରଦର୍ଶନ କରି ଉଠି ଠିଆହେଲେ । ରମାକାନ୍ତ କହିଲା–“ଅଧିକାର ଅଛି ସୁକେଶୀ; ତଥାପି ଏପରି ଥଟ୍ଟା କରିବା ଉଚିତ ନୁହଁ । ତୁମ ଛଡ଼ା ମୁଁ କୌଣସି ସ୍ତ୍ରୀକୁ ଭଲ ପାଇନି, ପାଇବିନି, ପାଉନି । ତୁମେ ଏକମାତ୍ର.....”

 

“ଆଉ ମୁଁ କ’ଣ” ...ସୁକେଶୀ ହସିଦେଲେ ।

 

ଏହି ସମୟରେ ଶିବନାଥ, ଝରକାର ଅନ୍ଧାକାରରୁ ବାହାରି, କେହି ଜଣେ ଦ୍ରୁତପଦରେ ଚାଲିଯିବାର ଶୁଣିଲା । ସେ ଦୁଆରପାଖ ଅନ୍ଧକାରରେ ଠିଆ ହୋଇଥିଲା; କିନ୍ତୁ ଝରକା ସେପଟକୁ ମଧ୍ୟ ଅନ୍ଧକାର ଥିଲା ସେଠି କେହି ଠିଆ ହୋଇ ରମାକାନ୍ତ ଓ ସୁକେଶୀଙ୍କ ପ୍ରେମଳାପ ଶୁଣୁଥିବ ବୋଲି ତା’ର ଧାରଣା ନ ଥିଲା । ଦଉଡ଼ିଯାଇ କିଏ ଚାଲିଗଲା ଦେଖିବାକୁ, ତା’ର ପ୍ରବୃତ୍ତି ହେଲା ନାହିଁ । ନାଟକର ଅନ୍ତିମଦୃଶ୍ୟ ଦେଖିବାକୁ ସେ ଯେପରି ଦୃଢ଼ପ୍ରତିଜ୍ଞ ହୋଇଥାଏ । ସେ ପୁଣି ଚାହିଁବା ବେଳକୁ ସୁକେଶୀ ରମାକାନ୍ତକୁ କହିଥିଲେ–“ତୁମେ ଯାହା ଇଚ୍ଛା କରୁଥିଲ ସେଥିରୁ କିଛି ତ ପାଇଲ । ଏଥରକ ମୁଁ ଯାଉଛି ।”

 

“ହଉ !”

 

ସୁକେଶୀ ବାହାରିବା ପୂର୍ବରୁ ଶିବନାଥ କ୍ଷିପ୍ରପାଦରେ ଦାଣ୍ଡକୁ ଚାଲି ଆସିଲା । ତିନି ଚାରୋଟି ଲାଇଟ୍ ଖୁମ୍ବ ପାରହେବା ପରେ କ’ଣ ଭାବି ସେ ଅନ୍ଧକାର ଦେଖି ଠିଆହେଲା । ପ୍ରାୟ ତିନି ଚାରି ମିନିଟ୍ ପରେ ଶୁକେଶୀ ରିକ୍‍ସାରେ ଆସିଲେ । ତାଙ୍କର ରିକ୍‍ସା ଲାଇଟ୍ ଖୁମ୍ବ ନିକଟବର୍ତ୍ତୀ ହେବା ମାତ୍ରକେ ଶିବନାଥ ରିକ୍‍ସାର ବାଟ ଓଗାଳି ଠିଆ ହୋଇଗଲା । ସୁକେଶୀ ଯାହା ଦେଖିଲେ ସେଥିରେ ଚମକି ପଡ଼ିଲେ । ସେ ଚିତ୍କାର କରି ଉଠିଲେ–

 

“ତୁମେ !”

 

ସମ୍ମୁଖରେ ବିଷାଦାକ୍ରାନ୍ତ ଶିବନାଥ–କ୍ରୋଧ–ଈର୍ଷା–ବିଦ୍ଵେଷଶୂନ୍ୟ ପାଣ୍ଡୁର ମୁଖ–ରାଗିବ ସେ କାହା ଉପରେ ? ସୁକେଶୀ, ତା’ର ପ୍ରିୟତମା ? ଭାଇ, ତା’ର ପରମ ପୂଜ୍ୟ ? କାହିଁକି ରାଗିବ-? ଶିବନାଥର ମୁହଁ ଭାବଶୂନ୍ୟ ଥିଲା, ସେ ଯେପରି ଦିଗ୍‍ଭ୍ରାନ୍ତ, ସଂସାର ସ୍ୱରୂପ ବାଧ୍ୟ କରି କିଏ ଯେପରି ତାକୁ ଜଣାଇ ଦେଇଛି । ନଜାଣିଥିଲେ ଭଲ ହୋଇଥାନ୍ତା ପରା ! ସେ କେବଳ ରିକ୍‍ସା ଆଗରେ ଠିଆହୋଇ ପଡ଼ିଥିଲା, କେଉଁ ଅଜଣା ଶକ୍ତି ତାକୁ ଯେପରି ରିକ୍‍ସା ଆଗକୁ ଠେଲି ଦେଇଥିଲା ।

 

ସୁକେଶୀ ଧୈର୍ଯ୍ୟ ସଂଗ୍ରହ କରି ପଚାରିଲେ, “ଶିବବାବୁ ! ଆପଣ କେବେ ଆସିଲେ ?”

 

“ତୁମେ ମୋ ଚିଠି ପାଞ୍ଚୋଟି ପାଇଥିଲ ?” ଶିବନାଥର ସ୍ୱର ଦୁର୍ବଳ ଓ ମନ୍ଦ । ଯେପରି ମୃତ୍ୟୁ ପୂର୍ବରୁ ମଣିଷ ଶେଷ ଆଶା ପ୍ରକଟ କରୁଛି । ସୁକେଶୀ ଶିବନାଥର ପ୍ରଶ୍ନର ଉତ୍ତର ନ ଦେଇ କଥାକୁ ବାଁରେଇବା ପାଇଁ କହିଲେ–“ଗାଁ ଆଡ଼ୁ ବର୍ତ୍ତମାନ ତ କିଛି ଗାଡ଼ି ନାହିଁ ?”

 

“ତୁମେ ମୋ ଚିଠି ପାଇଥିଲ ?

 

‘ଆପଣ ଆସନ୍ତୁ ରିକ୍‍ସା ଉପରକୁ, ଭାଇଙ୍କ ଘର ବୋଧେ ଦେଖି ନାହାନ୍ତି ?”

 

“ତୁମେ ମୋ ଚିଠି ପାଇଥିଲ ?” କ୍ରମଶଃ ଶିବନାଥର ସ୍ୱର ସମ୍ପୂର୍ଣ ଦୂର୍ବଳ ଓ ମନ୍ଦ ହୋଇ ଆସୁଥିଲା ।

 

“ହଁ, ପାଇଛି, ଉତ୍ତର ଲେଖିବି ଲେଖିବି ବୋଲି ଡେରି ହୋଇଗଲା ।

 

ଶିବନାଥ ରିକ୍‍ସାର ବାଟ ଛାଡ଼ିଦେଇ ରାସ୍ତାକଡ଼କୁ ଆଡେଇ ହୋଇଗଲା । କହିଲା, “ଯା ରିକ୍‍ସାବାଲା, ନମସ୍କାର ସୁକେଶୀ ଦେବୀ ।”

 

ତେଲଙ୍ଗା ରିକ୍‍ସାବାଲାଟା ରିକ୍‍ସା ଟାଣୁ ଟାଣୁ ହଠାତ୍ ରାସ୍ତା ମଝିରେ ତାକୁ ଠିଆ ହେବାକୁ ବାଧ୍ୟ କରା ହେଇଥିବାରୁ ମନେ ମନେ ବିରକ୍ତ ହେଉଥିଲା । ଶିବନାଥର କଥା ଶୁଣି, କ’ଣ ଭାବି, ସେ ଜୋରରେ ରିକ୍‍ସାଟାକୁ ଟାଣି ଦଉଡ଼ିବାକୁ ଲାଗିଲା ।

 

 

ଶିବନାଥ ଗାଁ ଷ୍ଟେସନଠି ପହଞ୍ଚିବା ବେଳକୁ ବେଳ ପ୍ରହରେ ହୋଇଯାଇଥିଲା । ଗାଡ଼ି ପ୍ଲାଟଫର୍ମର ପ୍ରାୟ ଅଧାଯାଏଁ ଯାଇଥିବ, ହଠାତ୍ ପ୍ଲାଟ୍‍ଫର୍ମରୁ ଲୋକ ରେଳଆଡ଼କୁ ଚାହିଁ ‘ହାଁ, ହାଁ’ କରି ଉଠିଲେ । ଶିବନାଥ ଝରକା ପାଖରେ ବସି ବାହାରକୁ ଚାହିଁଥିଲା । ଲୋକଙ୍କ ବିସ୍ଫାରିତ ନେତ୍ର ଓ ହାହାକାରର କାରଣ ସେ ବୁଝି ପାରିଲାନି । ଗାଡ଼ି ବନ୍ଦ ହେବାମାତ୍ରେ ଓହ୍ଳାଇପଡ଼ି ପ୍ଳାଟଫର୍ମରେ ଜମା ହୋଇଥିବା ଭିଡ଼କୁ ଚାହିଁ ସେ ପଚାରିଲା–

 

“ଭାଇ, କ’ଣ ହେଲା ? କଥା କ’ଣ ?”

 

“ସାନ୍ତରାପୁର ଶାସନର ପାଗଳା ବ୍ରାହ୍ମଣ ଟୋକାଟା ମରିଗଲା ।”

 

“ମରିଗଲା ! କିପରି କେବେ ?”

 

“ହେଇଟି ପରା, ଏଇ ଗାଡ଼ିତଳେ–

 

“...ଏଇ କେତେଦିନ ହେଲା ସେ ବ୍ରାହ୍ମଣ ଟୋକାଟା ନିତି ସନ୍ଧ୍ୟାବେଳକୁ ପ୍ଲାଟଫର୍ମକୁ ଆସି ଗାଡ଼ି ଯିବା ଆସିବାକୁ ଲକ୍ଷ୍ୟ କରିଥାଏ । ପାଗଳା ବୋଲି ସମସ୍ତେ ଜାଣିଥିବାରୁ ଛୋଟ ଛୋଟ ପିଲା ତାକୁ “ବାୟା” “ବାୟା” ବୋଲି ଡାକିବା ଛଡ଼ା ଆଉ କେହି ତାର କାର୍ଯ୍ୟକଳାପକୁ ବିଶେଷ ଲକ୍ଷ୍ୟ କରୁ ନ ଥିଲେ । ସେ କାହାକୁ କିଛି ମାଗୁ ନ ଥିଲା, କେହି କେହି ସ୍ୱତଃପ୍ରବୃତ୍ତ ହୋଇ ତାକୁ ଖାଇବାକୁ ଆଣି ଦେଉଥିଲେ, ସେ ଖାଉ ଥିଲା ବା ଅନ୍ୟାନ୍ୟ ପିଲାଙ୍କୁ ବାଣ୍ଟି ଦେଉଥିଲା । ପ୍ରତିଦିନ ରାତି ଘଡ଼ିଏ ସରିକି ସେ ଗାଁକୁ ଫେରିଯାଏ; କିନ୍ତୁ କାଲି ରାତିରେ ସେ କାହିଁକି ଫେରିଲାନି । ଷ୍ଟେସନରେ, ବିଶ୍ରାମ ଘରେଇ ଶୋଇ ପଡ଼ିଲା । ସକାଳୁ ସକାଳୁ ଜନତା ଏକପ୍ରେସ୍‍ ଆସିବ ବୋଲି ଲାଇନ୍‍ କ୍ଲିୟର ଘଣ୍ଟି ବାଜିବାରୁ ପାଗଳା ଯାଇ ପ୍ଲାଟଫର୍ମ ବେଞ୍ଚଉପରେ ବସି ଗାଡ଼ିକୁ ଚାହିଁ ରହିଲା-। ମନରେ ତା’ର ଅନ୍ୟଦିନମାନଙ୍କପରି ସୁଖ ନ ଥାଏ । ଜଣେ କିଏ ପଚାରିଲା–କିରେ ପାଗଳ, କ’ଣ ହୋଇଛିରେ, ଏପରି ବସିଛୁ କାହିଁକି ? କାଲି ରାତିରେ ଗାଁକୁ ଗଲୁନି କି ?

 

ନା, ମୋ ମନ ଭଲ ଲାଗୁନି । ତୁମେ ପାଖରେ ପଇସା ଅଛି ?

 

ପଇସା କ’ଣ ହେବ ?

 

ଦିଅ !

 

ଅପରିଚିତ ତାକୁ ଦୁଇପଇସା ଦେଇ ଚାଲିଗଲେ । ସେ ପଇସାକୁ ଧରି ପ୍ଲାଟ୍‌ଫର୍ମ ବାହାରେ ଥିବା ଚାଉଳ ଡାଲି ଦୋକାନରୁ ଚାଉଳ ଦୁଇପାଇସାର କିଣି ଆଣି ପ୍ଲାଟ୍‌ଫର୍ମ ବୁଲୁଥିବା କୁକୁଡ଼ାଛୁଆଙ୍କ ଆଗରେ ବିଞ୍ଚିଦେଲା । କୁକୁଡ଼ାଛୁଆଗୁଡ଼ିକ ଆନନ୍ଦଧ୍ଵନି କରି ଚାଉଳ ଖୁଣ୍ଟିବାକୁ ଲାଗିଲେ, ପାଗଳା ଦେଖୁଥାଏ । ଚାଉଳ ଟୁଙ୍କୁ ଟୁଙ୍କୁ ଯଦି କୁକୁଡ଼ାଗୁଡ଼ିକ ପରସ୍ପର ମଧ୍ୟରେ କଳି କରିଥାନ୍ତି, ତା’ହେଲେ ସେ କହୁଥାଏ–

 

କଳି କରନାହିଁ ପିଲେ, ଭାଗବାଣ୍ଟି ଖାଅ । କଳି କରିବା ଭଲ ନୁହେଁ ।

 

ଯଦି କୌଣସି କୁକୁଡ଼ା ପ୍ଲାଟଫର୍ମ ଖଣ୍ଡିଉଡ଼ା ଦେଇ ଲାଇନ୍ ପାଖକୁ ଯିବାକୁ ଉପକ୍ରମ କରୁଥାଏ, ତା’ହେଲେ ପାଗଳା ସଙ୍ଗେ ସଙ୍ଗେ ତାକୁ ସେଆଡ଼ୁ ଘଉଡ଼ାଇ ଆଣି କହୁଥାଏ–

 

ମରିବାକୁ ଇଚ୍ଛା ହେଉଛି କି ? ଘଣ୍ଟା ବାଜିଲାଣି, ଗାଡ଼ି ଇଲେ ଆସିବ, ଜଣା ପଡ଼ୁନି ?

 

ଲୋକେ ଠିଆହେଇ ମଜା ଦେଖୁଥାନ୍ତି । ଏହି ସମୟରେ ଗାଡ଼ି ଦୂରରୁ ଦେଖାଗଲା । ହାଠାତ୍ ଗୋଟିଏ କୁକୁଡ଼ାପିଲା ମାଡ଼ଗୋଳ ଲାଗି ଯେଉଁ ଲାଇନରେ ଗାଡ଼ି ଆସିବା କଥା, ସେହି ଲାଇନ୍ ମଝିକୁ ଉଡ଼ି ଚାଲିଗଲେ, ତା’ ପଛରେ ଆହୁରି ଦୁଇଟି କୁକୁଡ଼ଛୁଆ ତାକୁ ଖୁମ୍ପିବାକୁ ଗୋଡ଼େଇଥାନ୍ତି । ପାଗଳା “ହା” , “ହା” କୁଆଡ଼େ ଯାଉଛ, ମରିଯିବରେ, ମରିଯିବରେ, କହି ଲାଇନ୍ ଉପରକୁ ଡେଇଁପଡ଼ିଲା....ସେତେବେଳେ କାନାଡ଼ିଆନ୍ ଇଞ୍ଜିନୟର ରୁଦ୍ରମୂର୍ତ୍ତିସନ୍ନିକଟ ।

 

ପାଗଳାର ମୁହଁ, ମୁଣ୍ଡ, ଛିନ୍‍ଛତର ହୋଇଯାଇଥିଲା । ଲାଇନ୍‍ଠୁ ବହୁ ଦୂରରେ ଗଣ୍ଡିଟି ପଡ଼ିଥିଲା । ମୁଣ୍ଡ ନଥାଇ ସୁଦ୍ଧା ଗଣ୍ଡି ଧକାଉଥିଲା–ହାତମୁଠାରେ କୁକୁଡ଼ାପିଲାଟି–ବଞ୍ଚିଯାଇଥିଲା ।

 

କହୁଥିବା ଲୋକର କଥା ଶୁଣି ଲୋକ “ହାଁ, ହାଁ କରୁଥିଲେ ଶିବାନଥ ଠିଆ ହୋଇ ଶୁଣୁଥିଲା ।

 

ପାଗଳା କିଶୋର । କେଡ଼େ ସୁନ୍ଦର । ବୟସ ଉଣଇଶି କୋଡ଼ିଏ ହେବ, ଶାସନରେ ମଜାମଜା କଥା କହେ ବୋଲି ତାକୁ ସମସ୍ତେ ପିଣ୍ଡାକୁ ଡାକିଆଣି ତା’ କଥା ଶୁଣନ୍ତି । କେତେ କଥା ସେ କୁହେ–ବୋଲବାକ୍ ବତାଇଲେ ବେଳେବେଳେ ସେ କରିଦିଏ; ବେଳେବେଳେ ଯାହା କହିଥିବ, ଠିକ୍ ତା’ର ଓଲଟା କରେ । ବାଆଁ ହାତରେ ଭାରି ଭଲ ଲକ୍ଷ୍ୟ କରେ । କାହାର କିଛି କ୍ଷତି କରେନା, କେବଳ ବାୟା ବୋଲି କହିଦେଲେ ସେ ଯାହା ଚିଡ଼ି ଉଠେ, ସାଙ୍ଘାତିକ ମଧ୍ୟ ବେଳେବେଳେ ହୋଇଯାଏ । ଟେକା ଫୋପାଡ଼େ । କିଏ ଜାଣିଥିଲା ତା’ର ଏହିପରି ମୃତ୍ୟୁ ହେବ ? ସାମାନ୍ୟ କୁକୁଡ଼ାଛୁଆ ପାଇଁ ପ୍ରାଣ ଦେଲା !

 

ମୃତ୍ୟୁ ଯଦି ସମସ୍ତଙ୍କର ଶେଷ ପରିଣତ ତା’ ହେଲେ ଅନ୍ୟକୁ ସୁଖ ଯେତେ ଦେଇ ପାରିବ, ଦେବା ଉଚିତ ନୁହେଁ କି ?

 

ଶିବନାଥ ପ୍ଲାଟଫର୍ମରୁ ବାହାରି ରାସ୍ତାରେ ଗୋଡ଼ ଦେବାବେଳକୁ ସ୍ନେହପ୍ରଭା ମହେଶ୍ଵର ପାଢ଼ୀଙ୍କ ସହ ଶଗଡ଼ରେ ଚଢ଼ୁଥିଲେ । ଶିବନାଥ ଶଗଡ଼ ପାଖକୁ ଯାଇ କହିଲା–“ମଉସା ନମସ୍କାର, ସ୍ନେହ ନାନୀଙ୍କୁ କ’ଣ ଆଣିବାକୁ ଯାଇଥିଲ ?”

 

“ହଁ, ଏଇ ଗାଡ଼ିରେ ତ ଆସିଲୁ ।”

 

“ମଉସା, ସ୍ନେହ ନାନୀ ଖାଇପିଇ ବେଶ୍ ମୋଟା ହୋଇଯାଇଛନ୍ତି ?”

 

“ମୋଟା କେବେ ହେଲି, ଦୁଇ ତିନି ମାସରେ କିଏ କ’ଣ ହୋଇଯାଏ ?”

 

“ସେଇଟି କିଏ ସ୍ନେହାନାନୀ; ତୁମ ପଛରେ ଲୁଚିଛି ?”

 

“ମୋର ସାନ ନଣନ୍ଦ ହେନା ।”

 

“ହେନା । ସେଇଥିପାଇଁ ପରା ଏତେ ଲାଜ, ତୁମ ପଛଆଡ଼େ ମୁହଁ ଲୁଚାଉଛି । ସନ୍ଧ୍ୟାପରେ ବାସିବେ, ନୁହଁ ? ହେ.....ନା । ମଉସା ଗାଁରେ ପୁଣି ଦେଖାହେବ, ମୁଁ ଯାଉଛି ।”

 

“ଶିବ ! ଶୁଣ, ଶୁଣ, ତୁମେ ଚାଲି ଚାଲି କାହିଁକି ଯିବ, ଆମର ଶଗଡ଼ ଖାଲି ଖାଲି ଗାଁକୁ ଯିବ, ତୁମେ ଚାଲି ଚାଲି ଗାଁକୁ ଯିବ ? ଇଏ କି ନ୍ୟାୟ !”

 

“ହଁ ବାବୁ, ଶଗଡ଼ ଉପରକୁ ଚାଲିଆସ ।” –ଶଗଡ଼ିଆ କହିଲା ।

 

ଶିବନାଥ ଶଗଡ଼ ଉପରକୁ ଉଠିଗଲା । ବଦଳ ଯୋଚା ହୋଇ ସାରିଥିଲେ । ଶିବନାଥ ଉଠିବା ପରେ ଶଗଡ଼ ଚାଲିଲା ।

 

“ତୁମେ କୁଆଡ଼େ ଯାଇଥିଲ ଶିବ ? କେତେଦିନ ହେଲା ଗାଁରେ ନ ଥିଲ ?” –ସ୍ନେହପ୍ରଭା ପଚାରିଲେ ।

 

ପ୍ରଶ୍ନ ଶୁଣି ଶିବନାଥ ଗମ୍ଭୀର ହୋଇଗଲା ।

 

“କଟକ ଯାଇଥିଲି, ଭାଇ ଡକାଇ ପଠାଇଥିଲେ ।”

 

“ଭାଇ ଭଲ ଅଛନ୍ତି ?”

 

“ହଁ, ଭଲ ଅଛନ୍ତି, ଖୁବ୍ ଭଲ ଅଛନ୍ତି ।” ଶିବନାଥ ହସିଲା, ଦୁଃଖରେ । ସ୍ନେହ ହସିଦେଲେ, ତା’ କଥାଶୁଣି ସୁଖରେ । ହେନା ହସିଦେଲା, ଦୁହିଁଙ୍କ ହସରେ ।

 

“ନାନୀ, ତୁମ ନଣନ୍ଦଟି ଭାରି ହସକୁରୀ ତ ଦେଖୁଛି ।”

 

“ଦେବୀଭାଇଙ୍କର କିଛି ଖବର ମିଳିଲା ?”

 

“ନା, କୁଆଡ଼େ ଚାଲିଗଲେ, ଚିଠି ଖଣ୍ଡେ ମଧ୍ୟ ଦେଉନାହାନ୍ତି ।”

 

“ଯେଉଁଠି ଥାନ୍ତୁ ଭଲରେ ଥାନ୍ତୁ, ତାଙ୍କର ଉନ୍ନତି ହେଉ ।”

 

“ଜଣେ ସଂସାରୀର ସିନା ଉନ୍ନତି ଅବନତି ସ୍ନେହନାନୀ, ସନ୍ନ୍ୟାସୀର ଆଉ ଉନ୍ନତି କ’ଣ-?”

 

“ସନ୍ନ୍ୟାସୀ ? ନା, ନା, ସେ କେବଳ ଗୃହତ୍ୟାଗୀ, ତାଙ୍କୁ ସନ୍ନ୍ୟାସୀ କାହିଁକି କହୁଛ ?” ସ୍ନେହପ୍ରଭାଙ୍କୁ ଶିବନାଥ କିଛି ଉତ୍ତର ଦେଲାନି । ସ୍ନେହପ୍ରଭା କ’ଣ ଭାବି ଭାବି କହିଲେ, ମୁହଁ ତାଙ୍କର ଉଦାସ ହୋଇଯାଇଥିଲା–

 

“ସତରେ ଯଦି ସେ ସନ୍ନ୍ୟାସୀ ହୋଇଯାଇଥିବେ, ତେବେ କେତେ କଷ୍ଟ ପାଉ ନ ଥିବେ, ଖାଇବାରେ ପିଇବାରେ କେତେ କଷ୍ଟ ଭୋଗୁ ନ ଥିବେ !”

 

“ସୁଖ ପାଇବାପାଇଁ କିଏ କ’ଣ ଗୃହତ୍ୟାଗୀ ହୁଏ ?”

 

ସ୍ନେହ ହଠାତ୍ ଆଖି ବୁଜିଦେଇ କାହା ଉଦ୍ଦେଶ୍ୟରେ ନମସ୍କାର କଲେ । ହେନା ପଚାରିଲେ, “ଭାଉଜ, ଗାଁ ଆଉ କେତେ ଦୂର ରହିଲା ?”

 

“ହେଇ ଦିଶୁଛି ତ । ତୁମକୁ ଆମ ଗାଁ ଭଲ ଲାଗିବ ତ ? ହେଇଟି ତ ଜଣେ ସାଙ୍ଗ ମିଳିଗଲେ । ଶିବ ! ହେନା ଦଶମ ଶ୍ରେଣୀରେ ପଢ଼ନ୍ତି ।”

 

ଗାଁ ମୁଣ୍ଡଠି ଶିବନାଥ ଓହ୍ଲାଇ ପଡ଼ି ସ୍ନେହପ୍ରଭାଙ୍କୁ କହିଲା–“ତୁମେ ତ ଦୁଇ ତିନି ମାସ ଗାଁରେ ରହିବ ନିଶ୍ଚେ । ମୁଁ କେବେ କେବେ ସୁବିଧା ହେଲେ ଆସିବି । ତୁମେ ତ ବର୍ତ୍ତମାନ ବୋହୂ, ନ ଡାକିଲେ ଆଉ ଆମ ଘରକୁ ଆସି ପାରିବନି ।”

 

“ସେତିକି ଦୟା ରଖିଥିବ ।”

 

ଶିବନାଥ ସ୍ନେହଙ୍କୁ କିଶୋର ପାଗଳା ମାରିଥିବା କଥା କହିଲାନି । ସେ ଜାଣିଥିଲା ସ୍ନେହ କିଶୋର ପାଗଳାକୁ ସ୍ନେହ କରୁଥିଲେ । ଶୁଣିଲେ, ଗାଁକୁ ଏତେ ଦିନରେ ଆସିଛନ୍ତି, ମନଦୁଃଖ କରିବେ । ଶଗଡ଼ରୁ ଓହ୍ଲାଇପଡ଼ି ଶିବନାଥ ପୀତାମ୍ବର ଘରକୁ ଗଲା । ସାରସୀ ଅଗଣା ଓଳାଉ ଓଳାଉ ବ୍ୟସ୍ତ ହୋଇ ପୀତାମ୍ବରକୁ କହୁଥିଲେ–

 

“କଲିକତାରୁ ଏତେ ଜିନିଷ ଆଣିଥିଲ, ପାଗଳା ଆସିଲେ ଖାଇବ ବୋଲି । ସବୁବେଳେ ସନ୍ଧ୍ୟାପୂର୍ବରୁ ସେ ଫେରିଆସେ । କାଲିଠୁ କୁଆଡ଼େ ଯାଇଛି ଯେ ଆଜି ସକାଳ ହେଲା ଦେଖାନାହିଁ । କେଉଁଠି ତ ଶୋଇ ପଡ଼ିଥିବ, ଖୁମ୍ବକୁ ଆଉଜି କି ଗଛକୁ ଆଉଜି । ପୁଅ ନ ହୋଇଥିଲେ ବରଂ ଭଲ ହୋଇଥାନ୍ତା, ପାଗଳା ପୁଅ ହୋଇ ମୁଁ ସରିଗଲି । ଚିନ୍ତା ଚିନ୍ତାରେ ତ ମୋର ଅକାଳମୃତ୍ୟୁ ହୋଇଯିବ । ମାରିଯାନ୍ତା ହେଲେ, ମଣିଷ ସୁଖରେ ଶୁଅନ୍ତା ଟିକିଏ !”

 

ସେହି ସମୟରେ ଶିବନାଥ ଦାଣ୍ଡଦୁଆର ମେଲାଇବାରୁ ଶବ୍ଦ ହେଲା । ସାରସୀଙ୍କ କାନ ଦାଣ୍ଡଘରଆଡ଼େ ଥିଲା । ସେ ଶବ୍ଦ ଶୁଣିବା ମାତ୍ରକେ ଆରମ୍ଭ କଲେ–

 

‘ଆସିଲୁ କିରେ ପାଗଳା, ଚୁଲୀପଶା, ବାୟା !!”

 

“ତାକୁ ବାୟା କହନି ସାରସୀ, ବାୟା କହିଲେ ତା’ର ମନ ଦୁଃଖ ହୁଏ ।” –ପୀତାମ୍ବର କରନ୍ଦିବା ସ୍ୱରରେ କହିଲା ।

 

“ବାୟାକୁ କ’ଣ ବାୟା କହିବନି, ଭଲ କହିବି ?”

 

“ସେ ଫେରି ଚାଲିଯିବ ସାରସୀ, ଗୋପୀନାଥଙ୍କ ରାଣ, ତାକୁ ବାୟା କୁହନି କି ତା’ଉପରେ ରାଗନି ।”

 

ପୀତାମ୍ବର ପିଣ୍ଡାରୁ ଉଠିପଡ଼ି ମଧୁର କଣ୍ଠରେ “କିଶୋର’, ‘କିଶୋର’ ଏତେ ଡେରି କାହିଁକି ହେଲା ବାପ, କହି ଚାଲି ଚାଲି ହୋଇ ଦାଣ୍ଡ ଘରକୁ ଆସିଲା ।

 

“ମଉସା...” ଶିବନାଥ ଚୂପ୍ ହୋଇଗଲା ।

 

“ଶିବନାଥ ! କୁଆଡ଼େ ଏଡ଼େ ସକାଳୁ, ଆମେ ଆମ କିଶୋର ଆସିଲା ବୋଲି ଭାବିଥିଲୁ । ଆସ, ଆସ, ଘର ଭିତରକୁ ଆସ । ଦେବୀବାବୁଙ୍କର କ’ଣ କିଛି ଖବର ମିଳିଲା ?”

 

“ନା । ମଉସା, ମୁଁ କିଶୋର ସମ୍ବନ୍ଧରେ କହିବାକୁ ଆସିଛି ।”

 

“କ’ଣ ? କ’ଣ ?” ପୀତାମ୍ବର ଶିବନାଥର ମୁହଁକୁ ଚାହିଁଲା । ଶିବନାଥର ମୁହଁରେ କ’ଣ ଦେଖିଲା କେଜାଣି ଅଜଣା ଆଶଙ୍କାରେ ତା’ର ମୁହଁ କଳା ପଡ଼ିଗଲା । ବାମ ଚକ୍ଷୁ ଘନ ଚେଇଁବାକୁ ଲାଗିଲା । ସାରସୀ ଠିଆ ହୋଇ ଶିବନାଥ ଆଡ଼କୁ ବଡ଼ ବଡ଼ ଆଖି କରି ଚାହିଁଥିଲେ ।

 

 

“ବୋଉ, ସ୍ନେହନାନୀ ଗାଁକୁ ଆସିଛନ୍ତି” –ଶିବନାଥ କହିଲା ।

 

ବସୁନ୍ଧରା କଟକର ହାଲଚାଲ ପଚାରୁଥିଲେ । ଶିବନାଥ ନିତ୍ୟକର୍ମ ସାରି ଜଳଖିଆ ଖାଉଥିଲା ।

 

“କେବେ ଆସିଲା ରେ ?”

 

“ଆଜି, ମୁଁ ଯେଉଁ ଗାଡ଼ିରେ ଆସିଲି, ସେମାନେ ସେଇ ଗାଡ଼ିରେ ଆସିଲେ । ଷ୍ଟେସନଠୁ ତାଙ୍କରି ଶଗଡ଼ରେ ତ ମୁଁ ଆସିଲି ।”

 

“ଯାହା ହେଉ, ସ୍ନେହ ଭାଗ୍ୟକୁ ପ୍ରଶଂସା କରିବା କଥା, ଦରିଦ୍ର ଘରୁ ଯାହା କୁବେର ଘରକୁ ଗଲା !”

 

“ବୋଉ, ସେ ବିଭାହେବା ପୂର୍ବରୁ ସମସ୍ତେ ତାଙ୍କୁ ଖାଇବାକୁ ଡାକିଲେ । ଆମ ଘରକୁ ସେ ଏତେ ଯିବା ଆସିବା କରୁଥିଲେ, ତାଙ୍କ ବିଭାଘରକୁ ତୁ ତାଙ୍କୁ ଶାଢ଼ୀ ଖଣ୍ଡେ କି ଅଳଙ୍କାର ଗୋଟେ ଦେଇଥିଲେ କ’ଣ ଖରାପ ହୋଇଥାଆନ୍ତା ? ଖାଇବାକୁ ବି ଡାକିଲୁନି, ତୋତେ ସାହସ କରି କିଏ କ’ଣ କହିବ ?”

 

“କ’ଣ ଟଙ୍କା ମାଗଣା ପଡ଼ିଛି କି, ଯାହାକୁ ଇଚ୍ଛା ତାକୁ ମୁଁ ଅଳଙ୍କାର ବାଣ୍ଟିବି ?” –ବସୁନ୍ଧରା ଫଣା ତୋଳିଲେ ।

 

“ବୋଉ, ଏତେ ଟଙ୍କା ରଖି ଲାଭ କ’ଣ, ଯଦି ଆପଣାର ଲୋକଙ୍କୁ ଆମେ ସୁଖ ଦେଇ ନ ପାରିବା, ଲୋକଙ୍କ ଦୁଃଖବେଳେ ସାହାଯ୍ୟ କରି ନ ପାରିବା ?”

 

“ବାପା, ତୁ ଟଙ୍କା ରୋଜଗାର କରୁଥିଲେ ଏକଥା କହି ନ ଥାନ୍ତୁ, ପ୍ରତ୍ୟେକ ପାହୁଲା ପାଇଁ ମଣିଷ ଯେତେ ଝାଳ ବୁହାଏ, ସେତକ ଯଦି କେବେ ଅନୁଭବ କରିବୁ, ତାହାହେଲେ ଯାଇ ପଇସାର ମାହାତ୍ମ୍ୟ ଜାଣିବୁ ।”

 

ଶିବନାଥ ବସୁନ୍ଧରାଙ୍କ କଥାରେ କିଛି ନ କହି ଚୁପ୍‍ଚାପ୍ ଖାଇବାରେ ଲାଗିଲା । ବସୁନ୍ଧରା ରାଗିଯାଇ ଉଠି ଅନ୍ୟ କାମରେ ମନଦେଲେ । ଖାଇସାରି ଶିବନାଥ ଦାଣ୍ଡକୁ ବାହାରିବା ମାତ୍ରକେ ଲୋକେ ପାଗଳା କିଶୋରର ମୃତ୍ୟୁକଥା କଥାବାର୍ତ୍ତା ହେଉଥିବା ସେ ଶୁଣିଲା । ଶିବନାଥ କିଶୋର ପାଗଳାର ମୃତ୍ୟୁକଥା ବସୁନ୍ଧରାଙ୍କୁ କହି ନ ଥିଲା । କାରଣ ତା’ର ବଞ୍ଚିବା ଓ ମରିବାକୁ ସେ ସମାନଭାବେ ଗ୍ରହଣ କରିଥାନ୍ତେ । ତା’ପରେ ଆଉ କାହା ସହ ମଧ୍ୟ ସେ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ନ ଥିଲା । କାହିଁକି କେଜାଣି ତା’ର ଯେପରି ମନେ ହେଉଥିଲା, କିଶୋର ପାଗଳାର ମୃତ୍ୟୁ ବାହାରେ ହୋଇନାହିଁ, ତାରି ହୃଦୟ ଭିତରେ ହୋଇଛି । ତା’ର ହୃଦୟ ଭିତରୁ କେଉଁ ରାକ୍ଷସଟିଏ ଟ୍ରେନ ପାଲଟି ଯାଇ, ତାରି ହୃଦୟର ଗୋଟିଏ ନିରୀହ କିଶୋରକୁ ମାରିଦେଇଛି-। ଷ୍ଟେସନଠୁ ଦୁର୍ଘଟଣା ଦେଖିବାପରେ ଗୋଟିଏ ସ୍ମୃତି ତା’ ମନରେ ବାରମ୍ବାର ଉଠିବାକୁ ଚେଷ୍ଟା କରୁଥିଲା; କିନ୍ତୁ ସେ ଘଟଣା ସହ ଯେପରି ଆଦୌ ସଂପୃକ୍ତ ନୁହଁ ସେହିପରି ସେ ମନ ଭିତରେ ବାଁରେଇ ହେଉଥିଲା । ଦାଣ୍ଡରେ ଲୋକଙ୍କ କଥାବାର୍ତ୍ତା ଶୁଣି ସେ ସ୍ମୃତି ତା’ ହୃଦୟ ଭିତରୁ ଶେଷରେ ବାହାରି ପଡ଼ିଲା–

 

ସୁକେଶୀଙ୍କୁ ପାଇବା ପାଇଁ ପାର୍ଥ ଓ ରାଘବଙ୍କ ପରାମର୍ଶରେ ସେ ତନ୍ତ୍ରସାଧନା କରିବାକୁ ଚନ୍ଦନକାଠ, ସୁତାବିଣ୍ଡା, ଦିଅଁଙ୍କ ଢାଳ, ଖଣ୍ଡେ ତାଳଚଟେଇ ଧରି ପାର୍ଥ ଓ ଓ ରାଘବଙ୍କ ସହ ଯେତେବେଳେ ବାଉଁଶନଦୀଆଡ଼େ ଯାଉଥିଲା, ସେହି ସମୟରେ–ଉଦୁଉଦିଆ ଦ୍ୱିପ୍ରହର ଯୋଗୁଁ ଗାଁ ଦାଣ୍ଡରେ କେହି ନ ଥିଲେ । ଏମାନେ ଗାଁମୁଣ୍ଡଠି ହୋଇଛନ୍ତି, ପାଗଳା କିଶୋର କୁଆଡ଼େ ଯାଇଥିଲା ଏମାନଙ୍କୁ ଭେଟିଲା । ପାଗଳାକୁ ବେଖାତିର କରି ଏମାନେ ତୋଟାଆଡ଼େ ଯିବାକୁ ଆରମ୍ଭ କରିବାରୁ ପାଗଳା ପଛରୁ ପାଟିକଲା–“କହିଦେବି, ରହିଥା, ରହିଥା ମଉସାଙ୍କୁ କହିଦେବି, ଦ୍ୱିପ୍ରହରେ ମାଛଧରି ଯାଉଛ !”

 

ଶିବନାଥ ଡରରେ ପାର୍ଥକୁ ପଚାରିଲା–“ହଇରେ ପାଗଳାଟା ସତରେ ଯଦି ଘରେ କହିଦିଏ ?”

 

“ଏଇଲେ ସିନା ଡରାଉଛି, କିଛିସମୟ ପରେ ଭୁଲିଯାଇ ତା’ କାମରେ ସେ ବ୍ୟସ୍ତ ରହିବ-। ତୁ ବ୍ୟସ୍ତ ହେବା ଦରକାର ନାହିଁ–” ପାର୍ଥ ଉତ୍ତର ଦେଲା ।

 

କିନ୍ତୁ ଶେଷରେ ଶିବନାଥର ଆଶଙ୍କା ସତ୍ୟରେ ପରିଣତ ହେଲା । ପାଣୁଆ ଯେତେବେଳେ ଶିବନାଥକୁ ଖୋଜିବାକୁ ବାହାରିଲା, ସେତେବେଳେ ପାଗଳା କିଶୋର ଦାଣ୍ତ ପିଣ୍ଡା ଉପରୁ ପଚାରିଲା–

 

“କିରେ ପାଣୁଆ, କୁଆଡ଼େ ଯାଉଛୁ ?”

 

“ଶିବବାବୁଙ୍କୁ ଖୋଜି ଖୋଜି ନୟାନ୍ତ ହେଲିଣି । ବଡ଼ବାବୁଙ୍କ ଅବସ୍ଥା ସଂଘାତିକ ।”

 

“ସେମାନେ ତ ତୋଟାଆଡ଼େ ମାଛଧରି ଗଲେ ।”

 

ମାଛ ଧରିବା ଛଡ଼ା ଆଉ କୌଣସି ଉଦ୍ଦେଶ୍ୟରେ କେହି ବାଉଁଶ ନଦୀଆଡ଼େ ଦ୍ୱିପ୍ରହରେ ଯାଇପାରିବା କଥା ପାଗଳାର କଳ୍ପନାର ବହିର୍ଭୁତ ଜିନିଷ ଥିଲା ।

 

ସେଦିନ ବୋଉଙ୍କଠୁ ମାଡ଼ ଖାଇବାପରେ ଶିବନାଥ ପାଣୁଆଠୁ କୌଣସିମତେ କଥା ଆଦାୟ କରିସାରି ପାଗଳାକୁ ଉପଯୁକ୍ତ ଶାସ୍ତି ଦେବ ବୋଲି ମନେ ମନେ ପ୍ରତିଜ୍ଞା କଲା ।

 

ଶିବନାଥ ଜାଣିଥାଏ, ପାଗଳାଟା ହେଲେ ମଧ୍ୟ ବ୍ରାହ୍ମଶୋଚିତ ସଂସ୍କାର ମାନି ଚଳୁଥିଲା । ଆଠବର୍ଷବେଳକୁ ତା’ର ଉପନୟନ ସଂସ୍କାର ସରିଯାଇଥିଲା । ପ୍ରତ୍ୟହ ସେ ଖୁବ୍ ସକାଳୁ ଗାଧୋଇପକାଏ । ତେଣୁ ନିକାଞ୍ଚନିଆ ଧରିବାକୁ ହେଲେ ତାକୁ ଗାଧୋଇବା ମୁହୂର୍ତ୍ତଇ ମାହେନ୍ଦ୍ର ବେଳ ।

 

ଦିନେ ଶିବନାଥ ପୋଖରୀ ଆଡ଼େ ଖୁବ୍ ସକାଳୁ ବାହାରିଲା । ତା’ର ଅନୁମାନ ଠିକ୍ ଥିଲା । ପାଗଳା ଗାଧୋଇ ସାରି ପୋଛିପୋଛି ହେଉଥାଏ । ପୋଖରୀ ତୁଠରେ ଆଉ କେହି ନ ଥାନ୍ତି । ମଣ୍ଡପ ଉପରେ, ଜଣେ ଦୁଇଜଣ ବ୍ରାହ୍ମଣ, ଶିବମହିମ୍ନ ସ୍ତୋତ୍ର ପଢ଼ିବାରେ ମଗ୍ନ । ଶିବନାଥ ଧୀରେ ଧୀରେ ଯାଇ ପାଗଳା ପଛରେ ଠିଆହେଲା । ପାଗଳା ଶିବନାଥକୁ ଏତେ ଛପି ଛପି ଆସିବା ଦେଖି ହସିଦେଲା; କିନ୍ତୁ ପରମୁହୂର୍ତ୍ତରେ ଝପ୍‍କିନା ପୋଖରୀରେ ଶବ୍ଦ ହେଲା । ପାଗଳା ପାଣିରେ ଉବୁଟୁବୁ ହେଉଥାଏ । ପାଣିରେ ଦୁଇ ତିନିଥର ଉବୁଟୁବୁ ହୋଇ ପାଗଳା କୌଣସିମତେ ପଥର ପାହାଚରେ ଗୋଡ଼ଦେଇ ସିଧାହୋଇ ଠିଆହେଲା । ଶିବନାଥ ପାଗଳାଠୁ ତା’ କାର୍ଯ୍ୟର ପ୍ରତିବାଦ ଆଶଙ୍କା କରି ଯୁଦ୍ଧପାଇଁ ପ୍ରସ୍ତୁତ ହୋଇ ରହିଥାଏ; କିନ୍ତୁ ପାଗଳା ଶିବନାଥ ଆଡ଼କୁ କେବଳ ଚାହିଁଲା, ଜୁଳୁଜୁଳୁ କରି–ଆଖିରେ ଖାଲି ତା’ର ଅଭିମାନ, ଅଭିଯୋଗ । “ମଜା ପାଇଲୁ” –ଶିବନାଥ ପଚାରିଲା । ଶିବନାଥ କଥା ଶୁଣି ପାଗଳା ଉଁ କି ଚୁଁ କିଛି କଲାନି, ଶିବନାଥ ଲୋକମାନେ ତୁଠକୁ ଗାଧୋଇବାକୁ ଆସୁଥିବା ଦେଖି ଚାଲିଗଲା ।

 

ପରେ, ଶିବନାଥ ଶୁଣିଲା–ପାଗଳା ପାଣିରେ ଦିନ ବାରଟା ଯାଏଁ ସେହିପରି ଠିଆହୋଇ ରହିଥିଲା, କାହାକୁ କିଛି ନ କହି, ଯିଏ ଯେତେ ଡାକିଲେ, ପାଣିରୁ ନ ଆସି । ଲୋକେ ପାଗଳା ଅବିଚଳିତ ଭାବେ ଏକ ସ୍ଥାନରେ ଠିଆହୋଇ କୂଳଆଡ଼କୁ ଚାହିଁ ରହିବା ଦେଖି ଆଶ୍ଚର୍ଯ୍ୟ ହେଲେ, ପାଗଳାର ପାଗଳାମି ହଠାତ୍ ବଢ଼ିଯିବାର କାରଣ କେହି ଅନୁମାନ କରି ପାରିଲେନି । ଶେଷରେ ସାରସୀ ଏକଥା ଶୁଣି ପୋଖରୀ ତୁଠକୁ ଗଲେ । ବହୁ ଅନୁନୟ ବିନୟ କରିବା ପରେ ସେ ପାଣି ଭିତରୁ ଉଠିଥିଲା । ସେତେବେଳକୁ ତା’ ଦେହର ରୋମାବଳୀ ଟାଙ୍କୁରି ଯାଇଥିଲା, ଶୀତରେ ସେ ଠକ୍ ଠକ୍ ହୋଇ ଥରୁଥିଲା । ତା’ପରେ ତାକୁ ଜର ହେଲା; କିନ୍ତୁ ଯିଏ ଯେତେ ପଚାରିଲେ ମଧ୍ୟ ସେ ପାଣି ଭିତରେ ଠିଆହୋଇ ରହିବାର କାରଣ କାହାକୁ କିଛି କହି ନ ଥିଲା ।

 

ଶିବନାଥ ଆଖିରୁ ଲୁହ ବୋହିଗଲା । ଗାଁରେ କେହି ଜାଣନ୍ତିନି, କାହିଁକି, କେଉଁ କାରଣରୁ ପାଗଳା ପାଣି ଭିତରେ ଚାରି ପାଞ୍ଚଘଣ୍ଟା ଠିଆହୋଇ ରହିଲା । ଏଡ଼େ ଚଞ୍ଚଳ ସେ ମରିଯିବ ବୋଲି ଯଦି ଶିବନାଥ ଜାଣିଥାନ୍ତା, ତା’ହେଲେ କ’ଣ ତାକୁ ସେଦିନ ପୋଖରୀ ଭିତରକୁ ଠେଲି ଦେଇଥାନ୍ତା ! ରାଗରେ ଠେଲିଦେଲେ, ଠେଲିଦେଇ ସାରିବା ପରେ କ’ଣ କ୍ଷମା ମାଗି ନ ଥାନ୍ତା ! ସେଦିନର ପୋଖରୀ ହୁଡ଼ାର ଫଳ ଜରବେଳେ, ସବୁ କାମ ଛାଡ଼ିଛାଡ଼ି ଦେଇ, ସେ ତା’ର ସେବା ଶୁଶ୍ରୁଷା କରି ନ ଥାନ୍ତା !

 

ଜର ଭଲହେବା ପରେ କେତେଥର ପାଗଳା ସହ ତା’ର ଦେଖାହୋଇଛି, କେତେଥର ସେ କ’ଣ କହିବାକୁ ଶିବନାଥ ପାଖକୁ ଆସିଛି; କିନ୍ତୁ କାର୍ଯ୍ୟବ୍ୟସ୍ତ ରହି ଶିବନାଥ ତା’ କଥା ଶୁଣିନି, ତା’ ସହିତ ଦଣ୍ଡେ କଟାଇବାକୁ ମଧ୍ୟ ସମୟ ପାଇନି । କ’ଣ ସେ ତାକୁ କହିବାକୁ ଇଚ୍ଛା କରୁଥିଲା ? ପାଣୁଆକୁ ସେଦିନ ଦ୍ଵିପ୍ରହରେ ତା’ କଥା କହି ଦେଇଥିବା ଯୋଗୁଁ କ୍ଷମା ମାଗିବାକୁ ଆସୁଥିଲା ? ନା ତା’ର ଅଭିମାନ ଅଭିଯୋଗ ବାଢ଼ିବାକୁ ! ଯାହାହେଉ, ତା’ ସହିତ ଦି’ ପଦ କଥାବାର୍ତ୍ତା ହୋଇଥିଲେ ପାଗଳାକୁ ସୁଖ ତ ଲାଗିଥାନ୍ତା–କିନ୍ତୁ ସେତେବେଳେ ସେ ଭାବିଥିଲା ପାଗଳା ସହ କଥାବାର୍ତ୍ତା ହେବା ଅର୍ଥ ସମୟ ନଷ୍ଟ କରିବା ।

 

...ଶିବନାଥ, ହତଭାଗା ଦୁଷ୍ଟ ଶିବନାଥ, ଜଣେ ଆତ୍ମାକୁ ତୁ କଷ୍ଟ ଦେଇଛୁ, କନ୍ଦାଇଛୁ । ହା–ଭଗବାନ୍, ଏଡ଼େ ଚଞ୍ଚଳ ପାଗଳା ମରିଯିବ ବୋଲି ଜାଣିଥିଲେ ଶିବନାଥ କ’ଣ ତାକୁ ନ କୁଣ୍ଢାଇ ଛାଡ଼ିଥାନ୍ତା–ଯେତେ ନିରର୍ଥକ କଥା ହୋଇଥିଲେ ମଧ୍ୟ କ’ଣ ପଦେ ଦୁଇପଦ ତାଠୁ ଶୁଣି ନ ଥାନ୍ତା ! କ’ଣ ସମୟର ମୂଲ୍ୟ, ଯଦି ମଣିଷର ଦୁଃଖସୁଖ ଶୁଣିବାକୁ ମଣିଷର ସମୟ ହେବନାହିଁ !

 

କିଶୋର ! ତୁ ତ ମୋର ସାଙ୍ଗ, ଆ’ରେ ଆ’ରେ, କୁଣ୍ଢାକୁଣ୍ଢି ଟିକିଏ ହୋଇଯିବା, ମରି ତ ତୁ ଯିବୁ, ତା’ପରେ କ’ଣ ଯେତେ ଖୋଜିଲେ, ଲକ୍ଷେ ଯତ୍ନକଲେ ଆମେ ତୋତେ ପାଇବୁ ! ଆ, ଆ, ଯାହା କରୁଛୁ କର–ଯାହା ଚାହୁଁଛୁ ତା’ ଦେବି, ପାଣୁଆକୁ କହିଦେଇଛୁ ବୋଲି କିଛି ସଙ୍କୋଚ କରନା, ପାଣିରେ ଠେଲିଦେଲି ବୋଲି ରାଗୁଛୁ, କ୍ଷମା କରିଦେ ଭାଇ, ମରିବା ପୂର୍ବରୁ କ୍ଷମା କରିଦେ, ମରିଗଲେ ତୁ, ଆଉ କ’ଣ ଦେଖାଦେଖି ହବା । କୁଆଡ଼େ ଯିବୁ ତୁ.....

 

ଶିବନାଥର ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଥାଏ । ଆଗରେ ଯେପରି ତା’ର କିଶୋର ପାଗଳା ଠିଆହୋଇଛି, ଶିବନାଥକୁ ଚାହିଁ କ’ଣ ପଚାରୁଛି, କ’ଣ କହୁଛି ।

 

ଏଇ ଯେଉଁ ଗାଁର ପୁରୋହିତ ଚାଲିଯାଉଛନ୍ତି ସେ ମଧ୍ୟ ଦିନେ ମରିବେ । ତାଙ୍କର ସୁନ୍ଦର ଶରୀରକୁ ନିଆଁ ଲଗାଇ ଦିଆଯିବ । ସବୁ ପୋଡ଼ିପୋଡ଼ି ଦେଇ ଜ୍ଞାତମାନେ ଫେରିବେ । କାହିଁକି ଏତେ ଗର୍ବ, କାହିଁକି ଏତେ ଅହଙ୍କାର ! ଆହା, କିଏ କାହାକୁ ଗାଳିଦେବା କ’ଣ ଉଚିତ ? ଚିରନ୍ତନ ହୋଇ କିଏ ସିନା ରହିଲେ ତା’ ସହିତ ମଣିଷ ବାଦବିବାଦ କରନ୍ତା, ନିଷ୍ଠୁର କଥା କହି ତା’ ଆତ୍ମାକୁ କ୍ଷତବିକ୍ଷତ କରିପକାନ୍ତା, କୂଟକପଟ କରି ତାକୁ ତା’ର ଆତ୍ମୀୟମାନଙ୍କଠୁ ଭିନ୍ନ କରିଦିଅନ୍ତା; କିନ୍ତୁ ସିଏ ତ ମରିଯିବ । ସମସ୍ତେ ତ ମରିଯିବେ । ବାହାରକୁ ସେ ଯାହା ଦିଶୁ, ତା’ ମନରେ ମଧ୍ୟ ତ ଦ୍ଵନ୍ଦ ଥିବ, ଯାହାର ସମାଧାନ ସେ କରିପାରୁ ନଥିବ । ଆଶା ଥିବ ଯାହା କେବେହେଲେ ପୂରଣ ହୋଇପାରୁ ନ ଥିବ, ଆତ୍ମୀୟମାନେ ପ୍ରତାରଣା କରୁଥିବେ, ସେ କଲବଲ ହେଉଥିବ; ଖାଲି ଆଖିରେ, ସେ ପାଣି ପିଇବାକୁ ଇଚ୍ଛାକରି ମରୀଚିକା ଦେଖୁଥିବ । ହା ଭଗବାନ୍, ଏପରି ଯଦି ସମସ୍ତେ, ଏପରି ଯଦି ସଂସାର, ତାହାହେଲେ କା’କୁ କ’ଣ କଷ୍ଟ ଦେବା ଉଚିତ, ଧିକ୍‍କାର କରିବା ଉଚିତ, ପାପୀ, ନୀଚ ବୋଲି ଘୃଣା କରିବା ଉଚିତ !!

 

ସମସ୍ତଙ୍କୁ ନିଜ ସାଧ୍ୟାନୁଯାୟୀ ସୁଖଦେବା ଉଚିତ, ଦୋଷ ଦେଖିଲେ କ୍ଷମା କରିଦେବା ଉଚିତ । ଶିବନାଥର ବସୁନ୍ଧରାଙ୍କ ଉପରେ ସେ ରାଗିଥିବା କଥା ମନେ ପଡ଼ିଗଲା । ସେ ଦୁଃଖିତ ହେଲା । ବସୁନ୍ଧରାଙ୍କ ଉପରେ ରାଗିଥିବା ହେତୁ...ବୋଉ ମଧ୍ୟ ମରିଯିବ, ବୋଉ ମରିଯିବ ! ଯେଉଁ ହାଡ଼, ମାଂସ ଏଡ଼େ ସୁନ୍ଦର ରୁପ ଧାରଣ କରିଛି, ସେଗୁଡ଼ିକ ଶ୍ମଶାନରେ, ଖରାରେ, ବର୍ଷାରେ ପଡ଼ିଥିବ, କେହି ଭାବୁ ନ ଥିବେ ।

 

କ’ଣ ଏ ସଂସାର, କେତେଦିନ ବଞ୍ଚିବ, କାହିଁକି କାହାକୁ କଷ୍ଟ ଦେବି ! ସମସ୍ତଙ୍କୁ ସୁଖ ଦେବି, ନିଜେ ପଛେ ଦୁଃଖ କଷ୍ଟ ପାଇବି, ବଞ୍ଚିଥିବାଯାକେ ସମସ୍ତଙ୍କୁ, ସମସ୍ତଙ୍କୁ ସୁଖ ଦେବି ।

 

“ବୋଉ ! ବୋଉ !!” ଶିବନାଥ ପାଟି କରି ଘର ଭିତରକୁ ଦଉଡ଼ିଗଲା । ଆଖିରୁ ତା’ର ଅବିରଳ ଅଶ୍ରୁ ବୋହିଯାଉଛି ।

 

“କ’ଣ ରେ ?”

 

“ବୋଉ, ମୋତେ କ୍ଷମା ଦେ । ତୋତେ ମୁଁ ରାଗିକି କେତେକଥା କହିନି ! ମୋତେ କ୍ଷମା ଦେ, ବୋଉ, କ୍ଷମା ଦେ ।”

 

ଶିବନାଥ ବସୁନ୍ଧରାଙ୍କୁ କୁଣ୍ଢାଇ ପକାଇ ଛାତି ଭିତରେ ତାଙ୍କର ମୁହଁ ଗୁଞ୍ଜିଦେଲା । ବସୁନ୍ଧରା ଶିବନାଥର ବ୍ୟବହାରରେ ଆଶ୍ଚର୍ଯ୍ୟ ହେଉଥିଲେ । ତାଙ୍କର ହାତ ଶିବନାଥର ମୁଣ୍ଡକୁ ଆଉଁଷୁଥିଲା ।

 

 

ସେଦିନ ରଜନୀ ଅନ୍ଧକାରରେ ଠିଆ ହୋଇ ସୁକେଶୀ ଓ ରମାକାନ୍ତର କଥାବାର୍ତ୍ତା ଶୁଣୁଥିଲେ । ରମାକାନ୍ତ ତାଙ୍କୁ ଭଲ ପାଉନି ବୋଲି କହିବାବେଳେ ତାଙ୍କ ପାଦତଳୁ ଭୂମି ଖସିଗଲା ପରି ତାଙ୍କର ମନେ ହେଉଥାଏ । ସେତେବେଳେ ବି ରମାକାନ୍ତ ଏତେ ବେଶି ଛଳନାମୟ ହେବ ବୋଲି ତାଙ୍କର ବିଶ୍ଵାସ ହେବାକୁ କିଛି ସମୟ ଲାଗିଲା । ଶେଷରେ ସୁକେଶୀ ଓ ରମାକାନ୍ତଙ୍କର ଯେତେବେଳେ ମଧୁର ସମ୍ଭାଷଣ ସମାପ୍ତ ହେବାକୁ ବସିଲା, ସେତେବେଳକୁ ରଜନୀ ଜାଣିଲେ, ସାଙ୍ଗସାଥୀମାନଙ୍କର ଆଶଙ୍କା ଠିକ୍; ରମାକାନ୍ତ ତାଙ୍କ ସହିତ ପ୍ରତାରଣା କରିଛି । ବହୁ ଦିନରୁ ପ୍ରତାରଣା କରି ଆସିଛି ।

 

ରମାକାନ୍ତକୁ ଛାଡ଼ିଦେଲେ କେବେ କୌଣସି ଯୁବକ ରଜନୀଙ୍କୁ ଭଲ ପାଇ ନ ଥିଲା, ସହାନୁଭୂତି ଦେଖାଇବାକୁ ବି ଇଚ୍ଛା କରି ନ ଥିଲା । ସମସ୍ତେ ତାଙ୍କର ଅସୁନ୍ଦରତାରେ ହସିଥିଲେ, ତାଙ୍କର ସ୍ଥୂଳଶରୀର ସମସ୍ତଙ୍କୁ ବ୍ୟଙ୍ଗ ପାଇଁ ଖୋରାକ୍‍ ଯୋଗାଇ ଦେଇଥିଲା । ରମାକାନ୍ତର ବ୍ୟବହାର, ସହାନୁଭୂତି ଦେଖି ରଜନୀ ଭାବିଥିଲେ, ରମାକାନ୍ତ ହିଁ ଏକମାତ୍ର ଲୋକ ଯେ ତାଙ୍କୁ ଭଲ ପାଉଛି; କିନ୍ତୁ ସେ ଧନୀର ଦୁଲାଳୀ ବୋଲି ଉପରେ କିଛି କହିପାରୁନି, ସାହସ କରୁନି । ତେଣୁ ବାଧ୍ୟ ହୋଇ ଲଜ୍ଜାସଙ୍କୋଚ ଛାଡ଼ି, ତାଙ୍କୁ ଇ ପ୍ରେମପଥରେ ଅଗ୍ରସର ହୋଇଯିବାରୁ ପଡ଼ିଲା–ରମାକାନ୍ତ ସହ ସେ କେତେ ବୁଲିଛନ୍ତି, ଖେଳିଛନ୍ତି, ହୋଟେଲରେ ଖାଇଛନ୍ତି । କେତେ ସନ୍ଧ୍ୟା ନଦୀକୂଳରେ କାଟି ଦେଇଛନ୍ତି ! ଶେଷରେ... !

 

ରଜନୀଙ୍କ ହୃଦୟ ପୁରୁଷର ଏତେ ବଡ଼ ଛଳନାରେ ହାହାକାର କରି ଉଠୁଥାଏ ।

 

ରମାକାନ୍ତ ଯଦି ତାଙ୍କୁ ପ୍ରକୃତରେ ଭଲ ପାଉ ନଥିଲା, ତା’ହେଲେ ଅନ୍ୟମାନଙ୍କ ପରି ତାଙ୍କଠୁ ଦୂରେଇ ରହିଥିଲେ ତ ଚାଲିଥାନ୍ତା । ତାଙ୍କୁ ତ ସେ ପରିଷ୍କାର କହିଦେଇ ପାରିଥାଆନ୍ତା–ରଜନୀ, ମୁଁ ତୁମକୁ ଭଲ ପାଏନି, ତୁମେ କାହିଁକି ଉପରେ ପଡ଼ି ମୋତେ ଭଲ ପାଉଛ ?

 

ଯଦି ଖୋଲିକି କହିବାକୁ ତା’ର ସାହସ ନ ଥିଲା, ତା’ହେଲେ ଅନ୍ୟ କୌଣସି ଭାବେ ତ କହିପାରିଥାନ୍ତା । ଭଲ ପାଇବାର ଅଭିନୟ କାହିଁକି ସେ କରୁଥିଲା ? ଜଣେ କେହି ସଙ୍ଗିନୀ କହିଥିଲେ–ରମାକାନ୍ତ ବଡ଼ ଅର୍ଥଲୋଲୁପ ରଜନୀ ! ତୁ ନୁହଁ, ତୋର ଟଙ୍କା ତାକୁ ଆକର୍ଷଣ କରିଛି । ତୋ ଟଙ୍କାକୁ ସେ ଭଲପାଏ ।

 

ରଜନୀ ସେତେବେଳେ ତା’ କଥାକୁ ବିଶ୍ୱାସ କରି ନ ଥିଲେ । ସତରେ କ’ଣ ଟଙ୍କା ମଣିଷକୁ ଏଡ଼େ ଘୃଣ୍ୟ, ଏଡ଼େ ସ୍ୱାର୍ଥପର କରି ଦେଇପାରେ ? କାହିଁ, ସେ ତ କେବେ ଟଙ୍କାକୁ ଏଡ଼େ ମହତ୍ତ୍ଵ ଦେଇ ନାହାନ୍ତି । ଯେତେବେଳେ ରମାକାନ୍ତ ତାଙ୍କୁ ଯେତେ ଟଙ୍କା ମାଗିଛି, ସେତେ ଟଙ୍କା ତାକୁ ଅକୁଣ୍ଠିତ ଚିତ୍ତରେ ସେ ଦେଇ ଦେଇଛନ୍ତି । ତା’ର ହିସାବ ମଧ୍ୟ ସେ ରଖି ନାହାନ୍ତି ।

 

କାହିଁକି ରମାକାନ୍ତ ତାଙ୍କ ସହିତ ହିନ୍ଦୁ ବିଧିରେ ବିବାହ କରିବାକୁ ଅନିଚ୍ଛୁକ ହେଉଥିଲା ? ଭାବନା, କୁସଂସ୍କାର ? ହିନ୍ଦୁ ରୀତିରେ ବିବାହ କରି ତ୍ୟାଗକଲେ ଲୋକେ ଛିଛାକର କରିବେ, ରମାକାନ୍ତର ଭାବୁକତା ବାଧାପାଇବ; କାରଣ ତା’ର ପରମ୍ପରା ହିନ୍ଦୁ ସଂସ୍କୃତି ଉପରେ ପ୍ରତିଷ୍ଠିତ ହୋଇଛି । ସନାତନ ହିନ୍ଦୁ ବିବାହ ପ୍ରଥାରେ ଛାଡ଼ପତ୍ର ବୋଲି କିଛି ଜିନିଷ ନାହିଁ । ରେଜିଷ୍ଟାର୍ଡ଼ ମ୍ୟାରେଜ୍ କରିଥିଲେ ବିବାହ କଲାପରି ଲାଗିବନି, ତେଣୁ ଅକୁଣ୍ଠିତ ଚିତ୍ତରେ ଛାଡ଼ପତ୍ର ଦେଇହେବ, ମନରେ ଦ୍ୱିଧା ବା ଗ୍ଲାନି ରହିବନି । ତାଙ୍କୁ ବିବାହ କରି ତାଙ୍କର ଟଙ୍କାକୁ ଆତ୍ମସାତ୍ କରି ତିନିବର୍ଷ ପରେ ତାଙ୍କୁ ରମାକାନ୍ତ ତା’ହେଲେ ପରିତ୍ୟାଗ କରିଥାନ୍ତା ! ସେଇ କଳ୍ପନା ତା’ ମନରେ ଥିଲା । ଓଃ... । –ରଜନୀଙ୍କର ମୁଣ୍ଡ ବୁଲାଇ ହୋଇଗଲା ।

 

ରଜନୀ ଶୋଇବା ଘରକୁ ପଶିଯାଏ ଆଲୁଅକୁ ଟିପିଦେଲେ । ଦୁଆର କିଳିଦେଲେ । ସତରେ କ’ଣ ସେ ଖୁବ୍ ଅସୁନ୍ଦର, ଖୁବ୍ କୁତ୍ସିତ ଓ କଦାକାର, ତା’ ଆଜି ତାଙ୍କୁ ଦେଖିବାକୁ ହେବ । କାନ୍ଥ ଦର୍ପଣ ଆଗକୁ ଯାଇ ରଜନୀ ଠିଆହେଲେ । ତାଙ୍କର ସମସ୍ତ ଶରୀର ପ୍ରତିଫଳିତ ହେଉଥାଏ ବଡ଼ ଦର୍ପଣଟାରେ ।

 

ଦର୍ପଣ ଆଗ ଟୁଲ୍ ଉପରେ ରଜନୀ ବସିପଡ଼ି ପ୍ରଥମେ ସୁବର୍ଣ୍ଣ ଅଳଙ୍କାରଗୁଡ଼ିକୁ ବାହାର କରି ରଖିଦେଲେ । ବର୍ତ୍ତମାନ ସେ ନିଜ ଶରୀରକୁ ଚାହିଁବେ; ସବୁବେଳେ ଯେଉଁ ଦୃଷ୍ଟିରେ ଚାହୁଁଥିଲେ ସେହି ପରିଚିତ ଦୃଷ୍ଟିରେ ନୁହେଁ । ପୁରୁଷଙ୍କ ଦୃଷ୍ଟିରୁ ଚାହିଁବେ, ରମାକାନ୍ତର ଆଖିରେ ଚାହିଁବେ, ସତରେ କ’ଣ ସେ ଏଡ଼େ ଅସୁନ୍ଦର ଯେ, ଯେ କୌଣସି ପୁରୁଷ ତାଙ୍କୁ ପ୍ରେମ କରିବାକୁ ଇଚ୍ଛା କରିବନି !

 

ରକ୍ତଶ୍ୟାମରଙ୍ଗ–କେଶରେ ତରଙ୍ଗ–ମସୃଣତା ମଧ୍ୟ ଅଛି । କ୍ଷୁଦ୍ର ଲଲାଟ, ସିଧା ଭ୍ରୂଯୁଗଳ, ବଡ଼ ବଡ଼ ଆଖି; କିନ୍ତୁ ଲମ୍ବା ନୁହେଁ, ମୋଟା ଆଖିପତା–ଗଣ୍ଡ ଅତ୍ୟଧିକ ମାଂସଳ–ସେଇଥିପାଇଁ ବୋଧେ ଆଖି ଲମ୍ବା ଦିଶୁନି । ନାକ ବେଶି ଉଚ୍ଚ ନୁହେଁ, ଅଗ୍ରଭାଗ ବିଶେଷ ପ୍ରଶସ୍ତ । ମୋଟା ଓ ଛୋଟ ବେକ, କାନ୍ଧରେ ହାଡ଼ ନାହିଁ–ବକ୍ଷ କୋମଳ ଓ ବିଶାଳ–ଅଣ୍ଟା ପାଖ ମୋଟା–

 

ହଁ, ହଁ, ସେ ସ୍ଥୂଳକାୟା ଓ ଅସୁନ୍ଦରୀ ।

 

ରଜନୀଙ୍କର ପୁଣି ଥରେ ମୁଣ୍ଡ ବୁଲାଇଗଲା । ନା, ନା, ସେ ନିଜେ ଭୁଲ୍ ଦେଖୁଛନ୍ତି । ତାଙ୍କର ଆଖି ଖରାପ ହୋଇଯାଇଛି । ଆଖି ଯଦି ଖରାପ ନୁହେଁ, ଭୁଲ ଯଦି ସେ ଦେଖୁ ନାହାନ୍ତି, ତା’ହେଲେ ଯାହା ଦେଖୁଛନ୍ତି, ସେଥିପ୍ରତି ତାଙ୍କର ବିଶ୍ୱାସ କାହିଁକି ହେଉନି । ନା, ନା, ଏ ଶରୀର ତା’ହେଲେ ତାଙ୍କର ନୁହଁ ।

 

ହଠାତ୍ ରଜନୀଙ୍କୁ ଲାଗିଲା ସେ ଯେପରି ପାଗଳ ହୋଇ ଯାଉଛନ୍ତି । ଆଉ ସମ୍ଭାଳି ପାରିଲେନି ସେ, ଖଟ ଉପରକୁ ଯାଇ ମୁହଁମାଡ଼ି ଶୋଇ, ଭୋ, ଭୋ, କରି କାନ୍ଦି ପକାଇଲେ ।

 

ବୋଉ, ମୁଁ କାହିଁକି ଅସୁନ୍ଦର ହେଲି ? କାହିଁକି ଅସୁନ୍ଦର କରି ମୋତେ ଜନ୍ମକଲୁ ବୋଉ ତୁ ? ଯଦି ଅସୁନ୍ଦର ବୋଲି ଜାଣିଲୁ, ତାହାହେଲେ ଅନ୍ତୁଡ଼ିଶାଳରେ ତୋଟି ଚିପି ଦେଇଥିଲେ ତ ଯାଇଥାନ୍ତା, ମୁଁ ଏତେ କଷ୍ଟ ପାଇ ନ ଥାନ୍ତି । ଓଃ ! ଓଃ ! ରଜନୀ ତାଙ୍କର ଘୃଣ୍ୟ ଶରୀରଟାକୁ ଫୋପାଡ଼ି ଦେଇ ସେଥିରୁ ଅଲଗା ହୋଇଯିବାକୁ ଇଚ୍ଛା କଲେ; କିନ୍ତୁ ଯେତେ ଇଚ୍ଛାକଲେ ମଧ୍ୟ ଶରୀରଟା ତାଙ୍କର ସହିତ ଏପଟ ସେପଟ ଗଡ଼ୁଥାଏ, ପଡ଼ୁଥାଏ, ଉଠୁଥାଏ, କାନ୍ଦୁଥାଏ । ସତେ ଯେପରି ସେ ତାଙ୍କ ଶରୀର ଗୋଟିଏ କଥା । ଶେଷରେ ତାଙ୍କର କାନ୍ଦ ବନ୍ଦ ହୋଇଗଲା । ସେ ଭାବିଲେ, ଶରୀର କ’ଣ ସବୁ, ମୋର ଓ ସୁକେଶୀଙ୍କ ଶରୀର ମଧ୍ୟରେ ପ୍ରକୃତରେ କ’ଣ ଭିନ୍ନତା ରହିଛି ? ପ୍ରକୃତରେ ଦେଖିବାକୁ ଗଲେ କିଛି ତ ନୁହେଁ । ପୁଣି ସୁନ୍ଦରୀ ସ୍ତ୍ରୀ ହୋଇଥିବ, ଅଥଚ ସ୍ୱାମୀକୁ ଭଲ ପାଉ ନ ଥିବ, ତା’ହେଲେ ତନୁପାତଳୀ ସିଂହକଟି ହୋଇ ଲାଭ କ’ଣ ? ସୁନ୍ଦରୀ ସ୍ତ୍ରୀମାନେ କ’ଣ ସବୁବେଳେ ସାଧ୍ଵୀ, ପତିବ୍ରତା, ଗୁଣର ହୁଅନ୍ତି ? ସ୍ଵାମୀଙ୍କୁ ସେମାନେ ଶାନ୍ତି ଦିଅନ୍ତି-? ଅଧିକାଂଶ ସ୍ଥଳରେ ତ ନୁହେଁ । ମୋର କ’ଣ ହୃଦୟ ନାହିଁ । ଶରୀରଟା ସିନା ଅସୁନ୍ଦର; ମନ, ହୃଦୟ, ବ୍ୟବହାର, ସବୁ ସୁନ୍ଦର ତ, ଆଉ ମୋ ଅସୁନ୍ଦରତା ପାଇଁ କ’ଣ ମୁଁ ଦାୟୀ ? କାହିଁକି ଭଗବାନ୍ ମୋତେ ଭଲ ପାଇବାକୁ କ୍ଷମତା ଦେଇ ଏଣେ ଅସୁନ୍ଦର କଲ ? ମୋତେ ଅନ୍ଧ କରିଦେଲନି, କାହାକୁ ଦେଖି ନ ପାରି ମୁଁ ସନ୍ତୁଷ୍ଟ ଥାନ୍ତି; ବଧିର କରିଦେଲନି, କାହାର ଛଳନାପୂର୍ଣ୍ଣ ବାଣୀ ଶୁଣି ନ ପାରି ନିଜ ସୁଖରେ ନିଜେ ଥାନ୍ତି । ଆଶା ତ ହୃଦୟରେ ଦେଲ, ସାମର୍ଥ୍ୟ କାହିଁକି ଦେଲନି ? ହେ ଭଗବାନ୍ ! କେଉଁ ନ୍ୟାୟ, କେଉଁ ବିଧାନ !

 

ରଜନୀ ତକିଆରେ ମୁହଁକୁ ମାଡ଼ି କାନ୍ଦିବାର ସେତେବେଳକୁ କୋଡ଼ିଏ ପଚିଶ ମିନିଟ୍ ହୋଇଯାଇଥିଲା । କୋହ ବନ୍ଦହୋଇ ଆସୁଥିଲା । ଶେଯରୁ ସେ ଉଠି ବସିପଡ଼ିଲେ । ସେ ଯେପରି ମନେ ମନେ କ’ଣ ଠିକ୍ କରୁଥାନ୍ତି ।

 

ଅଳଙ୍କାରଗୁଡ଼ିକ ସେ ନିଜର ଭ୍ୟାନିଟିବ୍ୟାଗରେ ପୁରାଇଲେ । ଗୁଜ୍‍ରାଟୀ ବେପାରୀ ଲାଭ୍‍ଜି ଦୋକାନ ସକାଳ ସାଢ଼େ ସାତଟାରେ ଖୋଲେ । ଏଗାରଟାବେଳକୁ ସେ ଯିବେ-। ସେହି ଦୋକାନରୁ ସବୁ ଗହଣା କିଣା ହୋଇଥିଲା । ବିକ୍ରି କରିଦେଲେ ଅନ୍ୟୁନ ପାଞ୍ଚ ହଜାର ଟଙ୍କା ହେବ-

 

ଆନନ୍ଦରେ ରଜନୀଙ୍କ ଚକ୍ଷୁ ଉଜ୍ଵଳ ହୋଇ ଉଠିଲା । କୌଣସି ଦୃଢ଼ ନିଶ୍ଚୟରେ ସେ ମଗ୍ନ ଥିଲେ ।

 

ତହିଁଆରଦିନ ସକାଳୁ ରଜନୀ ଚଞ୍ଚଳ ଚଞ୍ଚଳ ନିତ୍ୟକର୍ମ ସାରି ଚଉଧୁରୀ ବଜାର ଆଡ଼େ ମଟର ନେଇ ଯିବାର ଦେଖାଗଲା ।

 

ସନ୍ଧ୍ୟାରେ ରଜନୀ ରମାକାନ୍ତ ନିକଟରେ ପହଞ୍ଚିଲେ । ଦୋକାନରେ ଭିଡ଼ ଥିଲା । ରମାକାନ୍ତ ଦାମୀ ସୁଟରେ ସତେଜ ଓ ଓଜସ୍ୱୀ ଦିଶୁଥାଏ । ରୋଗୀମାନଙ୍କ ପାଇଁ ଔଷଧ ଲେଖିଦେଉଥିବାବେଳେ ସେ ବାରମ୍ବାର ହାତଘଡ଼ିକୁ ଚାହିଁଥାଏ, କାହାକୁ ଯେପରି ସେ ଅପେକ୍ଷା କରୁଛି । ରଜନୀ ଯାଇ ରୋଗୀମାନେ ଯେଉଁ ବେଞ୍ଚରେ ବସନ୍ତି, ସେହି ବେଞ୍ଚରେ ବସିଗଲେ । ରମାକାନ୍ତ ଚାହିଁଦେଇ ଆଶ୍ଚର୍ଯ୍ୟ ହେଲା ।

 

“ତୁମେ ! ଏଠି କାହିଁକି ବସିଲ, ଭିତରକୁ ଚାଲ ।”

 

ରଜନୀ କିନ୍ତୁ ସେହିପରି ବସିରହିଲେ । ରମାକାନ୍ତ ରଜନୀଙ୍କ କାର୍ଯ୍ୟରେ ଆଶ୍ଚର୍ଯ୍ୟ ହେଲା ।

 

“ମୁଁ ରୋଗୀମାନଙ୍କ କାମସାରି ଭିତରକୁ ଯାଉଛି, ଅନୁଗ୍ରହ କରି ଭିତରେ ଯାଇ ବସ । କ’ଣ ତୁମର ହୋଇଛି ?”

 

ରମାକାନ୍ତଙ୍କ ପ୍ରଶ୍ନ ଶୁଣି ରଜନୀ ମନେ ମନେ କହି ଉଠିଲେ, ପ୍ରତାରକ, ତୋତେ ଧର୍ମ ସହିବନି; କିନ୍ତୁ ସେ କିଛି ନ କହି ଉଠି ଚାଲିଗଲେ । ବୈଠକଖାନାରେ ଦୁଇ ତିନୋଟି ଔଷଧ ପାର୍ଶଲ ଖୋଲାହୋଇ ପଡ଼ିଥାଏ । ବିଲ୍ ସହିତ ମିଳା ହୋଇ ନ ଥାଏ ବୋଲି ଔଷଧଗୁଡ଼ିକ ଆଲମିରାରେ ରଖା ହୋଇ ନ ଥାଏ । ରଜନୀ ଔଷଧ ଶିଶି ଆଡ଼କୁ ଚାହିଁଲେ । ଗୋଟାଏ ଶିଶି ତାଙ୍କର ଦୃଷ୍ଟି ବିଶେଷ ଆକର୍ଷଣ କଲା । କ’ଣ ଭାବି ସେ ଶିଶିଟିକୁ ନେଇ ବ୍ଲାଉଜ୍ ଭିତର ପୁରାଇଦେଲେ । ଶିଶିଟି ବ୍ଲାଉଜ୍ ଭିତରେ ପୁରାଇବାବେଳେ ତାଙ୍କର ମୁହଁ କ୍ଷଣକପାଇଁ ଡରରେ ଶେତା ପଡ଼ିଯାଇଥିଲା । ବୈଠକଖାନାରେ ସେ ବସିବାରେ ଦଶ ପନ୍ଦର ମିନିଟ୍ ହୋଇଥିବ ରମାକାନ୍ତ ବ୍ୟସ୍ତହୋଇ ପଶିଆସିଲା–

 

“କ’ଣ ତୁମର ହୋଇଛି ରଜନୀ, ଆଜି ଏଡ଼େ ଉଦାସ କାହିଁକି, ଦେହରେ ଗୋଟିଏ ହେଲେ ଗହଣାପତ୍ର ବି ରଖିନ ? ସେ ବେଞ୍ଚରେ କାହିଁକି ବସୁଥିଲ ? ମୁଁ ଡରିଗଲି !”

 

“ସୁନ୍ଦର ଦିଶୁନି ?”

 

“ସୁନ୍ଦର !” –ରମାକାନ୍ତ ରଜନୀଙ୍କ ଆଡ଼କୁ ସେ ସୁନ୍ଦର କି ନା ଜାଣିବାକୁ ପୁଣି ଯେପରି ଚାହିଁଲା ।

 

“ଛାଡ଼ନ୍ତୁ, ଏତେ ଦେଖୁଛନ୍ତି କ’ଣ, ଅସୁନ୍ଦରୀ କ’ଣ କେବେ ସୁନ୍ଦରୀ ହୋଇପାରେ ?”

 

ରମାକାନ୍ତ କ’ଣ କହିବାକୁ ଯାଉଥିବାବେଳେ ରଜନୀ କହିବାକୁ ସୁଯୋଗ ନ ଦେଇ କହି ଉଠିଲେ–

 

“ଭାରି ଭୋକ କରୁଛି, ଆଜି କିଛି ଖାଇବାକୁ ଦିଅନ୍ତୁ । ବଡ଼ ବେଶି ଆଶାକରି ଆସିଛି ।”

 

“ଓଃ ! ନିଶ୍ଚୟ, ନିଶ୍ଚୟ” –ରମାକାନ୍ତ ପୂଜାରୀକୁ ଡାକି ଜଳଖିଆ ପାଇଁ ବରାଦ ଦେଲା ।

 

ରଜନୀଙ୍କ ଦେହକୁ ଲାଗି ସୋଫା ଉପରେ ରମାକାନ୍ତ ବସିପଡ଼ିଲା ।

 

“ରଜନୀ, ସତ କହ, ତୁମର କ’ଣ ହୋଇଛି, ଆଜି କାହିଁକି ତୁମେ ଭାରି ଭିନେ ଭିନେ ଜଣାପଡ଼ୁଛ ।”

 

“ରମାକାନ୍ତବାବୁ, ପଚାରିବି ଗୋଟେ କଥା, କହିବେ ? ସଂସାରରେ ମଣିଷ ଯାହା ଚାହେଁ ତା’ କ’ଣ ପାଏ ?”

 

ରମାକାନ୍ତ ରଜନୀଙ୍କ ମୁହଁକୁ ଚାହିଁଲା । ରଜନୀ ଥଟ୍ଟାକରି କହିଲେ–“କ’ଣ ଦେଖୁଛନ୍ତି, ଚଉଡ଼ା ନାକକୁ ନା ଚର୍ବିଳ ଗାଲକୁ ? ନା, ଚୁମା ଦେବାକୁ ଇଚ୍ଛା ହେଲା ?”

 

ରମାକାନ୍ତ ରଜନୀଙ୍କ କଥା ଶୁଣି ଚମକିଲା ପରି ହୋଇ ଟିକିଏ ଘୁଞ୍ଚି ଆସିଲା, କହିଲା–“ନା, ମଣିଷ ଯାହା ଚାହେଁ ତା’ ପାଏନି ।”

 

“କାହିଁକି ପାଏନି, ମନରେ ତେବେ ଆକାଂକ୍ଷା କାହିଁକି ଆସେ ?”

 

“ବୋଧେ ଠିକ୍ ଚେଷ୍ଟାର ଅଭାବ !”

 

“ନା, ନା, ଠିକ୍ ଚେଷ୍ଟା ଥିବାସତ୍ତ୍ୱେ ଆକାଂକ୍ଷା ବେଳେ ବେଳେ ଅପୁର୍ଣ୍ଣ ରହିଯାଉଚି ।”

 

ରଜନୀ ଆଉ କ’ଣ କହିବାକୁ ଯାଉଥିବାବେଳେ କମ୍ପାଉଣ୍ଡର ଭିତରକୁ ପଶିଆସି ଖବର ଦେଲା–“ଅଜିତ୍‍ବାବୁ ଆସିଛନ୍ତି ।”

 

“ଅଜିତ୍ !”

 

ଭିତରକୁ କହି ଦିଅନ୍ତୁ । ରଜନୀ ରମାକାନ୍ତ ପାଇଁ କହିଲେ । ଅଜିତ୍ ହସିହସି ଭିତରକୁ ପଶି ଆସିଲା ।

 

“ନମସ୍କାର ରଜନୀଦେବୀ, ବହୁତଦିନ ପରେ ଦେଖା, ନମସ୍କାର ରମାକାନ୍ତ ।”

 

“ଭଲ ଅଛନ୍ତି ?” ରଜନୀ ପଚାରିଲେ ।

 

“ଭଲ କାହାକୁ କହୁଛ, ସାଂସାରିକ ଦୃଷ୍ଟିରୁ ନୁହେଁ ବୋଧେ ।”

 

“କାହିଁକି ?”

 

“ସ୍ତ୍ରୀଟି ମୋର ପ୍ରସବ ଯନ୍ତ୍ରଣାରେ ମରିଗଲା । ସମସ୍ତେ ତ ମାରିବେ, ଗୋଟେ ରେଖାର ଏପଟ ସେପଟ ପରି ମଣିଷର ଜନ୍ମ ମରଣ, ତେବେ ଟିକିଏ ଆସକ୍ତି ଆସିଯାଇଥିଲା, ସ୍ତ୍ରୀଟିକୁ ଭଲ ପାଉଥିଲି, ସେ ମରିଯିବାରୁ ଭାବିଲି ଆତ୍ମହତ୍ୟା କରିବ । ତା’ପରେ ଭାବିଲି, ବର୍ତ୍ତମାନ ନୁହେଁ, କିଛିଦିନ ପରେ ।”

 

ଏହି ସମୟରେ କୌଣସି ରୋଗୀ ଆସିବାରୁ ରମାକାନ୍ତ ଦୋକାନକୁ ଚାଲିଗଲା ।

 

“ଆତ୍ମହତ୍ୟା ମହାପାପ...” ରଜନୀ ରହି ରହି କହିଲେ ।

 

“ହଁ, ଯେଉଁମାନଙ୍କ ପାଇଁ ବଞ୍ଚି ରହିବା ମହାପୁଣ୍ୟ ।”

 

“ମାନେ ?”

 

“ମାନେ, ଯାହାର ଆତ୍ମହତ୍ୟା ପ୍ରୟୋଜନ ପଡ଼ୁଛି, ତା’ପାଇଁ ତ ପାପ ନୁହେଁ । ବରଂ ଯଦି ସବୁ ଧର୍ମ କୌଣସି କଥାରେ ଏକମତ, ତା’ ହେଲେ ତା’ ହେଉଛି ଆତ୍ମହତ୍ୟା–ପ୍ରୟୋଜନ ପଡ଼ିଲେ ଶରୀରକୁ ଶେଷ କରିଦେବା ।”

 

“କିନ୍ତୁ ସମସ୍ତେ କହନ୍ତି ଆତ୍ମହତ୍ୟା ମହାପାପ ?”

 

“ପ୍ରଥମ କଥା ହେଉଚି ଆତ୍ମାର ହତ୍ୟା କେଉଁଠି ହେଉଚି ? ଗୀତା ପଢ଼ିଥିବେ–‘ନ ଜାୟତେ ମ୍ରିୟତେ ବା କଦାଚିତ୍.....’ । ଦ୍ଵିତୀୟରେ ଆତ୍ମହତ୍ୟା କରିବାର ଶକ୍ତି ହିଁ ପଶୁଠୁ ମାନବକୁ ଭିନ୍ନ କରିଦେଇଛି । ମଣିଷଛଡ଼ା, ସବୁ କ୍ଷେତ୍ରରେ ଶରୀର ତା’ ମନକୁ ଝଡ଼େ । ମଣିଷ ହିଁ ତା’ର ସ୍ଵାଧୀନ ଇଚ୍ଛା, ସ୍ଵାଧୀନ ପ୍ରକୃତି ଯୋଗୁଁ ଯେତେବେଳେ ଇଚ୍ଛା କରେ ସେତେବେଳେ ତା’ର ଶରୀରକୁ ଛାଡ଼ିଦେଇ ପାରେ । ଅର୍ଥାତ୍ ଆତ୍ମହତ୍ୟା କରିପାରେ । ଯେ ଶରୀରକୁ ଆତ୍ମା ମନେକରୁଛି, ସେ ଆତ୍ମହତ୍ୟା କରିପାରିବନି; କିନ୍ତୁ ଯେ ଅଚେତନ ଆତ୍ମାକୁ ଅଚେତନ ଶରୀରଠୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ବିଶ୍ୱାସ କରେ, ସେ ପ୍ରୟୋଜନ ବେଳେ କାହିଁକି ଆତ୍ମହତ୍ୟା କରିପାରିବନି ? ଜୈନଧର୍ମରେ ସାଧୁମାନେ ଭୋକ ଉପାସରେ ପଡ଼ି ପଡ଼ି ଶରୀର ଛାଡ଼ୁଥିଲେ । ହିନ୍ଦୁ ଧର୍ମରେ ତ ଇଚ୍ଛାମୃତ୍ୟୁ କଥା ଅଛି । ଭୀଷ୍ମ, ପଞ୍ଚପାଣ୍ଡବ, ଶ୍ରୀରାମ, ଶ୍ରୀକୃଷ୍ଣ ସମସ୍ତେ ଇଚ୍ଛା ମୃତ୍ୟୁବରଣ କରିଥିଲେ । ତେବେ କଥା ହେଲା ଆତ୍ମା ଓ ଶରୀରକୁ ବିଚ୍ଛେଦ କରିବାବେଳେ ଯେପରି ବାଧ୍ୟବାଧକତାରେ ପଡ଼ି କେହି କରିବନି । ବାଧ୍ୟବାଧକତାର ଅଂଶ ରହିଲେ ପାପ ହେବ ।”

 

“ଯେଉଁ ଝିଅମାନେ ଭଲ ପାଇବାରେ ବିଫଳ ହୋଇ ଆତ୍ମହତ୍ୟା କରନ୍ତି, ସେମାନଙ୍କର ପାପ ହେବ କି ନାହିଁ ?”

 

“ହବନି ବୋଲି ତ ମୁଁ ଭାବୁଛି । ତେବେ ବାଧ୍ୟବାଧକତା ରହିବା ଅନୁଚିତ ଅର୍ଥାତ୍ ଆତ୍ମହତ୍ୟା କରୁଥିବା ଲୋକର ମନରେ ଦ୍ୱିଧା ନରହିବା ଉଚିତ ।”

 

ହଠାତ୍ ଅଜିତ୍ ହାତଘଡ଼ି ଦେଖିଲା ।

 

“ଡେରି ହୋଇଗଲା, ରମାକାନ୍ତ ତେଣେ ବ୍ୟସ୍ତ । ମୁଁ ଯାଉଛି ।”

 

“ହଉ, ନମସ୍କାର ।” ରଜନୀ ହାତ ଟେକିଲେ ।

 

“ନମସ୍କାର ।”

 

କିଛି ସମୟରେ ରଜନୀ ମଧ୍ୟ ବାହାରିଲେ ଯିବାକୁ । ରମାକାନ୍ତ ରୋଗୀ ଦେଖା ଛାଡ଼ି ତାଙ୍କ ସହ ରାସ୍ତାକୁ ଆସିଲା ।

 

“ଜଳଖିଆ ତ ଖାଇଲନି ? ପୂଜାରୀଟା ଯାଇଛି ସେତିକିବେଳୁ !”

 

“ଆପଣ କାହିଁକି ଆଉ କଷ୍ଟ କରୁଛନ୍ତି, ଯାଆନ୍ତୁ ।”

 

“କାଲି ଆସିବ, ସିନେମା ଯିବା, ବାହାରେ ଖାଇବା ।”

 

“ଯଦି ନ ଆସିବି, ମନେ ପକାଇବ ତ ?” –ରଜନୀ ଯାଉ ଯାଉ ରହିଯାଇ, ବେଣୀକୁ ଛାଟି ପଚାରିଲେ । ଢଙ୍ଗଟି ବେଶ୍ ପରିଚିତ, ସୁକେଶୀ କି ଅନ୍ୟ କୌଣସି ସୁନ୍ଦରୀ ସ୍ତ୍ରୀ କରିଥିଲେ, ରମାକାନ୍ତ କୃତକୃତ୍ୟ ହୋଇ ଯାଇଥାଆନ୍ତା; କିନ୍ତୁ ରଜନୀ କରିବାକୁ ସେ କିଛିଟା ଶଙ୍କିତ ଓ କିଛିଟା ଆଶ୍ଚର୍ଯ୍ୟାନ୍ଵିତ ହୋଇଗଲା ।

 

“ମାନେ ?” ରମାକାନ୍ତ ପଚାରିଲା ।

 

“ଆପଣ ଏତେ ଆଶ୍ଚର୍ଯ୍ୟ କାହିଁକି ହେଉଛନ୍ତି, ମୋର ଟିକିଏ ଦୂରକୁ ଯିବାକୁ ଅଛି, ସେଥିପାଇଁ କହିଲି ।”

 

“ଆଚ୍ଛା, ତାହାହେଲେ ତୁମର ଯାତ୍ରା ମଧୁର ଓ ସାର୍ଥକ ହେଉ ।”

 

ରମାକାନ୍ତ ଉତ୍ସାହରେ କହିଲା ।

 

“ଆପଣଙ୍କ ଇଚ୍ଛା...” ରଜନୀ ଖୁବ୍ ଧୀରେ କହିଥିଲେ, ରମାକାନ୍ତ ଶୁଣି ପାରିଲାନି ।

 

“କ’ଣ କହିଲ–”

 

“ନମସ୍କାର–”

 

“ନମସ୍କାର–”

 

“ସୁବିଧା ହବ ଯଦି ସକାଳେ ଆମ ଆଡ଼େ ଟିକିଏ ଆସିବ–” ରଜନୀ କ ହିଲେ।

 

“ହଉ ।”

 

 

ତହିଁ ଆରଦିନ ସକାଳୁ ରମାକାନ୍ତ ରଜନୀଙ୍କ ଘରକୁ ଯିବାକୁ ଭୁଲିଗଲା । ଯିବାକୁ ତା’ର ବିଶେଷ ଆଗ୍ରହ ନ ଥିଲା । ରଜନୀ ତା’ ଜୀବନରୁ ଦୂରେଇଯାନ୍ତୁ ଏୟା ତା’ ଅନ୍ତର୍ମନର ଇଚ୍ଛାଥିଲା । ସୁକେଶୀଙ୍କଠି ସେ ସବୁ ପାଉଥିଲା, ବୈଭବ, ସୋନ୍ଦର୍ଯ୍ୟ–ସବୁ । ତା’ ମନରେ ବେଳେବେଳେ ଶଙ୍କା ଆସୁଥିଲା, କାଳେ ଯଦି ରଜନୀ ବିଫଳ ମନୋରଥ ହୋଇ ସୁକେଶୀଙ୍କୁ ତା’ ବିରୁଦ୍ଧରେ ପ୍ରରୋଚନା ଦିଅନ୍ତି ? ତେଣୁ ରଜନୀଙ୍କର ଯେପରି ଦୁଃଖ ନହେବ, ଅଥଚ ସେ ତାଠୁ ଦୂରେଇ ଯିବେ, ସେହି ଉପାୟ ସେ ଭାବୁଥିଲା; କିନ୍ତୁ ଅନ୍ୟ କେତେକ କାରଣରୁ ରଜନୀଙ୍କର ସମ୍ପର୍କ ଛାଡ଼ିବାକୁ ମଧ୍ୟ ଇଚ୍ଛା ହେଉ ନ ଥିଲା । ରଜନୀ ନିର୍ବୋଧ ଥିଲେ, ତାଙ୍କଠୁ ଅର୍ଥଲାଭ ପାଇଁ ସୁବିଧା ଓ ସୁଯୋଗ ବହୁତ ଥିଲା । ବଂଶୀଧରବାବୁ ଅପରେସନ୍ ପାଇଁ ପ୍ରସ୍ତୁତ ହେଉଥିଲେ, ସେ ଅପରେସନ୍ ଟେବୁଲରୁ ଫେରି ଆସିବେ ବୋଲି ରମାକାନ୍ତର ବିଶ୍ୱାସ ନ ଥିଲା । ସେ ନିଜେ ତାଙ୍କର ବ୍ରଣକୁ ପରୀକ୍ଷା କରିଥିଲା । ତାଙ୍କର ମୃତ୍ୟୁପରେ ରଜନୀଙ୍କୁ ଠକିବା ଆହୁରି ସହଜ, ସୁବିଧା ହୋଇଯାଆନ୍ତା; କିନ୍ତୁ ରଜନୀ ଓ ସୁକେଶୀ ଉଭୟଙ୍କୁ ଏକାଠି ଚଳାଇବା କ୍ରମେ ତା ପକ୍ଷରେ କଷ୍ଟକର ହୋଇ ପଡ଼ୁଥିଲା । ରଜନୀ ବୋଧେ ସନ୍ଦେହ କରିସାରିଲେଣି । ସୁକେଶୀ କିଛି କିଛି କଳ୍ପନା ନିଶ୍ଚୟ କରୁଥିବେ । ପ୍ରକୃତ ଉଦ୍ଦେଶ୍ୟ ଯଦି ସୁକେଶୀ ଜାଣିପାରିବେ, ତା’ହେଲେ ସବୁ ଯୋଜନା ତା’ର ବ୍ୟର୍ଥ ହୋଇଯିବ ।

 

ରମାକାନ୍ତ ଦୋକାନରେ ବସିଥିଲା, ଦିନ ପ୍ରାୟ ବାରଟା ହେବ । କେହି ଜଣେ ଗ୍ରାହକ ଆସି ତାକୁ ଖବର ଦେଲେ–“ଶୁଣିଲେଣି, ବଂଶୀଧର ବାବୁଙ୍କ ଝିଅ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି-! ଆଜି ସକାଳେ ଯେତେବେଳେ ଉଠିବା କଥା, ରଜନୀଦେବୀ ସେତେବେଳେ ନ ଉଠିବାରୁ, ଦୁଆର ଭଙ୍ଗାଯାଇ ଲୋକ ଭିତରେ ପଶିଲେ । ଦେଖାଗଲା ରଜନୀ ଦେବୀ ନିଶ୍ଚଳ ହୋଇ ଶୋଇଛନ୍ତି । ପାଖ ଟେବୁଲ ଉପରେ କାଗଜଟିଏରେ ଲେଖାହୋଇଛି–ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି । ମୁଁ ସ୍ଵେଚ୍ଛାରେ, ସୁଖରେ, ମରୁଛି । ବଡ଼ ଦୁଃଖର କଥା !”

 

“ହେଃ, ନା । ଆପଣ ମିଛ କହୁଛନ୍ତି ।”

 

“ମୁଁ ପରା ଏଇଲେ ଶୁଣିକି ଆସିଲି ।”

 

ରମାକାନ୍ତ ମୁହୂର୍ତ୍ତେ ପାଇଁ ବିହ୍ଵଳ ହୋଇଗଲା ଭଦ୍ରବ୍ୟକ୍ତିଙ୍କ କଥା ଶୁଣି । ତା’ପରେ ସେ କହିଲା–” ଏପରି ଭୀରୁ, ପଳାତକମାନଙ୍କ ପାଇଁ କାହାର ସହାନୁଭୂତି ରହିବା ଉଚିତ ନୁହେଁ । ମଣିଷ ହୋଇ ଆତ୍ମହତ୍ୟା କରିବ !”

 

କିଛି ସମୟ ପରେ ରମାକାନ୍ତ ଭଦ୍ରବ୍ୟକ୍ତିଙ୍କୁ ତାଙ୍କ ବରାତ୍ ଅନୁଯାୟୀ ‘ଭିଟାମିନ୍ ସି’ କିଛି ଦେଇ ବିଦାୟ କରିଦେଲା । ଗ୍ରାହକ ଚାଲିଯିବାପରେ ରମାକାନ୍ତ କିଛିକ୍ଷଣ ଶୂନ୍ୟକୁ ଚାହିଁଲା । ରଜନୀଙ୍କ ମୃତ୍ୟୁ ଖବର ପାଇ ସେ ତିଳେ ହେଲେ ଦୁଃଖିତ ହୋଇ ନାହିଁ । ନିଜ ହୃଦୟର ଭାବକୁ ଲକ୍ଷ୍ୟକରି ସେ ଆଶ୍ଚର୍ଯ୍ୟ ହେଲା । ସେଠି ଆଶ୍ଚର୍ଯ୍ୟ, ଦୁଃଖ, ଭୟ କୌଣସି ପ୍ରକାର ଆବେଗ ନଥିଲା-। କିଛି ସମୟପରେ ଏହି ଅବିଚଳିତ ଭାବଯୋଗୁଁ ସେ ନିଜ ହୃଦୟକୁ ତିରସ୍କାର କଲା ।

 

ହଠାତ୍ ତାର ଇଚ୍ଛା ହେଲା ସୁକେଶୀଙ୍କୁ ଖବର ଦେଇଦେବା ଉଚିତ । ଯେତେହେଲେ ରଜନୀଙ୍କୁ ସେ ବି ଚିହ୍ନନ୍ତି । ନିଶ୍ଚୟ ଏହି ଖବରଟି ତାଙ୍କୁ ଦେବା ଉଚିତ । ସୁକେଶୀଙ୍କ ପାଖକୁ ସେ ସଙ୍ଗେ ସଙ୍ଗେ ବାହାରିଲା । ହଷ୍ଟେଲରେ ସୁକେଶୀ ନ ଥିଲେ । ତାଙ୍କର ଜଣେ ବାନ୍ଧବୀ କହିଲେ–“ସୁକେଶୀ ଗାଁକୁ ଯାଇଛି, କାଲି ଆସିବ ।”

 

ତହିଁ ଆରଦିନ ସକାଳେ ରମାକାନ୍ତ ହଷ୍ଟେଲକୁ ଯାଇ ପୁଣି ଫେରିଆସିଲା । ସୁକେଶୀ ଗାଁରୁ ଫେରି ନ ଥିଲେ । ସେଦିନ ଦ୍ୱିପ୍ରହରେ ସେ ଦୋକାନ ବନ୍ଦ କରିବାକୁ ଯାଉଛି, ଡାକବାଲା ରେଜିଷ୍ଟାର୍ଡ଼ ପାର୍ଶଲଟିଏ ଆଣିଦେଲା । ରମାକାନ୍ତ ପାର୍ଶଲଟି ଖୋଲିଲା । ଇଂରେଜି ଉପନ୍ୟାସଟିଏ–ସୋମରସେଟ୍ ମମଙ୍କର “ଅଫ୍ ହ୍ୟୁମାନ୍ ବଣ୍ଡେଜ୍ ।” ବହି ଭିତରେ ପାଞ୍ଚହଜାର ଟଙ୍କାର ନୋଟ୍ । ରମାକାନ୍ତ ଆଶ୍ଚର୍ଯ୍ୟ ହୋଇଗଲା । ଆନନ୍ଦରେ ଓ ଆଶଙ୍କାରେ ତା’ର ହୃଦୟର ଗତି ବନ୍ଦ ହୋଇଯିବାକୁ ଲାଗିଲା । ବହିରେ ଚିଠିଟିଏ ମଧ୍ୟ ଥିଲା ।

 

ସ୍ନେହର ରମାକାନ୍ତବାବୁ,

 

ଚିଠି ପଢ଼ି ଆଶ୍ଚର୍ଯ୍ୟ ହେବେନି । ମୁଁ ମୋର ସମସ୍ତ ଗହଣା ବିକି ଯେଉଁ ଟଙ୍କା ପାଇଲି ତାକୁ ଆପଣଙ୍କ ପାଖକୁ ପଠାଇ ଦେଉଛି । ଆଉ ଟଙ୍କା ମୋ ପାଖରେ ନାହିଁ, ବାବାଙ୍କୁ ଆଉ ମାଗିଲେ ସନ୍ଦେହ କରିବେ ।

 

ଆପଣଙ୍କୁ ମୁଁ ଭଲ ପାଉଥିଲି, ବର୍ତ୍ତମାନ ମଧ୍ୟ ଭଲପାଉଛି । ମୁଁ ଅସୁନ୍ଦର, କୁତ୍ସିତ ଦେଖିବାକୁ ବୋଲି ଆପଣ ଚେଷ୍ଟା କରି ମଧ୍ୟ ମୋତେ ଭଲ ପାଇପାରି ନାହାନ୍ତି । ତଥାପି ଅନ୍ୟମାନେ ହସିବା, ଥଟ୍ଟା କରିବାବେଳେ, ଆପଣ ମୋତେ ଯେଉଁ ଟିକକ ସ୍ନେହଦେଇପାରିଲେ ତାହାହିଁ ମୋ ସ୍ମୃତିରେ ଅମୂଲ୍ୟ ସମ୍ପଦ ହୋଇ ରହିବ । ସେଇଥିରୁ ମୁଁ ଜାଣିଛି, ମୁଁ ସୁନ୍ଦର ହୋଇଥିଲେ ଆପଣ ନିଶ୍ଚୟ ମୋତେ ବିଭା ହୋଇଥାନ୍ତେ; କିନ୍ତୁ ଛାଡ଼ନ୍ତୁ ସେ କଥା, ଭାଗ୍ୟରେ ନାହିଁ ଯାହା, ସେ ବିଷୟରେ ଭାବି କ’ଣ ଲାଭ ? ମୃତ୍ୟୁ ପୂର୍ବରୁ ମୋର ଆଭୂଷଣଗୁଡ଼ିକ ମୋ ପ୍ରେମିକ ହିଁ ପାଇବା ଉଚିତ ଭାବି ସେଗୁଡ଼ିକ ଟଙ୍କା ଆକାରରେ ଆପଣଙ୍କ ପାଖକୁ ପଠାଇ ଦେଉଛି । ହଉ ରହିଲି, କେବେ ସୁନ୍ଦର ହେଲେ, ଆପଣଙ୍କ ପାଖକୁ ପୁଣି ଆସିବି ଯେ ।

 

ଚିଠି ପଢ଼ିସାରି ରମାକାନ୍ତ ଠୋ ଠୋ ହୋଇ ହସିଲା, ରଜନୀଙ୍କ ବ୍ୟର୍ଥ ଭାବୁକତା ଓ ରୁଗ୍‍ଣ ଆଦର୍ଶବାଦ ଦେଖି ନୋଟ୍‍ଗୁଡ଼ିକୁ ସେ ଲୁହା ଆଲମିରାରେ ରଖି, ଚିଠିଟିକୁ ଟିକି ଟିକି କରି ଚିରି ନିଆଁ ଲଗାଇଦେଲା । ବହିଟିରେ ନିଜର ନାମ ଓ ମାସକତଳର ତାରିଖ ଲେଖି ରଖିଦେଲା ।

 

 

ସ୍ନେହ ଗାଁକୁ ଆସିବାର ପ୍ରାୟ ଦଶଦିନ ଭିତରେ ସ୍ଵାମୀଙ୍କଠାରୁ ଚାରୋଟି ଚିଠି ପାଇଲେ-। ପ୍ରତ୍ୟେକ ଚିଠିରେ ସ୍ଵାମୀଙ୍କର ଅନୁନୟ–“ରାଣୀ ମୋର, ପ୍ରାଣର ମୋର, କିଛି ଭଲ ଲାଗୁନି-। ତୁମେ ଚାଲିଯିବା ପରେ କୌଣସି କଥା କରିବାକୁ ଇଚ୍ଛା ହେଉନି, ସବୁବେଳେ ତୁମ କଥା ଭାବି ଭାବି ସମୟ ଯାଉଛି । ଯଦି ଏହିପରି ବହୁଦିନ କଟେ, ତା’ ହେଲେ ମୋର ଅବସ୍ଥା କ’ଣ ହେବ ମୁଁ କହିପାରୁନି । ବୋଉ ଯେତେ ଲଗାଇଲେ ମଧ୍ୟ ଖିଆପିଆ ଠିକ୍‍ ବେଳେ ହୋଇପାରୁନି । ତୁମେ ସିନା ଥିଲେ ମନବୋଧ କରି ଖାଉଥାଆନ୍ତି, ତୁମେ ତ ପର ମନେକରି ଗାଁକୁ ଚାଲିଗଲ । ହଁ, ଗାଁ ତୁମକୁ ବଡ଼, ଯେତେ ହେଲେ ଆମେ ସବୁ ପର ତ !” ଆହୁରି କେତେ କ’ଣ । ସ୍ନେହ ବୁଝିପାରନ୍ତି ସ୍ଵାମୀ ତାଙ୍କୁ ନିଜ ଜୀବନଠୁ ବେଶି ଭଲପାଆନ୍ତି । ତାଙ୍କୁ ବେଶିଦିନ ଛାଡ଼ି ସେ ରହିପାରିବେ ନାହିଁ । ହୁଏତ ଦିନେ ବିଲ୍ଵ ମଙ୍ଗଳ ପରି ଏଇ ଗାଁରେ ଇ ପହଞ୍ଚିଯିବେ । ସ୍ଵାମୀ ତାଙ୍କୁ ଏତେ ଭଲ ପାଆନ୍ତି ଭାବି ତାଙ୍କ ମନ ଉଲ୍ଲସିତ ହୋଇଉଠେ, ସ୍ଵାମୀଙ୍କ ମଙ୍ଗଳ କାମନା କରି ସେ ସ୍ଵପ୍ନେଶ୍ୱର ମହାଦେବଙ୍କୁ ମୁଣ୍ଡିଆ ମାରନ୍ତି ମନେ ମନେ ।

 

ଶାଶୁଘରେ ଥିବାବେଳେ ବାପଘରକୁ ଆସିବାକୁ ସେ ହାଇଁପାଇଁ ହେଉଥିଲେ, ପ୍ରତିଦିନ ରାତ୍ରିରେ ସ୍ଵାମୀଙ୍କୁ କହୁଥିଲେ ତାଙ୍କୁ କିଛିଦିନ ପାଇଁ ଗାଁରେ ଛାଡ଼ି ଆସିବାକୁ; କିନ୍ତୁ ଗାଁକୁ ଆସିବା ପରେ ମନହେଉଛି, ଶାଶୁଘରକୁ ଫେରିଯିବା ପାଇଁ, ରମେଶଙ୍କ ପାଖକୁ ଫେରିଯିବା ପାଇଁ । ତାଙ୍କ ବିନା ନିଶ୍ଚୟ ସେ ଝଡ଼ି ଯାଇଥିବେ, ଖାଇବା ପିଇବା କିଛି ଠିକ୍ ରହୁ ନ ଥିବ ।

 

କିନ୍ତୁ ଏଡ଼େ ଜଲ୍‍ଦି କିପରି ସେ ଫେରିଯିବେ !

 

ସ୍ନେହ ଆସିବାଠୁ ଶିବନାଥ ବେଳେବେଳେ ମହେଶ୍ୱର ପାଢ଼ୀଙ୍କ ଘରକୁ ଯାଉଥିଲା । ଘଣ୍ଟାଏ ଦୁଇଘଣ୍ଟା ସ୍ନେହ ସହିତ କଥାବାର୍ତ୍ତା ହୋଇ ସେ ଫେରିଆସେ । ନାନା କଥାପଡ଼େ । ବେଳେ ବେଳେ ସ୍ନେହପ୍ରଭାଙ୍କ ଶାଶୁଘର କଥା; କିନ୍ତୁ ଅଧିକାଂଶ ଦିନ ଦେବୀପାଦ ହିଁ ଚର୍ଚ୍ଚାର ବିଷୟ ହୋଇଥାଏ । ଦେବୀପାଦ ଆଉ ଘର କଥା ଭାବୁଥିବ କି ନାହିଁ, ସନ୍ନ୍ୟାସୀମାନେ କିପରି ଚଳନ୍ତି, ମୋକ୍ଷ କ’ଣ, ସ୍ୱର୍ଗ କ’ଣ, ଏହିପରି କେତେ କ’ଣ । ଶିବନାଥ କହେ–ଦେବୀପାଦ ସନ୍ନ୍ୟାସୀ ହେବାଦ୍ଵାରା ଆମ କୂଳ ଉଦ୍ଧାର ହୋଇଗଲା । ଶାସ୍ତ୍ରରେ ଲେଖାଅଛି, ଘରୁ ଜଣେ ଯଦି କେହି ସୁଦ୍ଧ ସନ୍ନ୍ୟାସୀ ହୁଏ, ତା’ ହେଲେ ମାତୃ ଓ ପିତୃ ଉଭୟ କୁଳରୁ ସପ୍ତପୁରୁଷ ଯାଏଁ ସମସ୍ତେ ସଦ୍‍ଗତି ପାଆନ୍ତି !

 

ଏହିପରି ଦେବୀପାଦର ସ୍ମରଣ, ତା’ର ଗୁଣକୀର୍ତ୍ତନ ଦୁହିଙ୍କ ମଧ୍ୟରେ ଅନ୍ତରଙ୍ଗତା ସୃଷ୍ଟି କରୁଥିଲା । ଦିନେ କଥା ପଡ଼ୁ ପଡ଼ୁ ଶିବନାଥ କହିଲା, “ତୁମେ ଜାଣ ସ୍ନେହନାନୀ, ଭାଇନା କାହିଁକି ପଢ଼ାପଢ଼ି ଛାଡ଼ିଦେଲେ ?”

 

ସ୍ନେହ କହିଲେ–“ମୁଁ ଯାହା ଜାଣିଛି, ସେ ଧର୍ମ ଆଡ଼କୁ ମନ ଦେଇ କଲେଜ ପଢ଼ା ଛାଡ଼ିଦେଲେ । ସେପରି ତ ସେ ଅନ୍ୟାନ୍ୟ ବହି ପଢ଼ୁଥିଲେ ବହୁତ ।”

 

“ନା, ନା, ସେଇଟା ପ୍ରକୃତ କଥା ନୁହଁ । ଆଶ୍ଚର୍ଯ୍ୟ କଥା, ତୁମେ ତାଙ୍କର ଏଡ଼େ ସାଙ୍ଗ ହୋଇ ଏ କଥାଟି ଜାଣିନାହଁ ! କଥା ହେଲା, କୌଣସି ପ୍ରକାରର ନିୟମ ମାନି ଚଳିବା ଭାଇନାଙ୍କ ସ୍ଵଭାବବିରୁଦ୍ଧ । ଭଲ କଥାଟିଏ ହେଉ ପଛେ, ଯଦି ତୁମେ ତାକୁ ନେଇ ଗୁଡ଼େ ଆଇନ୍‍କାନୁନ୍ କରିଦେବ, ତାହାହେଲେ ଭାଇନା ନିଶ୍ଚୟ ତାକୁ ଖରାପ ବୋଲି କହିବେ । ସେ ବହି ପଢ଼ୁଥିଲେ; କିନ୍ତୁ ଯେତେ ଭଲ ବହି ହେଉ, ଯଦି ତାହା ପାଠ୍ୟ ପୁସ୍ତକରୂପେ ନିଆଯାଇଛି, ତାହା ହେଲେ ତାକୁ ସେ କେବେ ପଢ଼ିବେ ନାହିଁ । ଯେତେବେଳେ ସେ ଫାଷ୍ଟ ଇୟରରେ ପଢ଼ୁଥିଲେ, ସେତେବେଳେ ଜଣେ ବିଲାତଫେରନ୍ତା ଅଧ୍ୟାପକ ତାଙ୍କୁ କ୍ଲାସରେ ଧୋତି ପିନ୍ଧି ବସିଥିବାରୁ ଭର୍ତ୍ସନା କଲେ । କହିଲେ–ଧୋତି ନୁହଁ, ଧୋତି ବାହାରକୁ ପିନ୍ଧିକି ଯିବ, ପ୍ୟାଣ୍ଟ୍ ପିନ୍ଧି କଲେଜକୁ ଆସ ପଢ଼ିବା ପାଇଁ । ସେତେବେଳେ ଭାଇନା କିଛି କହିଲେ ନାହିଁ; କିନ୍ତୁ ତହିଁ ଆରଦିନ କ’ଣ ପିନ୍ଧିକି ଗଲେ ଜାଣ ? ଧୋତି ନୁହେଁ କି ପ୍ୟାଣ୍ଟ୍ ନୁହଁ, ସେ ପିନ୍ଧିକି ଗଲେ ଗୋଟେ ଖୋର୍ଦ୍ଧା ଲୁଙ୍ଗି ! ପିଲାମାନେ ତାଙ୍କୁ ଆଗରୁ ଜାଣିଥାନ୍ତି ଭାରି ଏକଜିଦିଆ ବୋଲି । ସେଦିନ ସମସ୍ତେ ମଜା ଦେଖିବା ପାଇଁ ଚୁପ୍‍ଚାପ୍ ବସିଥାନ୍ତି କ୍ଲାସରେ । ଭାଇନା ଖାଲି ଦେହରେ ଲୁଙ୍ଗି ପିନ୍ଧି, କ୍ଲାସ୍ ଆଗରେ । ଝିଅପିଲା ସବୁ ତାଙ୍କ ଆଡ଼କୁ ନ ଚାହିଁବାପାଇଁ ଯତ୍ନକରି ମୁହଁ କାନ୍ଥ କଡ଼କୁ କରିଥାଆନ୍ତି । ବିଲାତଫେରନ୍ତା ପ୍ରଫେସର୍ କ୍ଲାସରୁ ପଶି ଆସି ଡାଏସ୍ ଉପରେ ଚଢ଼ି ରେଜିଷ୍ଟ୍ରାର ଖୋଲିବାବେଳକୁ ପ୍ରଥମେ ଦେଖନ୍ତି ଭାଇନାଙ୍କୁ । ସେ ତାଙ୍କର ଆଖିକୁ ବୋଧେ ବିଶ୍ୱାସ କରି ପାରିଲେନି ସେହି ଦୃଶ୍ୟରେ, ସେ କେବେ ଭାବି ନ ଥିଲେ ଯେ ଜଣେ ଛାତ୍ର ତାଙ୍କର ଏଡ଼େ ଅବାଧ୍ୟ ହେବ ବୋଲି । ସେ ସଙ୍ଗେ ସଙ୍ଗେ ଭାଇନାଙ୍କୁ କ୍ଲାସରୁ ବାହାରି ଯିବାକୁ କହିଲେ । ଦେବୀଭାଇ କହିଲେ–ମୋର ସ୍ଵାଧିକାର ଆପଣ ଭଙ୍ଗ କରୁଛନ୍ତି । ମୁଁ ଯେପରି ଇଚ୍ଛା କରିବି ସେପରି ପୋଷାକରେ ଆସି କଲେଜରେ ପଢ଼ିପାରିବି । ଲଜ୍ଜା ନିବାରଣ କଲେ ହେଲା । ମୁଁ ତ ଉଲଗ୍ନ ହୋଇ ଆସିନି ଯେ ଆପଣ ମୋତେ ଗେଟ୍ ଆଉଟ୍ କରିବେ । ମୁଁ ପିନ୍ଧିଛି ଲୁଙ୍ଗି, ଭାରତରେ କୋଟି କୋଟି ଲୋକେ ଏହାକୁ ପିନ୍ଧି ଲଜ୍ଜା ନିବାରଣ କରନ୍ତି-। ଦକ୍ଷିଣରେ ପ୍ରାୟ ସବୁ ଲୋକେ ଏହି ଲୁଙ୍ଗି ପିନ୍ଧ ସ୍କୁଲ୍ କଲେଜକୁ ବି ଯାଆନ୍ତି ।

 

କଥା ବଢ଼ି ବଢ଼ି ପ୍ରିନ୍‍ସପାଲଙ୍କ ପାଖକୁ ଗଲା । ଶେଷରେ ପ୍ରିନ୍‍ସପାଲ ଭାଇନାଙ୍କୁ ସେହି ଧୋତି ଓ ପଞ୍ଜାବୀ ପିନ୍ଧି ଆସିବାକୁ କହିଲେ । ତେବେଯାଇ ଭାଇନା ଲୁଙ୍ଗି ଛାଡ଼ିଲେ । ପରେ ଭାଇନାଙ୍କର ଓ ସେହି ପ୍ରଫେସର୍‍ଙ୍କର ଖୁବ୍ ଭଲ ପଡ଼ିଲା, ସେହି ପ୍ରଫେସର୍‍ଙ୍କ ପେପରରେ ଭାଇନା ଖୁବ୍ ଭଲ ନମ୍ବର ରଖୁଥିଲେ ।

 

ସ୍ନେହପ୍ରଭା କହିଲେ–“ହଁ ହଁ, ଏହି ଘଟଣାଟି ମୋତେ ଦେବୀଭାଇ ଆଗରୁ ଥରେ କହିଥିଲେ; ମୁଁ କିନ୍ତୁ ଭୁଲି ଯାଇଥିଲି । ବଡ଼ ଅଦ୍ଭୁତ ଲୋକ ସେ, ତାଙ୍କୁ ବୁଝି ବି ମୁଁ ବୁଝିପାରିଲି ନାହିଁ-।”

 

“ତାଙ୍କୁ ମୁଁ କିନ୍ତୁ ଠିକ୍ ବୁଝିଛି । କୌଣସି ଆଇନ୍‍କାନୁନ୍, ନିୟମକୁ ସେ ମାନି ଚଳିବାକୁ ନାରାଜ । ଯାହା ପ୍ରତିଷ୍ଠିତ ହୋଇଛି, ତା’ର ବିରୁଦ୍ଧରେ ସେ ସବୁବେଳେ ଯିବେ । ଥରେ ମୁଁ ତାଙ୍କୁ ପଚାରିଥିଲି, ଭାଇନା, ଯଦି ତୁମେ ସବୁ ଆଇନ୍‍କାନୁନର ବିରୋଧୀ, ତାହା ହେଲେ ଏହି ଧାର୍ମିକ ନିୟମଗୁଡ଼ାକୁ କାହିଁକି ମାନୁଛ ? ଜାଣ ସେ କ’ଣ କହିଲେ ସେଦିନ ? ସେ କହିଲେ–ସଂସାରକୁ କାଟି ଫୋପାଡ଼ିବା ପାଇଁ ଧର୍ମ ଦରକାରୀ; କିନ୍ତୁ ଶେଷରେ ଧର୍ମ ବି ରହିବା ଉଚିତ ନୁହେଁ; ସବୁ ନିଶ୍ଚିହ୍ନ ହୋଇଯିବା ଉଚିତ ଶୂନ୍ୟରେ, ବ୍ରହ୍ମରେ । ତାଙ୍କ କଥା ମୁଁ ସବୁ ଠିକ୍ ବୋଧେ ବୁଝିପାରିନି; କିନ୍ତୁ ମୋ କ୍ଷୁଦ୍ର ବୁଦ୍ଧିରେ ମୁଁ ଭାବୁଛି ସେ ଯାହା କହୁଥିଲେ ଭୁଲ୍ । ମଣିଷ ଆଇନ୍‍କାନୁନକୁ ଛାଡ଼ି ଚଳିବ କିପରି ? ଅରାଜକତା ଆସିଯିବ ନାହିଁ ସଂସାରରେ ? ହଁ, ଆଇନ୍‍କାନୁନ ବଦଳିବ; କିନ୍ତୁ ସେ କଥା ତ ଭିନ୍ନ କଥା । ଖରାପ ନିୟମ ବଦଳିବ; କିନ୍ତୁ ସବୁ ଆଇନ କିପରି ଦୂର କରିଦେଲେ ହେବ ? ପୁଣି ମଣିଷ ସ୍ଵଭାବର ତ କେତେଗୁଡ଼ିଏ ନିୟମ ଅଛି ! ତାକୁ ଛାଡ଼ିଦେଲେ ମଣିଷ ଉଚ୍ଛନ୍ନ ହୋଇଯିବ ନାହିଁ ?”

 

ସ୍ନେହପ୍ରଭା ଶିବନାଥ କଥାରେ ରାଜିହେଲେ । ସେ ଜାଣିଥିଲେ, ଦେବୀପାଦ ଜାଣି ଜାଣି ସୃଷ୍ଟି ଛଡ଼ା ହେବାକୁ ଚେଷ୍ଟା କରୁଥିଲା । ସେ ନିଷ୍ଠୁର ହେବାର ଅଭିନୟ କରୁଥିଲା; କାରଣ ସଂସାରରେ ଅଧିକାଂଶ ଲୋକେ ନିଷ୍ଠୁରତାକୁ ପସନ୍ଦ କରନ୍ତିନି । ସେହିପରି ସେ ଜାଣି ଜାଣି ସୁନ୍ଦର କଥାକୁ ସୁନ୍ଦର ବୋଲି କହିବ ନାହିଁ, ତାକୁ ସେ ଅବହେଳା କରିବ । ସ୍ନେହ ଭାବୁ ଭାବୁ ତାଙ୍କର ହୃଦୟ ବେଦନାରେ ଭାରାକ୍ରାନ୍ତ ହୋଇ ଉଠିଲା ।

 

ଆଉ ଦିନେ ସ୍ନେହ ପଚାରିଲେ–“ଆଚ୍ଛା ଶିବ, ମୁଁ କ’ଣ ସଦ୍‍ଗତି ପାଇବିନି ? ମୁଁ ତ ସନ୍ନ୍ୟାସିନୀ ନୁହେଁ ?”

 

“ମୋ ମତରେ ହିନ୍ଦୁ ସ୍ତ୍ରୀ ମାତ୍ରେ ଇ ସନ୍ନ୍ୟାସିନୀ । ସେମାନଙ୍କର ବିବାହ ସନ୍ନ୍ୟାସବ୍ରତ ନେବାପରି । ନିଜର ବାପ, ମା’, ଗୃହଗ୍ରାମ, ସବୁକୁ ଛାଡ଼ି ସେମାନେ ଯେ ଅନ୍ୟ ଜଣକର ବାପ ମା’, ଗୃହଗ୍ରାମକୁ ସର୍ବସ୍ୱ କରିନିଅନ୍ତି, ତା’ କ’ଣ କମ୍ ତ୍ୟାଗର ସୂଚକ ? ଖାଲି ସଂସାର ଛାଡ଼ିଦେଲେ ଯେ ଜଣେ ସନ୍ନ୍ୟାସୀ ହୋଇଗଲା, ତା’ ନୁହଁ, ସଂସାରରେ ଥାଇ ମଧ୍ୟ ଯଦି ଅନ୍ୟମାନଙ୍କୁ ଧର୍ମସଙ୍ଗତ ସୁଖ ଦେଇପାରିଲା, ନିଜର କର୍ତ୍ତବ୍ୟ ଠିକ୍‍ରୂପେ କରିପାରିଲା, ତା’ହେଲେ ତାକୁ ମଧ୍ୟ ସନ୍ନ୍ୟାସୀ ରୂପେ ଗଣନା କରିବାକୁ ହେବ । ସେ ସଦ୍‍ଗତି ପାଇବ । ସ୍ତ୍ରୀମାନେ ସ୍ୱାମୀର ଅନନ୍ୟ ସେବାରେ ସଦ୍‍ଗତି ପାଇବା କଥା ଲେଖାଅଛି; ସ୍ତ୍ରୀମାନଙ୍କର ବିଶେଷତ୍ଵ ଏଇ ଯେ ସେମାନଙ୍କ ମଧ୍ୟରୁ ଅନେକେ ସଦ୍‍ଗତି, ଈଶ୍ୱରସାନ୍ନିଧ୍ୟକୁ ମଧ୍ୟ ହେୟ ମନେକରନ୍ତି । ସ୍ଵାମୀ ସଙ୍ଗ, ସ୍ଵାମୀ ପ୍ରୀତିକୁ ସେମାନେ ସଦ୍ଗତିଠୁ ବଡ଼ ବୋଲି ନିଅନ୍ତି ।”

 

ଶିବନାଥର ଶେଷକଥାଟି ଶୁଣି ସ୍ନେହ ଅନ୍ୟମନସ୍କ ହୋଇ କହିଲେ–“ହଁ, ବେଳେ ବେଳେ ସେଇୟା ଇ ମନେହୁଏ ।”

 

ତାଙ୍କର ଚକ୍ଷୁ କ’ଣ ଯେପରି ମନେ ପକାଇ ଉଜ୍ଜ୍ୱଳ ହୋଇଉଠିଲା ।

 

ଏହିପରି କଥା ହେଉଥିବାବେଳେ ଦିନେ ଦିନେ ଗାଁର ଲୋକ କେହି ଚିଠି ଫୋପାଡ଼ି ଦେଇ ଚାଲିଯାନ୍ତି । ସ୍ନେହ, ଚିଠିକୁ ନେଇ ବାଡ଼ିଆଡ଼କୁ ଦଉଡ଼ିଯାନ୍ତି । ଶିବନାଥ ହସେ–“କେତେ ଚିଠି ତୁମ ପାଖକୁ ଆସୁଛି, ତୁମକୁ ଛାଡ଼ି ସେ ପନ୍ଦରଦିନ ମଧ୍ୟ ରହିପାରୁ ନାହାନ୍ତି !” ସ୍ନେହ ଚିଠି ପଢ଼ିସାରି ଫେରିଆସନ୍ତି, ସବୁବେଳେ ଚିଠି ପଢ଼ି ଫେରିବାବେଳକୁ ତାଙ୍କର ଆଖି ସିକ୍ତ । ମୁହଁରେ ବିଷାଦମିଶା ଆନନ୍ଦର ଆଭା ଖେଳି ବୁଲୁଥାଏ । ତା’ପରେ ଆଉ ଗଳ୍ପ ଜମିପାରେ ନାହିଁ । ଶିବନାଥ ଥଟ୍ଟାରେ ପଚାରେ–“ରମେଶବାବୁ ତୁମକୁ ଭାରି ଭଲ ପାନ୍ତି । ନୁହଁ ? ହଉ, ହଉ, ମୁଁ ଯାଉଛି, କାଲି ଆସିବି । ତୁମର ହୁଏତ ପୁଣି ସେହି ଚିଠି ପଢ଼ିବାକୁ ଇଚ୍ଛା ହେଉଥିବ । ଯାଉଛି ।”

 

ଶିବନାଥ ଫେରି ଆସେ ।

 

ସ୍ନେହ ଆସିବାର ତେରଦିନ ହୋଇଥିବ ଶିବନାଥ ବସିଛି, ଗୋଟିଏ ଚିଠି ଆସିଲା । ସ୍ନେହ ସବୁଥର ପରି ସେଥର ମଧ୍ୟ ଚିଠିଟି ଧରି ଚାଲିଗଲେ । କିଛି ସମୟ ପରେ ସେ ଫେରିବାବେଳକୁ ମୁହଁ ତାଙ୍କର ଉଦାସ । ଆଖି ଛଳଛଳ । ଶିବନାଥ ପୂର୍ବଦିନମାନଙ୍କ ପରି ଥଟ୍ଟା କରିବାକୁ ଉଦ୍ୟତ ହୋଇ ପଚାରିଲେ–” ବିଲ୍ୱ ମଙ୍ଗଳ ବର୍ତ୍ତମାନ ସାପ–ଦଉଡ଼ିରେ ନା ଶବାଲିଙ୍ଗନ କରି ନଈ ପାର ହେଉଛନ୍ତି ?”

 

“ଶିବ, ମୋତେ ଟିକିଏ ବାଲେଶ୍ଵର ନେଇପାରିବ ? ମୁଁ ବାଲେଶ୍ଵର ଯିବି । ତୁମେ କହିଥିଲ ବାଲେଶ୍ଵର ଦେଖିବ ବୋଲି, ଚାଲ ମୋତେ ଛାଡ଼ିଦେଇ ଆସିବ । ତୁମର ବାଲେଶ୍ଵର ଦେଖା ବି ହୋଇଯିବ ।”

“କ’ଣ କିଛି ନାହିଁ କହୁଛ ବାଲେଶ୍ଵର ଯିବି ।”

“ମୁଁ ତ ଯିବି । ତୁମେ ମୋତେ ନେବ କି ନାହିଁ କୁହ ?”

“କ’ଣ ହୋଇଛି କୁହ ଆଗ ।”

“ସେ ଲକ୍ଷ୍ନୌ ଯାଇଥିଲେ ଅଧ୍ୟାପକ ଚାକିରି ପାଇଁ, ଫେରି ଆସି ତାଙ୍କର ଦେହ ଖରାପ ହୋଇଛି । ଖୁବ୍ ଜର... । ମୁଁ ଯିବି ।”

“ଏଥିପାଇଁ ଏଡ଼େ ଚିନ୍ତା ? ତାଙ୍କ ବୋଉଙ୍କଠୁ କ’ଣ ତୁମେ ତାଙ୍କର ବେଶି ସେବା କରିପାରିବ ?” –ଶିବନାଥ କହିଲା ।

“ନା, ମୁଁ ଯିବି । ତାଙ୍କୁ ଜର, ଏକଥା ଜାଣିପାରିବା ପରେ ମୁଁ ଆଉ ଏଠି ରହିପାରିବି ? ବୋଉ ବି ବାଲେଶ୍ଵରରେ ନାହାନ୍ତି । ସେ ଯାଇ ହରିଦ୍ଵାରରେ, ତୀର୍ଥକରି କେବେ ଫେରିବେ କେଜାଣି !”

“ମାଉସୀଙ୍କୁ କହିଲଣି ।”

“ସେ କା’ ଘରକୁ ଯାଇଛି, ଆସିଲେ କହିବି ।”

ସ୍ନେହ ଶୋଇବା ଘରକୁ ଯାଇ ବିଛଣାପତ୍ର, ଟ୍ରଙ୍କ୍ ସଜାଡ଼ିବାକୁ ଲାଗିଲେ । ଶିବନାଥ ପାଖରେ ଠିଆ ହୋଇଥାଏ । ଏହି ସମୟରେ ସାହିରୁ ଯଶୋଦା ଆସିଲେ ।

“ମାଉସୀ, ମାଉସୀ, ଦେଖିଲ, ନାନୀଙ୍କୁ କି ଭୂତ ଲାଗିଛି । କଥା ନାହିଁ, ବାର୍ତ୍ତା ନାହିଁ, କହୁଛନ୍ତି ବାଲେଶ୍ଵର ଯିବେ ।”

ଯଶୋଦା ସେ ଘରକୁ ଦଉଡ଼ି ଆସିଲେ ।

“କିଲୋ ସ୍ନେହ...କ’ଣ ??”

“ବୋଉ, ମୁଁ ବାଲେଶ୍ଵର ଯିବି ।”

“କ’ଣ ମାସେ ହୋଇନି କହୁଛୁ ବାଲେଶ୍ଵର ଯିବୁ ! ମା’ଟି ପରା, କ’ଣ ଅସୁବିଧା ହେଉଛି ଯଦି କହ ।”

“ନା, ବୋଉ କିଛି ଅସୁବିଧା ହେଉନି; କିନ୍ତୁ ମୁଁ ଯିବି । ତାଙ୍କ ଦେହ ଖରାପ ହୋଇଛି, ମୁଁ ଏଠି ରହି ମଜା କରୁଥିବି ! ଖୁସି ଗପ କରୁଥିବି !”

“କାହା ସାଙ୍ଗରେ ଯିବୁ, ବାପା କାଳୁପଡ଼ାରୁ ଫେରିଆସନ୍ତୁ ।”

ଶିବନାଥଙ୍କ ସହିତ ଯିବି । ସେ ରାଜି ହୋଇଛନ୍ତି । ସେ କ’ଣ ମୋର ଭାଇ ନୁହନ୍ତି ?”

ଶିବନାଥ ଓ ଯଶୋଦା ପରସ୍ପରକୁ ଚାହିଁଲେ ।

“ହଁ ବାପ, ସେ ଯେତେବେଳେ ଜିଦ୍ ଧରିଛି, ସେତେବେଳେ ନିଶ୍ଚେ ଯିବ, ତାକୁ କିଏ ରଖିପାରିବ ?”

“ତା ହେଲେ ମୁଁ ଯାଏ, ବୋଉକୁ କୁହେ ।” ଶିବନାଥ କହିଲା ।

“ବସୁନ୍ଧରାଙ୍କୁ କହିଦେବୁ ମୁଁ କହିଛି ବୋଲି । ମୁଁ ଯାଏ ସ୍ନେହ, ସାହିରେ କା ଘରେ ତୋ ନଣନ୍ଦ ବସି ଯାଇ ତାସ୍ ଖେଳୁଥିବ, ତାକୁ ଡାକି ଆଣେ ।”

ଦୁହେଁ ବାଲେଶ୍ଵରରେ ସ୍ନେହଙ୍କ ଶାଶୁଘରେ ପହଞ୍ଚୁ ପହଞ୍ଚୁ ରାତି ନଅ । ସ୍ନେହଙ୍କୁ ଦେଖି ରମେଶ ଯେତିକି ଖୁସି ହେଲା ସେତିକି ଆଶ୍ଚର୍ଯ୍ୟ ।

“ତୁମେ ଆସିବ ବୋଲି ମୁଁ ବିଶ୍ଵାସ କରି ନ ଥିଲି !”

“ବାଃ, ତୁମ ଦେହ ଖରାପ ହେବ, ମୁଁ ଗାଁରେ ମଜା କରୁଥିବି ! ଦେଖେ ତୁମ ଦେହ କ’ଣ ହୋଇଛି ।”

“ଆସୁ ଆସୁ ଏଡ଼େ ଅଧୈର୍ଯ୍ୟ ! ରୁହ, ଖିଆପିଆ ସାର, ଶୋଇବା ଘରକୁ ଗଲେ ଜାଣିବ ମୋ ଦେହ କେଡ଼େ ଖରାପ ହୋଇଛି । କ’ଣ ଅବିଶ୍ୱାସ କରୁଛ ମୋ କଥାକୁ ? ଚାଲ ଦେଖିବ ମୁଁ କେଡ଼େ ଶୁଖି ଯାଇଛି ।”

“ହଉ, ହଉ, ମୁଁ ପରେ ଦେଖିବି । ତୁମର ଦୁଷ୍ଟାମି ସବୁ ବୁଝି ସାରିଲିଣି । ତୁମେ ମିଛରେ ଦେହ ଖରାପ ହୋଇଛି ବୋଲି ଲେଖି ମୋତେ ଡାକି ଆଣିଲ !”

“ମୋ ରାଣୀ ମୋତେ କେତେ ଭଲ ପାଉଛ !” –ରମେଶ ସ୍ନେହପ୍ରଭାଙ୍କ ଆଡ଼କୁ ଲାଗିଆସିଲା । “ଭଲ ନ ପାଉଥିଲେ ଚିଠି ପାଇବା ମାତ୍ରକେ କେହି ଆସେ ?”

“ସେଠି ପରା ଶିବନାଥ ଠିଆ ହୋଇଛନ୍ତି ଟିକିଏ ସମ୍ଭାଳି ପାରୁନାହଁ । ତୁମେ ଜାଣିଛ ମୋ ସାଙ୍ଗରେ କାହିଁକି ବାପା ଆସିପାରିଲେନି ? ସେ କାଳୁପଡ଼ା ଚାଲିଯାଇଛନ୍ତି । ସେଥିପାଇଁ ଶିବନାଥଙ୍କ ସହିତ ଚାଲି ଆସିଲି । ତୁମେ ଗଲନି କାହିଁକି ଯେ ? ହଁ, ଗରିବ ଶ୍ୱଶୁର ଘରକୁ କାହିଁକି ଯିବ ? ଗଲେ ଖାଇବାକୁ ମିଳିବନି ଯେ !”

“ତୁମେ ଯେଉଁ ଦେବୀପାଦଙ୍କ କଥା କହୁଥିଲ, ତାଙ୍କରି ଭାଇ ?”

“ହଁ ।”

ରମେଶ ଶିବନାଥ ଆଡ଼କୁ ଚାହିଁଲା । ସେ ହେନା ସହିତ କ’ଣ କଥାବାର୍ତ୍ତା କରୁଥିଲା । କ’ଣ କହି ତାକୁ ଥଟ୍ଟା କରୁଥିଲା ବୋଧେ । ରମେଶ ସେ ଆଡ଼କୁ ଚାହିଁ ସ୍ନେହପ୍ରଭାଙ୍କୁ କହିଲା–” ମୋତେ ତାଙ୍କୁ ଦେଖିବାକୁ ଭଲ ଲାଗୁଛି । ରମାକାନ୍ତ ପରି ସେ ନୁହନ୍ତି ।”

 

“ତୃପ୍ତି ହୋଟେଲ୍” ରେ ପହଞ୍ଚି ପୀତାମ୍ବର ତା’ର ଲୁଗା ବଦଳାଉଛି, ତା’ ଦୁଆରେ କେହି କରାଘାତ କଲାପରି ତାକୁ ଶୁଣାଗଲା । ଟ୍ରେନରେ ସେ ଶୋଇବାକୁ ଜାଗା ପାଇ ନ ଥିଲା, ତେଣୁ ରାତିସାରା ଅନିଦ୍ରା, କ୍ଳାନ୍ତ–ଲୁଗାପଟା ବଦଳାଇ ସେ କିଛି ସମୟ ପାଇଁ ଶୋଇବାକୁ ଇଚ୍ଛା କରୁଥିଲା ସେତେବେଳେ । ଦୁଆରେ ମୃଦୁ କରାଘାତ ଶୁଣି ଗ୍ଳୋରିଆ, କି ସୋଫି, କି କଳ୍ପନା, କି ଅନ୍ୟ କେହି ସହକର୍ମୀ ହୋଇଥିବେ ଭାବି ସେ ରୁକ୍ଷ ସ୍ୱରରେ ପଚାରିଲା–” କିଏ ? ବର୍ତ୍ତମାନ ମୁଁ ବ୍ୟସ୍ତ ଅଛି, ପରେ ଆସିବ ।”

 

କିନ୍ତୁ ତା’ର ଉତ୍ତରର କୌଣସି ପ୍ରଭାବ କରାଘାତ କରୁଥିବା ବ୍ୟକ୍ତି ଉପରେ ପଡ଼ିଲାନାହିଁ-। କରାଘାତ ସେହିପରି ଚାଲିଥାଏ । ବିରକ୍ତିରେ ପୀତାମ୍ବର ଦୁଆର ଖୋଲି ଦେଇ ଦେଖେ, ଦୁଆର ଆଗରେ ସୁକୁମାର ଦାଦା ଠିଆ ହୋଇ ତା’ ଆଡ଼କୁ ଚାହିଁ ମୁରୁକେଇ ମୁରୁକେଇ ହସୁଛନ୍ତି-

 

“ଦାଦା, ଆପଣ ! କ୍ଷମା କରିବେ, ମୁଁ ଭାବିଥିଲି ଆଉ କିଏ ! ଭିତରକୁ ଆସନ୍ତୁ ।”

 

ସୁକୁମାର ଦାଦା ଘର ଭିତରକୁ ଆସି ଆର୍ମଚେୟାରଟା ଉପରେ ବସି ପଡ଼ିଲେ । ପୀତାମ୍ବର ଯାଇ ଖଟ ଉପରେ ବସିଲା ।

 

“କ’ଣ ପୀତାମ୍ବର ! ଗାଁ ଖବର କ’ଣ କୁହ । ସବୁ ଭଲ ?”

 

“ମୋର ସେ ପାଗଳା ପୁଅଟା ମରିଗଲା । ସେଇଥିପାଇଁ ଏଥରକ ଫେରୁ ଫେରୁ ଡେରି ହେଲା ।”

 

“ମରିଗଲା ? ଆହା, ବଡ଼ ଦୁଃଖର କଥା ! ତୁମର ସ୍ତ୍ରୀଙ୍କୁ ବଡ଼ ଦୁଃଖ ହୋଇଥିବ । କ’ଣ କରାଯାଏ, ଜନ୍ମମରଣ ତ ଆଉ ଆମ ହାତର କଥା ନୁହେଁ । ତେବେ ତୁମେ ବୋଧେ ଗାଁରେ ଆଉ କେତେଦିନ ରହିଥିଲେ ଭଲ ହୋଇଥାନ୍ତା ।”

 

“ମୁଁ କିନ୍ତୁ ରହିଥାନ୍ତି କିପରି ? ଆପଣ ଯେଉଁଥିପାଇଁ ପଠାଇଥିଲେ, ସେହି ଖବର ଆଣି ମୁଁ ଫେରିଆସିଲି । ସାରସୀ ଅବଶ୍ୟ କହୁଥିଲା, ଆଉ କିଛିଦିନ ରହିବାକୁ ।”

 

“ଆଚ୍ଛା ହେଉ, ଖବର କ’ଣ କୁହ ? ସ୍ନେହପ୍ରଭା ବର୍ତ୍ତମାନ କେଉଁଠି ?”

 

“ଗାଁରେ । ଗାଁରେ ସେ ଆଉ ପନ୍ଦର ଦିନ ବୋଧେ ରହିବେ । ଦେବୀପାଦର ସାନଭାଇ ଶିବନାଥ ସହିତ ଗପସପ କରି ତାଙ୍କର ସମୟ ବେଶ୍ କଟିଯାଉଛି ।”

 

“ଗୁଡ୍ ! ତାହାହେଲେ, ବର୍ତ୍ତମାନ ବାଲେଶ୍ଵରରେ ରମେଶବାବୁଙ୍କର ଗୃହରେ ସେ ଏକା-? ଆଚ୍ଛା ରମେଶବାବୁଙ୍କର ବୋଉ ଓ ନଣନ୍ଦ ହେରିକା... ?”

 

“ହେନା ସ୍ନେହପ୍ରଭାଙ୍କର ସହିତ ଗାଁକୁ ଯାଇଛନ୍ତି, ତାଙ୍କରି ସହିତ ଫେରିବେ । ବୋଉ ହରିଦ୍ଵାରରେ, ଏଇଲେ ତାଙ୍କର ଆସିବାର ପ୍ରଶ୍ନ ଉଠୁନାହିଁ ।”

 

“ଗୁଡ଼୍, ଭେରୀ ଗୁଡ଼୍ । ତାହା ହେଲେ, ପୀତାମ୍ବର ! ତୁମେ ଆଜି ଦିନଟା ବିଶ୍ରାମ ନିଅ । ରାତିରେ ବୋଧେ ଟ୍ରେନ୍ରେ ଶୋଇ ପାରି ନ ଥିବ । ସନ୍ଧ୍ୟାରେ ମୋ ପାଖକୁ ଆସିଲେ, ମୁଁ ତୁମକୁ ପ୍ଲାନଟା ଆଉ ଥରେ ବୁଝାଇ ଦେବି । କାଲି ରାତ୍ରିରେ ତୁମେ କାର୍ଯ୍ୟକ୍ଷେତ୍ରକୁ ବାହାରିଯିବ । ତୁମ ସହ ଦେବୀପାଦ ଓ କଳ୍ପନା ଯିବେ ।”

 

“ହଁ, ସେୟା ତ ଠିକ୍ ହୋଇଯାଇଛି ।”

 

“ସାବଧାନ ରହିବ, ଦେବୀପାଦ ପାଇଁ ଏଇଟା ପ୍ରଥମ ଅଭିଯାନ । ତେଣୁ ସେ ଯେପରି କିଛି ଭୁଲ କରି ନ ବସେ । ତେବେ ମୋର ତା’ର ପାରଦର୍ଶିତା ଉପରେ ପ୍ରଗାଢ଼ ବିଶ୍ୱାସ ଅଛି ।”

 

“ସେ ବିଷୟରେ ଆପଣ ନିଶ୍ଚିନ୍ତ ରୁହନ୍ତୁ ।”

 

“ଏଇଟାରେ ସଫଳ ହେବା ପରେ ଆମେ ମଧୁସୂଦନ ଷଡ଼ଙ୍ଗୀଙ୍କ ଘରକଥା ବୁଝିବା । ନଗଦ ଅଳଙ୍କାର ସବୁ ମିଶି ତାଙ୍କ ଘରେ ତ ଲକ୍ଷେ ହେବ ?”

 

“ଏଥରକ ମୁଁ ଯାହା ଖବର ପାଇଲି, ସବୁ ମିଶି ଦେଢ଼ଲକ୍ଷ ପାଖାପାଖି ହେବ ।”

 

“ଗୁଡ୍ । ତେବେ ସେଇଟା ଆମର ପରେ ।”

 

ପୀତାମ୍ବର ଖଟଟା ଉପରେ ଶୋଇବାକୁ ଚେଷ୍ଟା କରି ମଧ୍ୟ ତା’ର ଆଖିକୁ ନିଦ ଆସୁ ନ ଥାଏ । ଅଥଚ ସୁକୁମାର ଦାଦା ଆସିବା ପୂର୍ବରୁ ସେ ଭାବୁଥିଲା, ଶେଯ ଛୁଇଁଲେ ତାକୁ ନିଦ ଆସିବ-। ଅବଶ୍ୟ ଭଲ ନିଦ ନ ହେବାଟା ତା’ ପାଇଁ କିଛି ଅସ୍ୱାଭାବିକ କଥା ନୁହେଁ; କିନ୍ତୁ କଲିକତାରୁ ଗାଁକୁ ଗଲେ ସେ ଗାଁରେ ଟିକିଏ ଶାନ୍ତି ପାଏ । ନଡ଼ିଆ ବାହୁଙ୍ଗାର ପବନ ତା’ ଦେହକୁ ଆରାଏ, ସେ ଉଚ୍ଚ ବାରଣ୍ଡାଟିରେ ପଟି ଖଣ୍ଡେ ପକାଇ ଗଡ଼ିପଡ଼େ ରାତିସାରା । ଏଥରକ ଗାଁରେ କିନ୍ତୁ ତା’ର ସେତକ ହୋଇ ପାରିଲାନି, ଦୈବ ଯାହା ତା’ର ପୁଅଟାକୁ ନେଇଗଲା !

 

ପୀତାମ୍ବର କିଶୋରକୁ ନିଜର ପୁଅ ବୋଲି ଭାବିଦେବା ପରେ, ହସିଲା । ସତରେ କିଶୋର ତା’ର ପୁଅ ? ସେ କ’ଣ ଜାଣିନି, ସେ ତା’ର ପୁଅ ନୁହେଁ ବୋଲି । ସାରସୀ ମନେ ମନେ ଏବେ ବି ଭାବିଛନ୍ତି ଯେ ସେ ପୀତାମ୍ବରକୁ ଓଲୁ କରି ରଖିଛନ୍ତି । ହାଃ ! ପୀତାମ୍ବରର ମନେ ପଡ଼ିଗଲା ବହୁଦିନ ତଳର କଥା, ଯେବେ ସେ, ସେଇଟା ନଭେମ୍ବର ମାସ ହବ ପରା, ଗାଁକୁ ଯାଇଥିଲା । ପ୍ରାୟ ସାତ, ଆଠମାସ ପରେ ସେ ସେଥର ଗାଁକୁ ଯାଇଥିଲା । ରାତିରେ ଦାଣ୍ଡପିଣ୍ଡାରୁ ଉଠି, ଶୋଇବା ଘରକୁ ଯାଇ ନିଦ୍ରିତା ସାରସୀଙ୍କୁ ଗାଢ଼ ଆଶ୍ଳେଷରେ ସେ ଚିପି ଦେଇଥିଲା; କିନ୍ତୁ ସେତିକିବେଳେ, ଠିକ୍ ସେତିକିବେଳେ ସେ ସାରସୀଙ୍କୁ ଗାଢ଼ ଆଲିଙ୍ଗନ ଅବସ୍ଥାରେ ରଖି ଯାହା ଜାଣିଲା, ତାହା ଗୋଟିଏ ମୁହୂର୍ତ୍ତରେ ତାକୁ ନପୁଂସକ କରି ଦେଇଥିଲା, ତା’ର ସାରା ଉତ୍ସାହ ସୌଧକୁ ଭାଙ୍ଗି ଚୁର୍‍ମାର୍ କରି ଦେଇଥିଲା । ସେ ସନ୍ଦେହ କରିଥିଲା, ତା’ର ସାରସୀ, ତା’ର ପତ୍ନୀ ଅନ୍ୟ କାହାଦ୍ୱାରା ଅନ୍ତଃସତ୍ତ୍ଵା । ନିଦରୁ ଉଠୁ ଉଠୁ ସାରସୀ ତା’ର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ, ‘ତିନି ମାସ ହେବ ।’ ତା’ପରେ ତାଙ୍କୁ ଏଣୁ ତେଣୁ କ’ଣ କହି, ତାଙ୍କୁ ଶୁଆଇ ପକାଇ, ପୀତାମ୍ବର ଦାଣ୍ଡକୁ ଉଠି ପଳାଇ ଯାଇଥିଲା । ସେତେବେଳେ ତା’ ମୁଣ୍ଡକୁ ହାତୁଡ଼ିରେ କିଏ ପିଟି ପକାଉଥିଲା ।

 

ଉଃ ! ଭଗବାନ୍ ! ପୀତାମ୍ବର ମୁଣ୍ଡରେ ହାତ ଦେଇ କଡ଼ ଲେଉଟେଇଲା । ତା’ପରେ ସେ ଲକ୍ଷ୍ୟ କରିଛି, ଘୃଣାରେ, ଘୋର ଘୃଣାରେ ସାରସୀଙ୍କର ଶରୀରଟାକୁ, ତାଙ୍କର ବଢ଼ୁଥିବା ପେଟଟାକୁ । ଆଉ ପିଲା ଜନ୍ମ ହେବାର କିଛିଦିନ ପରେ, ସେ ଯାଦବ କିଶୋରଠି ଘୋର ବିସ୍ମୟ ସହିତ ଆବିଷ୍କାର କରିଛି, ମଧୁସୂଦନ ଷଡ଼ଙ୍ଗୀଙ୍କ ନାକଟାକୁ । ତଥାପି ସେ ସାରସୀଙ୍କୁ ଭର୍ତ୍ସନା ବା ତାଡ଼ନା କରିନି । କାରଣ ଲୋକେ ସିନା ଭାବୁଥିଲେ, ସେ କଲିକତା ସହରରେ ଜଣେ ସାଧାରଣ ଓଡ଼ିଆ ପୂଜାରୀଟିଏ ବୋଲି; କିନ୍ତୁ ସେ ତ ଥିଲା ଅରାଜକ ଦଳର ସଭ୍ୟ, ସୁକୁମାର ଦାଦାଙ୍କ ପରମ ପ୍ରିୟ ଶିଷ୍ୟ ପିତାମ୍ବର ! ଅବଶ୍ୟ ପ୍ରଥମେ ପ୍ରଥମେ ପିଲାଟାକୁ ଦେଖି ତା’ର ଶରୀରରେ, ଘୃଣାରେ ଏକ ଅଦ୍ଭୁତ ପ୍ରକାରର ଶୀହରଣ ଖେଳି ଯାଉଥିଲେ ମଧ୍ୟ ପରେ ତାହା ଚାଲିଗଲା, ପିଲଟା ମଧ୍ୟ କ୍ରମଶଃ ଦେହସୁହା ହୋଇଗଲା । ସେତିକି ନୁହେଁ, ଧୀରେ ଧୀରେ ସେ ପିଲାଟିକୁ ଭଲ ପାଇବାକୁ ଲାଗିଲା । ସତରେ ଦେଖିବାକୁ ଗଲେ, ସେ ବିଚାରାର ଦୋଷ କ’ଣ ? ସେ ତ ତା’ ବାପମାଙ୍କୁ କହି ନ ଥିଲା ଯେ ତୁମେ ଅବୈଧ ପ୍ରଣୟରେ ଲିପ୍ତ ହୋଇ ମୋତେ ସୃଷ୍ଟି କର । ବିଚାରା ଶେଷରେ ଯାହା କୁକୁଡ଼ା ପିଲାଟାଏ ପାଇଁ ସେ ଜୀବନ ଦେଲା । ବିଚାରା !

 

ଦୁଆରେ କରାଘାତ ଶୁଣିବାରୁ ପୀତାମ୍ବରର ବିଚାରଧାରାରେ ବାଧା ଆସିଲା । ସେ ପଚାରିଲା, “କିଏ ?”

 

ଅନୁଚ୍ଚ ସ୍ୱରରେ ବାହାରୁ କିଏ କହିଲା, “ମୁଁ, ସୋଫି !”

 

“ଓଃ, ସୋଫି !”

 

ପୀତାମ୍ବର ଖୁସିରେ ଖଟ ଉପରୁ ଲମ୍ଫ ପ୍ରଦାନ କରି ଦୁଆର ଖୋଲିଦେଲା । ସୋଫି ଦୁଆର ଠେଲି ଭିତରକୁ ପଶିବା ମାତ୍ରକେ ଦୁହେଁ ଏକାକାର ହୋଇଗଲେ, ନିବିଡ଼ ଆଶ୍ଳେଷରେ ।

 

କଳ୍ପନା ବାହାରେ ଅପେକ୍ଷା କଲେ । ଅନ୍ଧକାର ରାତ୍ରି–ବିରାଟ ପ୍ରାସାଦ ଆଗରେ ଠିଆ ହୋଇଛି । ପୀତାମ୍ବର ପାରାପେଟ୍‍କୁ ଦଉଡ଼ି ଫୋପାଡ଼ିଲା । ତା’ପରେ ପୀତାମ୍ବର ଓ ଦେବୀପାଦ ଦୁହେଁ ପ୍ରାସାଦ ଉପରକୁ ଚଢ଼ିଗଲେ । ଦେବୀପାଦର ଛାତି ଧୁଡ଼୍ ଧୁଡ଼୍ ହେଉଥାଏ । ଉପର ମହଲାର ସବୁ ବଖରାଗୁଡ଼ିକୁ ସେମାନେ ଚାହିଁ ଚାହିଁ ଗଲେ । କେତେଗୁଡ଼ିଏ ଅନ୍ଧକାରାବୃତ ଥିଲା, ତିନୋଟିରେ ମୃଦୁ ନୀଳ ଆଲୋକ । ଗୋଟିଏ ଘର ଆଗରେ ପୀତାମ୍ବର ଠିଆ ହୋଇଗଲା ।

 

“ଏଇ ଘରେ ।” ଫୁସ୍ ଫୁସ୍ କରି ପୀତାମ୍ବର କହିଲା ।

 

ଦେବୀପାଦ ଚାହିଁଲା । ବଡ଼ ପଲଙ୍କ, ଆଇରନ୍ ସେଫ୍, ଟେବୁଲ, ଗୃହ ଭିତରେ ଶାନ୍ତି ଓ ନୀରବତା, ଯାହା ମଧ୍ୟେ ମଧ୍ୟେ ମଣିଷର ନିଃଶ୍ଵାସ ପ୍ରଶ୍ଵାସ ଯିବା ଆସିବାର ଶବ୍ଦ ଶୁଭୁଥାଏ । ପୀତାମ୍ବର ସ୍ୱର ବଦଳାଇ ଡାକିଲା–“ବାବୁ, ବାବୁ !”

 

ଦୁଆରେ ଠକ୍ ଠକ୍ ।

 

“କିଏ......”

 

“ବାବୁ ତଳେ ଆପଣଙ୍କୁ କେହି ଜଣେ ଡାକୁଛନ୍ତି । କାରରେ ଆସିଛନ୍ତି ।”

 

କିଛି ଉତ୍ତର ନାହିଁ । ଭଦ୍ରବ୍ୟକ୍ତି ବୋଧେ ପୁଣି ଶୋଇ ପଡ଼ିଲେ । “ବାବୁ, ବାବୁ !”

 

ପୁଣି ଠକ୍ ଠକ୍ ।

 

“କ’ଣ ?” ଏଥରକ ସ୍ୱର ଉଚ୍ଚ, ବିରକ୍ତିରେ ପୂର୍ଣ୍ଣ ।

 

ଚଟିକୁ ଘୋଷାରି ଘୋଷାରି ଭଦ୍ରବ୍ୟକ୍ତି ଦୁଆର ପାଖକୁ ଆସିବାର ଶବ୍ଦ । ପୀତାମ୍ବର ଓ ଦେବୀପାଦ ଦୁହିଙ୍କ ଛାତିର ଗତି ରହିଗଲା–ମାଂସପେଶୀ ପ୍ରସ୍ତୁତ ହୋଇଗଲା, କାର୍ଯ୍ୟର ବେଳ ।

 

ଦୁଆର ଫିଟିଲା ।

 

ସାମାନ୍ୟ ସଂଘର୍ଷ ।

 

ଭଦ୍ରବ୍ୟକ୍ତିଙ୍କର ନିଦ ସମ୍ପୂର୍ଣ୍ଣ ଭାଙ୍ଗିଗଲା; କିନ୍ତୁ ସେତେବେଳକୁ ତାଙ୍କୁ ଦଉଡ଼ି ରୁମାଲ୍ ଇତ୍ୟାଦିର ସାହାଯ୍ୟରେ ଅକର୍ମଣ୍ୟ କରି ଦିଆଯାଇ ବାରଣ୍ଡାରେ ଜିନିଷପତ୍ର ପରି ଗଡ଼େଇ ଦିଆଯାଇଥିଲା ।

 

“ତୁମେ ଏଇଠି ରୁହ, ମୁଁ ଭିତରକୁ ଯାଉଛି ।”

 

ପୀତାମ୍ବର ଘର ଭିତରକୁ ପଶିଲା । ଦେବୀପାଦ ଏରୁଣ୍ଡିବନ୍ଧଠି ଠିଆ ହୋଇ ସବୁଆଡ଼କୁ ଦେଖୁଥାଏ । ପୀତାମ୍ବର ପଲଙ୍କ ପାଖକୁ ଯାଇ ଠିଆହେଲା ।

 

ଆଉ ଜଣେ କିଏ ଶୋଇଛି । ସେ ଆଶ୍ଚର୍ଯ୍ୟ ହୋଇଗଲା, କିଏ ହୋଇପାରେ, ସ୍ନେହ ତ ଗାଁରେ ! ଶୋଇଥାଉ, ନିଘୋଡ଼ ନିଦରେ ଶୋଇବାପରି ଜଣାପଡ଼ୁଛି ।

ଦେବୀପାଦକୁ ଡାକି, ଘର ଭିତରେ କେହି ଜଣେ ଶୋଇବା କଥା କହି, ପୀତାମ୍ବର ଦେବୀପାଦକୁ ଅଧିକ ସଚେତନ ହେବାକୁ କହିଲା ।

“ହଉ, ତୁମେ ଚାଲିଯାଅ ।”

ଦେବୀପାଦ ପୁଣି ବାରଣ୍ଡାକୁ ଚାଲି ଆସିଲା । ପୀତାମ୍ବର ତକିଆ ତଳୁ ଆଇରନସେଫ୍ ଚାବି ନେଇ ସେଫ୍ ଖୋଲିଲା । ତା’ପରେ ପୀତାମ୍ବରର ଅଭ୍ୟସ୍ତ ହସ୍ତ ଯୋଗୁଁ ଖୁବ୍ କମ୍ ସମୟରେ ସେଫ୍ ଭିତରୁ ସବୁ ପ୍ରୟୋଜନୀୟ ଜିନିଷ ତା’ର ବ୍ୟାଗ୍ ଭିତରକୁ ଚାଲିଆସିଲା । ଧୀରେ, କୌଣସି ଶବ୍ଦ ନ କରି ଆଇରନସେଫ୍ ବନ୍ଦ ହୋଇଗଲା । ପଲଙ୍କ ପାଖରେ ପୀତାମ୍ବର ଚାବି ରଖିବାବେଳେ କୌତୂହଳ ହୋଇ ଟର୍ଚ୍ଚ ମାରିଲା–

ଅତି ରୂପବତୀ ଯୁବତୀଟିଏ ଶୋଇଛି । ସ୍ନେହପ୍ରଭାଙ୍କର ନିଦ୍ରିତାବସ୍ଥାର ରୂପ ଦେଖି ସେ ବିହ୍ୱଳ ହୋଇଗଲା । କ୍ଷଣକ ପାଇଁ ।

ପୀତାମ୍ବର ଥଳିସହ ବାହାରକୁ ଚାଲି ଆସିଲା ।

“କ’ଣ ?”

“ତୁମ ଘରକୁ ସ୍ନେହପ୍ରଭା ବୋଲି ଝିଅଟିଏ ସବୁବେଳେ ଯାଉଥିଲେ, ମନେ ପଡ଼ୁଛି ?”

“ହଁ, ହଁ, ମହେଶ୍ୱର ପାଢ଼ୀଙ୍କ......”

“ସେଠି ସେ ଶୋଇଛନ୍ତି ।”

“କିଏ ?” ଦେବୀପାଦର ନିଃଶ୍ୱାସ ପ୍ରଶ୍ୱାସ ଯିବାଆସିବା ଯେପରି ବନ୍ଦ ହୋଇଗଲା । ବିଶ୍ୱାସ କରି ନ ପାରି ପଚାରିଲା, “କିଏ ?”

“ସ୍ନେହ....”

ଦେବୀପାଦ ସଙ୍ଗେ ସଙ୍ଗେ ସବୁ ସତର୍କତା ଭୁଲି ଘର ଭିତରକୁ ଯିବାକୁ ଉଦ୍ୟତ ହେଲା-

“ଶୁଣ ଶୁଣ, ଭିତରକୁ ଯଦି ଯାଉଛ ସାବଧାନ ରହିବ, ମୁଁ ତଳେ ଅଛି । ଡେରି କରିବ ନାହିଁ । ଆମେ ଯାହା ଆଶା କରିଥିଲୁ, ତା’ଠୁ ବେଶି ଲୋକ ଏ ଘର ଭିତରେ ଥିବାପରି ଜଣା ପଡ଼ୁଛି-।”

ପୀତାମ୍ବର ଦଉଡ଼ି ସାହାଯ୍ୟରେ ତଳକୁ ଓହ୍ଲାଇଗଲା । ସେତେବେଳକୁ ଦେବୀପାଦ ପଲଙ୍କ ପାଖରେ ଠିଆ ହୋଇ ଗୃହର ମୃଦୁ ନୀଳ ଆଲୋକରେ ସ୍ନେହପ୍ରଭାଙ୍କୁ ଦେଖିବାରେ ବ୍ୟସ୍ତ ।

ଶେଯରେ ରୂପବତୀ...ନିଶ୍ଚିନ୍ତଶାୟିତା ଯୁବତୀ । ସେହି ତା’ର ପ୍ରେମିକା ।

ସୁଖସ୍ଵପ୍ନଉଲ୍ଲସିତା । ମୁକୁଳିତ ଅଧର...ସ୍ରସ୍ତ ବସ୍ତ୍ର...ସ୍ରସ୍ତ କେଶ ଦାମ...ସ୍ଖଳିତ ଅଧୋବାସକ...ସ୍ଖଳିତ କୁଞ୍ଚୁକ ।

ମାନବ ଓ ମାନବୀ ।

ଅନ୍ଧକାର ।

କାମନାର ଘନଘଟା ।

“ସ୍ନେହ, ମୋତେ ଚିହ୍ନି ପାରୁଛ ?” ଦେବୀପାଦ ପଲଙ୍କ ପାଖରେ ଆଣ୍ଠୋଇ ପଡ଼ି ସ୍ନେହଙ୍କୁ ଧୀରେ ଧୀରେ ପଚାରିଲା ।

“କିଏ ?” ସ୍ନେହ ଭୀଷଣ ଭାବେ ଚମକି ପଲଙ୍କ ଉପରୁ ତଳକୁ ଡେଇଁ ପଡ଼ିଲେ । ବିଜୁଳି ଆଲୁଅ ଉପରେ ଯାଇ ତାଙ୍କର ହାତ ପଡ଼ିଲା । ଘରସାରା ଆଲୋକ । “କିଏ ତୁମେ !!!”

ଦେବୀପାଦକୁ ଦେଖି ସ୍ନେହପ୍ରଭା ପୁଣି ଚମକିଲେ । ତାଙ୍କର ଆଖି ବଡ଼ ବଡ଼ ହୋଇଯାଇଥିଲା, ମୁହଁରେ ଭୟ, ଆଶ୍ଚର୍ଯ୍ୟର ସମ୍ମିଶ୍ରଣ । ସେ ଯେପରି କିଛି ବୁଝିପାରୁ ନ ଥିଲେ ।

“ମୁଁ, ସ୍ନେହ, ମୁଁ ଦେବୀପାଦ, ତୁମର ଦେବୀପାଦ !”

“ଦେବୀଭାଇ ?”

ଦେବୀପାଦ ଲାଳସାରେ ଅଗ୍ରସର ହୋଇ ସ୍ନେହପ୍ରଭାଙ୍କୁ ଗାଢ଼ ଆଲିଙ୍ଗନ କଲା । ମୁହୂର୍ତ୍ତେ ପାଇଁ ଯେପରି ସ୍ନେହପ୍ରଭା ଦେବୀପାଦର ଶରୀରଟାରେ ଜଡ଼ିଗଲେ ।

“ଛାଡ଼, ଛାଡ଼...ତମେ କିପରି ଆସିଲ ?”

ସ୍ନେହପ୍ରଭାଙ୍କ ଆଖି ଘରର ଚାରିଆଡ଼େ ବୁଲିଗଲା । ପଲଙ୍କରେ ତାଙ୍କର ସ୍ଵାମୀ ନ ଥିଲେ । ଆଇରନ୍ ସେଫ୍ ପାଖରେ ତଳେ ନୋଟ୍ କେତୋଟି ପଡ଼ିଥିଲା ।

“କ’ଣ ହେଲା ? ଚୋ......”

“ପାଟି କରନି ସ୍ନେହ” ...ଦେବୀପାଦ ସ୍ନେହପ୍ରଭାଙ୍କ ପାଟିରେ ହାତ ଚିପିଦେଲା । ସ୍ନେହପ୍ରଭା ରାଗରେ ଦେବୀପାଦର ହାତକୁ ଛିଞ୍ଚାଡ଼ି ଦେଇ କହିଲେ–” ମୋର ସ୍ଵାମୀ କାହାନ୍ତି ? ତୁମେ କେଉଁ ଉଦ୍ଦେଶ୍ୟରେ ଏଠାକୁ ଆସିଛ ? ତୁମେ ଚୋରି କରିଛ ମୋର ସମ୍ପତ୍ତି ?”

ସ୍ୱରରେ ଝଡ଼ର ପୂର୍ବାଭାସ ।

“ସ୍ନେହ, ମୁଁ ତୁମର ପ୍ରଣୟକୁ ପ୍ରତ୍ୟାଖ୍ୟାନ କରିଥିଲି ବୋଲି ତୁମେ ନିଶ୍ଚେ ରାଗିଛ । ମୁଁ ଜାଣିପାରିଛି । ମୋ ଭୁଲ ମୁଁ ବୁଝି ପାରିଛି । ମୋତେ କ୍ଷମାକର ସ୍ନେହ, ସେଦିନ ଯାହା କହି ପାରି ନ ଥିଲି ଆଜି ତାହା କହୁଛି । ତୁମେ ମୋର ସବୁ, ସ୍ନେହ, ମୁଁ ତୁମକୁ ସବୁବେଳେ ଭଲ ପାଇଛି । ମୋ ବୁଦ୍ଧିରେ ସେତେବେଳେ ପର୍ଦ୍ଦା ପଡ଼ିଯାଇଥିଲା । ତା’ପରେ ମୁଁ ତୁମକୁ ବହୁତ ଝୁରି ହୋଇଛି । ବହୁତ...ତୁମକୁ ମୁଁ ନବାକୁ ଆସିଛି ସ୍ନେହ !”

ଦେବୀପାଦ ପ୍ରଣୟ ନିବେଦନ କରୁଥିବାବେଳେ ସ୍ନେହପ୍ରଭା ବ୍ୟସ୍ତ ହୋଇ ଏଣେତେଣେ ଚାହୁଁଥାନ୍ତି ।

“ସେ କେଉଁଠି...”

“ଚାଲ ସ୍ନେହ...” କିଏ ଉଠି ପଡ଼ିଲେ ସବୁ ସରିଯିବ ।

“ଚଣ୍ଡାଳ, ଦୁଷ୍ଟ, ସଇତାନ୍” .....ସ୍ନେହପ୍ରଭା ଦେବୀପାଦକୁ ସବୁ ଶକ୍ତି ଲଗାଇ ଚାପୁଡ଼ା ମାରିଲେ ।

“ପର ସ୍ତ୍ରୀ ଦେହରେ ହାତ ଦେଉଛୁ ? କୁହ ମୋ ସ୍ୱାମୀ କାହାନ୍ତି ?”

ଦେବୀପାଦ ଗାଲକୁ ଆଉଁଷି ଆଉଁଷି ସ୍ନେହପ୍ରଭାଙ୍କ ଆଡ଼କୁ ଅଗ୍ରସର ହେଲା । ତା’ ଆଖି କ୍ରୋଧ, ଅପମାନ ଓ ଦୃଢ଼ ନିଶ୍ଚୟରେ ଜଳୁଥିଲା ।

ଚକ୍ଷୁ ପାଲକରେ ସ୍ନେହପ୍ରଭା ତା’ କାନ୍ଧକୁ ଚାଲିଗଲେ ।

ଦେବୀପାଦ ସ୍ନେହପ୍ରଭାଙ୍କୁ ଟେକିସାରି ବୁଲିଯିବାବେଳକୁ ଦେଖିଲା ଦୁଆରବନ୍ଧଠି କେହି ଜଣେ ଠିଆ ହୋଇଥିଲା, ତା’ର ଗତିପଥକୁ ପ୍ରତିରୋଧ କରି । ଦେବୀପାଦର ମାଂସପେଶୀ ଚଞ୍ଚଳ ହୋଇ ଉଠିଲା । ଜୁଡ଼ୋ । ଅଭ୍ୟସ୍ତ ହାତ ତା’ର ପଲକ ମାତ୍ରେ ପ୍ରତିରୋଧ କରୁଥିବା ବ୍ୟକ୍ତିର କାନ ପାଖରେ ବାଜିଲା, ଆଉ ସେହି ମାଡ଼ରେ ମୂଳୋତ୍ପାଟିତ ଗଛପରି ହଲୁଥିବାବେଳେ, ଦେବୀପାଦର ଛୁରା ତା’ର ପେଟରେ ବେଣ୍ଟଯାଏ ପଶିଗଲା । ତା’ପରେ ବିରାଟ ଦ୍ରୂମଟାଏ କୁରାଢ଼ୀ ଚୋଟରେ କଟି ତଳେ ପଡ଼ିବା ପରି ଲୋକଟି ତଳେ ପଡ଼ିଗଲା ।

ମରୁଥିବା ଲୋକଟି କ୍ଷୀଣକଣ୍ଠରେ କହିଲା–“ଦେବୀ...”

ରକ୍ତର ଫୁଆରା ।

ଯନ୍ତ୍ରଣାଦଗ୍‍ଧ ମାନବ ।

ଆହତ ସମ୍ବୋଧନ... “ଦେବୀ....ଦେ...”

ଦେବୀପାଦ ଆଖି ବଡ଼ ବଡ଼ କରି ଚାହିଁଥିଲା । ଶିବନାଥ ଯନ୍ତ୍ରଣାରେ ଛଟପଟ ହେଉଛି-। ଲାଲ୍ ରକ୍ତ ଚଟାଣରେ ବହିବାକୁ ଲାଗିଲାଣି । ଶିବନାଥର ବିଶେଷ କିଛି ପରିବର୍ତ୍ତନ ତ ହୋଇନି-! ସେହିପରି... ତା’ ଆଡ଼କୁ ଚାହିଁଛି । କ’ଣ କହିବାକୁ ଇଚ୍ଛା କରୁଛ । ଦେବୀପାଦ କାନ୍ଧ ଉପରୁ ସ୍ନେହପ୍ରଭାଙ୍କୁ ଫୋପାଡ଼ି ଦେଇ ତା’ ପାଖରେ ବସିପଡ଼ିଲା । ବର୍ତ୍ତମାନ ଶିବନାଥ ଚେଷ୍ଟା କରୁଛି କ’ଣ କହିବାକୁ । ମୁଖରୁ ତା’ର ଶବ୍ଦ ବାହାରି ପାରୁନି । ଦେବୀପାଦକୁ ସେ କ’ଣ କହିବାକୁ ଇଚ୍ଛା କରୁଛି; କିନ୍ତୁ କହି ପାରୁନି ।

“ଦେବୀ...”

“ଶିବ...”

ଶିବନାଥ ମରିଗଲା ବୋଧେ । ଆଖି ତ ମେଲାଇଛି । ଦେବୀପାଦ ଛାତିରେ ହାତମାରି ଝଙ୍କାଇ ଦେଲା ଦୁଇଥର । ଶିବନାଥ ଉଠିଲାନି । “ଉଠ୍ ଶିବ ଉଠ୍ ।” ଶିବ ଉଠୁନି । କାହିଁକି ଉଠୁନି-?” ଦେଖ ସ୍ନେହ, ଶିବ ଉଠୁନି ।” ସ୍ନେହଙ୍କୁ ଦେବୀପାଦ ଧୀରେ ମୁହଁ ଟେକି ଚାହିଁଲା । ସ୍ନେହପ୍ରଭା ତା’ ପାଖରେ ଠିଆହୋଇଥିଲେ । “ଶିବନାଥ ମରିଗଲା, ସ୍ନେହ ।” ସେ କହିଲା । ସେ ଉଠି ଠିଆହେଲା । ହାତକୁ ଚାହିଁଲା–ହାତରେ ରକ୍ତ । ଦେହସାରା ରକ୍ତ । ନିଜ ଭାଇର ରକ୍ତ । ଶିବନାଥର ରକ୍ତ-। ଭଲ । ସ୍ନେହପ୍ରଭା ଠିଆ ହୋଇଥାନ୍ତି । ସେ ମଧ୍ୟ ଠିଆ ହୋଇଗଲା । ଦୁହେଁଯାକ ଖମ୍ବ ପରି ଠିଆ ହୋଇଗଲେ-। କେତେ ସମୟ ସେହିପରି କଟିଗଲା କେଜାଣି ।

ହଠାତ୍ ସ୍ନେହପ୍ରଭା ସ୍ୱପ୍ନରୁ ଉଠିବା ପରି ପାଟି କଲେ–“ଦେବୀଭାଇ ! ତୁମେ କ’ଣ କଲ-?”

ଦେବୀପାଦ ପାଟିରୁ ମଧ୍ୟ ସ୍ନେହ କହିବା ସଙ୍ଗେ ସଙ୍ଗେ ବାହାରିଲା–‘‘ମୁଁ କ’ଣ କଲି ? ମୁଁ କ’ଣ କଲି ? ମୁଁ କ’ଣ କଲି ??”

ଚିତ୍କାର...କରୁଣ ବିଳାପ...ମର୍ମଫଟା ବାହୁନା...ତା’ପରେ ଗୋଟିଏ ପୁରୁଷ ଓ ଗୋଟିଏ ସ୍ତ୍ରୀର ଭୋ ଭୋ କାନ୍ଦ । ଚତୁର୍ଦ୍ଦିଗର ନିଃଶବ୍ଦତା ଡରିଗଲେ । ଗଛରୁ ନିଶାଚର ପକ୍ଷୀ ଉଡ଼ିଗଲେ । ତଳୁ ଅରାଜକ ଦଳର ସଭ୍ୟ ଫେରିଗଲେ । ମାନବ କାନ୍ଦୁଥିଲା... ମାନବୀ କାନ୍ଦୁଥିଲା...ମାନବ କାନ୍ଦୁଥିଲା...

“ମୁଁ କ’ଣ କଲି ! ହା ଭଗବାନ୍, ମୁଁ କ’ଣ କଲି !!”

Image